Unknown

 

 

 

 

 

 

 

 

 

 

 

ଆମଘରର ହାଲ୍‍ଚାଲ୍‍

ଗୋପାଳ ଚନ୍ଦ୍ର ପ୍ରହରାଜ

 

ଉତ୍କଳ ସାହିତ୍ୟ

ଆମ ଘରର ହାଲ୍‍ଚାଲ୍‍

(୨୦ଶ ଭାଗ । ୧୩୨୪ । ୧୧ଶ ସଂଖ୍ୟା)

 

ପାଠକ ମହାଶୟମାନେ ଓ ଭକ୍ତିଭାଜନ ସମ୍ପାଦକ ଅବଧାନ, ନମସ୍କାର ! (ଏଥିର ଉହ୍ୟ ଉତ୍ତର–ଆୟୁଷ୍ମନ୍ତେ ! ଭବନ୍ତେ ! ଅର୍ଥାତ୍‌ ବୁଢ଼ାଟିଏ ହୋଇ ଘର ଦ୍ୱାର କର ରେ ବାପା !) ବହୁଦିନ ପରେ ପୁନର୍ବାର ଆପଣମାନଙ୍କ ସଙ୍ଗେ ମୁଲାକାତ, ଅର୍ଥାତ୍‌ ପତ୍ରିକା ପ୍ରସଙ୍ଗାତ୍‌ । କଥା ଅଛି, ‘‘ବତେଇ ଦିଏ ପରକୁ, ବୁଦ୍ଧି ନ ଆସେ ଘରକୁ ।’’ ଦାଣ୍ଡପିଣ୍ଡାରେ ବସି ସଦର ଦରକା ଜଗୁ ଜଗୁ ବାଡ଼ିଆଡ଼େ ଗୋରୁ ଗାଈ ପଶି କୋଶଳା କିଆରି ଖଣ୍ଡକ ସତ୍ୟାନାଶ କରି ସାରିଲେଣି; ଅର୍ଥାତ୍‌ ଦୁନିଆର ହାଲଚାଲ ଦେଖି ଗୋପିଆ ଭାଇ, ମଧୁଆ ଦାଦି, କଣ୍ଠିଆ ନନା, ଜଗା ଭାଇନା, ବିଶିଆ କକୈଙ୍କୁ ତିଆରୁ ତିଆରୁ ଓ ନନାଙ୍କ ବସ୍ତାନି ଫିଟାଇ ପରର ମାଛିଆପାତକ ପାଇଁ ବ୍ୟବସ୍ଥା କାଢ଼ୁ କାଢ଼ୁ ଆପଣା କାମ ଓ ମଣିଷପଣିଆ ଶେଷ ! ପୂର୍ବର ବଡ଼ବଡ଼ୁଆମାନେ ମଧ୍ୟ କହିଯାଇ ଅଛନ୍ତି, ‘‘ରାଜନ୍‌ ! ସର୍ଷପମାତ୍ରାଣି ପରଚ୍ଛିଦ୍ରାଣି ପଶ୍ୟସି, ଆତ୍ମନୋ ବିଲ୍ୱର ପାଣି ପଶ୍ୟନପି ନ ପଶ୍ୟସି’’ । ସାଧାରଣତଃ ଦେଖାଯାଏ ଯେ, ମନୁଷ୍ୟ ପରର ଦୋଷକୁ ଦେଖିବାକୁ ଯେଉଁ ଦର୍ଶନବଡ଼ା (Magnifying) ଚଷମା ବ୍ୟବହାର କରେ ଓ ଯେତେ କସରତ୍‌ କରେ, ନିଜର ଦୋଷ ଦେଖି ତାହା ସଂଶୋଧନ କରିବାକୁ ଯେବେ ତହିଁରୁ କଳାଏ ମାତ୍ର ଆୟାସ ସ୍ୱୀକାର କରୁଥାନ୍ତା, ତାହାହେଲେ ମନୁଷ୍ୟର କେତେ ଉନ୍ନତି ହେଉ ନ ଥାନ୍ତା ! ଆପେ ଅସମ୍ପୂର୍ଣ୍ଣ, କିନ୍ତୁ ପରର ଅସମ୍ପୂର୍ଣ୍ଣତା ଦେଖି ପର ପୁଅର ଠେଙ୍ଗୁରେ ଚୋଟେ ହାଣିଦେବାକୁ ମନୁଷ୍ୟ ଟିକିଏ ସୁଦ୍ଧା କୁଣ୍ଠିତ ହୁଏ ନାହିଁ । ଆପେ ପରଶ୍ରୀକାତର, ଆପେ ପରଧନଲୋଲୁପ, ଆପେ ସ୍ୱାର୍ଥପର, ଆପେ ଧର୍ମଧ୍ୱଜୀ, ଆପେ ପାପୀ, ଆପଣାର ଏ ବିକୃତିଗୁଡ଼ିକ ନିଜ ଆଖିରେ ପଡ଼େନାହିଁ; କିନ୍ତୁ ପର ପୁଅର ଟିକିଏ ହଲଚଲିଆ ଖୋଇ ଦେଖା ପଡ଼ିଲାକ୍ଷଣି ମନୁଷ୍ୟ ‘ପରୋପଦେଶେ ପାଣ୍ଡିତ୍ୟଂ’ ଜାହେର କରେ ! ଏହା ମନୁଷ୍ୟ ପ୍ରକୃତିର ଗୋଟିଏ ସ୍ୱୀକାର୍ଯ୍ୟ । ଲେଖକ ଖୋଦ ଏ ପ୍ରକୃତିସୁଲଭ ସ୍ୱୀକାର୍ଯ୍ୟରୁ ବହିର୍ଭୁତ ନୁହେଁ । ମୁଁ ନିଜେ ମଧ୍ୟ ଅନୁଭବ କଲିଣି ଯେ, ଯେଉଁ ଦୁର୍ଗୁଣଗୁଡ଼ାକ ପରପୁଅଙ୍କଠାରେ ଦେଖିଲାମାତ୍ରକେ ମୋ ମୁହଁ ଲେଫେଡ଼ି ହୋଇଯାଏ, ମୋଠାରେ ସେହିଗୁଡ଼ିକ ପୂର୍ଣ୍ଣମାତ୍ରାରେ ବିରାଜିତ । ତେବେ ପ୍ରଭେଦ ଏତିକି ଯେ, ସେମାନଙ୍କର ସ୍ୱରୂପ ଦାଣ୍ଡ ଲୋକେ ମତ୍‌ପ୍ରସାଦାତ୍‌ ଦେଖନ୍ତି, ମୋର ସ୍ୱରୂପକୁ ମୁଁ ଚୋଗା ଚପକନ୍‌ ତଳେ ଘୋଡ଼ାଇ ରଖି ସମାଜର ଉପଦେଶକ ଓ ଉପକାରକର ଆସନ ଓ ମର୍ଯ୍ୟାଦା ଲାଭ କରିବାକୁ ଉଚ୍ଛନ୍ନ ହେଉଥାଏ । ମନୁଷ୍ୟ ଯେତିକି ଏ ବିଷୟ ଦୃଢ଼ଭାବରେ ଚିନ୍ତା କରିବ, ସେତିକି କମ୍‌ ପରିଛିଦ୍ରାଦ୍ୱେଷୀ ପରଦୋଷବିଜ୍ଞାପକ ହେବ । ଆଉ ମଧ୍ୟ ମନୁଷ୍ୟପ୍ରକୃତିର ଆଉ ଗୋଟିଏ ଲକ୍ଷଣ ମୁଁ ନିଜ ଅନୁଭବରୁ ଠଉରାଇ ପାରିଅଛି । ବିଲାତର ଜଣେ ଖ୍ୟାତନାମା ଲେଖକ କହିଥିଲେ, ‘‘Critics are cut down poets’’ ଅର୍ଥାତ୍‌ ମୁଁ ନିଜେ ଯେଉଁ କାର୍ଯ୍ୟ ଲାଗି ଚେଷ୍ଟାକରି ସେଥିରେ ଅକୃତକାର୍ଯ୍ୟ ହୋଇ କଚଡ଼ା ଖାଇଅଛି, ଯେବେ ଅନ୍ୟ କେହି ସେହି କାର୍ଯ୍ୟରେ କୃତକାର୍ଯ୍ୟ ହେଲା କିମ୍ୱା ସେ କାର୍ଯ୍ୟରେ ହାତ ହେଲା, ତେବେ ତାହା ଦେଖି ମୋ ଦିହ ସହେନାହିଁ । ଏହାକୁ କହନ୍ତି ‘ପରଶ୍ରୀକାତରତା’ । ଏଥିର ଉପଯୁକ୍ତ ଉତ୍ତର :–‘‘କରେ ! ମୁଁ ଖାଉଥାଏଁ ମୋହର ପିଠା, ତୋର କିଆଁ ଦାନ୍ତନିକୁଟା ?’’ ଅର୍ଥାତ୍‌ ମୋ ବାଡ଼ିଖଣ୍ଡି ବୁଜିଦେବାକୁ ତୁ ରାତି ଦିନ ଅନିଦ୍ରା ହେଉଛୁ କାହିଁକି ରେ ? ମନୁଷ୍ୟ ଯେତିକି ଦୃଢ଼ଭାବରେ ଚିନ୍ତା କରିବ, ସେତିକି କମ୍‌ ପରଶ୍ରୀକାତର ହେବ !

 

ପାଠକମାନେ ଏ କୈଫିୟତ୍‌ ଦେଖି ମନେ ମନେ ବିଚାରୁଥିବେ, ‘‘ଲୋକଟାର ଆଜି ଏତେ ସଫିଆନା କାହିଁକି ? ଆଜି ଏ ପୋଖତବୈରାଗ୍ୟ କିଆଁ ?’’ ଅତଏବ ଏଥିଲାଗି ବୁଝକ ଫରଦ ଆପଣମାନଙ୍କ ନିକଟରେ ଉପସ୍ଥାପିତ କରିବା କର୍ତ୍ତବ୍ୟ । ‘‘ନନାଙ୍କ ବସ୍ତାନି’’ରୁ ଶେଷ ବିଡ଼ାଟା ବାହାର କରି ତହିଁରେ ଟୀକାଟିପଣୀ ଖଞ୍ଜି ସମ୍ପାଦକଙ୍କ ନିକଟରେ ଦାଖଲ କରିବାରୁ ସମ୍ପାଦକ ମହାଶୟ ସେ ବିଡ଼ାଟି ଉଆପସ ଘେନି ମୋ ନିକଟରେ ପହଞ୍ଚିଲେ । ସ୍ପଷ୍ଟ କଥା କହିଲେ ଜଣେ ଲାଗୁଆ ଲେଖକ ଖସିଲେ, ଏଣେ ସେ ବିଡ଼ାଟି ପତ୍ରିକାରେ ପ୍ରକାଶ କଲେ ପଞ୍ଝାଏ ଗ୍ରାହକ ଚଲ ! ଅତଏବ ପ୍ରବୀଣ ସମ୍ପାଦକ ମହାଶୟ ଲହ ଲହକା ଭାବଭଙ୍ଗୀରେ କଥାଟାକୁ ମୋଡ଼ିମାଡ଼ି ଲେଖକ ହାତରେ ସେ ବିଡ଼ାଟି ଗୁଞ୍ଜି ଦେଇ ଚାଲିଗଲେ, କହିଗଲେ, ‘‘ଲେଖାଟି ଅତି ଉତ୍ତମ ଓ ଉପାଦେୟ ହୋଇଥିଲା, ପରନ୍ତୁ ଏଁ ଏଁ–’’ ଅର୍ଥାତ୍‌ ଦରଖାସ୍ତ ନାମଞ୍ଜୁର ! ଆମେ ଆଧ୍ୟ ନିତାନ୍ତ ଆଠମାସିଆ ନୋହୁଁ, ଆମେ ବୁଝିନେଲୁଁ ଯେ, ଆମର ‘‘ଅତି ଲେମ୍ୱୁ ଚିପୁଡ଼ା’ ରସରେ ଖୋଦ ସମ୍ପାଦକଙ୍କ ପାଟି ମଧ୍ୟ ପିତୁଳିଆ ହେଲାଣି । ଅନୁଭବରେ ଦେଖାଯାଏ ଯେ, ଅବାରିତ ଗତିରେ ଗୋଟିଏ ସୁଅ ବହୁଅଛି, ସେ ସୁଅରେ ମହାଦ୍ରୁମ ପର୍ଯ୍ୟନ୍ତ ବହି ଯାଉଅଛନ୍ତି, କିନ୍ତୁ ସୁଅ ମୁହଁରେ ଓ ସୁଅର ଯିବା ବାଟରେ ଖଣ୍ଡେ ବଡ଼ ବାଲିଗରଡ଼ା ହାବୁଡ଼ି ଗଲାରୁ ତର୍ଜନ, ଗର୍ଜନ, ଗତି ପରିବର୍ତ୍ତନ ଆଦି ହରେକ କିସମର ପ୍ରତିଘାତର କୀର୍ତ୍ତନ ଲାଗେ । ସମ୍ପାଦକଙ୍କଠାରୁ ଏପରି ସୁଲସୁଲିଆ କଡ଼ବାଗିଆ ଡିହ ପାଇବା ଲେଖକର ଏହା ସର୍ବପ୍ରଥମ ଅନୁଭବ । ଏହି ଅନୁଭବରେ ସର୍ବପ୍ରଥମେ କିଛି ପ୍ରତିଘାତ– ତର୍ଜନ ଗର୍ଜନ ହୋଇଗଲା, ତା ପରେ ମାନ ଅଭିମାନ, ତତ୍‌ପରେ ଗୁମ୍‌ସୁମ୍‌, ପରିଶେଷରେ ଚକ୍ଷୁରୁନ୍ମୀଳନ ଓ ଫଳତଃ ଗତି ପରିବର୍ତ୍ତନ ହେଲା । ବିଚାରିଲି, ସମ୍ପାଦକଙ୍କୁ ଅଭିମାନ କରି ପେଶା ଓ ପସାର ବୁଡ଼ାଇବାଟା ‘ଖପରାରେ ଖାଇବା’ ନ୍ୟାୟ ହେବ । ଲେଖକର ଧାରଣା ଥିଲା ଯେ, ତାକୁ ଅନୁସରଣ ନ କଲେ ଓ ତାକୁ ପ୍ରସନ୍ନ ନ କରାଇଲେ ପତ୍ରିକାର ଦିନ ସରିବ ନାହିଁ ଓ ତା ଫାଉଣ୍ଟେନ ପେନ (ଧାରାଶ୍ରାବଣୀ ଲେଖନୀ) ପ୍ରବନ୍ଧ ପ୍ରସବ ନ କଲେ ଉତ୍କଳ ଧାରା ନିରାଧାରା ହେବ, ଉଡ଼୍ର-ସରସ୍ୱତୀ ନିରାଲମ୍ୱା ହୋଇଯିବେ, ଉତ୍କଳର ସାହିତ୍ୟ ସଂସାର ଉଚ୍ଛନ୍ନ ହୋଇଯିବ; କିନ୍ତୁ ଗତ ଦୁଇ ତିନି ସଂଖ୍ୟା ‘ସାହିତ୍ୟ’ରେ ଲେଖକଙ୍କ ନାମ ‘ପାଞ୍ଜିପୋଛ’ ହୋଇଯିବା ଅନୁଭବରୁ ଲେଖକ ବୁଝିପାରିଲା ଯେ, ତାହା ଯୋଗୁଁ କି ସାହିତ୍ୟର, କି ସମାଜର, କି ଦେଶର, କି ଗ୍ରାମର, କି ଜାତିର, କି ମାଧିଆ ଭାଇର କୌଣସି ଘରକାମ କିମ୍ୱା ଦାଣ୍ଡ ମାମଲାତ ଅଚଳ ହୋଇ ରହିବ ନାହିଁ । ଲାଭ ହେବ କେବଳ ‘ତସ୍ୟୈବ ଗଣ୍ଡଯୁଗମଣ୍ଡନ ହାନିରେଷା’ । ଯେ ହେଉ ଏହା ହେବାଦ୍ୱାରା ସମ୍ପାଦକ ବେକସୁର ଖଲାସ, ଲେଖକର ମଧ୍ୟ ଆଖିରେ ଗତ ୧୦।୧୨ ବର୍ଷ ମଧ୍ୟରେ ଯାଇଥିବା ଗୋଟାଏ ବହଳିଆ ମୋତିଆବିନ୍ଦୁ ଖସି ପଡ଼ିଗଲା । ମୁଁ ଦେଖିପାରିଲି ଯେ, ଦୁନିଆର ହାଲଚାଲ ଦେଖିବା ମନୁଷ୍ୟତା ନୁହେଁ । ନିଜ ଘର ହାଲଚାଲ ଦେଖି ନିଜ ବାଡ଼ ବୁଜିବା ମନୁଷ୍ୟତା ।

 

ଆଜି ଏ ଲେଖାର ଶିରୋନାମାରେ ଲେଖାଥିବା ଦୁଇପଦ କଥା ନିମନ୍ତେ ପାଠକମାନଙ୍କ ହଜୁରରେ ଏତକ ଅବତରଣିକା ଅର୍ଥାତ୍‌ ବୁଝଟ ଫରଦ ।

 

ଅତଏବ ଏ ପ୍ରସଙ୍ଗରେ ଲେଖକର ପାଠକମାନଙ୍କ ନିକଟରେ ଏତିକି ବକ୍ତବ୍ୟ ଯେ, ଯେଉଁ ଦୁର୍ଗୁଣ ଓ ମାନସିକ ବୃତ୍ତିଗୁଡ଼ାକ ମନୁଷ୍ୟ ପ୍ରକୃତିସୁଲଭ, ସେଗୁଡ଼ିକ ମୋଠାରେ ଅଛି, ଅନ୍ୟମାନଙ୍କଠାରେ ମଧ୍ୟ ଥିବା ସ୍ୱାଭାବିକ । ଏପରି ସ୍ଥଳରେ ସେଗୁଡ଼ିକ ସମ୍ମାର୍ଜନା କରିବା ନିମନ୍ତେ ସେଥିର ଆଲୋଚନା, କାରଣ ନିର୍ଦ୍ଦେଶ ଓ ପ୍ରତିକାରାନ୍ୱେଷଣ କରିବାକୁ ହେବ । ମୁଁ ନିଜେ ମୋର ଦୁର୍ଗୁଣଗୁଡ଼ିକ ସଂଶୋଧନ କରିବାକୁ ଚେଷ୍ଟାକଲେ ତଦ୍ଦ୍ୱାରା ଯେବେ ମୋ ଚକ୍ଷୁ ଫିଟିବା ସଙ୍ଗେ ସଙ୍ଗେ ମୋ ଶ୍ରେଣୀର ସମଦଶାପନ୍ନ ଅନ୍ୟ ବ୍ୟକ୍ତିମାନଙ୍କର ନିଜ ନିଜର ଦୁର୍ଗୁଣ ପ୍ରତି ଦୃଷ୍ଟି ପଡ଼େ ଓ ଫଳତଃ ସେମାନଙ୍କର ଚରିତ୍ର ଓ ପ୍ରକୃତି ସଂଶୋଧିତ ହୁଏ, ତାହାହେଲେ ଏ କାର୍ଯ୍ୟଦ୍ୱାରା ଉଭୟତ୍ର ଲାଭ ଓ ସମାଜର ମଙ୍ଗଳ । ‘‘ମୋର ଏ ଦୋଷ ଅଛି’’ ମନୁଷ୍ୟ ମନରେ ଏବଂ ଭୂତ ଉପଲବ୍‌ଧି ଆରମ୍ଭ ହେଲେ ‘‘ଏ ଦୋଷଗୁଡ଼ିକ ସଂଶୋଧନ କରିବା ଆବଶ୍ୟକ’’ ଏପରି କର୍ତ୍ତବ୍ୟପରାୟଣତା ସ୍ୱତଃ ମନରେ ଜାଗରୁକ ହୁଏ ଓ ଏହି ଜାଗରଣ ସଙ୍ଗେ ସଙ୍ଗେ ଚରିତ୍ର ସଂଶୋଧନ-କ୍ରିୟା ମଧ୍ୟ ଶନୈଃ ଶନୈଃ ସମ୍ପାଦିତ ହୋଇଯାଏ । ଅତଏବ ଏ ପ୍ରସଙ୍ଗରେ ଯେଉଁ ଦୋଷ ଓ ଗୁଣମାନ ଆଲୋଚିତ ହେବ, ତାହା ସବୁ ମୋର ନିଜ ଅନୁଭବସିଦ୍ଧ ଏବଂ ସେଗୁଡ଼ିକ ସାଧାରଣରେ ପ୍ରକାଶ କରିବା ଦ୍ୱାରା ମୁଁ ‘ଶିକ୍ଷକ’ର ଉଚ୍ଚ ସ୍ଥାନ ଅଧିକାର କରିବାକୁ ପ୍ରୟାସୀ ନ ହୋଇ ‘ଅନୁତପ୍ତ ଅପରାଧୀ’ର ସ୍ଥାନ ନତମସ୍ତକରେ ଗ୍ରହଣ କରୁଅଛି ।

 

ମନୁଷ୍ୟର କେତେଗୁଡ଼ିଏ ପଶୁ ପ୍ରକୃତି ଅଛି ଅର୍ଥାତ ସେ ସବୁ ପ୍ରକୃତି ସମ୍ୱନ୍ଧରେ ମନୁଷ୍ୟ ପଶୁ ସଙ୍ଗେ ସମାନ; କିନ୍ତୁ ଈଶ୍ୱର ମନୁଷ୍ୟକୁ ଯେଉଁ ବିବେକ, ଜ୍ଞାନ, ସତ୍‌ସାହସ, ସତ୍‌ପ୍ରତିଜ୍ଞା ଆଦି ଦେଇଅଛନ୍ତି, ତଦ୍ଦ୍ୱାରା ମନୁଷ୍ୟ ସେହି ପାଶବିକ ପ୍ରକୃତି ଓ ରିପୁମାନଙ୍କୁ ଦମନ କରି ନୈତିକ ଯୁଦ୍ଧରେ ଜୟୀ ହୋଇ ନିଜର ମନୁଷ୍ୟତାକୁ ବଜାୟ ରଖିପାରେ । ଏହି କ୍ଷମତା ଯୋଗୁଁ ମନୁଷ୍ୟ ପଶୁଠାରୁ ଉନ୍ନତ ।

 

ନିଜର, ନିଜ ଘରର, ନିଜ ସମାଜର, ନିଜ ଜାତିର ଦୋଷଗୁଡ଼ିକ ସରଳଭାବରେ ଆଲୋଚନା କରିବା ନିମନ୍ତେ ‘‘ଆମେ ଘରର ହାଲଚାଲ’’ର ପ୍ରସ୍ତାବନା ।

 

୧।। ଦେଖାଯାଏ ଯେ, ମନୁଷ୍ୟ ଅଧିକାଂଶ ସ୍ଥଳରେ କର୍ତ୍ତବ୍ୟ କାର୍ଯ୍ୟ କରିବାରେ ତ୍ରୁଟି କରିଥିବାର ଦେଖାଗଲେ ଓ ତହିଁ ନିମନ୍ତେ ତାକୁ କୈଫିୟତ ପଚରାଗଲେ ସେ କହେ, ଅମୁକ କାର୍ଯ୍ୟରେ ମୋର ଚାରା ନ ଥିଲା, ଅମୁକ କାର୍ଯ୍ୟ ମୁଁ ନାଚାର ହୋଇ କଲି । କିନ୍ତୁ ଯେବେ ମନୁଷ୍ୟ ଏପରି ସ୍ଥଳରେ ବିବେକ ଓ ଭଗବାନଙ୍କୁ ସାକ୍ଷୀ ରଖି ସେ କାର୍ଯ୍ୟର କାରଣ ଅନୁସନ୍ଧାନରେ ପ୍ରବୃତ୍ତ ହୁଏ, ତେବେ ଦେଖିପାରିବ ଯେ, ଯାହା ସେ ନାଚାର ହୋଇ, ବାଧ୍ୟ ହେଇ, ଅନନ୍ୟୋପାୟ ହୋଇ କଲା ବୋଲି ବିଚାରେ କିମ୍ୱା ପ୍ରକାଶ କରେ, ସେ କାର୍ଯ୍ୟ ନିମନ୍ତେ ସେ ନିଜେ ଦାୟୀ । ‘‘ମୋ ନାଚାରିରେ ଅମୁକ କାର୍ଯ୍ୟ ହୋଇଗଲା, ମୁଁ ଅକଳରେ ପଡ଼ି ଏ କାର୍ଯ୍ୟଟା କରି ପକାଇଲି’’ ଏସବୁ କେବଳ ମନଭୁଲା ଓ ଲୋକଫୁସୁଲା କଥା । ଅଧିକାଂଶ ସ୍ଥଳରେ ଦେଖାଯାଏ ଯେ, ନିଜର କର୍ତ୍ତବ୍ୟ କାର୍ଯ୍ୟର ତ୍ରୁଟି ନିମନ୍ତେ ମନୁଷ୍ୟ ନିଜେ ଦାୟୀ । ମନୁଷ୍ୟର ଦୃଢ଼ କର୍ତ୍ତବ୍ୟଜ୍ଞାନ ଥିଲେ ଓ ଦୃଢ଼ସଙ୍କଳ୍ପ ଥିଲେ ସେ କଦାପି କର୍ତ୍ତବ୍ୟ କାର୍ଯ୍ୟରେ ତ୍ରୁଟି କରିବ ନାହିଁ କିମ୍ୱା ସାପ ମାରି ପର ଗଳାରେ ପକାଇବ ନାହିଁ । ଏହିପରି ମଧ୍ୟ ଦେଖାଯାଏ ଯେ, ଅଧିକାଂଶ ସ୍ଥଳରେ ‘ସମୟର ଅଭାବ’ ଯୋଗୁଁ ଅମୁକ କାର୍ଯ୍ୟ ହୋଇପାରିଲା ନାହିଁ ବୋଲି ଆମ୍ଭେମାନେ ଯେଉଁ କୈଫିୟତ ଦେଇଥାଉଁ, ତାହା ଅମୂଳକ ଅଟେ । ମନୁଷ୍ୟର ଦୃଢ଼ତା ଓ ନିଷ୍ଠା ଥିଲେ କାର୍ଯ୍ୟ କରିବା ନିମନ୍ତେ ତାକୁ ସମୟର ଅଭାବ ପଡ଼ିବ ନାହିଁ । ବ୍ୟବସାୟ ବୋଲ, ସରକାରୀ କାର୍ଯ୍ୟ ବୋଲ, ଚାକିରି ବୋଲ, ଏ ସବୁ କ୍ଷେତ୍ରରେ ଆମ୍ଭମାନେ ଦେଖିଥାଇଁ ଯେ, ପରିଶ୍ରମୀ ଓ ନିଷ୍ଠାପର ଲୋକ ନିଜର ବ୍ୟବସାୟ ସମ୍ପର୍କୀୟ କାର୍ଯ୍ୟ ଅଥବା ଜୀବିକା ନିର୍ବାହ କରିସାରି ଅନ୍ୟାନ୍ୟ ଅନେକ କାର୍ଯ୍ୟ କରିବାକୁ ଅନେକ ସମୟ ପାଏ ।

 

ସ୍ୱର୍ଗୀୟ ଶ୍ରୀଯୁକ୍ତ ରମେଶଚନ୍ଦ୍ର ଦତ୍ତ ସି. ଆଇ. ଇଙ୍କ ଜୀବନଚରିତ ପାଠ କରୁଥିଲି । ସେଥିରେ ଦେଖିଲି, ସେ ଉଚ୍ଚ ସରକାରୀ କାର୍ଯ୍ୟ ଓ କଠୋର ଶାସନ କାର୍ଯ୍ୟରେ ଅହର୍ନିଶ ବ୍ୟାପୃତ ଥାଇ ସୁଦ୍ଧା ବହୁ ଗବେଷଣାପୂର୍ଣ୍ଣ ବୃହତ୍‌ ବୃହତ୍‌ ସାହିତ୍ୟିକ ବ୍ୟାପାର ସମାଧାନ କରିବାକୁ ସମୟ ପାଇଥିଲେ । ତାଙ୍କ କୃତ ଋଗ୍‍ବେଦର ଅନୁବାଦ, ରାମାୟଣ ଓ ମହାଭାରତର ଅନୁବାଦ, ଭାରତ ବର୍ଷର ଇତିହାସ ଏଥିର ଜ୍ୱଳନ୍ତ ଉଦାହରଣ ଅଟେ । କେବଳ ରମେଶଚନ୍ଦ୍ର କାହିଁକି ? ପୃଥିବୀର ମହାପୁରୁଷମାନଙ୍କ ଜୀବନ ପର୍ଯ୍ୟାଲୋଚନା କଲେ ଆମ୍ଭେମାନେ ଦେଖିପାରିବା ଯେ, ସମୟର ଓ ଶକ୍ତିର ସଦ୍‌ବ୍ୟବହାର କରିବା ଦ୍ୱାରା ସେମାନେ ଦେଶର, ସମାଜର ଓ ଜାତିର ମହୋପକାର ସାଧନ କରି ଯାଇଅଛନ୍ତି ଓ ପ୍ରଚଣ୍ଡ ସଦନୁଷ୍ଠାନମାନ ସମାଧାନ କରିପାରି ଅଛନ୍ତି । ମୁଁ ମଧ୍ୟ ନିଜର କ୍ଷୁଦ୍ର ଅନୁଭବରେ ଦେଖି ପାରିଅଛି ଯେ, ଯେତେବେଳେ ମୁଁ ମୋର ବ୍ୟାବହାରିକ ବ୍ୟବସାୟ (Profession)ରେ ବିଶେଷଭାବରେ ବ୍ୟସ୍ତ ଥାଏଁ ଅର୍ଥାତ୍‌ ଚଳନ୍ତି କଥାରେ ଯାହାକୁ କହନ୍ତି ମରିବାକୁ ତର ନ ଥାଏ, ସେହି ସମୟରେ ଅନ୍ୟାନ୍ୟ କାର୍ଯ୍ୟ (ସାହିତ୍ୟ ଚର୍ଚ୍ଚା, ପଠନ, ଲିଖନ ଆଦି) ସମଧା କରିବାକୁ ମୁଁ ଅବସର ପାଇଥାଏ,’’ ଅଥଚ ଯେତେବେଳେ ନିଷ୍କର୍ମା ହୋଇ ବସିଥାଏ, ସେତେବେଳେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ ନ କରି ଆଳସ୍ୟରେ ସମୟ ନଷ୍ଟ କରିଥାଏ । ଆମ୍ଭମାନଙ୍କର ଧାରଣା ଅଛି ଯେ, କୌଣସି କାର୍ଯ୍ୟରେ ବିଶେଷ ବ୍ୟସ୍ତ (busy) ହୋଇ ମନ ଖରାପ ହୋଇଗଲେ କାର୍ଯ୍ୟରେ ମନ ଲାଗେ ନାହିଁ ଓ ତତ୍‍ପରେ କେତେ ସମୟ ଆଳସ୍ୟ (ବିଶ୍ରାମ)ରେ ନ କଟାଇଲେ ପୁନର୍ବାର ମନ କାର୍ଯ୍ୟ କରିବାକୁ ଅଗ୍ରସର ହୁଏ ନାହିଁ । କିନ୍ତୁ ଫଳତଃ ଦେଖାଯାଏ ଯେ, ଏକ କାର୍ଯ୍ୟରୁ ବିଶ୍ରାମ ନେବାକୁ ହେଲେ ଏକଦମ୍‌ ଆଳସ୍ୟରେ ଗୁମସୁମ ନ ରହି କାର୍ଯ୍ୟାନ୍ତରରେ ଲାଗିଗଲେ ତାହା ମଧ୍ୟ ବିଶ୍ରାମ ତୁଲ୍ୟ ଫଳଦାୟକ ହୁଏ ଓ ଏହି ପରିବର୍ତ୍ତନ କିମ୍ୱା କାର୍ଯ୍ୟାନ୍ତର ପରେ ପୂର୍ବବର୍ତ୍ତୀ କାର୍ଯ୍ୟ କରିବାକୁ ମନ ଲାଗେ । ଆମ୍ଭେମାନେ ଯେତେ ସମୟ ଆଳସ୍ୟ କିମ୍ୱା ଜଡ଼ତାରେ ଅପବ୍ୟୟ କରୁଁ, ସେହି ସମୟତକ ଯେବେ ନିଜ ନିଜର ପ୍ରକୃତ ଅନୁକୂଳ ଅଥଚ ମଙ୍ଗଳକର କାର୍ଯ୍ୟରେ ନିୟୋଗ କରୁଥାନ୍ତି, ତାହାହେଲେ ଅଭାବନୀୟ କାର୍ଯ୍ୟମାନ ସମଧା କରିବାକୁ ସମର୍ଥ ହେଉଥାନ୍ତୁ । ଏହା ବୋଲି ଯେ ପ୍ରକୃତରେ କେତେକ ସ୍ଥଳରେ କୌଣସି କାର୍ଯ୍ୟ କରିବାକୁ ସମୟର ଅଭାବ ନ ଘଟେ, ମୁଁ ତାହା କହୁନାହିଁ । କିନ୍ତୁ ଆମ୍ଭେମାନେ ‘ସମୟାଭାବ’ର ଦୋହି ଦେଇ ଯେତେ କାର୍ଯ୍ୟ ନ କରୁଁ, ପ୍ରକୃତରେ ନିଜ ନିଜର ଜୀବିକା ନିର୍ବାହ କରିସାରି ଆମ୍ଭେମାନେ ଯେଉଁ ଅବସର ପାଉଁ, ସେହି ଅବସରର ସଦ୍‍ବ୍ୟବହାର କରୁଥିଲେ ଆମ୍ଭେମାନେ ଅନେକ କାର୍ଯ୍ୟ କରି ପାରୁଥାନ୍ତୁ ଓ ନାନା ଉପାୟରେ ଦେଶର ଓ ସମାଜର ଓ ନିଜର ମଙ୍ଗଳଜନକ କାର୍ଯ୍ୟ କରିବାକୁ ସମର୍ଥ ହେଉଥାନ୍ତୁ । ଇଂରାଜୀ ଜାତି, ଜାପାନୀ ଜାତି, ଆମେରିକା ଓ ଅନ୍ୟ ଉନ୍ନତ ଜାତିମାନେ ଏତେ ଉନ୍ନତ କାହିଁକି ? ଏଥିରେ ଏକମାତ୍ର ଉତ୍ତର ଏହିକି, ସେମାନେ ସମୟର ଓ ଅବସରର ସଦ୍‌ବ୍ୟବହାର କରିବାକୁ ଶିଖିଅଛନ୍ତି । ଯେଉଁ ସମୟ ମୁଁ ନିଷ୍କର୍ମା ହୋଇ ବୃଥା ଗଳ୍ପ, ପଶା, ତାସ ଖେଳ, ଆହାରାନ୍ତ ଚିଆଁ-ପହଡ଼ରେ କଟାଇଅଛି, ସେହି ସମୟରେ ଯେବେ ମୁଁ କୌଣସି ଲୋକହିତକର (Useful) କାର୍ଯ୍ୟ କରିଥାନ୍ତି, ତାହାହେଲେ ଆଜି ମୁଁ କେତେ ବାଟରେ ସମାଜର ଉପକାର ଓ ନିଜର ମାନସିକ ଉନ୍ନତି କରିପାରି ନଥାନ୍ତି ? ମନୁଷ୍ୟ ଓ ପଶୁ ମଧ୍ୟରେ ପ୍ରଭେଦ ଚିନ୍ତାଶୀଳତା ଓ ବିବେକାନୁଧାବନ କରିବାର ଶକ୍ତି । ପଶୁର ଜୀବନ କାର୍ଯ୍ୟର ଜୀବନ, ମନୁଷ୍ୟର ଜୀବନ ମଧ୍ୟ ତାହା; କିନ୍ତୁ ପଶୁ ପଛକୁ ଦୃଷ୍ଟି କରିପାରେ ନାହିଁ, ମନୁଷ୍ୟ ତାହା କରିପାରେ; ନିଜ ଜୀବନର ପୂର୍ବବର୍ତ୍ତୀ ଘଟନାମାନଙ୍କ ପ୍ରତି ଦୃଷ୍ଟି ପକାଇ ଗତ ଅନୁଭବରୁ ବିଗତ ତ୍ରୁଟିମାନ ଉପଲବ୍‌ଧି କରି ସେହି ଶିକ୍ଷାଦ୍ୱାରା ନିଜର ଭବିଷ୍ୟତ ଜୀବନ ଓ କାର୍ଯ୍ୟପ୍ରଣାଳୀ ଗଠନ କରିନାହିଁ ମନୁଷ୍ୟତା । ‘‘ଠିକି ଶିଖିବାକୁ’’ ଭାବି ପାରି ନାହିଁ ମନୁଷ୍ୟତା ! ମୋ ପକ୍ଷରେ ଯାହା ସତ୍ୟ, ଯାହା କରଣୀୟ, ତୁମ ପକ୍ଷରେ ମଧ୍ୟ ତାହା, ସମାଜ ପକ୍ଷରେ, ଜାତି ପକ୍ଷରେ ମଧ୍ୟ ସେହିତା । ଯେଉଁ ଜାତିର ଲୋକେ ସମୟର ଓ ଅବସରର ଯେତିକି ସଦ୍‌ବ୍ୟବହାର କରିବାକୁ ଶିଖିଅଛନ୍ତି, ସେହି ଜାତି ସେତିକି ପରିମାଣରେ ସଭ୍ୟ ଓ ଉନ୍ନତ । ଯେଉଁ ଜାତିର ଲୋକେ ଉଦରାନ୍ନ ସଂସ୍ଥାନ ନିମନ୍ତେ ଯେତିକି ଆୟୋଜନ ଶକ୍ତି ଓ ଆୟାସ ଅତ୍ୟାବଶ୍ୟକ, ସେତିକି ସାଙ୍ଗ କରି ଅବଶିଷ୍ଟ ସମୟ ଓ ଶକ୍ତିକୁ ବୃଥାରେ ନଷ୍ଟ କରନ୍ତି, ସେହି ଜାତି ସେତିକି ଅବନତ ଓ ଅସଭ୍ୟ ।

 

ଆଜି ଆମ ଘରର ହାଲ୍‍ଚାଲ୍‍ରୁ ଏହି ପଦକ ।

 

(୨୧ଭାଗ । ୧୩୨୪ । ୧ମ ସଂଖ୍ୟା)

 

ଏ ସଂସାରଟା ଶିକ୍ଷାର ସ୍ଥଳ– ମନୁଷ୍ୟର ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ତା ଜୀବନଟା ଶିକ୍ଷାରେ ବିତିଯାଏ । ଖଡ଼ି ଧରିବାର ବହୁ ପୂର୍ବରୁ ଶିଶୁର ଶିକ୍ଷା ଆରମ୍ଭ ହୋଇଥାଏ ଓ ବିଦ୍ୟାଳୟ ଛାଡ଼ିବାର ବହୁକାଳ ପରେ ସୁଦ୍ଧା ମନୁଷ୍ୟର ଶିକ୍ଷା ଶେଷ ହୋଇ ନ ଥାଏ । ଯେବେ ମନୁଷ୍ୟ କେବଳ ବିଦ୍ୟାଳୟରେ ପାଇଥିବା ଶିକ୍ଷା ଛଡ଼ା ଅନ୍ୟ ଶିକ୍ଷା ପାଉ ନ ଥାନ୍ତା ଓ ବିଦ୍ୟାଳୟର ଶିକ୍ଷାକୁ ଏକମାତ୍ର ସମ୍ୱଳ କରି ସଂସାରରେ ପଶୁଥାନ୍ତା, ତାହାହେଲେ ପଦେ ପଦେ ଠୋକର ଖାଇ ଛୋଟା ହୋଇ ଯାଉଥାନ୍ତା, ଦିନଯାକ ମାଡ଼ ଖାଇ ଖାଇ ଗୟାଁ ହେଉଥାନ୍ତା । ଏଥିପାଇଁ ଏ ସଂସାରରେ ଖାଲି ପୋ ପାଠୁଆଙ୍କର ଆଦର ବା ଉନ୍ନତ ନଦାରଦ, କହିଲେ ଚଳେ । ଯେଉଁ ଲୋକ ‘ପାଠ’ ସଙ୍ଗେ ଯେତିକି ‘ସାଠ’ ମିଶାଇ ଦୁନିଆରେ ଚଳ ବିଚଳ ହୁଏ, ତାହାର ସେତିକି ଉନ୍ନତି ଓ ସେ ସଂସାରର ଧକ୍‌କା ସେତିକି ସମ୍ଭାଳିବାକୁ ସମର୍ଥ ହୁଏ । ଏ ‘ସାଠ’ଟା ସଂସାରର ନିଜସ୍ୱ– ଇସ୍କୁଲ ପାଠ୍ୟପୁସ୍ତକରେ ଏ ‘ସାଠ’ ଟା ବେଶି ନ ଥାଏ । ପୋଥି ପାଠ ପଢ଼ି ଯେ ବିଦ୍ୱାନ୍‌ ହୁଏ, ସେ ‘ପାଠୁଆ’ (Theoretical) ନାମଧାରୀ ହୁଏ । ତାକୁ ଇଂରାଜୀରେ ‘Book worm’ (ବହିର ପୋକ) ବୋଲାଯାଏ । କିନ୍ତୁ ସେ ‘ପାଠ’ ସଙ୍ଗେ ଯେ ‘ସାଠ’ ମିଶାଇ କାମରେ ପାଠ ସାଠ ଉଭୟଙ୍କୁ ଲଗାଏ, ସେ ହୁଏ ‘ସଂସାରୀ’ (Practical) । ତାକୁ ଇଂରାଜୀରେ କହନ୍ତି, Worldlywise ବା ବିଷୟୀ । ପ୍ରଥମରେ ଯେତେବେଳେ ମୁଁ ପାଠ୍ୟାବସ୍ଥା ଛାଡ଼ି ସଂସାରରେ ପଶିଲି, ସେତେବେଳେ ମନରେ ବିଚାରିଥିଲି ଯେ, ଆଲମାରିକୁ ଆଲମାରି ବହି ପଢ଼ି ମୁଁ ଯେଉଁ ଇଲମ ହାସଲ କରିଅଛି, ସେହି ଇଲମ ବଳରେ ଏ ଦୁନିଆଟା ଟପିଯିବି । କିନ୍ତୁ ସଂସାରରେ ପଶି ଦେଖିଲି ଯେ, ପୋଥିପାଠଗୁଡ଼ାକ କିମିତି କିମିତି ଅଡ଼ୁଆ ତଡ଼ୁଆ ହେଲା ଭଳି ଜଣା ପଡ଼ିଲା । ପାଠ ଡାକିଲା, ‘‘ସତ୍ୟଂ ବ୍ରୂୟାତ୍‌’– ସଂସାରର ସାଠ ଡାକିଲା, ‘‘ପ୍ରିୟଂ ବ୍ରୁୟାତ୍‌ । ନବୂୟାତ୍‌ ସତ୍ୟମ ପ୍ରିୟଂ ।’’ ଯେବେ ସତ୍ୟମ ପ୍ରିୟଂ ବ୍ରୂୟାତ୍‌ । ତେବେ ତୁମ କପାଳରେ ଧକ୍‌କାଟିଏ, ବିଧାଟିଏ, ଚାପୁଡ଼ାଟାଏ ଥୁଆ, ଏଥିକି କିଏ କଣ କରିବ ରେ ବାପା ! ତୁମେ ପ୍ରିୟଂ ବ୍ରୂୟାତ୍‌’ ନ କରିବ, ଏଣେ ଧକ୍‍କାକୁ ଡରିବ, ଏପରି ହେଲେ ଚଳିବ କିଆଁ ? ଗୋଟିଏ ସାଠର ଉଦାହରଣ ଦେଲି । ସଂସାରରେ ପଶିଲେ ଦୁନିଆରେ ଘର କଲେ ଏହିପରି ଅନେକ ‘ସାଠ’ ହାବୁଡ଼ରେ ପଡ଼ିଯାଏ । ସେହି ସାଠଗୁଡ଼ିକ ଆୟତ୍ତ କରି ପାରିଲେ ଓ ପାଠ ସଙ୍ଗେ ସାଠକୁ ଲଗାଇ ପାରିଲେ ମନୁଷ୍ୟ ଏ ସଂସାରର ହଂସାଉଡ଼ା ଦାଉକୁ ସମ୍ଭାଳିବାକୁ ସମର୍ଥ ହୁଏ । ଏହି ସାଠ ଶିଖୁ ଶିଖୁ ‘କଳିଷଠା’ ତହବିଲରୁ ମୋର ବାରଅଣା ବଏ ସରିଲାଣି । ରେସମ ବେପାରରୁ ଆସି ଝୋଟ ବେପାରରେ ରହିଲାଣି, ତଥାପି ଏ ‘ସାଠ’ ଶିକ୍ଷା ସାଙ୍ଗ ହେଲା ନାହିଁ । ମନେ ମନେ ବିଚାରୁଛି ଯେ, ଏ ଶିକ୍ଷା ବାଲିଶଯ୍ୟା ପର୍ଯ୍ୟନ୍ତ ଲାଗିଥିବା ସଂସାରରେ ଯେଉଁ ଇଲାକାକୁ ନିରେଖି କରି ଦେଖ, ଦେଖିବ ଯେ, ସବୁ ଇଲକାରେ ଏ ‘ସାଠ’ ର କରାମତ ଜାହେର । ସରକାରୀ ଆଇନବହିର ‘ପାଠ’ ଡାକିଲା, ଅମୁକ ଦରଖାସ୍ତ ଖଣ୍ଡ ଦେବାକୁ ହେଲେ କିମ୍ବା ଅମୁକ ମକଦ୍ଦମା ଦାଏର କଲେ, ଏତେକର କୋଟଫିସ୍‍ ଦେବାକୁ ହେବ କିନ୍ତୁ ସରଜମିନରେ କଚେରି ପିଣ୍ଡାରେ ପହଞ୍ଚି ଦେଖିଲା ବେଳକୁ ଏ ‘ପାଠ’ ଲିଖିତ କଉଡ଼ି ଉପରେ କଚିରିଆ ସାଠ ଲିଖିତ ଅଣ୍ଟାଗୁଞ୍ଜା, ବାଜେ ଖରଚ, ଓକିଲ ମୁକ୍ତାରଙ୍କ ପୁରସ୍କାର; ବକ୍‌ସିସ୍‌, ଲେଖାଇ ମେହନ୍ତନା, ରୋଜିନା, ମାପୁଆରି, ସାଲିଆନା ତଦବିର ଖରଚା, ରୋସମ ଇତ୍ୟାଦି ଖରଚ କରି ନ ପାରିଲେ ତୁମ ମାମଲା ବାଏଁ ବାଏଁ ଖଲାସ । ସଂସାରରେ ପଶିଲେ ସଂସାରିଆ ପାଠ ଶିଖ, କଚେରିକୁ ଆସିଲେ କଚେରିଆ ସାଠ ଅଭ୍ୟାସ କର, ଏହିପରି ଯେଉଁ ଦେଶକୁ ଯିବ, ସେହି ଦେଶର ସାଠ ଶିଖି ସେହି ସାଠକୁ ପାଠ ସଙ୍ଗେ ଜାରଣ ମାରଣ କରି ପାରିଲେ ତୁମର ମନ୍ତ୍ର ସିଦ୍ଧ ହେବ । ନଇଲେ ତୁମ ‘ପୋଥିପାଠ’ ପୋଥିରେ, ମୋ ବାଡ଼ି ବାଇଗଣ ମୋ ବାଡ଼ିରେ । ମୋର ଆଉ ଗୋଟିଏ ଅନୁଭବ କଥା ଏଠାରେ ଲେଖୁଅଛି ।

 

ଅନେକ ସମୟରେ ଯେବେ କେହି ବନ୍ଧୁ ମତେ ପଚାରନ୍ତି, ‘‘ହଇକି ହେ ଆପଣେ ! ଅମୁକ କାର୍ଯ୍ୟ କଲ ନାହିଁ କିଆଁ ? ଅମୁକ ସ୍ଥାନକୁ ଗଲ ନାହିଁ କିଆଁ ? ଅମୁକ ଚିଠି ଖଣ୍ଡିକ ଲେଖିଲ ନାହିଁ କିଆଁ ?’’ ଏଥିର ଉତ୍ତରରେ ମୁଁ କହେଁ, ‘‘ଆରେ ଭାଇସାହେବ ! ମତେ ମରିବାକୁ ସୁଦ୍ଧା ଦଣ୍ଡେ ତର ନାହିଁ । ମୋର ଅନୁପସ୍ଥିତିରେ ମୋ ସଂସାରଟି ଦଣ୍ଡେ ଚଳିବ ନାହିଁ । ମୋ ଧନ୍ଦାରେ ମୋ ଫନ୍ଦାରେ ମୋ ଖନ୍ଦାରେ ମୋ ରନ୍ଧାରେ ମୁଁ ଦିନରାତି ଲାଗିଛି । ମୁଁ କୌଣସି କଥାକୁ ଦଣ୍ଡେ ନ ଚାହିଁଲେ ମୋ ଫନ୍ଦାଟି ଖିନିଖରାପ ହୋଇଯିବ । ଏଥିପାଇଁ ମୁଁ ଅମୁକ କାର୍ଯ୍ୟରେ ଯୋଗଦେଇ ପାରିଲି ନାହିଁ ।’’ ଏ ଉତ୍ତରଟା ଅନେକ ସମୟରେ ଲୋକଭୁଲା ଉତ୍ତର ନୁହେଁ । ପ୍ରକୃତରେ ଅନେକ ସମୟରେ ଏହା ମୋର ହୃଦୟର ବିଶ୍ୱାସ ହୋଇଥାଏ ଓ ସେହି ହୃଦୟର ବିଶ୍ୱାସକୁ ବନ୍ଧୁମାନଙ୍କ ଆଗରେ ମୁଁ ପ୍ରକାଶ କରି କୈଫିୟତ୍‌ ଦେଇ ନିଷ୍କୃତି ଲଭିଥାଏଁ ମାତ୍ର । କିନ୍ତୁ ଯେବେ ମୋର ଆଖି ଥାନ୍ତା, ଯେବେ ମୋର ଦୃଷ୍ଟିଶକ୍ତି ଥାନ୍ତା, ତେବେ ମୁଁ ସଂସାରରେ ଶତ ଶତ ଉଦାହରଣ ଦେଖି ଚେତି ପାରୁଥାନ୍ତି । କାହାର ଅନୁପସ୍ଥିତିରେ ଭଲା ସଂସାରରେ କେଉଁ କାର୍ଯ୍ୟଟା ଅଚଳ ରହିଲାଣି ? ମନୁଷ୍ୟ ସଂସାରକୁ ଯେତେ ଜାବୁଡ଼ି ଧରିବ, ସଂସାର ତାକୁ ସେତିକି ଭିଡ଼ି ଧରିବ । ମନୁଷ୍ୟ ବିଚାରୁଛି ଯେ, ମୋ ବିହୁନେ ଏ ସଂସାର ଅଚଳ ହୋଇଯିବ । କିନ୍ତୁ ଫଳତଃ ତାହା ନୁହେଁ । ଫଳରେ ଦେଖାଯାଉଅଛି ଯେ, ଘୋର ବିଷୟୀ ଲୋକର (ଯେ ମନେ ମନେ ଗେଣ୍ଟ କରିଥାଏ ଯେ, ସେ ଆଖି ବୁଜିଲା ବାସିଦିନ ତା ସଂସାର ଓ ତହିଁ ସଙ୍ଗେ ସଙ୍ଗେ ବହିର୍ଜଗତଟା ତା ବିହୁନେ ଚରମାର ହୋଇଯିବ) ମୃତ୍ୟୁପରେ ତା ଘର ଓ ବାହାରର ସଂସାରକୁ ଈଶ୍ୱର ଏକ ପ୍ରକାର ଚଳାଇ ନିଅନ୍ତି ଓ ତା ମରିବା ପରେ, ବଡ଼ ଜୋର ଦଶଖପରା ପଡ଼ିବା ଯାଏ ତା ପାଇଁ କାନ୍ଦ ବୋବାଳି ଓ ବାହୁନା ବାହୁନିର ରୋଳ ଲାଗିଥାଏ ତାହା ହାଉଲେ ହାଉଲେ କମିଯାଏ ଏବଂ ତେଣିକି ସଂସାରଟି ପୂର୍ବବତ୍‌ ଚଳେ । ଈଶ୍ୱର ତାର ନିରାଶ୍ରୟ ଅନାଥ ବାଳବଚାଙ୍କ ପାଇଁ ପରିଚାଳକ ଓ ଅଭିଭାବକ ଆଣି ଜୁଟାଇ ଦେଇ ମିଞ୍ଜା ମାରି ନିଅନ୍ତି । ମୁଁ ନିଜେ ଅନୁଭବରୁ ବୁଝିଛି ଯେ ମୁଁ ମୋ ଘରେ ‘ଧନ ଜନ ଗୋପଲକ୍ଷ୍ମୀ ପରିବେଷ୍ଟିତ ହୋଇଥିଲା ବେଳେ ମନେ ମନେ ବିଚାରେ ଯେ ଏତେ ବଡ଼ କାରଖାନାର ଏକମାତ୍ର କେନ୍ଦ୍ର ଓ ଚରଖି ଏବଂ ପରିଚାଳକ ମୁଁ । ମୁଁ ଦଣ୍ଡେ କେଉଁଆଡ଼େ ଚାଲିଗଲେ ଏ ଝଟଝଟିଆ କାରଖାନାଟି କେଉଁଆଡ଼େ ଭସ୍ମ ହୋଇଯିବ ପରା । କିନ୍ତୁ କାର୍ଯ୍ୟାନ୍ତରରେ ସ୍ଥାନାନ୍ତରକୁ ମୁଁ ଚାଲିଗଲେ ସ୍ଥାନାନ୍ତରରେ ଥାଇ ଅନେକ ସମୟରେ ଉପଲବଧି କରେଁ ଯେ, ମୋ ଅନୁପସ୍ଥିତି ଯୋଗୁଁ ମୋ ଘରେ କୌଣସି ଧନ୍ଦା ବାକି ରହେ ନାହିଁ, କୌଣସି ଲୋକ ଅଖିଆ ରହେ ନାହିଁ, କି କୌଣସି ଫନ୍ଦା ପଡ଼ିଆ ରହେ ନାହିଁ । ଯେବେ ଏହି କଥା ମୁଁ ହୃଦୟଙ୍ଗମ କରିପାରୁଥାନ୍ତି, ତାହାହେଲେ ସଂସାରକୁ ଏତେ କାମୁଡ଼ି ଜାବୁଡ଼ି ଧରନ୍ତି ନାହିଁ; କିନ୍ତୁ ଈଶ୍ୱର ସେ ବୁଦ୍ଧି ତ ଦେଉ ନାହାନ୍ତି । ଏଇଥିପାଇଁ ବାଇଦା ସେ ଖଞ୍ଜଣି ମାଡ଼ୁଆ ଶରୀରଭେଦ ଚଉତିଶା ରଚନା କରି ‘ହୁଙ୍କାଗୋସେଇଁଙ୍କ ଗାଦି ପାଖରେ, ‘ରତ୍ନବଟ’ର ଚଉତରା ମୂଳରେ ‘ଭାଗବତଟୁଙ୍ଗୀ’ର ପିଣ୍ଡାତଳେ ‘‘ଶୁଖା ଖଡ଼ ଖଡ଼ ଖଡ଼ ଖଡ଼ ମିଛ ମାୟାରେ ପଡ଼ି ତୁ ଲଡ଼ବଡ଼ ଲଡ଼ବଡ଼’’ ଭଜନ ଗାଇ ଦୁନିଆକୁ ଚେତାଇବାରେ ଲାଗିଅଛନ୍ତି । ଲୋକ ଏହା ଜାଣୁଛି, ଏହା ବୁଝୁଛି, ତଥାପି ଏ ମାୟାର ଜାବୁଡ଼ି ଧରିଛି । ପାଠ ରହିଛି– ‘‘ଅହନ୍ୟହନି ଭୂତାନି ଗଚ୍ଛନ୍ତି ଯମମନ୍ଦିରଂ । ଶୋଷାଶ୍ମିରତ୍ୱ ମିଚ୍ଛନ୍ତି କିମାଶ୍ଚର୍ଯ୍ୟମତଃପରଂ ।’’ ଏ ପୋଥିପାଠ ସମସ୍ତେ ଜାଣନ୍ତି, କିନ୍ତୁ ଦୁନିଆରେ ପନ୍ଦର ପଣ ଊଣେଇଶ ଗଣ୍ଡା ତିନିକଡ଼ା ଦୁଇକ୍ରାନ୍ତ ପନ୍ଦର ବିଶ୍ୱା ଲୋକେ ସଂସାରରେ ପଶି ଏ ପାଠତକ ପାସୋରି ପକାନ୍ତି କିମ୍ୱା ଏ ପାଠ କେଉଁ ଖେଦାରେ ଥାଏ, ସେ ଖେଦା ଖଣ୍ଡକ ଖତଗଦାରେ ମାଡ଼ି ଦିଅନ୍ତି । ଭଡ଼ାଗାଡ଼ିର ଗୋଟାଏ ଘୋଡ଼ା ମରିଗଲେ କିମ୍ୱା ଖଚିରା ହୋଇଗଲେ ଗାଡ଼ିର ମାଲିକ ଘୋଡ଼ା ଛ ଟଙ୍କା ଦାନା ନ ଟଙ୍କାରୁ ରକ୍ଷା ପାଇବା ଲାଗି ସେ ଅକାମିକା ଘୋଡ଼ାଟିକୁ ଗୁଳି ଟିପିଦିଏ କିମ୍ୱା ସନ୍ତରା ବଣକୁ ଆଡ଼େଇ ଦିଏ ଓ ତହିଁ ଆରଦିନ ବଜାରରୁ ଆଉ ଗୋଟିଏ ଘୋଡ଼ା ମୂଲେଇ ଆଣି ତା ଗାଡ଼ିରେ ଲଗାଇ ପୂର୍ବପରି ତା ଭଡ଼ାଗାଡ଼ିକୁ ଜଳାଏ । ବେଳେ ବେଳେ ମୋ ମନରେ ହୁଏ ଯେ, ଏ ଦୁନିଆଟା ଏହିପରି ଭଡ଼ା-ଗାଡ଼-ଖାନା ଏବଂ ଖୋଦ ‘ଖୋଦା’ ଏଥିର ନିୟାମକ, ଚାଳକ ଓ ମାଲିକ । କାହାପାଇଁ ଏ ସଂସାରରେ କେଉଁ କାମ ବାକି ରହେ ନାହିଁ । ଦେଖ ଯେ, ଆସମୁଦ୍ରକ୍ଷୀତିଶ, ଆନାକରଥବତ୍ତ୍ମୀ ରୁଷିଆସାମ୍ରାଜ୍ୟର ‘ଯୁଗ ରାଇଜ’କାରୀ ଯଥେଚ୍ଛାଚାରୀ ସମ୍ରାଟ ‘ଜାର’ (Tzar) ଙ୍କ ବିନା ରୁଷିଆ ସାମ୍ରାଜ୍ୟ ଦଣ୍ଡେ ଚଳିବ ନାହିଁ ବୋଲି ଜଗତର ଧାରଣା ଥିଲା । କିନ୍ତୁ ସେହି ସାମ୍ରାଜ୍ୟନିୟନ୍ତା ‘ଜାର’ ସମ୍ରାଟ ଆଜି ରାଜେନ୍ଦ୍ରାସନର ପାଗପଟୁକା ଲଠି ସୋଠା, ମୁକୁଟ ସାତଦୀପ ସବୁ ଛାଡ଼ି ଫକୀରର ଝୁଲି ଧଇଲେଣି । ଅଥଚ ରୁଷିଆର କି ଅନ୍ତର୍ଦେଶିକ କି ବହିର୍ଦେଶିକ ସମସ୍ତ ସମସ୍ୟାମାନ ପୂର୍ବବତ୍‌ ଚାଲୁଛି ଓ ଚାଲିବ । ରୁଷିଆ ସମ୍ୱନ୍ଧରେ ଯାହା, ‘ଆମ ଘର’ ସମ୍ୱନ୍ଧରେ ମଧ୍ୟ ସେହିତା । ଆରେ ଅବୁଝା ମନ ! ଆରେ ବାଇମନ ! ଏ କଥା ବୁଝି ଏ କଥା ଅମୁଜ ଓ ଏହି କଥାଟି ପାସୋରି ନ ପକାଇ କିମ୍ୱା ଆଳକୁଚି ମାଳକୁଚିରେ ଏ ଟିପାଖଣ୍ଡିକ ନ ପକାଇ ସଂସାରରେ ନିର୍ଲିପ୍ତ ଭାବରେ କାମ କର । ତୁ ଆସିଛୁ ମୂଲ ଲାଗିବାକୁ, ବୋଝ ବୋହିବାକୁ, ଗୋଡ଼ ଧୋଇବାକୁ । ତୋ କାମରେ ତୁ ଲାଗ । ତାହାହେଲେ ଦେଖି ପାରିବୁ ଯେ, ତୋ ସଂସାରକୁ ତୋ ଘରୁ ଅନେକ ଅଶାନ୍ତି, ଅନେକ କନ୍ଦଳ କମିଯିବ ଓ ତୁ ବଞ୍ଚି ଥାଉଁ ଥାଉଁ ଦେଖିଯିବୁ ଯେ, ଏ ସଂସାରଟା ଦୁଃଖର ସଂସାର, ଅଶାନ୍ତିର ସଂସାର, ସନ୍ଦେହର ସଂସାର ନୁହେଁ, ଏହା ଗୋଟିଏ ଅପରୂପ ଅଭାବନୀୟ ଶାନ୍ତିମୟ ଲାଳାକ୍ଷେତ୍ର ଅଟେ । ତୋ ଘଡ଼ିକ ତୁ କସରତ୍‌ କରିବାକୁ ଆସିଛୁ, ତା ଘଡ଼ିକି ବିତିଗଲେ ତୋ ସ୍ଥାନ ପୂରଣ କରିବା ପାଇଁ ତୋର ଅସଲ ମାଲିକ ବ୍ୟବସ୍ଥା ଅବଶ୍ୟ କରିବେ । ତୋର ଏଥିପାଇଁ ଏତେ ପରିସ୍ରାପୋଡ଼ା କାହିଁକି ରେ ? ମୁଁ ଅହର୍ନିଶ ସଂସାରର ରୀତି ନୀତି ଦେଖୁଛି; ଏ ଦୁନିଆରେ ମୋ ଆଖି ଆଗରେ ଶତ ଶତ ଶିକ୍ଷଣୀୟ ଘଟଣା ଦେଖୁଛି; ନୀତି-ଉପଦେଶପୂର୍ଣ୍ଣ ଶତ ଶତ ପୁସ୍ତକ ପାଠ କରୁଛି; ସଂସାରରୁ ଟିକେ ତଫାତ୍‌ ହୋଇ ରହି କର୍ତ୍ତବ୍ୟକାର୍ଯ୍ୟ ସମ୍ପାଦନ କରିବାପାଇଁ ପୁଞ୍ଜା ପୁଞ୍ଜା ଶ୍ଳୋକ କଣ୍ଠସ୍ଥ କରୁଛି ଓ ଶହ ଶହ ଲୋକଙ୍କୁ ପୋଥି ପାଠରୁ ସଦୁପଦେଶ ଦେଇ ମୋର ପାଣ୍ଡିତ୍ୟ ଦେଖାଉଛି । ତଥାପି ମୋ ନିଜର କାର୍ଯ୍ୟ କରିବା ବେଳ ଉପସ୍ଥିତ ହେଲାକ୍ଷଣି ଏ ସବୁ କେଉଁଆଡ଼େ ପାସୋରି ପକାଉଛି ! କିମାଶ୍ଚର୍ଯ୍ୟମତାପରଂ ? ଏହିଗୁଡ଼ିକ ମନକୁ ବୁଝାଇବା ପାଇଁ ମୋ ଅବୁଝା ମନକୁ ଅବାଟରୁ ବାଟକୁ ଆଣିବା ପାଇଁ ‘ଆମ ଘରର ହାଲଚାଲ’ର କଳ୍ପନା ।

 

(୨୦ଶ ଭାଗ/ ୧୩୨୪/ ୩ୟ ସଂଖ୍ୟା)

 

ମୋର ନିଜର ‘ସ୍ୱରୂପ’ ମୋତେ ଯାହା ଜଣା, ସଂସାରରେ ଅତି ଅଳ୍ପ ଲୋକ ତାହାର ସାକ୍ଷାତକାର ଲାଭ କରିଅଛନ୍ତି । ସେ ସ୍ୱରୂପଟା କାଚ ଘଟାଟୋପ ଭିତରେ ପୂରାଇ କଳା କଳା ପରଦା ଦେଇ ପଦା ହାଉଆ ତହିଁରେ ଯେପରି ନ ଲାଗେ, ସେହିପରି ଅତି ଯତ୍ନରେ ତାକୁ ମୁଁ ଦିନ ରାତି ଘୋଡ଼ାଇ ରଖିଥାଏଁ । ବେଳେ ବେଳେ ସେ ଆଲମାରିର ଚାବିଟା ମୋ ଗରହୁସିଆରି ବଖତରେ ୟା ତା ହାବୁଡ଼ରେ ପଡ଼ିଗଲେ ତାକୁ କେହି କ୍ୱଚିତ୍‌ ଦେଖନ୍ତି, କିନ୍ତୁ ସେ ପିତୁଳାଟିକୁ ଓଲଟ ପାଲଟ କରି ସମସ୍ତେ ଦେଖିବାକୁ ତର ପାନ୍ତି ନାହିଁ । କେହି ଯେବେ ଲୁଚା ଚୋରା କରି ଗୁମର ଦେଖନ୍ତି,, ତାହା ପଦାରେ ପ୍ରକାଶ କରିବା କାଠିକର ପାଠ । କାରଣ ତାହାହେଲେ ପ୍ରଶ୍ନ ଉଠିବ ଯେ, ‘‘କାଚ ଆଲମାରିର ଚାବି ତ ମୋ କମରରେ, ତୁମେ ସେ ଆଇନା ବାଡ଼ର କଳା ପରଦାର ପଛ ଆଡ଼ର ପିତୁଳାଟିକୁ ଦେଖିବ କେମିତି ?’’ ଅତଏବ ତୁମେ ସେ ପିତୁଳାଟିର ବିବରଣ ଦାଣ୍ଡରେ ବାହାର କଲାବେଳକୁ ତୁମ ନାମରେ ପ୍ରଥମ ଅଭିଯୋଗ– (୧) ପିଙ୍ଗଳକୋଡ଼ର ଅନଧିକାର ପ୍ରବେଶ ଲଗାଏତ ଚୌର୍ଯ୍ୟାପରାଧ ଓ (୨) ଅପବାଦ ଦଫା । ବିନା ମୋ ଘରଟି ମୁଁ ନ ଫିଟାଇଲେ ଆଇନର ବଡ଼ବାପାଙ୍କ ବାପା ମଧ୍ୟ ମୋ କାଚ ଆଲମାରିର କଳା ପରଦା ଟେକି ଦେଖିବାକୁ ଅସମର୍ଥ । ଯେବେ କେହି ଗିଲାଗୁଜାରିଆ କରି ଛପଟିଆ ମାରି ଦେଖେ ବା ଦେଖିବାକୁ ସୁବିଧା ପାଏ, ତେବେ ମଧ୍ୟ ମୋ ଆଲମାରିର Contents ର (ମଧ୍ୟସ୍ଥଳସ୍ଥ ସରଞ୍ଜାମ) ସ୍ୱରୂପ ସମ୍ୱନ୍ଧରେ ପ୍ରମାଣାଭାବ ।

 

ଏଥିପାଇଁ ଦେଖୁଛି ଯେ, ଅନେକ ଲୋକ ଜାଣୁଛନ୍ତି ଯେ, ମୋ କାଚ ଆଲମାରିର କଳା ‘କନାଟିବାଡ଼’ ପଛଆଡ଼େ ବିକଟାଳ ଅସ୍ଥିକଙ୍କାଳମାଳା, କଥାପି ମୋ ସାମନାରେ ସେ କଥା କହିବାକୁ ଦୁନିଆରେ ଅତି ଅଳ୍ପ ସଂଖ୍ୟକ ଲୋକଙ୍କର ସାହସ ବା ପ୍ରମାଣ ଉପସ୍ଥିତ ।

 

ତୁମେ ଜାଣୁଛ ଯେ, ମୁଁ ପାଜି, ଜୁଆଚୋର, ପରାନିଷ୍ଟକାରୀ ଇତ୍ୟାଦି, ଇତ୍ୟାଦି; କିନ୍ତୁ ମତେ ଭେଟିବା ମାତ୍ରକେ ନମସ୍କାର, ବଚସ୍କାର, ପୁରସ୍କାର, ପରିଷ୍କାର ଇତ୍ୟାଦି ଇତ୍ୟାଦି ଇତ୍ୟାଦି ସାଉଁଳିଆ ସମାଜବୋଧିଆ ସମ୍ୱୋଧନରେ ମତେ ସନ୍ତାପିତ କରୁଅଛ । କାରଣ ଅସଲ କଥାଟା ତୁମେ ମୋ ଆଗରେ କହିଲେ ତାହା ବିଚ ବଜାର ଦାଣ୍ଡ ମଝିରେ ପ୍ରମାଣ କରାଇବା ପାଇଁ ତୁମ୍ଭଙ୍କୁ ଆଚ୍ଛା ପଟାଏ ଲଣ୍ଡଭଣ୍ଡଆରେ ପଡ଼ିବାକୁ ହେବ । ଏଥିପାଇଁ ‘‘ମହାଶୟ, ମହାଭାଗ, ଧର୍ମାବତାର, ଖୋଦାଏନ୍ଦ, ପ୍ରିୟବର’’ ଇତ୍ୟାଦି ସମ୍ୱୋଧନର ସୃଷ୍ଟି । ଜାଣୁଛ ଯେ, ମୁଁ ଅଧର୍ମ ଦେବତାଙ୍କର ସରଦାର ଖାନସମା, ତଥାପି ମତେ ସମ୍ୱୋଧନ କରୁଛ, ‘ଧର୍ମାବତାର ।

 

ଏ କଥା ବେଶି ଧରାପଡ଼େ ଓକାଲତି ଓ ମୁକ୍ତାରି ପେଷାରେ । ଆମ୍ଭେମାନେ ପେଟ ବିକଳରେ ପର ବୁଜୁଳା ନେଇ ବାର ଦୁଆର ହେଉଁ । ଏ କଥା ଅଳ୍ପ ବହୁତ ସମସ୍ତେ ଜାଣନ୍ତି । ପର ପୁଅକୁ ପର ପୁଅ ମାଇଲା । ଆଚ୍ଛା ଯା ଚାଲିଯା ସିଧାଏ ସିଧାଏ ଓକିଲ ମୁକ୍ତାରଙ୍କ ପାଖକୁ, ନଇଲେ ଓକିଲ ମୁକ୍ତାରଙ୍କ ପାଖକୁ ବାଟ କଢ଼ାଇବା ବାଟମାରଣାଙ୍କ ପାଖକୁ । ଯେ ବିଧାଟିଏ ଖାଇ ଆସିଥାଏ, ସେ ଫେରି ଆସି ଆମ ମହକୁମାରେ ଦଣ୍ଡବତି ଟଙ୍କାଟିଏ ଥୁଏ । ସେଇକ୍ଷଣି ପର ପୁଅର ଦୁଃଖ କାହାଣୀ ଧାତୁ ଆକାରରେ ଆମ ସାମନାରେ ପହଞ୍ଚିବା ମାତ୍ରକେ ଆମ ହୃଦ ଭିତରର ଫୁଲବୁକୁ ଫଗୁଆ ମା ଗଉଡ଼ୁଣୀର ପସରାରେ ଥିବା ଅଉଲ ନମ୍ୱରର ଗୁଆ ଲହୁଣି ଭଳିଆ କଅଁଳ ଗାଧୁଆ ବେଳ ହେବା ମାତ୍ରକେ ତରଳିଯାଏ ଓ ଆମ ନିଜ ପୁଅଙ୍କର ଅର୍ଶ ବେମାରି ହେଲେ ଆମ ମନଟାକୁ ଯେତେ ବାଧି ନ ଥାଏ, ପର ପୁଅର ଦୁଃଖରେ ମନଟା ତହୁଁ ଅଧିକ ଗୋଳେଇ ଘାଣ୍ଟି ହୁଏ-

 

(ନୋଟ୍‌– ଓଃ ! ପାଠକ ଅବଧାନ । କଲମ ଧରି ଗରହୁସିଆରରେ କେତେବେଳେ କଣ କାଣ୍ଡିଏ ପ୍ରସ୍ରାବକ ଲେଖନରୁ ବାହାରି ପଡ଼ିଲେ ଲେଖକକୁ କେତେ କାଲୁବାଲୁ ହେବାକୁ ପଡ଼େ-! ଲେଖୁ ଲେଖୁ ପୁଅଙ୍କ ବେମାରି କଥା ଲେଖି ହୋଇଯିବା ମାତ୍ରେ ଆପଣମାନେ ଏଥିର ବୁଝଟ ଫର୍ଦ୍ଦ ପାଇଁ ଆଖି ତରାଟି କରି ବସି ସାରିଲେଣି ! ପର ବୁଜୁଳା ବାନ୍ଧି ଦାଣ୍ଡକୁ ବାହାରିଲେ ଆପଣା ନିଜ ବୁଜୁଳାର ଖବର ଦସ୍ତୁର ମୁତାବକ ନେବାର ଆବଶ୍ୟକ ହୋଇପଡ଼େ । ଏଥିପାଇଁ ପରକଥା କହୁ କହୁ ଘର କଥା ବାହାରିପଡ଼େ । ଲେଖକ ନିଜ ଅନୁଭବରୁ ମଧ୍ୟ ଦେଖିଛି ଯେ, ‘‘ଦୁନିଆର ହାଲ୍‍ଚାଲ୍‍’’ ଫିଟାଇବାକୁ ପଡ଼ୁଛି । ହେଉ, କଅଣ କରାଯାଏରେ ବାପା ! ଅନ୍ୟ ବେମାରି କଥା ନ କହି ଅର୍ଶ ବେମାରି କଥାଟା ମନେ ପଡ଼ିବାର କାରଣ ଅଛି ।

 

ଅର୍ଶ ବେମାରିଟା ଗୋଟାଏ ପୈତୃକ ଓ ମିତାକ୍ଷରା ଶାସ୍ତ୍ରାଧୀନ ପରିବାରର ଇଜିମାଲି ସମ୍ପତ୍ତି । ଅର୍ଥାତ୍‌ ପିତାଙ୍କର ବା ପିତାମହଙ୍କର ସେ ବେମାରିଟି ଥିଲେ ପରବର୍ତ୍ତୀ ପୁରୁଷଙ୍କର ଦେହରେ ତାହା ବିକାଶ ପାଇବା ସ୍ୱାଭାବିକ । ଇମିତି କେତେ ଗୁଡ଼ିଏ ରୋଗ ଅଛି, ଯଥା:- ବାତଜ୍ୱର ଓ ତାଙ୍କର ଅର୍ଦ୍ଦଳୀ ନାନା ସ୍ଥାନର ଆୟତନ ଓ ଘନଫଳ ବୃଦ୍ଧ, ଅପସ୍ମାର, ଶ୍ୱାସ ଇତ୍ୟାଦି । ଯୋଗକୁ ଲେଖକଙ୍କର ଅର୍ଶଟି ବଂଶଗତ ଓ ପୈତୃକ ସମ୍ପତ୍ତି । ଦାୟଭାଗର ପୈତୃକ ସମ୍ପତ୍ତି ପିତାଙ୍କ ଅନ୍ତେ ପୁଅ ପାଏ । କିନ୍ତୁ ମିତାକ୍ଷରା ଶାସ୍ତ୍ରାଧୀନ ପରିବାରରେ ପୈତୃକ ସମ୍ପତ୍ତିରେ ଜନ୍ମକାଳରୁ ପୁତ୍ର ପିତାଙ୍କ ସଙ୍ଗେ ହିଂସାଦାର ହୁଏ ଏବଂ ପିତାଙ୍କ ମୃତ୍ୟୁପରେ ପିତାଙ୍କ ହିଂସାକୁ ସରଭାଇଭର ଅର୍ଥାତ୍‌ ମୃତପିତୃକ ଉତ୍ତରାଧିକାରୀ ପୁତ୍ର ପାଏ । ଏପରି ବଂଶରେ ବାପେ ବଞ୍ଚି ଥାଉଁ ଥାଉଁ ଅର୍ଥାତ୍‌ ପୁଅର ନାବାଲଗ ନ ଯାଉଣୁ ଅର୍ଶରୋଗ ପୁଅଙ୍କଠାରେ ଦେଖାଦିଏ । ଲେଖକ ନିଜେ ସେହି ରୋଗ ଭୋଗି ସେ ରୋଗର ଜ୍ୱାଳା ଯନ୍ତ୍ରଣା ଉତ୍ତମରୂପେ ବୁଝିଛି । ଏପରି ସ୍ଥଳରେ ପୁଅଙ୍କୁ ସେ ରୋଗ ହେବା ମାତ୍ରକେ ପୁତ୍ର କି କଷ୍ଟ ପାଉଛି; ତାହା ବୁଝିବାକୁ ଲେଖକକୁ ଜାଣିବାକୁ ବାକି ରହେ ନାହିଁ । ଅନ୍ୟ କୌଣସି ସ୍ୱ-ଅନୁଭବ ବହିର୍ଭୂତ ରୋଗରେ ପୁଅ ପଡ଼ିଲେ ବାପେ କେବଳ ଅନୁମାନ ଅର୍ଥାତ୍‌ ଅନ୍ଦାଜି ଉପରେ ବିଶ୍ୱାସ କରି ପୁଅଙ୍କ କଷ୍ଟ ବୁଝି ନିଅନ୍ତି । କିନ୍ତୁ ନିଜ ଅନୁଭବ-ସିଦ୍ଧ ଅର୍ଶ-ରୋଗରେ ପୁଅ ଆକ୍ରାନ୍ତ ହେଲେ ସେ ଜ୍ୱାଳାର କରାମତ ବାପଙ୍କୁ ବୁଝାଇବାପାଇଁ ମାଧବକରେ ଖୋଜା ପଡ଼ନ୍ତି ନାହିଁ-। ଏପରି ସ୍ଥଳରେ ମୁଁ ନିଜେ ଦେଖିଅଛି ଯେ, ପୁଅକୁ ଅର୍ଶରୋଗ ଆକ୍ରମଣ କରିବାର ଦେଖି ମୋ ମନ ଯେତେ ବ୍ୟସ୍ତ ହୋଇ ନ ଥିଲା ବା ନ ହୁଏ, ପର ପୁଅ ମୋ ପାଖକୁ ମାଲି-ମୋକଦ୍ଦମା ପାଇଁ ଆସିଲେ ମୋ ମନଟା ଖଡ଼େଦମ୍‌ ପିଚୁତାର ଭଳିଆ ପିଗିଲି ଯାଏ । ପାଠକ ଅବଧାନ ! ବର୍ତ୍ତମାନ ବୁଝିବା ହେଲେ ତ, କାହିଁକି ପରକଥା କହୁ କହୁ ଘର କଥା କଲମରୁ ବାହାରି ପଡ଼ିଲା ? ଇତି-।)

 

ମୁଁ ନିଜେ ଅନୁଭବରୁ ଦେଖିଅଛି ଯେ, କୌଣସି କୌଣସି ହାକିମ ଗଧଡ଼୍‌ ଭଙ୍ଗଡ଼, ଚଷଡ଼, ଫସଡ଼, ଅଣ୍ଟାଖୋସଡ଼ ଇତ୍ୟାଦି ବିଭୂଷିତ ହୋଇ ମିସଲ ଜମାଇ ବସିଥାନ୍ତି । ଆମେ ମକ୍ଳେଲର ଜୀବନନାଟିକାଟିମାନ ଧରି ତାଙ୍କ ହଜୁରରେ ହାଜର ହୋଇ ଆମର ପଦ୍ମତୋଳା ‘ବୋଲି’ ଆରମ୍ଭ କରୁ– ଢମଣାଙ୍କୁ ଗୋଖରଙ୍କ ମନ୍ତ୍ର କାଫିବ କାହୁଁ ?

 

‘‘ସାପ, ଗିଧଡ଼, ହାକିମ, ହଡ଼ା

ନାଚନ୍ତି ପାଇଣ ଲାଙ୍ଗୁଡ଼ ମୋଡ଼ା !’’

 

ଏମିତି ଗୋଟାଏ ଆଧୁନିକ ଘଟଣାମୂଳକ ଢଗର ଅନୁସରଣ କରି ଆମେ ତାଙ୍କ ଲାଞ୍ଜକୁ ମିସଲର କଡ଼ପଟ ବାଟେ ଦାଉ ଦେଖି ଟିକିଏ ଆଉଁସି ଦେଉଁ:– (‘‘Your Honour ! (ଅର୍ଥାତ୍‌ ହେ ହଜୁରଙ୍କ ଅନ୍ତରାତ୍ମାରେ ବିରାଜମା କରୁଥିବା ‘ସତ୍‌’ ପଦାର୍ଥ !) ହଜୁରଙ୍କ ଠାରୁ ବଳି ସଂସାରରେ କେହି ନାହିଁ ।’’

 

‘‘ଧର୍ମାବତାର (Your Honour ମକଦମାର କୁଲ ହାଲଟା ଠିକେ ଠିକେ ଯାହା ବୁଝି ନେଲେଣି, ଆମେ ଗମାର ଏତେ ମେହେନତ୍‌ କରି ତହିଁରୁ କାଣିଚାଏ ବୁଝି ପାରି ନାହୁଁ ।’’

 

‘‘ହଜୁରଙ୍କର ବହୁକାଳ ବ୍ୟାପୀ ମୂଲ୍ୟବାନ୍‌ ଅନୁଭବକୁ ‘(Your Honours extensive and valuable experience ଆମ୍ଭେ (ମକ୍‌କେଲ ପକ୍ଷରୁ) ସନିର୍ବନ୍ଧ ଆବାହନ (appeal) କରୁଅଛୁ ।’’

 

‘‘ଶ୍ରୀ ଧର୍ମାବତାର ଆଇନର ସନ୍ଧି ବିସନ୍ଧି (the hair-splitting intricacies of the law) ଓ ଆଇନ କର୍ତ୍ତାଙ୍କ ଗୃଢ଼ ଉଦ୍ଦେଶ୍ୟ (the inmost intention of the Legislature) ଯାହା ଉଆକବକାର ଅଛନ୍ତି, ଅଧୀନ ସେଥିରୁ ଶତାଂଶ ସୁଦ୍ଧା ଜାଣେ ନାହିଁ ।’’

 

‘‘ଶ୍ରୀ ହଜୁରଙ୍କ ଆଗରେ ଗୁଡ଼ାଏ ଗପ ପପି ହଜୁରଙ୍କର ମୂଲ୍ୟବାନ୍‌ ସମୟ ନଷ୍ଟ କରିବାକୁ ଅଧୀନ ଚାହେ ନାହିଁ । (I do not like to waste your Honour valuable time by irrelevant talk)’’

 

‘‘ଧର୍ମାବତାର ଗରିବର ମା ବାପ, ଅଧୀନ ଦେଖି ପାରୁଛି ଯେ, ମୋ ମକ୍‌କେଲର ସାତ ପୁରୁଷଙ୍କ ବହୁ ଭାଗ୍ୟରୁ ଆଜି ମୋ ମକ୍‌କେଲର ବିଚାର ଶ୍ରୀ ହଜୁରଙ୍କ ନିରପେକ୍ଷ ଓ ଅନୁଭବୀ ଇଜ୍‌ଲାସକୁ ଆସିଅଛି । ‘‘It is the ulter good fortune of my client that his case is now before an impartial and experienced Court like your Honour’’ ‘‘ହଜୁର ଧର୍ମର ବିଲଫଏଲ ଅବତାଲ ଅର୍ଥାତ୍‌ ‘‘ତୁ ନାଥ ପରମ ଦୟାଳୁ– ବୁଝି ପାରୁଛୁ ଖମ୍ୱଆଳୁ ।’’

 

ଏହିପରି ସବୁ ବଛା ବଛି ଗାରିଡ଼ିମନ୍ତ୍ର ଆବୃତ୍ତି କରୁ କରୁ ମକ୍‌କେଲର ଧର୍ମବଳ ବଳିଆର ଥିଲେ ଏଥିରୁ କାଣ୍ଡିଏ ଖଣ୍ଡେ ଗୋଖର ଗନ୍ଧ ଲାଗିଥିବା ହାକିମଙ୍କ ଲାଙ୍ଗୁଡ଼ରେ ଲାଗିଥାଏ-। ଦେବତା ନିଜର ସମ୍ମାନ ସାଧାରଣଙ୍କ ଚକ୍ଷୁରେ ଏତେ ଉଚ୍ଚ ଥିବାର ଭାବି ହିଂସାଚିପୁଡ଼ା ମୁରୁକିହସା ମାରି ମକ୍‌କେଲର ମକଦମାର କନ୍ଦି ବିକନ୍ଦି ପଶିବାକୁ ଝଡ଼ିଝୁଡ଼ି ହୁଅନ୍ତି ଓ ବିରାଡ଼ି ଯେପରି ଶିକାର ଦେଖି ଫୁଲେ ସେହିପରି ଫୁଲନ୍ତି ।

 

ସେଥିରୁ ମକଦମାର ହାଲଚାଲ, ପ୍ରମାଣର ଅବତାରଣା, ସାକ୍ଷୀ ଜବାନବନ୍ଦି, ଦଲିଲ ପ୍ରମାଣ, ଜବାବସୁଆଲର ଢେଉ ଉଠେ । ହାକିମ କେତେବେଳେ ରାମ୍ପନ୍ତି, କେତେବେଳେ କମ୍ପନ୍ତି, କେତେବେଳେ ଶମ୍ପନ୍ତି, କେତେବେଳେ ଝାମ୍ପନ୍ତି, କେତେବେଳେ ଲମ୍ପନ୍ତି, କେତେବେଳେ ଖୁମ୍ପନ୍ତି ଏହିପରି ନାନା ପ୍ରକାର ନିଜର ଅପରୂପ ମାଧୁରୀକୁ ଆମ ଆଗରେ ଫୁଟାନ୍ତି । ତାଙ୍କର ଆଇନଜ୍ଞାନ, ଅଭିଜ୍ଞତା, ମସ୍ତିଷ୍କରେ ଥିବା ମସଲାର କାଠିନ୍ୟ ଆଦି ସବୁ ଆମେ ଠଉରାଇ ନେଉଁ । ଯେନତେନ ପ୍ରକାରେଣ ଆମ ଫିସ୍‍ତକ କାନିରେ ବାନ୍ଧି (ଓଃ ! ରାମ ! ପାକିଟିରେ ପୂରାଇ) ଆମେ ଘରକୁ ଫେରୁଁ । ଆମ ମକ୍‌କେଲ ମହୁ ଚାଟିବା ଭଳି ମୁହଁ କରି ଘରକୁ ଫେରେ । ଆମେ କଚେରିରୁ ଫେରି ଘରେ ଆସି ପହଞ୍ଚିଲେ କିମ୍ୱା ଓକିଲଖାନାରେ ଗପ ପଡ଼ିଲେ ଯେଉଁ ହାକିମ ଆମ ସାଉଁଳିଆ ମର୍ଦନରେ ଲାଞ୍ଜ ଫୁଲାଇ ଥିଲେ, ତାଙ୍କର ଆମେ ଯେଉଁ ବର୍ଣ୍ଣନାଟା କରୁ, ଖୋଦ ହାକିମ ଯେବେ ସେଥିରୁ ପଣେ ଶୁଣୁଥାନ୍ତେ, ତାହାହେଲେ ତାଙ୍କର କେତେ ଚେତନା ପଶୁ ନ ଥାନ୍ତା ? କିନ୍ତୁ ତାଙ୍କୁ ସାମନାରେ କହୁଛି କିଏ ?

 

ହାକିମଙ୍କଠାରେ ଯେଉଁ ନିଶାପ ଖଟିଲା, ଆମଠାରେ ଯେ ତାହା ନ ଖଟିବ, ଏହା କିଏ କହିବ ? ସିଆଣା ମକ୍‍କେଲ ଆମ ପାଖରେ କନ୍ଦା କଟା କରି, ତା ପେଟରେ ଓଦାକନା, ପିଠିରେ ଚିରାକନା ପକାଇ ଆମଠାରୁ ଚଉକଷିଆ କାମ ନେଇ ସାରି ଆମ ଆଖିରେ ଧୂଳି ପକାଇ ଆମଙ୍କୁ ଫଳେ ପୁଷ୍ପେ ବୋଧସୋଧ କରିଦେଇ ଘରକୁ ଚାଲିଯାଏ । କିନ୍ତୁ ଗାଁରେ ପହଞ୍ଚି ଭାଗବତଘର ପିଣ୍ଡା କିମ୍ୱା କୀର୍ତ୍ତନ ଆଖଡ଼ା ବୈଠକ ବେଳେ ସେ ଆମର ଯେଉଁ ରୂପ ଓ ଗମାର ପଣିଆ ତା ଗାଁବାଲାଙ୍କ ଆଗରେ ଚିତ୍ର କରି ଠିଆ କରାଏ, ସେ ରୂପରୁ କାଣିଚାଏ ଯେବେ ଆମ ଦୃଷ୍ଟିଗୋଚର ହେଉଥାନ୍ତା, ତେବେ ଆମେ ନିଜେ କେତେ ପରିମାଣରେ ଚୈତନ୍ୟ ଲାଭ କରିଥାନ୍ତୁ । ଆମର ମଧ୍ୟ କେତେ ପର-ଘରବୁଡ଼ା ପ୍ରବୃତ୍ତି ଓ ଅଭ୍ୟାସ ଅଛି ।

 

ସେ କଥା ଆମଙ୍କୁ ମୁହେଁ ମୁହେଁ କହିବାକୁ ମକ୍‍କେଲ ବାଡ଼ାର ସାହସ କାହିଁ ?

 

ଅତଏବ ମୁଁ ଯେତେ ଏ ସଂସାରରେ ବୁଲୁଅଛି, ସେତିକି ଦେଖୁଅଛି ଯେ, ଆମେ ସମସ୍ତେ କୁହୁକରେ ମାତିଅଛୁ । ଆମ ପ୍ରତି ଲୋକେ କି ମତ ପୋଷଣ କରୁ ଅଛନ୍ତି ତାହା ବୁଝୁ ନାହିଁ, ବୁଝିବାକୁ ଚେଷ୍ଟା ମଧ୍ୟ କରୁ ନାହିଁ । ଆଜି ଏତିକିରେ ଥାଉ ।

 

(୨୧ଶ ଭାଗ । ୧୩୨୪ । ୪ର୍ଥ ସଂଖ୍ୟା)

 

ପାଠକ ଓ ଆଇନଜ୍ଞ ବ୍ୟକ୍ତିମାନେ ଓ ନିତାନ୍ତ ନିପଟି ମଫସଲର ଚଉକିଦାର, ଦଫାଦାର, ପ୍ରେସିଡ଼େଣ୍ଟ, ସାଧାରଣ ପଞ୍ଚାଏତ, ଜମିଦାରଙ୍କ ତହସିଲଦାର, ଛାମୁକରଣଠାରୁ ଆରମ୍ଭ କରି ଜମିଦାରଙ୍କ ପିଆଦା ଓ ହଳିଆ ପର୍ଯ୍ୟନ୍ତ ସମସ୍ତେ ଚୋରିର ସଂଜ୍ଞା ଉତ୍ତମରୂପେ ଜାଣନ୍ତି । ଏଥିର ସଂଜ୍ଞା ଜ୍ଞାନ ପାଇବା ମାତ୍ରକେ ମନୁଷ୍ୟ ଜାତି ସ୍ୱତଃ ଜାଣିଯାଏ ଓ କଥାରେ କହନ୍ତି, ‘ଚୋରକୁ ମାଡ଼’ ଦେବା କଥା କେହି କାହାକୁ ବତାଇ ଦିଏ ନାହିଁ । ପଧାନ ବାପୁଡ଼ାର ବାଡ଼ିରେ ରାଉତପୁଅ ପଶିଛି, ରାଉତପୁଅ ଧରା ପଡ଼ିଗଲା– ଦିଅ ତା ଉପରେ ଦୁଇପୁଞ୍ଜା ପଚିଶିପଳିଆ ଥୋଇ । ରାଉତପୁଅର ହାରିଗୁହାରି କେହି ନାହିଁ । ଆଚାର୍ଯ୍ୟଙ୍କ ବାଡ଼ିଆଡ଼ଟାକୁ ତିହାଡ଼ିଏ ସନ୍ଧ୍ୟା ପରେ ତାଙ୍କର ଆପଣାର ସଦର ଦରଜା ବୋଲି ସିଦ୍ଧାନ୍ତ କରି ସେହି ସିଦ୍ଧାନ୍ତକୁ କାର୍ଯ୍ୟରେ ପରିଣତ କରିଅଛନ୍ତି; ଆଚାର୍ଯ୍ୟେ ଆପଣେ ସାନ୍ତରାଙ୍କ ଘରକୁ ନିତି ପୁରାଣ ବୋଲିବାକୁ ଯାନ୍ତି– ତେଣୁ ରାତି ପହରକଠାରେ ଘରକୁ ଫେରିଆସି ଖଞ୍ଜାରେ ପଶି ମରଦ ପୁଅର ଦିହର ଗନ୍ଧ ବାରି ହଲା କରନ୍ତି । ହଲା ଶୁଣି ସାଇ ପଡ଼ିଶାଏ ଆଚାର୍ଯ୍ୟଙ୍କ ଖଞ୍ଜାରେ ରୁଣ୍ଡ ହୋଇ ଦରଣ୍ଡା ଦରଣ୍ଡି କରି ତିହାଡ଼ିଙ୍କୁ ଧରପଗଡ଼ କଲା ମାତ୍ରକେ ଗାଁ ବାଲାଙ୍କ ବାଡ଼ି, ପାଞ୍ଚଣ, ହାତ, କହୁଣି, ଆଙ୍ଗୁଠି, ଗୋଡ଼ ସମସ୍ତେ ତିହାଡ଼ିଙ୍କ ଅବୟବର ଯଥୋପଯୁକ୍ତ ଅଙ୍ଗପ୍ରତ୍ୟଙ୍ଗ ଓ ତ୍ୱକ, ଘ୍ରାଣ, ଶ୍ରବଣାଦି ଇନ୍ଦ୍ରିୟମାନଙ୍କ ସଙ୍ଗେ ପ୍ରାଜାପତ୍ୟ ଓ ଗାନ୍ଧର୍ବାଦି ସମ୍ପର୍କ ସ୍ଥାପନ କରିଦିଅନ୍ତି । ଏ ସମ୍ବନ୍ଧ ସ୍ଥାପନ ପାଇଁ ଘଟକ ବ ଉପଦେଶକ ଦରକାର ହୁଏ ନାହିଁ । କେହି କାହାକୁ କହିବାକୁ ହୁଏ ନାହିଁ, ଅଥଚ ତ୍ରିପାଠୀ ମହାଶୟ ପଞ୍ଚୋପଚାର ଓ ଷୋଡ଼ଶୋପଚାର ପୂଜାର ମାଧୁର୍ଯ୍ୟ ଓ ମିଷ୍ଟତା ଉପଲବ୍‌ଧି କରୁ କରୁ ତାଙ୍କ ଆଖି, କାନ, ନାକ ଆଦି ସବୁ ବହିରିନ୍ଦ୍ରିୟଯାକ ବୁଜି ହୋଇଯାଏ । ଏଥିପାଇଁ କହିଲି ଯେ, ‘ଚୋରି’ କଣ, ‘ଚୋରି’ କିଏ ଓ ‘ଚୋର ପାଇଁ କଣ ପଥ୍ୟ’ ଏ କଥା କେହି କାହାକୁ ବତାଇ ଦିଅନ୍ତି ନାହିଁ । ଅଥଚ ଜଣ ଜଣ କରି ଧରି ପଚାର, ଚୋରିର ସଂଜ୍ଞା କହ, ପ୍ରଶ୍ନ ଶୁଣିଲା ମାତ୍ରକେ ସମସ୍ତେ ପହିଲେ ହାଉଳି ଖାଇଯିବେ । ଏ ସମସ୍ୟା ପୂରଣ କରିବା ନିମନ୍ତେ ସରକାର ଆଇନ ବହି କରି ସେଥିରେ ଚୋରି ଚମାରି, ଜୁଆଚୋରି, ଜବରାନି, ଜନାକାରି, ଜଳଡ଼ୁବି, ମଣିଷମାରୁ, ବାଟମାରୁ ଆଦି ନିତ୍ୟ ପ୍ରତ୍ୟକ୍ଷ ଘଟନାମାନଙ୍କ ସୀମା ବାଉଣ୍ଡରି ମାପ କଲା ଭଳି ନିରୂପଣ କରି ଦେଇଅଛନ୍ତି । ଉପସ୍ଥିତ ବିଷୟର ଆଲୋଚନା ଉପଲକ୍ଷରେ ଏଠାରେ ‘‘ଚୋରୀ’’ର ସରକାରୀ ସଂଜ୍ଞା ଦିଆଗଲା; ତାହା ଏହି-:–

 

‘‘Whoever intending to take dishonestly any moveable property out of the possession of any person without that person’s consent, moves that proprety in order to such taking is said to commit theft,’’

 

ଏଥିର ତରଜମା ଏହି:– ଯେ କେହି ଆସାମୀ କାହାର ବେଆଇନ ଲାଭ କିମ୍ୱା କାହାର ବେଆଇନ କ୍ଷତି କରିବା ଅଭିପ୍ରାୟରେ କୌଣସି ଚଳନ୍ତି ସମ୍ପତ୍ତିକୁ ଉକ୍ତ ସମ୍ପତ୍ତିର ତାତ୍‌କାଳିକ ଦଖଲକାରର (ବା ଜିମାଦାରର) ବିନା ଅନୁମତିରେ ତାହାର ଦଖଲରୁ ନେଇଯିବା ଅଭିପ୍ରାୟରେ ଉକ୍ତ ପଦାର୍ଥକୁ ସ୍ଥାନାନ୍ତର କରେ, ତେବେ ଉକ୍ତ ଆସାମୀ ଚୋରି ଅପରାଧ କଲା ବୋଲି ବୋଲାଯିବ । ଗୋଟିଏ ଘଟନା ଉଦାହରଣ ଦେଲେ ଏ ସଂଜ୍ଞାଟା ଖୋଲା ହୋଇଯିବ । ତୁମେ ଅଳସୁଆ, ତୁମେ କୃପଣ, ତୁମେ ଦିହସଞ୍ଚା, ଏଥିପାଇଁ ତୁମ ବାଡ଼ିଖଣ୍ଡେ ପଡ଼ିଆ ରଖିଛି । ଅଥଚ ମୁଁ ଦିହ ମିହନ୍ତ କରି ଓ କଉଡ଼ି ଖରଚ କରି ଓ ମୂଲ ଲଗାଇ ମୋ ବାଡ଼ିଖଣ୍ଡିକ ବୁଜି ସେଥିରେ ଡେଙ୍ଗା କୋଶଳା ପଟାଳିଟାଏ କରିଛି । ସେ କୋଶଳା କିଆରି ଦେଖି ତୁମ ପାଟି ପାଣେଇଲା । ତୁମେ ବିନା ଖରଚା ଓ ବିନା ମିହନ୍ତରେ ଆପଣା ଜିହ୍ୱାଲାଳସାକୁ ବୋଧ କରିବା ଉଦ୍ଦେଶ୍ୟରେ (ଏହାକୁ ହିଁ ଆଇନ ଭାଷାରେ କହନ୍ତି– Dishonest intention ଅର୍ଥାତ୍‌ ତୁମର ବେଆଇନ ଲାଭ କରିବା ଓ ମୋର ବେଆଇନ କ୍ଷତି କରିବା ଉଦ୍ଦେଶ୍ୟ) ମୁଁ ଦାଣ୍ଡ ଆଡ଼କୁ ଯାଇଥିବାର ସୁଯୋଗ ପାଇ ମତେ କିମ୍ୱା ମୋ ଅନୁପସ୍ଥିତିରେ ମୋ ଘରେ ଥିବା ପ୍ରାଣୀଙ୍କୁ ନ କହି (ଏହାକୁ ଆଇନର ଭାଷାରେ କହନ୍ତି– Without the consent of the person in possesion ଅର୍ଥାତ୍‌ ତାତ୍‌କାଳିକ ଦଖଲକାରତ ବିନାନୁମତିରେ) ମୋ କୋଶଳା କିଆରିଟିକୁ ପଦା କରି ମୋ ଘର ବାଡ଼ିର ସୀମାରୁ କିମ୍ୱା ମୋ କୋଶଳାପଟାଳିର ହିଡ଼ରୁ କୋଶଳାଶାଗତକ ନେଇ କିମ୍ୱା ନେବାର ସମସ୍ତ ଆନୁସଙ୍ଗିକ ଆୟୋଜନ କଲ । ତେବେ ତୁମେ ସରକାରୀ ପିଙ୍ଗଳକୋଡ଼ (Penal Code)ର ୩୭୯ ଦଫା (ଚୌର୍ଯ୍ୟାପରାଧ) ମୁତାବକ କାର୍ଯ୍ୟ କରିଅଛ ବୋଲି ବିବେଚିତ ହେବ ।

 

ଅଥଚ ଗାଁରେ ଆବାଳବୃଦ୍ଧବନିତାଙ୍କୁ ପଚାର, ସମସ୍ତେ ଏକମୁଖରେ କହିବେ ଯେ, ଅମୁକ ଲୋକ ମତେ ନ କହି ମୋ ବାଡ଼ିରେ ପଶି ମୋ କୋଶଳାତକ ନେଲାରୁ ସେ ଚୋରି କଲା, ଏଥିରେ ପଚାରିବାର ବୁଝିବାର କିସ ଅଛି ? ଅତଏବ ଦେଖାଗଲା ଯେ, ମୋ ଜିନିଷ ଯେବେ ପରପୁଅ ମତେ ନ କହି ନେଲା, ତାହାହେଲେ ଏ ହେଲା ‘ଚୋରି’ ଏବଂ ନେବା ବ୍ୟକ୍ତି ହେଲା ‘ଚୋର’ ଏବଂ ତାକୁ ଉପଯୁକ୍ତ ସମ୍ବର୍ଦ୍ଧନା ‘ଆଗେ ମାଡ଼ ପଛେ ବିଚାର’ । ସାଧାରଣରେ ଚୋରି ଅର୍ଥରେ ଏହି କଥା ବୁଝାଯାଏ । କିନ୍ତୁ ଆପଣା ଜିନିଷକୁ ଆପେ ନେଲେ ‘ଚୋରି’ ହେବ– ଏକଥା ଯେବେ କାହାକୁ କହିବ, ତେବେ ଏହା ଶୁଣି କେହି କେହି ପ୍ରଥମେ ହସିବେ, କହିବେ, ‘‘ଆପଣା ଜିନିଷ ଆପେ ନେଲେ ତାହା ଚୋରି ହେବ କିପରି ?’’ ଆଇନରେ ମଧ୍ୟ ଏପରି ଚୋରିର ଉଦାହରଣ ଅଛି । ମନେ କର, ମୁଁ ମୋ କଂସା ଖଣ୍ଡକ ତୁମ ପାଖରେ ବନ୍ଧା ପକାଇ ତୁମଠାରୁ କିଛି କଉଡ଼ି ବାଏ କରିଛି । ତୁମର ମୋ ଉପରେ ସେହି ବାବଦରେ ଯାହା ପାଉଣା ହେଲା, ତାହା ମୁଁ ପରିଶୋଧ କରିନାହିଁ, ଅଥଚ ଦିନେ ଦେଖିଲି ଯେ, ତୁମ ଦାଣ୍ଡ ଦୁଆର ଦରମେଲା ହୋଇଛି ଓ ଦାଣ୍ଡଘରେ କେହି ନାହିଁ, ସେ କଂସା ଖଣ୍ଡିକ ତୁମ ଦାଣ୍ଡଘର ଘୋଡ଼ଚି ଉପରେ ଥୁଆ ହୋଇଛି, ଏ ସୁଯୋଗ ପାଇ ତୁମର ପ୍ରାପ୍ୟତକ ଫାଙ୍କିଦେବା ମତଲବରେ ମୁଁ ତୁମ ଘରେ ପଶି ତୁମ ଅନୁପସ୍ଥିତିରେ କାହାକୁ କୁହାପୁଛା ନ କରି ମୋର ସେହି କଂସା ଖଣ୍ଡିକ ଉଠାଇ ନେଇ ଚମ୍ପଟ ଦେଲି-। ମୋରି କଂସା ମୁଁ ନେଲି, ଅଥଚ ଏହା ‘ଚୋରି’ ହେଲା । କାରଣ ମୋ ଜିନିଷକୁ ମୁଁ ନେବା ଦ୍ୱାରା ମୁଁ ତୁମର ବେଆଇନ କ୍ଷତି କରିବି ଅର୍ଥାତ୍‌ ତୁମର ମୋ ଉପରେ ଥିବା ବନ୍ଧକ ବାବଦ ପାଉଣା ତୁମଙ୍କୁ ଫାଙ୍କିଦେବି ବୋଲି ମୋର ଉଦ୍ଦେଶ୍ୟ ଥିବାରୁ ଏହା ‘ଚୋରି’ ବୋଲି ଧରାଗଲା । ଅନେକ ସମୟରେ ଦେଖାଯାଏ ଯେ, ସାଧାରଣ କଥାଭାଷାରେ ଆମେ କେତେକ ସ୍ଥଳରେ ‘ଚୋରି’ ଶବ୍ଦ ବ୍ୟବହାର କରୁଁ, କିନ୍ତୁ ଆଇନ ଅନୁସାରେ ତାହା ‘ଚୋରି’ ସଂଜ୍ଞାରେ ପଡ଼ିବ ନାହିଁ । ଗାଈଟିଏ ଏଡ଼େ ପହ୍ନା କାଢ଼ିଛି, ଅଥଚ ତାକୁ ଦୁହିଁଲା ବେଳକୁ ଏତେ ଟିକିଏ କ୍ଷୀର ଦେଲା । ତୁମେ ଗାଈର ବିନା ମଞ୍ଜୁରିରେ ଜବରଦସ୍ତି କରି ତାର ନିଜର ବାଛୁରୀର ବେଆଇନ କ୍ଷତି କରିବା ଏବଂ ତୁମ ନିଜର ଉଦର ପୂର୍ତ୍ତି ଆଦି ଲାଭ କରିବା ଉଦ୍ଦେଶ୍ୟରେ ଗାଈଠାରୁ କ୍ଷୀର ନେବାକୁ ବସିଲା, ତୁମେ ହେଲ ସାଧୁ ପୁରୁଷ, କିନ୍ତୁ ଗାଈ ବିଚାରୀ ଆପଣା ବାଛୁରୀ ପାଇଁ ଟିକିଏ କ୍ଷୀର ସାଇତି ରଖିଲା ବୋଲି ସେ ହେଲା ‘ଚୋରଣୀ ଗାଈ’ ଓ ତାକୁ ଦାଣ୍ଡରେ ସମସ୍ତେ ଅପନିନ୍ଦା (Defamation)ଦେଲେ ଯେ ‘‘ଏ ଗାଈଟା କ୍ଷୀର ଚୋରାଏ !’’ ଗାଈର ପାଟି ଫିଟୁଥିଲେ ଓ ଗାଈ ପାଇଁ ନିରପେକ୍ଷ ବିଚାରକର୍ତ୍ତା ଥିଲେ ଗାଈ ତୁମ ନାମରେ ୩୭୯(ଚୋରି) ଦଫାରେ ଅଭିଯୋଗ କରିପାରନ୍ତା ଓ ତୁମ ସାଇପଡ଼ିଶାଙ୍କ ନାମରେ ୫୦୦(ଅପବାଦ) ଦଫାରେ ନାଲିସ କରନ୍ତା । ଏହିପରି ଅନେକ ଜାଗାରେ ‘ଚୋରି’ ଶବ୍ଦ ବେଆଇନ ବ୍ୟବହାର ହେଉଥିବାର ଦେଖାଯାଏ । ଯଥା– ହାକିମମାନଙ୍କର ‘ଚୋରା ଗସ୍ତ’, ‘ଚୋରା ବସନ୍ତ’, ‘ଚୋରି କବାଟ’, ‘ଚୋରି ଲଣ୍ଠନ’, ଇତ୍ୟାଦି ଇତ୍ୟାଦି– ଲେଖକ ସବୁ ଉଦାହରଣଯାକ ନିଃଶେଷ କରିଦେଲେ ପାଠକେ କଣ କରିବେ ?

 

ମୁଁ ନିଜେ ଦେଖିଛି ଯେ, ମନୁଷ୍ୟ ଅନେକ ସମୟରେ ଆପଣା ଘରେ, ଆପଣା ସମ୍ପତ୍ତିରେ, ଆପଣା ପାରିବାରିକ ଓ ସାଂସାରିକ ସୀମା ମଧ୍ୟରେ ଚୋରି ଆରମ୍ଭ କରିଦିଏ ଓ ସେ ଚୋରି ଧରା ପଡ଼ିଲେ ଭାରି ହଲାପଟା ହୁଏ । ଦାଣ୍ଡ ଚୋର ଧରା ପଡ଼ିଲେ ସେ ବିଚରା ବିଧାଟିଏ, କହୁଣିଆଟିଏ ପାଇ ତା ଦୁଷ୍କୃତର ପ୍ରାୟଶ୍ଚିତ୍ତ କରେ । କିନ୍ତୁ ଏ ଚୋରି ଧରା ନ ପଡ଼ୁ ପଛକେ, ସନ୍ଦେହ ହେଲେ ସୁଦ୍ଧା ତୁମ କପାଳରେ ବାର ଅବସ୍ଥା ଭୋଗ ହୁଏ ।

 

ଏହି ପ୍ରସଙ୍ଗ ଟିକିଏ ସାଫ ସୁତରା କରିବାର ଯୋ ନାହିଁ । ବୃଦ୍ଧ ଚାଣକ୍ୟ ହୁଲର ପକାଉଅଛନ୍ତି– ‘‘ଆୟୁର୍ବିତ୍ତଂ ଗୃହଚ୍ଛିଦ୍ରଂ ।’’ ଏପରି ସ୍ଥଳରେ ନିଜର ପାରବାରିକ ବା ସାଂସାରିକ ଅନୁଭବ ପଦାରେ ପ୍ରକାଶ କରିବାକୁ ଗଲେ ଲୋକେ କହିବେ, ଏ ଲୋକଟା ବାତୁଳା ଘରଲୋକେ କହିବେ, ‘ମଲା ! ଆପଣା ମହତ ପଦାରେ ପକାଇବାକୁ ୟାଙ୍କୁ ସରମ ନାହିଁ !’ ସଂସାରରେ ଲୋକେ ‘‘ପରୋପଦେଶେ ପାଣ୍ଡିତ୍ୟଂ’ କରିବାକୁ ଭାରି ତିଆର । କଥାରେ କହନ୍ତି, ‘‘ବୁଦ୍ଧି ନ ଆସେ ଘରକୁ, ବତେଇ ଦିଏ ପରକୁ ।’’ ମୋ ଘରେ ଅନେକ ଅଭିନବ କାଣ୍ଡ ଘଟୁଛି, ଅଥଚ ମୁଁ ଚାହେଁ ଯେ ସେଗୁଡ଼ାକ ମୋ ଘରବାଡ଼ିର ସୀମା ନ ଟପୁ । କିନ୍ତୁ ତୁମ ଘରେ ଜିରାଟିଏ ଫୁଟିଲା, ସେତେବେଳକୁ ଦେଖ ମୋର ‘ପରୋପଦେଶେ ପାଣ୍ଡିତ୍ୟଂ, ଦେଖ ମୋର ମୁରବୀ ପଣିଆ, ଦେଖ ମୋର ଆସ୍ଫାଳନ-! ଏହି ଆସ୍ଫାଳନ ପାଇଁ ଲେଖକକୁ ମିଳିଥିଲା ‘‘ଦୁନିଆର ହାଲଚାଲ ।’’ ବର୍ତ୍ତମାନ ସେ ବାଟ ବନ୍ଦ-

 

‘‘ଆପଣା ହସ୍ତେ ଜିହ୍ୱା ଛେଦି, କେ ତାର ଅଛି ପ୍ରତିବାଦୀ ।’’ ‘‘ଆମ ଘରର ହାଲଚାଲ’’ ଚାଣକ୍ୟଙ୍କ ପିଙ୍ଗଳ କୋଡ଼ ଆଗରେ ଧରା । ଏଥିପାଇଁ ଲେଖକକୁ ଅନେକ ସମୟରେ ଇତସ୍ତତଃ ହେବାକୁ ପଡ଼େ । କିନ୍ତୁ ଯେତେବେଳେ ‘ଘରର ହାଲଚାଲ’ର ଭେକ ନେବାକୁ ହୋଇଅଛି, ସେତେବେଳେ ଦିହରେ ଯାଉ ନ ଯାଉ, ସେ ଭେକ ଧରି ଭିକ ମାଗିବାକୁ ହେବ । ଆପଣ ‘‘ଘର’’ ଏହି ଶବ୍ଦଟି କହିଲେ ସେଥିରେ ଆପଣାର ଘରବାଡ଼ି ଓ ହତା ଫାଟକର ସୀମା ମଧ୍ୟରେ ବାସ କରୁଥିବା କେତେଗୁଡ଼ିଏ ପାରିବାରିକ, ସାଂସାରିକ, ବୈଷୟିକ, ବ୍ୟାବସାୟିକ ଜୀବଙ୍କୁ ତହିଁର ଅନ୍ତର୍ଭୁକ୍ତ କରିବାକୁ ହେବ । ଫଳତଃ ଆପଣାର ଘର ସଙ୍ଗେ ସଂଶ୍ଳିଷ୍ଟ ଓ ସଂଶ୍ଳିଷ୍ଟ ‘ଘରଆଡ଼’ ପରିବାର, କୁଟୁମ୍ୱ, ସପିଣ୍ଡ, ସମାନୋଦକ, ବନ୍ଧୁ, ସହଚର, ସମସ୍କନ୍ଧ, ସମଧର୍ମା, ପିତୃପିତାମହ, ପ୍ରପିତାମହାଦି ବଡ଼ବଡ଼ୁଆଙ୍କଠାରୁ ଆରମ୍ଭ କରି ପୁତ୍ର ପୌତ୍ର ପ୍ରପୌତ୍ରାଦି ପିଲାପିଲି ପର୍ଯ୍ୟନ୍ତ ସ୍ତ୍ରୀ ପୁଂ ନପୁଂସକ ଲିଙ୍ଗବାଚକ ପ୍ରାଣୀ ଓ ଆପଣା ଘରେ କାମ ଚଳାଉଥିବା ମେନେଜର, ତହସିଲଦାର, ଜମାଦାର, ମାଷ୍ଟରଙ୍କଠାରୁ ଧରି ଘରର କୋଠିଆ, ହଳିଆ, ରାଜ, ମୂଲିଆ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଆଚାର ବ୍ୟବହାର ଓ କାର୍ଯ୍ୟକଳାପକୁ ଆଲୋଚନା କରିବାକୁ ହେବ । ଏଥିଲାଗି କଥାଟା କିପରି କହିଲେ ଲେଖକତ୍ୱର ଗାରିମା ରହିବ, ଏଣେ ଗୃହଛିଦ୍ର ପଦାରେ ପ୍ରକାଶ ନ ହେବ ଓ ସେଥିଲାଗି ଘରଆଡ଼େ ହଲାପଟା ପାଇବାକୁ ନ ହେବ, ଏହାହିଁ ଲେଖକ ଭାବି କଥାଟାର ସୂଚନା ମାତ୍ର ଆରମ୍ଭ କରି ଏ ସଂଖ୍ୟା ‘ସାହିତ୍ୟିକ ଦାୟିତ୍ୱ’ରୁ ଖଲାସ ପାଇଲା । ଏହି ‘‘ମୁଁ ଖାଉଥାଏ ମୋହର ଭାତ, ତୋର କିଆଁ ଗାଲରେ ହାତ ।’’

 

ନୀତିବଚନ ବହିର୍ଭୂତ ‘‘ଆପଣା ପଦାର୍ଥରେ ଆପେ ଚୋରି କରିବା’’ ଉଦାହରଣକୁ ଖୋଲି କରି ନ ଲେଖି ଯେ ଯାହାର ଅନୁଭବରେ ଏପରି ଚୋରି କରୁଅଛନ୍ତି, ସେମାନେ ନିଜେ ନିଜେ ଚିନ୍ତା କରିବା ନିମନ୍ତେ ପାଠକ ପ୍ରପାଠକମାନଙ୍କୁ ଅବସର ମିଳିବ ଓ ଭବିଷ୍ୟତରେ ଏ ପ୍ରସଙ୍ଗର ବ୍ୟାଖ୍ୟା କରିବା ନିମନ୍ତେ ଲେଖକ ନିଜର ଅନୁଭବସିଦ୍ଧ ଘଟନାମାନ ଯୋଗ କରିବାକୁ ସୁବିଧା ଓ ମାଲ ମସଲା ପାଇବ ବୋଲି ଆଶାକରି ଆଜି ଏତିକିରେ ଖଲାସ ।

 

(୨୧ଶ ଭାଗ । ୧୩୨୪ । ୫ମ ସଂଖ୍ୟା)

 

ଗତ ସଂଖ୍ୟା ‘ସାହିତ୍ୟ’ରେ ଲୋକେ ସଂସାରରେ ନିଜ ଧନରେ ନିଜେ କିପରି ଚୋରି କରନ୍ତି, ଏହି କଥାର ଅବତାରଣା କରିଥିଲି ଓ ସେହି ପ୍ରସଙ୍ଗରେ ବୃଦ୍ଧ ଚାଣକ୍ୟଙ୍କୁ ନଜିର ଦେଇ କହିଥିଲି ଯେ, ‘ଆୟୁର୍ବିତ୍ତଂ ଗୃହଛିଦ୍ରଂ’ ପଦାରେ ପ୍ରକାଶ କରିବା ଅନୁଚିତ । ପରକଥା କହିବାକୁ ହେଲେ ପିଙ୍ଗଳକୋଡ଼ର ଦଫା ଆଡ଼କୁ ନଜର ରଖି କାମ କରିବାକୁ ହୁଏ । କିନ୍ତୁ ଆପଣା ଘରର ହାଲଚାଲ ଦାଣ୍ଡରେ କହିବାକୁ ଗଲେ ଲୋକ ଗାଇ ବଜାଇ ଆପଣା ଘରକଥା ପଦାରେ ପକାଏ । ଲୋକେ ଢଗରେ କହନ୍ତି, ‘‘ସଲଜ୍ଜ ଗାଏ, ନିଲଜ୍ଜ ଗାଏ, ଅତି ନିଲଜ୍ଜ ନାଚି ନାଚି ଯାଏ ।’’ ଯେ ଆପଣା ଘର କଥା ଦାଣ୍ଡ ଲୋକଙ୍କ ଆଗରେ କହେ, ତାଠାରେ ଏହି ମାର୍କା ମରାଯାଏ । କିନ୍ତୁ ଜଣକର ମର୍ଯ୍ୟାଦାରେ ଜଳାଞ୍ଜଳି ଦେଇ କୌଣସି ଘରକଥା ପ୍ରକାଶ କଲେ ଯେବେ ତଦ୍ଦ୍ୱାରା ବିନା ପିଙ୍ଗଳକୋଡ଼ିର ଆଶ୍ରାରେ ଆପଣା ଶ୍ରେଣୀର ଆଉ ପାଞ୍ଚଜଣଙ୍କ ଆଖି, କାନ, ଫିଟେ, ତେବେ ମନୁଷ୍ୟ ନିଜ କ୍ଷୁଦ୍ର ସୀମାରେ କିଛି କାର୍ଯ୍ୟ କରିବାକୁ ସମର୍ଥ ହେଲା ବୋଲି ମନରେ ଆନନ୍ଦ ଲାଭ କରେ ।

 

ସାଧାରଣରେ ଦେଖାଯାଏ, ଯେଉଁ ପଦାର୍ଥ ବା ଜୀବ ଡେଙ୍ଗରେ ଯେତିକି ବଢ଼େ, ତା ଉପରେ ସମସ୍ତଙ୍କ ନଜର ତେତିକି ଅଧିକ ପଡ଼େ । ଏ ନିୟମ ସଜୀବ ଓ ନିର୍ଜୀବ ଉଭୟଙ୍କର ଏକ । ସମାଜ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଦେଖୁଥାଇଁ ଯେ, ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ । ଅନ୍ୟ ସବୁ ରଙ୍ଗ ବିଶିଷ୍ଟ ପଦାର୍ଥ ଦେହରେ ପୁଳାଏ ମଇଳା ଲାଗୁ, ତା ପ୍ରତି କାହାରି ଆଖି ପଡ଼େ ନାହିଁ; କିନ୍ତୁ ବାସି ଧୋବ ଲୁଗାରେ ସୋରିଷ ଆକାରରେ କଳା ଟୋପାଏ ଲାଗିଲା ମାତ୍ରକେ ଲୋକଙ୍କ ଆଖିଟା ପହିଲେ ସେହିଠାକୁ ଟାଣି ହୋଇଯାଏ । ଡେଙ୍ଗା ଗଛରେ ଚଡ଼କ ପଡ଼େ । ଡେଙ୍ଗା ଗଛ ଉପରେ ତୋଫାନର ପହିଲି ମାଡ଼ ପହଞ୍ଚେ । ଏଥିପାଇଁ ବିଜ୍ଞାନ ବଳରେ ଡେଙ୍ଗା ଜିନିଷ ଓ ମନ୍ଦିର ଆଦିକୁ ପବନ ଓ ଚଡ଼କର ଦାଉରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଲୋକେ ବୈଜ୍ଞାନିକ ପଞ୍ଜରା ଆବିଷ୍କାର କରିଅଛନ୍ତି । ସମାଜ ଓ ବ୍ୟବସାୟ କ୍ଷେତ୍ରରେ ଦେଖାଯାଏ ଯେ, ଯେଉଁ ଲୋକ ଆପଣା ଦିହକୁ ନ କିଳି ଡେଙ୍ଗରେ ବଢ଼େ, ସେ ଦିନେ ଠେଙ୍ଗାଏ ପାଏ । (ନୋଟ ! ‘ଦିହ କିଳିବା’ ଶବ୍ଦଟି ଟିକିଏ ଖୋଲାସା କରି ବୁଝାଇଦେବା ଉଚିତ । ‘କିଳିବା’ ଶବ୍ଦ କବାଟ ଆଦି ସମ୍ୱନ୍ଧରେ ବ୍ୟବହାର କରାଯାଏ । କବାଟ କିଳିଦେଲେ ସେ ଘରେ ଚୋର ପଶି ପାରନ୍ତି ନାହିଁ । ସେହିପରି ମନୁଷ୍ୟକୁ ଗୁଣି ଗାରିଡ଼ି ମନ୍ତ୍ରଯନ୍ତ୍ର ନ କାଟିବ ବୋଲି ଗୁଣିଆମାନେ ମନୁଷ୍ୟ ଦିହକୁ କିଳି ଦିଅନ୍ତି ଓ ଯାହାର ଦିହ କିଳା ହୋଇଥାଏ, ତା ବିରୁଦ୍ଧରେ ଯେତେ ଗୁଣି ଗାରିଡ଼ି ମନ୍ତ୍ରଯନ୍ତ୍ର ପ୍ରୟୋଗ କର, ସେସବୁ ବୃଥା ହୋଇଯାଏ । ସେହିପରି ସମାଜରେ ଓ ବ୍ୟବସାୟ କ୍ଷେତ୍ରରେ ଯେ ଡେଙ୍ଗାରେ ବଢ଼େ, ସାମାଜିକ ଓ ସାଂସାରିକ ତୋଫାନ ଦାଉରୁ ଆପଣା ମୁଣ୍ଡକୁ ‘ଅକାଟୁ’ କରିବା ଉଦ୍ଦେଶ୍ୟରେ ସେ ଯେବେ ଇଷ୍ଟଦେବତାଙ୍କୁ ପ୍ରସନ୍ନ କରାଇ ନିଜର ଦେହ ନ କିଳେ, ତେବେ ତାହା ମୁଣ୍ଡରେ ଠେଙ୍ଗା ପ୍ରହାର ଅବଶ୍ୟାମ୍ଭାବୀ । ଯାହା ଦେହ ଆଧୁନିକ ଯୁଗସୁଲଭ ଉପାୟରେ କିଳା ହୋଇଥାଏ, ସେ ଯେଡ଼େ ଇଚ୍ଛା ସେଡ଼େ ଡ଼େଙ୍ଗା ହେଉ ପଛକେ, ତା ଉପରେ ସାମାଜିକ ଝଡ଼ ଓ ଚଡ଼କ ପଡ଼େ ନାହିଁ-। ମୁଁ ନିଜେ ଅନୁଭବରେ ଦେଖିଅଛି ଯେ, ଜଣେ ଜଣେ ମୋଠାରୁ ଅଧିକ ଡେଙ୍ଗା ବ୍ୟକ୍ତି କେତେ କେତେ ରକମର ଅଲରା ଅଳିଆ ମୁଣ୍ଡରେ ବୋହୁଛନ୍ତି– ଅଥଚ ତାଙ୍କ ମୁଣ୍ଡରେ କାହାରି ଚୋଟ ବସୁ ନାହିଁ । କିନ୍ତୁ ମୁଁ ତହିଁର କାଣିଚିଆ କୌଣସି ଆଲୁ ବାଲୁ କାମ କରିବା ମାତ୍ରକେ ମେ ମୁଣ୍ଡରେ ଶହେ ଠେଙ୍ଗା ବସିଯାଉଛି । ଏଥିର କାରଣ କଣ ? ମୋଠାରୁ ଅଧିକ ଡେଙ୍ଗା ଅଭିଜ୍ଞ ବ୍ୟକ୍ତି ସାମାଜିକ ପ୍ରକ୍ରିୟାରେ ଦେବତାରାଧନା କରି ନିଜର ଦେହଟି ‘କଳି’ ଆପଣା ଦିହକୁ ‘ଅକାଟୁ’ କରିପାରି ଅଛନ୍ତି, କିନ୍ତୁ ମୁଁ ତାହା ପାରି ନାହିଁ । ମୁଁ ମଧ୍ୟ ଅନୁଭବରୁ ଶିକ୍ଷା ଲାଭ କରି ଯେଉଁ କ୍ଷେତ୍ରରେ ମୁଁ ମୋ ଦିହ କିଳିବାକୁ ସମର୍ଥ ହୋଇଅଛି, ସେଠେଇଁ ଦେଖିଛି ଯେ, ମୁଁ କେତେ ପ୍ରକାର ଅସନଟିଆ କାମ କରି ସୁଦ୍ଧା ମୋ ଦିହଟି ଅକାଟୁ ହୋଇଅଛି । ଅଥଚ ମୋଠାରୁ କମ ଡେଙ୍ଗା ଲୋକେ ମୋ ପରି ସିଆଣା ନୁହନ୍ତି ବୋଲି ସମାଜର ସବୁ ଚୋଟଯାକ ତାଙ୍କରି ଉପରେ ଓ ସେମାନେ ‘ନ ଖାଇ ନ ପିଇ କଇଥା ଚୋର’ ହେଉଅଛନ୍ତି । ଏଥିପାଇଁ କହନ୍ତି– ଧୋବଧାଉଳିଆ ଚେରି କରନ୍ତି, ରଙ୍କୁଣୀ ଦେଖିଲେ ମାରି ଗୋଡ଼ାନ୍ତି । ଅର୍ଥାତ୍‌ ଧୋବଧାଉଳିଆଙ୍କୁ ଦିହ କିଳି ଆସେ । ରଙ୍କୁଣୀ ବିଚାରି ସେ କଦର ଓ ସେ ମନ୍ତ୍ର ଜାଣେ ନାହିଁ । ସମାଜରେ ଯେତେଗୁଡ଼ିଏ ଉପାୟ କରି ମୋ ଦିହ ମୁଁ କିଳି ପାରିଅଛି, ସେଗୁଡ଼ିକ ପାଠକମାନଙ୍କୁ ଉପହାର ଦେବାପାଇଁ ମୋର ଭାରି ଇଚ୍ଛା ହୋଇଅଛି । କିନ୍ତୁ ମୁଁ ଏ ପର୍ଯ୍ୟନ୍ତ କୌଣସି ପ୍ରକ୍ରିୟାରେ ସିଦ୍ଧି ଲାଭ କରିପାରି ନାହିଁ ବୋଲି ମୋ ଭଳି ‘ଖଣ୍ଡିଉଡ଼ା’ ଦେବା ବ୍ୟକ୍ତିଙ୍କ ଉପକାରାର୍ଥେ କେତେଗୁଡ଼ିଏ ଗୁପ୍ତ ମନ୍ତ୍ର ପ୍ରକାଶ କଲି । ଯେଉଁମାନଙ୍କର ଗୁଣିଗାରିଡ଼ିରେ ଅଭିଜ୍ଞତା ଅଛି, ସେମାନେ ଅବଶ୍ୟ ଜାଣିଅଛନ୍ତି ଯେ, କୌଣସି ମନ୍ତ୍ର ଯନ୍ତ୍ର ପ୍ରୟୋଗ କରିବାକୁ ହେଲେ ସେଥିପାଇଁ କେତେଗୁଡ଼ିଏ ଉପକରଣ ଓ ଚଣ୍ଡୀ ଚାମୁଣ୍ଡାଙ୍କ ପୂଜା ଓ ବଳି ସାମଗ୍ରୀ ଦରକାର । ସେହିପରି ଏ ଦିହ କିଳିବା ପାଇଁ କେତେଗୁଡ଼ିଏ ସାମଗ୍ରୀ ଓ କାର୍ଯ୍ୟ ଦରକାର ।

 

୧ମ କାର୍ଯ୍ୟ–ଗ୍ରାମ ଦେବତାଙ୍କ ମାଜଣା । ଆମ ସମାଜରେ କୌଣସି ମଙ୍ଗଳ କାର୍ଯ୍ୟ କରିବା ପୂର୍ବରୁ ଗୃହସ୍ଥ ଗ୍ରାମଦେବତା ଠାକୁରାଣୀଙ୍କୁ ମାର୍ଜନା କରେ– ସେହିପରି ମଧ୍ୟ ଗ୍ରାମରେ ମାରୀଭୟ, ବସନ୍ତ ଆଦି ହେଲେ ଠାକୁରାଣୀ ମାଜଣା କରାଯାଏ । ସମାଜ ଓ ବ୍ୟବସାୟରେ ମଧ୍ୟ ସେହିପରି ଗୁଡ଼ିଏ ପୂଜା ଓ ଅପୂଜା ଗ୍ରାମଦେବତା ଓ ବଣଦେବତା ଅଛନ୍ତି । ସେଗୁଡ଼ିକଙ୍କୁ ଯଥୋପଚାରରେ ପୂଜା ନ କଲେ କୌଣସି ସାମାଜିକ ବା ବ୍ୟାବସାୟିକ ଗୁଣିଗାରିଡ଼ି ପ୍ରୟୋଗ କରି ହେବ ନାହିଁ । ଗ୍ରାମଦେବତାମାନଙ୍କ ବିଜେସ୍ଥଳୀ ବାଟ ଦେଇ ଯିବା ଆସିବା କରିବା ବେଳେ ଓ ତାଙ୍କୁ ମୁଣ୍ଡିଆଟାଏ ମାରିବା ଅବଶ୍ୟ କର୍ତ୍ତବ୍ୟ । ଆଉ ତୁମ ଭାଗ୍ୟକୁ ଯେବେ ଗ୍ରାମଦେବତା ତୁମ ଉପରେ ପ୍ରସନ୍ନ ହୁଅନ୍ତି, ତେବେ ସେ ନିଶାରାତିରେ ଜଗତ୍‌ ପ୍ରଦକ୍ଷିଣ କରିବାକୁ ବାହାରିଲା ବେଳେ ଯେବେ ତୁମେ ତାଙ୍କର ଦର୍ଶନ ପାଇବ, ତେବେ ତୁମ ଦେହରେ ତାଙ୍କ ଶ୍ରୀହସ୍ତର ଗଉରୀ ବେତ ଲାଗିଗଲେ ତୁମେ ଚିରକାଳ ସକାଶେ ଅକାଟୁ ହୋଇଯିବ । ଆମର ଆଧୁନିକ ସଂସାର ଦେବତାମାନେ ‘ଉଦ୍ୟାନ ସମ୍ମିଳନ’ (ଗାର୍ଡ଼ନ ପାର୍ଟି), ସାନ୍ଧ୍ୟ ମିଳନ (ଇଉନିଙ୍ଗ ପାର୍ଟି, ଚାହା ସମ୍ମିଳନ (ଟି ପାର୍ଟି), ଭୋଜନ ମିଳନ (ଡିନର ପାର୍ଟି)କୁ ଭାରି ଭଲ ପାନ୍ତି । ପୁରୁଣାକାଳିଆ ଗ୍ରାମଦେବତାମାନଙ୍କ ଭଳିଆ ଏମାନେ ଉଦରମ୍ଭରୀ ଓ ଏକୁଟିଆ ବାରହା ନୁହନ୍ତି । ଏମାନେ ୫ ଜଣ ସାମାଜିକ ଜୀବଙ୍କ ସଙ୍ଗେ ଉପରୋକ୍ତ ପୂଜାମାନ ପାଇବାକୁ ଭଲ ପାନ୍ତି । ଏସବୁ ଆୟୋଜନ ପାଇଁ ଯେଉଁ ଯେଉଁ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ଦରକାର, ତହିଁର ଡାବ ଅଛି । ସେ ଡାବ ଗୁଡ଼ିଏ ସଂଗ୍ରହ କରିପାରିଲେ ଯେଉଁ ଅନୁଷ୍ଠାନ ପାଇଁ ଯେଉଁ ଡାବ ଦରକାର, ତାହା ବାଛି ବାଛି ‘କ୍ଷେତ୍ରେ କର୍ମ ବିଧୀୟତେ’ । ଏହି ଦେବତାମାନଙ୍କୁ ଭେଟିବା ସକାଶେ ପଣେ ଦେଢ଼ ପଣ ସାକ୍ଷୀଗୋପାଳଙ୍କୁ ନିମନ୍ତ୍ରଣ କରିବାକୁ ହେବ । ଆମନ୍ତ୍ରିତ ବ୍ୟକ୍ତିଗଣ ଭେକ ପିନ୍ଧି ଏ ସମ୍ମିଳନରେ ଯୋଗ ଦେବେ ଓ ଦେବତା ଦେଖିପାରିବେ ଯେ, ତୁମର ଏତେଗୁଡ଼ିଏ ଲୋକଙ୍କ ଉପରେ ଆଧିପତ୍ୟ, ଅଧିକାର, ସମ୍ପର୍କ ଓ ପ୍ରଭୃତ୍ୱ ଅଛି । ଠାକୁରାଣୀ ମାଜଣା ଓ ଠାକୁରାଣୀ ପୂଜା ସରିଲେ ଏମାନେ ମଧ୍ୟ ଭୋଗ ପାଇବେ ଓ ହରିବୋଲ ଦେବେ । କିନ୍ତୁ ଯେଉଁ ଦେବତାଙ୍କୁ ଭେଟିବା ସକାଶେ ଏମାନଙ୍କୁ ନିମନ୍ତ୍ରଣ ହୋଇଥିବ, ତାଙ୍କ ସଙ୍ଗେ ଏମାନଙ୍କର ‘ଭେଟ’ ନଦାରଦ । ମୋର ବହୁ ଭାଗ୍ୟକୁ ଏହିପରି ଗୋଟିକେତେ ଠାକୁରାଣୀ ମାଜଣାରେ ମୋତେ ଡାକରା ହୋଇଥିଲା । ମୋ ଭଳିଆ ଆଉ ପଣେ ଖଣ୍ଡେ ପଗଡ଼ିଦିଆ ମୁଣ୍ଡ ସେଠାରେ ରୁଣ୍ଡ ହୋଇଥିଲେ । ଯେଉଁ ଗୁଣିଆ ଆମଙ୍କୁ ସେ ଦେବତାମାନଙ୍କୁ ଭେଟିବାକୁ ଆମନ୍ତ୍ରଣ କରିଥିଲେ, ସେ ଦେବଦେବୀଙ୍କ ପଞ୍ଚୋପଚାରରେ ବ୍ୟସ୍ତ ରହିଲେ ଓ ଆମେ ପଞ୍ଝାକୁପଞ୍ଝା ଶେଉଳ ମାଛ ଜାଆଁଳ ଭଳି ମନ୍ଦା ଧରି ସେଠାରେ ଖେଳୁଥାଉଁ । ଦେବତାଙ୍କୁ ଭେଟିବା ଦୂରେ ଥାଉ, ଦେବତାଙ୍କ ଦେହର ଚୁଆ ହଳଦୀ ଗନ୍ଧ ସୁଦ୍ଧା ଆମେ ପାଇଲୁଁ ନାହିଁ । ଦେବତା ମାଜଣା ଓ ପୂଜା ଶେଷ ହେଲାରୁ ଆମ୍ଭେମାନେ ନୈବେଦ୍ୟ ସାମଗ୍ରୀରୁ କିଛି କିଛି ଉଦରସ୍ଥ କରି ପୂର୍ଣ୍ଣପେଟରେ ଘରକୁ ଫେରିଲୁଁ ଓ ଦେଖିଲୁ ଯେ, ଆମ ସର୍ଦ୍ଦାର ଗୁଣିଆ ଏହି ମାଜଣା ଦ୍ୱାରା ଆପଣା ଦିହକୁ କିଳିନେଲେ ଓ ଦେବତା ତାଙ୍କ ଉପରେ ଭାରି ପ୍ରସନ୍ନ ହୋଇ ତାଙ୍କ ଦିହରେ ଗଉରୀବେତ ଲଗାଇ ଦେଇ ତାଙ୍କୁ ବର ଦେଇ ଚାଲିଗଲେ । ଦିହକୁ ଅକାଟୁ କରିବାକୁ ହେଲେ ଏପରି ‘ଠାକୁରାଣୀ ମାଜଣା’ ଠାରୁ ବଳି ପ୍ରକୃଷ୍ଟ ଉପାୟ ଆଧୁନିକ ସମାଜରେ ନାହିଁ।

 

୨ୟ କାର୍ଯ୍ୟ– ଦେବତାଙ୍କ ଅଙ୍ଗ ସମସ୍ତେ ଛୁଇଁବେ ନାହିଁ, ସେଥିପାଇଁ ଦେବତାଙ୍କ ଶ୍ରୀଅଙ୍ଗ ଛୁଇଁ ତାଙ୍କୁ ମାଜଣା କରିବା ସକାଶେ ଜଣେ ମାଳୀ ବା ମାଲୁଣୀ ଠିକଣା କରିବାକୁ ହେବ । ଯେଉଁମାନେ ଗୁଣିଗାରିଡ଼ି ଜାଣନ୍ତି, ସେମାନେ ଅବଶ୍ୟ ‘‘ନିତୈମା ଧୋବଣୀ, ପିତୈମା ପତର ସଉରୁଣୀ’’ ଙ୍କ ନାମ ଶୁଣିଥିବେ– ଗୁଣିଗାରିଡ଼ି ବଳରେ ଏହିମାନେ ଦେବତାଙ୍କୁ ଏପରି ବଶ କରିଅଛନ୍ତି ଯେ, ଏମାନଙ୍କ ନାମ ଶୁଣିବା ମାତ୍ରକେ ଦେବତା ପ୍ରସନ୍ନ ହୋଇଯାନ୍ତି । ଏହିମାନଙ୍କ ହାତ ଲାଗିବା ମାତ୍ରକେ ଦେବତାଙ୍କ ଶ୍ରୀଅଙ୍ଗରୁ ଆଳସ୍ୟ ଛାଡ଼ିଯାଏ । ତୁମେ ହଜାରେ ଆୟୋଜନ କର, ହଜାରେ ଟଙ୍କା ଖରଚ କର, କିନ୍ତୁ ଦେବତାଙ୍କର ଶ୍ରୀଅଙ୍ଗ ସଙ୍ଗେ କାରବାର କରିବା ପାଇଁ ଦିଓଟି ଗୋଟିଏ ନିତୈମା, ପିତୈମା ଠିକଣା କରି ନ ପାରିଲେ ତୁମର ସବୁ ପରିଶ୍ରମ ବୃଥା ହେଲା । ଏହିମାନେ ହେଲେ ଦେବତାଙ୍କର ମୁହୁଣ୍ଡା । ଦେବତା ଯାହା ଆଜ୍ଞା କରିବେ, ସେ ଆଜ୍ଞାମାନ ଏହିମାନଙ୍କ ମୁହଁ ଦେଇ ବାହାରିବ । ଏହିମାନେ ଦେବତାଙ୍କ ଆଜ୍ଞାମାଳ ଓ ଗଉରୀବେତ ଏ ସଂସାରରେ ବୁଲାଇବାର ଅଧିକାରିଣୀ ଅଟନ୍ତି । ଏମାନେ ହେଲେ ଦେବତାଙ୍କର ‘କାଳସୀ’ । ବିନା କାଳିସୀରେ ଦେବତା ‘ଉଭା’ ହେବେ ନାହିଁ । ଯାହାଙ୍କ ଭାଗ୍ୟକୁ ଏପରି ଗୋଟାଏ ଖଣ୍ଡେ କାଳିସୀ ମିଳିଯାନ୍ତି, ସେ ଯେତେବେଳେ ବିଚାରିବେ, ସେତେବେଳେ ଦେବତାଙ୍କୁ ଉଭା କରାଇ ପାରନ୍ତି, ଦେବତାଯାକ ତାଙ୍କ ବାରିଦୁଆର ଖରକିବା ପର୍ଯ୍ୟନ୍ତ ଖଟିଥାନ୍ତି ଓ ଏପରି ଭାଗ୍ୟବାନମାନଙ୍କୁ କୌଣସି ପ୍ରକାର ସାମାଜିକ କିମିଆ କାଟୁ କରେ ନାହିଁ ।

 

୩ୟ-ଉପକରଣ ସଂଗ୍ରହ– ସଭ୍ୟତା ବୃଦ୍ଧି ସଙ୍ଗେ ଦେବତାମାନଙ୍କର ଆଚାର ଓ ରୀତିନୀତି ଯେଉଁପରି କ୍ରମଶଃ ପରିବର୍ତ୍ତିତ ହେଉଅଛି, ଧୂପ ଦୀପ, ଯାନବାହାନ ଇତ୍ୟାଦି ମଧ୍ୟ ତଦନୁରୂପ ଆଧୁନିକ ରୂପ ଧାରଣ କରୁଅଛି । ରମ୍ଭା, ରସାଳ, ନାରିକେଳ ସ୍ଥଳରେ ଅଙ୍ଗୁର, କିସ୍‌ମିସ, ବାଦାମ, ପିସ୍ତା, ଆପୋଲ, ବେରି ଇତ୍ୟାଦି; ଘିଅ ଦୀପ ପରିବର୍ତ୍ତରେ ଗ୍ୟାସବତୀ ବା ବିଜୁଳିବତୀ; ଝୁଣା ଧୂପ ପରିବର୍ତ୍ତରେ ମହତାପ; ଚକ୍ରି, ଆସମାନ ଗୋଲା ଆଦି ମଧ୍ୟସ୍ଥ ବାରୁଦର ଧୂପ; ପଇଡ଼ପାଣି ଓ ଅଧରପଣା ପରିବର୍ତ୍ତରେ ସେରି; ସାମ୍ପେନ, ପୋର୍ଟ, ମେଡ଼ିରା ଆଦି ପ୍ରପାନକ; ଗଦ୍ଧ-ଚନ୍ଦନ ପରିବର୍ତ୍ତରେ ଲାଭେଣ୍ଡର, ଏସେନସ୍‌, ଓଡ଼ିକଲୋନ, ପମେଟମ୍‌, ଫେସ୍‌କ୍ରିମ ଇତ୍ୟାଦି; ଗାମୁଛା ପିନ୍ଧା ପୂଜକ ଗୋସାଇଁ ମହାପ୍ରଭୁଙ୍କ ପରିବର୍ତ୍ତରେ ପୋଷାକ-ତକମା-ପଟି-ଧାରୀ ଖାନସମା ବବୁରୁଚି; ସ୍ତବ ସ୍ତୋତ୍ର ପରିବର୍ତ୍ତରେ ଆଡ଼୍ରେସ୍‌; ଟୋଷ୍ଟ ଆଦି ଚିତ୍ତାକର୍ଷକ ବୋଲି; ବୀଣା ପରିବର୍ତ୍ତରେ ପିଆନୋ, ହାରମନିଅମ୍‌; ବିମାନ ଓ ରଥ ପରିବର୍ତ୍ତରେ ମଟର ଓ ଘୋଡ଼ାଗାଡ଼ି ଆଦି ଏହିପରି ଆଧୁନିକ ଉପକରଣ ସାଜସଜ୍ଜା ଧୂପଦୀପ ନୈବେଦ୍ୟ ଗନ୍ଧପୁଷ୍ପ ଯୋଗାଡ଼ କରି ଆଧୁନିକ ଦେବତାଙ୍କର ପୂଜା କରାଗଲେ ରାଜାନାଂ ରାଜପୁତ୍ରଂ ବା ରଜମନ୍ତ୍ରିଣମେବ ବା ରାଜ୍ୟଂ ବା ସର୍ବବିଘ୍ନେଶୋ ବଶଂ କୁର୍ଯ୍ୟାତ୍‌ସରାଷ୍ଟ୍ରକଂ । ଫଳ ପ୍ରାପ୍ତିରେ ମଧ୍ୟ ବିଳମ୍ୱ ଘଟେ ନାହିଁ । ପକ୍ଷ, ମାସ, ତ୍ରିମାସରେ ଫଳ ମିଳିଯାଏ । ନିତାନ୍ତ ‘‘ଷଡ଼୍‌ଭିର୍ମାସୈର୍ବରଂ ଲଭେତ୍‌ । ସଂବତ୍ସରେଣ ସଂସିଦ୍ଧିଂ ଲଭତେ ନାତ୍ର ସଂଶୟଃ ।’’ ଏ ସମ୍ୱନ୍ଧରେ ଏଠାରେ ଏତିକିମାତ୍ର ନିବେଦ୍ୟ ଯେ, ଗୃହ ଦେବତା, ଗ୍ରାମ ଦେବତା, ନଗର ଦେବତା, ବନ ଦେବତା, ପ୍ରଗନ୍ନା ଦେବତା, ଥାନା ଦେବତା, ସବଡ଼ିଭିଜନ ଦେବତା, ବିଭାଗ ଦେବତା, ପ୍ରବେଶ ଦେବତା, ଦେଶ ଦେବତା, ମହାଦେଶ ଦେବତା, ସାମ୍ରାଜ୍ୟ ଦେବତା; ଜଳ ଦେବତା, ସ୍ଥଳ ଦେବତା, ଇଷ୍ଟ ଦେବତା, ଅନିଷ୍ଟ ଦେବତା; ଏହିପରି ଭିନ୍ନ ଭିନ୍ନ ଇଲାକାରେ ଭିନ୍ନ ଭିନ୍ନ କରାମତ ବିଶିଷ୍ଟ ଦେବତା ଅଛନ୍ତି– ଭିନ୍ନ ଭିନ୍ନ ଦେବତାଙ୍କର ଭିନ୍ନ ଭିନ୍ନ ପୂଜାପଦ୍ଧତି, ପୂଜକ, ପୂଜୋପକରଣ ଆଦି ଅଛି । ସେଗୁଡ଼ିକ ଠିକଣା କରି ଗୋଟିଏ ପୂଜକ ଠିକଣା କରି ପାରିଲେ ଜାରଣ, ମାରଣ, ବଶୀକରଣ, ସ୍ତମ୍ଭନ, ମୋହନ, ଉଚ୍ଚାଟନ ଆଦି ସବୁ ପ୍ରକାର ପ୍ରୟୋଗ କରାଯାଇ ପାରିବ । ଅଥଚ ଆପଣା ଦିହ କିଳା ହୋଇ ଅକାଟୁ ହେବ । ଦେବତାମାନେ ପ୍ରସନ୍ନ ଥିଲେ ତୁମ ଅଗ ଗୋଡ଼ରେ କଣ୍ଟା ବାଜିବ ନାହିଁ, ଅଥଚ ଯେତେବେଳେ ଯେଉଁ ପ୍ରାଣୀଙ୍କୁ ମନେ କରିବ, ତୁମେ ବାଣ ମାରି ସ୍ତମ୍ଭନ ମୋହନ ବଶୀକରଣ ଉଚ୍ଚାଟନ ସବୁ କରି ପାରିବ ଓ ଦେଶରେ ସ୍ୱନାମଧନ୍ୟ ସିଦ୍ଧପୁରୁଷ ହୋଇ ଠାକୁରଙ୍କ ଆଜ୍ଞାରେ ତୁମେ ସମସ୍ତଙ୍କ ଆଖିରେ ନିଦଧୂଳି ପକାଇ ପାରିବ । କେଉଁ କାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ କି ମନ୍ତ୍ର ଓ କବଚ ପ୍ରୟୋଗ ଦରକାର, ତାହା ଠିକଣା କରିବା ସହଚ କଥା ନୁହେଁ । ଉପରେ ଯେଉଁ ସବୁ ବାହାରର କଥା ଲେଖାଗଲା, ସେଗୁଡ଼ିକ ଦେଖା କଥା ବୋଲି ଲେଖି ହୋଇଗଲା, କିନ୍ତୁ ‘ମନ୍ତ୍ର’ଟି ପାଇବା ସହଜ ନୁହେ । ଯେଉଁ ବ୍ୟକ୍ତି ମନ୍ତ୍ର ପ୍ରୟୋଗ କରନ୍ତି, ସେ ଏକା ସେ ମନ୍ତ୍ର ଜାଣନ୍ତି, ସେ ମଧ୍ୟ ଯାହାକୁ ଇଚ୍ଛା ତାକୁ ସେ ମନ୍ତ୍ର କହି ଦିଅନ୍ତି ନାହିଁ । ପାଠ ମଧ୍ୟ ଡାକୁଛି– ‘‘ଗୁରୁର୍ଭକ୍ତାୟଦାତବ୍ୟଂ ନ ଦେୟଂ ଯସ୍ୟ କସ୍ୟଚିତ୍‌ ।’’ ତେବେ ମୁଁ ଶୁଣିଛି ଯେ, ଯେପରି ‘ଚଣ୍ଡୀ’କୁ ସଂପୁଟ କରି ଅର୍ଥାତ୍‌ ନିର୍ଦ୍ଦିଷ୍ଟ କୌଣସି ମନ୍ତ୍ରଦ୍ୱାରା ପ୍ରତ୍ୟେକ ଶ୍ଳୋକକୁ ସଂପୁଟିତ କରି ପ୍ରୟୋଗ କଲେ ଫଳ-ସିଦ୍ଧି ଅବଶ୍ୟ ହୁଏ, ସେହିପରି ପାର୍ଥିବ ଦେବତାମାନଙ୍କ ଆଗରେ ନିର୍ଦ୍ଦିଷ୍ଟ ମନ୍ତ୍ରଦ୍ୱାରା ସଂପୁଟ-ସ୍ତବ ପାଠ କଲେ ଇପ୍‌ସିତ ଫଳ ସିଦ୍ଧି ନିଶ୍ଚୟ ହେବ ।

 

‘ବଶ୍ୟସ୍ତମ୍ଭନମୁଗ୍ରବିଘ୍ନନାଶନଂ

ଦାରିଦ୍ର୍ୟ ବିଦ୍ରାବଣଂ ।

ଭୁଭଦ୍‌ଭୀଷମନଂ ଚଳନ୍‌ ମୃଗଦୃଶାଂ

ଚେତଃ ସମାକର୍ଷଣଂ ।’

 

ଆଦି ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ନିମନ୍ତେ ଭିନ୍ନ ଭିନ୍ନ ପ୍ରୟୋଗ ଅଛି । ଆମ ଘରେ ଥିବା ଗୋସାଇଁବାପାଙ୍କ ପୋଥି ଗାଦି ଘାଣ୍ଟି ଯେବେ କୌଣସି ସଂପୁଟ-ମନ୍ତ୍ର ମିଳିବ, ତେବେ ସମୟକ୍ରମେ ‘ସାହିତ୍ୟ’ର ପାଠକମାନେ ତହିଁର ଇସରା ଅବଶ୍ୟ ପାଇବେ । ଇତି ।

 

୨୧ଶ ଭାଗ । ୧୩୨୪ । ୭ମ ସଂଖ୍ୟା

 

ଆଚ୍ଛା ସମ୍ପାଦକ ଅବଧାନ ! ଆପଣଙ୍କର ଆମର ଟିକିଏ ‘ଦୁଃଖ-ସୁଖ’ ହେବା ଦରକାର-। କାରଣ ଆଗରେ ଦଶହରା– ଦୁର୍ଗାପୂଜା– ଏହି ଦଶହରା ଘଡ଼ିରେ ଯେଝା ମଉଚ୍ଛବ ଆୟୋଜନରେ ଯେ ବ୍ୟସ୍ତ । କଚେରୀ, ସ୍କୁଲ, କଲେଜ, ଅଫିସ, ଛାପାଖାନା, କାରଖାନା ସବୁ ବନ୍ଦ ହେବ । ବର୍ତ୍ତମାନ ପାଉଣାଦାରମାନେ ବର୍ଷକର ପାଉଣା ନେବେ । ଦେଣାଦାରମାନେ ବର୍ଷକର ଦେଣାର ହିସାବ କିତାବ କରି ନୂଆଖାତା କରିଦେବେ । ମନୁଷ୍ୟ ତ ସହଜରେ ଜନ୍ମ ପାଇଛି ରଡ଼ି କରିବାକୁ, ସେ ଏହି ଉତ୍ସବ ସମୟରେ ମନବୋଧିଆ ରଡ଼ି କରିବ । କିନ୍ତୁ ଜୀବସଂସାରରେ ମଧ୍ୟ ଏହି ଶାରଦୀୟ ପୂଜା ଉପଲକ୍ଷରେ ଶତ ଶତ ଛେଳି, ମେଣ୍ଢା, ମଇଁଷି ଏମାନଙ୍କର ମଧ୍ୟ ରଡ଼ି ଦେଶତମାମ ଶୁଭିବ । ମୋ ଭଳି ନିପଟି ମଫସଲିଆ କି ଯେଉଁମାନେ ସରକାରୀ ବେସରକାରୀ କାର୍ଯ୍ୟ ଉପଲକ୍ଷରେ ଆପଣା ଆପଣା ‘ଝୋପଡ଼ା’ ଖଣ୍ଡମାନ ଛାଡ଼ି ସହରରେ ଆସି ପେଟ ବିକଳରେ ପଡ଼ିଥାନ୍ତି– ସେମାନେ ମଧ୍ୟ ଚେଇଁ ଉଠିବେ । ଅର୍ଥାତ୍‌ ଆମେ କଟକରେ ଯେଡ଼େ ନିକୁଛିଆ ଭାବରେ ଥାଉଁ ପଛକେ, ଦଶହରା ଘଡ଼ିରେ ମଫସଲକୁ ଯିବାବେଳେ ସେଠାରେ ଆମେ ଓ ଆମର ପିଲାପିଚିକା ଧୋବାଧାଉଳିଆ ଓ ଚହଟଚିକଣିଆ ହେବା ସକାଶେ ବାସିଧୋବ ପେଡ଼ିଲୁଗା ଜାମା ଅଙ୍ଗରଖା ଦି ଦିଖଣ୍ଡ, ଜିରାମରିଚ, ପାନ ଓ ଭାଙ୍ଗମସଲା ପୁଡ଼ା କେତେ, ପାନିଆ, ଫରୁଆ, ଅଳତା, ସିନ୍ଦୂର, ମହଣ, ହଳଦୀ, ସାବିନି, ମେଥି, ନଡ଼ିଆତେଲ, କୁମ୍ଭକର୍ଣ୍ଣୀ ଓ ହଳଦିବସନ୍ତିଆ ଶାଢ଼ି, ଅଲତାପ ମିଆଁଙ୍କ ଦୋକାନର ଗୁଡ଼ାଖୁ, ଡିବିରିଲଗା ଲଣ୍ଠନ, ଖଡ଼ମ, ତେଲ ପାଚିଲା ବାଡ଼ି, ଚଢ଼ଉ ଜୋତା ଓ ମହଣ ଛତି, ନଳିହୁକା, ନଇନିତାଲି ଆଳୁ, କଲରାବାଙ୍କିଆ ଗୁଆଘିଅ, ମଇଦା, ସୁଜି ଓଗେର ବମେ ସରଞ୍ଜାମତକ ଆଗରୁ ମାସକଠଉଁ ସଜାଡ଼ି ବୋକଚା ବାଦ୍ଧି ରଖିଥାଉଁ ଓ ମଫସଲରେ ଯାଇ ପହଞ୍ଚି ମାସେ ଖଣ୍ଡେ ଗାଁରେ ରହି ବର୍ଷକର ମନର ଓରମାନ ମେଣ୍ଟାଇ ନେଉଁ । ଯେ ଆମଠାରୁ ଟିକିଏ ବେଶ ତେଲିଆମୁଣ୍ଡ, ସେ ମଧ୍ୟ ଇସ୍ତ୍ରିକରା ଚୁଡ଼ିଦାର କମିଜ, ଫରାସଡ଼ାଙ୍ଗା ଧୋତି ଓ ପଞ୍ଜାବୀ ଓଗେର ପହରଣ, ଗରମମସଲା, ଜାଫ୍ରାନକେଶର, ସେନ୍‌ସେନ୍‌, ତାମ୍ୱୁଲିନ୍‌ ପୁଡ଼ା କେତେ, ଏକସା ଦୁଇସା ତିନିସା ବୋତଲ ଗୋଟାକେତେ, ଚିରୁଣି, ଡିବା, ତରଲ୍‌ ଅଳ୍‌ତା, ପାଉଡ଼ର, ପମେଟମ୍‌, ସାବୁନ, ଓଡ଼ିକଲନ୍‌, ବାସନାତେଲ, ପାଚାପାଡ଼ି ଓ ଫୁଲବାରି ବିଦ୍ୟୁତ୍‌ପ୍ରଭା ଶାଟିକା, ଫୁଲଦାର ଜାକିଟ୍‌ ଓ ସେମିଜ, ଚିରୁଣି, ମୁଣ୍ଡବନ୍ଧା ଫିତା, ବିଷ୍ଣୁପୁରୀ ଗୁଡ଼ାଖୁ, ବାର୍ଣ୍ଣିସ ଜୋତା ଓ ପାମ୍‌ସୁ ଜୋତା, ଚମଡ଼ାବନ୍ଧା ପୋଟମେଣ୍ଟ, ହରିକେନ୍‌ ଲଣ୍ଠନ, ରସ-ରସିଆ ଲହଲହକିଆ ସଉକିନ ଛଡ଼ି, ରେଶମି ଛତା, ଜରିଗୁଡ଼ିଆ ଆଲବଲ୍ଲା ଗୁଡ଼ଗଡ଼ି, ଟିଣଭରା କେକ୍‌ ବିସ୍‌କୁଟ୍‌, ବାଲାମ୍‌ ଚାଉଳ, ପୋଟଳ, ରୋଳାହୀନ ଶୌୟଙ୍ଗବୀନ (ପାଠକ ମହୋଦୟଗଣ, ମାଫ କରିବେ ଶ୍ୱୋଗୋ-ଦୋହୋଦ୍ଭବଂ ଘୃତଂ ଇତି ବ୍ୟୁତ୍ପତ୍ତିଃ– ଆମ ଭାଷାଟାକୁ ଟିକିଏ କସରତ୍‌ ନ ଶିଖାଇଲେ ଚଳିବ କିପରି ?) ଇତ୍ୟାଦି ଅଣାଇ ମଫସଲ ଗସ୍ତ ଉଦ୍ଦେଶ୍ୟରେ ସରଦାରଙ୍କ ଜିମା କରିଥାନ୍ତି । ଆଉ ତହୁଁ ପାହାଞ୍ଚେ ବଢ଼ିଆ ବଡ଼ଲୋକମାନେ ଦୁର୍ଗାପୂଜାର ଲମ୍ୱା ଚଉଡ଼ା ଅବକାଶ ସମୟରେ ପଣକେତେ ଖଇରିହାକୁଟି ମାରି ତାଙ୍କ ଧଡ଼ିଟାମାନଙ୍କୁ ପଜେଇ ନେବା ଉଦ୍ଦେଶ୍ୟରେ ଦାର୍ଜିଲିଂ, ସିମଳା, ଦେରାଦୁନ, ନଇନିତାଲ, ଉତ୍ତକାମଣ୍ଡ ଆଦି ସ୍ୱାସ୍ଥ୍ୟପ୍ରଦ ସ୍ଥାନକୁ ଯାଇ ତେଣୁ ଆଗାମୀ ବର୍ଷକ ପାଇଁ ତାଜା ହୋଇ ଫେରିବା ସକାଶେ ପ୍ରୋଗ୍ରାମ ତିଆରି କରି ରେଳ ଗାଡ଼ିରେ ଆସନ-ବନ୍ଧକ (Birth reserve) କରି ଦିଅନ୍ତି ଓ ଯାହାଙ୍କୁ ଲକ୍ଷ୍ମୀସାଆନ୍ତାଣୀ ଆହୁରି ପ୍ରସନ୍ନ, ଏଣେ ଭକ୍ତି ଅଂଶ ପୂର୍ଣ୍ଣ, ସେମାନେ ଚାରିଧାମ କରି ଇହକାଳର ଆଗାମୀ ବର୍ଷକେତେ ସକାଶେ ଓ ପରକାଳର ଚିରକାଳ ସକାଶେ ପାଥେୟ ସାଉଁଟି ରଖିବା ପାଇଁ ଚତ୍ତତ୍‌ ଧାମର ସ୍ୱକୀୟ ପଣ୍ଡାଜୀମାନଙ୍କଠାକୁ ଆଦେଶପତ୍ର ପଠାନ୍ତି । ଏହି ଅବସରରେ ଦେବତା ଭକ୍ତଙ୍କଠାରୁ, ଓକିଲ ମୁକ୍ତାରମାନେ ମକ୍‌କେଲଠାରୁ, ଟରଣୀମାନେ ସ୍ୱକୀୟ ଓ ପରକୀୟ ଓକିଲ ମୁକ୍ତାରଙ୍କଠାରୁ, ସାହୁ ଖାତକଠାରୁ, ବେପାରି ମହାଜନଠାରୁ ବୈଦମଳୁଙ୍କଠାରୁ, ଲାଗୁଆବାଲା ଗରାଖଙ୍କଠାରୁ, କାଳି ସଉଦା ଦେବାବେଲା ମୁଦିଗହକିଙ୍କଠାରୁ, ହାକିମମାନଙ୍କ ଶ୍ରୀଅଙ୍ଗଲଗା ପିଆଦାମାନେ ବାବୁଭୟାଙ୍କଠାରୁ, କୋଠିଆ ହଳିଆ ସାଆନ୍ତଙ୍କ ଠାରୁ, ଅବଧାନେ ଚାଟଙ୍କଠାରୁ, ଗ୍ରନ୍ଥକର୍ତ୍ତାମାନେ ବହି ଦୋକାନର ମାଲିକଙ୍କ ଠାରୁ, ଯାତ୍ରୀ-ଗୁମାସ୍ତାମାନେ ପଣ୍ଡାଙ୍କଠାରୁ, ବିରାଦରମାନେ ସରଦାଙ୍କରଠାରୁ, ଧୋବା ଭଣ୍ଡାରି ଆଦି ସେବାକାରିମାନେ ଗାଁ ସାଆନ୍ତଙ୍କଠାରୁ ଯଥାକ୍ରମେ ବଳି, ଫିସ ବାବଦକୁ ନିକାସି, ଗଣ୍ଡ, ମିଠେଇଖିଆ, ଜଳପାନି, ଦର୍ଶନୀ, ବହିନା, ପାଉସେରି, ବକ୍‌ସିସ୍‌, ଦଶହରା ବଏ ବିଦାକି, କମିସନ୍‌, ଭାଗାରିହିଂସା, ସାଲିଆନା ଓ ଭାତିଆ ନେଇ ବର୍ଷକ ପାଇଁ ମୁଣ୍ଡରେ ଠେକା ବାନ୍ଧି ବସନ୍ତି ।

 

ଆଚ୍ଛା, ଏ ତ ହେଲା ଆମ ଦୁନିଆର ଆବହମାନକାଳ ପ୍ରଚଳିତ ପ୍ରଥା । ଏତେବେଳେ ଯେ, ଯାହା ପାଉଣା ଗୋଟାଇବାରେ ବ୍ୟସ୍ତ । ପରମୁଖାପେକ୍ଷୀ, ପରହସ୍ତାପେକ୍ଷୀ, ପରଧନାପେକ୍ଷୀ, ପରକର୍ମାପେକ୍ଷୀ, ପରାନୁଗ୍ରହାପେକ୍ଷୀ, ବ୍ୟକ୍ତିମାନେ ବର୍ଷକଯାକ ହେଣ୍ଡିମାରି ବୁଲୁଥାନ୍ତି, ବର୍ଷକେ ଥରେ ଏହି ଦଶହରାର ଶରତ୍‌କାଳୀନ ନିଗିଡ଼ା ବେଳକୁ ତାଙ୍କ ଛଣି ମୁଣିର ମୁହଁ ଭିଡ଼ା ଡୋର ଫିଟା ହୁଏ ଓ ତୋଡ଼ାମାନ ହାଲୁକା ହୁଏ ।

 

କିନ୍ତୁ ଓଡ଼ିଶାରେ ମାସିକ ପତ୍ରମାନଙ୍କର ଉପବାସିଆ ଲେଖକ ବିଚରାର ଭଲା ଅପରାଧ କଣ ? ସମ୍ପାଦକ ତଲବ କରିବେ ପାଠକ-ମନ-ବୋଧିଆ ମଲ । ଏଣେ ଲେଖକ ବିଚରାର ତିନିଶ ଷାଠିଏ ଦିନ ପେଟରେ ଓଦାକନା ଓ ପିଠିରେ ଚିରାକନା; ଦଶହରା ଚାରିଦିନ ମଧ୍ୟ ସେହିତା; ଏପରି ପେଟର ଜାଳାରେ ଭଲା ପ୍ରସ୍ରବଣ-ଲେଖନରୁ (Fountain pen) ଭଲ ମାଲ ବୋହି ପାରେ ଟି କି ?

 

ଲେଖକ ବିଚରାର ଉଆଁସ ନାହିଁ, ସଂକ୍ରାନ୍ତି ନାହିଁ, ଓପାସ ନାହିଁ, ବାଆ ନାହିଁ, ସେ ବେଉଆରସ ହୋଇ ଦିନରାତି ତା ପେଟପାଟଣାରେ ଲାଗିଥିବ, ଏଣେ ତା ପିଲାଏ ଗଡ଼ି ମରୁଥାନ୍ତୁ, କିନ୍ତୁ ଆପଣଙ୍କ ପତ୍ରିକାର ଫରମା କମ୍ପୋଜ ହେଲା ବେଳକୁ ଯେବେ ସେ ବିଚରା ଆପଣଙ୍କୁ ଆପଣଙ୍କ ଫରମାସି ଯୋଗାଇ ନ ପାରିଲା, ତେବେ ତା କଥା ଶେଷ ! ସେ ଘରୁ ଖାଇ ଘୋଡ଼ା ଆଗରେ ନାଚିବ ଓ ଆପଣଙ୍କ ପାଠକମାନଙ୍କର ମନସ୍ତୁଷ୍ଟି କରି ଆପଣଙ୍କ ଦଶହରୋଚିତ ପରିପାଟି ସାଜସଜ୍ଜାର ଜରସମନର ଆଗମନୋପାୟ କରିବ; କିନ୍ତୁ ତାହାର ଝାଳବୁହା ଲେଖାତକ ଆପଣଙ୍କ ପତ୍ରିକାରେ ବାହାରି ସାରିଲାରୁ ସେ ଲେଖାରେ ସେହି ଦିନାଦ୍ୟରୁ ଲେଖକ ଓ ତାହାର ଉଆଲି ଉଆରସ ଉତ୍ତରାଧିକାରୀ ପୁତ୍ର ପୌତ୍ରାଦିଙ୍କର ଦାବି, ଇଲାକା, ସ୍ୱତ୍ୱ, ସମ୍ପର୍କ ନାହିଁ, ନ ରହିଲା, ନ ରହିବ ଓ ନ କରିବ, କଲେ ହେଲେ ତାହା ସମସ୍ତ ବିଚାର ଅଦାଲତରେ ଅଗ୍ରାହ୍ୟ ହେବ । ଲେଖକର ଉକ୍ତ ପ୍ରବନ୍ଧରେ All rights destroyed ସର୍ବସ୍ୱତ୍ୱଃ ବିଧ୍ୱସ୍ତ ଓ ଆପଣ ସମ୍ପାଦକଙ୍କର ସେଥିରେ ହେଲା All right reserved ଅର୍ଥାତ୍‌ ସର୍ବସ୍ୱତ୍ୱ ସଂରକ୍ଷିତ ।

 

ଲେଖକର ହେଲା– All labour reserved– ସର୍ବ ପରିଶ୍ରମରେ ସ୍ୱତ୍ୱ; ଆପଣଙ୍କର ହେଲା– All right reseved– ସର୍ବ ସୁଫଳରେ ସ୍ୱତ୍ୱ । ଏହାକୁ କୋଦିଣ୍ଡା ନିଶାପ ବା ‘ପରମ ଦୟାଳୁ’ ବୁଝାମଣା ନ କହି ଆଉ କଣ କହିବ ? ମନେ କରନ୍ତୁ, ଲେଖକ ବିଚରା ଭବିଷ୍ୟତରେ ଉତ୍ସର୍ଗପତ୍ର ସମର୍ପଣ ପତ୍ର, ସୁପାରିସ ପତ୍ର, ପ୍ରାର୍ଥନା ପତ୍ରମାହାତ୍ମ୍ୟରେ ତାହାର ଲେଖାଗୁଡ଼ିକ ସଂଗ୍ରହ କରି ପୁସ୍ତକାକାରରେ ଛାପିବାର ଯୋଗାଡ଼ କଲା; କିନ୍ତୁ ତାହା କରିବା ପୂର୍ବରୁ ସେ ସମ୍ପାଦକଙ୍କ ଦ୍ୱାରସ୍ଥ ହୋଇ ତାଙ୍କର ଅନୁମତି ନ ନେଲେ ସେ ତାହା ପ୍ରକାଶ କରି ପାରିବ ନାହିଁ-। ଏଇଥିପାଇଁ ପ୍ରବାଦ ଅଛି– ‘‘ନ ଖାଇ ନ ପିଇ କଇଥା ଚୋର ।’’ ଘରର ହାଲଚାଲ ପ୍ରସଙ୍ଗରେ ଥରେ କହିଥିଲି ଯେ, ଘଟନାଚକ୍ରରେ ଲୋକେ ଆପଣା ଜିନିଷରେ ଚୋର ବନନ୍ତି-। ଫଳତଃ ପାଠକମାନେ ଏଥିର ଗୋଟିଏ ବିଶେଷକଥନ ଉପରୋକ୍ତ ଘଟନାରେ ଦେଖିବା ହେଉନ୍ତୁ-

 

ଘରର ହାଲଚାଲ କହିବାକୁ ଯାଇ ଆମେ ସମ୍ପାଦକ, ଲେଖକ, ମୁଦ୍ରକ, ପ୍ରକାଶକଙ୍କ ହାଲଚାଲ ଓ ଆଇନର ଚର୍ଚ୍ଚା ଓ ଆଲୋଚନା ଅନେକ କରି ଗଲେଇଁ । ପାଠକଙ୍କର କୌତୂହଳ ହୋଇପାରେ, ଲେଖକ ନିଜେ ଆସନ୍ନ ପୂଜା ବାସରର କିପରି ସଦସଦ୍‌ ବ୍ୟବହାର କରିବାର କଳ୍ପନା କରିଅଛନ୍ତି ।

 

ସଂସାରରେ କେତେଗୁଡ଼ିଏ ସାଂସାରିକ ସ୍ୱୀକାର୍ଯ୍ୟ (Postulates),ସ୍ୱତଃସିଦ୍ଧ (axioms) ଅଛି । ଗୋଟିଏ ଶବ୍ଦର ଦିଓଟି ଅର୍ଥ;– ଗୋଟିଏ ଆକ୍ଷରିକାର୍ଥ, ଗୋଟିଏ ଭାବାର୍ଥ, ଗୋଟିଏ ମୁଖ୍ୟାର୍ଥ, ଗୋଟିଏ ଗୌଣାର୍ଥ, ଗୋଟିଏ ଅନୁଭବାର୍ଥ, ଗୋଟିଏ ଅନୁମାନାର୍ଥ, ଗୋଟିଏ ଯୌଗିକାର୍ଥ, ଗୋଟିଏ ଯୋଗାରୁଢ଼ାର୍ଥ, ଗୋଟିଏ ପ୍ରକାଶ୍ୟାର୍ଥ (denotation), ଗୋଟିଏ ଗୂଢ଼ାର୍ଥ-। ସାହିତ୍ୟ କ୍ଷେତ୍ରରେ ଲେଖକର ଏହିପରି ଦିଓଟି ଅର୍ଥ,

 

ପ୍ରଥମ ଅର୍ଥ– ‘‘ଯେଉଁ ଜୀବ ଲେଖେ ।’’ (କଣ ଲେଖେ ? କେଉଁଥିରେ ଲେଖେ ? କେଉଁଠାରେ ଲେଖେ ? ଇତ୍ୟାଦି ବାକ୍ୟ ଦେଶକାଳପାତ୍ର ବିବେଚନାରେ ହରଣ ପୂରଣ କରାଯାଏ-।) ଦ୍ୱିତୀୟ ଅର୍ଥ– ସେ ଜଣେ ବ୍ୟକ୍ତି (ବିଶେଷ୍ୟ ପଦ, ପୁଂଲିଙ୍ଗ, ଏକବଚନ, କର୍ତ୍ତାକାରକ), ଯାହାର ହସ୍ତ ଅଛି (ନିପାତନ ସ୍ଥାନରେ ସ୍ଥଳରେ ହସ୍ତ ନ ଥିଲେ ମଧ୍ୟ ଅନ୍ୟଦ୍ୱାରା ଲେଖାଇ ନିଆ ଯାଇପାରେ), ଚକ୍ଷୁ ଅଛି, କର୍ଣ୍ଣ, ନାସା, ତ୍ୱକ୍‌, ରସନେନ୍ଦ୍ରିୟ ଏମାନ ମଧ୍ୟ ଥିବାର ସ୍ୱାଭାବିକ (ନିପାତନ ସ୍ଥଳ ଛଡ଼ା), ତାର ମଧ୍ୟାବୟବରେ ଚିକିତ୍ସା ଶାସ୍ତ୍ର ଗୋଟିଏ ଗୋଲାକାର ଗହ୍ୱର ଓ ଅବୟବର ଅଗ୍ରଭାଗରେ ସେହି ଗହ୍ୱର ସଙ୍ଗେ ବହିର୍ଜଗତର ସଂପର୍କ ସ୍ଥାପନ କରିବା ନିମନ୍ତେ ଗୋଟାକେତେ ବିବର ଅଛି । ସେ ବିବରଗୁଡ଼ାକ ବ୍ୟବହାର ଅଭାବରୁ ଯେପରି କଳଙ୍କି ଧରି ନ ଯାଏ, ସେଥିପାଇଁ ଯୋଗାଡ଼ କରିବା ଦରକାର । ଏ ତ ଗଲା ଲେଖକର ସାଧାରଣ ଅର୍ଥ । କିନ୍ତୁ ଦେଶକାଳପାତ୍ର ଅନୁସାରେ ବିଶେଷ ବିଶେଷ ଲେଖକର ବିଶେଷ ବିଶେଷ ଅର୍ଥ ଅଛି । ‘ଘରର ହାଲଚାଲ’ ଲେଖକର ଘର ଅଛି, ଅଥବା ଘର ଥିବା ଦରକାର । ଘର ନ ଥିଲେ ‘ଶିରୋନାସ୍ତି ଶିରୋବ୍ୟଥା’ ନ୍ୟାୟ ହେବ । ‘‘ଘର’’ ଶବ୍ଦ କହିଲେ ତହିଁରୁ ଅନେକ ଅର୍ଥ ବୁଝାଯାଏ ।

 

ପ୍ରଥମ ଅର୍ଥ– ସ୍ୱୀୟ ବାସସ୍ଥାନ ବା ଝୋଁପଡ଼ି, ଯାହାକୁ ଇଂରାଜୀରେ ‘Home ବୋଲାଯାଏ । ଏହି ହୋମ୍‌ ଶବ୍ଦଟି ଇଂରାଜୀମାନଙ୍କର କର୍ଣ୍ଣାମୃତ ଶବ୍ଦ । ଇଂରାଜୀରେ ଗୋଟିଏ ଢଗ ଅଛି– ‘‘Every man’s home is his castle’’ ଅର୍ଥାତ୍‌‘ ପ୍ରତ୍ୟେକ ବ୍ୟକ୍ତିର ଘର ତାହାର ଗଡ଼ ଅଟେ ।’’ ସେଠାରେ ସେ ନିରାପଦ, ନିର୍ଦ୍ୱନ୍ଦ୍ୱ, ନିଶ୍ଚିନ୍ତ । ଇଂରାଜ ଲୋକ ଘରେ ପହଞ୍ଚିଗଲେ ସେଠାରୁ ତାକୁ କେହି ଉଖାଡ଼ି ପାରିବେ ନାହିଁ । ଘର ପ୍ରତି ଇଂରାଜଙ୍କର ଏତେ ଆକର୍ଷଣ ଯେ, ଘର ଯେଉଁ ଦେଶରେ, ସେ ଦେଶକୁ ମଧ୍ୟ ଇଂରାଜମାନେ Home କହନ୍ତି । ସଂସାରରେ ସ୍ନେହ, ଭକ୍ତି, ପବିତ୍ରତା, ସରଳତା, ସ୍ୱାଧୀନତା, ନିଶ୍ଚିନ୍ତତା ଇତ୍ୟାଦି ଯେତେଗୁଡ଼ିଏ ପ୍ରାର୍ଥନୀୟ ଜିନିଷ ଅଛି, ଏହି ‘ହୋମ’ ଶବ୍ଦଟି ଉଚ୍ଚାରଣ କରି ଦେଲେ ସବୁ ବୁଝାଗଲା ।

 

ତୁମେ କୌଣସି ନୂତନ ସ୍ଥାନକୁ ଯାଇଅଛ– ଯେବେ ସେଠା ତୁମଙ୍କୁ ଆରାମଜନକ, ଶାନ୍ତିପ୍ରଦ ଓ ଆନନ୍ଦମୟ ବୋଧହେଲା, ତେବେ ତୁମେ କହିବ– ‘I feel at home’– ମୋତେ ହୋମ ଭଳି ଲାଗୁଛି । ବର୍ତ୍ତମାନ ଏହି ହୋମ୍‌ ଶବ୍ଦଟି ‘Home-rule’ ହୋମରୁଲ୍‌ ଅର୍ଥାତ୍‌ ‘ସ୍ୱାୟତ୍ତ ଶାସନ’ ପ୍ରସଙ୍ଗରେ ଆମ୍ଭମାନଙ୍କ ହାବୁଡ଼ରେ ପଡ଼ୁଛି । ସବୁ ଶାସନ ପ୍ରଣାଳୀ ମଧ୍ୟରେ ଯେଉଁ ଶାସନ ପ୍ରଣାଳୀକୁ ମନୁଷ୍ୟ ଆପଣା ମନରେ ସର୍ବଶ୍ରେଷ୍ଠ ବୋଲି ମନେ କରେ, ସେହି ସ୍ୱାୟତ୍ତ ଶାସନ-ପ୍ରଣାଳୀକୁ Home-rule ହୋମ ରୁଲ ବୋଲି ଇଂରାଜୀରେ ବୋଲାଯାଏ । ସଭ୍ୟ ଜଗତ ଏହି ହୋମ-ରୁଲ୍‌ ଆଡ଼କୁ ଅଗ୍ରସର ହେଉଅଛି । ସଭ୍ୟ ଦେଶରେ ଏହି ହୋମ-ରୁଲ ପ୍ରଚଳିତ । ଆଜି ଏହି ସଭ୍ୟତାର ସ୍ରୋତରେ ରୁଷିଆର ଯୁଗ-ଯୁଗାନ୍ତବ୍ୟାପୀ ଯଥେଚ୍ଛାଚାର-ଶାସନ ପ୍ରଣାଳୀ ସ୍ୱାୟତ୍ତ ଶାସନ ପ୍ରଣାଳୀରେ ପରିଣତ ହୋଇଗଲା । ଏହା ଦେଖି ସଭ୍ୟ ଜଗତ୍‌ ଆନନ୍ଦିତ । ମୋ ଘର କଥା ମୁଁ ବୁଝିବି, ମୋ ଘରକରଣାରେ ମୋର ପାଟି ଫିଟାଇବାର ଅଧିକାର ରହିବ, ମୋ ଅଣ୍ଟାରୁ କଉଡ଼ି ବାହାରିବା ପାଇଁ ମୋର ‘ଭୋଟ୍‌’ ବା ମତ ନିଆଯିବ, ମୋ ଦେଶର ଆଇନ କରିବାକୁ ମୋର ମତ ନିଆଯିବ, ମୋ ଘର ଶାସନ କରିବାପାଇଁ ମୋ ଘରର ଲୋକଙ୍କ ଅଭିମତ ନିଆଯିବ । କିନ୍ତୁ ସବୁ ଜାତି ତ ଏକରକମ ଉନ୍ନତି ଲାଭ କରି ନାହାନ୍ତି । ଦୁଇଟା ଘୋଡ଼ାଙ୍କୁ ହୋମ-ରୁଲ ଦିଅ, ସେ ଏହି ସୁବିଧା ନାତ ମରାମତି ହେବେ । ଡିହ କୁତିଙ୍କୁ ହୋମ-ରୁଲ ଦିଅ, ସେ କାମୁଡ଼ା କାମୁଡ଼ି ହେବେ । ବିରାଡ଼ିଙ୍କୁ ହୋମ-ରୁଲ ଦିଅ, ସେ ଖୁଆ ଖୋଇ ହେବେ । ଦୁଇଟା ଭିକମଗା ବ୍ରାହ୍ମଣଙ୍କୁ ବା ଯୋଗୀଙ୍କୁ ହୋମ-ରୁଲ ଦିଅ, ସେ ବାଡ଼ିଆ ବାଡ଼େଇ ବା ଗୋହି ଖୋଳାଖୋଳି ହେବେ । ଏଥିପାଇଁ ଆମ ଓଡ଼ିଶି ପ୍ରବଚନ ଅଛି– ‘‘ଯୋଗୀ କୁକୁର ବ୍ରାହ୍ମଣ ଘୋଡ଼ା, ହଜାରେ କହିଲେ ନ ହେବେ ଯୋଡ଼ା ।’’ ଅତଏବ କହୁଥିଲି ଯେ, ସମସ୍ତେ ଯେ, ହୋମ-ରୁଲ (ସ୍ୱାୟତ୍ତ-ଶାସନ) ପାଇଁ ଉପଯୁକ୍ତ ହେବେ, ତାହା ନୁହେଁ । ତୁମ ଆମର ନାବାଳକ ପିଲା ଓ ମାଇପେ ହୋମ-ରୁଲ ପାଇଁ ଚିତ୍କାର କଲେ ସୁଦ୍ଧା ତାଙ୍କୁ ତ ହୋମ-ରୁଲ ଦିଆଯାଇ ପାରିବ ନାହିଁ । ସେଥିପାଇଁ ଆମ ବାପାଙ୍କର ନଜିର ଅଛି– ‘‘ଯନ୍ତ୍ର ସ୍ତ୍ରୀ କିତବୋ ବାପି ବାଳୋ ବା ସ୍ୟାତ୍‌ ପ୍ରଶଂସିତା, ତଦ୍‌ଗୃହଂ ବିଲୟଂ ଯାତି ଭାର୍ଗବୋ ହୀଦମବ୍ରବୀତ୍‌।’’ ଏପରି ସ୍ଥଳରେ ଆମେ ହୋମ-ରୁଲ ପାଇବାକୁ ରଡ଼ି ଛାଡ଼ୁଥାଇଁ ବୋଲି ଯେ ଆମ ଘରର ନାବାଳକ ପିଲାଏ ଓ ମାଇପେ ହୋମ-ରୁଲ ପାଇବେ, ଏହା ଭାବିବା ବେଆଇନ । ଆମ ଶାସ୍ତ୍ର ଅନୁସାରେ ପିଲାର ବୟସ ୧୫ ବର୍ଷ ଟପିବା ପର୍ଯ୍ୟନ୍ତ ସେ ଅଭିଭାବକଙ୍କର ‘ଯଥୋଚ୍ଛାଚାର ଶାସନପ୍ରଣାଳୀ’ ର ଅଧୀନ ହୋଇ ରହିବା । ‘ପ୍ରାପ୍ତେ ତୁ ଷୋଡ଼ଶେ ବର୍ଷେ’ ଅର୍ଥାତ୍‌ ପନ୍ଦର ଟପି ଷୋଳରେ ପଶିଲେ ‘ହୋମ-ରୁଲ୍‌’ ପାଇବାର ହକଦାର ହେବ । ପାଠକମାନେ ଜାଣନ୍ତି ଯେ, ଆମ ବାପା ନିପଟି ମରହଟ୍ଟିଆ ଥିଲେ ଘରର କୌଣସି କଥାରେ ସେ ପନ୍ଦର ବର୍ଷ ଟପିବା ପୂର୍ବରୁ ମୋର ମତ ଅପେକ୍ଷା କରୁ ନ ଥିଲେ । ଯେଉଁଦିନ ମୋ ଜାତକ ଡାକିଲା ଯେ, ମୁଁ ‘ଷୋଡ଼ଶ ବର୍ଷ’ ପ୍ରାପ୍ତ ହେଲି; ସେହିଦିନ ଓ ସେହି ଅମୃତବେଳାଠାରୁ ସେ ମତେ ହୋମ-ରୁଲ୍ ଦେଲେ । ବନମାଳୀ ଅବଧାନ ଜାତକ ଦେଖି ମୋର ଚାଣକ୍ୟଙ୍କ ନଜିର ଲିଖିତ ଉମର ଟପିଲା ବୋଲି ନ କହିବା ପର୍ଯ୍ୟନ୍ତ ବାପା ଆମ ଘର ପିଲାଙ୍କୁ (Home rule) ଦେବାକୁ ନିତାନ୍ତ ନାରାଜ ଥିଲେ । ଯେଉଁମାନେ ‘ହୋମ-ରୁଲ’ ‘ହୋମ-ରୁଲ’ ବୋଲି ହୁଲର ପକାଉଅଛନ୍ତି ଓ ଦେଶରେ ନାନାପ୍ରକାର ଗଣ୍ଡଗୋଳ ଘଟାଉଅଛନ୍ତି, ସେମାନେ ଥରେ, ବୁଝୁନାହାନ୍ତି ଯେ, ଆମର ରାଜନୈତିକ ପନ୍ଦର ବର୍ଷ ଟପିବାର ରାଜନୈତିକ ସିଦ୍ଧାନ୍ତରେ ଉପନୀତ ନ ହେବା ପର୍ଯ୍ୟନ୍ତ ଆମ ଜାତିଟାକୁ ‘ରାଜନୈତିକ ‘ହୋମ-ରୁଲ’ ଦିଆଯାଇ ପାରିବ ନାହିଁ, କି ଦିଆଯିବା ରାଜନୈତିକ ଆଇନସଙ୍ଗତ ନୁହେଁ, କି ରାଜନୈତିକ ସଭ୍ୟତନୁମୋଦିତ ନୁହେଁ । ବନମାଳିଆ ଭାଇ Home rule ପାଇଲା ବୋଲି ତୁମେ Home rule ପାଇବ ବୋଲି ଦାବି କରୁଛ । ଆଚ୍ଛା, ବନମାଳିଆ ଭାଇର ଦି ପଟା ନିଶ ଅଛି, ତୁମର ତ ଦିପଟା ନିଶ ନାହିଁ । ତୁମେ ଆଗେ ବନମାଳିଆ ଭାଇ ଭଳି ଦିପଟା କହରା ନିଶ କାଢ଼, ତେବେ ଯାଇଁ ତୁମଙ୍କୁ ବନମାଳିଆ ଭାଇର ସମତୁଲ ଅଧିକାର ନିଆଯିବ । ଏ କଥା ନ ବୁଝି ଯେବେ ଅବୁଝା ହୋଇ ଏକଜିଦିଆ ଧରିବ, ତେବେ ବେଳେ ବେଳେ ତୁମେ ତୁମର ବଜରିଏ (ଅର୍ଥାତ୍‌ ବଜ୍ରତୁଲ୍ୟ) ମାହାର୍ଫିସ ଓ ଆସନ୍ନ ବନ୍ଧୁଙ୍କଠାରୁ କେତେବେଳେ କାନରଗଡ଼ା, ନାକମୋଡ଼ା, କହୁଣି ଲେଡ଼ା, ଛାଟ କୋରଡ଼ା, ଅଚଞ୍ଛାତଡ଼ା, ଜାଉଁଳିଧଡ଼ା, ରସନିଗିଡ଼ା, ଆଣ୍ଠୁନେହୁଡ଼ା, ଘଣ୍ଟିକାମୋଡ଼ା, ଅଖା କପଡ଼ା, ଦାନ୍ତକାମୁଡ଼ା, ଓଲଟ ଗଧ) ଚଢ଼ା ଆଦି ପୁରସ୍କାରମାନ ପାଇବ, ଏହା ସ୍ୱାଭାବିକ । ଯେ ଭଲରେ ନ ବୁଝିବ, ଏପରି ଅବୁଝା ନାବାଳକ ପିଲାକୁ ଜୋର କରି ବୁଝାଇ ଦେବା ଦରକାର । ଏଥିପାଇଁ ‘‘ପିଲାଦିନେ କୌଣସି କଥା ପାଇଁ ଅଳି କଲେ ଆମ ବାଞ୍ଛାନିଧି ମାଷ୍ଟରେ ଆମଙ୍କୁ କହୁଥିଲେ ‘‘Deserve and then desire’’ ଅର୍ଥାତ୍‌ ପହିଲେ ଯୋଗ୍ୟ ହୁଅ, ତେବେ ଯାଇଁ ଦାବି କର । ସେହିପରି ଆମେ ଯୋଗ୍ୟ ନ ହେବା ପୂର୍ବରୁ ଆମ ହାତରେ ‘Home rule’ ପଡ଼ିଲେ ଆମେ ‘ମାଙ୍କଡ଼ ହାତରେ ଶାଳଗ୍ରାମ’ ପଡ଼ିଲା ଭଳି କରିବା, ଏଥିରେ ଭୁଲ କଣ ? ଆଗ ଯୋଗ୍ୟ ହୁଅ ଓ ତାପରେ ସୀତାଦେବୀ ରାମଚନ୍ଦ୍ରଙ୍କୁ ନିଃସନ୍ଦେହ କରିବା ଲାଗି ଅଗ୍ନିପରୀକ୍ଷା ଦେଲା ଭଳି ଆମେ ସଭ୍ୟ ଜଗତ ଓ ଆମର ଶାସନକର୍ତ୍ତାଙ୍କ ଆଗରେ ପରୀକ୍ଷା ଦେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାର୍ଟିଫିକେଟ ହାସଲ କରି ସାରିଲେ ଆମ ନିଷାପବାଜ ସରକାର ବାହାଦୂର ‘ଶନୈଃ ପନ୍ଥା ଶନୈଃ କାନ୍ଥା ଶନୈଃ ସାଗର ଲଙ୍ଘନଂ, କରିବେ । ଆମେ ଯେ ବସିଥାଇଁ ପରାୟତ୍ତ ଶାସନରୁ ଏକଦମ ଷୋଳିକଳା ସ୍ୱାୟତ୍ତ ଶାସନରେ କାଲି ଭୋରରୁ ପହଞ୍ଚିବା, ଏହା ଆମର ନିର୍ବୁଦ୍ଧିପଣିଆ ଛଡ଼ା ଆଉ କଣ ହୋଇପାରେ ? ଅତଏବ ମୋର ସମସ୍ତ ଦେଶବାସୀଙ୍କୁ ଅନ୍ତିମ (ଓଃ ରାମ ! ମୁଁ ତ ବର୍ତ୍ତମାନ କଳିଷଠାରୁ ତେରଅଣା ଖତମ କରି ନାହିଁ, ଏଡ଼େ ବଦ-ମଙ୍ଗଳିଆ ବିଶେଷଣଟାଏ ଲେଖି ହୋଇଗଲା କିପରି ?) ବା ଶେଷ ଅଥବା ବିଶେଷ ଅନୁରୋଧ ଯେ, ସେମାନେ ଯେବେ Home rule ପାଇବାକୁ ଚାହାନ୍ତି, ତେବେ ପହିଲେ ତହିଁକି ‘ତଦ୍‌ଯୋଗ୍ୟ’ ହୁଅନ୍ତୁ, ତାପରେ ପରୀକ୍ଷା ଦିଅନ୍ତୁ, ତା ବାଦ୍‌ ପରୀକ୍ଷାରେ ପାଶ୍‌ କରନ୍ତୁ, ତାପରେ ସାର୍ଟିଫିକଟ ହାସଲ କରନ୍ତୁ ଓ ସେହି ସାର୍ଟିଫିକଟ ଖଣ୍ଡମାନ ଅତି ଯତ୍ନରେ ପାଟକନାରେ ଗୁଡ଼ାଇ ନିର୍ମାଲ୍ୟ କୋଥଳିରେ ରଖନ୍ତୁ । ଏତକ ହେଲା ପରେ ସେମାନେ ଧୈର୍ଯ୍ୟ ସହକାରେ, ଭକ୍ତି ସହକାରେ ତୁନି ହୋଇ ଅପେକ୍ଷା କରନ୍ତୁ– ଯେଉଁ ସଭ୍ୟତମ ଜାତ ଶତ ଶତ ଅସଭ୍ୟ ଜାତିଙ୍କର ମାହାଫିଜ ହୋଇ ଆମେରିକାର ଯୁକ୍ତରାଜ୍ୟ, କାନେଡ଼ା, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଆଦି ଆଦିମଜନ୍ତୁପୂର୍ଣ୍ଣ ବେଶରେ ସ୍ୱାଧୀନତାର ଚାରା କଲମ ଲଗାଇ ଅଛନ୍ତି ଓ ଭାରତର ବହୁ ଭାଗ୍ୟକୁ ଭାରତ ଯେଉଁ ଜାତିର ସଂସର୍ଗରେ ଆସି ଆଜି ଭାଗ୍ୟବାନ୍‌ ହୋଇଅଛି, ସେହି ସଭ୍ୟତମ ସ୍ୱାଧୀନତାପ୍ରିୟ ଜାତି ଅବଶ୍ୟ ଆପଣା ରାଜି ଓ ଖୁସି ଓ ପଞ୍ଚଭୂତ ଆତ୍ମା ହୃଦକମଳ ଦୋରସ୍ତିରେ, ବିନା କାହାରି ଜୋର ଜୁଲମ ବଳାତ୍କାରିରେ ଆମକୁ ସ୍ୱାୟତ୍ତ ଶାସନ ରୂପ ଅମୃତ ପାନ କରିବାକୁ ଦେବେ । ଏତିକି ବିଚାର ନ କରି ଯେ ବର୍ତ୍ତମାନ ‘ହୋମ-ରୁଲ’ ‘ହୋମ-ରୁଲ’ ବୋଲି ହୁରି ଛାଡ଼ୁ ଅଛନ୍ତି, ତାଙ୍କର ଏହି ରାଜନୈତିକ ସନ୍ନିପାତ ପାଇଁ ରାଜନୈତିକ ‘ହୋମ-ଠେଙ୍ଗା’ ଦରକାର ହେବ, ସନ୍ଦେହ ନାହିଁ ।

 

ଏହାକୁ ହିଁ କହନ୍ତି ଢିଙ୍କିଶାଳରେ ଢେଙ୍କାନାଳରେ ଚିନ୍ତା– ମୁଁ ‘ଘର’ କଥା କହିବାକୁ ଯାଇଁ ‘ହୋମ-ଠେଙ୍ଗା’ ରେ ଆସି ପହଞ୍ଚିଲିଣି । ଏହି ଦୁର୍ଲଭ ଗୁଣକୁ ଆମ ଘର ଭାଷାରେ ଚଗଲାପଣିଆ ବୋଲାଯାଏ । ଯେ ହେଉ ମୋ ପ୍ରସଙ୍ଗର ସୂତ୍ର ପୁନର୍ବାର ଖିଅ ଧରିବା ପାଇଁ ପାଠକମାନଙ୍କୁ କଷ୍ଟ ସ୍ୱୀକାର କରିବାକୁ ହେବ– ମୁଁ କହୁଥିଲି ଯେ, ଘରର ହାଲଚାଲ ଲେଖକର ‘ଘର’ ଅଛି ବା ‘ଘର’ ଥିବା ଦରକାର । ଘର ଶବ୍ଦର ମଧ୍ୟ ପୂର୍ବୋକ୍ତମତେ କେତେ ପ୍ରକାର ଅର୍ଥ । ଘର ସାଧୁ ଶବ୍ଦ ଗୃହ ଏବଂ ଏ ଶବ୍ଦର ଗୌପାଳିକ ବ୍ୟୁତ୍ପତ୍ତ୍ୟର୍ଥ :–

 

କେତେଗୁଡ଼ିଏ ବସ୍ତୁର (କୁଟା, କାଟି, ବିଲରୁ ନଡ଼ା, ବୁଦାରୁ ବାଉଁଶ, ବଣରୁ କାଠ, ଏପରି ଦଶଜାଗାରୁ ଦଶ ଚିଜ ସଂଗ୍ରହ କଲେ ଯାଇ ଖଣ୍ଡେ ଘର ଠିଆ ହୁଏ ।

 

ତା ପରେ ଘର ଜୀବବାଚକ ଅର୍ଥରେ ପ୍ରୟୋଗ ହୁଏ । ପାଠ ଡାକୁଛି ଗୃହିଣୀ ଗୃହଂମୁଚ୍ୟତେ । ସାଧାରଣରେ ମଧ୍ୟ ସ୍ତୀ ବିୟୋଗ ହେଲେ ଲୋକେ ‘ଗୃହଭଗ୍ନ’ ହେଲା ବୋଲି କହନ୍ତି । ଓଡ଼ିଶି ମତରେ ମଧ୍ୟ କେହି କେହି ଅର୍ଦ୍ଧାଙ୍ଗୀଙ୍କୁ ଲକ୍ଷ୍ୟ କରି ତୃତୀୟ ପୁରୁଷ ପ୍ରୟୋଗ ସମ୍ୱଳିତ ବାକ୍ୟରେ ‘‘ଆମ ଘର ଆଡ଼େ’’ ଅମୁକ କଥା କହିଲେ ଏବଂ ଭୂତ ପ୍ରୟୋଗ କରିଥାନ୍ତି । ଏହିପରି ସ୍ଥଳବିଶେଷରେ ସଂସାରଯାତ୍ରା ନିର୍ବାହ (ଯଥା–ଘରକରଣା), ବଂଶ (ବଡ଼ଘର ପୁଅ), ଅସଲ ଜାଗା (ଯଥା–ମନ ଘରଧରିଲାଣି) ଗୋପନୀୟ ସ୍ୱକୀୟ (ଘରେଇ ଚିଠି; ଘରେଇ ପରାମର୍ଶ) ଇତ୍ୟାଦି ଅର୍ଥ ମଧ୍ୟ ହୋଇଥାଏ ।

 

ଅତଏବ ଆଗାମୀ ଦଶହରା ନିମନ୍ତେ ‘ଆମ ଘର’ ସମ୍ୱନ୍ଧରେ ଆମର କି କଳ୍ପନା ଲାଗିଛି, ତାହାର ହାଲଚାଲ ଦୁଇପଦ ସମ୍ପାଦକଙ୍କୁ ଶୁଣାଇଦେବା ଦରକାର । ଯାହାର ବ୍ୟବସାୟ ଏକମାତ୍ର ଅବଲମ୍ୱନ, ସେ ବ୍ୟବସାୟ ଛଡ଼ା ହୋଇ ମାସେ ଦେଢ଼ ମାସ ନିକିମା ହେଲେ ତାହାର ଘର ଚଳିବା ସୁକଠିନ । ଏଥିପାଇଁ ଏ ଅବକାଶଟାର କିପରି ସଦ୍‌ବ୍ୟବହାର ହେବ, ଅଥଚ ଲକ୍ଷ୍ମୀ ସାଆନ୍ତାଣୀ ନିତାନ୍ତ କରଛଡ଼ା ହେବେ ନାହିଁ । ଏଥିର ଉପାୟ ଉଦ୍ଭାବନ କରିବା ଲାଗି ନାନାଦି କଳ୍ପନା ମନେ ମନେ ଉଦିତ ହେଉଅଛି । ତେବେ ଏତିକି ଭୟ ଯେ, ସବୁ କଥାରେ ଗୁମର ଫିଟାଇ ଦେଲେ ଓ ବ୍ୟବସାୟଲିପ୍ତ ଅନ୍ୟାନ୍ୟ ବ୍ୟକ୍ତିମାନେ ସେ ଓର ଜାଣିଗଲେ ଆମର କଚେରି ବନ୍ଦ ମଧ୍ୟରେ ସୁରୁଖୁରୁରେ କୃତ୍ୟ ଚଳାଇବା ଉପାୟ ଭବିଷ୍ୟତକୁ ବନ୍ଦ ହୋଇଯିବ । ଅତଏବ ଲେଖକ ପ୍ରସ୍ତାବ କରିଅଛି ଯେ, ଗତବର୍ଷ ମଧ୍ୟରେ ବ୍ୟବସାୟ କ୍ଷେତ୍ରରେ ଆମର ଯେଉଁ ଯେଉଁ ଜ୍ଞାନ ଲାଭ ହୋଇଅଛି, ତାହା ସବୁ ସ୍ୱଦେଶ, ବିଦେଶରେ, ସ୍ୱ ଗ୍ରାମ ପରଗ୍ରାମରେ, ସ୍ୱଘର ପରଘର ବୁଣିବା ଲାଗି ଏ ମାସେ ଖଣ୍ଡେ ପରିଶ୍ରମ କରିଦେଲେ ଆଗାମୀ ଦଶହରା ପର୍ଯ୍ୟନ୍ତ ବ୍ୟବସାୟିକ ମାଲ ମସଲାର ଆୟୋଜନ ହୋଇଯାନ୍ତା । ଏପରି ଘରୁ ଖାଇ ପରକାମ କଲେ ପରିବ୍ରାଜକଙ୍କର ପରିଦର୍ଶିତ ଅଞ୍ଚଳମାନଙ୍କରୁ ପୂଜୋପକରଣ, ଭେଟି, ସଲାମୀ ଦର୍ଶନୀ, ବିଦାକି, ସଞ୍ଚା, ସିଧା, ସୂତା ଓ ପାଟମଥା ଓ ବାଟ ଖରଚ ଆଦି କିଛି ସଂଗୃହୀତ ହୋଇପାରେ । ଆଉ ମଧ୍ୟ ଏହି ଜ୍ଞାନ ପ୍ରଚାର ସଙ୍ଗେ ଯେବେ କୌଣସି ସାଧାରଣ କାର୍ଯ୍ୟ ଅବଲମ୍ୱନର ବାନା ଓ ଭେକ ଘେନି ବୁଲିବାକୁ ହୁଏ, ତାହାହେଲେ ଗଜଦନ୍ତ ଉପରେ ସୁନା ଛାଆଣି ହେଲା । ଆମ ଦେଶରେ ଶତ ଶତ ସାଧାରଣ କାର୍ଯ୍ୟ ଆମରି ଆନୁକୂଲ୍ୟ ଲାଭ ପାଇଁ ମୁଖ ଓ ଗହ୍ୱର ବ୍ୟାଦାନ କରି ବସିଅଛନ୍ତି । ଉଦାହରଣ ସ୍ୱରୂପ ଆମ ଦେଶରେ ପୁରୁଷ ଓ ସ୍ତ୍ରୀ ଓ ନପୁଂସକ ଶିକ୍ଷା ବିସ୍ତାର, ଶିକ୍ଷାଦାନ ନିମନ୍ତେ ପୁଞ୍ଜି ସଂଗ୍ରହ, ଜାତୀୟ ସମ୍ମିଳନ ଓ ସଂଶ୍ଳେଷଣ, ସାମ୍ପ୍ରଦାୟିକ ସଭା, ଧର୍ମ ସଭା, ସମବାୟ ସମିତି, ଜ୍ଞାନ ବିବରଣୀ ସଭା, ସମାଜ ସଂସ୍କାରକ ସମିତି, ଅନ୍ତ୍ୟଜ ଜାତି ମଧ୍ୟରେ ଶିକ୍ଷା ବିସ୍ତାର, ଉବ୍ଦାହବନ୍ଧନ ଓ ମୋଚନ ସମ୍ପ୍ରଦାୟ, ସେବକ ଓ ସେବ୍ୟ ସଂପ୍ରଦାୟ, ଭିକ୍ଷୁକ ସମାଜ, କବିରାଜ ଓ ଡାକ୍ତରୀ ଓ ମଳୁ ଶିକ୍ଷା ସମିତି, ସ୍ୱାସ୍ଥ୍ୟରକ୍ଷା ସମିତି; ପ୍ରତ୍ନତତ୍ତ୍ୱ ସମିତି, ଜୀର୍ଣ୍ଣ ସଂସ୍କାର ସମିତି, ମନ୍ଦିର ପରିଚାଳକ ସମିତି, ଏହିପରି ସବୁ ଅନେକ ପ୍ରକାର ହିତାହିତକର ଅନୁଷ୍ଠାନମାନ ଅଛି । ଏହାଛଡ଼ା ସରକାରଙ୍କର ଜଣାଶୁଣା ମାର୍କାମରା ଡିଷ୍ଟ୍ରିକ୍ଟବୋର୍ଡ଼, ଲୋକାଲ ବୋର୍ଡ଼, ଗ୍ରାମ ଇଉନିଅନ, କୃଷି ବିଭାଗ, ଶିକ୍ଷା ବିଭାଗ ଆଦି ଅନେକ ଗୁଡ଼ିଏ ଇଲାକା ଅଛି–ଏଇଥିରୁ ଗୋଟିକ ସଙ୍ଗେ ମହାପ୍ରସାଦ ସମ୍ପର୍କ ବସାଇବାର ଯୋଗାଡ଼ କରି ପାରିଥିଲେ ସେହି ‘ଛାଡ଼ ଚିଠି’ ଘେନି ଯେବେ ମଫସଲର କନ୍ଦି ବିକନ୍ଦି ଗସ୍ତ କରିପାରିବା ଓ ଆମର ବକ୍ତୃତା, ଆମ ଦ୍ୱାରା ଆହୂତି ସଭା, ଆମର ତତ୍ତତ୍‌ ବିଷୟକ ଜ୍ଞାନସମ୍ୱଳିତ ପ୍ରବନ୍ଧମାନ କୌଣସି ପତ୍ରିକା ଆଦିରେ ଖଣ୍ଡଶଃ, ଅଂଶଶଃ, କ୍ରମଶଃ ଧାରାବାହିକ ରୂପେ ପ୍ରକାଶିତ ହେବାର ଗୋଟାଏ କିଛି ମନବୋଧିଆ ଘରୋଇ ବନ୍ଦୋବସ୍ତ କରାଯାଇପାରେ, ତେବେ ଏକା ଅନୁକୂଳରେ ଧର୍ମ, ଅର୍ଥ, କାମ, ମୋକ୍ଷ ଅର୍ଥାତ୍‌ ସଭ୍ୟ ଅସଭ୍ୟ ଓ ପାଠକ ସମାଜରେ ଆମର ସୁନାମ ପ୍ରଚାର, ସରକାରରେ ଆମର ଉପାଧି ଇତ୍ୟାଦି ପାଇବା ଭଳି ସୁଖ୍ୟାତି, ଆମ ଘରକରଣାର ଆୟୋଜନ ଓ ହରେକ କିସମର ସୁବିଧା କରାଯାଇ ପାରିବ । ସଙ୍ଗେ ସଙ୍ଗେ ମଧ୍ୟ ବକ୍ତୃତା ଛଳରେ, ପ୍ରବନ୍ଧ ଛଳରେ, ଉପଦେଶ ଉଳରେ, ପ୍ରେରିତ ପତ୍ର ଛଳରେ, ସ୍ଥାନୀୟ ସଂବାଦ ଛଳରେ, ବେନାମି ଓ ସ୍ୱନାମି ନାନା ପ୍ରକାର ଛଳରେ ଆମର ଅଦଉତି ଓ ମନର ଓରମାନ ମଧ୍ୟ ମେଣ୍ଟାଯାଇ ପାରେ । ଏ ରକମର ନିଃସ୍ୱାର୍ଥ-କର୍ମ-ପରୀକ୍ଷା କେହି କେହି ମହାପୁରୁଷ କରି ଫଳ ପାଇଅଛନ୍ତି କି ନାହିଁ, ତାହା ମତେ ଜଣା ନାହିଁ; କିନ୍ତୁ ଏ ପୂଜାର ଦୀର୍ଘ ଅବକାଶଟାର ଏହି ସଦ୍‌ବ୍ୟବହାର କରିବାକୁ ମୋର ଭାରି ଇଚ୍ଛା ହୋଇଅଛି ଓ ବାଟରେ ଯେବେ ଏହିଭଳି ପଥିକ ଜଣେ ଖଣ୍ଡେ ହାବୁଡ଼ରେ ପଡ଼ିବେ, ତେବେ ତ ଆଉ କଥା ନାହିଁ । ଆଜି ରହିଲି ।

 

(୨୧ଶ ଭାଗ । ୧୩୨୫ । ୯ମ ସଂଖ୍ୟା)

 

ସମଗ୍ର ପୃଥିବୀ ଯେପରି ବର୍ତ୍ତମାନ ଗୋଟିଏ ଅଭାବନୀୟ ବିପ୍ଳବ ମଧ୍ୟ ଦେଇ ଯାଉଅଛି, ସେହିପରି ପ୍ରତ୍ୟେକ ଦେଶ, ପ୍ରତ୍ୟେକ ଜାତି, ପ୍ରତ୍ୟେକ ସମାଜର ଅନ୍ତଃସ୍ଥଳକୁ ନାନା ନୂତନ ଭାବ ଓ ଆକାଂକ୍ଷାମାନ ଆଲୋଡ଼ିତ କରୁଅଛି । ଦେଶ ବୋଲ, ଜାତି ବୋଲ, ସମାଜ ବୋଲ, ସମସ୍ତେ ବ୍ୟକ୍ତିମାନଙ୍କର ସମଷ୍ଟି ମାତ୍ର । ଗୋଟିଏ ଦେଶରେ ଗୋଟିଏ ନୂଆ ଭାବର ଢେଉ ଖେଳୁଅଛି । ଏ କଥା କହିଲେ ବୁଝାଯାଏ ଯେ, ସେ ଦେଶ ଯେଉଁ ଅର୍ଥାତ୍‌ ବ୍ୟକ୍ତିମାନଙ୍କ ଦ୍ୱାରା ଗଠିତ, ସେ ବ୍ୟକ୍ତିମାନଙ୍କ ମନରେ ନୂତନ ଭାବ ଓ ଆକାଂକ୍ଷା ଉଦିତ ହୋଇ ସେମାନଙ୍କ ମନକୁ ସରଗରମ୍‌ ଗୁଲଜାର କରି ଦେଉଅଛି । କିଏ ୫ ବର୍ଷ ତଳେ ଭାବିଥିଲା ଯେ, ଆଜି ସମଗ୍ର ଜଗତରେ ଗୋଟିଏ ବିଶ୍ୱବ୍ୟାପୀ ଆନ୍ଦୋଳନ ଉପସ୍ଥିତ ହେବ ? କୋଟି କୋଟି ପ୍ରାଣୀ କରାଳ କାଳର ମୁଖବ୍ୟାଦାନରେ ପଶିଯିବେ ? କୋଟି କୋଟି ନରନାରୀ ନିରାଶ୍ରୟ ହେବେ ? କୋଟି କୋଟି ମନୁଷ୍ୟ ମୃତ୍ୟୁମୁଖକୁ ଲମ୍ଫ ଦେବାକୁ କୁଣ୍ଠିତ ହେବେ ନାହିଁ ? ଏଥିପାଇଁ ମୁଁ ମନେ ମନେ ଭାବେ, ଏହି ଯୁଗରେ ଯେଉଁମାନେ ପୃଥିବୀରେ ଜନ୍ମ ଗ୍ରହଣ କରିଅଛନ୍ତି ସେମାନେ ଧନ୍ୟ ! କାରଣ ଏକ ଦିଗରେ ବର୍ତ୍ତମାନ ଆମ୍ଭେମାନେ ସଭ୍ୟତାର ଚରମସୀମା, କୋମଳତା, ପରୋପକାର, ସ୍ୱାର୍ଥତ୍ୟାଗର ପରାକାଷ୍ଠା ଦେଖିବାକୁ ପାଉଅଛୁ; ସେହିପରି ଅନ୍ୟ ଦିଗରେ ବର୍ବରତା, ନିଷ୍ଠୁରତା, ସ୍ୱାର୍ଥାନ୍ଧତା, ପରଧନ ପରରାଜ୍ୟଲିପ୍‌ସାର ଶେଷ ଦୃଶ୍ୟର ଅଭିନୟ ମଧ୍ୟ ଦେଖି ପାରୁଅଛୁଁ । ଏକ ଦିଗରେ ଗୋଟିଏ ପଶୁ ବଳରେ ବଳୀୟାନ ଜାତି ଗୋଟିଏ କ୍ଷୁଦ୍ର ଜାତିକୁ ନିଷ୍ପେଷିତ କରି ତାହାର ସତ୍ତା ବୁଡ଼ାଇ ଦେବାକୁ ବସିଅଛି । ଲକ୍ଷ ଲକ୍ଷ ନିରୀହ ପ୍ରାଣୀଙ୍କୁ ସଂହାର କରୁଅଛି । ସହସ୍ର ସହସ୍ର ସ୍ତ୍ରୀ ବାଳକଙ୍କୁ ନିରାଶ୍ରୟ ଓ ବାସଶୂନ୍ୟ କରି ପକାଉଅଛି ଓ ପଶୁବଳର ପରାକାଷ୍ଠା ଦେଖାଉଅଛି । ଅପର ଦିଗରେ ଦେଖୁଥାଇଁ ଯେ, ଅନ୍ୟ ଏକ ପରାକ୍ରମୀ ଜାତି ସେହି ନିଷ୍ପିଷ୍ଟ ଜାତିକୁ ରକ୍ଷା କରିବା ପାଇଁ ବଦ୍ଧପରିକର ହୋଇ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଅଛି । ଲକ୍ଷ ଲକ୍ଷ ନରନାରୀ ଧର୍ମର ଜୟ, ପାପର ପରାଜୟ ନିମନ୍ତେ ଦିବାନିଶି ଧନ, ମନ, ପ୍ରାଣ, ଶକ୍ତି ସବୁ ଅମ୍ଳାନ ବଦନରେ ଢାଳି ଦେଉଅଛନ୍ତି । ଲକ୍ଷ ଲକ୍ଷ ବ୍ୟକ୍ତି ସାର୍ବଜନୀନ ସେବାବତ୍ର ଧାରଣ କରି ଆହତ ଓ ମୁମୂର୍ଷୁଙ୍କର ସେବାରେ ଜୀବନ ଉତ୍ସର୍ଗ କରୁଅଛନ୍ତି, ଏ ସଂସାରରେ ଧର୍ମର ଜୟ-ପତାକା ଉଡ଼ିବ ବୋଲି ଆପଣାର ସର୍ବସ୍ୱ ନିୟୋଜିତ କରିବାକୁ କୁଣ୍ଠିତ ହେଉ ନାହାନ୍ତି । ଅତଏବ ଏ ଯୁଗରେ ନାରକୀୟ ବର୍ବରତା ଓ ସ୍ୱଗୀୟ ଦେବସୁଲଭ ଉଦାରତାର ଉଦାହରଣ ଏକ ସ୍ଥାନରେ, ଏକ ଦେଶରେ, ଏକାଧାରରେ ଦେଖିବାକୁ ମିଲୁଅଛି । ଉପସ୍ଥିତ ବିଶ୍ୱବ୍ୟାପୀ କନ୍ଦଳରେ ମନୁଷ୍ୟର ଓ ଜାତିର ଉଦାରତା ଓ ବର୍ବରତା ଦେଖିବାକୁ ଆମ୍ଭମାନଙ୍କୁ ଯେଉଁ ସୁବିଧା ମିଳିଅଛି, ତାହା କେବେ ହୋଇ ନ ଥିଲା, ହୋଇ ନାହିଁ, କି ହେବ ନାହିଁ । ଏଥିପାଇଁ କହୁଥିଲି, ଏ ଯୁଗରେ ଯେଉଁମାନେ ଜନ୍ମ ହୋଇଅଛନ୍ତି, ସେମାନେ ଧନ୍ୟ । କାଲି ଜାର (Czar) ରାଜେନ୍ଦ୍ରାସନ ଅଧିକାର କରି ଯଥେଚ୍ଛାଚାର ଶାସନପ୍ରଣାଳୀରେ ବିଶାଳ ରୁଷିଆ ସାମ୍ରାଜ୍ୟକୁ ନିଜର ତର୍ଜନୀର ଆୟତ୍ତରେ ରଖି କୋଟି କୋଟି ପ୍ରାଣୀଙ୍କର ଭାଗ୍ୟବିଧାତା ଥିବାର ମନରେ ଗେଣ୍ଟ ବାନ୍ଧି ବସିଥିଲେ, ଆଜି ସେହି ପ୍ରବଳ ପ୍ରତାପ ସମ୍ରାଟ ଫକୀର ଓ ବନ୍ଦୀ । କାଲି ଯେ ମହା ସମୃଦ୍ଧିଶାଳୀ ନଗର ଥିଲା, ଆଜି ତହିଁର ଭସ୍ମାବିଶେଷ ମାତ୍ର ପଡ଼ିଅଛି । କାଲି ଯେଉଁ ପାଶ୍ଚାତ୍ୟ ସଭ୍ୟତା ମନେ ମନେ ଆସ୍ଫାଳନ କରୁଥିଲା ଯେ, ତାହାର ମାଧୁରୀରେ ଜଗତ ମୁଗ୍‌ଧ, ଆଜି ସେହି ସଭ୍ୟତା ବର୍ବରତାର ପୋଷାକ ପରିଧାନ କରି ନିଜର ଉଚ୍ଚ ଆସନ ହରାଇଅଛି ଓ ଆଜି ସେହି ସଭ୍ୟତାଭିମନ୍ତ୍ରିତ ଜାତିମାନେ ନିଜର ହେୟତା ଓ ନିର୍ବଳତା ଉପଲବ୍‌ଧି କରୁଅଛନ୍ତି । କାଲି ମୁଁ ଯାହାକୁ ‘ଇତର ଲୋକ’ ବୋଲି ମନେକରି, ‘ଅନ୍ତ୍ୟଜ’ ‘ଜାତି’ ବୋଲି ଜ୍ଞାନକରି ଯାହାର ଛାଇ ପଡ଼ିଲେ ଆପଣାକୁ ଅପବିତ୍ର ବୋଲି ମନେ କରୁଥିଲି, ଆଜି ସେହି ଅସ୍ପୃଶ୍ୟ ବ୍ୟକ୍ତିକୁ ମୁଁ ଭ୍ରାତ୍ୟଭାବରେ ଆଲିଙ୍ଗନ କରିବାକୁ ଦଉଡ଼ୁଅଛି । ଏହି ଜଗତ୍‌ବ୍ୟାପୀ ଯୁଦ୍ଧ ଖର୍ବ ଖର୍ବ ପ୍ରାଣୀଙ୍କର ଗର୍ବ ଖର୍ବ କରିଅଛି, ମନର ଦିମାକକୁ ଚୂନା କରି ଦେଉଅଛି; ଜାତ୍ୟଭିମାନର ସିଂହାସନକୁ ଧୂଳିରେ ଲୁଟାଇ ଦେଉଅଛି । ଏହି ଯୁଦ୍ଧରେ ଅନେକ ଲୋକ ଓ ଜାତିଙ୍କ ଆଖିରୁ ଅନ୍ଧପୋଟଳି ଫିଟି ଯାଇଅଛି ଓ ଅନେକ ଲୋକଙ୍କର ମୋହ ନିଦ୍ରା ଭାଙ୍ଗିଅଛି ଓ ଅନେକ କୁହୁକ ଭାଙ୍ଗି ଯାଇଅଛି । ଏ ମହା ସଂଗ୍ରାମ ଦ୍ୱାରା ପୃଥିବୀର (ଧନ, ସମ୍ପଦ, ମନୁଷ୍ୟ ଆଦରେ) ଯେଉଁ କ୍ଷତି ହେଲା, ସେ କ୍ଷତି ପୂରଣ ହେବାକୁ କେତେ ଯୁଗ ଲାଗିବ, ତାହା ଇୟତ୍ତା କରାଯାଇ ପାରୁନାହିଁ । କିନ୍ତୁ ଅନ୍ୟ ଆଡ଼ୁ ଦେଖିବାକୁ ଗଲେ ଏହି ସର୍ବଗ୍ରାସୀ ସମର ସମଗ୍ର ଜଗତରେ ଭାବାନ୍ତର ଉପସ୍ଥିତ କରି ସମଗ୍ର ଜଗତକୁ ବିଶ୍ୱନିୟନ୍ତାଙ୍କ କଳ୍ପିତ ଆଦର୍ଶ ଆଡ଼କୁ ଟାଣି ଉଠାଉଅଛି । ଏ ସର୍ବଗ୍ରାସୀ ମହାକନ୍ଦଳ ପାଶ୍ଚାତ୍ୟ ସଭ୍ୟତାରୁ ଉତ୍ପନ୍ନ ଭଲ ବସ୍ତୁଗୁଡ଼ିକୁ ଯେପରି ଗ୍ରାସ କରିଅଛି, ସେହିପରି ଅନେକଗୁଡ଼ିଏ ମନ୍ଦ ବସ୍ତୁ, ମନ୍ଦ ଗୁଣକୁ ମଧ୍ୟ ଗ୍ରାସ କରି ପକାଇଅଛି । ସଭ୍ୟ ଜଗତ୍‌ ଏହି ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇ ଯେତେବେଳେ ବାହାରିବ, ସେତେବେଳେ ଏହା ଅପେକ୍ଷା କୃତ ଶୁଦ୍ଧତର, ଉଚ୍ଚତର ଓ ଉଦାରତାର ହେବ, ଏଥିରେ ସନ୍ଦେହ ନାହିଁ । ରଣଚଣ୍ଡୀଙ୍କ ସାମନାରେ କୋଟି କୋଟି ମହାଜୀବ ବଳି ପାଉଅଛନ୍ତି ସତ୍ୟ; କିନ୍ତୁ ଏହି ବଳି ପାଇ ଯେତେବେଳେ ରଣଚଣ୍ଡୀଙ୍କର ରକ୍ତ ପିପାସା ସୀମିତ ହେବ, ସେତେବେଳେ ସେହି ରଣଚଣ୍ଡୀ ଅନ୍ନପୂର୍ଣ୍ଣା ରୂପରେ ଏ ଜଗତରେ ଶାନ୍ତିବାରି ଛିଞ୍ଚିଦେବେ । ଏ କୋଳାହଳ ପରେ ଯେଉଁ ଶାନ୍ତି ଆସିବ ଏ ବିପ୍ଳବ ପରେ ଯେଉଁ ସୁସ୍ଥତା ଆସିବ, ଏ ବିଭ୍ରାଟ ପରେ ଯେଉଁ ସଂସ୍କାର, ଏ ବର୍ବରତା ପରେ ଯେଉଁ ସଭ୍ୟତା ଆସିବ, ତାହାର ମାହାତ୍ମ୍ୟ ଉପଲବ୍‌ଧି କରିବାକୁ ଗଲେ ମୋ ଭଳି କ୍ଷୁଦ୍ରଦପି କ୍ଷୁଦ୍ର ବ୍ୟକ୍ତିର ମନରେ ସୁଦ୍ଧା ଆଶା ଉଇଁ ଉଠୁଅଛି । ଏହି ହପ୍‌ପାରେ ସଂସାରକୁ ଭେଦଜ୍ଞାନ, ଜାତ୍ୟଭିମାନ, ଅହଙ୍କାର ଆଦି ଅନେକ ପରିମାଣରେ ନିର୍ବାସିତ ହେବ, ଏଥିରେ ସନ୍ଦେହ ନାହିଁ । ବିଶ୍ୱବିଧାତାଙ୍କ ରାଜ୍ୟରେ କୌଣସି ଘଟନା ଉଦ୍ଦେଶ୍ୟବିହୀନ ନୁହେଁ, କୌଣସି ପରିଶ୍ରମ ନିଷ୍ଫଳ ନୁହେଁ, କୌଣସି ବୀଜ ନିରଙ୍କୁର ନୁହେଁ, କୌଣସି ପଦାର୍ଥ ନିର୍ମୂଲ୍ୟ ନୁହେଁ । ସମସ୍ତ ଘଟନାରେ ସେହି ମଙ୍ଗଳନିୟନ୍ତାଙ୍କ ମଙ୍ଗଳ ଉଦ୍ଦେଶ୍ୟ ନିହିତ ରହିଅଛି । ଛାର ମନୁଷ୍ୟ ତାହା ଅନେକ ସମୟରେ ବୁଝି ନ ପାରି ବିଧାତାଙ୍କୁ ଗାଳିଦିଏ । ଏ ଯୁଦ୍ଧ ଦ୍ୱାରା ସମଗ୍ର ସଭ୍ୟଜଗତ ଯେଉଁ ମହାଶିକ୍ଷା ପାଉଅଛି, ତାହା ଶୀଘ୍ର ଭୁଲି ହେବ ନାହିଁ । ସଭ୍ୟତାଭିମାନୀ ପାଶ୍ଚାତ୍ୟ ଜାତିମାନେ ଏଥିରୁ ଶିକ୍ଷାଲାଭ କରୁଅଛନ୍ତି ଓ ଅସଭ୍ୟ ବର୍ବର ପ୍ରାଚ୍ୟ ଜାତିମାନେ ମଧ୍ୟ ଏଥିରୁ ଅନେକ ଶିକ୍ଷାଲାଭ କରୁଅଛନ୍ତି । ଗୋଟିଏ ସାମାନ୍ୟ ଉଦାହରଣରୁ ଦେଖିପାରିବା । ୧୯୧୧ ମସିହା ଡିସେମ୍ୱର ୧୨ ତାରିଖ ଦିନ ପ୍ରବଳ ପ୍ରତାପ ସମ୍ରାଟ ପଞ୍ଚମ ଜର୍ଜ ଏହି ଭାରତବର୍ଷର ପ୍ରାଚୀନ ନଗରୀରେ ରାଜ୍ୟାଭିଷେକ କ୍ରିୟା ସମ୍ପନ୍ନ କରିଥିଲେ ଓ ଏହି ଦିନଟା କେବଳ ଭାରତ ପକ୍ଷରେ ନୁହେଁ; କିନ୍ତୁ ସମଗ୍ର ବ୍ରିଟିଶ ସାମ୍ରାଜ୍ୟରେ ଗୋଟିଏ ଚିରସ୍ମରଣୀୟ ଦିନ ବୋଲି ଗଣ୍ୟ ହୋଇଅଛି । ଏହି ଦିନଟିକୁ ସାମ୍ରାଜ୍ୟବାସୀ ସମ୍ରାଟ Our day ଅର୍ଥାତ୍‌ ‘ଆମର ଦିନ’ ବୋଲି କହୁଅଛନ୍ତି ଓ ସାମାନ୍ୟ ପଲ୍ଲିବାସୀ କନ୍ଥାଧାରୀ ଭିକ୍ଷୁକ ମଧ୍ୟ ଏହି ଦିନକୁ ‘ଆମର ଦିନ’ ବୋଲି କହୁଅଛି– ଲାଟ କମିଶନରମାନେ ଆପଣାର ଉଚ୍ଚାସନ ଭୁଲିଯାଇ ଏହି ‘ଆଉଆର ଡେ’ ମାଳାରେ ଯୋଗ ଦେଉଅଛନ୍ତି । ଏଣେ ଯାହାକୁ ପଇସା ଦୁଇଟା ମିଳେ, ସେ ମଧ୍ୟ ଖଣ୍ଡେ ଦୁଇପଇସିଆ ସାମ୍ରାଜ୍ୟ ପତାକା ଛାତିରେ ମାରି ଦେଇ ଏହି ମେଳା ମଉଚ୍ଛବରେ ଯୋଗ ଦେଉଅଛି । ଆଜି ଇଂରାଜ-ସାମ୍ରାଜ୍ୟବାସୀ ସମସ୍ତେ ସେହି ବିଶାଳ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ବୋଲି ଭାବି ଏକଭାବରେ ଦୀକ୍ଷିତ ହୋଇଅଛନ୍ତି । ଯୁଦ୍ଧ ପୂର୍ବରେ କେତେକଥର ଡିସେମ୍ୱର ୧୨ ତାରିଖ ପଡ଼ିଥିଲା, କିନ୍ତୁ ଆଜି ସମସ୍ତଙ୍କ ମନରେ ଯେଉଁ ସାମ୍ରାଜ୍ୟଜନୀନ ପ୍ରେମ ଓ ଭ୍ରାତୃଭାବ ଖେଳା କରୁଅଛି, ତାହା ଯୁଦ୍ଧ ପୂର୍ବରେ ନ ଥିଲା । କାରଣ ଯେତେବେଳେ ଆମ ସାମ୍ରାଜ୍ୟ ଉପରେ ବିପଦ ପଡ଼ିଅଛି, ସେତେବେଳେ ଏ ବିପଦ ପ୍ରତ୍ୟେକଙ୍କର, ଏ କଥା ବର୍ତ୍ତମାନ ଆମେ ସମସ୍ତେ ନିଜ ନିଜ ହୃଦୟରେ ଉପଲବ୍‌ଧି କରିବାକୁ ସୁଯୋଗ ପାଇଅଛୁଁ-। ଏ ଯୁଦ୍ଧ ଦ୍ୱାରା ଯେପରି ପ୍ରାକୃତିକ ବନ୍ଧୁରତା ସମତଳରେ ପରିଣତ ହୋଇଅଛି, ସେହିପରି ମଧ୍ୟ ଅନେକ ଜାତୀୟ ଓ ମାନସିକ ଓ ରାଜନୈତିକ ବନ୍ଧୁରତା ଏବଂ ଭେଦଜ୍ଞାନ ଦୂର ହୋଇ ସମଗ୍ର ସାମ୍ରାଜ୍ୟ ଗୋଟିଏ ସମତଳ କ୍ଷେତ୍ରରେ ପରିଣତ ହୋଇଅଛି । ମୁଁ ଅନୁମାନ କରୁଅଛି ଯେ, ଉପସ୍ଥିତ ମହା ବିପ୍ଳବର ଗୋଟିଏ ଶୁଭଫଳ ଏହି ‘ସମୀକରଣ’ । ପ୍ରାଚୀ ସଭ୍ୟତା ଯେଉଁପରି କେତେଗୁଡ଼ିଏ ସାମାଜିକ ଜାତି ସୃଷ୍ଟି କରି ଜଗତରେ ଭେଦଜ୍ଞାନର ବୀଜ ବୁଣି ଦେଇଥିଲା, ପାଶ୍ଚାତ୍ୟ ସଭ୍ୟତା ସେହିପରି କେତେଗୁଡ଼ିଏ ରାଜନୈତିକ ଜାତି ସୃଷ୍ଟି କରି ଆସୁଥିଲା-। ଏକପ୍ରକାର ଜାତିଭେଦ ପରିବର୍ତ୍ତରେ ଅନ୍ୟପ୍ରକାର ଜାତିଭେଦର ସୂତ୍ରପାତ କରୁଥିଲା; କିନ୍ତୁ ବର୍ତ୍ତମାନ ସେହି ଜାତିଭେଦ ଲୋପ ହେବାକୁ ବସିଅଛି । ଅତଏବ କହୁଥିଲି ଯେ, ଜଗତ୍‌ ଯେତେବେଳେ ଏ ‘ବିପଦ ଦୁର୍ଦ୍ଦିନତମ ଘୋର ଅନ୍ଧକାର’ ପାର ହୋଇ ଆର ପାରିରେ ପହଞ୍ଚିବ, ସେତେବେଳକୁ ଜଗତରୁ ଭେଦଜ୍ଞାନ, ଜାତ୍ୟଭିମାନ, ଦାମ୍ଭିକତା, ଅହଙ୍କାର ଆଦି ଲୁପ୍ତ ହୋଇ ଏ ଜଗତରେ ଚିରଶାନ୍ତି ଓ ଚିରସୁଖ ଓ ଚିର ସ୍ୱାଧୀନତା ବିରାଜମାନ କରିବ, ଏଥିରେ ସନ୍ଦେହ ନାହିଁ-। ଆମ ଜଗତର ଉନ୍ନତି ସଙ୍ଗେ ସଙ୍ଗେ ଆମ ପ୍ରଗନ୍ନା, ଆମ ମଉଜା ଓ ଅବଶେଷରେ ଆମର ଘର ଏହି ଫଳରେ ଭାଗୀ ହେବେ, ଏଥିରେ ସନ୍ଦେହ ନାହିଁ । ଏଥିଯୋଗୁଁ ଉପସ୍ଥିତ ବିପ୍ଳବ ସମୟରେ (Our day) ‘ଆମ ଦିନ’ ସଙ୍ଗେ ‘ଆମ ଘର’ ର କି ସମ୍ପର୍କ, ଏହାହିଁ ସୂଚନା କରିବା ନିମନ୍ତେ ଏତକ ଅବତାରଣା ।

 

(୨୧ଶ ଭାଗ । ୧୩୨୫ । ୧୦ମ ସଂଖ୍ୟା)

 

ଦେଶର କର୍ମବୀରମାନେ ଯେ ଯାହା ବଢ଼ି ମନୁଷ୍ୟ ହୋଇଥାନ୍ତି । ଘନ (Home) ହେଲା । ମନୁଷ୍ୟ ଗଢ଼ିବାର କାରଖାନା (Factory) । ପ୍ରଥମେ ମା ପେଟରୁ ପଡ଼ିବା ମାତ୍ରେ ବର୍ଷ କେତେ ଘଷା, ମଜା, ଆଉଁସା, ଛିଞ୍ଚା, ବିଞ୍ଚା ଲିପାପୋଛା, କାନ ନାକ ମୋଡ଼ା, କଚଡ଼ା ରଗଡ଼ା ଏହିପରି ଅନେକ ପ୍ରକାର ପ୍ରକ୍ରିୟା (Operations) ହେବାପରେ ଯାଇଁ ଶିଶୁଟି ଦାଣ୍ଡକୁ ବାହାରି ଠିଆ ହେବାକୁ ସମର୍ଥ ହୁଏ । ଅତଏବ ଦେଶର କର୍ମକର୍ତ୍ତାଙ୍କ ସମ୍ୱନ୍ଧରେ, ଦେଶର କର୍ମକ୍ଷେତ୍ର ପ୍ରସଙ୍ଗରେ କୌଣସି କଥା ଆଲୋଚନା ହେଲେ ଆମ ଘରର ହାଲଚାଲର କଥଞ୍ଚିତ୍‌ ଆଲୋଚନା ଅବଶ୍ୟମ୍ଭାବୀ ହୋଇଉଠେ । ବର୍ତ୍ତମାନ ସ୍ୱାୟତ୍ତ-ଶାସନ ନିମନ୍ତେ ସମଗ୍ର ଭାରତରେ ଯେଉଁ ଆକାଂକ୍ଷା ଜାଗରିତ ହୋଇଅଛି ଓ ଯେଉଁ କଥା ପାଇଁ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଆନ୍ଦୋଳନ ଲାଗିଅଛି, ସେଥିରୁ ଈଶ୍ୱରଙ୍କ ଦୟାରୁ ଓଡ଼ିଶା ରକ୍ଷା ପାଇଅଛି । ଆଜିକି ବତିଶି ବର୍ଷ ହେଲା ଯେଉଁ କଂଗ୍ରେସ ବା ଜାତି, ମହାସଭା ଭାରତର ଭବିଷ୍ୟତକୁ ଗଠନ କରିବାର ଚେଷ୍ଟା କରୁଅଛି, ଆମ ଓଡ଼ିଶା ସେଥିରୁ କଡ଼ାଏ ଧାର ଧାରି ନାହିଁ । ସେହି କଂଗ୍ରେସ ମଣ୍ଡପରେ ନାନା ପ୍ରସ୍ତାବ ପ୍ରସଙ୍ଗରେ ଆଜିଯାକେ ଯେତେ ଲୋକ ଠିଆ ହୋଇ ବକ୍ତୃତା କରିଅଛନ୍ତି, ତାଙ୍କ ମଧ୍ୟରେ ଆମ ଜାତିଭାଇଙ୍କ ନାମରେ ପ୍ରାୟ ଖଡ଼ି ପଡ଼ି ନାହିଁ କହିଲେ ଚଳେ । ବରଂଚ ଦେଖାଯାଉଅଛି ଯେ, କଂଗ୍ରେସ ଯାହା କରୁଅଛି ବା କହୁଅଛି, ଅନେକ କଥାରେ ଓଡ଼ିଶା ତାହା ସଙ୍ଗେ ଏକମତ ନୁହେଁ । ଏହିସବୁ ଦେଖି ଅନେକ ସମୟରେ ମୋ ମନରେ ଗୋଟାଏ ନୌରାଶ୍ୟ ଆସି ପହଞ୍ଚେ । କିନ୍ତୁ ମନକୁ ଅନେକ ବୋଧସୋଧ କରିବାକୁ ମନଟା ମୋର ଭାରି ଚଞ୍ଚଳ ବୁଝିଯାଏ ଓ ଆମ ଓଡ଼ିଶାର ଗୋଟାଏ ଖୁବ୍‌ ଝକମକିଆ ଚିତ୍ର ମୁଁ କଳ୍ପନା ଚକ୍ଷୁରେ ଦେଖିପାରେ ସମ୍ଭାଳି ହୋଇଯାଏଁ । ଆମ ଜାତିର ଇତିହାସରେ (ଓଃ ରାମ ! ମାଦଳା ପାଞ୍ଜିରେ) ଯେତେ ଯେତେ ବଢ଼ିଆ କଥା ଓ ବଢ଼ିଆ ମନୁଷ୍ୟଙ୍କ କଥାର ଉଲ୍ଲେଖ ଅଛି, ତାହାସବୁ ଧୋଇଧାଇ ଚାଟିଚୁଟି ପିଇଲା ବେଳକୁ ତ ଆମଙ୍କୁ ସମୟ ନାହିଁ, ଆମେ ଅନ୍ୟ ଜାତିର ଇତିହାସ ଖୋଜିବା କିଆଁ ? କଥାରେ ଅଛି, ଆମ ବଡ଼ବଡ଼ୁଆଏ ଯେଉଁ ସମ୍ପତ୍ତି ରଖିଯାଇ ଅଛନ୍ତି, ଆମେ ଯୋଗ୍ୟ ପୁଅ ହୋଇ ସେଇତା ରଖି ସାଇତି, ଧୋଇ ଶୁଖେଇ, କୁଟି ବାଟି, ରଗଡ଼ି ଫୁଙ୍କି ଖାଇବାକୁ ଆମର ଆୟୂଷ ନାହିଁ । ତାକୁ ଆମ ବଢ଼େଇବା କଥା ପଚାରୁଛି କି ? ଦେଖନ୍ତୁ ଯେ, ଆମ ପୂର୍ବପୁରୁଷେ ବଡ଼ଦେଉଳକୁ ପଥର ବୋହି ବୋହି ତାଙ୍କ ପିଠିରେ ବୁଜ ବାହାରି ପଡ଼ି ତାଙ୍କ ପିଠି ଚମଡ଼ା ଏଡ଼େ ଟାଣ ହୋଇଗଲା ଯେ, ସେମାନେ କଇଁଛ (କୂର୍ମ) ହୋଇଗଲେ ଓ ସେହିମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ବାସ କରୁଅଛନ୍ତି, ଏମନ୍ତ କି କଡ଼ାକର ମୁଆଁ କିଣି ଇନ୍ଦ୍ରଦ୍ୟୁମ୍ନ ପାହାରରେ ଠିଆ ହୋଇ ‘‘ଲଡ଼ି କଡ଼ି’’ ବୋଲି ଡାକିଲେ ସେ କୁରୁମଯାକ ଆମ ପାଖକୁ ସେ ମୁଆଁ ଖାଇବାକୁ ପାଣି ଭିତରୁ ଉଠି ଆସନ୍ତି । ଆମ ପୂର୍ବପୁରୁଷଙ୍କ ମଧ୍ୟରୁ ଯେଉଁମାନେ ବଡ଼ଦେଉଳକୁ ପଥର ବୋହୁଥିଲେ, ସେମାନଙ୍କ ମଧ୍ୟରେ ଅଣ୍ଡିରି ପୁଅ ଓ ମାଇକିନିଆ ଝିଅ ମଧ୍ୟ ଥିଲେ, ଏଥିଯୋଗୁଁ ଇନ୍ଦ୍ରଦ୍ୟୁମ୍ନସ୍ଥ କୂର୍ମବଂଶ ଅବଧି ନିର୍ମୂଳ ହୋଇ ନାହାନ୍ତି । ଏ ଗୋଟାଏ ସୁନିଶ୍ଚିତ ଐତିହାସିକ ତଥ୍ୟ, ଏହାକୁ ବାଜେ କଥା ବୋଲି ଉଡ଼ାଇ ଦେବାର ଯୋ ନାହିଁ । ଆମ ବାପାଙ୍କ ସଙ୍ଗେ ମୁଁ ପିଲାଦିନେ ଯେତେବେଳେ ଜଗନ୍ନାଥ ଦର୍ଶନକୁ ଯାଇ ଆମ ବୁଢ଼ୀମା ସଙ୍ଗେ ‘ପଞ୍ଚୁତୀର୍ଥ’ କରିଥିଲି, ସେତେବେଳେ ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ମୁଆଁ ନୈବେଦ୍ୟ ଦେଲାବେଳେ ଆମ ବୁଢ଼ୀମା ମତେ ଏହି କୂର୍ମମାନଙ୍କୁ ଦେଖାଇ ଦେଇଥିଲେ । ମୁଁ ବୁଢ଼ୀମାଙ୍କୁ ପଚାରିଥିଲି ଯେ, ଏ ଜୀବ କଣ ଓ କେଉଁଠାରୁ ଆସିଲେ ? ବୁଢ଼ୀମା ମତେ ସେହି ସମୟରେ କହି ଦେଇଥିଲେ ଯେ, ଏମାନେ ଜଗନ୍ନାଥଙ୍କ ‘ବଡ଼ଦେଉଳ’କୁ ପିଠିରେ ପଥର ବୋହି ବୋହି ଏପରି କୁଜା ଓ ଛାଲ-ପିଠିଆ ହୋଇଯାଇ ଅଛନ୍ତି । ବୁଢ଼ୀମାଙ୍କଠାରୁ ଏ କଥା ଶୁଣିବାର ଆଜିକୁ ପ୍ରାୟ ୪୦ ବର୍ଷ ହେଲା । ଏହି ଚାଳିଶବର୍ଷ ମଧ୍ୟରେ ମୋ ଉପର ଦେଇ, କଡ଼ ଦେଇ, ପିଠି ଦେଇ, ପେଟ ଦେଇ, ପୁଡ଼ା ଦେଇ କେତେ ଶିକ୍ଷାର ସ୍ରୋତ, କେତେ ସଭ୍ୟତାର ଢେଉ, କେତେ ବିଜ୍ଞାନର ଗୋଳା, କେତେ ଜ୍ଞାନର ଫୁଆରା ବୋହି ଯାଇଅଛି, ଅବଧି ସେହି କଇଁଛମାନଙ୍କୁ ଦେଖିଲେ, ମୋତେ ଆମରି ପୂର୍ବପୁରୁଷ ବୋଲି ମୋ ମନରେ ବୁଢ଼ୀମାଙ୍କ ଅମଳରୁ ଯେଉଁ ଧାରଣା ଥିଲା, ତାହା ଦୂର ହୋଇ ନାହିଁ । ପାଶ୍ଚାତ୍ୟ ସଭ୍ୟଜଗତର ବିଜ୍ଞାନବେତ୍ତାମାନେ ଯେ କହିଅଛନ୍ତି, ‘‘ଆମ୍ଭମାନଙ୍କ ବଡ଼ବଡ଼ୂଆ ମାଙ୍କଡ଼ ଥିଲେ’’ ଏକଥା ଆମ ଓଡ଼ିଶା ପ୍ରତି ଖଟିବ ନାହିଁ ଆମ ପୂର୍ବପୁରୁଷେ କୁରୁମ ଓ କଇଁଛ ଥିଲେ । ଏ କଥା କହିବାର ଉଦ୍ଦେଶ୍ୟ ଏହି ଯେ, କାଳୀ ଗାଈର ଭିନେ ଗୋଠ । ସଭ୍ୟ ଜଗତର ପାଠ ଏକ, ଆମ ପାଠ ଏକ । ସଭ୍ୟ ଜଗତର ବିଜ୍ଞାନ ସଙ୍ଗେ ଆମର ସହାନୁଭୂତି ନାହିଁ । ଆମ ପାଠ ଡାକୁଛି, ଆମ ପୂର୍ବପୁରୁଷ କଇଁଛ । ବଡ଼ଦେଉଳ ତିଆରି ହେବା ସମୟରୁ ଆଜି ପର୍ଯ୍ୟନ୍ତ କେତେ ଢେଉ ଆସି ଏ ସଂସାରରେ ବାଜିଲାଣି, କିନ୍ତୁ ଆମ ପୂର୍ବପୁରୁଷେ ସେହି ଇନ୍ଦ୍ରଦ୍ୟୁମ୍ନ ପୋଖରୀର ଅନ୍ତଃସ୍ଥଳରେ ଅବଧି ଆମ ପୂର୍ବପୁରୁଷମାନଙ୍କ କୀର୍ତ୍ତିର ମୂକସାକ୍ଷୀରୂପେ ବିଦ୍ୟମାନ ଅଛନ୍ତି । ଏ ପ୍ରମାଣ ଥାଉଁ ଥାଉଁ କିଏ କହିବ ଯେ ‘ବଡ଼ଦେଉଳ’ ଆଉ ବଡ଼ବଡ଼ୁଆଙ୍କ କୀର୍ତ୍ତି ନୁହେଁ ! ଛାଡ଼ ସେ କଥା । ମୁଁ କହୁଥିଲି ଯେ, ଆମ ପୂର୍ବପୁରୁଷ ଆମ ପାଇଁ ଯାହା ସମ୍ପଦ ରଖିଯାଇ ଅଛନ୍ତି, ତାହା ଧୋଇ ଶୁଖେଇ ଖାଇଲେ ତ ଆମର ସରିବ ନାହିଁ । ଆମେ ବୃଥାରେ ଲଣ୍ଡଭଣ୍ଡ ହେବା କିଆଁ ? ଦେଖନ୍ତୁ ଯେ, ଆମ ପିତୃପିତାମହେ ଯେଉଁ ପୁରୀର ‘ବଡ଼ଦେଉଳ’, ଭୁବନେଶ୍ୱର ମନ୍ଦିର, କୋଣାର୍କର ମନ୍ଦିର ଏସବୁ ଆମ ପାଇଁ ସାଇତି ଯାଇଅଛନ୍ତି, ସେସବୁ କେତେ ଜାଗାରେ ଭାଙ୍ଗି ତୁଟି ଗଲାଣି, ତହିଁର ଭଗ୍ନାବଶେଷରୁ ଆମ୍ଭେମାନେ କେତେ ଶହ ଯୋଡ଼ା ଚକି, କେତେ ହଜାର ଶିଳ ଶିଳପତା, କେତେ ଲକ୍ଷ ତୋଠ ପଥର, କେତେ କେତେ ଉଚ୍ଚ ପିଣ୍ଡା, କେତେ କେତେ ପଥର ପାହାଚ, ପଥର ଚକଡ଼ା, ପଥର ଚାନ୍ଦିନି, ପଥର ଖଲ, ପଥର ଦୀପ, ପଥର ଚନ୍ଦନପେଡ଼ି, ପଥର କୁଣ୍ଡି କଲୁଣି, ତେବେ ସୁଦ୍ଧା ସରିବାକୁ ନାହିଁ । ଏ ଅସରନ୍ତି ଭଣ୍ଡାର ଥାଉଁ ଥାଉଁ ଆମ୍ଭେମାନେ ଭାରତର ଭବିଷ୍ୟତ୍‌ ଚିନ୍ତା ନେଇ ବିବ୍ରତ ହେବା ମୂର୍ଖତା ନୁହେଁ ତ ଆଉ କଣ ? ଦେଖନ୍ତୁ ଯେ, ଆମରି ଅଭିମନ୍ୟୁ, ଉପେନ୍ଦ୍ର ଭଞ୍ଜ, ବିଶି, ସାରଳା, ଦୀନକୃଷ୍ଣ, ବନମାଳୀ, କବିସୂର୍ଯ୍ୟ ସାହିତ୍ୟ ଭଣ୍ଡାରରେ ଆମ ଲାଗି ସଞ୍ଚିଯାଇ ଅଛନ୍ତି, ସେହି ମାଲ ମସଲାରୁ ଆମେ କେତେ ଯୋଡ଼ା ଦାଇକା, କେତେ ଶହ ଚଉତିଶା, କେତେ ହଜାର ଛାନ୍ଦ, କେତେ ଲକ୍ଷ ଚଉପଦି, କେତେ ଚରିତ, କେତେ ହରଣ (ଯଥା-ସୁଭଦ୍ରା ହରଣ, ସୀତା ହରଣ, ଚନ୍ଦ୍ରାବତୀ ହରଣ, ବସ୍ତ୍ର ହରଣ), କେତେ ଶୋକ(ଯଥା–କୌଶଲ୍ୟା ଶୋକ, ଜାନକୀ ଶୋକ, ଆଳିରାଜା ଶୋକ), କେତେ ସୁଆଙ୍ଗ (ଯଥା–ବୋହୂ ସୁଆଙ୍ଗ), କେତେ ଚୋରି (ଯଥା–ନଟୁଚୋରି), କେତେ ରହସ୍ୟ (ଯଥା–ଦିଅର ଭାଉଜ ରହସ୍ୟ, ମାଇଁ ଭଣଜ ରହସ୍ୟ, ଆଈ ନାତୁଣୀ ରହସ୍ୟ), କେତେ କଳି (ଯଥା–ହନୁ ଅର୍ଜ୍ଜୁନ କଳି), କେତେ କୋଇଲି (ଯଥା–କେଶବ କୋଇଲି, କାନ୍ତ କୋଇଲି, ବାରମାସୀ କୋଇଲି, ଅକାଳ କୋଇଲି), କେତେ ବୋଲି (ଯଥା–ବଜାର ବୋଲି), କେତେ ଜଣାଣ (ଯଥା–ବାଲୁଙ୍କେଶ୍ୱର ଜଣାଣ, ଧବଳେଶ୍ୱରଙ୍କ ଜଣାଣ), କାଢ଼ି ସାରିଲୁଣି, ତେବେ ସୁଦ୍ଧା ଆମ ପୂର୍ବପୁରୁଷଙ୍କ ସଞ୍ଚିତ ପାଠ ସରୁ ନାହିଁ । ଆମେ ଅନ୍ୟ ଦେଶକୁ ଯାଇ ପର ଲୁଗା ପିନ୍ଧି ଯାତକୁ ଯିବା କିଆଁ ? ଅନ୍ୟ ଜାତିଙ୍କ ପିଛା ଧରି ଗୋଡ଼ାଣିଆ ହୋଇ ଯିବା କିଆଁ ? ଆମ ପୂର୍ବପୁରୁଷେ ସାବକ ସବାରାଶି ଜରିବ ଭଉଁରିଆ ସାଇତି ଯାଇଅଛନ୍ତି, ସେହି ଭଉଁରିଆକୁ ଧରି ପଦିକା ମଡ଼ାଇ ମଡ଼ାଇ ନଳ ଭାଙ୍ଗି ଭାଙ୍ଗି ଆମରି ଜମିବାଡ଼ି ମାପିବାକୁ ତ ଆମକୁ ତର ନାହିଁ, ଆମକୁ ପର ଜମି ମାପିବାକୁ ବେଳ କାହିଁ ? ପଦିକାମାପ ଛଡ଼ା ଅନ୍ୟ ମାପ ଶିଖିବାକୁ ଆମର ଫୁରୁସେତ୍‌ କାହିଁ ? ଆମର ଓଡ଼ିଶାରେ ନାହିଁ, କଣ ଯେ, ଆମେ ପରମୁଖାପେକ୍ଷୀ ହୋଇ ଆମର ସ୍ୱାତନ୍ତ୍ର୍ୟ ହରାଇବା ? ଆମରି ଘରେ ବଡ଼ଠାକୁର, ବଡ଼ଦେଉଳ, ମାଦଳା ପାଞ୍ଚି, ମହାନଦୀ, ମହାବଳ ବାଘ, ବଡ଼ ଦାଣ୍ଡ ଗଜପତି ମହାରାଜା (ଠାକୁର ରାଜା) ସବୁ ଅଛନ୍ତି । ଆମେ ଦାଣ୍ଡକୁ ଯିବା କିଆଁ ? ଏହି ସବୁ କଥା ଦେଖୁ ଦେଖୁ, ଭାବୁ ଭାବୁ, ରାବୁ ରାବୁ, ସୁମରୁ ସୁମରୁ, ଆମର ରାତି ଭୋର । ତ ପରେ ଦେଖନ୍ତୁ ଯେ, ଭାରତର ସବୁ ପୁରୁଣା ମରହଟ୍ଟିଆ ମହାପୁରୁଷମାନେ ଆମରି ପୂର୍ବ ପୁରୁଷ । କାଳିଦାସେ ଓଡ଼ିଆ, ଭବଭୂତି ଓଡ଼ିଆ, ଶଙ୍କରାଚାର୍ଯ୍ୟ ଓଡ଼ିଆ, କଳାପାହାଡ଼ ଓଡ଼ିଆ, ଟୋଡ଼ରମଲ୍ଲ ଓଡ଼ିଆ, ଭାସ୍କରାଚାର୍ଯ୍ୟ ଓଡ଼ିଆ, ଲୀଳାବତୀ ଓଡ଼ିଆ, ତାହାଛଡ଼ା ଅନେକ ଆଧୁନିକ ବଡ଼ମୁଣ୍ଡିଆ ଓଡ଼ିଆ ବା ଓଡ଼ିଆ ସମ୍ପର୍କିତ । ଯଥା– ସର ଅମିର ଅଲ, ସର ଆଶୁତୋଷ ମୁଖୋପାଧ୍ୟାୟ, ଡାକ୍ତର ଦେବପ୍ରସାଦ ସର୍ବାଧିକାରୀ । ସେଦିନ ପରା ବାଲେଶ୍ୱର ଷ୍ଟେସନଠାରେ ଆନିବେସାଣ୍ଟ ଓଡ଼ିଆ ଭାଷାରେ କଥାଭାଷା କରି ଆପଣାର ଓଡ଼ିଆତ୍ୱର ପରିଚୟ ଦେଇଥିଲେ । ତା ପରେ ଗାନ୍ଧି, ତିଳକ, ଜଗଦୀଶ, ସୁରେନ୍ଦ୍ର, ଗୋଖଲେ, ଦାଦାଭାଇ ଏମାନଙ୍କ ମଧ୍ୟରୁ କାହା ସଙ୍ଗେ ଓଡ଼ିଶାର ସମ୍ପର୍କ ଅଛି, ତାହା ଖୋଜି ବସିଲେ ଅନେକ ଓଡ଼ିଶୀ ତଥ୍ୟ ଉଦ୍‌ଘାଟିତ ହେବ । ଇତିହାସ ଧୁଣ୍ଡି ଧୁଣ୍ଡି ଆମେ ଠିକ କରି ସାରିଲୁଣି ଯେ, ଗଙ୍ଗାଠାରୁ ଗୋଦାବରୀ, ସମୁଦ୍ରଠାରୁ ବିନ୍ଧ୍ୟ ପର୍ଯ୍ୟନ୍ତ ଓଡ଼ିଶାର ସୀମା ଥିଲା । ଇତିହାସର ଇଲାକା ଛାଡ଼ି ଆହୁରି ଟିକିଏ ପଛକୁ ଘୁଞ୍ଚିଲେ ଆମେ ଦେଖି ପାରନ୍ତେଇଁ ଯେ, ଓଡ଼ିଶାର ଆଦିମ ସୀମା ଉତ୍ତରରେ କଇଳାସ କନ୍ଦର ମାନସରୋବର, ଦକ୍ଷିଣାରେ ସେତୁବନ୍ଧ ରାମେଶ୍ୱର ଓ ସ୍ୱର୍ଣ୍ଣପୁରୀ ଲଙ୍କା, ପୂର୍ବରେ ମହୋଦଧିସ୍ଥ ଜାଭା ବାଲି ଦ୍ୱୀପ ଓ କାଉଁରି କାମଚଣ୍ଡୀ, ପଶ୍ଚିମରେ ମକ୍‌କା ମଦିନା ଥିଲା । ଏହି ବିସ୍ତୃତ ଉତ୍କଳଖଣ୍ଡରେ ନ ଥିଲା କଣ ? ଏହିସବୁ କଥା ଭାବିଲେ ମନେ ହୁଏ, ଯେବେ ଆମେ ଆମର ସାବକ କର୍ପୂର ବନ୍ଧା କନା ଖଣ୍ଡକ ଘେନି ଦାଣ୍ଡରେ ନାଚିବା, ତାହାହେଲେ ସଭ୍ୟ ଜଗତ୍‌ ଆମକୁ ସଭ୍ୟ ଜାତିଙ୍କ ମଧ୍ୟରେ ନିଶ୍ଚେ ଗୋଟିଏ ମାର୍କାମରା ସ୍ଥାନ (Reserved seat) ଦେବ । ଆହୁରି ମଧ୍ୟ ପୁରୁଣା କଥାରେ ଆମ ଅସରନ୍ତି ଜାତୀୟ ଭଣ୍ଡାର ଏପରି ପୂର୍ଣ୍ଣ ଯେ, ନୂଆ କଥା ରଖିବାକୁ ଆମର ଜାଗାଭାବ (ସ୍ୱରସନ୍ଧି) । ଏହିସବୁ ଗାଉ ଗାଉ ଆମର ଅନ୍ଧାର ରାତି ପାହିଯିବ ଓ ସଭ୍ୟ ଜଗତର ଡାକରା ହେଲାବେଳେ ଆମେ ଲୁଥ୍‌କିନି ଯାଇ ଆଗରୁ ମାର୍କାମରା ଗୋଟିଏ ଗଦିପକା ମାଞ୍ଚିଆରେ ଆସନ ଜମାଇଦେବା । ଏଥିଯୋଗୁଁ ଆମର ବର୍ତ୍ତମାନ ଯୁଗର ନେତାମାନେ ବାରଦ୍ୱାର ଶୁଣ୍ଡିପିଣ୍ଡା ନ ହୋଇ ବାରଭାୟାଙ୍କ ସଙ୍ଗେ ନ ମିଶି, ଆମ ଦେଶର ବିଶେଷତ୍ୱ ବଜାୟ ରଖିବାର ଉଦ୍ୟମରେ ଅଛନ୍ତି । ସମଗ୍ର ଭାରତ ଯେଉଁ ସୁର ଧରିଛି ଓ ଯେଉଁ ବାଟରେ ଯାଉଛି, ଆମେ ଯେବେ ସେ ବାଟରେ ଯିବା, ତେବେ ଆମର ବିଶେଷତ୍ୱ ରହିଲା ନାହିଁ ? ଆମକୁ ଓ ଆମ ପୂର୍ବପୁରୁଷଙ୍କ ଲୋକେ ଚିହ୍ନିବେ କିପରି ? ତାପରେ ଆମ ଜାତିର ଆଉ ଗୋଟିଏ ବୈଚିତ୍ର୍ୟ ଏହି ଯେ, ‘ବାରଜାତି ତେର ଗୋଲା, ବଇଷମ ହେଲେ ସବୁ ଗଲା ।’ ମୋର ପୂର୍ବପୁରୁଷମାନେ କାନ୍ୟକୁବ୍‌ଜରୁ ଆସି ଏଠାରେ ପୁରୁଷାନୁକ୍ରମେ ବସତି କରି ଆଜି ମୁଁ ଓଡ଼ିଆ ବୋଲି ପରିଚିତ ହେଉଅଛି । ଯେବେ ମତେ ଓଡ଼ିଆଙ୍କ ଭିତରୁ ବାଦ୍‌ ଦେବ, ତେବେ ବାକି ରହିବେ ‘ନିଟ ଓଡ଼ିଆ’ କେବଳ ‘କଙ୍କଡ଼ାଖିଆ ଓଡ଼’ । ଅତଏବ ଆମ ଜାତିର ‘‘ସୌଗନ୍ଧଂପୃଷ୍ଟି ବର୍ଦ୍ଧନଂ’’ କରିବା ସକାଶେ ବାରଜାତି ତେର ଗୋଲା ଯାକ ଆମେ ଏକାଠେଇଁ ହୋଇ ଗୋଟିଏ ଅଭିନବ ‘ଉତ୍କଳୀୟ ଜାତି’ ସୃଷ୍ଟି କରିଅଛୁଁ । ଆମର ଏହି ଅଭିନବ ଜାତି ମଧ୍ୟରେ ପଶ୍ଚିମା, ଖୋର୍ଟା, କାଶ୍ମୀରୀ, ମରହଟ୍ଟୀ, ତେଲଙ୍ଗା, କାନ୍ୟକୁବ୍‌ଜ, ମୈଥିଳ, ଗୌଡ଼, ଦ୍ରାବିଡ଼, ମାରବାଡ଼ିହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଜୈନ, ବ୍ରାହ୍ମ, କୁମ୍ଭୀପଟୁଆ, ଅଇରି ଗଉଡ଼, ସବାଖିଆ, ଅଲେଖସ୍ୱାମୀ, କେଳା ଓଗେର ସମସ୍ତେ ଅଛନ୍ତି; କେବଳ ହାଲକୁ ନାହାନ୍ତି ବଙ୍ଗାଳ ଗୁଡ଼ାକ । ସେମାନଙ୍କର କେତେଗୁଡ଼ାଏ ଦୁର୍ଗୁଣ ଅଛି, ସେ ଦୁର୍ଗୁଣ ଗୁଡ଼ିକ ନ ଛାଡ଼ିବା ଯାକେ ତାଙ୍କୁ ଆମେ ଆମ ଜାତିରେ ପୂରାଇବା ନାହିଁ । ବେଳେ ବେଳେ ସେମାନେ ଦୋନାବୁଡ଼ିଆ ଖୋଇ ଧରି ଓଲିଆ ଗାଈ ଭଳିଆ ଏ ବାଡ଼ି ସେ ବାଡ଼ିକୁ ମୁହଁ ବଢ଼ାଇ ଅଛନ୍ତି । ଆମର ମାତୃଭୂମିର ନାମ ଉତ୍କଳ ମାତା (ଯାହାଙ୍କର ଉପାଦାନ ରାଜନୈତିକ ଓଡ଼ିଶା, ଐତିହାସିକ ଓଡ଼ିଶା, ଭୌଗୋଳିକ ଓରିଶ୍‌ଶା, ପୌରାଣିକ ଉଡ଼୍ରଦେଶ, ବୌଦିକ ଉତ୍‌କଳିଙ୍ଗ, ବ୍ୟାବହାରିକ ଉଡ଼େର ଦେଶ ଇତ୍ୟାଦି) । ଆମ ଜାତିର ନାମ ଉତ୍କଳୀୟ ଜାତି, ଆମର ସମବାୟ ଉତ୍କଳ ସମ୍ମିଳନୀ, ଆମର ପୁରୁଣା ଖବରକାଗଜ ଉତ୍କଳ ଦୀପିକା, ଆମର ଶାସ୍ତ୍ର ଉତ୍କଳ ଖଣ୍ଡ, ଆମର ଆଧୁନିକ ମୁଖପତ୍ର The Oriya ‘ଓଡ଼ିଆ’ । ଅର୍ଥାତ୍‌ ଆମେ ନିଜେ ଉତ୍କଳୀୟ, କିନ୍ତୁ ଆମର ଖବରକାଗଜ ‘ଓଡ଼ିଆ’ । ‘ମୁରାରେଃ ତୃତୀୟଃ ପନ୍ଥାଃ । ’ ଆମ ପନ୍ଥାଟା ସଂସାରର ପନ୍ଥାରୁ ବାହାର ହେବା ଦରକାର । ଗୋଟାଏ କିଛି ବିଶେଷତ୍ୱ ନ ରହିଲେ ଆମର ନାମ ସଭ୍ୟ ଜଗତର ବିଶିଷ୍ଟ ଜାତିରେ ରହିବ ନାହିଁ । ଅତଏବ ସର୍ବସାଧାରଣଙ୍କ ଉଆକବାର୍ଥେ ନିମ୍ନରେ ଆମ୍ଭମାନଙ୍କର କେତେଗୁଡ଼ିଏ ଭୂତ, ବର୍ତ୍ତମାନ ଓ ଭବିଷ୍ୟତ୍‌ ବିଶେଷତ୍ୱ ଏହିଠାରେ ଲିପିବଦ୍ଧ କରାଗଲା । ଆମର ନେତୃସ୍ଥାନୀୟ ବ୍ୟକ୍ତିମାନେ ଅମର ମହୌଷଧି ଖାଇ ନାହାନ୍ତି, ଏପରି ସ୍ଥଳରେ ଆମର ଜାତୀୟ ମହାମନ୍ତ୍ର ଗୁଡ଼ିକ ଲିପିବଦ୍ଧ ହୋଇ ନ ରହିଲେ ଭବିଷ୍ୟତ୍‌ ପ୍ରତ୍ନତତ୍ତ୍ୱବିତ୍‌ମାନେ ଲଣ୍ଡଭଣ୍ଡରେ ପଡ଼ିବେ ଓ ଭବ୍ୟିଷତ୍‌ ବଂଶଧରମାନେ ଗନ୍ତବ୍ୟ ବାଟ ଠଉରାଇ ପାରିବେ ନାହିଁ ବୋଲି ଏ ଗାରିଡ଼ି ବିଦ୍ୟାଯାକ ପୋଥିପାଠ ହୋଇ ରହିବା ଏକାନ୍ତ ଆବଶ୍ୟକ । ସେମାନେ ସ୍ଥୂଳତଃ ଏହି:– ‘‘ମୁରାରେ ସ୍ତୁତୀୟଃ ପନ୍ଥାଃ ।’’

 

୧। ସମଗ୍ର ଭାରତ ଯେଉଁବାଟେ ଯିବ, ଆମ ଜାତିର ସେ ବାଟ ପରିତ୍ୟଜ୍ୟ ଓ ପରିବର୍ଜନୀୟ ।

 

୨। Let not your mouth say what your right hand doeth and vice versa. ଦୁନିଆଯାକ ଯାହା କରୁଅଛନ୍ତି ତାହା କହୁଅଛନ୍ତି, ଆମେ ଯେବେ ସେହିକଥା କରିବା ତେବେ ଆମର ବିଶେଷତ୍ୱ ରହିଲା କାହିଁ ? ମୁହଁରେ ଲମ୍ୱା ଚଉଡ଼ା କଥା କହିବା କାର୍ଯ୍ୟକ୍ଷେତ୍ରରେ ଆପଣାର ସୁବିଧା ଦେଖି ଯାହା ଦିଶିବ, ତାହା କରିବାହିଁ ସାଂସାରିକ ବୁଦ୍ଧିମତ୍ତାର ପରିଚୟ ।

 

୩। ସବୁବେଳେ ବ୍ୟବହାର ନିମନ୍ତେ ଆପାତତଃ ଦୁଇ ସାଜ ପୋଷାକ ରହିବା ଦରକାର-। ୧-ଘରକୁ ପଖାଳକରା, ୨-ଦାଣ୍ଡକୁ ସଦର ପିନ୍ଧା ଯୋଡ଼ । ଏହାଛଡ଼ା ଆମ ପୂର୍ବପୁରୁଷ ସଞ୍ଚିତ ମଥାନରେ ଟଙ୍ଗା ହୋଇଥିବା ବେତ ପେଡ଼ି ଆଡ଼ଖୁର ମଧ୍ୟରେ ଥିବା ‘ପେଡ଼ିଲୁଗା’ ତ ଘରେ ଘରେ ସାଇତା ହୋଇଅଛି । ସେ ଲୁଗା ଆଠ ପହରି ବ୍ୟବହାର ନିମନ୍ତେ ନୁହେଁ । ତାହା କେବଳ ଦାଣ୍ଡକୁ ଥାତି ଦେଖାଇ ହେବାର ସମ୍ପତ୍ତି । ସେ ପେଡ଼ିଲୁଗା ଫିଟାଇବାର ଦରକାର ନାହିଁ । ସେ ପେଡ଼ିଟାକୁ ଦେଖାଇ ଦେଲେ ସଭ୍ୟଜଗତ୍‌ ସନ୍ତୁଷ୍ଟ ହୋଇଯିବ । ତାକୁ ଫିଟାଇ ଦେଲେ ଯେ ଆମର ସବୁ ଗୁମର ଫିଟିଯିବ । ସେଥିରେ କନ୍ଥା, ଶ୍ରୀକାପଡ଼ା, ଶାଲ, ଶାଲୁ, ପାଟ, କସ୍ତା ଦରବା, ପାଗ, ପଟୁକା ସବୁ ଅଛି ।

 

୪। କୌଣସି ନିୟମର ଅଧୀନ ହୋଇ ଚଳିବା କାପୁରୁଷତା ଓ ପରାଧୀନତା । ନିୟମର ଅଧୀନ ହୋଇ ଚଳିଲେ ମନୁଷ୍ୟର, ଜାତିର ଓ ଜାତୀୟ ଅନୁଷ୍ଠାନର ସ୍ୱାଧୀନତା ଆଉ କେଉଁଠାରେ ରହିଲା ? ଯେ ଓଲୁ ଓ ଅଣବାଟୁଆ, ତାଙ୍କ ପାଇଁ ନିୟମ ଦରକାର । ଆମର ‘‘ବ୍ରହ୍ମା ବିଳିବିଳେଇଲେ ବେଦ’’ । ଆମେ ଯାହା କରିଯିବା, ସେହି ହେଲା ନିୟମ ।

 

୫। ବାଟ ଚାଲିବାବେଳେ ପଛଆଡ଼କୁ ଚାହିଁ ବାଟ ଚାଲିବାକୁ ହେବ । ମନୁଷ୍ୟର ଯେତେ ବିପଦ ଦେଖ, ସବୁ ପଛଆଡ଼ୁ ଆସେ । ସଂସାରଯାକ ଆଗଆଡ଼କୁ ଚାହିଁ ବାଟ ଚାଲନ୍ତି । ଆମର ସେ କଥା କରିବାର ଦରକାର ନାହିଁ ।

 

୬। ସାପମାରି ପରଗଳାରେ ପକାଇବା ହିଁ ମନୁଷ୍ୟତା । ଏ ବ୍ୟକ୍ତିଗତ ନିୟମକୁ ଜାତୀୟ ନିୟମରେ କରିବା ପ୍ରତି ଆମ୍ଭମାନଙ୍କର ସର୍ବଥା ଚେଷ୍ଟା କରିବା ବାଞ୍ଛନୀୟ ।

 

୭। ସଂସାରରେ ସର୍ବଜନ ଓ ସର୍ବସମାଜର ପ୍ରିୟ ହେବାର ଗୋଟାଏ ପ୍ରକୃଷ୍ଟ ଓ ପରୀକ୍ଷିତ ଉପାୟ ଏହି ଯେ, ବାକ୍ୟତଃ ଯେଉଁମାନଙ୍କ ପ୍ରତି ଘୃଣା ଦେଖାଇବ ଓ ଯାହାକୁ ଗାଳିମନ୍ଦ ଦେଉଥିବ, କାର୍ଯ୍ୟତଃ ସେମାନଙ୍କୁ ଆଦର, ଅଭ୍ୟର୍ଥନା, ତୋଷାମୋଦ, ଶୋଷାମୋଦ, ଚୋଷାମୋଦ, ଘଷାମୋଦ, ହସାମୋଦ ଦ୍ୱାରା ସନ୍ତୁଷ୍ଟ କରି ରଖିବ ।

 

୮। ଯାହାର ଅନିଷ୍ଟ କରିବାକୁ ବସିବ, ତାହା ସଙ୍ଗେ ଗାଢ଼ ପ୍ରୀତି କରି ତାକୁ ଏକଦମ୍‌ ଗରହୁସିଆର କରି ରଖି ସବୁବେଳେ ତା ଓର ଉଣ୍ଡୁଥିବ, ଏଥିପାଇଁ ଜଗନ୍ନାଥ ମହାପ୍ରସାଦର ସୃଷ୍ଟି କରିଅଛନ୍ତି ।

 

୯। ସମଗ୍ର ଜାତିର ଓ ସମାଜର ଦୋହି ଦେଇ ନିଜର, ନିଜର ସମ୍ପ୍ରଦାୟର, ନିଜର ପରିବାରର, ନିଜର କୁଟୁମ୍ୱଙ୍କର, ନିଜର ଆଶ୍ରିତ ଲୋକଙ୍କର ବ୍ୟକ୍ତିଗତ ଉପକାର କରିବ । କିନ୍ତୁ ଦାଣ୍ଡ ଲୋକେ ଯେପରି ଏଥିର ଗନ୍ଧ ସମ୍ୱନ୍ଧ ବାରି ନ ପାରିବେ ।

 

୧୦। ସର୍ବଦା ମନରେ ରଖିଥିବା ଯେ, ହାକିମ ହୁକୁମାଙ୍କ ଆଗରେ ଆପଣା ଜାତିକୁ ଯେତିକି Backward people (ପଛକୁହା ଜାତି), Benighted nation (ଅନ୍ଧାରକଣା ଜାତି), Downtrodden people (ଗୋଇଠାଖିଆ ଜାତି), Bleeding nation (ରକ୍ତବୁହା ଜାତି), Oppressed people (ଅତ୍ୟାଚାରିତ ଜାତି), Stupid people (ଆହମ୍ନକ ଜାତି), ‘Nation deserving favouritism’ (ଅନୁଗ୍ରହପ୍ରାର୍ଥୀ ଜାତି), Nation beggers (ଭିକ୍ଷାଜୀବୀ ଜାତି), Unfortunate people (ହତଭାଗା ଜାତି), Kicking nation (ନାତୁଆ ଜାତି) ଆଦି ପରଦୟା କଷକ ବୋଲି ଓ ବିଶେଷଣ ଦ୍ୱାରା ଅଳଂକୃତ କରିବା, ଜାତିଟା ସେତିକି ଜଲଦି ଉପରକୁ ଉଠିବ । ଫଳତଃ ମଧ୍ୟ ଅନୁଭବରେ ଦେଖା ଯାଇଅଛି ଯେ, ଅନୁଗ୍ରହରେ ଜାତିଟା ସଭ୍ୟତା ସୋପାନରେ ଯେଡ଼େ ହୁ ହୁ ଚଢ଼ିଯାଏ, ଯୋଗ୍ୟତା ଦ୍ୱାରା ତେଡ଼େ ଚଞ୍ଚଳ ଉନ୍ନତି କରିପାରେ ନାହିଁ । ଦେଖିଲ ଭଲା, ଆମେ ଯେତେଗୁଡ଼ାଏ ଗାଦି ମାଡ଼ ବସିଛୁଁ, ସେଗୁଡ଼ାକ ଯୋଗ୍ୟତା ବଳରେ ଦିଆ ଯାଇଥିଲେ ଆମେ ଯାଇଁ କେତେ ପଛରେ ପଡ଼ିଥାନ୍ତେଇଁ । ଆମର ଜଗନ୍ନାଥଙ୍କର ପଇସା ବଳ ଅଛି ବୋଲି ସେ ଯୋଡ଼ା ଯୋଡ଼ା ଜୀଅନ୍ତା ହାତୀ ବାନ୍ଧି ଅଛନ୍ତି । ଆଚ୍ଛା, ଆମ ଗାଁ ଶଙ୍ଖେଈ ଠାକୁରାଣୀଙ୍କର ତ ପଇସା ବଳ ନାହିଁ– ଅସରନ୍ତି ଭଣ୍ଡାର ନାହିଁ, କିନ୍ତୁ ତାଙ୍କର ତ ହାତୀ ରହିବା ଦରକାର । ସେଥିପାଇଁ ଫଗୁ ମୁଦୁଲି କୁମ୍ବାର ଦ୍ୱାରା ଦିଓଟି ମାଟି ହାତୀ ତିଆରି କରାଇ ଆମ ଠାକୁରାଣୀଙ୍କର ଗହଣରେ ଛାଡ଼ିଦେଲେ ଚଳେ । ସୁମାରି ହେଲା ବେଳକୁ ଜଗନ୍ନାଥଙ୍କର ଯେପରି ହାତୀ ଦୁଇ ‘ଘର’, ଆମ ଶଙ୍ଖେଇ ଠାକୁରାଣୀଙ୍କର ମଧ୍ୟ ସେହିପରି ଦୁଇ ‘ଘର’ ହାତୀ । ସୁମାରିରେ ଠିକ୍‌ ଚାଲିଲେ ହେଲା ।

 

୧୧। ସବୁ ଦେଶର ପଣ୍ଡିତମାନେ କହିଅଛନ୍ତି ଯେ, ମାତା କ୍ରୋଡ଼ରେ ଶିଶୁର ଭବିଷ୍ୟତ ଜୀବନର Principles ଭିତ୍ତି ଗଠିତ ହୁଏ । ଆମ୍ଭେମାନେ ଦେଖି ପାରୁଥାଇଁ ଯେ, ସ୍ତ୍ରୀମାନେ ଶିକ୍ଷିତା ହେଲେ ପୁରୁଣା କଥା, ପୁରୁଣା ଚାଲିଚଳନ, ପୁରୁଣା ଢଗଢ଼ମାଳି ସବୁ ଭୁଲିଥାନ୍ତି । ଏଥିପାଇଁ ଆପାତତଃ ଆମ ଦେଶରେ ସ୍ତ୍ରୀ-ଶିକ୍ଷା ଯେତିକି କମ୍‌ ଆଦୃତ ହୁଏ, ସେତିକି ଆମ ଜାତିର ଭବିଷ୍ୟତ୍‌ ମଙ୍ଗଳ । କାରଣ ତାହାହେଲେ ଆମ ଜାତିର ମାତାଗୁଡ଼ିକ ସେହି ପୁରୁଣା ପୁରୁଣା ଢଗ ଓ କଥାଗୁଡ଼ିକ ଭୁଲିବେ ନାହିଁ ଓ ଓଡ଼ିଆ-ଶିଶୁମାନେ ସ୍ତନ୍ୟପାନ କଲାବେଳେ, ତେଲ ହଳଦୀ ଲାଗିହେଲା ବେଳେ ମାତୃ-ମୁଖରୁ ଓଡ଼ିଶୀମତ (Principles) ଯାକ ଶିଖି ପଛକୁ ମଣିଷ ହୋଇ ଆମ ଜାତିର ସ୍ୱାତନ୍ତ୍ର୍ୟ ରକ୍ଷା କରିବେ । ପ୍ରତ୍ୟେକ ଓଡ଼ିଆ ଅଳ୍ପ ବହୁତ ଏ ମତଯାକ ମାତୃକ୍ରୋଡ଼ରୁ ଶିଖିଅଛୁଁ । ଭବଷ୍ୟତ୍‌ରେ ନବ୍ୟ ସଭ୍ୟତା ରୋଳରେ ଏଗୁଡ଼ିକ ଲୁପ୍ତ ହୋଇଯିବ, ଏଥିଲାଗି ଏଗୁଡ଼ିକ ସଂଗୃହୀତ ହେବା ଦରକାର । ମୁଁ ପିଲାଦିନେ ଯେତେଗୋଟି ପ୍ରବଚନ ଶିଖିଅଛି ଓ ଯାହା ସବୁ କାର୍ଯ୍ୟକ୍ଷେତ୍ରରେ ଲଗାଇ ମୋର ଓ ମୋ ଜାତିର-ସ୍ୱାତନ୍ତ୍ର୍ୟ ରଖିବାକୁ ସମର୍ଥ ହୋଇଅଛି, ସେଗୁଡ଼ିକରୁ କେତେଗୋଟି ଏଠାରେ ଲିପିବଦ୍ଧ କଲି । ମୋ ଭଳି ଯେତେ କର୍ମବୀର ଆମ ଓଡ଼ିଶାରେ ‘ସାଲୁ ସାଲୁ’ ହେଉଅଛନ୍ତି, ସମସ୍ତେ ଯେବେ ଏହିପରି ନିଜେ ନିଜେ ଶିଖିଥିବା Principles (ମୌଳିକ ନିୟମ) ଗୁଡ଼ିକ ଲିପିବଦ୍ଧ କରିବେ, ତାହାହେଲେ ଭବିଷ୍ୟତରେ ଆମ ଜାତୀୟ-ମତ-ମହାକୋଷ (Dictionary of Nation wisdom) ସଂକଳନ ପକ୍ଷରେ ମାଲମସଲା ଖୋଜିବା ପାଇଁ ଓଡ଼ିଶାରେ ଐତିହାସିକମାନେ ଲଣ୍ଡଭଣ୍ଡରେ ପଡ଼ିବେ ନାହିଁ ।

 

୧। ହଲିଲା ପାଣିକୁ ଗୋଡ଼ ବଢ଼ାଇବ ନାହିଁ, କୌଣସି କଥାରେ ଚିହ୍ନା ପଡ଼ିବ ନାହିଁ, ବୁଡ଼ିକରି ପାଣି ପିଇଲେ ମହାଦେବ ସୁଦ୍ଧା ଜାଣି ପାରିବେ ନାହିଁ ।

 

୨। କର୍ପୁର ଗଲାଣି, କନା ଖଣ୍ଡକ ମହକୁଛି ।

 

୩। କାଦୁଅରେ ପଶିବ କିଆଁ ? ଗୋଡ଼ ଧୋଇବ କିଆଁ ?

 

୪। ଦେଉଳ ତୋଳିଲେ ନାଁ ପଡ଼େ, ବାଟରେ ହଗିଲେ ନାଁ ପଡ଼େ ।

 

୫। କାଳୀଗାଈର ଭିନେ ଗୋଠ ।

 

୬। ଏକା ମାଧିଆ ବାଇଶି ପଳ ।

 

୭। ଆଳି ରାଇଜରେ ଭିନ୍ନେ ନିଶାପ, ଫାଟରେ କିମ୍ଭୀର ଖାଏ ।

 

୮। କହି ନ ଜାଣିଲେ କଥା ଅଡ଼ୁଆ, ଧରି ନ ଜାଣିଲେ ଖିଅ ଅଡ଼ୁଆ ।

 

୯। ବିନା ସୂତାରେ ହାଟକୁ ଯିବ ।

 

୧୦। ଯେତିକି କରିବ ଆଉଁଷା ଘଷା, ସେତିକି ହୋଇବେ କୁଟୁମ୍ୱ ପୋଷା ।

 

୧୧। ଡେଙ୍ଗା ମୁଣ୍ଡରେ ଠେଙ୍ଗା ପଡ଼େ ।

 

ସଭ୍ୟ ଜଗତର ସଂସ୍ରବରେ ଆସି ଅନ୍ୟ ସଭ୍ୟତାଭିମାନୀ ଜାତିଙ୍କ ସଙ୍ଗେ ମିଶିବାରୁ, ପିଲାଦିନେ ମୁଁ ଶିଖିଥିବା ଅନେକଗୁଡ଼ିଏ ସତ୍ୟ ଓ ତଥ୍ୟ ଭୁଲି ଗଲିଣି, ଏହିପରି ଏ ପ୍ରତ୍ନ-ରତ୍ନ ଗୁଡ଼ିକ ଓଡ଼ିଶାରୁ ଡୁବିଯିବ ବୋଲି ମୋର ବିଶେଷ ଭୟ ହେବାରୁ ମୁଁ ପ୍ରସ୍ତାବଟି ଜାତୀୟ ବୀରମାନଙ୍କ ହଜୁରରେ ଉପସ୍ଥାପିତ କଲି– ଏ ଗୋଟିଏ ଗୋଟିଏ ପ୍ରବଚନର ବ୍ୟାଖ୍ୟା କରିବାକୁ ଗଲେ ଖଣ୍ଡିଏ ଖଣ୍ଡିଏ ପୋଥି ହେବ ।

 

୧୨। ସଭ୍ୟ ଜଗତଠାରୁ ଓ ସଭ୍ୟ ଜାତିଠାରୁ ଯେତିକି ଦୂରଛଡ଼ା ହୋଇ ରହିବ, ସେତିକି ଆମ ଦେଶ ପକ୍ଷରେ ମଙ୍ଗଳ ।

 

୧୩। ନ ଗଣସ୍ୟାଗ୍ରତୋ ଗଚ୍ଛେତ୍‌ ସିଦ୍ଧେ କାର୍ଯ୍ୟେ ସମଂ ଫଳଂ, ଯଦି କାର୍ଯ୍ୟେ ବିପତ୍ତିଃସ୍ୟାତ୍‍ ମୁଖରସ୍ତତ୍ର ହନ୍ୟତେ ।

 

ଏ କଥାଟି ଲକ୍ଷେ କଥାରେ କଥାଏ । ଏ ନଜିରଟା ଅଛି ବୋଲି ଓଡ଼ିଶା ଥୟ ଅଛି– ନଚେତ୍‌ ଭାରତୀୟ ଅନ୍ୟ ସଭ୍ୟଜାତିମାନେ ଆମକୁ କୁଲାବୁଲା କରି ସାରନ୍ତେଣି । ଜଣେ ଶିକ୍ଷିତ ବଙ୍ଗୀୟ ଆମ ଜାତିର କର୍ମବୀରମାନଙ୍କ ପ୍ରତି ଆପେକ୍ଷ କରି କଥା ପ୍ରସଙ୍ଗରେ ମତେ ଦିନେ କହିଲେ, ‘‘ଦେଖୁଛି, ଆପନାରା ତ କଂଗ୍ରେସ ମୁଭ୍‌ମେଣ୍ଟେ ଯୋଗ ଦିଚ୍ଛେନ୍‌ ନା, ହୋମ-ରୁଲ୍‌ ପ୍ରସଙ୍ଗ ସମ୍ୱନ୍ଧେ ଆପନାଦେର ତ ସାଡ଼ା ଶବ୍ଦ ନେଇଁ !’’

 

‘‘ମୁଁ ତାଙ୍କୁ ପ୍ରଶ୍ନ କଲି, ‘‘ଆପନି ସଂସ୍କୃତ ଜାନେନ ?’’

 

ସେ ମୁଣ୍ଡ ଟୁଙ୍ଗାରି ଦେବାରୁ ମୁଁ ଏହି ଶ୍ଳୋକଟି ବୋଲିଦେଲି ଓ କହିଲି, ‘‘ଶେଷେ ଦେଖ୍‌ବ ଆପନାରା ଆହମ୍ନକ୍‌ କି ଆମରା ? ଲାଠାଲାଠି କରେ ରକ୍ତାକ୍ତ ହବ, ଏ ଆହମ୍‌କୀ ଆମାଦେର ନାହିଁ । ଶେଷେ କାଯ୍‌ ହାସିଲ ହେବାର ସମୟ ଆମୋଦର ଭାଗ୍‌ ବସ୍‌ବେଇ ବସ୍‌ବେ । ହୋମ୍‌-ରୁଲେର ଜନ୍ୟେ ଆପନାରା ଲଡ଼ାଇ କଚ୍ଛେନ୍‌ କରୁନ୍‌, ପାବାର ହଲେ ଆପନାରଇ ଆପନାରା ପାବେନ୍‌ ସଙ୍ଗେ ସଙ୍ଗେ ଆମରାଓ ପାବ । ନା ପେଲେ ମରବେନ୍‌ । ଆମରା ଏଖନ ଯେମନ୍‌ ଘୁମୁଚ୍ଛି, ତେମ୍‌ନି ଅନ୍ଦରମହଲେ ବେଶ ଶାନ୍ତିତେ ନିରାପଦେ ଘୁମିୟେ ଥାକ୍‌ବ ।’’ ଏହା ଶୁଣି ବଙ୍ଗୀୟ ଭ୍ରାତା ଉତ୍ତର କଲେ, ‘‘ତା ବେଶ୍‌, କଚ୍ଛେନ, କିନ୍ତୁ ଯଖନ୍‌ ଆମାଦେର ଚେଁ ଚାନର କିଛୁ ଫଲ୍‌ମିଲ୍‌ବେ, ତଖନ ଆପନାରା ଘୁମିୟେ ଥାକେନ୍‌ ନା ଯେନ । ତଖନ୍‌ କିନ୍ତୁ କେଉଁ ଆପନାଦେର ଘୋର ନିଦ୍ରାର ଜନ୍ୟେ ଅପେକ୍ଷା କରବେ ନା ।’’

 

ମୁଁ ବିଚାରିଲି, ‘‘ଆଗକରି ସେ ପର୍ଯ୍ୟନ୍ତ ମାମଲତ ଯାଉ, ତେଣିକି ଆମେ ଉଠିବା ଯେ !’’

 

ଏହି ସୁଖ ସ୍ୱପ୍ନରେ ଗୋଦଡ଼ି ଘୋଡ଼ିହୋଇ ତାଟି କବାଟ କିଳି ମୁଁ ଘୁଙ୍ଗୁଡ଼ି ମାରୁଛି ଓ ମୋ ଜାତି ଉନ୍ନତିର ହାଉଆ ଗାଡ଼ିରେ ଉଡ଼ୁଛି ।

 

 

୨୧ଶ ଭାଗ । ୧୩୨୫ । ୧୧ଶ ସଂଖ୍ୟା

 

ଗଲା ଥରକ ଆମ ଘରର ହାଲଚାଲ ଲେଖୁ ଲେଖୁ ମୁଁ କହିଥିଲି ଯେ, ବର୍ତ୍ତମାନ ଭାରତରେ ଯେଉଁ ଆକାଂକ୍ଷା ଜାଗ୍ରତ ହୋଇଅଛି, ଯେଉଁ ଆନ୍ଦୋଳନ ଲାଗିଅଛି, ସେଥିରୁ ଆମେ ଉତ୍କଳୀୟମାନେ ସ୍ୱତନ୍ତ୍ର ରହି ଓଡ଼ିଆ ଜାତିର ସ୍ୱାତନ୍ତ୍ର୍ୟ ଦେଖାଉଅଛୁଁ । ସେହି ପ୍ରସଙ୍ଗରେ କହିଥିଲି ଯେ, ଆମର ‘ନିଷାପ’ ମଧ୍ୟ ସ୍ୱତନ୍ତ୍ର । ଏହି ଓଡ଼ିଶୀ ମତ ବା ନିଷାପକୁ ଆମ ଗ୍ରାମରେ ‘‘କୋଦିଣ୍ଡା ନିଷାପ’’ ବୋଲାଯାଏ । କୌଣସି ଗୋଟିଏ ନିଷାପ ସାଧାରଣ ଦାଣ୍ଡ ନିଷାପରୁ ସ୍ୱତନ୍ତ୍ର ଥିବାର ଦେଖାଗଲେ ତାହାକୁ ଆମ ଗାଁ ଲୋକେ ‘କୋଦଣ୍ଡା ନିଷାପ’ ବୋଲିଥାନ୍ତି । ଏପରି ନାମକରଣରୁ ମୋର ଓ ମୋ ଗ୍ରାମବାସୀଙ୍କର ସ୍ୱ-ଦେଶ-ପ୍ରେମ ପ୍ରମାଣିତ ହେଉଅଛି । ମୋ ଘର ଗେରଦ ଓଡ଼ିଶା, ଜିଲ୍ଲେ କଟକ, ପ୍ରଗନ୍ନେ କୋଦଣ୍ଡା ଦଣ୍ଡ ପାଟରେ; ସେଥିପାଇଁ କୌଣସି ବିଶେଷ ଉଲ୍ଲେଖଯୋଗ୍ୟ ‘ନ୍ୟାୟ’ ମୋ ହାବୁଡ଼ରେ ପଡ଼ିଲେ ମୁଁ ସ୍ୱ-ପ୍ରଗନ୍ନା-ପ୍ରେମରେ ପ୍ରେମୀ ହୋଇ ସେହି ‘ନ୍ୟାୟ’କୁ ମୋ ପ୍ରନ୍ନୋର ନିଜସ୍ୱ କରିବାକୁ ପ୍ରୟାସୀ ହୋଇ ମୋ ପ୍ରଗନ୍ନା ସଙ୍ଗେ ସେହି ନିଷାପର ମହାପ୍ରସାଦ ସମ୍ପର୍କ ବସାଇଦିଏଁ ।

 

ମୁଁ ମଧ୍ୟ କହିଅଛି ଯେ, ମୋହର ଭଳି କର୍ମବୀର ଆମ ଜନ୍ମଭୂମିରେ ‘ସାଲୁସାଲୁ’ ହେଉଅଛନ୍ତି । ସ୍ୱ-ପ୍ରଗନ୍ନା-ପ୍ରେମ ମୋର ଏକଚେଟିଆ ନୁହେଁ । ଅତଏବ ଅନ୍ୟ ପ୍ରଗନ୍ନାବାସୀ ଓଡ଼ିଶୀ କର୍ମବୀରମାନେ ଓଡ଼ିଶାର ବିଶେଷ ବିଶେଷ ନାମରେ ବିଶିଷ୍ଟ ବିଶିଷ୍ଟ ବସ୍ତୁ, ଘଟଣା, ନିଷାପ, ଅନୁଷ୍ଠାନ ଓ ସମ୍ୱାଦପତ୍ରମାନଙ୍କର ନାମକରଣ କରିବା ସ୍ୱାଭାବିକ । ଓଡ଼ିଶାର ଉନ୍ନତିର ଏହା ଗୋଟିଏ ପ୍ରଧାନ ନିଦର୍ଶନ ବା ମାର୍କା ହେବା ଦରକାର । ଏ କିଛି ନୂଆ କଥା ନୁହେଁ । , କଥା ସବୁ ଦେଶରେ ଅଛି, ମୋ ଦେଶରେ ନ ହେବ କିଆଁ ? କୁମ୍ଭକର୍ଣ୍ଣ ଶାଢ଼ୀ, ମାଣିଆବନ୍ଦୀ ଯଥା– ରଣପୁରୀ ଦୋପଟା, ଚନ୍ଦ୍ରକଣା ଲୁଗା, ଫରାସିଡ଼ାଙ୍ଗା ଧୋତି, ମାର୍କିନ କପଡ଼ା, କାଶ୍ମୀରୀ ଶାଲ, ବ୍ରହ୍ମପୁରୀ ପାଟ, କୁଆଁରପୁରିଆ ହଳଦି, ଗୁଣ୍ଟୁର ଘିଅ, କଣ୍ଠପୁରୀ ଜଡ଼ା, ଶାନ୍ତିପୁରୀ ଚାଦର; ଏହିପରି ଖୋଜିଲେ ହଜାର ହଜାର ଅଞ୍ଚଳ-ବାଚକ ଶବ୍ଦ ହାବୁଡ଼ରେ ପଡ଼ିବ । ତେବେ ମୋର ମୋ ଜାତୀୟ ବୀରଙ୍କର ଦୋଷ କଅଣ ହେଲା ଯେ ମୋ ଗ୍ରାମ ବା ମୋ ଦେଶ ବା ମୋ ପ୍ରଗନ୍ନାର ନାମରେ କୌଣସି ଘଟଣା ବା ନିଷାପର ନାମକରଣ କଲି ମୋ ଅପରାଧ ଅପରିମାର୍ଜନୀୟ ? ଅତଏବ ମୋର ପ୍ରସ୍ତାବ ଏହି କି, ଆମ ଦେଶର ଯେତେଗୁଡ଼ିଏ ବିଶେଷତ୍ୱ ଅଛି, ସେଗୁଡ଼ିକର ଗୋଟିଏ ସ୍ଥାନ ବା ଅଞ୍ଚଳ ଅନୁସାରେ ନାମକରଣ କଲେ ଭବିଷ୍ୟତର ଇତିହାସ ସଂଗ୍ରାହକମାନଙ୍କ ପକ୍ଷରେ ଉତ୍କଳର ନବ-ଇତିହାସ-ସଂକଳନର ମାର୍ଗ ସୁକର ହେବ । ଏ ଗୋଟାଏ ବାଜେ ପ୍ରସ୍ତାବ ମନେ ପଡ଼ିଗଲା ବୋଲି ଏଠାରେ ଲେଖିଦେଲି । ଆପଣମାନେ ମନେ କରିବେ ନାହିଁ ଯେ, ମୁଁ ବର୍ତ୍ତମାନ ଆପଣମାନଙ୍କୁ ଯେଉଁ ହାଲଚାଲ କହିବ, ତାହା ସଙ୍ଗେ ଏ ପ୍ରସ୍ତାବର କିଛି ବିଶେଷ ସମ୍ପର୍କ ଅଛି ।

 

ଏ ପ୍ରବନ୍ଧର ଆରମ୍ଭରୁ ଭାରତରେ ବର୍ତ୍ତମାନ ଜାଗରିତ ହୋଇଥିବା ଉନ୍ନତି ଆକାଂକ୍ଷାର ପ୍ରସ୍ତାବନା କରୁଥିଲି । ସେହି ଆକାଂକ୍ଷାର ନିଦର୍ଶନ ସ୍ୱରୂପ ସମଗ୍ର ଉତ୍କଳଭାକ୍ଷୀ ପ୍ରଦେଶ ଏକଶାସନାଧୀନ ରହିବା ପାଇଁ ଆମ୍ଭେମାନେ ରାଜ-ସରକାରଙ୍କଠାରେ ଆଜକୁ ୧୦।୧୫ ବର୍ଷ ହେବ ଅଳି କରୁଅଛୁଁ । ସମଗ୍ର ଉତ୍କଳବାସୀ ଓ ଉତ୍କଳଭାକ୍ଷୀ ଏକଶାସନବର୍ତ୍ତୀ ନ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କର ଜାତୀୟ ଉନ୍ନତି ଓ ରାଜନୈତିକ ଏକତା ସଂସାଧିତ ହୋଇ ପାରିବ ନାହିଁ; ଆମର ଜାତୀୟ ଜୀବନ (National life) ବହଳ (Solid) ହୋଇ ପାରିବ ନାହିଁ । ଏ ସମ୍ୱନ୍ଧରେ କାହାରି ମତଦ୍ୱୈଧ ହୋଇ ନ ପାରେ । ଦେଖନ୍ତୁ ଯେ, ଆମେ ଓଡ଼ିଆ ପୁଏ ‘ବାର ଜାତି ତାର ଗୋଲା’ ହୋଇ ଆମର ସ୍ୱାତନ୍ତ୍ର୍ୟ ହରାଇ ସାରିଥାଇଁ । ଥୋକେ ବଙ୍ଗାଳିଙ୍କ ତଳେ, ଥୋକେ ତେଲେଙ୍ଗାଙ୍କ ସଙ୍ଗେ, ଥୋକେ ମରହଟ୍ଟାଙ୍କ ସଙ୍ଗେ, ଥୋକେ ବିହାରୀଙ୍କ ସଙ୍ଗେ ମିଶିଯାଇ କ୍ରମଶଃ ଆମର ଜାତି ହୀନବଳ ହୋଇଅଛି । ସବୁଠାରେ ମଧ୍ୟ ଦେଖାଯାଇଅଛି ଯେ, ଆମେ ଯେଉଁ ଜାତିଙ୍କ ସଙ୍ଗେ ‘ଘରଦୁଆର’ କରିଅଛୁଁ, ସେମାନେ ଆମ ଜାତିକୁ ସମ୍ମାନ ଚକ୍ଷୁରେ ଦେଖି ନାହାନ୍ତି । ସେହି ସେହି ଜାତିମାନେ ଆମ ଜାତିକୁ ଯେଉଁ ନାମରେ ସମ୍ୱୋଧନ କରିଥାନ୍ତି, ଯଥା:– ବଙ୍ଗ ଦେଶରେ ‘ଉଡ଼େ’, ଦକ୍ଷିଣରେ ‘ଉଡ଼୍‌ଡ଼ିବାଡ଼ୁ’, ପଶ୍ଚିମରେ ‘ଓଡ଼ିଆ’, ସେ ନାମ ସଙ୍ଗେ ଆଦର, ଭକ୍ତି, ସମ୍ମାନ ବା ସ୍ନେହର ଗନ୍ଧ ସମ୍ୱନ୍ଧ ନ ଥାଏ । ମୁଁ ବେଳେ ବେଳେ ବିଚାରେଁ, ସବୁ ଓଡ଼ିଆଯାକ ଏକାଠେଇଁ ହୋଇଗଲେ କଣ ଏ ଗନ୍ଧଟା ଆମ ଦିହରୁ ଛାଡ଼ିଯିବ ? ମୁଁ ବେଳେ ବେଳେ ଭାବେ, ଗୁଡ଼ାଏ ମଣିଷ ଏକାଠେଇଁ ହେଲେ ଏ ଗନ୍ଧଟା ବେଶି ହେବ ପରା ? ଭାରତରେ ଆମରି ଭଳି ଆଉ ଅନେକଗୁଡ଼ିଏ ଜାତି ଅଛନ୍ତି । ବଙ୍ଗାଳି, ତେଲେଙ୍ଗା, ମରହଟ୍ଟୀ, ପାର୍ସୀ, ମାରବାଡ଼ି, ତାମିଳି, ବିହାରି, ଶିଖ, ପଶ୍ଚିମା । ଆଚ୍ଛା ଯେବେ ଆମକୁ ଗୋଟାଏ ସ୍ୱତନ୍ତ୍ର ଶାସନ ଦିଆଯିବ, ତେବେ ଏମାନଙ୍କୁ ତ ଏହିପରି ଗୋଟିଏ ଗୋଟିଏ ରାଜଗି ଦିଆଯିବା ଦରକାର । ଏଥିର ଉତ୍ତର ଏହିକି, ଆଉ ସମସ୍ତଙ୍କର ଯାହା ଇଚ୍ଛା ତାହା ହେଉ, ଆମର ‘ଝଲକଲଡ଼ୁ’ ଆମକୁ ମିଳିଲେ ହେଲା । ଆମେ ଓଡ଼ିଆଯାକ ଯେପରି ଏକ-ଶାସନାଧୀନ ରହିବାକୁ ଅଳି କରୁଥାଇଁ, ସବୁ ତେଲେଙ୍ଗାମାନେ ମଧ୍ୟ ଏକ-ଶାସନାଧୀନ ରହିବାକୁ ଏହିପରି ଅଳି କଲେଣି । ଦକ୍ଷିଣାଞ୍ଚଳରେ ଯେପରି ତେଲଗୁମାନେ ଆମଙ୍କୁ ତାଙ୍କ ଇଲାକାରେ ଛାଡ଼ିଦେବାକୁ ନାରାଜ, ଉତ୍ତର ପୂର୍ବରେ ବଙ୍ଗାଳିମାନେ ଆମଙ୍କୁ ତାଙ୍କ ‘ହସ୍ତବୁଜି’ ରୁ ଛାଡ଼ି ଦେବାକୁ ନାରାଜ, ଉତ୍ତରରେ ବିହାରିମାନେ ଓ ପଶ୍ଚିମରେ ‘ହିନ୍ଦି’ ଓ ମରହଟ୍ଟୀମାନେ ମଧ୍ୟ ସେହିପରି ଆମଙ୍କୁ ହାତଛଡ଼ା କରିବାକୁ ନାରାଜ । ଉପରୋକ୍ତ ଉନ୍ନତ ଜାତିମାନେ ତତ୍ତତ୍‌ ପ୍ରଦେଶାନ୍ତର୍ଗତ ଉତ୍କଳଖଣ୍ଡକୁ ତାଙ୍କର ‘ତେଲ-ହଳଦୀ-ପାଟଣା’, ‘ପାନଖିଆ ଜାଗିରି’ ସ୍ୱରୂପ ପୁରୁଷାକ୍ରମେ ଭୋଗ ଦଖଲ କରି ଆସୁଅଛନ୍ତି । ଆମରି ସୁବିଧା ପାଇଁ ସେମାନେ ଆମଠାରୁ ଦସ୍ତ ବରଦାର ହେବେ କିଆଁ ? ଆମେ ମଧ୍ୟ ଦେଖି ପାରିଥାଇଁ ଯେ, କେତେ ବର୍ଷ ପୂର୍ବେ India Government (ଭାରତ ସରକାର) ସମସ୍ତ ଉତ୍କଳଭାଷୀ ପ୍ରଦେଶକୁ ସ୍ୱତନ୍ତ୍ର ଶାସନାଧୀନ ରଖିବାକୁ ସଂକଳ୍ପ କରିଥିଲେ ମଧ୍ୟ Madras Government (ମାନ୍ଦ୍ରାଜ ସରକାର) ତାଙ୍କ ଅଧୀନସ୍ଥ ଉତ୍କଳ-ଖଣ୍ଡରୁ ଦସ୍ତବରଦାର ହେବାକୁ ଅନିଚ୍ଛା ପ୍ରକାଶ କରିବାରୁ ବିଧିବିଡ଼ମ୍ବନାରୁ ଆମ ଫଟା କପାଳ ପୂର୍ବପରି ଦଦରା ରହିଗଲା । ଆମେ ଓଡ଼ିଆଯାକ ଆମରି ଘରେ ମଧ୍ୟ ନିଜର ବିଶେଷତ୍ୱର ପ୍ରତିଷ୍ଠା କରିବାକୁ ସମର୍ଥ ହୋଇଥାଇଁ କି ? ଆଧୁନିକ ରାଜନୈତିକ ଓଡ଼ିଶାରେ ମଧ୍ୟ ଆମ୍ଭେମାନେ ନିଜର ସ୍ୱାତନ୍ତ୍ର୍ୟ ଓ ବିଶିଷ୍ଟତା ବଜାୟ ରଖିବାକୁ ସମର୍ଥ ହୋଇ ପାରିଥାଇଁ କି ? ମୁଷ୍ଟିମେୟ ପାରସି (Parsees) ଜାତି ମଧ୍ୟ ତାଙ୍କର ଆଦିମ ନିବାସରୁ ପଳାଇ ଆସି ଭାରତରେ ଆପଣାର ବିଶେଷ ସ୍ଥାନ ଅଧିକାର କରି ପାରିଅଛନ୍ତି । ମୁଷ୍ଟିମେୟ ଭାରତୀୟମାନେ ପ୍ରଥମେ କୁଲିରୂପେ ଆଫ୍ରିକାକୁ ଯାଇ ସେଠାରେ ବହୁ ଆନ୍ଦୋଳନ ପରେ ଆପଣାର ଦାବି ସୁପ୍ରତିଷ୍ଠିତ କରିବାକୁ ସମର୍ଥ ହୋଇଅଛନ୍ତି । ମୁଷ୍ଟିମେୟ ମାରବାଡ଼ି ଜାତି ବ୍ୟବସାୟ ଉପଲକ୍ଷରେ ଦେଶ ବିଦେଶକୁ ଯାଇ ସେଠାରେ ମଧ୍ୟ ଆପଣାର ସ୍ୱାତନ୍ତ୍ର୍ୟ ବଜାୟ ରଖି ପାରିଅଛନ୍ତି । ଏପରି ସ୍ଥଳରେ ଶହେ ମହଣ ଘିଅ ନ ହେବାରୁ ଆମର ରାଧା ନାଚୁ ନାହାନ୍ତି ବୋଲି ଆମେ ଯେଉଁ ହୁରି ପକାଉଅଛୁଁ, ତାହା କେତେଦୂର ଅନୁଭବସୁସିଦ୍ଧ, ତାହା ମୁଁ ଠିକ୍‌ରୂପେ ସମଜି ପାରୁନାହିଁ । ‘ଜାତି’ ‘ଜାତି’ ବୋଲି ଆମେ ଦିନରାତି ରାବ କଲେ ସୁଦ୍ଧା ବ୍ୟକ୍ତିବିଶେଷର ସମଷ୍ଟିରେ ଜାତି ଗଠିତ । ବ୍ୟକ୍ତିବିଶେଷଙ୍କର କ୍ରିୟା ଓ ଉନ୍ନତି ଦ୍ୱାରା ଜାତିର ଟେକ ବଜାୟ ରହିଥାଏ । ବ୍ୟକ୍ତିଗତ ଭାବରେ ଆମେ ଆମର ବିଶେଷତ୍ୱ ପ୍ରତିଷ୍ଠିତ କରିବାକୁ ଓ ବଜାୟ ରଖିବାକୁ ଅପାରଗ; ଏପରି ସ୍ଥଳରେ ହଜାରେ ବିରାଡ଼ିକୁ ଗୋଠରେ ପୂରାଇ ଦେଲେ ସେମାନେ ବାଘ ହୋଇଯିବେ କିମ୍ୱା କୋଟିଏ ଓଡ଼ିଆଙ୍କୁ ଏକାଠେଇଁ କରିଦେଲେ ସେମାନେ ଗୋଟାଏ ଉନ୍ନତ ଜାତି ହୋଇଯିବେ, ଏ ଯୁକ୍ତିରେ ମୋ ମନ ମାନୁ ନାହିଁ । ବରଞ୍ଚ ମୁଁ ଅନୁଭବରେ ଦେଖି ପାରିଅଛି ଯେ, ରାଜନୈତିକ ଓଡ଼ିଶାରୁ ବିଚ୍ଛିନ୍ନ ଓଡ଼ିଆମାନେ ଆପଣାର ଜାତୀୟ, ବ୍ୟାବହାରିକ, ବୈଷୟିକ, ଭାଷାଗତ, ସାମ୍ପ୍ରଦାୟିକ ବିଶେଷତ୍ୱ ଯେଉଁ ପରିମାଣରେ ବଜାୟ ରଖିବାକୁ ସମର୍ଥ ହୋଇ ଅଛନ୍ତି ଆମେ ନିପଟ ଓଡ଼ିଶା (Orissa Proper)ରେ ଥାଇ ସୁଦ୍ଧା ସେହି ହାରରେ ଆମର ଉତ୍କଳୀୟତ୍ୱ ଦୃଢ଼ କରିବାକୁ ସମର୍ଥ ହୋଇ ନାହୁଁ । ଉତ୍କଳଭାକ୍ଷୀ ଅଞ୍ଚଳର ଅନ୍ଦାଜ କିସ୍‌ମତ୍‌ ବାରପଣ Orissa Proper (ଆଧୁନିକ ରାଜନୈତିକ ଓଡ଼ିଶା)ର ଅନ୍ତର୍ଭୁକ୍ତ ଥାଇ ସୁଦ୍ଧା ଆମେ ଓଡ଼ିଆଯାକ କେତେକ ଶତାବ୍ଦୀ ବଙ୍ଗଦେଶ ଅଧୀନରେ ଥାଇ ବଙ୍ଗାଳିଙ୍କ ସଙ୍ଗେ ଆପଣାର ବିଶେଷତ୍ୱକୁ ଲୀନ କରି ଦେଇଅଛୁଁ । ଆଚ୍ଛା, ଗତ କେତେ ବର୍ଷ ହେଲା ଆମେ ନବ ସୃଷ୍ଟ ବିହାରୋତ୍କଳ ପ୍ରଦେଶ (The province of Behar and Orissa)ର ଅନ୍ତର୍ଭୁକ୍ତ ହୋଇ ଏହି ନବ ପ୍ରଦେଶରେ ଆମର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ କରିବାକୁ ସମର୍ଥ ହୋଇଥାଇଁ କି ? ପ୍ରଚଳିତଭାଷା ଅନୁସାରେ ରାଜନୈତିକ ବିଭାଗର ସୃଷ୍ଟି (Administrative Union of Orissa on a linguistic basis) ହେଲେ ମଧ୍ୟ ସେହି ସୀମା ମଧ୍ୟରୁ କେତେକ ଓଡ଼ିଆ ବାହାରେ ରହିଯିବ ଓ କେତେକ ଅଣଓଡ଼ିଆ (Non Oriya) ଏହି ସୀମା ଭିତରେ ପଶିଯିବେ । କାରଣ, ଆଧୁନିକ ଯୁଗରେ ଭାରତରେ ଯେଉଁ ସମ୍ମିଶ୍ରଣ ଆରବ୍‌ଧ ହୋଇଅଛି, ସେହି ସମ୍ମିଶ୍ରଣ ଓ ଉପନିବେଶ ପ୍ରଭାବରେ ଏକ ଅଞ୍ଚଳରେ ବିଭିନ୍ନ ଭାଷାଭାଷୀ ଲୋକେ ବସତି କରି ଆସି ଅଛନ୍ତି । ‘‘Thus far and no farther’’ ଏହି ପର୍ଯ୍ୟନ୍ତ ଉତ୍କଳଭାଷୀ ଅଞ୍ଚଳରେ ସୀମା ବୋଲି ଗୋଟିଏ ସୀମାରେଖା (boundary-line) ସୁନିଶ୍ଚିତ ଭାବରେ ଦିଆଯାଇ ପାରିବ ନାହିଁ । ଯେଡ଼େ Linguistic basis (ଭାଷାଗତ ଭିତ୍ତି)ରେ ଗାର ଟାଣିଲେ ସୁଦ୍ଧା ଥୋକେ ପଦାରେ ରହିଯିବେ, ଥୋକେ ଅଣଓଡ଼ିଆ ଏ ସୀମା ଭିତରକୁ ଆସିଯିବେ । ଯେତେକ ଓଡ଼ିଆ ପଦାରେ ରହିଯିବେ, ତାଙ୍କର ଅବସ୍ଥା କଅଣ ହେବ ? ତାଙ୍କ ପାଇଁ ଫେର Backward people (ଅନୁନ୍ନତ ଜାତି) Down trodden people (ନିଷ୍ପିଷ୍ଟ ଜାତି) Benighted people (ଅନ୍ଧାରକଣା ଜାତି) ଆଇନ ବା ବିଧି ଚଳାଇବାକୁ ହେବ । ସେମାନଙ୍କ ଆର୍ତ୍ତନାଦ ଶୁଣିବ କିଏ ? ବା ଶୁଭିବ କେତେଦୂର ? ନା, ସେମାନଙ୍କୁ ଏ ସୀମା ବହିର୍ଭୂତ ଅଞ୍ଚଳରୁ ଉଠାଇ ଆଣି ଚିଲିକାର ହ୍ରଦକୁ ପୋତି ଗୋଟିଏ ଶିକ୍ଷା-ଉପନିବେଶ (Penal Settlement) ବସାଇବାକୁ ହେବ ? ନା, ଯେତେ ଅଣଓଡ଼ିଆ ଆମର ଏ Linguistic Boundary (ଭାଷାଗତ ସୀମା) ମଧ୍ୟରେ ଗଳି ପୁଛି ରହିଯିବେ, ତାଙ୍କୁ ଏ ସୀମାର ବାହାରକୁ ଘଉଡ଼ି ଦେବାକୁ ହେବ ? ନା, ଆଜି ଯେପରି କଟକରେ ‘‘Bengalee Settler’s Association’’ ହୋଇଅଛି, ଭାଷାଗତ ସୀମା ବାହାରେ ରହିଯିବା ଓଡ଼ିଆଙ୍କ ପାଇଁ ସେହିପରି ‘‘Oriya Settlers Association’’ ପ୍ରତିଷ୍ଠା କରିବାକୁ ହେବ ? ଏତେ କରି ସୁଦ୍ଧା ଫେରି ସେହି ମୁଷ୍ଟିମେୟ ଉନ୍ନତ ଜାତିଙ୍କ ରାଜତ୍ୱ ବଳବତ୍‌ ନ ହେବ କି ? ଏ ସବୁ ମହା ଗହନ ସମସ୍ୟା । ଆମ ଭିତରୁ କେତେଜଣ ଏ କଥା ଦୃଢ଼-ଭାବରେ ଭାବୁଥାଇଁ ? (ଓଃ ! ରାମଚନ୍ଦ୍ରଃ ! ଦେଶର ଓ ଜାତିର କର୍ମବୀରମାନଙ୍କୁ ଏପରି ପଟାପଟ୍‌ ଗମାର ବୋଲି କହିଦେବାଟା ମୋ ପକ୍ଷରେ କେଡ଼େ ଗମାର-ପଣିଆ !) ଆପାତତଃ ଏ ସମସ୍ୟାକୁ ମୁଁ ଭାବି ନାହିଁ କିମ୍ୱା ପୂରଣ କରିବାକୁ ଚେଷ୍ଟା କରି ନାହିଁ । ଫଳ କଥା ଏହି ହେବ ଯେ, ଆମେ ଆଜି ଯେଉଁଠାରେ ଥାଇଁ, The United Province of Utkal ‘ସମ୍ମିଳିତ ଉଡ଼୍ର ପ୍ରଦେଶ’ର ସୃଷ୍ଟି ହେଲେ ମଧ୍ୟ ଆମେ ସେହିଠାରେ ରହିବା । ‘ଭାଇ ଭାଇ ଠାଇଁ ଠାଇଁ’ ନ ହୋଇ ସବୁ ଭାଇଯାକ ଏକାଠେଇଁ ଏକା ଘରେ ରହିବାକୁ ସୁଖ ନ ପାଏ କିଏ ? ଏ ଅବଶ୍ୟ ଗୋଟାଏ ଭାରି ସୁଖ– କିନ୍ତୁ ଏ ସୁଖ ଭୋଗ କରିବା ଲାଗି ଏ ‘ଏକାନ୍ନ– ଏକ ବାସ’ରେ ରହିବା ଲାଗି ଭାଇମାନଙ୍କର ଯେଉଁ ଉଦ୍ୟମ, ପରିଶ୍ରମ ଓ ଧନ୍ଦାରେ ଲାଗିବା ଦରକାର, ତାହା ସବୁ ଆମର ଅଛି କି ? ସବୁ ଭାଇଙ୍କର ସେତକ ତାକତ୍‌ ନ ହେବାଯାକେ ସମସ୍ତଙ୍କୁ ଆଣି ଏକ ଘରେ ରୁଣ୍ଡ କରିବାର ଅର୍ଥ ଏହି ଯେ, ସମସ୍ତେ ଛୁଟୁପୁଟୁ ହୋଇ ଦାନା-କନା ନ ପାଇ ମରିବା । ସବୁ ଭାଇଯାକ ବୁଡ଼ି ମଲାବେଳେ କୁଣ୍ଢିଆକୁଣ୍ଢେଇ ହୋଇ ଏକ ଜାଗାରେ ମରିବାରେ ଯେ ସୁଖ ନାହିଁ, ମୁଁ ଏ କଥା କହୁ ନାହିଁ । କିନ୍ତୁ ସଭ୍ୟ ଜଗତରେ ଏହାଛଡ଼ା ଅନ୍ୟାନ୍ୟ ଉତ୍କୃଷ୍ଟତର ସୁଖ ଓ ଆନନ୍ଦ ଅଛି । ବ୍ୟକ୍ତିଗତ ଉଦ୍ୟମହୀନତା, ପରମୁଖାପେକ୍ଷିତା, ପରନିର୍ଭରତା, ଅନୁଗ୍ରହ-ଭିକ୍ଷା, ପ୍ରତିକୂଳ ଉପାଦାନ ସଙ୍ଗେ ଯୁଦ୍ଧ କରିବାକୁ ଅନିଚ୍ଛା, କୂପମଣ୍ଡୁକତା, ଅଦୂରଦର୍ଶିତା, ଆତ୍ମମ୍ଭରିତାରେ ମୋ ଜୀବନ ପୂର୍ଣ୍ଣ– ମୋ ମୁହଁ ଆଗରେ କେହି ଦୟାକରି ଥାଳିଏ ଭାତ ଥୋଇଦେଲେ ମୁଁ ବିନା ପରିଶ୍ରମରେ ସେତକ ଉଦରସ୍ଥ କରିବି ବୋଲି ଦିନରାତି ଈଶ୍ୱରଙ୍କୁ ଡକା ପକାଉଅଛି– ଏପରିସ୍ଥଳରେ ମୋ ସମକର୍ମା ଓ ସମଧର୍ମାଙ୍କ ସଂଖ୍ୟା ବଢ଼ାଇବାକୁ ମୋର ଦିନରାତି ଭାବନା । ମୁଁ ଯେଉଁଠାକୁ ଯାଏଁ, ମୁଁ ଯେଉଁଠାରେ ଥାଏ ଏହି କର୍ମଯୁଗରେ ମତେ ଘୋର ସଂଗ୍ରାମଦ୍ୱାରା ଜୀବିକା ନିର୍ବାହ କରିବାକୁ ହେବ; ପ୍ରତିଯୋଗିତାକୁ ଡରି, ପରିଶ୍ରମକୁ ଡରି, ହିହ ମିହନ୍ତ ନ କରି ବାଏଁ ବାଏଁ ବେଖରଚାରେ ଅନ୍ୟ ଜାତିଙ୍କ ସମକକ୍ଷ ହେବାକୁ ହୁରି ପକାଇଲେ ସଭ୍ୟଜଗତ୍‌ ମୋ ରଡ଼ି ଶୁଣିବ କିଆଁ ? ଉପସ୍ଥିତ ଅଭାବ, ଅସୁବିଧା, ପ୍ରତିଦ୍ୱନ୍ଦିତା, କଟାକ୍ଷ ଓ ପ୍ରତିକୂଳ ଉପାଦାନ ସତ୍ୱେ ଯେବେ ମୁଁ ମୋର ଅଧିକାର ଓ ସ୍ଥାନ ବଜାୟ ରଖିବାକୁ ଶିଖିପାରି ନାହିଁ, ତେବେ ଅନୁକୂଳ ଉପାଦାନ ପାଇଲେ ମୁଁ ଆହୁରି ସୁସ୍ଥି ଓ ପରିଶ୍ରମ-କାତର ନ ହେବି, ଏ କଥା ନାହିଁ କରିବ କିଏ ? ଭାରତବାସୀଙ୍କୁ ସ୍ୱାୟତ୍ତ-ଶାସନ-ପ୍ରଣାଳୀ ପ୍ରଦତ୍ତ ହେଲେ ସେହି ‘ଦୋହି’ ରେ ଉନ୍ନତ ଜାତି ଓ ସମ୍ପ୍ରଦାୟମାନେ ଅନୁନ୍ନତ ଜାତିଙ୍କ ଉପରେ ଅଧିକାର ବିସ୍ତାର କରିବେ ବୋଲି ଯେପରି କେତେକ ଅନୁନ୍ନତ ସମ୍ପ୍ରଦାୟ ହୁରି ଛାଡ଼ୁଅଛନ୍ତି, ଓଡ଼ିଆଙ୍କୁ ‘‘ସମ୍ମିଳିତ-ଉତ୍କଳ’’ ଶାସନ-ପ୍ରଣାଳୀ ଦିଆଗଲେ ସେହି ଦୋହିରେ ଉନ୍ନତ ‘କଟକି’ ମାନେ ଅନୁନ୍ନତ ଉତ୍କଳୀୟଙ୍କ ଉପରେ ଅଧିକାର ବିସ୍ତାର କରି ତାଙ୍କ ଦାନା ପାଣିରେ ଧୂଳି ଦେବେ ବୋଲି ‘ମାଲୁଆ’ ଓଡ଼ିଆଯାକ ହୁରି ଛାଡ଼ିବା ସ୍ୱାଭାବିକ ।

 

କେତେକ ସମ୍ୱଲପୁରିଆ ଭାଇମାନଙ୍କଠାରୁ ପ୍ରକାଶ ପାଇଅଛି ଯେ, ସମ୍ୱଲପୁର ଓଡ଼ିଶାରେ ମିଶିବାଦ୍ୱାରା ସମ୍ୱଲପୁରର ଚାକିରିକ୍ଷେତ୍ରରେ ‘କଟକି’ଙ୍କ ପ୍ରଭାବ ଓ ପ୍ରତାପ ବଢ଼ିଅଛି ମାତ୍ର । ସେମାନଙ୍କ ପକ୍ଷରେ ଫଳ କଥା ‘ପୁନର୍ମୂଷିକୋଭବ’ । ଏ କଥା କେତେଦୂର ଅନୁଭବ-ସିଦ୍ଧ ସତ୍ୟ ଉପରେ ପ୍ରତିଷ୍ଠିତ, ଏହା ଦେଶର କର୍ମବୀରମାନେ ଭାବନ୍ତୁ । କିନ୍ତୁ ମୋର ନିବେଦନ ଏହି ଯେ, ସ୍ୱାଧିକାର ପ୍ରତିଷ୍ଠା କରିବାକୁ ସମର୍ଥ ନ ହେବା ପର୍ଯ୍ୟନ୍ତ ଶତ ‘ରାଜନୈତିକ ଏକୀକରଣ’ (Administrative Union) ଦ୍ୱାରା ଆମର କିଛି ହେବ ନାହିଁ । ସ୍ୱାୟତ୍ତ-ଶାସନ-ନୀତିର (Home-rule) ବିରୋଧୀ ଦଳମାନେ ଏଥି ବିରୁଦ୍ଧରେ ଯେଉଁ ଯୁକ୍ତିମାନ ଦେଖାଯାଉଅଛନ୍ତି, ସେ ଯୁକ୍ତିମାନ ‘ଉତ୍କଳଭାଷୀ ପ୍ରଦେଶର ଏକୀକରଣ’ ପ୍ରସ୍ତାବ ବିରୁଦ୍ଧରେ ଅଧିକତରରୂପେ ପ୍ରଯୁଜ୍ୟ ହୋଇପାରେ । ଯାହାହେଉ, କୌଣସି ଅଧିକାର ଦାବି କରିବା ଓ ପାଇବା ବଡ଼ ଆନନ୍ଦର କଥା, କିନ୍ତୁ ସେ ଅଧିକାରର ସଦ୍‌ବ୍ୟବହାର କରିପାରିବା ଆହୁରି ଆନନ୍ଦର କଥା । ଫଳତଃ ମୁଁ ଅନୁଭବ କରିଅଛି ଯେ, ଯେତେବେଳେ ମୋର କୌଣସି ଜରୁରି ଦରକାର ପଡ଼େ, ସେତିକିବେଳେ ମୁଁ ଏହି ‘ଓଡ଼ିଆ ଢୁଆ’ କାଢ଼େଁ ।

 

ଆମର ଅଧିକାଂଶ ‘ଓଡ଼ିଶୀ-ଦାବି’କୁ ବିଶ୍ଳେଷଣ କଲେ ଓ ତହିଁର ପାଟକନା-ଗୁଡ଼ିଆ ଜନ୍ମପତ୍ରିକା ଉଦ୍‌ଘାଟନ କଲେ ତହିଁରେ ମୂଳରେ ଏହି ବ୍ୟକ୍ତିଗତ-ଲାଭ ଗୂଢ଼ଭାବରେ ନିହିତ ଥିବାର ପ୍ରତୀୟମାନ ହେବ । କୌଣସି ସମ୍ୱାଦପତ୍ରରେ କିମ୍ୱା ସଭାସମିତିରେ ‘‘ଓଡ଼ିଆଙ୍କର ଦାବି ଉପେକ୍ଷିତ ହେଉଅଛି; Orissa for Oriyas ଓଡ଼ିଶାଟା ଓଡ଼ିଆଙ୍କ ‘ଗୋଚର’ ଢୁଆ ଦେଖିଲା ମାତ୍ରକେ ଯେବେ ଉଣ୍ଡି ଜାଣିବ, ତେବେ ଏ ରଡ଼ିକର୍ତ୍ତା ସମ୍ପାଦକ, ସଭାପତି, ସହକାରୀ ଖୋଦ ବା ତାଙ୍କ ସହଚର, ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବ, ଜାତି, ବିରାଦର, ଅନ୍ତର, ପ୍ରତ୍ୟାନ୍ତର, ଭାତାନ୍ତର ଭିତରୁ ଜଣେ କେହି ପ୍ରାର୍ଥୀ, ଅର୍ଥୀ, ପ୍ରତ୍ୟର୍ଥୀ, ବୃତ୍ୟର୍ଥୀ, ସ୍ଥିତ୍ୟର୍ଥୀ, ପ୍ରୀତ୍ୟର୍ଥୀ, ଗତ୍ୟର୍ଥୀ ରୂପରେ ମଉଜୁଦ ଥିବାର ଠିକଣା ମିଳିପାରିବ । ଏ ଜାତୀୟ ଜୀବଙ୍କ (ଖବରକାଗଜବାଲା କିମ୍ୱା ସଭାବାଲା) ସଙ୍ଗେ ତୁମର ସମ୍ପର୍କ ନ ଥିଲେ, ତୁମର ସପ୍ତପୁରୁଷ କଞ୍ଚା କିମ୍ୱା ପାଚିଲା, କିମ୍ୱା ଦର ପାଚିଲା, କିମ୍ୱା କଞ୍ଚାସୁଆଦି ଓଡ଼ିଆ ହୋଇଥିଲେ ମଧ୍ୟ ତୁମ ଗନ୍ଧ ପଦାକୁ ବାହାରିବ ନାହିଁ । ‘‘ଅମୁକ ଲୋକର ବାଡ଼ିଦୁଆରେ ବହେ ଅଳିଆ, ଅମୁକ ଲୋକ ଦେଶର ଓ ଜାତିର ଶତ୍ରୁ, ଅମୁକ ଲୋକ ଦେଶଦ୍ରୋହୀ ଓ ଜାତିଦ୍ରୋହୀ’’ ଇତ୍ୟାଦି ସାଧାରଣ ଢକା ବାଜିଲେ ଦେଖିପାରିବ ଯେ ‘ସମ୍ପାଦକ ବିରାଦରାନ୍ତରାନ୍‌’ଙ୍କ ସଙ୍ଗେ ବ୍ୟକ୍ତିଗତ ଭାବରେ ଅପରାଧୀ ବିଚାରାର ଅପଡ଼ । ଜଣେ ହାକିମ ମୋ ମାମଲା ଡିସ୍‌ମିସ୍‌ କରିଦେଇ ଅଛନ୍ତି, କୌଣସି ପଦସ୍ଥ ବ୍ୟକ୍ତି ମତେ ସମ୍ମାନ ଦେଖାଇ ନାହାନ୍ତି, କୌଣସି ଅଧିକାରୀ ବ୍ୟକ୍ତି ମୋର ପ୍ରାର୍ଥନା ମଞ୍ଜୁର କରି ନାହାନ୍ତି, କିମ୍ୱା ମତେ ଚାକିରି ଖଣ୍ଡେ ଦେଇ ନାହାନ୍ତି । ତହିଁଆର ଦିନ ମୋର ଓ ମୋ ଘରଆଡ଼ର ବୈବାହିକ ଓ ଅବୈବାହିକ ସମ୍ପର୍କୀୟ ବ୍ୟକ୍ତିମାନଙ୍କ ଅନୁଗ୍ରହକୁ ଦେଶରେ କେତେ ସମ୍ପାଦକୀୟ ମନ୍ତବ୍ୟ, କେତେ ସଭାର ନିର୍ଦ୍ଧାରଣ ଉଦ୍‌ଘୋଷିତ ହୋଇଯିବ ଓ ତହିଁଆରଦିନ ବ୍ୟବସ୍ଥାପକ ସଭାର ମଞ୍ଚ ପର୍ଯ୍ୟନ୍ତ କମ୍ପିଯିବ ଓ ଜାତିଟା ଉଚ୍ଛନ୍ନ ହେଲା ବୋଲି ଆ-ଗୋଦାବରୀ– ଆ-ସୁବର୍ଣ୍ଣରେଖା ରୋଳ ପଡ଼ିଯିବ । ଅତଏବ ଯେ ପର୍ଯ୍ୟନ୍ତ ଉତ୍କଳର ଜାତୀୟ ଅଭିଧାନରୁ ଓଡ଼ିଆ ଜାତିର ଆଧୁନିକ Concentric (କୈନ୍ଦ୍ରିକ) ଅର୍ଥର (ଓଡ଼ିଆ ଜାତିର ଅନ୍ତର୍ଭୁକ୍ତ, ମୋ ‘ଜାତି’ର ଅନ୍ତର୍ଭୁକ୍ତ, ମୋ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ, ମୋ ବିରାଦରାନ୍ତରାନ୍ତର୍ଭୁକ୍ତ, ମୋ ଗ୍ରାମର ଅନ୍ତର୍ଭୁକ୍ତ, ମୋ ଦଳର ଅନ୍ତର୍ଭୁକ୍ତ, ମୋ ଭକ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ ଓ ମୋ ଅନୁଗ୍ରହ ଦୃଷ୍ଟିର ଅନ୍ତର୍ଭୁକ୍ତ ସୌଭାଗ୍ୟ-ବନ୍ତ ବ୍ୟକ୍ତିବିଶେଷ) ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ, ସେ ପର୍ଯ୍ୟନ୍ତ Home rule (ସ୍ୱାୟତ୍ତ ଶାସନ) ବୋଲ Utkal Union (ସମଗ୍ର ଉତ୍କଳଭାଷୀ ପ୍ରଦେଶର ଏକୀକରଣ) ବୋଲ, Orissa for Oriyas (ଓଡ଼ିଶାରେ ଓଡ଼ିଆଙ୍କର ଷୋଳପଣ କିସମତ) ବୋଲ, ଏଗୁଡ଼ିକ ଜାତୀୟ ଅବନତି ଦିଗକୁ ଅଗ୍ରସର ହେଉଥିବ । ଯେଉଁ ସାମ୍ପ୍ରଦାୟିକତା ଓ ବ୍ୟକ୍ତିଗତ ନୀଚତା ଆମକୁ Indian (ଭାରତୀୟ) ସୀମାରୁ ଟାଣି ଉତ୍କଳୀୟରେ, ସେଥିରୁ ଟାଣି ‘ଓଡ଼ିଆ’ରେ ପହଞ୍ଚାଇଛି, ସେହି ସଂକୀର୍ଣ୍ଣତା ଯୋଗୁଁ ଆମରି ଭିତରେ ଚାରି ଛତିଶ ପାଟକ, ବ୍ରାହ୍ମଣ–ଶୁଦ୍ର, କରଣ–ଖଣ୍ଡାଏତ, କ୍ଷତ୍ରିୟ–ମହାନାୟକ, ଶାସନୀ–ପଣ୍ଡା, ତନ୍ତି–ତାମିଳି, ତେଲି–ତୁଳାଭିଣା, ଜାତିଆ–ଅନ୍ତର, କଟକୀ–ପୁରିଆ, ସମ୍ୱଲପୁରିଆ–ଗଞ୍ଜାମିଆ, ସହରି–ମଫସଲି, ବଜାରି–ହାଟୁଆ, ଛୁଆଁ–ଅଛୁଆଁ ଆଦି ହରେକ କିସମର ଭେଦ-ଜ୍ଞାନରେ ପକାଇ ସ୍ୱାର୍ଥନ୍ଧତାର ପଙ୍କରେ ଆମକୁ ଘୋଷାରୁଥିବ । ଏଥିରୁ କେତେ ଗୁଡ଼ିଏ ଦୁର୍ଗୁଣ ଶିକ୍ଷାଦ୍ୱାରା ପରିହାର୍ଯ୍ୟ, କେତେଗୁଡ଼ିଏ ଦୁର୍ଗୁଣ ମାନବ ପ୍ରକୃତିର ଅପରିହାର୍ଯ୍ୟ, ସେଗୁଡ଼ିକ ଯଥାସାଧ୍ୟ ଦୂର ବା କାମ କରି ନାହିଁ ମନୁଷ୍ୟତା । ବ୍ୟକ୍ତିଗତ ଉନ୍ନତି ଓ ଉଦାରତା ବ୍ୟତିରେକେ ଜାତୀୟ ଉନ୍ନତିର ଆଶା ସୁଦୂରପରାହତ । ଅନ୍ୟାନ୍ୟ ଉନ୍ନତ ଜାତି ମଧ୍ୟରେ ଯେଉଁ ସ୍ୱାର୍ଥତ୍ୟାଗ ଓ ନିଃସ୍ୱାର୍ଥତାର (Self-sacrifice and Selflessness) ଉଦ୍ରେକ ହୋଇଅଛି, ଆମ ଜାତି ତହିଁରୁ କେତେ ପଛରେ ! ମୋ ହାତରେ କାଗଜ କଲମ ପଡ଼ିଲେ, ଅଧିକାର ପଡ଼ିଲେ, ସମ୍ୱାଦପତ୍ରର ଭାର ପଡ଼ିଲେ, ସଭାରେ ନିର୍ଦ୍ଧାରଣ ଓ ବକ୍ତୃତା କରିବାର କ୍ଷମତା, ତହିଁର ମୁଁ ଯେଉଁ ପରିମାଣରେ ସଦ୍‌ବ୍ୟବହାର ବା ଅପବ୍ୟବହାର କରିବାର ଦେଖାଯାଉଅଛି, ମୁଁ ତତ୍ତତ୍‌ ପରିମାଣରେ ଉନ୍ନତ ବା ଅବନତ । ଏହି ବ୍ୟକ୍ତିଗତ ଉନ୍ନତି ବା ଅବନତି ଉପରେ ଜାତିର ଭବିଷ୍ୟତ ନିର୍ଭର କରେ । ବ୍ୟକ୍ତିଗତ ଆଦର୍ଶ ଓ ଅନୁଭୂତି ଦ୍ୱାରା ଜାତିର ଜୀବନ ଗଠିତ ହୁଏ । ମୁଁ ମୋ ନିଜର କାର୍ଯ୍ୟକ୍ଷେତ୍ରରେ ମୋର ବ୍ୟକ୍ତିଗତ ବିଶେଷତ୍ୱ ପ୍ରତିଷ୍ଠିତ କରିପାରିଲେ, ମୋହରି ଆଦର୍ଶର ଉଚ୍ଚତାକୁ ମୋହରି ଘରେ କାର୍ଯ୍ୟତଃ ସୁପ୍ରତିଷ୍ଠିତ କରିପାରିଲେ ମୋହରି ପରି ବ୍ୟକ୍ତିବିଶେଷର ସମଷ୍ଟି ଦ୍ୱାରା ଜାତିର ଆଦର୍ଶ ଓ ଜୀବନ ଗଠିତ ଓ ପୁଷ୍ଟ ହେବ । ଏଥିପାଇଁ ଯେଉଁ ଉପାଦାନ ଦରକାର, ତାହା ମୋର ନାହିଁ । ଅଛି କେବଳ ଜାତୀୟ କିଳିକିଳା ରାବ, ଦୋହି ଜଗନ୍ନାଥ ରଡ଼ି । କେବଳ ବୃଥା ରାବରେ ଫଳ ନାହିଁ । ଓଡ଼ିଶାରେ ଯେପରି ବଙ୍ଗାଳି– ଓଡ଼ିଆ କନ୍ଦଳ ଲାଗିଅଛି, ମାନ୍ଦ୍ରାଜରେ ଦେଖିଲି ଯେ ତୈଲଙ୍ଗ– ତାମିଲ କନ୍ଦଳ ମଧ୍ୟ ଲାଗିଅଛି; କିନ୍ତୁ ସେଠାରେ ତେଲଗୁମାନେ ଆପଣାର ଜାତୀୟ, ସାମ୍ପ୍ରଦାୟିକ, ବ୍ୟାବହାରିକ ଓ ସାହିତ୍ୟିକ ବିଶେଷତ୍ୱ ଅକ୍ଷୁର୍ଣ୍ଣ ରଖିବାକୁ ସମର୍ଥ ହୋଇଅଛନ୍ତି– ତାମିଲମାନଙ୍କ ପ୍ରାଧାନ୍ୟ ସତ୍ତ୍ୱେ ତେଲଗୁମାନେ ନିଜ ନିଜର ଅଧିକାର, ନିଜର ଭାଷା, ନିଜର ସାହିତ୍ୟ, ନିଜର ବ୍ୟବହାର ଅକ୍ଷୁର୍ଣ୍ଣ ରଖିଅଛନ୍ତି ଓ ରାଜନୈତିକ ଉଚ୍ଚ ଆସନମାନଙ୍କରେ ଆପଣାର ବିଶେଷତ୍ୱର ମାର୍କା ମାରି ପାରିଅଛନ୍ତି । ଅତଏବ ତାଙ୍କ ମୁହଁରେ ‘‘Union of Telgu speaking tracts under a separate administration’’ (ତେଲଗୁଭାଷୀ ଅଞ୍ଚଳମାନଙ୍କର ରାଜନୈତିକ ଏକୀକରଣ) ଡୁହା ଶୋଭା ପାଉଅଛି । ପରନ୍ତୁ ଆମରି ଦେଶରେ ଆମରି ଓଡ଼ିଆ-ପ୍ରଧାନ ଅଞ୍ଚଳରେ ଆମ୍ଭେମାନେ ଆମ୍ଭମାନଙ୍କର ବିଶେଷତ୍ୱ ବଜାୟ ରଖିପାରି ନାହୁଁ । ଓଡ଼ିଶାର ଆଧୁନିକ ରାଜନୈତିକ ସୀମାର ବାହାରେ ଓଡ଼ିଆମାନେ ଅନ୍ୟ ବଳବାନ୍‌ ଜାତିଙ୍କ ଅଧୀନରେ ରହି ସୁଦ୍ଧା ଯେଉଁ ବିଶେଷତ୍ୱର ଟେକ ରଖିବାକୁ ସମର୍ଥ ହୋଇଅଛନ୍ତି, ସେମାନଙ୍କୁ ଆମ ସାଙ୍ଗକୁ ଆଣି ତାଙ୍କୁ ମଧ୍ୟ ‘ଲାଙ୍ଗୁଡ଼ିଖଣ୍ଡି’ ନ କହିବାଯାକେ ଆମର ମନବୋଧ ନାହିଁ । ସେଥିପାଇଁ କହନ୍ତି ‘ସ୍ୱୟମ୍‌ସିଦ୍ଧଃ କଥଂ ପରାନ ସାଧୟତି ।’

Unknown

 

ଏ କେତେଗୁଡ଼ିଏ ଅବାନ୍ତର କଥା କହିପକାଇଲି । ସମଗ୍ର ଉତ୍କଳଭାଷୀ ଅଞ୍ଚଳକୁ ଏକଶାସନାଧୀନ ରଖିବାକୁ ବେଳେ ବେଳେ ଆମର ମୁଖିଆମାନେ ଯେଉଁ ଯୁକ୍ତି ଦେଖାଉଅଛନ୍ତି, ତାହା ଶୁଣି ମତେ ବଡ଼ ହସ ମାଡ଼େ । ସେଦିନ ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ କୁରୁପମ୍‌ ରାଜ୍ୟର ଯୁବରାଜଙ୍କ ସଙ୍ଗେ ଆମ ତାଳଚେର ରାଜ୍ୟର ଜେମାଙ୍କ ମଙ୍ଗଳକୃତ୍ୟ ପ୍ରସଙ୍ଗରେ ଜଣେ ଯୁକ୍ତି ଦେଖାଇଲେ ଯେ, ଏହି ସମ୍ୱନ୍ଧରୁ ଓଡ଼ିଶା ଗଞ୍ଜାମ ସଙ୍ଗେ ମିଳିବାର ଆକାଂକ୍ଷା ପ୍ରତିପନ୍ନ ହେଉଅଛି । ମୟୂରଭଞ୍ଜ ମହାରାଜା ରାଜପୁତାନାର ଜଣେ ଜେମାଙ୍କ ପାଣିଗ୍ରହଣ କରିବା ସମୟରେ ଏ ଯୁକ୍ତି ପ୍ରଦର୍ଶିତ ହୋଇଥିଲେ ବୋଧହୁଏ ଭାରତ ସରକାର (India Goverment) ଓଡ଼ିଶା ସଙ୍ଗେ ରାଜପୁତାନାର (Administative Union) ଏକୀକରଣ ପ୍ରସ୍ତାବ ଶିରୋଧାର୍ଯ୍ୟ କରିଥାନ୍ତେ ! କୌଣସି ଇଂଲଣ୍ଡୀୟଙ୍କ ସଙ୍ଗେ ଫ୍ରେଞ୍ଚଙ୍କର ମଙ୍ଗଳକୃତ୍ୟ ହେଲେ ସଭ୍ୟଜଗତ୍‌ ଇଂଲଣ୍ଡ ଓ ଫ୍ରାନ୍‌ସକୁ ଏକଶାସନାଧୀନ ରଖିବାକୁ ମତ ଦେବେ ! ଆଜି କୁରୁପମ୍‌ ରାଜବଂଶ ସଙ୍ଗେ ଓଡ଼ିଶା ରାଜବଂଶର ବିବାହ ସମ୍ୱନ୍ଧ ନୂତନ ନୁହେଁ । କୁରୁପମ୍‌ ରାଜାଙ୍କ ମାତା ଓଡ଼ିଶାର କନ୍ୟା । ଓଡ଼ିଶାର ରାଜବଂଶମାନେ ବିବାହସୂତ୍ରରେ ମଧ୍ୟପ୍ରଦେଶ ଓ ଛୋଟନାଗପୁରର ରାଜବଂଶମାନଙ୍କ ସଙ୍ଗେ ସମ୍ୱନ୍ଧ । ଗଞ୍ଜାମ ଅଞ୍ଚଳର ରାଜବଂଶମାନ ମଧ୍ୟପ୍ରଦେଶସ୍ଥ ରାୟପୁର ଓ ବିଶାଖାପାଟଣା ଆଦିର ରାଜବଂଶମାନଙ୍କ ସଙ୍ଗେ ବିବାହସୂତ୍ରରେ ଆବଦ୍ଧ । ଏ ଯୁକ୍ତିଦ୍ୱାରା ତତ୍ତତ୍‌ ପ୍ରଦେଶମାନ ଏକଶାସନାଧୀନ ରହିବାର ଆବଶ୍ୟକତା ପ୍ରତିପନ୍ନ ହୋଇ ନ ପାରେ । ଓଡ଼ିଆ ମାତା (Mother Utkal) ଓ ଗଞ୍ଜାମ କନ୍ୟାଙ୍କ (Ganjam daughter) ମଧ୍ୟରେ ରାଜନୈତିକ ପ୍ରଣାଳୀ (Gulf of Administration) ବ୍ୟବଧାନ ଥିବା ଚିତ୍ରଦ୍ୱାରା ମଧ୍ୟ ପ୍ରସ୍ତାବିତ, (Utkal Union) (ଉତ୍କଳ ସମ୍ମିଳନ) ଯୁକ୍ତି ସମର୍ଥିତ ହୋଇଅଛି । ମାତା ଓ ପୁତ୍ର ଏକାନ୍ନ ଏକ ବାସରେ ରହିବାର ଦେଖାଅଛି । କିନ୍ତୁ ‘ଘରଜୋଇଆଁ’ ଛଡ଼ା ମା ଓ ଝିଅ ଏକାନ୍ନ ଏକ ବାସରେ ରହିବାର ଏ ସଂସାରରେ ଦେଖା ନାହିଁ । କନ୍ୟା ବିବାହ ହେବା ପରେ ନିଜ ସ୍ୱାମୀଘରକୁ ଯାଇ ମାତାଙ୍କଠାରୁ ପୃଥକ୍‌ ରହନ୍ତି । ଏପରି ସ୍ଥଳରେ ଏହି ‘ମାତା-କନ୍ୟା’ ଚିତ୍ରଟି ଉପସ୍ଥିତ କ୍ଷେତ୍ରରେ କେଉଁ ଯୁକ୍ତିକୁ ସମର୍ଥନ କଲା, ତାହା ବୁଝାଯାଉ ନାହିଁ । ଏ ଦୁଇଗୋଟି ଉଦାହରଣରୁ ଆମ ଜାତିର ‘ଭାବୁକତା’ର ଗଭୀରତା ସହଜରେ ନିରୂପଣ କରାଯାଇପାରେ । ଏଣିକି ପୋଥି ବଢ଼ାଇବା ଦ୍ୱାରା କଥାଗୁଡ଼ାକ ବେଶୀ ବ୍ୟକ୍ତିଗତ ହୋଇଯିବା ଭୟରେ ଆଜି ଘରର ହାଲଚାଲ ଏହିଠାରେ ସମାପ୍ତ କରିବାକୁ ପଡ଼ିଲା । ଫଳ କଥା ଏହିକି, ଆମର ଯୋଗ୍ୟତା ନ ହେବା ଯାକେ ଗଭର୍ଣ୍ଣମେଣ୍ଟ ଆମକୁ ଜାତୀୟ ମାର୍କା ଦେଇ ପାରିବେ ନାହିଁ । କେବଳ ଖଣ୍ଡକେତେ ସରକାରୀ ଚାକିରି ଓ ବୃତ୍ତି ମିଳିବ ମାତ୍ର । ଗଭର୍ଣ୍ଣମେଣ୍ଟ ସ୍ତ୍ରୀଶିକ୍ଷା ପାଇଁ କଟକରେ ଗୋଟିଏ କଲେଜ ସ୍ଥାପନ କରିଦେବେ ମାତ୍ର, କିନ୍ତୁ ସେଥିରେ ଓଡ଼ିଆ ଝିଅ ଆଣି ଭର୍ତ୍ତି କରବାକୁ ଆଇନ ପାଶ୍‌ କରି ପାରିବେ ନାହିଁ । କୃଷିଶିକ୍ଷା ପାଇଁ ସରକାର ବାହାଦୂର କଟକ ବିଦ୍ୟାଧରପୁରରେ ଗୋଟିଏ ଆଦର୍ଶ କୃଷିକ୍ଷେତ୍ର ସ୍ଥାପନ କରିଦେବେ, କିନ୍ତୁ ସେଥିରେ ଅନୁକରଣରେ ନିଜ ନିଜ କ୍ଷେତ୍ରରେ କୃଷିର ଉନ୍ନତି କରିବାପାଇଁ ରାମ ପଧାନ, ଶାମ ସାକଲ ଓଗେରଙ୍କୁ ବାଧ୍ୟ କରିପାରିବେ ନାହିଁ । ସରକାର ବାହାଦୂର ଆମକୁ ସ୍ୱାୟତ୍ତ ଶାସନର କ୍ଷେତ୍ର ଦେବାପାଇଁ ଆମ ହାତରେ ନିର୍ବାଚନ-ପ୍ରଥା, ମ୍ୟୁନିସିପାଲଟି ଦେବେ; କିନ୍ତୁ ଯୋଗ୍ୟ ଲୋକଙ୍କୁ ନିର୍ବାଚନ ନ କରିବାପାଇଁ ଆଇନ ପାଶ୍‌ କରି ପାରିବେ ନାହିଁ କିମ୍ୱା ମ୍ୟୁନିସିପାଲଟି ଶାସନ-ପ୍ରଣାଳୀରେ ମନୋନିବେଶ କରିବାପାଇଁ ନିର୍ବାଚିତ କମିଶନରମାନଙ୍କୁ ବାଧ୍ୟ କରି ପାରିବେ ନାହିଁ । ଏସବୁ ଉଦାହରଣ ମାତ୍ର । ଏ ସବୁକୁ ଆପଣମାନେ ନିଜର ‘Ruling’ ବୋଲି ଘେନି ଆଜ୍ଞା ହେବେ ନାହିଁ ।

 

ସମଗ୍ର ଭାରତବର୍ଷ ଯେତେବେଳେ Responsible form of Goverment (ସ୍ୱାୟତ୍ତ ଶାସନ) ପାଇବ, ସେତେବେଳେ ଆମେ ବଳେ ବଳେ ଆମ କିସମତ୍‌ ମଥୋଟ ମୁତାବକ ସେ ଅଧିକାର ପାଇବା । ସରକାର ବାହାଦୂର Linguistic Basis (ଭାଷାମୂଳକ ଭିତ୍ତି)ରେ ପ୍ରଦେଶ– ବିଭାଗ କଲାବେଳେ ସମଗ୍ର ଉତ୍କଳଭାଷୀ ସମଗ୍ର ପ୍ରଦେଶକୁ ଏକଶାସନଭୁକ୍ତ କରିଦେବେ; କିନ୍ତୁ ଏତିକିରେ ଆମର ଗଙ୍ଗାସ୍ନାନ ଫଳ ହୋଇଯିବ ନାହିଁ– ଆମ୍ଭମାନଙ୍କୁ ପ୍ରତିନିୟତ ବ୍ୟକ୍ତିଗତ ଚେଷ୍ଟା, ଉଦ୍ୟମ, ଶିକ୍ଷା ଆଦର୍ଶ ଓ ସାଧନା ଦ୍ୱାରା ନିଜେ ନିଜେ ଉନ୍ନତ କରିବାକୁ ହେବ । ତାହା ନ ହେଲେ ଏସବୁ କେବଳ ‘ମାଳିକୁ ଛେଳି ଅଡ଼ୁଆ’ କାମ ମାତ୍ର ହେବ– କେବଳ ବହେ ଲେଖାଏଁ ହଲାପଟା ହେବା ମାତ୍ର ।

 

(୨୧ଶ ଭାଗ । ୧୩୨୫ । ୧୨ଶ ସଂଖ୍ୟା)

 

ମୁଁ ଆମ ଘରର ହାଲଚାଲ ଦାଣ୍ଡରେ ପକାଇବା ଯୋଗୁଁ କେତେକ ବନ୍ଧୁଙ୍କର ‘ଅନୁରାଗ’– ଭାଜନ ହୋଇଅଛି । ‘ବନ୍ଧୁ’ ଶବ୍ଦର ଅନେକଗୁଡ଼ିଏ ଅର୍ଥ ଓ ବ୍ୟବହାର ଅଛି । ମୌଳିକ ଅର୍ଥ– ଯାହାଙ୍କ ସଙ୍ଗରେ ମୋର ଗୋଟିଏ ବନ୍ଧନ (ସମ୍ପର୍କ) ଅଛି । ବନ୍ଧନଟା ସାମାଜିକ ଚଳିତ ଅର୍ଥରେ ବୈବାହିକ କଥା– ପିତୃ-ବନ୍ଧୁ, ମାତୃ-ବନ୍ଧୁ, ସ୍ୱ-ବନ୍ଧୁ, ଭଗିନୀ-ବନ୍ଧୁ, ଅପତ୍ୟ-ବନ୍ଧୁ-ମାମୁଅଜା, ମାମୁ ଓ ଗୃହିଣୀ ସାହେବାଙ୍କ ସୋଦର ବିରାଦରାନ୍‌, ଭଗିନୀପତି, ଭଣଜା, ସମୁଧୀ ଆଦି । ହିନ୍ଦୁମାନଙ୍କର ଜାୟାଧିକାରରେ ମୃତବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିରେ ନିର୍ଦ୍ଦିଷ୍ଟ ବନ୍ଧୁଙ୍କର ସ୍ୱତ୍ୱଲାଭ ନିର୍ଣ୍ଣୀତ ହୋଇଅଛି । ଅର୍ଥ ଅନୁସାରେ ଏତେ ସ୍ଥଳରେ ଏ ବନ୍ଧୁ ଶବ୍ଦଟି ପ୍ରଯୋଜ୍ୟ ହେଲେହେଁ ଯେଉଁ ଜାଗାରେ ବନ୍ଧନଟା ନିଗଡ଼ ତାହାକୁ ହିଁ ‘ସମ୍ୱନ୍ଧୀ’ ବୋଲାଯାଏ । ଆମ ଦେଶରେ ସମ୍ୱନ୍ଧୀ କହିଲେ ପୁତ୍ର କନ୍ୟାଙ୍କ ଶ୍ୱଶୁରଙ୍କୁ ବୁଝାଏ । ବଙ୍ଗଦେଶରେ ଏ ଶବ୍ଦ ଗୃହିଣୀଙ୍କର ବିବୁଦରାନଙ୍କୁ ବୁଝାଏ । ବନ୍ଧୁ ଶବ୍ଦର ଆହୁରି କେତେଗୁଡ଼ିଏ ପ୍ରୟୋଗାର୍ଥ ଅଛି ।’’ ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ଶତ୍ରୁବିଗ୍ରହେ-। ରାଜଦ୍ୱାରେ ଶ୍ମଶାନେ ଚ ଯସ୍ତିଷ୍ଠତି ସ ବାନ୍ଧବଃ ।’’ ଏ ଅର୍ଥରେ ବିପଦ ଆପଦରେ ଓ ଆମୋଦ ଆନନ୍ଦରେ ଯେ ମୋ ସଙ୍ଗରେ ଯୋଗ ଦିଅନ୍ତି, ସେ ମୋର ବନ୍ଧୁ । ଶେଷୋକ୍ତ ପ୍ରୟୋଗରେ ‘ବନ୍ଧୁ’ ଶବ୍ଦର ସୀମା ଖୁବ୍‌ ବଡ଼ । ଆହୁରି ମଧ୍ୟ ଲେଖାଅଛି ଯେ, ଯାହା ସଙ୍ଗେ ପଦେ କଥାବାର୍ତ୍ତା ହେଲା, ସେ ହେଲେ ତୁମର ବନ୍ଧୁ । ‘‘ସମ୍ୱନ୍ଧ ମା ଭାଷଣ ପୂର୍ବମାହୁଃ ସମ୍ୱନ୍ଧିନଂ ସାପ୍ତପଦୀନ ମୁଚ୍ୟତେ-।’’ ଏହିପରି ଏ ଶବ୍ଦଟିର ଅନେକ ପ୍ରୟୋଗ ଅଛି । ଏସବୁ ପ୍ରାଚ୍ୟ ପ୍ରୟୋଗ ପାଶ୍ଚାତ୍ୟ ସଭ୍ୟତା ଅନୁସାରେ ବନ୍ଧୁ ଶବ୍ଦର ପ୍ରୟୋଗରେ ମଧ୍ୟ ବେଶୀ ଧରପଗଡ଼ ହୁଏ ନାହିଁ । ଏ ଶବ୍ଦଟା ଆଧୁନିକ ସଭ୍ୟ ସମାଜରେ ଗୋଟାଏ ‘କାଏଦା’ (Etiquette) ଯୁକ୍ତ ବାକ୍ୟ ମାତ୍ର । ନିଃସମ୍ପର୍କୀୟ ବ୍ୟକ୍ତି ଏମନ୍ତ କି ଶତ୍ରୁ, ପ୍ରତିଦ୍ୱନ୍ଦୀ ଓ ପଶୁମାନଙ୍କୁ ସୁଦ୍ଧା ବନ୍ଧୁ ଶବ୍ଦରେ ସମ୍ୱୋଧନ କରାଯାଏ । ଆଜିକାଲି ଆମ୍ଭେମାନେ ଯେଉଁ ସଭ୍ୟତା-ମନ୍ତ୍ରରେ ଶିକ୍ଷିତ ଓ ଦୀକ୍ଷିତ ହେଉଥାଇଁ, ସେଥିରେ ବାହାରର ‘କାଇଦା’ ଓ ଢଙ୍ଗଟା ଠିକ୍‌ ରହିଲେ, ‘କାଗଜ କଲମ-ଦୋରସ୍ତ’ ରହିଲେ ହେଲେ । ଭିତରର କଥା ଯାହା ଇଚ୍ଛା ତାହା ହେଉ, ବାହାରର ‘କାଏଦା’ ଦୋରସ୍ତ ହେଲେ ହେଲା । ତୁମ ଦିହରେ ରମ୍ପା, ଯାଦୁ, କାଛୁ, କୁଣ୍ଡିଆ, ଘିମିରି, ବାତଫୁଟ, ବାତରକ୍ତ, ଆଳୁମାତ୍ରା, କଳା ଓ ଧଳା ଜାଇମନ୍ଦା ସବୁ ଥାଉ, କିନ୍ତୁ ବାହାରେ ଫେସନ ମୁତାବକ କାଟଛାଣ୍ଟ ହୋଇଥିବା ପୋଷାକ ତୁମର ସବୁ ବାଗକୁ ଘୋଡ଼ାଇ ପକାଇବ । ତୁମେ ହାକିମ ହୋଇ ଯାହା ଇଚ୍ଛା ତାହା କର, ପର ପୁଅର ଚଳନ୍ତି, ଅଚଳନ୍ତି, ପୋତା, ନୋତା, ନିଧି, ନିଖାତ, ଉଡ଼ନ୍ତି, ବହନ୍ତି, ସଜୀବ, ନିର୍ଜୀବ ଖଞ୍ଜ ଅଖଞ୍ଜ ସବୁ ପ୍ରକାରର ସମ୍ପତ୍ତି ପ୍ରତି ତୁମର ପୂର୍ଣ୍ଣ ‘ମମତା’ ଥାଉ, ତୁମର ଘରେ ଖୋଦ ତୁମେ ତାଣ୍ଡବ କରୁଥାଅ, କିନ୍ତୁ ଦାଣ୍ଡକୁ ବାହାରି ପଡ଼ିଲାକ୍ଷଣି ତୁମେ ହାକିମ ପୋଷାକ ଲଗାଇ ପାଗ ପଟୁକା ବାନ୍ଧି ମିସଲରେ ପହଞ୍ଚିଯାଅ, ତୁମେ ହୋଇଯିବ ‘ଧର୍ମାବତାର’, ‘ଖୋଦାବନ୍ଦ’, ‘ଖାମିନ୍ଦ’, ‘ମା– ବାପ’, ‘ଦୁନିଆକା ବାଦସା’ । ଚାରିଅଣାର ବାସନା ତେଲ ପାଇଁ ଆଠଅଣା ଖରଚ କରି ଶିଶି, ଛାପା, ମୋହର, ଛାପ-ଚିକଣିଆ ମଲାଟ ଓ ବିଜ୍ଞାପନ ଦରକାର । ବାହାରର ଥାଟଟା ଦୋରସ୍ତ ରହିଲେ ପାଠ ଶେଷ । ଭିତରେ ଯାହା ଇଚ୍ଛା ତାହା ଥାଉ, ସେଥିରେ ଯାଏ କେତେ ଆସେ କେତେ ? ସେହିପରି ବର୍ତ୍ତମାନ ‘Dear friend’ (ପ୍ରିୟ ବନ୍ଧୁ) କଥାର ପ୍ରୟୋଗ ସଙ୍ଗେ ପ୍ରକୃତ ବନ୍ଧୁତାର ସତ୍ତା ରହିବାର ଆବଶ୍ୟକ ନାହିଁ । ଅତଏବ ଯାହାଙ୍କ ସଙ୍ଗେ ମୋର କରମର୍ଦ୍ଦନ ଚଳେ ବା ଚଳିବାର କୌଣସି ବାଧା ନାହିଁ, ତାଙ୍କ ସଙ୍ଗେ ବନ୍ଧୁତା ଥାଉ କି ନ ଥାଉ ସେ ମୋର ବନ୍ଧୁ । ମୁଁ ଏହି ଅର୍ଥରେ ଉପରେ ବନ୍ଧୁ ଶବ୍ଦଟା ପ୍ରୟୋଗ କରିଅଛି । ଏପରି ‘ବନ୍ଧୁ’ଙ୍କ ମତ ପ୍ରତି ଅବଦିଥା ପ୍ରଦର୍ଶନ କରିବାର ଜୁ ନାହିଁ-। ସମୟ କାଟିବା ଲାଗି, ବସିବା ବେଳେ କାଶିବା ପରି ମୁଁ ଯେଉଁ ପୃଷ୍ଠା କେତେ ଗାରେଇଁ ପକାଏ, ସେଥିରେ କୌଣସି ଲୋକ କିଛି ଶିକ୍ଷା ପାଇବ ବା ତାହା ପଢ଼ି କୌଣସି ବ୍ୟକ୍ତିର ଶାରୀରିକ, ମାନସିକ, ଆଧ୍ୟାର୍ମିକ, ସାମାଜିକ ବା ବୈଷୟିକ ଉନ୍ନତି ହେବ, ଏପରି ଆଶା ମୁଁ କେବେ କରି ନାହିଁ-। ମୋ ଭଳି ପୃଥିବୀରେ ଅନେକ ନିଷ୍କାର୍ମ ଅଛନ୍ତି । ସମୟ କାଟିବା ପାଇଁ କିଏ ପଶା, ତାସ, ଗଞ୍ଜପା, ଚଉସାର, ବାଘବଜାରି, ନ୍ୟାୟବଳ ଖେଳନ୍ତି; କିଏ ଦୈନିକ ଓ ନୈଶ ବିଦ୍ୟାଳୟ, ସଭା, ସମିତି, ବ୍ଳକ, ଆସୋସିଏସନ, କମେଟୀ, ଭିକ୍ଷୁକ ଓ ପ୍ରଚାରକ ସମ୍ପ୍ରଦାୟ କରନ୍ତି । କିଏ ସଂକୀର୍ତ୍ତନ, ପାଲା, ଗୋଟିପୁଅ, ରାମଲୀଳା, କୃଷ୍ଣଲୀଳା, ବୋହୂ ସୁଆଙ୍ଗ, ଚନ୍ଦ୍ରାବତୀ ହରଣ କରନ୍ତି କିଏ ଭାଙ୍ଗ, ଆପୁ, ଚଉସ, ଚଣ୍ଡୁ, ଗୁଡ଼ାଖୁ, ନିକା, ଅଲବଲା, କୋକେନ, ସେବନ କରନ୍ତି; କିଏ ସଙ୍ଗୀତ, ଚଉପଦୀ, କାବ୍ୟ, ନାଟକ, ଉପନ୍ୟାସ, ପାଠ୍ୟପୁସ୍ତକ ପାଠ କରନ୍ତି । କିଏ ସନ୍ଧ୍ୟାବେଳେ ଖଞ୍ଜଣୀ ଓ ଚଙ୍ଗି ମାଡ଼ ଓ ଘୁମୁରା ମାଡ଼ କରନ୍ତି; ମୁଁ କାଗଜ କଲମ ଧରି ବହେ ରାମ୍ପେ । ଏହା ବୋଲି ଯେ ଅନ୍ୟାନ୍ୟ କାଳକଟା ଅବଲମ୍ବନର ମୁଁ ଧାରେ ଧାରେ ନାହିଁ, ଏକଥା ମୁଁ କହୁ ନାହିଁ; ଅଳ୍ପ ବହୁତ ମୋର ପଶା ଆଦି, ବିଦ୍ୟାଳୟ ଆଦି, ସଂକୀର୍ତ୍ତନ ଆଦି, ଭାଙ୍ଗ ଆଦି, ସଙ୍ଗାତ ଆଦି, ଖଞ୍ଜଣୀ ମାଡ଼ ଆଦି ସବୁ ମାଲ ମସଲା ଅଛି । କିନ୍ତୁ ଗୁଡ଼ିଏ କାଗଜ କଲମ ମତେ ମାଗଣା ବା ଶସ୍ତାରେ ମିଳିବାରୁ ଓ ସେଥିରେ ଅନ୍ୟ ସହଚର ଓ ସହଚରୀଙ୍କର ସାହଚର୍ଯ୍ୟ ଆବଶ୍ୟକ ନ ଥିବାରୁ ମୋ ମନକୁ ଯାହା ଆସେ ତାହା ଗାରେଇ ଯାଏଁ । ମୋ ଭଳି ନିଷ୍କାର୍ମ ସମ୍ପାଦକ ଅଛନ୍ତି, ସେ ସେଗୁଡ଼ାକ ତାଙ୍କ କାଗଜରେ ପୂରଣ କରିଦିଅନ୍ତି, ତାଙ୍କ ଭଳି ଫେର ଥୋକେ ନିଷ୍କର୍ମା ଅଛନ୍ତି ଯେ, ସେମାନେ ସେ ଗୁଡ଼ାକ ପଢ଼ି କାଳ କାଟନ୍ତି ।

 

ମୋର ଉପରୋକ୍ତ ‘ବନ୍ଧୁ’ମାନଙ୍କ ମଧ୍ୟରୁ ଏଥିପୂର୍ବେ କେହି କେହି ମୋତେ ଲମ୍ୱା ଲମ୍ୱା ସାର୍ଟିଫିକଟ ଦେଇଥିଲେ ଓ କହିଥିଲେ ଯେ, ମୁଁ ଉତ୍କଳ ସାହିତ୍ୟରେ ଜଣେ ଖ୍ୟାତନାମା, ଉଦୀୟମାନ, ଉଚ୍ଚ ଶ୍ରେଣୀର ଫୁଟନ୍ତ ଲେଖକ । ବର୍ତ୍ତମାନ ସେ ବନ୍ଧୁମାନଙ୍କର ମତ ଓ ମତି ପରିବର୍ତ୍ତିତ ହୋଇଥିବାର ମୁଁ ଦେଖୁଅଛି । କଥା କଥାକେ ମୋର ବନ୍ଧୁମାନେ ବୁରାଅଛନ୍ତି ଯେ, ମୋର ଆଗର ଉଚ୍ଚ ଧରଣର ଲେଖା ଉଭେଇ ଗଲାଣି, ଏବେ ମୋ ଲେଖା କେବଳ ନୀଚତା ଓ ସ୍ୱାର୍ଥଖେଳା ଓ ପରଦ୍ୱେଷରେ ପୂର୍ଣ୍ଣ । ବନ୍ଧୁମାନଙ୍କର ଏହି ଉକ୍ତିର ସାରବତ୍ତା ମୁଁ ହାଉଲେ ହାଉଲେ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁଅଛି । ଯେତେବେଳେ ମୁଁ ଦୁନିଆର ହାଲଚାଲ ଲେଖୁଥିଲି, ସେତେବେଳେ ମୋ ଲେଖାରେ ନାନା ବିଷୟର, ନାନା ବ୍ୟକ୍ତିଙ୍କର, ନାନା ଘଟଣାର ଚର୍ଚ୍ଚା କରୁଥିଲି;ଏହି ଅନଧିକାର ଚର୍ଚ୍ଚା ଯୋଗୁଁ ଉତ୍କଳର ଅନେକ ପଦସ୍ଥ ବ୍ୟକ୍ତି ମୋ ଉପରେ ଖପ୍‌ପା ହୋଇଥିଲେ, ହେବା ମଧ୍ୟ ସ୍ୱାଭାବିକ୍‌– ‘‘ତୋର ସମୟ ନ କଟିଲା ବୋଲି ତୁ ପରଦିହକୁ ଖେଞ୍ଚିବୁ, ଏ କେଉଁଠା ନିଷାପ ? ତୁ ପର ପାଇଁ ଗାତ ଖୋଳିଲେ ପରପୁଏ ମଧ୍ୟ ତୋ ଲାଗି ଖଣି ଖୋଳି ତତେ ଉପରକଣ୍ଟା ତଳକଣ୍ଟା କରିବେ ।’’ ଏ ସବୁ କଥା ଦେଖି ମୁଁ ସ୍ଥିର କଲି ଯେ, ଦୁନିଆର ହାଲଚାଲ ନ ଉଣ୍ଡି, ମୋ ଘରର ହାଲଚାଲ ଲେଖିଲେ, ମୋରି ଖେଞ୍ଚା ମୋରିଠେଇଁ ବାଜିବ, ସେଥିରେ ଅନ୍ୟ କେହି ଦାଉଘାତ ହେବେ ନାହିଁ । ଏ ପାଞ୍ଚ ପାଞ୍ଚି ମୋ ଘର କଥା ଦାଣ୍ଡରେ ପକାଇ ସ୍ଥିର କଲି । ସେଥିରେ ମଧ୍ୟ ଦେଖିଲି ଯେ, ଘର କଥା କହୁ କହୁ ମୋର ସାଇ ପଡ଼ିଶା, ଭାଇ ଭଗାରି, ଜମିଦାର ପ୍ରଜା, ପରିବାର ବିରାଦର, ସମଧର୍ମା, ସମକର୍ମା, ଚାକର ବାକର, ସାଆନ୍ତାଣି ପୋଇଲୀ, ବନ୍ଧୁବାନ୍ଧବ ଆଦିଙ୍କ କଥା ପ୍ରସଙ୍ଗକ୍ରମେ ଉଠୁଅଛି । ଏହା ଦେଖି ମୋର ପିଲାଦିନର ଶିକ୍ଷାଗୁରୁ ବୁଢ଼ା ବାଞ୍ଛାନିଧି ମାଷ୍ଟର ହୁଲର କରୁଅଛନ୍ତି– ‘‘ଆୟୁର୍ବିତ୍ତଂ ଗୃହଚ୍ଛିଦ୍ରଂ ।’’ ଘରଆଡ଼େ (Secretary Home Department) ଗୃହ ବିଭାଗର ମାଲିକ (ଗୃହିଣୀ ଗୃହ ମୃଚ୍ୟତେ) ଅଭିମାନ କରୁଅଛନ୍ତି– ‘‘ଆମ ଘରଟା ତୁମର ଷୋଳପଣି ହସ୍ତବୁଜି ମାହାଲ ନୁହେ । ତୁମ ଇଲାକାଧୀନ ଅଂଶ(ଯଥା– ଦାଣ୍ଡପିଣ୍ଡା, ସଦର ଦରୋଜା, କଚେରିମେଲା, ଦାଣ୍ଡମାମଲତ, ସଦର ଗୁମାସ୍ତା, ବିଲବାଡ଼ି ଧନ୍ଦା ଏସବୁ ନେଇ ତୁମେ ଦାଣ୍ଡରେ ପକାଅ, କିନ୍ତୁ ପରଦା ଆଢ଼ୁଆଳରେ ବସ୍ତୁ ଓ ଜୀବଙ୍କ ଟାଣିନେଇ ଦାଣ୍ଡରେ ଠିଆ କରାଇବାକୁ ତୁମେ କିଏ ? ଆମ ଖାସମାହାଲର ବାଡ଼ିତରଫର ଏକାଧିପତି ମାଲିକ ଆମେ । ତୁମର ସେଥିରେ ପାଟି ଫିଟାଇବାର ଜୋ ନାହିଁ ।’’ ଦେଶଗୁରୁ, ସମାଜଗୁରୁ, ଜାତିଗୁରୁମାନେ ମଧ୍ୟ କହୁଅଛନ୍ତି, ‘‘ତୁମ କଥା ତୁମେ ଦିନରାତି ବିଳିବିଳାଉଥାଅ, କିନ୍ତୁ ହୁସିଆର ! ଆମ ଦିହରେ ତୁମର ‘‘ଛାଇ ବାଇ ଲେନ୍ଦରା ଲାଗିଲେ ତୁମର ମଗଜ ଥଣ୍ଡା କରିଦେବୁ ।’’ ପଣ୍ଡିତ ଆପଣେ କହୁଅଛନ୍ତି– ‘‘ସତ୍ୟଂ ବ୍ରୂୟାତ୍‌ ପ୍ରିୟଂ ବ୍ରୂୟାତ୍‌ମାବ୍ରୂୟାତ୍‌ସତ୍ୟମପ୍ରିୟଂ’’ ବାଲା ଦସ୍ତି ପାଗଳ କହୁଅଛି– ‘‘ସବ୍‌ କହୋ, ମରମ୍‌ ମତ୍‌ କହୋ-!’’ ଏହିସବୁ ନାନାଦି ଅଭିଯୋଗ ମଧ୍ୟରେ ପଡ଼ି ମଝିରେ ମଝିରେ ମୁଁ ଭାବୁଛି ଯେ ସିଂହବାହିନୀ ମା ସାରଳାଙ୍କ ଦୟାରୁ ଏପରି କୌଣସି ପ୍ରସଙ୍ଗ ଲେଖନ୍ତି, ଯେଉଁଥିରେ ମୋର ଖୋଦ୍‌ ନିଜର କଥା ବ୍ୟତୀତ ଅନ୍ୟ କିଛି ପ୍ରସଙ୍ଗ ନ ରହନ୍ତା । କିନ୍ତୁ ଏଥିର ମଧ୍ୟ କୌଣସି ମୀମାଂସା କରି ନ ପାରି ନଡ଼ବଡ଼ ହେଉଅଛି । ଅବଶ୍ୟ ପଣ୍ଡିତମାନେ ଲେଖାକୁ ଦୁଇ ଭାଗରେ ବିଭକ୍ତ କରିଥାନ୍ତି– Subjective (ମାନସିକ), Objective(ବୈଷୟିକ); ପ୍ରଥମ ଶ୍ରେଣୀ ଲେଖାରେ ନିଜର ଆଭ୍ୟନ୍ତରୀଣ ଭାବ ଓ ଚିନ୍ତା ପ୍ରକାଶ କରିଥାଏ । ଦ୍ୱିତୀୟ ଶ୍ରେଣୀରେ ଲେଖକ ବାହାରର କୌଣସି ବସ୍ତୁ ବା ଘଟଣା ବା ଜୀବକୁ ଅବଲମ୍ୱନ କରି କୌଣସି ବିଷୟ ଚର୍ଚ୍ଚା କରିଥାଏ । ପ୍ରଥମ ଶ୍ରେଣୀର ଲେଖକଙ୍କ ଲେଖା ଭାବୁକତା ଓ ଉଚ୍ଚ ଚିନ୍ତାରେ ପୂର୍ଣ୍ଣ । ଦ୍ୱିତୀୟ ଶ୍ରେଣୀର ଲେଖକ ନିମ୍ନ ଶ୍ରେଣୀର, ଅର୍ଥାତ୍‌ ଆଶା-ବାଡ଼ିଖଣ୍ଡେ ନ ହେଲେ ସେମାନେ ଖୋଜେ ଆଗକୁ ଗୋଡ଼ ବଢ଼ାଇ ପାରନ୍ତି ନାହିଁ-। ମୋ ଲେଖା ପ୍ରତି ବନ୍ଧୁମାନଙ୍କର ‘ଅନୁରାଗ’ ଦେଖି ମୁଁ ବିଚାର କରିଅଛି ଯେ, ଦିନାକେତେ କୌଣସି ଗୁରୁଙ୍କଠାରେ ତାଲିମ ହୋଇ ଲେଖିବାର କାଇଦା କଟକଣାଟା ଶିଖିନେଇ ଏଣିକି ତୁଚ୍ଛା (Subjective) ସମ୍ପର୍କଶୂନ୍ୟ ଲେଖା ଲେଖିବି । ଧର୍ମଚିନ୍ତା, ଆଧ୍ୟାତ୍ମ ଚିନ୍ତା, ନୈତିକ ଚିନ୍ତା, ସ୍ୱପ୍ନ ଦର୍ଶନ, ହରି କଥା, ଶାସ୍ତ୍ର କଥା ଏହିସବୁ ଏଣିକି ମୋ ଲେଖାରେ ରହିବ । ତାହାହେଲେ ମୋର କୌଣସି ସଜୀବ ଓ ସତେଜ ବନ୍ଧୁ ବାନ୍ଧବ, ସରଦାର ବିରାଦାର, ଅନ୍ତର ଓ ପ୍ରତ୍ୟନ୍ତରଙ୍କଠାରେ ଆଁଚ ବାଜିବ ନାହିଁ । ପାଠ ମଧ୍ୟ ଡ଼ାକୁଛି– ‘‘ଯାଦୃଶୀ ଭାବନା ଯତ୍ର ସିଦ୍ଧିର୍ଭବତି ତାଦୃଶୀ ।’’ ମୋର ଏ ଭାବନାକୁ ଭଗବାନ୍‌ ସିଦ୍ଧ କରି ମତେ ଗୋଟିଏ ଗୁରୁଙ୍କ ନିକଟରେ ହାବୁଡ଼ାଇବେ ବୋଲି ମୋର ଆଶା ହେଉଅଛି । ସେ ଦିନ ପର୍ଯ୍ୟନ୍ତ ଘରର ହାଲଚାଲ ଲେଖି ସମୟ କଟାଇବା ଛଡ଼ା ଅନ୍ୟ ଉପାୟ ନାହିଁ । ଅତଏବ ‘ବନ୍ଧୁ’ମାନଙ୍କ ନିକଟରେ କିଛିଦିନ ମହଲତ ପ୍ରାର୍ଥନା କରୁଅଛି । ତା ପରେ ପ୍ରକୃତ ଜଗତକୁ ଛାଡ଼ି ଲେଖକ କାଳ୍ପନିକ, ମାନସିକ ଓ ସ୍ୱପ୍ନ ଜଗତରେ ଚାଲବୁଲ କରିବ ଓ ତଦ୍ଦ୍ୱାରା ଅନ୍ୟ କାହାରି ଦିହରେ ଲେଖକର ହାଉଆ ବାଜିବ ନାହିଁ ।

 

(୨୨ଶ ଭାଗ । ୧୩୨୫ । ୧ମ ସଂଖ୍ୟା)

 

୧୯୧୮ ଇଷ୍ଟର ବା ଗୁଡ଼ଫ୍ରାଇଡ଼େ ଓ ଦୋଳ ଯାତ୍ରା ଛୁଟିରେ କଟକ ସହରଟି ‘ମେଳନ’ରେ ସରଗରମ ହୋଇ ଉଠିଥିଲା । ଦୋଳ ସମୟରେ ସଂକୀର୍ତ୍ତନ ମେଳ ଓ ରାଧାକୃଷ୍ଣ ଠାକୁରମାନଙ୍କର ‘ମେଳନ’ ହେବାର ଆମ ଦେଶରେ ନୂଆ କଥା ନୁହେଁ । ‘ଯଥା ଦେହେ ତଥା ଦେବେ’ ଏହି ପ୍ରବାଦ ଅନୁସାରେ ମନୁଷ୍ୟମାନେ ମଧ୍ୟ ଗୋଟିଏ ଗୋଟିଏ ଠାକୁର । ଠାକୁର ମେଳନ ପରି ମନୁଷ୍ୟ ମେଳନ ମଧ୍ୟ ଆମୋଦ ଆହ୍ଲାଦର ସ୍ଥଳ । ସମଗ୍ର ଭାରତରେ ଏହି ଛୁଟିରେ କେଉଁଠାରେ ପ୍ରାଦେଶିକ ସମିତି (Provincial Conference) କେଉଁଠାରେ ଜାତୀୟ ସମିତି (National association), କେଉଁଠାରେ ବ୍ୟବସାୟିକ ସମିତି ଓ ପ୍ରଦର୍ଶନୀ (Industrial Conference and Exhibition) ସବୁ ହୋଇଗଲା । ଆମ ଓଡ଼ିଶା ଭାରତୀୟ ଅନ୍ୟ କୌଣସି ଦେଶ ଅପେକ୍ଷା ମାନରେ, ମହତ୍ତ୍ୱରେ, ମର୍ଯ୍ୟାଦାରେ କମ୍‍ ନୁହେଁ । ଅତଏବ ଓଡ଼ିଶାର କେନ୍ଦ୍ର କଟକଠାରେ କେତେଗୁଡ଼ିଏ ମେଳନ (Conference) ହେବା ସ୍ୱାଭାବିକ ଓ ଆଇନସଙ୍ଗତ । ଏହା ନ ହୋଇଥିଲେ ବରଂଚ ଆମ ଉତ୍କଳୀୟ ଜାତିର ନିର୍ଜୀବତା ପଦାରେ ପଡ଼ିଥାନ୍ତା । ଏହିସବୁ ଜାତୀୟ ଅନୁଷ୍ଠାନରେ ଯେଉଁ ଯେଉଁ ଅଭିନୟମାନ ହେଲା, ତାହା ବାହାରରୁ ଦେଖଣାହାରୀ ସ୍ୱରୂପ କଳନା କରିବା ସହଜ ନୁହେଁ । କାରଣ ସରକାରୀ ଛୁଟିଦିନ ମାନଙ୍କରେ ମୁଁ ଗେର୍ଦ ଓଡ଼ିଶା ଜିଲ୍ଲେ କଟକ । ପ୍ର । କୋଦଣ୍ଡା ତାଲୁକେ ରଘୁନାଥପୁରଠାରେ ମୋର (Domestic Conference) ଗାର୍ହସ୍ଥ୍ୟ ସମ୍ମିଳନୀରେ ଯୋଗ ଦେବାର ସୁବିଧା ପାଇଥାଏଁ । ବିଶେଷତଃ ଦୋଳ ସମୟରେ ଆମ ଗ୍ରାମରେ ଠାକୁର ଦୋଳ ବେଦିରେ ବିଜେ କରନ୍ତି, ଗାଁରେ ଘର ଘର ବୁଲି ଭୋଗ ଖାନ୍ତି । ଗ୍ରାମର ଠାକୁର ମେଳନରେ ଯୋଗ ଦିଅନ୍ତି ଓ ଫଗୁ ଖେଳନ୍ତି । ଏହି ଦୋଳ ସମୟରେ ମଧ୍ୟ ପ୍ରତ୍ୟେକ ଗୃହସ୍ଥ ଆପଣାର ଗୃହସ୍ଥ ନିମନ୍ତେ ଚାକର, କୋଠିଆ, ଗୋରୁ ଜଗୁଆଳ ବନ୍ଦୋବସ୍ତ କରନ୍ତି । ଗ୍ରାମର ସେବାକାରୀ ଭଣ୍ଡାରି, କମାର, କୁମ୍ଭାର, ଧୋବା ଆଦିଙ୍କୁ ଯାତ୍ରା ଖରଚ ଦେଇ ଆଗାମୀ ବର୍ଷକ ନିମନ୍ତେ ଗାର୍ହସ୍ଥ୍ୟ ଯନ୍ତ୍ର (Domestic machine) ରେ ତେଲ ଦିଅନ୍ତି; ଆଗାମୀ ବର୍ଷ ନିମନ୍ତେ ଘର ଛାଆଣି, ଆଗାମୀ ଫସଲ ନିମନ୍ତେ ଚାଷ, ଆଗାମୀ ବର୍ଷ ନିମନ୍ତେ ଧାନ୍ୟ ସଞ୍ଚୟ, ଆଗାମୀ ବର୍ଷ ନିମନ୍ତେ ଲୁଗାପଟାର ବ୍ୟବସ୍ଥା କରନ୍ତି । ଏସବୁ ଯାହାଙ୍କୁ କରିବାକୁ ନ ପଡ଼େ, ସେମାନେ ଭାଗ୍ୟବାନ୍‌ । ପରନ୍ତୁ ଯେ ଏସବୁ କାମର ବ୍ୟବସ୍ଥା କରିପାରି ସାଧାରଣ କାର୍ଯ୍ୟ ଓ ସଭାସମିତିରେ ଯୋଗ ଦେଇପାରନ୍ତି, ସେମାନେ ଆହୁରି ଭାଗ୍ୟବାନ୍‌ । କିନ୍ତୁ ‘ଏସବୁ ଘରୋଇ କାର୍ଯ୍ୟ ଯୋଗୁଁ ମୁଁ ସଭା ସମିତିରେ ଯୋଗ ଦେବାକୁ ଅକ୍ଷମ’ ଏକଥା କହିଲେ ଲୋକେ ମତେ ନିତାନ୍ତ ସ୍ୱାର୍ଥାନ୍ଧ ବୋଲି କହିବେ– ଏଥିଲାଗି ଆଧୁନିକ ସଭ୍ୟତା କାଏଦା ଅନୁସାରେ ‘ଘରଧନ୍ଦା’ କଥା ଗୋପନ ରଖି ଅନ୍ୟ ଗୋଟିଏ Excuse (ବାହାନା) ଆଶ୍ରୟ ନେବା କାଏଦା ସଙ୍ଗତ ।

 

ଗତ (୧୯୧୮ ମାର୍ଚ୍ଚ) ଦୋଳ ଓ ଗୁଡ଼ଫ୍ରାଇଡ଼େ ଛୁଟିରେ କଟକଠାରେ Utkal Union Conference, All Orissa Bengalee Settlers’ Conference, All Orissa Students’ Conference, ଆଦିକାଣ୍ଡ ଏଜନ ଅନ୍ତକାଣ୍ଡ Orissa Domiciled Bengalees’ Arbitration Conference ଏହିପରି କେତେଗୁଡ଼ିଏ ସଭାସମିତିର ଅଧିବେଶନ ହୋଇ ଯାଇଅଛି । ଏଗୁଡ଼ିକରୁ ଓଡ଼ିଶାରେ ବଡ଼ବଡ଼ୁଆ ଲଗାଏତ ଟୋକାଟାକରିଆମାନଙ୍କ ମଧ୍ୟରେ ଜୀବନ ଥିବାର ସ୍ପଷ୍ଟ ପ୍ରମାଣିତ ହୋଇଅଛି । ଅଳ୍ପ ବହୁତ ଆମ ସମସ୍ତଙ୍କର ଜୀବନ ଅଛି । ଯେଉଁ ହଡ଼ା ବୁଢ଼ା କଙ୍କାଳବିଶିଷ୍ଟ ଘୋଡ଼ା ପିଠିରେ କୋରଡ଼ା ମାଡ଼ ଖାଇ ବଗି ଟାଣେ, ତାହାର ଜୀବନ ଅଛି, ଆଉ ଯେଉଁ ଲୋକ କୋରଡ଼ା ମାଡ଼ ଦେଇ ସେ ଘୋଡ଼ାକୁ ହଙ୍କାଏ, ତାହାର ମଧ୍ୟ ଜୀବନ ଅଛି, ଗାଡ଼ି ଚାଲିଲାବେଳେ ଘୋଡ଼ାର ଜୀବନୀଶକ୍ତି ଓ କୋଚମାନର ଜୀବନୀଶକ୍ତିର ସମ୍ମିଳିତ ବଳର କାର୍ଯ୍ୟ ସଂସାର ଦେଖୁଥାଏ । ଯେଉଁ ଜୀବନୀଶକ୍ତି ବଳରେ ସବଳ ଦୁର୍ବଳକୁ ଗ୍ରାସ କରିବାକୁ ଦଉଡ଼େ, ସେହି ଜୀବନୀଶକ୍ତି ବଳରେ ଦୁର୍ବଳ ସବଳର ଗ୍ରାସରୁ ଆତ୍ମରକ୍ଷା ନିମନ୍ତେ ସବଳଠାରୁ ଦୂରକୁ ପଳାଇଯାଏ । ଯେଉଁ ଶକ୍ତି କ୍ରୀତଦାସ ପିଠିରେ ଚାବୁକ ବସାଇ ତାକୁ ଦିନରାତି ଘଣା ପେଲାରେ ଲଗାଏ, ସେହି ଶକ୍ତି ପୁଣି କ୍ରୀତଦାସଠାରେ ପ୍ରବିଷ୍ଟ ହୋଇ ସେ ମାଡ଼ ଓ ଭିଡ଼ ସମ୍ଭାଳିବାକୁ ତାକୁ ବଳ ଦିଏ । ଏଥିରୁ ଆମ୍ଭେମାନେ ଦେଖିପାରୁ ଅଛୁଁ ଯେ, ଏକ ଶକ୍ତି ଭିନ୍ନ ଭିନ୍ନ ଦେହ ଓ କ୍ଷେତ୍ରରେ ପ୍ରବେଶ କରି ଭିନ୍ନ ଭିନ୍ନ ଅବତାର ଗ୍ରହଣ କରୁଅଛି । ଭଗବାନ ଗୀତା (୧୦ମ ଅଧ୍ୟାୟ) ରେ କହିଅଛନ୍ତି ‘ଦ୍ୟୁତଂ’ ଛଳୟତାମସ୍ମି ତେଜସ୍ତେଜସ୍ୱିନାମହଂ । ଦଣ୍ଡୋ ଦମୟିତାମସ୍ମି ନୀତରସ୍ମି ଦିଗୀଷତାଂ ।’ ଏଣେ ମଧ୍ୟ ଚଣ୍ଡୀରେ ଭକ୍ତ ଦୈବୀ ସଂହାରିଣୀ ଶକ୍ତିକୁ ସ୍ତବ କରୁଅଛି, ‘ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ । ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା-।’ ଏଥିରୁ ଆମ୍ଭେମାନେ ଦେଖିପାରୁଥାଇଁ ଯେ, ଏକ ଶକ୍ତି ଭିନ୍ନ ଭିନ୍ନ ଆକାର ଓ ଅବତାର ଗ୍ରହଣ କରି ଏ ଜଗତରେ ସୃଷ୍ଟି ପୃଷ୍ଟି ନଷ୍ଟ ସମ୍ପାଦନ କରୁଅଛି । ଆଧୁନିକ ପାଶ୍ଚାତ୍ୟ ଜଗତର ବୈଜ୍ଞାନିକ ଶକ୍ତି ସଂହାରକ ରୂପରେ ପ୍ରତିଦିନ ନାନା ବୈଜ୍ଞାନିକ କୌଶଳ ଓ କଳଦ୍ୱାରା ସହସ୍ର ସହସ୍ର ଜୀବଙ୍କୁ ହତାହତ କରୁଅଛି । ପୁଣି ସେହି ଶକ୍ତି ରକ୍ଷକ ଓ ସେବକ ରୂପରେ ଆହତ ପ୍ରାଣୀଙ୍କ ପ୍ରାଣରେ ମୃତସଞ୍ଜୀବନୀ ସୁଧା ଢାଳୁଅଛି । ସେହି ଶକ୍ତି ସଂଯତ ହେଲେ ତହିଁର କରାମତରେ ରେଳ, ଜାହାଜ, ଅଗ୍ନିବୋଟ ନିଜ ନିଜ ପଥରୁ ସୂତାଏ ଏଣେ ତେଣେ ଟପି ଦିନରାତି ମନୁଷ୍ୟର ସେବାରେ ଲାଗିଛି । ଫେର ସେହି ଶକ୍ତିର ବାଗ ହାତରୁ ଖସିଗଲେ ଓ ତାହା ଅସଂଯତ ହେଲେ କ୍ଷଣକେ ଶତ ଶତ ପ୍ରାଣୀଙ୍କି ଡହଳ ବିକଳ କରି ପକାଉଅଛି ।

 

ମୁଁ କହୁଥିଲି ଯେ, ଗତ ଦୋଳ ଛୁଟିରେ କଟକରେ ଯେଉଁ ସବୁ ସଭା, ସମିତି, ସମ୍ମିଳନୀ ଆଦିର ଅଭିନୟ ହୋଇଥିଲା, ସେଥିରୁ ଆମ ଦିହରେ ଜୀବନୀଶକ୍ତି ଥିବାର ଅନୁଭବ କରାଗଲା । କିନ୍ତୁ ସେ ଜୀବନୀଶକ୍ତିର ଲକ୍ଷ୍ୟ, ଗତି, ପ୍ରକାର ଓ କ୍ରିୟା କଣ, ତାହା ଥରେ ଅନୁସନ୍ଧାନ କରି ଦେଖିବା ଉଚିତ ଯେ, ସେ ଶକ୍ତି ରାକ୍ଷସୀ ଶକ୍ତି କି ଦୈବୀ ଶକ୍ତି ? ପାଶବ କି ଆଧ୍ୟାତ୍ମିକ ? ସ୍ୱାର୍ଥପୂର୍ଣ୍ଣ କି ନିଃସ୍ୱାର୍ଥ, ମାୟାବୀ କି ସରଳ ?

 

ସେହି ଜୀବନୀଶକ୍ତି ଅଶୀବର୍ଷର ଅସ୍ଥିକଙ୍କାଳବିଶିଷ୍ଟ ବୃଦ୍ଧ ଦେହରେ ପ୍ରବେଶ କରି ତାଙ୍କୁ ଯୁବକଜନୋଚିତ ତେଜରେ ବଳୀୟାନ କରିଦେଲା । ସେହି ଶକ୍ତି ଓଢ଼ଣାନସିନ ସ୍ତ୍ରୀଲୋକଙ୍କ ମହଲରେ ପ୍ରବେଶ କରି ତାଙ୍କୁ ଆଣି ସମ୍ମିଳନୀ ମଣ୍ଡପରେ ପରଦା ଭିତରେ ଓ ପରଦା ବାହାରେ ଠିଆ କରାଇ ହେଲା, ସେହି ଶକ୍ତି ଲୋକନାୟକ ଦେଶସେବକଙ୍କଠାରେ ଆବିର୍ଭୂତ ହୋଇ ସେମାନଙ୍କୁ ମାତୃପୂଜା ମଣ୍ଡପରେ ‘ବୃକ୍ଷସ୍ୟ ବୃକ୍ଷଣଂ’ ସ୍ପର୍ଶ କରାଇ ଦେଇ ଗୋପଲୀଳା ସୁଆଙ୍ଗର ସୂତ୍ରଧର କରାଇ ଦେଲା । ସେହି ଶକ୍ତି କଚୁଆନ, ସହିସ, ଘାସି, ମେହେନ୍ତର, ପାଣ, ହାଡ଼ି, ଡମ, ଚମାରଙ୍କୁ ସାମାଜିକ ରସାତଳକୁ ଝିଙ୍କି ଆଣି ସମ୍ମିଳନୀ ମଣ୍ଡପରେ ସମାଜର ଶୀର୍ଷସ୍ଥାନୀୟ ଜାତ୍ୟଭିମାନୀ ବ୍ରାହ୍ମଣ କରଣଙ୍କ ସଙ୍ଗେ ବାଉଁଶପଟି ଉପରେ ବସାଇ ହେଲା । ସେହି ଶକ୍ତି ଆମ ଦେଶର କପାଚାଷ, ଜଗନ୍ନାଥ ମନ୍ଦିରର ଜୀର୍ଣ୍ଣସଂସ୍କାର, ଦେଶୀୟ ତନ୍ତ ପ୍ରତିଷ୍ଟା, ଓଡ଼ିଶାର ଲୁଣ ଆମଦାନି ଆଦି ସମ୍ୱନ୍ଧରେ ମହତୋମହୀୟାନ୍‌ ଆଡ଼ମ୍ୱରପୂର୍ଣ୍ଣ ପ୍ରସ୍ତାବମାନ ଓଡ଼ିଆ ଜାତିଙ୍କ ଦ୍ୱାରା ସମର୍ଥିତ, ଅନୁମୋଦିତ ଓ ‘କରତାଳିତ’ କରାଇ ଦେଲା । ସେହି ଶକ୍ତି କୋଟି ସନ୍ତାନଙ୍କ କପୋଳକଳ୍ପିତ ପ୍ରତିନିଧିମାନଙ୍କର ଦୈନନ୍ଦିନ ଲୁଣ ମାଲପା ଖରଚର ଉପାୟ ଉଦ୍ଭାବନ କରି ମାତୃପୂଜା ମଣ୍ଡପରେ ଗୋଟିଏ ଜାତୀୟ ପାଣ୍ଠିର ଲୁହା ସିନ୍ଦୁକ ପ୍ରତିଷ୍ଠିତ କରାଇ ଦେଲା । ଏପରିକି, ସେହି ଜୀବନୀଶକ୍ତି ମୋହନ-ମନ୍ତ୍ର ଫୁଙ୍କି ଦେବାରୁ ‘‘ଭୂମିକମ୍ପ ହେବ ଧରଣୀ ଫାଟିବ ଉଠିବେ ସହସ୍ରଭୁଜା’’ ର ଇସ୍ତିହାର ଜାରି କରିଦେଲା । ସେହି ଶକ୍ତି ସେହି ସହସ୍ର ଭୁଜାଙ୍କୁ ପ୍ରଥମ ପଦରେ ‘ମାତା’ କରି ଦେଇ ପର ପଦରେ ଲିଙ୍ଗ ଭେଦ ବର୍ଜନ କରି ତାଙ୍କୁ ‘ଭ୍ରାତା ଅବତାରରେ ଦେଖାଇ ଦେଲା । ସେହି ଶକ୍ତି କୃଷକର ସ୍ୱେଦ ପ୍ରସୂତ ଫସଲକୁ (ସୁନା) ଅସରଫିରେ ପରିବର୍ତ୍ତିତ କରି ବିଲଠାରୁ ରାଜକୋଷ ପର୍ଯ୍ୟନ୍ତ ଗୋଟିଏ ହାଇଲେଭଲ କେନାଲ ଖୋଳିଦେଇ ସେଥିରେ ସମସ୍ତଙ୍କୁ ଭସାଇ ନେଲା । ସେହି ଶକ୍ତି ରାଜନୈତିକ ଓ ଧର୍ମସମ୍ୱନ୍ଧୀୟ ଆନ୍ଦୋଳନ ବିବର୍ଜିତ ସାବକ ନାବାଲଗ ଉତ୍କଳ-ସମ୍ମିଳନୀକୁ ଆଣି ରାଜନୈତିକ ଦେଶ ମିଶ୍ରଣ-ଲୁଣ ପୋକ୍ତାନି ନିଷ୍କ୍ରିୟ ପ୍ରତିରୋଧରେ (Passive resistance) ପହଞ୍ଚାଇ ଦେଲା । ସେହି ଶକ୍ତି ହିନ୍ଦୁଙ୍କ ନିଜସ୍ୱ ଧର୍ମାନୁଗତ ଜଗନ୍ନାଥ ମନ୍ଦିରକୁ କଲିଚୁନ ଦ୍ୱାରା ସଫେଦ କରାଇ ଦେଲା । ଉତ୍କଳ-ସମ୍ମିଳନୀର ଜୀବନ-ନାଟିକା-କମିଟିକୁ ଜନୈକ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ଉଠିଯିବାର ପ୍ରସ୍ତାବ ହେବାମାତ୍ରକେ ସେହି ଶକ୍ତି ଗୋଟିଏ Village peasant ର (ମଫସଲିଆ ଚଷା) ବକ୍ଷରେ ବିରାଜମାନ ହୋଇ ଏ ପ୍ରସ୍ତାବକୁ inmediately (ଖଡ଼େଦମ opposed) (ବ୍ୟର୍ଥ) କରାଇ ଦେଲା । ଏସବୁ ସ୍ୱ ଚକ୍ଷୁରେ ଦେଖି ସେହି ଶକ୍ତିର କରାମତ ଅନୁଭବ କରିବା ଭଳି ଭାଗ୍ୟ ଯେଉଁମାନଙ୍କର ନାହିଁ, ମୁଁ ତହିଁ ମଧ୍ୟରୁ ଜଣେ । କିନ୍ତୁ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ଯେ ତୀର୍ଥକୁ ଯାଇ ନ ପାରେ, ସେ ଘରେ ବସି ତୀର୍ଥୋଦକକ ଆଣି ମୁଣ୍ଡରେ ଛିଞ୍ଚି ହୋଇ ତୀର୍ଥଯାତ୍ରୀଙ୍କ ସମାନ ଫଳ ଲାଭ କରେ । ମୁଁ ସେହିପରି ଘରେ ବସି ମୋ ଭାଇ, ଭାୟା, ପୁତୁରା, ନାତି ଓଗେର ଯେଉଁମାନେ କି ସେ ତୀର୍ଥ ମାଡ଼ ଆପଣାକୁ ଧନ୍ୟ କରିଅଛନ୍ତି, ସେମାନଙ୍କଠାରୁ ଏଥର ହାଲଚାଲ ଶୁଣି ଏଥିର କରାମତ ଉପଲବ୍‌ଧ କରି ଆପଣାକୁ ଧନ୍ୟ ମଣିଲେ ଓ ଶେଷରେ ସେହି ‘ଶକ୍ତି’କୁ ଆରାଧନା କରି ଗୀତାର ୧୦ମ ଅଧ୍ୟାୟର ‘ଯଚ୍ଚାପି ସର୍ବଭୂତନଂ ବୀଜଂ ତଦହ ମର୍ଜ୍ଜୁନ ! ନ ତଦସ୍ତି ବିନା ଯତସ୍ୟାନ୍ମୟା ଭୂତଂ ଚରାଚରଂ । ଅଥବା ବହୁ ନୈତେନ କି ଜ୍ଞାତେନ ତବାର୍ଜ୍ଜୁନ । ବିଷ୍ଟଭ୍ୟାହମିଦଂ କୃତସ୍ନ ମେକାଂ ଶେନ ସ୍ଥିତୋ ଜଗତ୍‌ ।’ ସ୍ତବ ପାଠ ଦ୍ୱାରା ମୋର ବାସନା ପୂର୍ଣ୍ଣ କଲି ।

 

ଯେଉଁ ଶକ୍ତିର କରାମତି ଏଡ଼େ, ଯେଉଁ ଶକ୍ତି ଏପରି ଅସାଧ୍ୟ ସାଧନ କରିପାରେ, ଏପରି ଅକଥ୍ୟ କଥନ କରିପାରେ, ଏପରି ଅଭାବନୀୟ ଭାବନା କରିପାରେ, ସେହି ମାୟାବିନୀ ଶକ୍ତିକୁ ମୋର ଓ ସମଗ୍ର ଜାତିର ତ୍ରିକାଳ ସନ୍ଧ୍ୟାରେ ସାଷ୍ଟାଙ୍ଗ ନମସ୍କାର ।

 

ଆମେ ପିଲାଦିନରୁ ପାଠ ପଢ଼ି ଆସିଲେଇଁ, ‘ଧର୍ମର ଜୟ, ସତ୍ୟର ଜୟ, ପାଶବ ବଳର ପରାଜୟ ।’ କିନ୍ତୁ ବର୍ତ୍ତମାନ୍‌ ଜର୍ମାନୀ ଘୋଷଣା କରୁଅଛି, ‘ଅଧର୍ମର ଜୟ, ଅସତ୍ୟର ଜୟ, ପାଶବ ବଳର ଜୟ ।’ ଏହି କନ୍ଦଳରେ ସମଗ୍ର ସଭ୍ୟ ଜଗତ୍‌ ନିଜ ନିଜର ସାମର୍ଥ୍ୟ ଓ ସ୍ୱାର୍ଥକୁ ବଳି ଦେଇ ଧର୍ମର ଜୟ, ସତ୍ୟର ଜୟ ନିମନ୍ତେ ପ୍ରାଣ ସମ୍ପିଦେଇ ଅଛନ୍ତି । ଆମ ସମସ୍ତଙ୍କ ମନରେ ଏହି ଦମ୍ଭ ଅଛି ଯେ, ଭଗବାନ ଧର୍ମର ସୃଷ୍ଟି କରି, ସମସ୍ତଙ୍କ ଧର୍ମରେ ଆତଯାତ କରି ଶେଷରେ ଅଧର୍ମ, ଅସତ୍ୟକୁ କଦାପି ବିଜୟୀ କରାଇ ଦେବେ ନାହିଁ । ଜର୍ମାନୀର ବଳଦୃପ୍ତ ସେନା ଓ ସେନାପତିମାନେ ପାଶବ ବଳ ଦ୍ୱାରା ଲକ୍ଷ ଲକ୍ଷ ନିରୀହ ପ୍ରାଣୀଙ୍କୁ ହତ୍ୟା କରୁଅଛନ୍ତି, ଶତ ଶତ ନଗର ଧ୍ୱଂସ କରୁଅଛନ୍ତି, ସହସ୍ର ସହସ୍ର କୀର୍ତ୍ତି ଲୋପ କରୁଅଛନ୍ତି । ସେହି ପାଶବ-ବଳ-ଦୃପ୍ତ ଜର୍ମାନୀ ସେନା-ନିୟାମିକା ଶକ୍ତି ବିବେକ ଓ ଅନ୍ତର୍ଜାତୀୟ ବିଧି ବିଧାନକୁ ପ୍ରତି ମୁହୂର୍ତ୍ତରେ ପଦଦଳିତ କରୁଅଛି । ଏହି ବିଶ୍ୱବ୍ୟାପୀ ମହାସମରରେ ରାକ୍ଷସୀ ଶକ୍ତି ଓ ଦୈବୀଶକ୍ତି ମଧ୍ୟରେ କନ୍ଦଳ ଲାଗିଅଛି– ଭଗବାନଙ୍କ ରାଜ୍ୟରେ ସତ୍ୟର ଜୟ ନିଶ୍ଚୟ ହେବ, ଧର୍ମର ଜୟ ନିଶ୍ଚୟ ହେବ, ଅଧର୍ମର ଜୟ ନିଶ୍ଚୟ ହେବ । କିନ୍ତୁ ଅଧର୍ମ କ୍ଷଣକାଳ ଲାଗି ଚେଇଁଉଠି ଜଗତକୁ ବ୍ୟତିବ୍ୟସ୍ତ କରୁଅଛି ମାତ୍ର ! ଅପରନ୍ତୁ ଦେଖିବାକୁ ଗଲେ ଏ କନ୍ଦଳରେ ସତ୍ୟ ଓ ଧର୍ମ ବିଷମ ଅଗ୍ନି ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବା ପରେ ଜଗତରେ ଧର୍ମର ଗାରିମା ଓ ସତ୍ୟର ଗାରିମା ବଢ଼ିବ । ରାବଣ ‘ସୀତାଙ୍କୁ ହରଣ କରି ପାଶବ ବଳ ଦ୍ୱାରା ରାମଚନ୍ଦ୍ରଙ୍କୁ ଦିନାକେତେ ତ୍ରସ୍ତ ବ୍ୟସ୍ତ କରି ପକାଇଲା । କିନ୍ତୁ ଶେଷରେ ଦୈବୀଶକ୍ତିର ଜୟ, ପାଶବ ଶକ୍ତିର ପରାଜୟ ହେଲା । ଏହାହିଁ ସଂସାରର ନିୟମ । ଏହାହିଁ ବିଶ୍ୱନିୟନ୍ତାଙ୍କ ସୃଷ୍ଟିର ଉଦ୍ଦେଶ୍ୟ । ବର୍ତ୍ତମାନ ଜର୍ମାନୀ ରାକ୍ଷସୀ ଶକ୍ତିର ଉପାସନା କରୁଅଛି– ଆମର ମିତ୍ରପକ୍ଷମାନେ ଦୈବୀଶକ୍ତିର ଆରାଧନା କରୁଅଛନ୍ତି । ବର୍ତ୍ତମାନ ଓଡ଼ିଶାର ଯେଉଁ ଶକ୍ତି ଆମ୍ଭମାନଙ୍କ ରଙ୍ଗଭୂମିରେ ନଚାଉ ଅଛନ୍ତି, ସେ କେଉଁ ଶକ୍ତି ? ଦୈବ୍ୟ ଶକ୍ତି ? ନା ରାକ୍ଷସୀ ଶକ୍ତି ? ସେ ଶକ୍ତିଙ୍କୁ ଶତଶ୍ୟ ନମସ୍କାର ।

 

ଏ ଗଲା ଓଡ଼ିଶାର ମହତୋମହୀୟସୀ ସୂତ୍ରଧାରିଣୀ ‘ଶକ୍ତିଙ୍କ’ର ଆବାହନ । ଏହାପରେ ଶକ୍ତିପୂଜା ଓ ଉପକ୍ରମଣିକା । ସବୁ ବଡ଼ ବଡ଼ୁଆ ଭାଇମାନଙ୍କୁ ମୁଁ ବିନୀତ ଭାବରେ ପଚାରୁଛି ଯେ, ସେମାନେ ଆଜିକି ୧୪ ବର୍ଷ ହେଲା ଆମର ଏ ଉତ୍କଳ ସମ୍ମିଳନୀରେ ଯୋଗ ଦେଉଅଛନ୍ତି, ଏଥିଲାଗି ଅନେକ ସ୍ୱାର୍ଥତ୍ୟାଗ, ବକ୍ତୃତା, ପ୍ରଚାର, ଆୟ ବ୍ୟୟ, ବୃକ୍ଷ-ବୃଷଣ-ସ୍ପର୍ଶନ, ଶବ-ସମିତି-ଗଠନ ଓ ଜାତୀୟ ପାଣ୍ଠି ସର୍ଜନ ହୋଇ ଆସୁଅଛି– କିନ୍ତୁ ଯେଉଁ ଶକ୍ତି ଅନ୍ତରାଳରେ ଥାଇ ଏସବୁ କସରତ୍‌ ବର୍ଷକେ ଥରେ ସମ୍ମିଳନୀ ମଣ୍ଡପରେ ଦେଖାଇ ଆସୁଅଛି ଓ ସମସ୍ତଙ୍କୁ ଗାଇ ବାଇ ନଚାଇ ଶିଖାଉଅଛି, ସେ କି ଶକ୍ତି ? ବର୍ଷକଯାକ କୃଷକ ତା ବିଲବାଡ଼ି ଧନ୍ଦାରେ ଲାଗିଛି, ମୂଲିଆ ମିସ୍ତ୍ରୀ ତା ଫନ୍ଦାରେ ଲାଗିଛି, ସଇସ ଘୋଡ଼ା କାମରେ ଲାଗିଛି, ମେହେନ୍ତର ଝାଡ଼ୁ ବରଦାରିରେ ଲାଗିଛି, କୀର୍ତ୍ତନମଣ୍ଡଳୀ ଖୋଳ କରତାଳରେ ଲାଗିଛନ୍ତି । ସମ୍ମିଳନୀର ଅଧିବେଶନର ଓଳିକ ପୂର୍ବରୁ ସମ୍ମିଳନୀ ଚାଳକ ଶକ୍ତମାନେ ପ୍ରଚାର ଓ ନିମନ୍ତ୍ରଣରେ ଲାଗିଯାଇ କୁହୁକ ଦେଖାଇ କାହାକୁ ଖୋଳ ପୂଜା ନିମନ୍ତେ ଆଠଅଣା ପଇସା ଦେଇ ବା ଦେବାର ଆଶା ଦେଇ ସମସ୍ତଙ୍କୁ ଆଣି ସମ୍ମିଳନୀ ମଣ୍ଡପରେ ରୁଣ୍ଡ କରାଇ ଦେଉଅଛନ୍ତି ଓ ବହିର୍ଜଗତକୁ ଦେଖାଉ ଅଛନ୍ତି ଯେ, ଓଡ଼ିଶାର untouchable class (ଅସ୍ପୃଶ୍ୟ ସମ୍ପ୍ରଦାୟ), mass (ପାମରସାଧାରଣ) ଓ meanest peasant (ନୀଚତମ କୃଷକ) ସମ୍ମଳନୀର ବୀଜମନ୍ତ୍ର ଗ୍ରହଣ କରି ସାରିଲେଣି । ଏହା କୁହୁକ ଓ ଗୋପଲୀଳା ସୁଆଙ୍ଗ ନୁହେଁ ତ ଆଉ କଣ ? ଆଜିଯାକେ ସମ୍ମିଳନୀ ପାଇଁ କେତେ ଚାନ୍ଦା ଉଠିଲା, କେତେ ବ୍ୟୟ ହେଲା, ସମ୍ମିଳନୀ ପ୍ରଭାବରୁ ଦେଶରେ ଦେଶରେ କି ସ୍ଥାୟୀ ଅନୁଷ୍ଠାନ ହେଲା, ସମ୍ମିଳନୀ କେଉଁ ନିୟମରେ ପରିଚାଳିତ, ଏସବୁ କେହି ଠିକ୍‌ କରି କହି ପାରିବେ କି ?

 

ଶ୍ରୀଯୁକ୍ତ ଗଣେଶଲାଲ ପଣ୍ଡିତ, ଶ୍ରୀଯୁକ୍ତ ଚନ୍ଦୁଲାଲ, ଶ୍ରୀଯୁକ୍ତ ରାଧାପ୍ରସାଦ ଭଗତ, ଶ୍ରୀଯୁକ୍ତ ଏରା ଆନେୟା, ଶ୍ରୀଯୁକ୍ତ ଆକାଶି ସୋମ ଶେଖରଂ ଏମାନେ ହେଲେ ଉତ୍କଳୀୟ ଅର୍ଥାତ୍‌ ସମ୍ମିଳନୀର ମେମ୍ୱର; କିନ୍ତୁ ଶ୍ରୀଯୁକ୍ତ ଯୋଗେନ୍ଦ୍ରନାଥ ବୋଷ ଉତ୍କଳୀୟ ହୋଇ ପାରିବେ ନାହିଁ । ଯୋଗେନ ବାବୁଙ୍କର ଓଡ଼ିଶା ଛଡ଼ା ଅନ୍ୟତ୍ର ଭିଟା ଅଛି । କିନ୍ତୁ ପୂର୍ବୋକ୍ତ ମେମ୍ୱରମାନଙ୍କର ମଧ୍ୟ ସ୍ୱଦେଶରେ ଭିଟା ଅଛି । ଯୋଗେନ ବାବୁଙ୍କୁ ଉତ୍କଳ ସମ୍ପ୍ରଦାୟରେ ପ୍ରବେଶାଧିକାର ନିଷେଧ ହେଲା-। ଚନ୍ଦୁଲାଲ ସେଥିରେ ଉଚ୍ଚାଟନ ପାଇଲେ । ଏଥି କାରଣ ଆପଣମାନେ କିଛି ସ୍ଥିର କରିଅଛନ୍ତି କି-? କାଲି ରାଜନୈତିକ ଆନ୍ଦୋଳନ, ଧର୍ମଚର୍ଚ୍ଚା ଉତ୍କଳ ସମ୍ମିଳନୀରେ ସ୍ଥାନ ପାଇବ ନାହିଁ ବୋଲି ଘୋଷଣା ହୋଇଗଲା । ଫେର ଆଜି ଘୋଷଣା ହେଲା ଯେ, ସମ୍ମିଳନୀ ରାଜନୈତିକ ଚର୍ଚ୍ଚାରେ ଯୋଗ ଦେଇ ଦେଶ ମିଶ୍ରଣ, ଲୁଣ ପୋକ୍ତାନି, କଚେରି ଭାଷା ପ୍ରବର୍ତ୍ତନ ଆଦି ପ୍ରସ୍ତାବ କରିବେ ଓ ଜଗନ୍ନାଥ ମନ୍ଦିରର ଜୀର୍ଣ୍ଣ ସଂସ୍କାର ପାଇଁ ପାଣ୍ଠି ସ୍ଥାପନ କରିବେ । ଏ ସବୁ କରୁଛି କିଏ ଓ ହେଉଛି କିପରି ? କାଲି ସମ୍ମିଳନୀର ପରିଚାଳନ ନିମନ୍ତେ କେତେଗୁଡ଼ିଏ ନିୟମ ବିଧିବଦ୍ଧ ହେଲା-। କିନ୍ତୁ ଆଜି ଘୋଷଣା ହେଲା ଯେ, ନିୟମାଧୀନ ହୋଇ ଚଳିବା ସମ୍ମିଳନୀ ପକ୍ଷରେ କାପୁରୁଷତା । ବାହାରେ ଦେଖାଇଲା ବେଳକୁ ହେଲା ଯେ ସମ୍ମିଳନୀ ରାଜନୀତି ଚର୍ଚ୍ଚାର ସ୍ଥାନ ନୁହେଁ–ଏଥିରେ କାହାରି ଯୋଗ ଦେବାର ଆପତ୍ତି ନାହିଁ; କିନ୍ତୁ ସମ୍ମିଳନୀ ମଣ୍ଡପରେ ଢେଉ ଉଠିଲା ଯେ, ଗଭର୍ଣ୍ଣମେଣ୍ଟ ଆମ କଥା ନ ଶୁଣିଲେ ଆମେ ଉପବାସ ରହିବା ଓ Passive resistance ‘ଚୋରକୁ ମାନ କରି ଖପରାରେ ଖାଇବା’ ନୀତି ଅବଲମ୍ୱନ କରିବା । ସରକାରଙ୍କ ସଙ୍ଗେ ସବୁ ସମ୍ପର୍କ ଛିଣ୍ଡାଇ ଦେବା । ଏସବୁ କ୍ରିୟା କଳାପରେ ଓ ବାଚାଳତାରେ ସାମଞ୍ଜସ୍ୟ କାହିଁ-? ଆଜି ସମ୍ମିଳନୀ ମଣ୍ଡପରେ ‘The Oriya’ ସମ୍ୱାଦପତ୍ର ସମ୍ମିଳନୀର ମୁଖପତ୍ର (organ) ବୋଲି ଉଦ୍‌ଘୋଷିତ ହେଲା । ସମ୍ମିଳନୀ ଏହାର ନିତି (Policy) କେବେ ସ୍ଥିର କଲେ ? ଏହାର ଲେଖା ଉପରେ ସମ୍ମିଳନୀ କେଉଁ ଅଧିକାର (control) ଅଛି ? ଏହା ସୁପରିଚାଳିତ ଓ ସଂଯତ ହେବା ନିମନ୍ତେ ଦାୟୀ କିଏ ? ଏସବୁ କଥା ଆମ୍ଭେମାନେ ଦୃଢ଼ଭାବରେ ଭାବଅଛୁଁ କି ? ଜଣେ ସ୍ୱଜାତିବତ୍ସଳ ବ୍ୟକ୍ତି ଓଡ଼ିଆ ଖବରକାଗଜ ପରିଚାଳନ ପାଇଁ ଟ ୩୦୦୦.୦୦ ଦେବାର ପ୍ରସ୍ତାବ ସମ୍ମିଳନୀ ମଣ୍ଡପରେ ଉପସ୍ଥାପିତ ହେବା ମାତ୍ରକେ ଘନ ଘନ କରତାଳିରେ ସଭାମଣ୍ଡପ କମ୍ପି ଉଠିଲା । କିନ୍ତୁ ‘ଅମୁକ ଲୋକ ସମ୍ପାଦକ ନ ହେଲେ ମୁଁ ଏ ଟଙ୍କା ଦେବି ନାହିଁ, ଏହି Proviso (ସର୍ତ୍ତ) ମଧ୍ୟ ସେହି କରତାଳି ଧ୍ୱନିରେ ସମର୍ଥିତ ହୋଇଗଲା । ‘‘ଏ ସମ୍ବାଦପତ୍ରଟି ସମ୍ମିଳନୀ ଏତକ ସର୍ତ୍ତ ବିନା ପରିଚାଳନ କରିପାରିବେ’’ । ସମ୍ମିଳନୀର ଶକ୍ତି ଉପରେ ଯେଉଁ ଦାତାଙ୍କର ଏତକ ଆସ୍ଥା (confidence) ନାହିଁ, ସେ ସର୍ତ୍ତ ଉଲ୍ଲେଖ କରି ତାଙ୍କର ନିଜର ଜାତ୍ୟଭିମାନ ବଢ଼ାଇଲେ ନା ସମ୍ମିଳନୀର ଟେକ ବଢ଼ାଇଲେ ? ନା ‘ଓଡ଼ିଆ’ କାଗଜର ମହତ୍ତ୍ୱ ବଢ଼ାଇଲେ ? ନା ଉପସ୍ଥିତ ସମ୍ପାଦକଙ୍କର ଗାରିମା ବଢ଼ାଇଲେ ? ଏକଥା ଥରେ କେହି ଭାବୁଅଛନ୍ତି କି ? ଗୋଟିଏ central Council (କେନ୍ଦ୍ର ସଭା) ଗଠିତ ହେଲା, ସେଥିରେ କଟକରୁ ୧୫, ବାଲେଶ୍ୱରରୁ ୮, ପୁରୀରୁ ୮, ଗଞ୍ଜାମରୁ ୧୦, ସମ୍ୱଲପୁରରୁ ୫, ଗଡ଼ଜାତରୁ ୧୦ ଇତ୍ୟାଦି ଯେଉଁସବୁ ସଂଖ୍ୟା ଓ ଯେଉଁ ନାମ ସବୁ ଖଞ୍ଜା ହେଲା, ତାହା କେଉଁ ରୀତି, କେଉଁ ନିୟମ, କେଉଁ ବ୍ୟବସ୍ଥା ଓ କେଉଁ କଳ୍ପନା ଓ କେଉଁ ଗଣନା ଦ୍ୱାରା ସ୍ଥିରୀକୃତ ହେଲା ? ଏ କଥା ସବୁ କଟକଠାରେ ଖଡ଼େଦମ ଓଳିକ ମଧ୍ୟରେ ଠିକ୍‌ଠାକ୍‌ ମୀମାଂସା ହୋଇଗଲା । ଏ Council (ସମିତି) ହେଲା ଉତ୍କଳର ପ୍ରତିନିଧି ଓ ଉତ୍କଳର ଭାଗ୍ୟଚକ୍ର ନିୟାମକ !! ଏଥିପାଇଁ କହନ୍ତି– ‘ଖଜୁର ଗଛର କି ଗୁଣ ବର୍ଣ୍ଣିବି ? ମୂଳରୁ ପାହାଚ ପାହାଚ ।’ ସମ୍ମିଳନୀ ଜଣକର ବା ଜଣ କେତେକଙ୍କର ମନଗଢ଼ା ମେଢ଼ । ସେହି ଜଣକ ବା ଜଣ କେତେ ତାହାର ସୃଷ୍ଟି-ସ୍ଥିତି-ପ୍ରଳୟକର୍ତ୍ତା । ତୁମେ ଆମେ ସମସ୍ତେ କେବଳ ନାଟୁଆ, ହାଟୁଆ ଓ ବାଟୁଆ ମାତ୍ର । ଏହା ଯେଉଁପରି ଭାବରେ ପରିଚାଳିତ ହେଉଅଛି, ଏଥିରେ କେବଳ ବ୍ୟକ୍ତିଗତ ହାମ୍‌ବଡ଼ା ରୀତି (Self-aggran-disement), ବ୍ୟକ୍ତିଗତ ଖିଆଲ (Whims), ବ୍ୟକ୍ତିଗତ ଜିଦ୍‌(Personal zid), ବ୍ୟକ୍ତିଗତ ଅନୁଗ୍ରହ (favouritism), ବ୍ୟକ୍ତିଗତ ଦଳ ପ୍ରତିଷ୍ଠା ଓ ରାଜତ୍ୱ (Rule of a party-faclion) ବ୍ୟକ୍ତିଗତ ରିପୁଭାବ (Personal feelings of enmity), ବ୍ୟକ୍ତିଗତ ପ୍ରତିଷ୍ଠା କାଙ୍‌କ୍ଷା (Personal popularity), ବ୍ୟକ୍ତିଗତ ଗୋପଲୀଳା ସୁଆଙ୍ଗ (Personal wirepulling and manipulation) ବଢ଼ୁଅଛି । ଏହା ସମ୍ମିଳନୀର ଭକ୍ତ ଅଭକ୍ତ ସମସ୍ତେ ଗୋପନରେ ସ୍ୱୀକାର କରୁଅଛନ୍ତି, କିନ୍ତୁ ପଦାରେ ପ୍ରକାଶ କରିବାକୁ ସମସ୍ତେ କୁଣ୍ଠିତ । ଯେଉଁ ହୀନକର୍ମା ବ୍ୟକ୍ତି ଚାଳକ ବା ତାଙ୍କ ଦଳ ବା ତାଙ୍କ କାର୍ଯ୍ୟରୀତି ବିରୁଦ୍ଧରେ ପଦେ କଥା କହିବ ବା ସମ୍ମିଳନୀର କାର୍ଯ୍ୟକଳାପ ଓ ଚାଳକ-ରୀତିର ପ୍ରତିବାଦ କରିବ, ତାହା ନାମ ତିନି ପାଞ୍ଜିରୁ ପୋଛା ହେବ । ‘ସେ ଓଡ଼ିଆ ନୁହେଁ ।’ ତାକୁ ଏକଘରିକିଆ କରିବାକୁ ହେବ । ଯେଉଁ ବ୍ୟକ୍ତି କୌଣସି କଥାରେ ପ୍ରତିବାଦ କରିବାର ସମ୍ଭାବନା ଥିବ, ତାକୁ ସମ୍ମିଳନୀ ମଣ୍ଡପରେ ପାଟି ଫିଟାଇବାକୁ ଦିଆଯିବ ନାହିଁ । ତାହାର ଗୋଛି କଟାଯିବ । ଏ ସମ୍ମିଳନୀରେ ଯୋଗ ଦେଉଥିବା ଅପାମର ସାଧାରଣ ଅଧିକାଂଶ ବ୍ୟକ୍ତିଙ୍କୁ ପଚାର ‘‘କିହୋ କୁଆଡ଼େ ଆସିଥିଲ ?’’ ଏଥିର ଉତ୍ତର ପାଇବ, ‘‘ମଧୁବାବୁଙ୍କ ସଭାକୁ ଆସିଥିଲୁଁ– ମଧୁବାବୁ ବାରିଷ୍ଟର ଓ କନିକା ରାଜା ନିମନ୍ତ୍ରଣ ପତ୍ର ପଠାଇଥିଲେ, ଆସନ୍ତୁ ନାହିଁ କିପରି ?’’ ତାଙ୍କୁ ପଚାର, ‘‘କଣ ଦେଖିଲ’’– ଉତ୍ତର ‘‘ଖୁବ୍‌ ପାଟି, ଖୁବ ନାଟ, ଖୁବ ହାତତାଳି ଦେଖିଲୁ, ଅନେକ ରାଜା ମହାରାଜାଙ୍କୁ ଦେଖିଲୁଁ, କିନ୍ତୁ ଲୁଣ ଲୁଗା ତ ଶସ୍ତା ହେଲା ନାହିଁ ।’’

 

ଏ ତ ଗଲା ଆମର ସାଧାରଣଙ୍କ କଥା– ଆଚ୍ଛା, ମୁଁ ଆମ ଦେଶର ବଡ଼ବଡ଼ୁଆ-ପାମରମାନଙ୍କୁ ପଚାରୁଛି, ‘‘ବର୍ଷକୁ ଏତେ ଖର୍ଚ୍ଚାନ୍ତ ହୋଇ ବହୁ ଦୂରରୁ ଆସୁଛ, ଏ ୧୪ ବର୍ଷ ଭିତରେ କଣ ଧାରାବାହିକ କାର୍ଯ୍ୟ ହେଲାଣି ?’’ ଏଥିର ସନ୍ତୋଷଜନକ ଉତ୍ତର ନ ଦେବା ପର୍ଯ୍ୟନ୍ତ ‘ଯଥୈବାସ୍ତେ ତଥୈ ବାସ୍ତା’ ଅନ୍ୟ କଥା ଦୂରେ ଥାଉ, କେତେଦିନ ପୂର୍ବେ ଜଣେ ନଗଣ୍ୟ ଏକଘରିଆ ହତଭାଗାକୁ ଖୋଦ ମଧୁବାବୁ ପଚାରିଲେ, ‘‘କି ହୋ ! ତୁମେ ଏ ସମ୍ମିଳନୀରେ ଯୋଗ ଦେଉ ନ ଥିବା କଥା ସତ ?’’ ସେ ବ୍ୟକ୍ତି ଲିଖିତ ଜବାବ ଦାଖଲ କରି କହିଲା ଯେ, ‘‘ଏ ଗୋପଲୀଳା ସୁଆଙ୍ଗରେ, କେଳା କୁହୁକରେ, ଘର ସାହାବି ମାମଲତରେ ଯୋଗ ଦେବାକୁ ମୋ ମନ ହେଉ ନାହିଁ । ଏ ସବୁଥିରେ କେବଳ ଜଣକେତେ ସୂତ୍ରଧର, ତାଙ୍କର ଅଗ ମୂଳ କିଛି ନାହିଁ, ବ୍ୟକ୍ତି ବିଶେଷ ଯାହା କହିବେ, ତାହା ହିଁ ପାଠ, ତାଙ୍କର ପେଟ ଫୁଲାଇଲେ ସମ୍ମିଳନୀର ପେଟ ଫୁଲାଉଛି, ତାଙ୍କର ଖଇରିହାକୁଟି ହେଲା ବେଳକୁ ସମଗ୍ର ଜାତିର ଖଇରିହାକୁଟି ହେଉଛି । ସମଗ୍ର ଜାତିଟା ଯାକ ଏ ‘ହୋ’ରେ ମାତି ଅଛନ୍ତି, ମୋ ଭଳିଆ ଗୋଟାଏ ଅଧେ ଯୋଗ ନ ଦେଲେ ଯାଏ କେତେ ଆସେ କେତେ !’’ ଏ ଚିଠି ଖଣ୍ଡିକ ଯେତେ ଜଣ ସମ୍ମିଳନୀର ତଥା ଡାକ ନାମ ଭକ୍ତ ଦେଖିଲେ, ସମସ୍ତେ ରାବି ଉଠିଲେ, ‘‘ସତେ ତ ! ଭାଇରେ ! ଏ କଥା ଅକ୍ଷରେ ଅକ୍ଷରେ ସତ ! ସତକୁ ସତ ସମ୍ମିଳନୀଟା କେବଳ ଗୋଟାଏ ତାମସା ।’’ କିନ୍ତୁ ଆର ଓଳିକୁ ସେହି ନାମଜାଦା ପୁରୁଷମାନେ ବିନା ବାକ୍ୟବ୍ୟୟରେ ବ୍ୟକ୍ତିଗତ ସ୍ତବପାଠରେ ଯୋଗ ଦେଲେ । ଯେଉଁ ଜାତୀୟ ବୀରମାନେ ବିବେକର ତଣ୍ଟିକୁ ଏପରି ଚିପିଦେଇ ପାରନ୍ତି ଓ ଘଡ଼ିକୁ ଘଡ଼ି ବହୁରୂପା ଏଣ୍ଡୁଅ ଭଳିଆ କାୟା ବଦଳାଇ ପାରନ୍ତି, ସେମାନଙ୍କୁ କିଛି ଅସାଧ୍ୟ ନୁହେଁ । ସେମାନଙ୍କ ପଛଆଡ଼େ ଘୋଡ଼ାବାଳଟିଏ ଲଗାଇ ଦେଇ ପରଦା ଭିତରେ ରହି ସୂତ୍ରଧର ତାଙ୍କୁ ଯେଉଁପରି ନଚାଇବେ, ସେମାନେ ସେହିପରି ନାଚିବେ । ଯେବେ ଜଣେ ନ ନାଚିଲା ତାକୁ ‘ସାତଚକଟା, ପୋଲୁହଘଣ୍ଟା, ବିଭୂତି ଭୂଷଣ, ଗାଲିଶି କଟା’ କରି ଦିଅ, ତାହାହେଲେ ସବୁ ଅଡ଼ୁଆ ଛିଣ୍ଡିଯିବ । ମୁଁ ଭାବୁଛି ଯେ, ଦିହରେ ଛାପଚିକଣିଆ ପୋଷାକ ଲଗାଇ ବଡ଼ରୋଗ ଛଉମନ୍ଦାକୁ ଘୋଡ଼ାଇ ରଖିଲେ ଦାଣ୍ଡ ଲୋକେ ବର୍ତ୍ତମାନ ତୁମ ଦିହର ରୋଗ ଠଉରାଇ ପାରିବେ ନାହିଁ ସତ, କିନ୍ତୁ ସେହି ଛଉମନ୍ଦା ଯେତେବେଳେ ଫୁଟିଉଠି ଦିହଯାକ ମାଡ଼ିଯିବ ଓ ମୁହଁ ହାତ ନାକ କାନ ରକ୍ତ-ପୂଜ-ଘା ମୟ ହୋଇଯିବ, ସେତେବେଳେ ତାକୁ ଲୁଚାଇବ କିପରି ? ଏଥିପାଇଁ ତୁମ ଦିହରେ ଛଉଦାଗ ହେବା ମାତ୍ରକେ ତୁମ ପରିବାରର ଯେଉଁ ବ୍ୟକ୍ତି ତାର ଆଶୁ ପ୍ରତିକାର କରିବାକୁ କହେ, ତା କଥା ସେତେବେଳେ ଅପ୍ରିୟ ହେଉ ପଛକେ ସେ ତୁମର ହିତାକାଂକ୍ଷୀ ବୋଲି ମନେ ରଖିବ । ଆଉ ଯେ କହିବେ ଯେ, ସେ ଛଉ ମନ୍ଦାକୁ ପୋଷାକ ତଳେ ଘୋଡ଼ାଇ ଦେଇ ଦାଣ୍ଡକୁ ବାହାରି ପଡ଼, ତାଙ୍କୁ ଜାଣିବ, ସେ ‘ଖୋସାମଦୁଆ’ । ଯେଉଁ ଲୋକ ତୁମ ଛଉମନ୍ଦାର ଆଶୁ ପ୍ରତିକାର ପାଇଁ ପରାମର୍ଶ ଦେଉଛି, ଦେଖିବ ଯେ ସେହି ଜଣକ ଶେଷ ବେଳକୁ ତୁମ ମୁହଁ ହାତରେ ପୂଜରକ୍ତ ଧୋଇ ତୁମର ସେବା ଶୁଶ୍ରୂଷା କରିବ ଓ ଯେଉଁମାନେ କହୁଛନ୍ତି ଯେ ସେ ମନ୍ଦାଯାକ ଘୋଡ଼ିଆ ଘୋଡ଼ି କରି ଦାଣ୍ତକୁ ବାହାର, ସେମାନେ ଶିକାର ବେଳକୁ ଝାଡ଼ା ଫେରିବା ବାହାନାରେ ଚମ୍ପଟ ଦେବେ ।

 

ଯେଉଁ ଜାତୀୟ ଅନୁଷ୍ଠାନ ‘ନୀତି’ ଓ ନିୟମର ଧାର ଧାରେ ନାହିଁ, ଯେଉଁଠାରେ ଅଧିକାଂଶ ବ୍ୟକ୍ତି ସ୍ୱାଧୀନ ଭାବରେ ଚିନ୍ତା କରିବାକୁ, କାର୍ଯ୍ୟ କରିବାକୁ ଅକ୍ଷମ ବା ପରାଙ୍ମୁଖ ବା ଭୟାକୁଳ ଯେଉଁଠାରେ ଲୋକଗୁଡ଼ାକ କେବଳ ପର ଗୋଡ଼କୁ ଅନାଇ ବାଟ ଚାଲନ୍ତି, ଯେଉଁ ଜାତିର ନେତାମାନେ ନିୟମ (Principle), ନିୟମତନ୍ତ୍ରତା (Discipline), ନୈତିକ ସାହସ (moral courage)ର ଧାର ଧାରନ୍ତି ନାହିଁ ଓ ଅବଲମ୍ୱିତ ଧର୍ମ ସଙ୍ଗେ ଆଚରିତ ଧର୍ମାନୁଷ୍ଠାନର, କଥା ସଙ୍ଗେ କାର୍ଯ୍ୟର ସାମଞ୍ଜସ୍ୟ ରକ୍ଷା କରିବା କର୍ତ୍ତବ୍ୟ ମନେ କରନ୍ତି ନାହିଁ, ନିକଟ ଭବିଷ୍ୟତରେ ସେ ଜାତି ସମ୍ୱନ୍ଧରେ କିଛି ଆଶା କରିବା ନିତାନ୍ତ ବିଡ଼ମ୍ୱନା ।

 

ଉତ୍କଳର ଏ ଗୋଟିଏ ଅନୁଷ୍ଠାନର ଆଲୋଚନା କରିବାକୁ ଯାଇ ଗୋଟିଏ ପୋଥି ହେଲାଣି । ଏହିପରି ଅନ୍ୟ ଅନୁଷ୍ଠାନମାନଙ୍କ ସମ୍ୱନ୍ଧରେ ବକ୍ତବ୍ୟ ଲିପିବଦ୍ଧ କଲେ ପୋଥି ବଢ଼ିଯିବ । ଏହି ଭୟରୁ ସେଥିରୁ କ୍ଷାନ୍ତ ହେଲି । ଭାତହାଣ୍ତିରୁ ଗୋଟିଏ ଚିପିଲେ ହାଣ୍ତିଟା ଯାକରେ ଥିବା ଭାତର ଅବସ୍ଥା ଜଣାପଡ଼େ । ଆମ୍ଭମାନଙ୍କ ଦେଶରେ ବର୍ତ୍ତମାନ ଯେଉଁ ହାଉଆ ବହୁଅଛି, ସେଥିର କରାମତରେ ଅଧିକାଂଶ ଅନୁଷ୍ଠାନମାନ ବ୍ୟକ୍ତିଗତ ଖିଆଲର କ୍ରୀଡ଼ା କ୍ଷେତ୍ରରୂପରେ ପରିଣତ ହୋଇଅଛି । ଭଗବାନ କରନ୍ତୁ, ସେ ବ୍ୟକ୍ତିଗତ ପ୍ରାଧାନ୍ୟ ଶୀଘ୍ର ଲୁପ୍ତ ହେଉ ଓ ଜାତୀୟ ଅନୁଷ୍ଠାନମାନ ପ୍ରକୃତରେ ଜାତିର ସଭ୍ୟତା ଓ ଉନ୍ନତିର ପଥପ୍ରଦର୍ଶକ ହେଉ । ଆଜି ଏତିକି ।

 

(୨୨ଶ ଭାଗ । ୧୩୨୫ । ୩ୟ ସଂଖ୍ୟା)

 

ଗତ ପୂର୍ବ ଥରକ ଉତ୍କଳ ସାହିତ୍ୟରେ ‘ଆମ ଘରର ହାଲଚାଲ’ ପ୍ରସଙ୍ଗରେ ଉତ୍କଳ ସମ୍ମିଳନୀ ସମ୍ୱନ୍ଧରେ ପଦେ ଅଧେ କଥା ଲେଖିଥିଲି ବୋଲି ଉତ୍କଳର କେତେଗୁଡ଼ିଏ ନାମସାଫି ଓ ନାମ ଚୋରି ବ୍ୟକ୍ତିଙ୍କଠାରୁ ଉତ୍ତମ ମଧ୍ୟମ ଶୁଣିବାକୁ ପଡ଼ିଅଛି ଓ ଏପରି ‘ବେଆଡ଼ା’ ସମାଲୋଚନା ଯେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା, ସେ ପତ୍ରିକାର ସମ୍ପାଦକ ମହାଶୟ ମଧ୍ୟ କିଛି ଉତ୍ତମ ମଧ୍ୟମ ପାଇଅଛନ୍ତି । କର୍ମଯୋଗ ଉପରେ ମନୁଷ୍ୟର ହାତ ନ ଥାଏ । ମୋ ସମ୍ମିଳନୀ-ହାଲଚାଲର ସମାଲୋଚନା ହେବା ସମୟରେ ମୁଁ କଟକଠାରୁ ଦୂରରେ ଗଡ଼ଜାତର ଜଙ୍ଗଲରେ ଜଣେ ବନ୍ଧୁଙ୍କୁ ରୋଗଶଯ୍ୟା ନିକଟରେ ପରିଚର୍ଯ୍ୟା କରିବାରେ ବ୍ୟସ୍ତ ଥିଲିଁ, ଏଥିପାଇଁ ସେହି ସମାଲୋଚନାରେ ବଜାର ସରଗରମ ହେବା ସମୟରେ ମୁଁ ସେ ଗରମିର ଦାଉଠାରୁ ଦୂରରେ ଥାଇ ନିରାପଦରେ ଥିଲି ଓ ମନେ ମନେ ବିଚାରିଲି ଯେ, ଏ ତାତିରୁ ମୋତେ ଦୂରରେ ରଖାଇବା ପାଇଁ ଈଶ୍ୱର ବନ୍ଧୁଙ୍କୁ ରୋଗାକ୍ରାନ୍ତ କରାଇଥିଲେ ପରା ? ଏ ଗରମିର ତାତି ଟିକିଏ ଶୀତୁଳି ଯିବା ପରେ ମୁଁ କଟକ ଫେରି ଆସିଲି । ସେତେବେଳକୁ ତତ୍‌ପରବର୍ତ୍ତୀ ସଂଖ୍ୟା ଉତ୍କଳ ସାହିତ୍ୟ ପ୍ରକାଶିତ ହୋଇ ସାରିଥିଲା । ଅତଏବ ଅଗତ୍ୟା ମୋର କୌଣସି କୈଫିୟତ୍‌ ଦେବାର କାରଣ ଏହିକି, ଗତସଂଖ୍ୟା ସାହିତ୍ୟରେ ‘ଆମ ଘରର ହାଲଚାଲ’ ନ ଦେଖି କେହି କେହି ବନ୍ଧୁ ମୋତେ କହିଥିଲେ, ‘‘ପହରାଜେ-! କୁଲା ଢାଉଁ ଢାଉଁରେ ଡରିଗଲ ?’’ କିନ୍ତୁ ପହରାଜେ କଂସାରି ଘରର ପାରା ବୋଲି ବନ୍ଧୁଙ୍କୁ ଜଣା ନ ଥିଲା । ଲେଖକ ଯେଉଁ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲା, ସେ ଗୁରୁଙ୍କର ଜାତକରେ କୁଲା ଢାଉଁ ଢାଉଁ ଡରିବା ଲେଖା ନାହିଁ । ସେ ଗୁରୁଙ୍କର ଉପଦେଶ– ‘‘ହକ୍‌ କହେଗା, ଗୁରୁ ଚିଡ଼େଗା ତ ଚିଡ଼େଗା ।’’ ସେହି ଗୁରୁଙ୍କର ଆହୁରି ଗୋଟାଏ ମଧ୍ୟ ଉପଦେଶ ଏହି ଯେ, ‘କୌଣସି କାମ କଲାବେଳେ ମୁଣ୍ତକୁ ପାଣି ଛଡ଼ାଇ ଦେଇ କାମ କରିବ ।’ ଯେଉଁ ଗୁରୁ ଏ ଶିକ୍ଷା ଦେଇଥିଲେ, ସେହି ଗୁରୁ ଏତକ ହେଜି ପାରିଲେ ନାହିଁ ଓ କୁଲା ଢାଉଁ ଢାଉଁ କରି ପାରା ହୁରୁଡ଼ାଇବାକୁ ବସିଲେ, ଏହାହିଁ ମୁଁ ଭାବୁଅଛି । ପାଠକମାନଙ୍କ ସଙ୍ଗେ ଯେବେ ବାଇ ମାହାନ୍ତିଙ୍କର ଆଳାପ ପରିଚୟ ଘଟିଥିବ, ତେବେ ମାହାନ୍ତିଙ୍କ ପାଞ୍ଜିରୁ ଗୁରୁ-ଶିଷ୍ୟ-ସଂବାଦ ବିଡ଼ାରୁ ସେମାନେ ଦେଖିଥିବେ ଯେ, ମୋର କୌଣସି ସମାଲୋଚନାର ଯେବେ ‘‘ତୀବ୍ର ପ୍ରତିବାଦ, ଅନୁବାଦ, ହେତୁବାଦ, ସମ୍ୱାଦ, ତୀବ୍ରତର ବିବାଦ ଓ ତୀବ୍ରତମ ବିସମ୍ୱାଦ’’ ଲାଗିଯାଏ, ତେବେ ମୁଁ ଜାଣିବି ଯେ, ମୋ ସମାଲୋଚନା ଢେଲାଟି ଲକ୍ଷ୍ୟଭ୍ରଷ୍ଟ ହୋଇ ନାହିଁ, ଅର୍ଥାତ୍‌ ମୋ ଟେକାଟି ଠିକଣା ଜାଗାରେ ବାଜିଅଛି । ମୁଁ ଟେକାଟିଏ ମାଇଲି ବାଜିବ ବୋଲି, ଯାହା ଦେହରେ ବାଜିଲା, ସେ ଯେବେ ଟିକିଏ ‘ଓହୋ’ ହେଲା ବା ମତେ ବୋଲୁଅଟାଏ ଉଞ୍ଚେଇଲା, ତେବେ ମୋର ମନରେ ସନ୍ତୋଷ ହେବା ଉଚିତ୍‌ ଯେ, ମୋ ଟେକାଟି ଲକ୍ଷ୍ୟଭ୍ରଷ୍ଟ ହୋଇ ନାହିଁ । ଅତଏବ ମୋର ଉଦ୍ଦେଶ୍ୟ ସିଦ୍ଧି ହେଲା । ସେ ଯାହାହେଉ ଉତ୍କଳ ସମ୍ମିଳନୀର ପ୍ରଥମ ‘ସିଦ୍ଧିରସ୍ତୁ’ ବେଳେ ମୋ ହାତରେ ମଧ୍ୟ ଖଡ଼ି ପଡ଼ିଥିଲା-। ସେ ଝାଳବୁହା କଉଡ଼ିରୁ କଡ଼ାଏ ହେଲେ ମୁଁ ସମ୍ମିଳନୀର ଅସରନ୍ତି ଭଣ୍ତାରରେ ଢାଳିଥିଲି ଓ ଦିନେ ହେଲେ ସୁଦ୍ଧା ମୁଁ ସମ୍ମିଳନୀ ପାଇଁ ଶାଖା ସମିତି ଗଠନ, ପ୍ରଚାର କାର୍ଯ୍ୟ, ବକ୍ତୃତା, ରିପୋଟ, ଦଉଡ଼ ଧାପଡ଼, ଅତିଥି ସେବା, ମହାପ୍ରସାଦ ସେବା କରିଥିଲି । ଏପରିକି, ସମ୍ମିଳନୀର ମାର୍କାମରା ବକ୍ତୃତାମାନଙ୍କରେ ମଧ୍ୟ ମୋର କାରିଗରି ଥିଲା । ଏ ସବୁ ମୋର ମନଗଢ଼ା ସାର୍ଟିଫିକଟ୍‌ ନୁହେଁ-। ସମ୍ମିଳନୀର ‘ଉପଦେଷ୍ଟା, ଅନୁମନ୍ତା, ଭର୍ତ୍ତା ଭୋକ୍ତା’ ବିଚ ବଜାରରେ, ସମ୍ମିଳନୀର କାର୍ଯ୍ୟ ନିର୍ବାହିକା-ସମିତିରେ, ବଡ଼ ବଡ଼ ହାକିମଙ୍କ ପାଖରେ ମୋ ପରି ନଗଣ୍ୟ ଲୋକଙ୍କୁ ତାଙ୍କର ‘ଚେଲା’ ବୋଲି ଘୋଷଣା କରିବାକୁ କୁଣ୍ଠିତ ହୋଇ ନ ଥିଲେ । ଯେଉଁ ସମ୍ମିଳନୀର ମୁଁ ଏଡ଼େ ମାର୍କାମରା ଭକ୍ତ ଥିଲି, ଏ ଚଉଦ ବର୍ଷରେ ମୋର ଭକ୍ତି ଏପରି ପାଣି ଫାଟି ଗଲା କାହିଁକି ? ସ୍ୱତଃ ଏ ପ୍ରଶ୍ନଟି ପାଠକଙ୍କ ମନରେ ଉଦୟ ହେବ-। ଏହି ପ୍ରଶ୍ନ ମଧ୍ୟ ଖୋଦ ଗୁରୁଦେବଙ୍କ ମନରେ ଉଦୟ ହେଇଥିଲା ଓ ସେ ଏଥିପାଇଁ ମତେ କୈଫିୟତ୍‌ ମାଗିଥିଲେ । ମୁଁ ମଧ୍ୟ ଏଥିର ଟାଇପ୍‌ ମୁଦ୍ରିତ କୈଫିୟତ୍‌ ଦେଇଥିଲି ଓ ଆବଶ୍ୟକ ହେଲେ ତାହା ସର୍ବସାଧାରଣରେ ପ୍ରକାଶ କରିବି ବୋଲି ଅନୁମତି ମାଗିଥିଲି । ସେ ଖଣ୍ତିକ ଠିକଣାରେ ପହଞ୍ଚି ଥିବାର ସ୍ୱୟଂ ଗୁରୁଦେବଙ୍କର ଓ ତାଙ୍କ ପାର୍ଶ୍ୱଦେବଙ୍କର ଶ୍ରୀହସ୍ତାଙ୍କିତ ନିଦର୍ଶନ ଅଛି । ଗତ ସମ୍ମିଳନୀ ଅଧିବେଶନରେ କେତେକ ଦିନ ପୂର୍ବେ ଏ ଘଟନା ଘଟିଥିଲା । କିନ୍ତୁ ସମ୍ମିଳନୀର ଅଧିବେଶନ ସମୟରେ ସମ୍ମିଳନୀର କାର୍ଯ୍ୟାବଳୀ ଓ ଚାଳନପ୍ରଣାଳୀ ସମ୍ୱନ୍ଧରେ ମୁଁ ଯାହା ଲୋକ ମୁଖାତ୍‌ ଅବଗତ ହେଲି, ସେଥିରୁ ଦେଖିଲି ଯେ, ମୋ କୈଫିୟତ ଅରଣ୍ୟରୋଦନରେ ପରିଣତ ହୋଇଅଛି, ଅର୍ଥାତ୍‌ ସମ୍ମିଳନୀର କାର୍ଯ୍ୟ କଳାପ ମଧ୍ୟରେ ଅସଂଯମ, ଅନିୟମ, ବ୍ୟକ୍ତିଗତ ଖିଆଲ, ଅସାମଞ୍ଜସ୍ୟ ଆଦି ପୂର୍ବପରି ରହିଅଛି, ସମ୍ମିଳନୀର ବିଧାତାଙ୍କଠାରୁ ନିରସ୍ତ ହେବାରୁ ଅଗତ୍ୟା ‘ଆମ ଘରର ହାଲଚାଲ’ ପ୍ରସଙ୍ଗରେ ମୋର ସେହି ଆକ୍ଷେପଗୁଡ଼ିକ ପ୍ରକାଶ କରିଥିଲି ମାତ୍ର । ଫଳତଃ ତାହା ପତ୍ରିକାସ୍ଥ ହୋଇଅଛି, ସେଥିନିମନ୍ତେ ମୁଁ ଏବଂ ମୁଁ ଏକା ଦାୟୀ ଅଟେ । ଆମ ଜାତିର ସମ୍ମିଳନୀ ସମ୍ୱନ୍ଧରେ ଅଳ୍ପ ବହୁତ ସମାଲୋଚନା କରିବାର ଜାତିର ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଅଛି, ମୋର ମଧ୍ୟ ଅଛି । ମନୁଷ୍ୟ ସ୍ୱତଃ ଭ୍ରମପ୍ରମାଦପୂର୍ଣ୍ଣ, ମୁଁ ମଧ୍ୟ ସେଥିରୁ ବାହାର ନୁହେଁ ।

 

ଏପରି ମହାପୁରୁଷ ଥାଇ ପାରନ୍ତି, ଯେଉଁମାନେ ସ୍ୱତଃ-ଭ୍ରମ-ପ୍ରମାଦଶୂନ୍ୟ କିମ୍ୱା ଆପଣାକୁ ଭ୍ରମ-ପ୍ରମାଦଶୂନ୍ୟ ବୋଲି ଓ ବଜାରରେ ଡେଙ୍ଗୁରା ଦେଇ ବୁଲନ୍ତି; କିନ୍ତୁ ସେମାନେ ଯେତେବେଳେ ଦାଣ୍ତକୁ ବାହାରିପଡ଼ନ୍ତି, ସେତେବେଳେ ତାଙ୍କର ଦାଣ୍ତର କ୍ରିୟାକଳାପକୁ ଆଲୋଚନା କରିବାର ଅଧିକାର ଦାଣ୍ତ ଲୋକଙ୍କଠାରେ ପ୍ରବର୍ତ୍ତି ଥାଏ ବୋଲି ତାଙ୍କର ଜାଣି ରଖିବା ଉଚିତ । ଦାଣ୍ତକୁ ସାଜ ନେଇ ବାହାରିବା, ଅଥଚ ଦାଣ୍ତରେ କେହି ଆମ ସାଜସଜ୍ଜାର ଆଲୋଚନା କରି ପାରିବେ ନାହିଁ, ଏପରି ଗୋଟିଏ ଫଏସଲା ଦାଣ୍ତ ଲୋକଙ୍କୁ ଅଡ଼ୁଆ ବୋଧହୁଏ । ମୋର ସମାଲୋଚନାରେ ଭ୍ରମପ୍ରମାଦ ନାହିଁ; ଏ କଥା କହିବାର ଦୁରାକାଂକ୍ଷା ମୋର ନାହିଁ; କିନ୍ତୁ ଭୁଲ ଭ୍ରାନ୍ତି କେଉଁଠାରେ, ତାହା ମୁଁ ଜାଣିବା ପାଇଁ ଅବଶ୍ୟ ଅଧିକାର ଅଟେ । ଆଜି ପର୍ଯ୍ୟନ୍ତ ମୋ ‘ହାଲଚାଲ’ର ଯେତେଗୁଡ଼ିଏ ସମାଲୋଚନା ପ୍ରକାଶିତ ହୋଇଅଛି, ସେଥିରେ ଉତ୍କଳ-ସମ୍ମିଳନୀର କାର୍ଯ୍ୟକଳାପ ସମ୍ୱନ୍ଧରେ ମୁଁ ଯେଉଁ ସମାଲୋଚନା କରିଅଛି, ତାହାର ପ୍ରତିବାଦ କେହି କରି ନାହାନ୍ତି । ମୋ ଲେଖା ‘ବଜାରି ଲେଖା’, ‘ଅଶ୍ଳୀଳ ଲେଖା’ ‘ଅପବାଦସୂଚକ ଲେଖା’ ବୋଲି ଉଦ୍‌ଘୋଷିତ ହୋଇଅଛି । ଏପରି ମନ୍ତବ୍ୟ ଦ୍ୱାରା ଦାଣ୍ତ ଲୋକଙ୍କ ଆଖିରେ ଧୂଳି ପଡ଼ିପାରେ, କିନ୍ତୁ ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଅଭିଯୋଗ କରିଅଛି, ସେମାନଙ୍କର ନିଜର ମନ ବୋଧ ହେବଟି କି ? ଗୋଟିଏ ଚଳିତ ଢଗ ଅଛି– ‘‘କଥା କହୁଥାଏ ସରମକୁ, ଭିତରେ ଭିତରେ ଯାହା ହେଉଥାଏ ସାକ୍ଷୀ ଦେଇଥାଏ ଧରମକୁ ।’’ ସମ୍ମିଳନୀର କାର୍ଯ୍ୟକଳାପ ସମ୍ୱନ୍ଧରେ ମୁଁ ଯାହା ଆଲୋଚନା କରିଅଛି, ତାହା ହୁଏତ ଭୁଲ, ନଚେତ୍‌ ଠିକ୍‌; ଯେବେ ଭୁଲ, ତେବେ ମୋ ଭ୍ରାନ୍ତି ଦେଖାଇ ଦିଅ, ବୁଝାଇ ଦିଅ, ମୁଁ ନ ବୁଝିଲେ ସଂସାର ମତେ କହିବ ‘ବଜାରି’ ‘ଛୋଟ ଲୋକ’ । ନଚେତ୍‌ ଯେବେ ମୋ କଥାଯାକ ଠିକ୍‌ ହୋଇଥାଏ, ତେବେ ସମ୍ମିଳନୀର ଆଲୋଚିତ କାର୍ଯ୍ୟ-ପ୍ରଣାଳୀ ସଂଶୋଧନ କର । ଏହା ନ କରି ମତେ ଫଉଜଦାରୀ ଦେବାନୀ ଧମକ ଦେବା ଦ୍ୱାରା ତୁମ ମନ ଓରମାନା ଓ ମୁହଁ-ଗଲୁ ସିନା ମେଣ୍ଟିବ, କିନ୍ତୁ ଜାତି ଉନ୍ନତ ହେବ ନାହିଁ ! କାହିଁ, ସେତକ କରିବାର ଲକ୍ଷଣ ତ କୁଆଡ଼େ କିଛି ଦିଶୁ ନାହିଁ । କାରଣ ମୋ ଲେଖା ଭିତରେ କେଉଁଠି କି ଛିଦ୍ର ଅଛି, କେଉଁ କଥା ପଦକରେ ମୁଁ ଜବାବ ଦେବି, ଅଣ୍ତଳା ଲାଗିଅଛି । ସେଥିରେ ଭଲା କାହାର କି ଉପକାରଟା ହେବ ?

 

ସମ୍ମିଳନୀରେ ମାତୃପୂଜା ମଣ୍ତପରେ ସହସ୍ର ଭ୍ରାତାଙ୍କ ଆଗରେ, କେତେକ ଭଦ୍ରମହିଳାଙ୍କ ଆଗରେ କେହି ବିଶିଷ୍ଟ ବକ୍ତା ଜଳଦ ଗମ୍ଭୀର ନାଦରେ ବ୍ରୁଂ ବ୍ରୁଂ ଶବ୍ଦ ଉଚ୍ଚାରଣ କରି ‘ଶଙ୍କରସ୍ୟାବଲୋକନଂ’ ବାକ୍ୟନ୍ତ ଶାସ୍ତ୍ରୀୟ ଶ୍ଳୋକଟି ଆବୃତ୍ତି କଲେ, ଏହା ଶୁଣି ସଭାମଣ୍ତପ କରତାଳିରେ ପୂର୍ଣ୍ଣ ହୋଇଗଲା । ଯେଉଁମାନେ ବକ୍ତାଙ୍କ ମୁଖରୁ ଏ ଶ୍ଳୋକଟି ଉଚ୍ଚାରିତ ହେବାର ଶୁଣି ଆସି ମତେ କହିଲେ, ସେହିମାନଙ୍କ ରିପୋର୍ଟ ଉପରେ ନିର୍ଭର କରି ମୁଁ ଏ ଅଶ୍ଳୀଳତାର ପ୍ରତିବାଦ କଲି ଓ ମାତୃପୂଜା ମଣ୍ତପରେ ଏପରି ଅକଥ୍ୟ କଥନ ଯେଉଁ ଶକ୍ତି କରାଇଲା, ତାକୁ ପ୍ରଣାମ କଲି । ଏଥିରେ ମୁଁ ହେଲି ଦୋଷୀ ! ଏଥିପାଇଁ ‘ଗରିବ ମାଇପ’ ଉପରେ ସମସ୍ତଙ୍କର ରଗଡ଼ । ଯେଉଁ ମାଜିଷ୍ଟ୍ରେଟ ଏହି ଅଶ୍ଳୀଳତା ଅପରାଧ ଯୋଗୁଁ ମତେ ଅଭିଯୋଗ (charge) କରିବେ, ଫଉଜଦାରୀ ଆଇନର ବିଧାନ ଅନୁସାରେ ସେ ତ ଅଭିଯୋଗ ଫର୍ଦ୍ଦରେ (charge sheet) ମୋ ବ୍ୟବହୃତ ‘ଅଶ୍ଳୀଳ’ କଥାଗୁଡ଼ିକ ଉଲ୍ଲେଖ କରିବାକୁ ବାଧ୍ୟ ହେବେ । ଏଥିଯୋଗୁଁ ଉକ୍ତ ମାଜିଷ୍ଟ୍ରେଟ ମଧ୍ୟ ସେ ଅପରାଧରେ ଅପରାଧୀ ନ ହେବେ କିଆଁ ? ଆଚ୍ଛା, ଯେଉଁମାନେ ମତେ ଫଉଜଦାରୀ ଅପରାଧରେ ଟାଣିବାକୁ ଗର୍ଜନ ରଡ଼ି କରୁଅଛନ୍ତି, ସେମାନେ କଣ ଏତକ ବୁଝି ପାରୁ ନାହାନ୍ତି ? ପୁଣି କେହି କେହି ନେତୃସ୍ଥାନୀୟ ବ୍ୟକ୍ତି କହୁଅଛନ୍ତି ଯେ, ସମ୍ମିଳନୀ ମଣ୍ତପରେ ଏପରି ବାକ୍ୟ କେହି ବକ୍ତା କହି ନାହାନ୍ତି ! ଯେଉଁ ଯୁକ୍ତିରେ ଏଡ଼େ ନୈତିକ ଉଚ୍ଚତା ପ୍ରଚ୍ଛନ୍ନ, ସେ ଯୁକ୍ତିକୁ ମଧ୍ୟ ଶତ ଶତ ନମସ୍କାର ଓ ଯେଉଁ ଶକ୍ତିର ଭୁରୁଡ଼ ଏତେଦୂର, ସେ ଶକ୍ତିକୁ ନମସ୍କାର ।

 

ମୋ ବିରୁଦ୍ଧରେ ଦ୍ୱିତୀୟ ଅଭିଯୋଗ ଏହି ଯେ, ‘ନେତାମାନଙ୍କ ତେଲ ଲୁଣ ଖରଚ ଜାତୀୟ ପାଣ୍ଠିଦ୍ୱାରା ଚଳିବ ।’ ଏଡ଼େ ବଡ଼ ମାନହାନିକର କଥାଟାଏ ମୁଁ କହିଦେଲି ଏବଂ ସେଥିପାଇଁ ପୁଳାଏ ଖେସାରା ମୋ ଠାରୁ ଆଦାୟ ହେବ । ଯେଉଁ ଜାତିର ଲୋକ ସଂଖ୍ୟା ଅଳ୍ପ ବହୁତ କୋଟିଏ, ଡେଙ୍ଗୁରା ଦିଆ ହୋଇ ସୁଦ୍ଧା ମାତୃପୂଜା ମଣ୍ତପରେ ସେ ଜାତିର ଜାତୀୟ ପାଣ୍ଠି ପାଇଁ ଶହେ ଖଣ୍ତେ ଟଙ୍କା ଉଠିଲା । ଏଥିରେ ଭଲା କେହି ସ୍ୱପ୍ନରେ କୌଣସି ଜାତୀୟ ଉନ୍ନତିକର ଅନୁଷ୍ଠାନର ବ୍ୟୟ ଚଳାଇ ପାରିବ ? ସେ କଥା ଦୂରକୁ ଥାଉ, ଏଥିରେ ନେତାମାନଙ୍କର ତେଲ ଲୁଣ (ଅତି ସାମାନ୍ୟ) ଖରଚ ସୁଦ୍ଧା ଚଳିବ ନାହିଁ । ଯାହା କେତେଜଣ ଅତି ସାମାନ୍ୟ ନିତ୍ୟନୈମିତ୍ତିକ ତେଲ ପାଣ୍ଠି ଗଢ଼ିବା ବାତୁଳତା ନୁହେଁ ଆଉ କଣ ? ତା ପରେ ଦେଖାଯାଇଅଛି ଯେ, ସମ୍ମିଳନୀ ପାଇଁ ଚାନ୍ଦା ଆଦାୟ ହେବା ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ କୌଣସି ଧାରାବାହିକ ହିସାବ ସାଧାରଣରେ ପ୍ରକାଶିତ ହୋଇ ନାହିଁ । ସମ୍ମିଳନୀର ସମସ୍ତ ଅଧିବେଶନମାନଙ୍କର ଅତିଥି ପରିଚର୍ଯ୍ୟା, ପ୍ରଚାର ଆଦି ଖରଚ କାହୁଁ ଅଇଲା ? କିଏ ଦେଲା ? କିଏ ନେଲା ? କାହା ପାଖରେ କେତେ ତହବିଲ ରହିଲା ? ଏ କଥା ସମ୍ମିଳନୀର କେହି ନେତା ସାଧାରଣଙ୍କୁ ସନ୍ତୋଷଜନକ ରୂପେ ବୁଝାଇ ଦେଇ ପାରିବେ କି ? ଜଣେ ତାଙ୍କ ନିଜ ତହବିଲରୁ ସବୁ ଖରଚ କଲେ ଓ ତହିଁର କିଛି ହିସାବ ସାଧାରଣରେ ପ୍ରକାଶିତ ନ ହେଲା-। ଏହା କୌଣସି ଜାତୀୟ ଅନୁଷ୍ଠାନ ପକ୍ଷରେ କିମ୍ୱା କୌଣସି ଜାତି ପକ୍ଷରେ ଗୋଟାଏ ଭାରି ବାହାଦୁରି କଥା ନୁହେଁ । ଏପରି ଅବସ୍ଥାରେ ଜାତୀୟ ପାଣ୍ଠି ରହିବ କେଉଁଠାରେ ? ଖରଚ ହେବ କେଉଁ ପ୍ରକାରରେ ? ହିସାବ ରଖିବ କିଏ ? ପରିଚାଳିତ ହେବ କେଉଁ ନିୟମରେ । ଏସବୁ କଥା ସ୍ଥିର ନ ହେଉଣୁ ଯେବେ ସମ୍ମିଳନୀ ମଣ୍ତପରେ ଭିକ୍ଷା ଥାଳ ବସି ଶହେ ଖଣ୍ତେ ଟଙ୍କା ଉଠିଲା, ଏହା ଦେଖି ଯେବେ କେହି ପଚାରେ , ଏ ଟଙ୍କାତକ ଉଠିଲା କାହିଁକି ? ବଡ଼ମୁଣ୍ତିଆମାନଙ୍କ ତେଲ ଲୁଣ ଖରଚ ପାଇଁ ? ନା ଜାତୀୟ ଅନୁଷ୍ଠାନ ପାଇଁ ? ଏଥିରେ ସେ ବିଚାରା ହେଲା ଅପରାଧୀ !

 

ମୋ ଲେଖା ବିରୁଦ୍ଧରେ ପ୍ରକାଶ୍ୟ ଅଭିଯୋଗ ଏହି ଦିଓଟି । ଏହାଛଡ଼ା ଅପ୍ରକାଶ୍ୟ ଅଭିଯୋଗ ମଧ୍ୟ ଅଛି । ଯଥା–ଯେଉଁ ଉତ୍କଳଲଳନାମାନେ ଗତଥର ସମ୍ମିଳନୀ ସଭାରେ ଯୋଗ ଦେଇଥିଲେ ଓ ଯେଉଁମାନଙ୍କ ମଧ୍ୟରୁ କେତେକ ସମ୍ମିଳନୀ ମଣ୍ତପରେ ପରଦା ପଛଆଡ଼େ ଓ କେତେକ ପରଦା ବାହାରେ ସ୍ଥାନ ପାଇଥିଲେ, ସେମାନଙ୍କ ପ୍ରତି ମୁଁ ଯେଉଁ ଭାଷା ମୋ ପ୍ରବନ୍ଧରେ ବ୍ୟବହାର କରିଅଛି, ତଦ୍ଦ୍ୱାରା ସେମାନଙ୍କୁ, ତଥା ସେମାନଙ୍କର ଅଭିଭାବକମାନଙ୍କୁ ଅପମାନ କରାଯାଇଅଛି । ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ପ୍ରତି, ନିର୍ବଳା ଅବଳାଙ୍କ ପ୍ରତି ମୁଁ ଯେବେ ଅପମାନସୂଚକ ବାକ୍ୟ ବ୍ୟବହାର କରିଥାଏଁ, ତାହା ମୁଁ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ କେଉଁ ବାକ୍ୟଦ୍ୱାରା ଅପମାନ ପ୍ରକାଶ ପାଉଅଛି, ତାହା ନ ଜାଣିବା ପର୍ଯ୍ୟନ୍ତ ମୁଁ ପ୍ରତ୍ୟାହାର କରିବି କଣ ? କେଉଁଠାରେ ଭାଷା ପ୍ରୟୋଗ ଦୋଷାବହ ହୋଇଅଛି, ତାହା ମୁଁ ଜାଣିପାରିଲେ ଅବଶ୍ୟ ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରିବାକୁ ପ୍ରସ୍ତୁତ ଅଛି ।

 

ଏଥିମଧ୍ୟରେ ସମ୍ମିଳନୀର ମୁଖପତ୍ର ‘ଓଡ଼ିଆ’ ମୋର ଓ ବିଶେଷତଃ ଉତ୍କଳ ସାହିତ୍ୟ ସମ୍ପାଦକଙ୍କର ବ୍ୟକ୍ତିଗତ ଓ ବ୍ୟବସାୟଗତ ପ୍ରତିଷ୍ଠାକୁ ଖର୍ବ କରିବା ନିମନ୍ତେ ଖୁବ୍‌ ବେଗ ପାଇଥିଲେ ଓ ଏତଦୁଦ୍ଦେଶ୍ୟରେ ଗଭର୍ଣ୍ଣମେଣ୍ଟ, ସ୍ଥାନୀୟ କର୍ତ୍ତୃପକ୍ଷ, ଶିକ୍ଷାବିଭାଗୀୟ କର୍ତ୍ତୃପକ୍ଷ, କଲେଜର କର୍ତ୍ତୃପକ୍ଷ, ସାହିତ୍ୟର ଅନ୍ନଦାତାଙ୍କୁ (ଗ୍ରାହକମଣ୍ତଳୀ) ମଧ୍ୟ ଧର୍ମ ଡାକ ଦେଇଥିଲେ; କାହିଁରେ କିଛି ନ ହେଲେ ବହୁ ସହସ୍ର ମୁଦ୍ରା କ୍ଷତିପୂରଣ ଦାବିରେ ଦେବାନି ଅଦାଲତରେ ମକଦମା ହେବ ବୋଲି ମଧ୍ୟ ରଡ଼ି ପଡ଼ିଥିବାର ମୁଁ ଶୁଣିଲି । ସାହିତ୍ୟର ସମ୍ପାଦକଙ୍କ ମନ କଥା ତାଙ୍କୁ ଜଣା; କିନ୍ତୁ ଏହି ସଂକୀର୍ତ୍ତନ ରଡ଼ିଦ୍ୱାରା ମୋ ଭଳିଆ ଜଣେ ନଗଣ୍ୟ ଓ ଅଖ୍ୟାତନାମା ଲୋକର ନାମ ସମଗ୍ର ଉତ୍କଳରେ ବାଜିଗଲା ବୋଲି ମୁଁ ଭାରି ଆନନ୍ଦିତ ହୋଇଅଛି । ସମଗ୍ର ଉତ୍କଳରେ ମୋର ନାମ, ପରିଚୟ ଓ ପ୍ରତିପତ୍ତି ବଢ଼ାଇଥିବା ଯୋଗୁଁ ମୁଁ ‘ଓଡ଼ିଆ’ର ସମ୍ପାଦକ, ‘ଉତ୍କଳ-ଦୀପିକା’ର ସମ୍ପାଦକ ଓ ସମ୍ମିଳନୀର ଦୈବବିଧାତାମାନଙ୍କ ନିକଟରେ ଚିରକୃତଜ୍ଞତା ପାଶରେ ଆବଦ୍ଧ ରହିଲି । ବାଟରେ ‘‘ଦୁଇ’’ କଲେ ନାଆଁ ପଡ଼େ ବୋଲି ଶୁଣିଥିଲି; କିନ୍ତୁ ବର୍ତ୍ତମାନ ଦେଖିଲି ଯେ, ଦିଅଁଙ୍କ ଖଟୁଳିକୁ ଟେକା ମାଇଲେ ବେଶ୍‌ ନାଆଁ ପଡ଼େ । ଅତଏବ ଦିଅଁଙ୍କ କରାମତକୁ ଜୁହାର ।

 

ସଂସାରର ‘ପରୋପଦେଶେ ପାଣ୍ତିତ୍ୟଂ’ ସମସ୍ତଙ୍କର ଥାଏ । କିନ୍ତୁ ଆପଣା ଉପରେ ପଡ଼ିଲା ବେଳକୁ ସମସ୍ତଙ୍କର ବୁଦ୍ଧି ହଜେ । ଆଇନର ବିଧାନ ସମସ୍ତଙ୍କ ପାଇଁ ସମାନ । ସାଧାରଣ ଲୋକେ ଆଇନର ମର୍ମ ବୁଝି ନ ପାରି ଅକଳରେ ପଡ଼ିଯିବେ ବୋଲି ସରକାର ଓକିଲ ମୁକ୍ତାର ବାରିଷ୍ଟରମାନଙ୍କୁ ଭେକ ଓ ଝୁଲା ଦେଇ ମାର୍କା ମରାଇ ଦାଣ୍ତରେ ଠିଆ କରାଇ ଅଛନ୍ତି । ଆମେ ଆଇନ ବ୍ୟବସାୟୀମାନେ ହେଲୁଁ ‘ପରୋପଦେଶେ ପାଣ୍ତିତ୍ୟ’ ଆମେ ‘ବତାଇ ଦେଉଁ ପରକୁ, ବୁଦ୍ଧି ନ ଆସେ ଘରକୁ ।’ ମୋ ଲେଖାରୁ ଗୋଟିଏ ଶବ୍ଦ ବା ବାକ୍ୟକୁ ତର୍ଜମା କରି ମିସଲରେ ପକାଇ ଦେବା ମାତ୍ରକେ ହାକିମ ଖଡ଼େଦମ୍‌ ମତେ ବତିଶ ବଖରା କିମ୍ୱା ଦେବାନି ଫାଟକକୁ ପଛବୁହା କରି ପେଲି ଦେବେ ନାହିଁ । ସେଠାରେ ବିଚ୍‍ ଅଦାଲତରେ ଦୋତରଫା ବିଚାର ହେବ । ସାକ୍ଷୀ ନିଆଯିବ, ପ୍ରମାଣ ନିଆଯିବ, ମୋର ସମସ୍ତ ପ୍ରବନ୍ଧ ତର୍ଜମା ହେବ, ମୋର ଏ ସମ୍ୱନ୍ଧରେ ପୂର୍ବକାର୍ଯ୍ୟ ଓ ଉକ୍ତିମାନ ଉପସ୍ଥାପିତ ହେବ, ତୁମର ପୂର୍ବ କ୍ରିୟାକଳାପ ଉପସ୍ଥାପିତ ହେବ, ମୋର ଉଦ୍ଦେଶ୍ୟ, ମୋ ଅଭିଯୋଗର ସତ୍ୟତା, ଏ ସବୁ ମଧ୍ୟ ଅଦାଲତରେ ସମାଲୋଚିତ ହେବ । ମୋଠାରେ ବାଟିଆ ଲଗାଇଲା ବେଳକୁ କେତେ ଲୋକଙ୍କ ବାଡ଼ିଆଡ଼ ଖତକୁଢ଼ ଓ ଦାଣ୍ତଆଡ଼ ଅଳିଆଗଦା ଘଣ୍ଟା ଚକଟା ହେବ । ତେବେ ଯାଇଁ ମୁଁ ବତିଶ ବଖରାକୁ ପହଣ୍ତି ବିଜେ କରିବି । ଏସବୁ ନ ହୋଇ ତୁମ ରଡ଼ିରେ ମତେ ଏକତରଫା ବିଚାରରେ ଶୁଳିଆପଦାକୁ ଝିଙ୍କା ଓଟରା ହେବ ନାହିଁ । ଏତେ କଥା ପରେ ଯେବେ ମୁଁ ଦଣ୍ତ ପାଇବି, ତେବେ ଘଣା ପେଲିଲେ ସୁଦ୍ଧା ମୋ ମନରେ ଶାନ୍ତି ହେବ ଯେ, ସମ୍ମିଳନୀର ତ୍ରୁଟି ପ୍ରତି ପରିଚାଳକମାନଙ୍କର ଓ ସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରି ଦଣ୍ତ ପାଇଲି । ତେବେ ଗୋଟାଏ ପ୍ରତିଜ୍ଞାକୁ ମୋର ଜବାବ ନାହିଁ । ଆମ ଦେଶରେ ‘ସତ୍ୟବାଦୀ’ର ଅର୍ଥ ‘‘ସତ୍ୟଂ ବ୍ରୂୟାତ୍‌ ପ୍ରିୟଂ ବ୍ରୂୟାତ୍‌ ମା ବ୍ରୂୟାତ୍‌ ସତ୍ୟମପ୍ରିୟଂ ।’’ ସତ୍ୟଟି ଅପ୍ରିୟ ହେଲେ ତାହା କଦାପି ପ୍ରକାଶ କରିବ ନାହିଁ ।’’ ଯେବେ ଉକ୍ତ ପ୍ରତିଜ୍ଞାର ଏହି ଅର୍ଥ ହୁଏ, ତେବେ ମୁଁ ନାଚାର । କିନ୍ତୁ ମୋର ମଧ୍ୟ କହିବାର ଏତିକି ଯେ, ସତ୍ୟକୁ ଅପ୍ରିୟ ନ କରି ଯେବେ ତୁନି କରି କହି ପାରିବ, ତେବେ ଉତ୍ତମ । ଯେଉଁଠାରେ ତାହା ହୋଇ ନ ପାରିବ, ସେଠାରେ ସମାଜର ଓ ଦେଶର ମଙ୍ଗଳ କାମନାରେ ଅପ୍ରିୟ ହେଲେ ସୁଦ୍ଧା ସତ୍ୟ କଥା ସାଧାରଣରେ ପ୍ରକାଶ କରିବାକୁ ମନୁଷ୍ୟ ଧର୍ମତଃ ସମାଜ ଓ ଦେଶ ନିକଟରେ ଦାୟୀ । ମୋଠାରୁ ଏ ସବୁ କୈଫିୟତ୍‌ ଶୁଣିସାରି ତା ପରେ ମୋ ସଙ୍ଗେ, ମୋ ଜାତି ସଙ୍ଗେ ଅବୈବାହିକ ମୌଖିକ ସମ୍ୱନ୍ଧ ସ୍ଥାପନ କର, ମନା ନାହିଁ ।

 

କେହି କେହି ବନ୍ଧୁ ଇତିମଧ୍ୟରେ ନିକଟରେ ପରୋକ୍ଷଭାବରେ ପ୍ରସ୍ତାବ କରିଅଛନ୍ତି (ଏ ପ୍ରସ୍ତାବଟା ଅବଶ୍ୟ ମୋର ମଙ୍ଗଳ କାମନାରେ କରାଯାଇଅଛି) ଯେ, ମୁଁ ମୋର ବେଆଡ଼ା ସମାଲୋଚନା ପାଇଁ କ୍ଷମା ପ୍ରାର୍ଥନା କରିଦେଲେ ସବୁ ନଟ ଛିଣ୍ତିଯିବ ! ଏଥିର ଟିକିଏ ବିଶ୍ଳେଷଣ ଦରକାର । ପ୍ରଥମ କଥା ଏହି ଯେ, ମୁଁ କ୍ଷମା ପ୍ରାର୍ଥନା କରିବି କାହାଠାରେ ? ସମ୍ମିଳନୀ ଗୋଟିଏ Public Performance ବା ସାଧାରଣ କାର୍ଯ୍ୟ, ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏଥିରେ ବ୍ୟକ୍ତିଗତ ଖିଆଲ, ବ୍ୟକ୍ତିଗତ ପ୍ରଧାନ୍ୟ, ବ୍ୟକ୍ତିଗତ ପରିଚାଳନାର ମାତ୍ରା ଅତ୍ୟଧିକ ହୋଇ ପଡ଼ିଅଛି– ଏହା ମୋର ମନଗଢ଼ା ବା ସ୍ୱପ୍ନର କଥା ନୁହେଁ, ଉତ୍କଳର ଅନେକ ବ୍ୟକ୍ତି ଏ କଥା ଅନୁଭବ କରିଅଛନ୍ତି ଓ କେତେକ ବ୍ୟକ୍ତି ମଧ୍ୟ ସମ୍ୱାଦପତ୍ରରେ ଏକାଧିକ ଥର ପ୍ରକାଶ କରିଅଛନ୍ତି । ଏପରି ସ୍ଥଳରେ ମୁଁ ଯବେ ସେଗୁଡ଼ାକ ପ୍ରତି କଟାକ୍ଷ କଲି ଓ ସମ୍ମିଳନୀ ବର୍ତ୍ତମାନ ଯେଉଁ ରୀତିରେ ପରିଚାଳିତ ହେଉଅଛି, ତାହା ପରିବର୍ଜନୀୟ ବୋଲି ପ୍ରକାଶ କଲି ଓ ଏଥିର ଯେବେ ବ୍ୟକ୍ତିବିଶେଷ କ୍ଷୁର୍ଣ୍ଣ ହେଲେ ବା ଚିଡ଼ିଗଲେ, ତେବେ ମୁଁ କ୍ଷମା ପ୍ରାର୍ଥନା କରିବି କାହାଠାରେ ? ଏ କ୍ଷମା ପ୍ରାର୍ଥନା ପ୍ରସ୍ତାବ ମଧ୍ୟ ମୁଁ ଗ୍ରହଣ କରିବାକୁ ରାଜି ଅଛି; କିନ୍ତୁ ତାହା କରିବା ପୂର୍ବରୁ ବିଚ୍‍ ବଜାରରେ ପ୍ରକାଶ୍ୟ ଭାବରେ ମୋର ଦୋଷ, ମୋର ତ୍ରୁଟି , ମୋର ଭ୍ରମ ମୋତେ ଦେଖାଇ ଦିଅ ଓ କାହାକୁ କ୍ଷମା ପ୍ରାର୍ଥନା କରିବି ମତେ ବତାଇ ଦିଅ । କିନ୍ତୁ ତାହା ନ କରି ମାଇପି ଧମକ ଦେଇ ଯେବେ କହିବି, ‘‘ତୁ ମତେ ଗାଳି ମନ୍ଦ କରୁଛୁ, ମୁଁ ଗମ୍ଭୀରି ଘରେ କବାଟ କିଳି ଶୋଇବି, ମୁଁ ଓପାସ ରହିବି, ମୁଁ ଘରଦ୍ୱାର ପିଲାପିଲି ଛାଡ଼ି ପଳାଇଯିବି, ମୁଁ ତିଅଣ ଅଲଗା କରିଦେବି, ମୁଁ ତତେ ଚୁମୁଟି ଦେବି, ତୁ ମୋ ହାତ ଗୋଡ଼ ନ ଧରିଲେ ମୁଁ ଏ ଘର ସମ୍ଭାଳବି ନାହିଁ,’’ ଏ ଯୁକ୍ତିକୁ ଜୁହାର !

 

ଏଥି ଉପରେ ପୁଣି ବ୍ୟକ୍ତିଗତ ଆକ୍ରୋଶ କଥା ମଧ୍ୟ କେହି ଉଠାଇବାକୁ ଛାଡ଼ୁ ନାହାନ୍ତି । ଅବଶ୍ୟ କାହା ତୁଣ୍ତରେ କେହି ବାଡ଼ବତା ଦେବ ନାହିଁ । କିନ୍ତୁ ଅନୁମାନ ବା କଳ୍ପନାଟାକୁ ଏତେଦୂର ଦଉଡ଼ାଇବାର କାରଣ କେହି ଦେଇ ପାରିବେ କି ? ମୁଁ କେଉଁ ବ୍ୟକ୍ତିବିଶେଷଙ୍କ ପ୍ରତି କି ଆକ୍ରୋଶ ପ୍ରକାଶ କରିଅଛି, କେହି ଦେଖାଇ ଦେଇ ପାରିବେ କି ? ଅନୁଷ୍ଠାନ ଗୁଡ଼ାକ କିଛି ଶୂନ୍ୟରେ ନିରାଲମ୍ବରେ ଝୁଲୁ ନ ଥାଏ ! ଅନୁଷ୍ଠାନର ସମାଲୋଚନା କରିବାକୁ ଗଲେ ଅନୁଷ୍ଠାତାମାନେ ବଳେ ବଳେ ଆସି ପଡ଼ନ୍ତି । ତାକୁ ଦୋଷ ବୋଲି ଧରିଲେ ସମାଲୋଚନା ଜିନିଷଟାକୁ ମାନବସମାଜରୁ ନିର୍ବାସିତ କରି ଦେବାକୁ ହେବ ଖାଲି ‘ଆକ୍ରୋଶ’ ‘ବିଦ୍ୱେଷ’ ବୋଲି କହିଦେଲେ ତ ହେବ ନାହିଁ, ସେଥିପାଇଁ ସାକ୍ଷୀ ସାବୁତ୍‌ ହେତୁ ପ୍ରମାଣ ଆବଶ୍ୟକ ।

 

ମୋ କଥାଗୁଡ଼ାକ ଥରେ ଧୀର ଚିତ୍ତ ସ୍ଥିର ବୁଦ୍ଧିରେ ଆଲୋଚନା କରିବାପାଇଁ ଦେଶବାସୀଙ୍କୁ ସବିନୟ ଓ ସନିର୍ବନ୍ଧ ଅନୁରୋଧ କରି ଆଜି ଏହିଠାରେ କ୍ଷାନ୍ତ ହେଲି ।

 

(୨୨ଶ ଭାଗ । ୧୩୨୫ । ୪ର୍ଥ ସଂଖ୍ୟା)

 

ଉତ୍କଳ ବ୍ୟାସ– ବାଲ୍ମିକୀ ଓ ଉତ୍କଳ ସରସ୍ୱତୀଙ୍କ ବରପୁତ୍ର ଫକୀର ମୋହନ ସେନାପତି ଇହସଂସାରରୁ ବିଦାୟ ଘେନି ଅମରଧାମକୁ ଚାଲିଯାଇ ଅଛନ୍ତି । ଗତ କେତେ ବର୍ଷ ମଧ୍ୟରେ ଉତ୍କଳ-ଜନନୀ ଆଧୁନିକ ଉତ୍କଳ-ସାହିତ୍ୟ କ୍ଷେତ୍ରରୁ କେତେଗୁଡ଼ିଏ ରଥୀ ଅର୍ଥାତ୍‌ ରାଧାନାଥ, ମଧୁସୂଦନ ଓ ଗୌରୀଶଙ୍କରଙ୍କୁ ହରାଇ ସୁଦ୍ଧା ଫକୀରମୋହନଙ୍କ ଯୋଗୁଁ ସେ ଅଭାବ ଦୃଢ଼ରୂପେ ଅନୁଭବ କରି ନ ଥିଲେ । ଆଜି ଫକୀରମୋହନଙ୍କୁ ହରାଇବା ଦ୍ୱାରା ଉତ୍କଳ-ସାହିତ୍ୟାକାଶ ଶୂନ୍ୟ ହୋଇଅଛି ବୋଲିବାକୁ ହେବ । ଚାରିଜଣଙ୍କର ନିଷ୍ଠାପର ସାହିତ୍ୟ-ସେବା ଓ ସାହିତ୍ୟ କ୍ଷେତ୍ରରେ ସାଧନା ଉତ୍କଳରେ ଦୁର୍ଲଭ । ସାହିତ୍ୟ ଓ ମାତୃଭାଷାର ସେବା କରିବାବେଳେ ଏମାନେ ସମସ୍ତ ଅଭାବ, ସମସ୍ତ ସାଂସାରିକ ଓ ଶାରୀରିକ ଦୁଃଖ ଓ ବାର୍ଦ୍ଧକ୍ୟର କଷ୍ଟ ଓ ଅସୁବିଧାକୁ ତୁଚ୍ଛ ମଣି ନିଜ ନିଜ ଜୀବନକୁ ସରସ୍ୱତୀଙ୍କ ଆରାଧନାରେ ଉତ୍ସର୍ଗ କରିଥିଲେ । ଆଧୁନିକ ଉତ୍କଳ-ସାହିତ୍ୟ-ଯୁଗରେ ଏ ଚାରିଜଣଙ୍କର ସ୍ଥାନ ସ୍ୱତନ୍ତ୍ର ଓ ଅତ୍ୟୁଚ୍ଚ; ଏହା ଉତ୍କଳ ଇତିହାସ ଲେଖକ କଳନା କରିବେ । ଉତ୍କଳ ସାହିତ୍ୟର କାବ୍ୟଯୁଗ ବା ଉପେନ୍ଦ୍ରଭଞ୍ଜ ଯୁଗର ଏବଂ ଆଧୁନିକ ଯୁଗର ସନ୍ଧିସ୍ଥଳର ଏମାନେ ଆବିର୍ଭୁତ ହୋଇ ଅଳଙ୍କାରଜଡ଼ିତ ସାହିତ୍ୟକୁ ସୁରୁଚିପୂର୍ଣ୍ଣ ଓ ସ୍ୱାଭାବିକ ପରିଚ୍ଛଦଦ୍ୱାରା ପରିପାଟୀ କରିଯାଇ ଅଛନ୍ତି । ଉତ୍କଳ-ଦୀପିକାର ପରିଚାଳନଦ୍ୱାରା ଗୌରୀଶଙ୍କର ଯେଉଁ ଏକନିଷ୍ଠତା ଦେଖାଇ ଯାଇଅଛନ୍ତି ଓ ଆଧୁନିକ ଉତ୍କଳ ଭାଷା ଗଠନ ପକ୍ଷରେ ଯେଉଁ ସାହାଯ୍ୟ କରିଅଛନ୍ତି, ତାହାର ମୂଲ୍ୟ ନିରୂପଣ କରିବା ସହଜ ନୁହେଁ ।

 

ଉପରୋକ୍ତ ଚାରିଜଣଙ୍କୁ ଆଧୁନିକ ସାହିତ୍ୟ ଓ ଭାଷା କ୍ଷେତ୍ରରୁ ବାଦ୍‌ଦେଲେ ଆଧୁନିକ ଉତ୍କଳ ସାହିତ୍ୟରେ ଗର୍ବ କରିବାର ବସ୍ତୁ ଅତି ଅଳ୍ପ ରହିଯିବ ।

 

ନବ୍ୟଯୁଗର ପୂର୍ବବର୍ତ୍ତୀ ଯୁଗରେ ଉତ୍କଳ ସାହିତ୍ୟର କେବଳ ମାତ୍ର ସମ୍ୱଳ ଥିଲା ପଦ୍ୟ ବା କାବ୍ୟ । ବ୍ରିଟିଶ ଜାତିର ଓଡ଼ିଶା ଅଧିକାର ସଙ୍ଗେ ସଙ୍ଗେ ଓଡ଼ିଶାବାସୀମାନେ ଯେପରି ବିଦେଶୀୟ ଭାବର ସଂସ୍ରବରେ ଆସିଲେ, ସେହିପରି ଉତ୍କଳ ଭାଷା ଓ ସାହିତ୍ୟ ମଧ୍ୟ ବିଦେଶୀୟ ଓ ବିଶେଷତଃ ବଙ୍ଗୀୟ ସାହିତ୍ୟ ଓ ଭାଷାର ସଂସ୍ରବରେ ଆସି ପୃଷ୍ଟିଲାଭ କରିବାକୁ ଲାଗିଲା । ଯେ ହେଉ ଏ ସବୁ ବିଷୟ ଆଲୋଚନା କରିବା ସାହିତ୍ୟର ଇତିହାସ ଲେଖକଙ୍କର ସୀମା । ସେ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ମୋର ବିଦ୍ୟା, ବୁଦ୍ଧି ଓ ଶକ୍ତି ନାହିଁ । ରାଧାନାଥ ଉତ୍କଳର ପ୍ରାକୃତିକ ଦୃଶ୍ୟ ଓ ଗୌରବମୟ ଅତୀତକୁ ଯେଉଁ ଭାବରେ ଚିତ୍ରିତ କରିଯାଇ ଅଛନ୍ତି, ତଦ୍ଦ୍ୱାରା ଭାବୁକ ଚକ୍ଷୁରେ ଉତ୍କଳର ପ୍ରତ୍ୟେକ ଲୋଷ୍ଟ୍ର ଖଣ୍ତ ଓ ପ୍ରତ୍ୟେକ ଧୂଳିକଣା ସ୍ୱର୍ଣ୍ଣ ରେଣୁ ରୂପେ ଉଦ୍ଭାସିତ ହୋଇଅଛି । ଉତ୍କଳ-ପ୍ରକୃତିର ପ୍ରଚ୍ଛନ୍ନମାଧୁରୀକୁ ରାଧାନାଥ ଆଣି ଆମ୍ଭମାନଙ୍କ ଆଗରେ ରଖି ସେମାନ ଚିତ୍ରକରର ତୁଳିକାଦ୍ୱାରା ମଧୁମୟ ଓ ବିଚିତ୍ର କରି ଯାଇ ଅଛନ୍ତି । ପ୍ରତିବେଶୀ ସାହିତ୍ୟମାନଙ୍କର ଭାବ ଓ ଛଟାକୁ ସେ ଆହରଣ କରି ଆଧୁନିକ ଉତ୍କଳ ସାହିତ୍ୟକୁ ଚିରକାଳ ପାଇଁ ପରିପୁଷ୍ଟ କରିଯାଇ ଅଛନ୍ତି ।

 

ସାହିତ୍ୟରେ ସାହିତ୍ୟିକ ଗଦ୍ୟ ଲେଖା ମଧୁସୂଦନଙ୍କଠାରୁ ଆରମ୍ଭ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରବନ୍ଧମାଳାର ଶବ୍ଦ ବିନ୍ୟାସ, ବାକ୍ୟରଚନା, ପଦଯୋଜନାମାନ ପ୍ରତ୍ୟେକ ପାଠକର ହୃଦୟକନ୍ଦରକୁ ଝଙ୍କାରିତ କରିଦିଏ । ଉତ୍କଳ ଭାଷାର ଏହି ଓଜସ୍ମିତା ପୂର୍ବେ କେହି ଉପଲବ୍‌ଧି କରି ନ ଥିଲା । ମଧୁସୂଦନ ଭାଷାର ଏହି ଅଚିନ୍ତନୀୟ କ୍ଷମତା-ଉତ୍ସକୁ ପ୍ରବନ୍ଧମାଳା ଦ୍ୱାରା ଉଦ୍‌ଘାଟିତ କରିଥିଲେ । ଛାନ୍ଦମାଳାରେ ଉତ୍କଳର ଷଡ଼୍‌ଋତୁ ଚିତ୍ର ଓ ପଲ୍ଲୀ ଶୋଭା ପ୍ରତି ପ୍ରଥମେ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷିତ ହୋଇଥିଲା । ଲୋକେ ସଭ୍ୟ, ଶିକ୍ଷିତ ଓ ମାର୍ଜିତ ହେବା ମାତ୍ରକେ ରାଜଧାନୀ ଓ ସହର ପ୍ରତି ସେମାନଙ୍କର ମମତା ବଢ଼ୁଥିଲା । କିନ୍ତୁ ‘‘ଛାଡ଼ି ବନ୍ଧୁ ନଗର ଚହଳ, ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେ ଆନନ୍ଦେ କାଟନ୍ତି ଦିନ’’ ଏ କଥା ମଧୁସୂଦନ ଆମ୍ଭମାନଙ୍କୁ ଶିଖାଇଲେ । ଫଳତଃ କବିତା ମଧୁସୂଦନଙ୍କର କ୍ଷେତ୍ର ଥିଲା– ପ୍ରଥମେ ପ୍ରଥମେ ପ୍ରତ୍ୟେକ କବିତାର ଶେଷରେ ପାଠକର ମନକୁ ଲୀଳାମୟ ବିଭୁଙ୍କ ଆଡ଼କୁ କବି ଆକର୍ଷଣ କରୁ କରୁ ଶେଷରେ କବି ନିଜେ ବିଭୁପ୍ରେମରେ ଏପରି ମତ୍ତ ହୋଇ ଯାଇଥିଲେ, ଯେ ତାଙ୍କର ପ୍ରତ୍ୟେକ କବିତାରୁ ଭକ୍ତି-ପ୍ରସବଣ ବହି ପାଠକ ମନକୁ ପ୍ରେମରେ ବିଭୋର କରି ପକାଉଥିଲା । ମଧୁସୂଦନ ଜାତୀୟ ଭାବୋଦ୍ଦୀପକ ପଦ୍ୟ ଓ ସ୍ୱଦେଶ-ପ୍ରେମୋଦ୍ଦୀପକ କବିତା ଦ୍ୱାରା ମଧ୍ୟ ଉତ୍କଳ-ସାହିତ୍ୟ-କୁଞ୍ଜକୁ ଝଙ୍କାରିତ କରି ଯାଇଅଛନ୍ତି । ମଧୁସୂଦନଙ୍କ ଲେଖାରେ ଭାଷାର ମାଧୁରୀ ଭାବର ପବିତ୍ରତା ଓ ହୃଦୟର ସରଳ ବିଶ୍ୱାସ ପ୍ରତି ପୃଷ୍ଠାରେ ଉଛୁଳି ପଡ଼ିଅଛି ଓ ଉତ୍କଳ ତାକୁ ଭକ୍ତ-କବି ଆଖ୍ୟାଦ୍ୱାରା ସମ୍ମାନିତ କରିଅଛି ।

 

ଗୌରୀଶଙ୍କର ସମ୍ୱାଦପତ୍ରର ସମ୍ପାଦକ ରୂପ ଅବତୀର୍ଣ୍ଣ ହେବା ପୂର୍ବେ ଉତ୍କଳରେ ଗୋଟିଏ ସାଧାରଣ ସଭା ନ ଥିଲା । ପୂର୍ବେ ଲିଖିତ ଉପାୟରେ ଉତ୍କଳୀୟମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେଉ ନ ଥିବାରୁ ଉତ୍କଳ ଭାଷା ପ୍ରାଦେଶିକତାରେ ପୂର୍ଣ୍ଣ ଥିଲା; ଏମନ୍ତ କି ଉତ୍କଳଭାଷୀ ଗୋଟିଏ ଅଞ୍ଚଳରେ ବ୍ୟବହୃତ ହେଉଥିବା ଭାଷାକୁ ଅନ୍ୟ ଅଞ୍ଚଳରେ ଲୋକେ ବୁଝିପାରୁ ନ ଥିଲେ । ଭାଷାରୁ ଏହିସବୁ ପ୍ରାଦେଶିକତା ଦୂର କରି ସମଗ୍ର ଉତ୍କଳରେ ଗୋଟିଏ ସାଧାରଣ ଭାଷା ପ୍ରବର୍ତ୍ତାଇବା ବିଷୟରେ ଉତ୍କଳ-ଦୀପିକା ଯେଉଁ କାର୍ଯ୍ୟ କରିଅଛି, ତହିଁର ମୂଲ୍ୟ ନିରୂପଣ କରିବା ସହଜ ନୁହେଁ ।

 

ଉପରେ ଯେଉଁ ତିନିଜଣ ମହାତ୍ମାଙ୍କର ନାମ ଉଲ୍ଲେଖ କରିଅଛି, ସେମାନେ ଉତ୍କଳ-ସାହିତ୍ୟର ଗୋଟିଏ ଗୋଟିଏ ବିଭାଗକୁ ଅବଲମ୍ବନ କରି ଉତ୍କଳ ସାହିତ୍ୟକୁ ମାର୍ଜିତ, ଉନ୍ନତ ଓ ପରିପୂତ କରିଯାଇଅଛନ୍ତି । କିନ୍ତୁ ଫକୀରମୋହନଙ୍କଠାରେ ଏ ତିନିଜଣଙ୍କର କାର୍ଯ୍ୟର ସମନ୍ୱୟ ଦେଖାଯାଉଥିଲା । କି ଗଦ୍ୟ, କି ପଦ୍ୟ, କି ପାଠ୍ୟପୁସ୍ତକ, କି ଧର୍ମଶାସ୍ତ୍ର କି ଉପନିଷଦ, କି ଦର୍ଶନ, କି ଉପନ୍ୟାସ, କି ବ୍ୟଙ୍ଗୋକ୍ତି, ସବୁଥିରେ ସେ ସିଦ୍ଧହସ୍ତ ଥିଲେ । ବାଲ୍ୟକାଳରୁ ନାନା ବୈଷୟିକ ଅବସ୍ଥାରେ ସେ ସୁଖରେ ଦୁଃଖରେ ପଡ଼ି ସଂସାର ସଙ୍ଗେ ତାଙ୍କର ଏତେଦୂର ପରିଚୟ ହୋଇଥିଲା ଓ ମନୁଷ୍ୟପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାରେ ସେ ଏପରି ପଟୁଥିଲେ ଯେ, ସେ ଯେତେବେଳେ ଯେଉଁ ରସ ଗଢ଼ିବାକୁ ଚେଷ୍ଟା କରିଅଛନ୍ତି, ଓ ଯେତେବେଳେ ପାଠକ ମନରେ ଯେଉଁ ରସ ଢାଳିବା ନିମନ୍ତେ ଚେଷ୍ଟା କରିଅଛନ୍ତି, ତାହା ସେ ଅକ୍ଳେଶରେ କରିପାରିଅଛନ୍ତି । ଓଡ଼ିଶାର କନ୍ଦି ବିକନ୍ଦି ଓ ଓଡ଼ିଆଙ୍କର ହାଲଚାଲ କିଛି ତାଙ୍କୁ ଅଜଣା ନଥିଲା– ଚରିତ୍ର ଚିତ୍ରଣ ବିଷୟରେ ସେ ସିଦ୍ଧହସ୍ତ ଥିଲେ-। ଏମନ୍ତ କି, ତାଙ୍କର କଳ୍ପିତ ଚିତ୍ର ଓ ମନୁଷ୍ୟମାନଙ୍କର ବିଷୟ ପାଠ କଲାବେଳେ ପାଠକ ବାସ୍ତବ ରାଜ୍ୟରେ, କି କଳ୍ପନା ରାଜ୍ୟରେ ଅଛି, ଏହା ବେଳେ ବେଳେ ଠଉରାଇ ହୁଏ ନାହିଁ । ଏହାଙ୍କ ପୂର୍ବରେ ଓଡ଼ିଶାରେ ଦୁଇଟା ଭାଷା ପ୍ରଚଳିତ ଥିଲା । ୧– ପୁସ୍ତକଗତ ଭାଷା, ୨– କଥିତ ଭାଷା-। ପୁସ୍ତକଗତ ଭାଷାରେ ପାଣ୍ତିତ୍ୟ, ଅଳଙ୍କାର, ଶବ୍ଦାଡ଼ମ୍ବର ଓ ସଂସ୍କୃତମୂଳକ ଶବ୍ଦମାନ ପୂର୍ଣ୍ଣ ଥିଲା ଓ କଥିତ ଭାଷାକୁ ସାହିତ୍ୟିକମାନେ ଅତି ହେୟ ବୋଲି ମନେ କରୁଥିଲେ । ମୁଁ ଯେତେବେଳେ ଶୈଶବାବସ୍ଥାରେ ଆଖ୍ୟାନମଞ୍ଜରୀ ଓ ଛାନ୍ଦମାଳା ଆଦି ସ୍କୁଲରେ ପଢ଼ୁଥିଲି, ଗୋଟିଏ ଗୋଟିଏ ସ୍ଥାନ ଓ ବିଷୟ ମତେ ଏତେ ଭଲ ଲାଗୁଥିଲା ଯେ, ମୁଁ ସ୍କୁଲରୁ ଛୁଟି ପାଇଲେ ଘରକୁ ଯାଇ ସେହି କଥାମାନ ବୋଉ (ମାତା), ନାନୀ (ଜ୍ୟେଷ୍ଠା ଭଗିନୀ) ଆଦିଙ୍କୁ କହିବି ବୋଲି ଉଚ୍ଛନ୍ନ ହେଉଥିଲି-। କିନ୍ତୁ ଘରକୁ ଯାଇ ସେମାନଙ୍କ ଆଗରେ ସେ କଥାମାନ କହିବାକୁ ବସି ଦେଖେଁ ଯେ, ପୁସ୍ତକସ୍ଥ ସମସ୍ତ ଭାବ ମୁହଁରେ ବ୍ୟକ୍ତ କରି ପାରିବାର କ୍ଷମତା ମୋର ସେତେବେଳେ ହୋଇ ନଥିଲା-। ଅତଏବ ଅଗତ୍ୟା ପାଠ୍ୟପୁସ୍ତକ ଖଣ୍ତିମାନ ଆଣି ସ୍ତ୍ରୀଲୋକମାନଙ୍କ ଆଗରେ ଧରି ପଢ଼ି ବସୁଥିଲି-। କିନ୍ତୁ ସେ ଭାଷା ଘରୋଇ ଭାଷା ନ ଥିବାରୁ ମୁଁ ପାଠ୍ୟପୁସ୍ତକର ଗଦ୍ୟ ବା ପଦ୍ୟାଂଶମାନ ଆବୃତ୍ତି କଲାବେଳେ ଶ୍ରୋତ୍ରୀମଣ୍ତଳୀ ସେ ଭାଷା ବୁଝି ନ ପାରି ମୋ ମୁହଁକୁ ବଲ ବଲ କରି ଚାହିଁଥାନ୍ତି-। ମୋ ପିଲାଦିନେ (ଆଜକୁ ୩୫ ବରଷ ତଳେ) ଓଡ଼ିଆ ଭାଷାର ଏ ଅବସ୍ଥା ଥିଲା । ଭାଷାଟା ଯେତିକି ସାଳଙ୍କାର, ସାଡ଼ମ୍ୱର, ସସଂସ୍କୃତ ହେଉଥିଲା, ତାହା ସେତିକି ସାହିତ୍ୟିକ ଭାଷା ବୋଲି ଆଦୃତ ହେଉଥିଲା । ମୁଖ-ପ୍ରଚଳିତ ଭାଷାକୁ ସାହିତ୍ୟ-କ୍ଷେତ୍ରରେ ପ୍ରବେଶାଧିକାର ନିଷେଧ ଥିଲା-। ଅନ୍ୟାନ୍ୟ ଉନ୍ନତ ସାହିତ୍ୟମାନଙ୍କରେ ଦେଖାଯାଇଅଛି ଯେ, ଯେଉଁ ସାହିତ୍ୟରେ କଥିତ ଭାଷା ଓ ଲିଖିତ ଭାଷା ମଧ୍ୟରେ ପାର୍ଥକ୍ୟ ଅଳ୍ପ, ସେ ଭାଷା ସେତିକି ଉନ୍ନତ । ଇଂରାଜୀରେ ମଧ୍ୟ ଉପଦେଶ ଅଛି– ‘‘Write as you speak’’ । କିନ୍ତୁ ଆମ ଦେଶରେ ୪୦ ବରଷ ପୂର୍ବେ ଥିଲା ‘‘ Write as you do not speak’’ । ବର୍ତ୍ତମାନ ପ୍ରସଙ୍ଗରେ ଏ ସବୁ କଥା ଆଲୋଚନା କରିବାର ଅବସର ନୁହେଁ । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ, କି ଗଦ୍ୟରେ, କି ପଦ୍ୟରେ, କଥିତ ଭାଷା ଓ ଲିଖିତ ଭାଷାକୁ ପରସ୍ପରର ନିକଟକୁ ଆଣି ଗୋଟାଏ ସର୍ବଜନବୋଧ ଭାଷା ସୃଷ୍ଟି କରିବାରେ ଫକୀରମୋହନଙ୍କର ଦୃଢ଼ ଚେଷ୍ଟା ଫଳବତୀ ହୋଇଥିଲା । ସେ ଉତ୍କଳ ସାହିତ୍ୟକୁ ଆପାମର ସାଧାରଣଙ୍କ ସମ୍ପତ୍ତି କରି ଯାଇଛନ୍ତି– ମୋର ଯେତେଦୂର ମନେ ହେଉଅଛି, ଫକୀରମୋହନଙ୍କ ‘‘ଉପହାର’’ ଓ ‘‘ପୁଷ୍ପମାଳା’’ ପଢ଼ିବା ପୂର୍ବରୁ ଆଦ୍ୟପ୍ରାନ୍ତ ଏପରି ସରଳ ଓ ପ୍ରାକୃତିକ ଭାଷା ଆଧୁନିକ ସାହିତ୍ୟରେ ମୁଁ ପଢ଼ି ନ ଥିଲି । ହୃଦୟର ଆବେଗ ଓ ପ୍ରାକୃତିକ ଚିତ୍ରକୁ ସର୍ବଜନବୋଧ ଘରୋଇ ଭାଷାରେ ପଦ୍ୟାକାରରେ ଉପସ୍ଥାପିତ କରିବାର ମାର୍ଗ ଫକୀରମୋହନ ପ୍ରଥମେ ଆଧୁନିକ ଉତ୍କଳ ସାହିତ୍ୟକୁ ଦେଖାଇଥିବାର ମୋର ଧାରଣା । ତହିଁପରେ ଉତ୍କଳ ସାହିତ୍ୟରେ ‘‘ପଲ୍ଲୀଚିତ୍ର’’ ଆଦି ସରଳ ପଦ୍ୟମାନ ମୋ ଦୃଷ୍ଟିଗୋଚର ହୋଇଥିଲା-। ମୁଁ ମଧ୍ୟ କେତେକ ସରଳ ପଦ୍ୟ ଲେଖିବାକୁ ଚେଷ୍ଟା କରିଥିଲି, କିନ୍ତୁ କୃତକାର୍ଯ୍ୟ ହୋଇପାରିଲି ନାହିଁ-। ଫକୀରମୋହନ ଉତ୍କଳରେ ଗଦ୍ୟକୁ ଯେଉଁ ଭାଷା ଦେଇ ଯାଇଅଛନ୍ତି, ସେ ଭାଷା ତତ୍‌ପୂର୍ବେ ସାହିତ୍ୟକ୍ଷେତ୍ରରେ ପ୍ରଚଳିତ ନ ଥିଲା ବୋଲି କହିଲେ ଚଳେ । କି ଭାଷାର ଗ୍ରାମ ମାଧୁରୀ, କି ସାମାଜିକ ଚିତ୍ର ଚିତ୍ରଣ, କି ମାନବ ପ୍ରକୃତି ବର୍ଣ୍ଣନ, କି ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନ, ସବୁଥିରେ ‘‘ଛମାଣ ଆଠ ଗୁଣ୍ଠ’’ ଉତ୍କଳ ସାହିତ୍ୟରେ ଗଦ୍ୟ ବିଭାଗରେ ଗୋଟିଏ ନବଯୁଗର ସୂଚନା କରିଥିଲା । ଖାଣ୍ଟି ଓଡ଼ିଆ ଭାଷା ଫକୀରମୋହନଙ୍କ ଲେଖାର ପ୍ରତି ଛତ୍ରରେ ପୂର୍ଣ୍ଣ । ସେ ନିଜେ ଅନେକ ଥର କଥା ପ୍ରସଙ୍ଗରେ ପ୍ରକାଶ କରିଥିଲେ ଯେ, ତାଙ୍କର ବାଲ୍ୟକାଳରେ ଓଡ଼ିଆ ପୁସ୍ତକର ସଂଖ୍ୟା ଆଙ୍ଗୁଠି ଆଗରେ ଗଣତି ହେଉଥିଲା; କିନ୍ତୁ ତାଙ୍କରି ଜୀବଦ୍ଦଶାରେ ସେ ଉତ୍କଳ ସାହିତ୍ୟ ଓ ଭାଷାର ବିଶେଷ ପୁଷ୍ଟି ଓ ଉନ୍ନତି ଦେଖି କୃତାର୍ଥ ହୋଇଥିଲେ । ଗଦ୍ୟରେ ମୁଁ ମୋ କ୍ଷୁଦ୍ର ଶକ୍ତି ଅନୁସାରେ ତାଙ୍କର ଖାଣ୍ଟି ସରଳ ଘରୋଇ ଓଡ଼ିଆ ଭାଷାକୁ ଅନୁକରଣ କରିଥିଲି ଓ ସେ ଚେଷ୍ଟାରେ ମୁଁ କେତେଦୂର କୃତକାର୍ଯ୍ୟ ହୋଇଅଛି, ତାହାର ମୀମାଂସା ଉତ୍କଳୀୟ ପାଠକ ସାଧାରଣଙ୍କଠାରେ । ଫକୀର ମୋହନ କେତେଥର ମୋର ଖାଣ୍ଟି ଓଡ଼ିଆ ଭାଷା ଯୋଗୁଁ ମତେ ଧନ୍ୟବାଦ ଦେବାକୁ ଆସି ‘ମୋର ଆଦର୍ଶ କିଏ’ ଏ ପ୍ରଶ୍ନର ଉତ୍ତରରେ ‘‘ମୋ ଲେଖା ଆପଣଙ୍କ ଲିଖନଭଙ୍ଗୀ ଓ ଭାଷା ଛଟାର ବିକୃତ ଅନୁକରଣ ମାତ୍ର’’ ଶୁଣି ପ୍ରେମରେ ଗଦ୍‌ଗଦ ହୋଇଥିବାର ମୁଁ ନିଜେ ଅନୁଭବ କରିଅଛି । ମୋର କୌଣସି ପ୍ରବନ୍ଧ ବା ପୁସ୍ତକ ପ୍ରକାଶିତ ହେବା ମାତ୍ରକେ ଯେଉଁ ବ୍ୟକ୍ତିମାନେ ମତେ ଉତ୍ସାହିତ କରିଥିଲେ, ସେମାନଙ୍କ ମଧ୍ୟରେ ଫକୀରମୋହନଙ୍କ ନାମ ଅଗ୍ରେ ଉଲ୍ଲେଖଯୋଗ୍ୟ । ଉତ୍କଳ ସାହିତ୍ୟର ସମସ୍ତ କ୍ଷେତ୍ର ତାଙ୍କର ପ୍ରତିଭା ଦ୍ୱାରା ଅଳଂକୃତ ହୋଇଥିଲା ଓ ଆଧୁନିକ ଉତ୍କଳ ସାହିତ୍ୟରେ ତାଙ୍କର ପ୍ରଭା ପ୍ରତିଫଳିତ ହୋଇଅଛି । ବୃଦ୍ଧ ବୟସରେ ଖିଳ ହରିବଂଶ, ଉପନିଷଦ ଆଦି ବିରାଟ ଗ୍ରନ୍ଥମାନ ଅନୁବାଦ କରିବାରେ ଏବଂ ନବ ନବ ଗଳ୍ପ ଉପନ୍ୟାସ ସୃଷ୍ଟି କରିବାରେ ସେ ଯେଉଁ ଅଧ୍ୟବସାୟ ଓ ସାହିତ୍ୟ-ସେବାର ଦୃଷ୍ଟାନ୍ତ ଦେଖାଇ ଅଛନ୍ତି, ତାହା ଆମ ଦେଶରେ ବିରଳ-। ସାମାଜିକ ଚିତ୍ର ଚିତ୍ରଣରେ ସେ ଯେଉଁ କୃତିତ୍ୱ ଦେଖାଇଅଛନ୍ତି, ତାହା ଓଡ଼ିଆ ସାହିତ୍ୟର ଅନ୍ୟତ୍ର ଦୁର୍ଲଭ ବୋଲି ମୋର ଧାରଣା । ଗାଁର ପୋଖରୀ ତୁଠଠାରୁ ଜମିଦାରଙ୍କ ଅନ୍ତଃପୁର ପର୍ଯ୍ୟନ୍ତ, ଅଦାଲତ ମିସଲଠାରୁ ତନ୍ତୀର ଦାଣ୍ତଘର ପର୍ଯ୍ୟନ୍ତ, ସେ ଯେଉଁଠାକୁ ଯାଇଅଛନ୍ତି, ସେ ସ୍ଥାନର ଅବିକଳ ଫଟୋଗ୍ରାଫ ଆଣି ପାଠକଙ୍କ ଆଗରେ ଥୋଇଦେଇ ଅଛନ୍ତି । ଇଂରାଜୀରେ କଥା ଅଛି, ‘‘That is art which conceals art’’ ଯେଉଁ କୃତିତ୍ୱ ଏପରି ପ୍ରାକୃତିକ ଯେ ସେଥିରେ କୃତିତ୍ୱ ଅଛି ବୋଲି ସାଧାରଣ ଜାଣି ପାରନ୍ତି ନାହିଁ, ତାହାହିଁ କୃତିତ୍ୱ । ଫକୀର ମୋହନଙ୍କର କୃତିତ୍ୱ ଏହି ଶ୍ରେଣୀର । ଆନନ୍ଦର ବିଷୟ ଯେ, ସେ ନିଜେ ଆତ୍ମ ‘ଜୀବନୀ’ ଲିପିବଦ୍ଧ କରିଯାଇ ଅଛନ୍ତି ଓ ଆଶା କରାଯାଏ ଯେ ତାଙ୍କର ସୁପୁତ୍ର ମୋହିନୀ ମୋହନ ପିତୃଦେବଙ୍କର ଅପ୍ରକାଶିତ, ଅମୁଦ୍ରିତ ଗ୍ରନ୍ଥ ଓ ଲେଖା-ଗୁଡ଼ିକରୁ ଉତ୍କଳକୁ ବଞ୍ଚିତ କରିପାରିବେ ନାହିଁ ।

 

ଫକୀର ମୋହନଙ୍କ ସଙ୍ଗେ ମୋର ପ୍ରଥମ ବ୍ୟକ୍ତିଗତ ଆଳାପ ୧୯୦୩ ଏପ୍ରେଲ ମାସରେ ଗଞ୍ଜାମ ବ୍ରହ୍ମପୁରଠାରେ ଉତ୍କଳ ସାମାଜିକ କନଫରେନ୍‌ସ ସମୟରେ ଘଟିଥିଲା । ସେହି ସମୟରେ ରାଜନୈତିକ ଉତ୍କଳରୁ ଯେଉଁ କେତେକ ବ୍ୟକ୍ତି ନିମନ୍ତ୍ରିତ ହୋଇ ବ୍ରହ୍ମପୁରକୁ ଯାଇଥିଲେ, ତାଙ୍କ ସଙ୍ଗେ ମୁଁ ମଧ୍ୟ ଯାଇଥିଲି । ଏକସ୍ଥାନରେ ବସା କରି ଫକୀର ମୋହନଙ୍କ ସାହଚର୍ଯ୍ୟରେ ଯେଉଁ ସୁଖ ଲାଭ କରିଥିଲି, ତାହା ପାଶୋରି ହେବ ନାହିଁ । ଗତ (୧୯୧୮) ଏପ୍ରେଲ ମାସରେ ସୋନପୁର-ବୃହତ୍‌ ଖେମୁଣ୍ତି ବିବାହ ଉତ୍ସବରେ ଯୋଗ ଦେବା ନିମନ୍ତେ ଆମ୍ଭେମାନେ ବ୍ରହ୍ମପୁରକୁ ଯାଇଥିବା ସମୟରେ ବ୍ରହ୍ମପୁରଠାରେ ଫକୀର ମୋହନଙ୍କ ସାଙ୍ଗେ ମୋର ଶେଷ ସାକ୍ଷାତ୍‌ ହୋଇଥିଲା– ଏହି ପନ୍ଦର ବର୍ଷ ମଧ୍ୟରେ ଅନେକ ଥର ତାଙ୍କର ସାହଚର୍ଯ୍ୟ ଲାଭ କରି ତାଙ୍କର ନିଷ୍କପଟ ସ୍ନେହ, ଯୁବକ ଲେଖକମାନଙ୍କ ପ୍ରତି ବାତ୍ସଲ୍ୟ, ଅମାୟିକ ବ୍ୟବହାର, ସରଳ ବିଶ୍ୱାସରେ ମୁଁ ମୁଗ୍‌ଧ ହୋଇଥିଲି । ମୋ ଲେଖା ଓ ପ୍ରବନ୍ଧ ପାଠ କରି ସେ ଅଯାଚିତ ଭାବରେ ମୋଠାକୁ ଯେଉଁ କେତେକ ଖଣ୍ତ ପତ୍ର ସମୟ ସମୟରେ ଲେଖିଥିଲେ, ତାହା ମୁଁ ମୋର ଅକିଞ୍ଚନ ସାହିତ୍ୟ ସେବାର ପୁରସ୍କାର ସ୍ୱରୂପ ବହୁ ଯତ୍ନରେ ସମ୍ପାଦି ରଖିଅଛି । ତାଙ୍କର ଜୀବନର ଗୋଟିଏ ସାମାନ୍ୟ ଘଟଣାରୁ ତାଙ୍କର ବାଳ-ସୁଲଭ ସରଳ ବିଶ୍ୱାସର ମାତ୍ରା ଅନୁମିତ ହେବ ।

 

୧୯୧୫ ସାଲରେ ବାମଣ୍ତା ରାଜକୁମାରୀଙ୍କ ମଙ୍ଗଳକୃତ୍ୟ ଉପଲକ୍ଷରେ ଆମ୍ଭେମାନେ ନିମନ୍ତ୍ରିତ ହୋଇ ବାମଣ୍ତା ଗଡ଼କୁ ଯାଇଥିଲୁଁ– ବାମଣ୍ତାର ସ୍ୱର୍ଗୀୟ ରାଜାଙ୍କ ସଭାରେ ସେ ‘‘ସରସ୍ୱତୀ’’ ଉପାଧି ପ୍ରାପ୍ତ ହୋଇଥିଲେ । ବାମଣ୍ତା ଷ୍ଟେସନଠାରୁ ରେଳରୁ ଓହ୍ଲାଇ ସେ ଶ୍ରୀଯୁକ୍ତ ବିଶ୍ୱନାଥ କର ଓ ମୁଁ ଏକତ୍ର ଖଣ୍ତେ ମଟର ଗାଡ଼ିରେ ବାମଣ୍ତାକୁ ଯାଉଁଥିଲୁଁ । ବାଟରେ ଅନେକ ନଦୀ, ପର୍ବତ, ଅରଣ୍ୟ ଓ ଗ୍ରାମ ଆମ୍ଭେମାନେ ଅତିକ୍ରମ କରି ଯିବା ସମୟରେ ଫକୀର ମୋହନ ଆମ ଦୁହିଁଙ୍କୁ ପ୍ରତ୍ୟେକ ବସ୍ତୁର ପରିଚୟ ପଚାରୁଥିଲେ ।

 

ପ୍ରଥମେ ମୁଁ କହିଥିଲି ଯେ, ଏ ସବୁର ନାମ ମୁଁ କହି ପାରିବି ନାହିଁ । କିଛିକ୍ଷଣ ଗଲାରୁ ସେ ଏଥିରୁ ନିରସ୍ତ ନ ହୋଇ ପିଲାଙ୍କ ପରି ପୁନର୍ବାର ପଚାରନ୍ତି ‘‘ଏ ନଦୀଟିର ନାମ କଣ ? ଏ ପର୍ବତଟିର ନାମ କଣ ? ଏ ଗ୍ରାମଟିର ନାମ କଣ ? ଏ ଗ୍ରାମଟିର ନାମ କଣ ?’’ ମୁଁ ସଙ୍ଗେ ସଙ୍ଗେ ଗୋଟାଏ କିଛି ଉତ୍ତର ଦେଉଥାଏଁ । ଯଥା– ଏ ନଦୀର ନାମ ଖଣ୍ତାଝରୀ, ଏ ପର୍ବତର ନାମ ସପ୍ତଶୃଙ୍ଗୀ, ଏ ଗ୍ରାମଟିର ନାମ ମହୁରି ଖଣ୍ତି ଇତ୍ୟାଦି, ଇତ୍ୟାଦି– ବିଶ୍ୱନାଥ ବାବୁ ଏହା ଶୁଣି ମୋର ବାଚାଳତା ଓ ଚଗଲା ପଣ ଦେଖି ମୁରୁକେଇ ମୁରୁକେଇ ହସୁଥାନ୍ତି, କିନ୍ତୁ ଫକୀର ମୋହନ ମୋ ଉତ୍ତରକୁ ସରଳ ଭାବରେ ବିଶ୍ୱାସ କରି ତତ୍ତତ୍‌ ନଦୀ, ପର୍ବତାଦିର ନାମ ନିଜର ନୋଟ୍‌ ବହିରେ ଲେଖି ନେବାକୁ ପ୍ରସ୍ତୁତ । ଏହା ଦେଖି ମୁଁ ଓ ବିଶ୍ୱନାଥ ବାବୁ ହସି ହସି ତାଙ୍କୁ କହିଲୁ ଯେ, ଏ ସବୁ ନାମ କେବଳ ମୋର କଳ୍ପନାପ୍ରସାତ । ବୃଦ୍ଧ କବିଙ୍କୁ ଏ କଥା ୨।୩ ଥର ଦୃଢ଼ଭାବରେ କହିବା ପରେ ସେ ଉକ୍ତ ନାମମାନ ନୋଟ ବହିରେ ଲେଖି ନେବାର ଚେଷ୍ଟାରୁ ବିରତ ହେଲେ ଓ ମୋର ଏ ବଗୁଲିଆପଣିଆ ଦେଖି ଇଚ୍ଚହାସ୍ୟ କଲେ ।

 

ଫକୀର ମୋହନଙ୍କ ଜୀବନରେ ଆଉ ଗୋଟିଏ ଘଟନା ଘଟିଥିବା ବିଷୟ ଏଠାରେ ଉଲ୍ଲେଖଯୋଗ୍ୟ । ପ୍ରଥମେ ଯେତେବେଳେ ଉତ୍କଳ-ସମ୍ମିଳନୀ ପ୍ରତିଷ୍ଠିତ ହେଲା, ସେହିଦିନଠାରୁ ଉକ୍ତ ସଭାରେ ସଭାପତି ପଦ କେବଳ ରାଜା ମହାରାଜା ଆଦିଙ୍କ ଦ୍ୱାରା ଅଳଂକୃତ ହୋଇ ଆସୁଥିଲା । କଥା ପ୍ରସଙ୍ଗରେ କେହି କେହି ସମ୍ମିଳନୀର ଭାଗ୍ୟବିଧାତାଙ୍କ ମୁହଁରୁ ଶୁଣାଯାଇଥିଲା ଯେ, ସାହିତ୍ୟ ସେବକ, କବିତା ଲେଖକ ଓ ଖବର କାଗଜବାଲାଲୁଚାକ ନିକମା । ସେମାନଙ୍କ ହାତରେ ଶାଗ ସିଝେ ନାହିଁ । ଏଥିପାଇଁ ଉତ୍କଳରୁ ବଛା ବଛି ହୋଇ ଚୋଖା କାମିକା ବ୍ୟକ୍ତିମାନଙ୍କୁ ଆଜି ପର୍ଯ୍ୟନ୍ତ ଜାତୀୟ ସମ୍ମିଳନୀରେ ସଭାପତି କରାଯାଉଥିଲା । ଏବର୍ଷ ମଧ୍ୟ ପାରଳାର ଗଜପତିଙ୍କୁ ଉଚ୍ଚ ଆସନ ଅଳଂକୃତ କରିବାକୁ ନିମନ୍ତ୍ରଣ ହୋଇଥିଲା । କିନ୍ତୁ ଭଗବାନଙ୍କ ବରାଦରୁ ରାଜା ମହୋଦୟ ସଭାପତିତ୍ୱ ଗ୍ରହଣ କରିବାକୁ ଅକ୍ଷମ ହେବାରୁ ଶେଷରେ ସେହି ନିକମା ଶ୍ରେଣୀର କବିତା ବାଲା ବ୍ୟାସ-କବି ଫକୀର ମୋହନଙ୍କ ଉପରେ ସମ୍ମିଳନୀର ଉଦ୍‌ଯୋକ୍ତାମାନଙ୍କର ନଜର ପଡ଼ିଲା ଓ ଫକୀର ମୋହନ ବୃଦ୍ଧ ବୟସରେ ଉତ୍କଳର ଜାତୀୟ ମଣ୍ତପରେ ନେତୃତ୍ୱ ପଦ ଦ୍ୱାରା ଗୌରବାନ୍ୱିତ ହୋଇଥିଲେ । ତାଙ୍କର ମୃତ୍ୟୁର ଅଳ୍ପଦିନ ପୁର୍ବେ ସେ ଏ ଯେଉଁ ସମ୍ମାନ ପାଇଥିଲେ, ତଦ୍ଦ୍ୱାରା ସମଗ୍ର ଉତ୍କଳୀୟ ଜାତି ଗୌରବାନ୍ୱିତ ହୋଇଅଛି ଓ ‘ପୂଜ୍ୟ ପୂଜା’ ‘ବ୍ୟତିକ୍ରମ’ କଳଙ୍କରୁ ଖଲାସ ପାଇଅଛି ।

 

ଫକୀର ମୋହନଙ୍କର ଆଦ୍ୟ ଜୀବନ କର୍ମମୟ ଥିଲା ଓ ପ୍ରବୀଣତା ଲାଭ କରିବା ପରେ ସେ ଜାତୀୟ ସାହିତ୍ୟକୁ ନିଜର ଅଭିଜ୍ଞତା ଓ ଅନୁଭୂତିଦ୍ୱାରା ଐଶ୍ୱର୍ଯ୍ୟଶାଳୀ କରିଯାଇ ଅଛନ୍ତି-। ତାଙ୍କର ଈଶ୍ୱର ନିଷ୍ଠା ମଧ୍ୟ ତାଙ୍କର ଲେଖାବଳିରେ ସୁସ୍ପଷ୍ଟ ପ୍ରତିଭାତ ହେଉଥିଲା । ତାଙ୍କୁ ହରାଇବା ଦ୍ୱାରା ଉତ୍କଳ ସାହିତ୍ୟ ଦରିଦ୍ର ହୋଇଅଛି ।

 

ମୁଁ ଏହିକଥା ଭାବୁଅଛି ଯେ, ଉତ୍କଳାକାଶରୁ ଗୋଟି ଗୋଟି ହୋଇ ଯେଉଁ ଜ୍ୟୋତିମାନେ ଖସି ପଡ଼ୁଅଛନ୍ତି, ତାଙ୍କ ସ୍ଥାନମାନ ପୂର୍ଣ୍ଣ ହେବା କଣ ଭଗବାନଙ୍କର ଅଭିପ୍ରାୟ ନୁହେଁ-

 

(୨୨ଶ ଭାଗ । ୧୩୨୬ । ୮ମ ସଂଖ୍ୟା)

 

ଗତଥର ସାହିତ୍ୟର ବିଧାତାପୁରୁଷ ତାଙ୍କର ମତି ପରିବର୍ତ୍ତନ କରି ଗୋଟିଏ ସଂଖ୍ୟାରେ ‘ଦୁର୍ଗାପୂଜା’ ଭେଟି କାମ ସାଙ୍ଗ କରି ଦେବାରୁ ଆମକୁ ଯୋଗୀ ବେହେରାଙ୍କ କାରସାଦି କରିବାକୁ ପଡ଼ିଲା ନାହିଁ । ହେଲେ କଣ ହେବ, ଚଳିତ ମାସ ସଂଖ୍ୟା ପାଇଁ ଲାଗୁଆ ଜିନିଷଟା ତ ବନ୍ଦ ହେବାର ନୁହେଁ । ବର୍ତ୍ତମାନ ଯେପରି କାଳ ପଡ଼ିଛି, ଏଥିରେ ପେଟ ଓ ପିଠି ଚିନ୍ତା ମନୁଷ୍ୟକୁ ଦିନରାତି ଘାଣ୍ଟୁଛି । ମା ଲକ୍ଷ୍ମୀଙ୍କ ବେ-ଅନୁଗ୍ରହ ସଙ୍ଗେ ସଙ୍ଗେ ମା ସରସ୍ୱତୀ ମଧ୍ୟ ଆମ କଣ୍ଠରେ ବିଜେ କରିବାକୁ ନାରାଜ । ଦେଖାଯାଉ ଯେ, ଦାନା-କନା-ଟଙ୍କା-ସୁନା-କଂସା-ଗିନା ସବୁ ଏ କାଳରେ ମହରତ ହେଲା । କିନ୍ତୁ ମୋ ଭଳିଆ ଲେଖକଙ୍କ ଦୁରବସ୍ଥା ଯିବାକୁ ନାହିଁ । କିରେ ବାପା ! ସବୁ ଜିନିଷର ଭାଉ ବଢ଼ିଲା, ସାହିତ୍ୟର ଓ ଲେଖକଙ୍କର ଅପରାଧ କିସ ରେ ? କାଗଜର ଦର ବଢ଼ିଲା, ଛାପା କଳର ଦାମ, ଟାଇପର ଦାମ, କାଳିର ଦାମ, ପ୍ରିଣ୍ଟରର ମଜୁରି ସବୁ ବଢ଼ିଲା । କିନ୍ତୁ ଉତ୍କଳ-ସାହିତ୍ୟର ତଥାକଥିତ ଅଗ୍ରୀମ ବାର୍ଷିକ ମୂଲ୍ୟ ଯାହା ଥିଲା, ପ୍ରାୟ ସେହିତା ରହିଲା । ଏଥିର କାରଣ :– ସାହିତ୍ୟଟା necessaries (ଜୀବନର ଅବଶ୍ୟ ପ୍ରୟୋଜନୀୟ ବସ୍ତୁ) ମଧ୍ୟରେ ସୁମାରି ନୁହେଁ । ଏହା Luxury (ସଖଜିନିଷ) ମଧ୍ୟରେ । ଏ ମହର୍ଗ କାଳରେ ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ବ୍ୟୟ ସଂକୋଚରେ ବ୍ରତୀ ହୋଇ ଅଛନ୍ତି । ସରୁ ଚାଉଳ ପରିବର୍ତ୍ତରେ ମୋଟ-ଖଇର-କାଣ୍ଟିଆ ବଗଡ଼ା, ବିଲାତୀ ପତଳା ରେଶମପାଡ଼ୀ ଲୁଗା ପରିବର୍ତ୍ତରେ ଦେଶୀ ମୋଟା ଖଦି, କେରାସିନି ପରିବର୍ତ୍ତରେ ଜଡ଼ା ଓ ପୁନାଙ୍ଗ ମଥାଦହି; ଏହିପରି ଜୀବନର ଦୈନନ୍ଦିନ ଅତ୍ୟାବଶ୍ୟକ ବସ୍ତୁମାନ ବ୍ୟବହାର କରିବା ବିଷୟରେ ଲୋକେ ନିଜ ନିଜର ମତ ଓ ଅଭ୍ୟାସକୁ ସଂଯତ କରିବାକୁ ବସିଲେଣି । ଏପରି ସ୍ଥଳରେ ସାହିତ୍ୟ ପତ୍ରିକା ନ ହେଲେ ମଧ୍ୟ ମୋ ଭଳି ଅଧିକାଂଶ ଗୃହୀଙ୍କର ଚଳିବ । ଅତଏବ ସମ୍ପାଦକ ମହାଶୟଙ୍କୁ ମୁଁ ସତର୍କ କରିଦେଇ ଉପଦେଶ ଦେଉଅଛି ଯେ, ସେ କଦାପି ଏ ବୁଦ୍ଧି ବାହାର କରିବେ ନାହିଁ । ଏହି ‘ଆର’ ଟି ମିଳିବା ମାତ୍ରକେ ଅନେକ ଗ୍ରାହକ ଖସିବେ-। ମନୁଷ୍ୟ ବିପଦ, ଆପଦ, ଅଭାବରେ ପଡ଼ିଲେ ‘ଓଇ ବି ଗୁଜର ଯାଏଗା’ କରି ମନଟାକୁ ସମ୍ଭାଳି ରଖେ ଓ ଭବିଷ୍ୟତର ଆଶାର ସ୍ୱପ୍ନରେ ବର୍ତ୍ତମାନର କଠୋର ଅନୁଭବକୁ ଡୁବାଇଦିଏ ।

 

ବର୍ତ୍ତମାନ ଦେଖନ୍ତୁ ଯେ, ସମଗ୍ର ପୃଥିବୀ ବିପଦ ଅଭାବ ଆଦିରେ ଜର୍ଜରିତ । ଇତିଭୟ, ଶତ୍ରୁ ଭୟ, ଅତ୍ୟାଚାର ଭୟ, ଯୁଦ୍ଧ ଭୟ, ଚୋର ଭୟ, ରୋଗ ଭୟ, ମୃତ୍ୟୁ ଭୟ, ରାଜ୍ୟନାଶ ଭୟ ସମଗ୍ର ପୃଥିବୀକୁ ମାଡ଼ି ବସିଅଛି ।

 

ସମଗ୍ର ପୃଥିବୀବ୍ୟାପୀ ମହାସାଗର, ସଭ୍ୟ ରାକ୍ଷସ ଜର୍ମାନୀର ପ୍ରବଳ ଅତ୍ୟାଚାର, ସମଗ୍ର ପୃଥିବୀବ୍ୟାପୀ ଜ୍ୱରରୂପୀ (Influenza) ମହାମାରୀ, ପୃଥିବୀର ଅଧିକାଂଶ ସ୍ଥଳରେ ବର୍ଷା ଅଭାବରୁ ଫସଲର ଦୂରବସ୍ଥା, ଯୁଦ୍ଧ ଯୋଗୁଁ ବ୍ୟବସାୟ ବାଣିଜ୍ୟର କ୍ଷତି ଏସବୁ ଆମ୍ଭମାନଙ୍କୁ ଘୋଟି ରହିଅଛି । ବଳୁଆ ଓ ମଜଭୁତ ଲୋକମାନେ ଯୁଦ୍ଧରେ ଲକ୍ଷ ଲକ୍ଷ ପ୍ରାଣତ୍ୟାଗ କରୁଅଛନ୍ତି, ଯୁଦ୍ଧ ବ୍ୟୟରେ ସଭ୍ୟ ଜାତିମାନେ କଙ୍ଗାଳ ଓ ଦେଣାଦାର ହୋଇଗଲେଣି; ବର୍ଷା ଅଭାବରୁ, ବନ୍ୟା ଇତ୍ୟାଦି ଯୋଗୁଁ, ଫସଲର ଦୁରବସ୍ଥା ଯୋଗୁଁ କୃଷକମାନଙ୍କ ଘରେ କାନ୍ଦ ବୋବାଳି ପଡ଼ିଅଛି; ଜିନିଷ ଅଭାବରୁ, ରେଳ ଓ ଜାହଜ ଅଭାବରୁ, ଆସନ୍ନ ଦୁର୍ଭିକ୍ଷର ସମ୍ଭାବନାରୁ ମହାଜନ ଓ ବଣିଜମାନେ ମୁଣ୍ତରେ ହାତ ଦେଇ ବସିଅଛନ୍ତି; ଗରିବଗୁରୁବା ଓ କିଣିଖିଆମାନେ ଦାନା ଓ କନା ଅଭାବରୁ ଓଷ୍ଠାଗତ ପ୍ରାଣ ଓ କୌପୀନଗତ-ଇଜ୍ଜତ ହୋଇ ସାରିଲେଣି; ବାକି ଯେତକ ଅଛନ୍ତି, ତାଙ୍କ ପାଇଁ Influenza (ସାନ୍ନିପାତିକ-ବିକାର-ଜ୍ୱର) ଉପସ୍ଥିତ । ଏହି ସଙ୍କଟ ସମୟରୁ ମନୁଷ୍ୟ କିପରି ଜୀବନ ଘେନି ବର୍ତ୍ତିବ, ଏହା ସେହି ବିଶ୍ୱବିଧାତା ଭଗବାନଙ୍କୁ ଜଣା । ପୃଥିବୀରେ ଯେତେ କାଳରୁ ସଭ୍ୟତା ଆରମ୍ଭ ହେଲାଣି, ବୋଧହୁଏ ଏପରି ମହା ସଂକଟ କାଳ ଯୁଗପତ୍‌ ତେବେ ସମଗ୍ର ପୃଥିବୀକୁ ଗ୍ରାସିଥିଲା କି ନାହିଁ, ସନ୍ଦେହ । ଇତିହାସରୁ ଦେଖାଯିବ ଯେ, ପୂର୍ବେ ଯେଉଁସବୁ ଯୁଦ୍ଧ, ଦୁର୍ଭିକ୍ଷ, ଅନାବୃଷ୍ଟି, ଅତି ବୃଷ୍ଟି, ମହାମାରୀ ଆଦି ଘଟିଥିଲା, ସେମାନ ସାମୟିକ ଓ ଐକଦେଶିକ ଭାବରେ ଘଟିଥିଲା, ଏକ ଅଞ୍ଚଳରେ ଅଭାବ ହେଲେ ଅନ୍ୟ ଭାଗ୍ୟବାନ ଅଞ୍ଚଳମାନ ସେ ଅଭାବକୁ ପୂରଣ କରି ପାରୁଥିଲେ; କିନ୍ତୁ ୧୯୧୪ ସାଲ ଠାରୁ ପୃଥିବୀର ମହାସମର ଆରମ୍ଭ ହୋଇ ଏହି ୪ ବରଷ ମଧ୍ୟରେ ତାହା ଭୀଷଣାକାର ଧାରଣ କରି ଶେଷକୁ ଚଳିତ ୧୯୧୮ ସାଲରେ ସମଗ୍ର ପୃଥିବୀ ରୋଗ, ଶୋକ, ଦୁଃଖର ଚରମ ସୀମାରେ ପହଞ୍ଚିଅଛି । ଏଥିର ଏକମାତ୍ର ସାନ୍ତ୍ୱନା ‘ଓଇ ବି ଗୁଜର ଯାଏଗା ।’

 

ଚଳିତ ୧୯୧୮ ସାଲ ନାନା କାରଣରୁ ପୃଥିବୀର ଇତିହାସରେ ଗୋଟିଏ ଚିରସ୍ମରଣୀୟ ବର୍ଷ ହୋଇ ରହିବ । ଏବର୍ଷ ପୃଥିବୀର ବିଭିନ୍ନ ଦେଶକୁ ଯୁଗପତ୍‌ ଯେତେଗୁଡ଼ାଏ ବିପଦରେ ପକାଇ ଦେଇଅଛି, ଏପରି କେବେ ଘଟି ନ ଥିଲା । ଦୁଃଖନିଶା ଅମା ରଜନୀ ଅବଶ୍ୟ ପ୍ରଭାତ ହେବ । ଭଗବାନ ଅବଶ୍ୟ ପୃଥିବୀର ଏହି ଅନ୍ଧକାର ରଜନୀକୁ ପୁହାଇବେ । କାରଣ ଏକ ମହାପ୍ରଳୟରେ ସମଗ୍ର ପୃଥିବୀକୁ ଟୁବ୍‌କିନି ଲୋପ କରି ଦେବା ଭଗବାନଙ୍କର କଦାପି ଅଭିପ୍ରେତ ହୋଇ ନ ପାରେ । ପୃଥିବୀର, ତଥା ପ୍ରତ୍ୟେକ ମନୁଷ୍ୟର ଦଶା ‘ପେଣ୍ତୁଲୁମ’ (Pendulum) ଝୁଲିବା ପରି । ପେଣ୍ତୁଲୁମ ଶେଷସୀମାକୁ ଯାଇ ପହଞ୍ଚିଲେ, ସେଠାରୁ ପଛଆଡ଼କୁ ଫେରେ । ଏଥିଯୋଗୁଁ ମନରେ ସାନ୍ତ୍ୱନା ହେଉଅଛି ଯେ, ବର୍ତ୍ତମାନ ଅନୁଭୂତି ଭୀଷଣ ଅବସ୍ଥା ବେଶିଦିନ ରହିବ ନାହିଁ । ଏଥିର ମଧ୍ୟ ସୂଚନା ଦେଖାଯାଉଅଛି । ଆଶା ହେଉଅଛି, ଏ ପ୍ରଳୟଙ୍କର ଯୁଦ୍ଧ ପରେ ସମଗ୍ର ପୃଥିବୀରେ ଅବ୍ୟବଚ୍ଛିନ୍ନ ଶାନ୍ତି ସଂସ୍ଥାପିତ ହେବ, ଦୁଷ୍ଟ ଦମନ, ସାଧୁ ପରିତ୍ରାଣ, ଦୁଷ୍କୃତ ବିନାଶନ, ଧର୍ମ ସଂସ୍ଥାପନ ହେବ– ପଶୁ-ବନ-ଗର୍ବିତ ଜର୍ମାନୀର ପରାଜୟର ଓ ପୃଥିବୀରେ ଚିରଶାନ୍ତି ସ୍ଥାପନର ସମୟ ନିକଟବର୍ତ୍ତୀ ହେଲା ପରି ଜଣା ପଡ଼ୁଅଛି । ଇଂରାଜ ଜାତି ଓ ମିତ୍ରପକ୍ଷୀୟ ଶକ୍ତିମାନଙ୍କର ଯେଉଁ ଧନ, ବଳ ଓ ମନୁଷ୍ୟ କ୍ଷୟ ହୋଇଅଛି, ତହିଁର ଫଳ ଭବିଷ୍ୟତରେ ସମଗ୍ର ପୃଥିବୀ ଉପଭୋଗ କରିବ । ଏହି ଯୁଦ୍ଧ ସମସ୍ତଙ୍କର ଆଖିରୁ ପରଳ କାଢ଼ି ଦେଇଅଛି; ଏଣିକି ପୃଥିବୀ ଯଥେଚ୍ଛାଚାରର କ୍ରୀଡ଼ାଭୂମି ହେବ ନାହିଁ; ଜାତିବିଶେଷର ଏକଚେଟିଆ ବାଣିଜ୍ୟ-କ୍ଷେତ୍ର ହେବ ନାହିଁ; ବ୍ୟକ୍ତିବିଶେଷର ବିହାର-ସ୍ଥଳ ହେବ ନାହିଁ; ସଭ୍ୟ ଜାତିଙ୍କର ଅସଭ୍ୟ ଜାତିଙ୍କ ଉପରେ ଅଧିକାର-ଚାଳନର କ୍ଷେତ୍ର ହେବ ନାହିଁ । ଯେଉଁମାନେ ଆଧୁନିକ ସଭ୍ୟତାର ମାହାତ୍ମ୍ୟ ଓ ଗୌରବ ଘୋଷଣା କରୁଥିଲେ, ସେମାନେ ଆଜି ଦେଖି ପାରିଅଛନ୍ତି ଯେ, ଏହି ପାଶ୍ଚାତ୍ୟ ସଭ୍ୟତା ତଳେ ଅସଭ୍ୟତା, ବର୍ବରତା, ନିଷ୍ଠୁରତା, ଅବିଚାର ପ୍ରଚ୍ଛନ୍ନ ହୋଇ ରହିଥିଲା ଓ ସୁଯୋଗ ପାଇବା ମାତ୍ରେ ତାହା ସୀମା ଲଙ୍ଘନ କରି ବାହାରକୁ ବାହାରି ସମଗ୍ର ଜଗତକୁ ଜାଳି ପୋଡ଼ି ଭସ୍ମକରି ଦେବାକୁ ବସିଅଛି । ଏହି ମହାସମରରେ ପାଶ୍ଚାତ୍ୟ ସଭ୍ୟତାର materialism (ନୀଚ ବୈଷୟିକତା) ନିଜର ପ୍ରକୃତ ଆକାରକୁ ଆଉ ଲୁଚାଇ ରଖି ପାରିଲା ନାହିଁ । ସେହି ଯୁଦ୍ଧ ଯୋଗୁଁ ଆଜି ଭାରତ ନିଜର ମହତ୍ତ୍ୱ, ଦାୟିତ୍ୱଜ୍ଞାନ ଓ କର୍ତ୍ତବ୍ୟନିଷ୍ଠା ସମଗ୍ର ପୃଥିବୀକୁ ଦେଖାଇବାକୁ ସମର୍ଥ ହେଲା ଏବଂ ଆଜି ଭାରତ ମିତ୍ରପକ୍ଷ ଶକ୍ତି ସଙ୍ଗେ ଆପଣାର ଅର୍ଥ, ବଳ ଓ ରକ୍ତ ଢାଳି ଦୁଷ୍କୃତ-ବିନାଶ କାର୍ଯ୍ୟରେ ସାହାଯ୍ୟ କରି ନିଜେ ଧନ୍ୟ ହୋଇଅଛି, ଆଜି ଭାରତର ଲୁପ୍ତ-ରତ୍ନ, ଲୁପ୍ତ-ସାହସ, ଲୁପ୍ତ କ୍ଷମତା ପୁନରୁଜ୍ଜୀବିତ ହୋଇଅଛି । ଆଜି ସମଗ୍ର ସଭ୍ୟଜଗତର ଦୃଷ୍ଟି ଭାରତ ଓ ଭାରତବାସୀଙ୍କ ପ୍ରତି ଆକୃଷ୍ଟ ହୋଇଅଛି । ଭଗବାନ୍‌ ମନୁଷ୍ୟକୁ ଯେତେ ଯେତେ ଦୁଃଖ ଓ ବିପଦରେ ପକାନ୍ତି, ତହିଁ ମଧ୍ୟରେ ତାଙ୍କର ବିଶ୍ୱ ମଙ୍ଗଳମୟ ଉଦ୍ଦେଶ୍ୟ ନିହିତ ଥାଏ । ମନୁଷ୍ୟ ଆପଦରେ ମ୍ରିୟମାଣ ଓ କିଂକର୍ତ୍ତବ୍ୟ-ବିମୂଢ଼ ହୋଇଯିବାରୁ ସେହି ମଙ୍ଗଳମୟ ଉଦ୍ଦେଶ୍ୟକୁ ପ୍ରଥମେ କଳ୍ପନା କରି ପାରି ଉପସ୍ଥିତ ବିପଦ ପାଇଁ କୋଡ଼ି କଚାଡ଼ି ହୁଏ । ମନୁଷ୍ୟ ପକ୍ଷରେ ଯାହା, ଜାତି ପକ୍ଷରେ ମଧ୍ୟ ସେହିତା-। ଏହି ଯେ କାଳରୂପୀ ମହାସମର ସମଗ୍ର ପୃଥିବୀକୁ ବର୍ତ୍ତମାନ ଘୋଟିଗଲା, ତହିଁ ମଧ୍ୟରେ ଭଗବାନଙ୍କର ବିଶ୍ୱ-ଜନୀନ ମଙ୍ଗଳମୟ ଉଦ୍ଦେଶ୍ୟ ନିହିତ ନାହିଁ ବୋଲି କିଏ କହିବ ? ଏ ଯୁଦ୍ଧ ନ ହୋଇଥିଲେ ଭାରତବାସୀଙ୍କ ନାମରେ ଥିବା କେତେଗୁଡ଼ିଏ କଳଙ୍କ ଅପନୋଦନ ହୋଇ ପାରି ନ ଥାନ୍ତା, ସମଗ୍ର ଜଗତକୁ ଆନ୍ତରିକ ରାଜଭକ୍ତିର ନିଦର୍ଶନ ଦେଖାଇବାକୁ ଭାରତବାସୀମାନେ ସୁଯୋଗ ପାଇ ନ ଥାନ୍ତେ; ଭାରତବାସୀଙ୍କୁ ତାଙ୍କର ପ୍ରାପ୍ୟ ସ୍ୱାୟତ୍ତଶାସନ ଅକୁଣ୍ଠିତ ଚିତ୍ତରେ ଦେବା ନିମନ୍ତେ ବ୍ରିଟିଶଜାତି ସୁଯୋଗ ପାଇ ନ ଥାନ୍ତେ; କୃଷ୍ଣ ଗୌର ଚର୍ମ ମଧ୍ୟରେ ପ୍ରଭେଦ ଖୁବ୍‌ କମ୍‌, ଏକଥା ପୃଥିବୀ ଅନୁଭବ କରିବାପାଇଁ ସୁଯୋଗ ପାଇ ନଥାନ୍ତା; ପାଶ୍ଚାତ୍ୟ-ସଭ୍ୟତାଭିମାନ ମଧ୍ୟରେ କି ମହାକାଳ ଫଳ ନିହିତ, ତାହା ସମଗ୍ର ଜଗତ୍‌ ଅନୁଭବ କରିବାକୁ ସୁବିଧା ପାଇ ନ ଥାନ୍ତେ । ଇଂରାଜୀରେ କଥା ଅଛି ‘Necessity is the mother of invention’ ଅର୍ଥାତ୍‌ ମନୁଷ୍ୟ ଅଭାବରେ ପଡ଼ିଲେ ଅଭାବ ପୂରଣ କରିବା ପାଇଁ ଉପାୟ ଉଦ୍ଭାବନ ଆପେ ଆପେ କରିନିଏ । ଆମର ଯେଉଁ ଅଭାବମାନ ଅନ୍ୟ ଦେଶ ପୂରଣ କରୁଥିଲା, ଆଜି ଯୁଦ୍ଧ ଯୋଗୁଁ ସେହି ଦେଶମାନ ଆମ ନିମନ୍ତେ ଉକ୍ତ ପଦାର୍ଥ ଗୁଡ଼ିକ ପଠାଇବାକୁ ଅସମର୍ଥ ହେବାରୁ ସେ ଅଭାବ କିପରି ଆମେ ଆମରି ଦେଶର ପଦାର୍ଥ ଦ୍ୱାରା ପୂରଣ କରିବ; ଏହା ଆମକୁ ଗଭୀର ରୂପେ ଭାବିବାକୁ ପଡ଼ିଲା । ଆଜି ଭାରତର ବୈଷୟିକ ଭବିଷ୍ୟତ୍‌ ଉଜ୍ଜ୍ୱଳ । ଆମର ନିତ୍ୟ ବ୍ୟବହାର୍ଯ୍ୟ ଅନେକ ପଦାର୍ଥ ପାଇଁ ଆମ ଦେଶରୁ ଅନ୍ୟ ଦେଶକୁ raw material ଆଦିମ ଉପାଦାନ; ଯଥା–(ତୁଳା, ଝୋଟ, ଚମଡ଼ା, ପଶମ, ବନ୍ୟଜାତ ପଦାର୍ଥ, ଶସ୍ୟ) ରପ୍ତାନି କରାଯାଇ ତେଣୁ ତିଆରି ପଦାର୍ଥମାନ ଯଥା– (ଲୁଗା, ଅଖା, ଜୋତା, ଆଲୁଆନ, ମାର୍କାମରା ଔଷଧ ଓ ମଦ୍ୟ) ଆମଦାନି ହୋଇ ଆମ୍ଭମାନଙ୍କ ଅଭାବମାନ ପୂରଣ ହେଉଥିଲା । –ଏଣିକି ଏ ଦେଶରେ କଳ କାରଖାନାମାନ ସ୍ଥାପିତ ହୋଇ ଏ ଦେଶରେ ଉକ୍ତ ପଦାର୍ଥମାନ ପ୍ରସ୍ତୁତ ହେବାର କଳ୍ପନା ଲାଗିଅଛି ଓ ଏଥିପାଇଁ ଗଭର୍ଣ୍ଣମେଣ୍ଟ ବଦ୍ଧପରିକର ହୋଇଅଛନ୍ତି । ଯେଉଁ ଜାତିମାନେ ବ୍ୟବସାୟ ବାଣିଜ୍ୟ ଓ କଳ କାରଖାନାରେ ମାତି ଅଭାବ ଓ ଉଦର ପୂରଣର ଆଦିମ ଉପାୟ କୃଷି ଆଡ଼କୁ ମନ ଦେଉ ନ ଥିଲେ, ଆଜି ସେମାନେ ପୁନର୍ବାର କୃଷିର ଉନ୍ନତି ପ୍ରତି ମନ ଦେବାକୁ ଶିଖିଲେଣି । ଏହି ସବୁ ଦେଖି ମୁଁ ଭାବୁଅଛି ଯେ, ଏ ମହାଯୁଦ୍ଧରୁ ସମଗ୍ର ଜଗତ୍‌ ଯେଉଁ ଅଭିଜ୍ଞତା ଓ ଶିକ୍ଷା ଲାଭ କଲା, ତାହା ଆଉ ଭୁଲିବ ନାହିଁ । ଏଥିପାଇଁ କହୁଥିଲି ଯେ, ବିଂଶ ଶତାବ୍ଦୀର ଏହି ସମୟ (୧୯୧୪ ଠାରୁ ୧୯୧୮) ପୃଥିବୀର ଗୋଟିଏ ଚିରସ୍ମରଣୀୟ ଯୁଗ ରୂପରେ ମାର୍କାମରା ହୋଇ ରହିବ । ବର୍ତ୍ତମାନ କର୍ମାନୀ ଓ ତାହାର ମିତ୍ରଶକ୍ତିମାନେ ପାଶବ ବଳର ହେୟତା ଅନୁଭବ କରିପାରି ଯୁକ୍ତରାଜ୍ୟର ସଭାପତିଙ୍କ President of the United State) ସନ୍ଧି ପ୍ରସ୍ତାବରେ ସମ୍ମତ ହୋଇ ଅଛନ୍ତି ଓ ଆଶା କରାଯାଏ ଯେ, ମହାଯୁଦ୍ଧର ଅନୁଭବ ଓ ଶିକ୍ଷା ପରେ ଯେଉଁ ସନ୍ଧି ସ୍ଥାପିତ ହେବ, ତାହା ଚିରସ୍ଥାୟୀ ହେବ । ସ୍ୱାଧୀନତାପ୍ରିୟ ବ୍ରିଟିଶ ଜାତି ଓ ତାଙ୍କର ମିତ୍ରଶକ୍ତିମାନେ ଏହି ଚିରସ୍ଥାୟୀ ସନ୍ଧି ସ୍ଥାପିତ ହେବାର ସୁଦିନ ଆସିବାର ଆଶାରେ ଯେଉଁ ସ୍ୱାର୍ଥ–ତ୍ୟାଗର ଉଦାହରଣ ଦେଖାଇ ଅଛନ୍ତି, ତାହା ପୃଥିବୀରେ ବିରଳ–ସମଗ୍ର ପୃଥିବୀରେ ଶାନ୍ତି ବିରାଜିତ ହେବ, ସବଳ ଜାତି ନିର୍ବଳ ଜାତି ଉପରେ ଆଉ ଅତ୍ୟାଚାର ବା ଅଧିକାର ନ କରିବ, ପରାକ୍ରାନ୍ତ ସମ୍ରାଟ କ୍ଷୁଦ୍ର ଅସହାୟ ଜାତିକୁ ପ୍ରପୀଡ଼ିତ ନ କରିବ, ପ୍ରତ୍ୟେକ ଦେଶବାସୀଙ୍କ ହସ୍ତରେ ତତ୍ତତ୍‌ ଦେଶ ଶାସନ କରିବାର ଓ ଶାସନପଦ୍ଧତି ସ୍ଥିର କରିବାର କ୍ଷମତା ଓ ଅଧିକାର ରହିବ, ନିଜ ନିଜର ବୈଷୟିକ ଉନ୍ନତି କରିବା ନିମନ୍ତେ କେହି କାହାରିକୁ ବାଧା ଦେଇ ପାରିବେ ନାହିଁ; ପୃଥିବୀରେ ସତ୍ୟର ଜୟ, ଧର୍ମର ଜୟ, ସ୍ୱାଧୀନତାର ଜୟ, ଅଧର୍ମର ପରାଜୟ, ପାପର ପରାଜୟ, ପାଶବ ଶକ୍ତିର ବିନାଶ ଉଦ୍‌ଘୋଷିତ ହେବ– ଏହି ନୀତି ଗୁଡ଼ିକ କାର୍ଯ୍ୟରେ ପରିଣତ କରିବା ଲାଗି ଇଂରାଜ ଜାତି ଓ ଆମର ମିତ୍ରଶକ୍ତିମାନେ ଏହି ମହାଯୁଦ୍ଧ ରୂପ ବେଦିକାରେ ଅଜସ୍ର ଧନ, ଜନ ଅକୁଣ୍ଠିତ ଚିତ୍ତର ଢାଳିଦେଇ ଅଛନ୍ତି ଓ ଏହି ବଳି (Sacrifice)ର ଫଳ ସମଗ୍ର ଜଗତ୍‌ ଭୋଗ କରିବ । ଭଗବାନ କରନ୍ତୁ, ଏ ସୁଦିନ ଶୀଘ୍ର ଆସୁ ।

 

ଇତିମଧ୍ୟରେ ଭାରତରେ ଜ୍ୱର ରୂପୀ ମହାମାରୀ ଉପସ୍ଥିତ ହୋଇ ବଡ଼ସାନ ସବୁ ଶ୍ରେଣୀରୁ ଟିକସ ଆଦାୟ କରୁଅଛି ଓ ସଙ୍ଗେ ସଙ୍ଗେ ବର୍ଷା ଅଭାବରୁ ଶାରଦୀୟ ଫସଲର ଅବସ୍ଥା ଅତି ମନ୍ଦ । ଗଭର୍ଣ୍ଣମେଣ୍ଟ ଯେଉଁ ଯେଉଁ ଅଞ୍ଚଳରେ କେନାଲ ଖୋଳାଇ ଅଛନ୍ତି, ସେ ଅଞ୍ଚଳମାନଙ୍କରେ ଶସ୍ୟର ଅବସ୍ଥା ଉତ୍ତମ– କିନ୍ତୁ ଭାରତରେ ଏପରି କେନାଲ-ରକ୍ଷିତ ଅଞ୍ଚଳ ବେଶି ନୁହେଁ । ଏସବୁ କାରଣରୁ ଏତେବେଳଠାରୁ ଅନ୍ନାଭାବ ଘୋଟଅଛି । ଏଥିପାଇଁ କେତେକ ସ୍ଥାନରେ ଲୁଟ୍‌ପାଟ ହୋଇ ଯାଇଅଛି । ଦେଶର ବର୍ତ୍ତମାନ ଅବସ୍ଥାରେ ଧନୀ-ଦରିଦ୍ର, ଜମିଦାର-ପ୍ରଜା, ମହାଜନ-ଖାତକ, ହାକିମ-ଆସାମୀ ସମସ୍ତେ ଏକମନ ହୋଇ ଚେଷ୍ଟା କଲେ ଆସନ୍ନ ଦୁର୍ଭିକ୍ଷର ଦାଉ ଅନେକ ପରିମାଣରେ କମିଯିବ ଏଥିରେ ସନ୍ଦେହ ନାହିଁ । ଏ ଅନ୍ନ ବସ୍ତ୍ର ସଙ୍କଟ ସମୟରେ ଆମ୍ଭେମାନେ ନିଜେ ନିଜେ ନିଜ କ୍ଷେତ୍ରରେ ଉଦ୍ୟମ, ସ୍ୱାର୍ଥତ୍ୟାଗ, ଆତ୍ମନିର୍ଭର ଓ ଅଧ୍ୟବସାୟର ଉଦାହରଣ ନ ଦେଖାଇଲେ ଭାରତବାସୀଙ୍କର ପରମୁଖାପେକ୍ଷିତା ରୂପ କଳଙ୍କ ମୋଚନ ହେବ ନାହିଁ । ଆଜି ଥାଉ ।

 

(୨୨ଶ ଭାଗ । ୧୩୨୬ । ୯ମ ସଂଖ୍ୟା)

 

‘Man proposes, God disposes’ ମନୁଷ୍ୟ ବିଚାର କରେ, ‘ଏଷା କରେଙ୍ଗା, ତେଷା କରେଙ୍ଗା,’ କିନ୍ତୁ ‘ଦଇବ ଦଉଡ଼ି, ମଣିଷ ଗାଈ, ଯେଣିକି ଓଟାରେ ତେଣକି ଯାଇ-।’ ଛାର ମନୁଷ୍ୟର କରାମତ କେତେ ? ମନୁଷ୍ୟର ଚାରା କେତେ ? ମନୁଷ୍ୟର ବା କସରତ୍‌ କେତେ ? ଦିହରେ ବଳ ବୟସ ଥିବାଯାକେ ମନୁଷ୍ୟ କୁଦୁଥାଏ, ନାଚୁଥାଏ, କିନ୍ତୁ ଅଢ଼େଇ ଦିନିଆ ଢଙ୍ଗ ମନୁଷ୍ୟକୁ ଶୀଘ୍ର ଛାଡ଼ି ପଳାଏ, ସେତେବେଳେ ମନୁଷ୍ୟ ଉପଲବ୍‌ଧି କରେ, ‘ଆରେ-! ମୁଁ ତୁଚ୍ଛାଟାକୁ ଏତେ ଡିଆଁ କୁଦା ମାରୁଥିଲି ! ମୋ ଦେହି ତ ଶାଗ ସିଝିବ ନାହିଁ ! କଲା ବାଲା ଆଉ ଜଣେ, ମୁଁ କେବଳ ରାମଲୀଳାର ପିତୁଳି ମାତ୍ର ।’ ମନୁଷ୍ୟ ଏ କଥା ସମଜି ଗଲାରୁ, ସଂସାର କ୍ଷେତ୍ରରେ ଠେକିଯାଇ ଏକଥା ଶିଖିଗଲାରୁ ତାହାର ମଗଜ ଥଣ୍ତା ହୋଇଯାଏ । ମନୁଷ୍ୟ ବିଚାରିଥାଏ, ମୁଁ ଘର କରିବି, କୋଠା କରିବି, ରୋଜଗାର କରିବି, ଚାକିରି କରିବି, ପୁଅ ମାଇପ କରିବି, ସଂସାର କରିବି, ଦୁନିଆରେ ବଡ଼ ହେବି, ନାମ କରିବି, ବାହାଦୁରି ପାଇବି, ଶହେ ଘର ଭାଙ୍ଗି ମୋ ଘର କରିବି, ୟାକୁ ଧରିବି, ତାକୁ ମାରିବି, ୟା ଘର ପୋଡ଼ି ଦେବି, ତା ଘର ଲୁଟିକରି ବୋହି ଆଣିବି, ୟାକୁ ସଜା ଦେବି, ତାକୁ ଜବତ୍‌ କରିବି, ମାମଲା କରିବି, ଦରବାର କରିବି, ଇତ୍ୟାଦି; କିନ୍ତୁ ଫଳତଃ ଦେଖାଯାଏ ଯେ, ଏ ବଡ଼ ପଣ ଅଢ଼େଇ ଦିନିଆ, ସେ ଅଢ଼େଇ ଦିନ ବିତିଗଲେ ମନୁଷ୍ୟ ହାତରେ କୁଟା ଖଣ୍ତିକ ଦିଖଣ୍ତ ହୋଇପାରେ ନାହିଁ, ମନୁଷ୍ୟ ଖାଲି ବଲ ବଲ କରି ଚାହିଁଥାଏ ଓ ଚାହିଁ ଜଳକା ହୋଇଥାଏ ।

 

ଏଥିପାଇଁ ମହାଜନମାନେ ଡାକିହାକି ନାଗରା ବଜାଇ ସମସ୍ତଙ୍କୁ ହୁସିଆର ଦେଇଅଛନ୍ତି ଯେ, ‘‘ନଳିନୀ-ଦଳ-ଗତ-ଜଳମତି ତରଳଂ ।’’ ‘‘ଶୁଖା ଖଡ଼୍‌ ଖଡ଼୍‌ ଖଡ଼୍‌ ଖଡ଼୍‌– ମିଛ ମାୟାରେ ପଡ଼ି ତୁ ନଡ଼ବଡ଼୍‍ ନଡ଼ବଡ଼୍‍ ।’’ ସଂସାରରେ ଆମେ ଏହି କଥା ଦେଖୁଥାଇଁ, ଶୁଣୁଥାଇଁ, ପଢ଼ୁଥାଇଁ, ଗୁଣୁଥାଇଁ, ଠେକୁଥାଇଁ, ତଥାପି ଏ ଜ୍ଞାନ ତ ଆମ୍ଭମାନଙ୍କର ହେଉ ନାହିଁ । ସଂସାରରେ ପଶି ଆମେ କହୁଛୁଁ ‘‘ପେଟ ପୋଷ, ନାହିଁ ଦୋଷ ।’’ ‘‘ଆମେ ଅମର, ଅଜର ।’’ ‘‘ଆମେ କୋଳି ଖାଇ କୋଳି ମଞ୍ଜି ପୋତିଛୁଁ ।’’ ଏହାକୁ ହିଁ କହନ୍ତି ‘ମୋହ’ ‘ମାୟା’ । ଏହି ମୋହ ଓ ମାୟାର ନିଶା ଆମ୍ଭମାନଙ୍କୁ ଦିନରାତି ଘୋଟିଛି ଓ ଆମର ନିଜର ହେୟତା, କୀଟସ୍ୟ କୀଟତା ଅନୁଭବ କରିବାକୁ ଆମଙ୍କୁ ଶକ୍ତି ଦେଉ ନାହିଁ । ଏହି ସମ୍ବନ୍ଧରେ ଜଣେ ବିଶିଷ୍ଟ ବନ୍ଧୁଙ୍କ ସଙ୍ଗେ କଥା ପଡ଼ିବାରୁ ସେ ମତେ ପଚାରିଥିଲେ, କେଉଟା ବଡ଼ ? ପାଶ୍ଚାତ୍ୟ ଆଦର୍ଶ (ideal), ନା ପ୍ରାଚ୍ୟ ଆଦର୍ଶ (ideal) ? ପାଶ୍ଚାତ୍ୟମାନଙ୍କର କର୍ମମୟ (materialistic) ଜୀବନ ଓ ମନୁଷ୍ୟର ଶେଷ ବାହାଦୁରି ‘‘He died while in harness’’ ଅର୍ଥାତ୍‌ କର୍ମକ୍ଷେତ୍ରରେ ଲାଗୁ ଲାଗୁ ଅମୁକଙ୍କର ପ୍ରାଣ ଗଲା । ପ୍ରାଚ୍ୟଙ୍କର ଭାବମୟ (idealistic) ଜୀବନ; ଆମର ଶେଷ ବାହାଦୁରି ‘‘ବାର୍ଦ୍ଧକ୍ୟେ ମୁନିବୃତ୍ତିନାଂ ଯୋଗେନାନ୍ତେ ତନୁତ୍ୟଜାଂ ।’’ ବନ୍ଧୁଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ଅନେକ ଭାବିଲି । ବିଚାରିଲି, ବନ୍ଧୁ ୫ ବରଷ ପୂର୍ବରୁ ମତେ ଏ ପ୍ରଶ୍ନ ପଚାରିଥିଲେ ମୁଁ ନିଶ୍ଚୟ ପାଶ୍ଚାତ୍ୟ ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଇଥାନ୍ତି; କିନ୍ତୁ ଏଥିମଧ୍ୟରେ ଭଗବାନ୍‌ ମୋ ଆଖିରୁ ଅନେକ ପରଦା ପରଳ କାଢ଼ି ଦେଇ ଅଛନ୍ତି; ସେଥିପାଇଁ ଆଗର ରକ୍ତର ଗରମି, ଆଇନ ବ୍ୟବସାୟର ଦାଉଁ, ଦେଶହିତୈଷୀର କିଳିକିଳା, ଦେଶନେତା ହେବାର ମାଦକତା, ଖବର କାଗଜରେ ନାମ ଛାପା ହେବାର ପ୍ରଲୋଭନ ଅନେକ ପରିମାଣରେ ଉଭେଇଁ ଯାଇଅଛି ଓ କର୍ମକ୍ଷେତ୍ରରେ ବେଙ୍ଗଳାରେ ଘୋଷାରି ହେବା ପାଇଁ ମୋ ଦେହରେ ବନ୍ଧା ହୋଇଥିବା ଦାଉଣି (harness) ବର୍ତ୍ତମାନ ଦୁର୍ଗନ୍ଧମୟ ବୋଧ ହେଲାଣି; ଅତଏବ ଗାଡ଼ି ଓଟାରୁ ଓଟାରୁ ହଡ଼ା ଘୋଡ଼ାର ପ୍ରାଣ ଯିବା ଆଦର୍ଶଟା ଏବକୁ ମତେ ଭଲ ଲାଗୁ ନାହିଁ । ଏଥିପାଇଁ ବନ୍ଧୁଙ୍କୁ ଉତ୍ତର ଦେଲି, ‘ପୁତ୍ର ନିବେଶି ପତ୍ନୀପାଶ’ ଆକାଂକ୍ଷାଟା ମତେ ଅପେକ୍ଷାକୃତ ଉଚ୍ଚ ବୋଲି ବୋଧ ହେଉଅଛି । ଏ ବିଷୟରେ ବନ୍ଧୁଙ୍କ ସଙ୍ଗେ ଅନେକ ‘ଦୁଃଖ ସୁଖ’ ହେଲି । ମୁଁ ଅନୁଭବ କରୁଅଛି ଯେ, ସଂସାରରେ ମନୁଷ୍ୟର ଆକାଂକ୍ଷାର ଶେଷ ନାହିଁ । ଗୋଟିଏ ଆକାଂକ୍ଷା ପୂର୍ଣ୍ଣ ନ ହେଉଣୁ ଆଉ ଗୋଟିଏ ଆକାଂକ୍ଷା ମନରେ ଉଦୟ ହେଉଅଛି, ଏ ଅଗ୍ନିର ନିର୍ବାପନ ନାହିଁ । ‘‘ନିଃସ୍ୱୋବ୍ୟଷ୍ଟି ଶତଂ ଶତୀ ଦଶଶତଂ ଲକ୍ଷଂ ସହସ୍ରାଧିପଃ ।’’ ଗରିବ ଲୋକ ଶତ ମୁଦ୍ରା ଆକାଂକ୍ଷା କରେ ‘ଶତୀ ସହସ୍ର ମୁଦ୍ରା ଓ ସହସ୍ରାଧିପ ଲକ୍ଷ ମୁଦ୍ରା ପାଇବାକୁ ଆଶା କରୁଥାଏ । ଏ ଆଶା ଏତିକିରେ ବୋଧ ସୋଧ ହୁଏ ନାହିଁ । ଏଥିରୁ ମନକୁ ଫେରାଇବା ବଡ଼ ସହଜ ନୁହେଁ । ମୁଁ ଗତ ପନ୍ଦର ବର୍ଷ ହେବ ସଂସାରରେ ପଶି ଦେଖୁଛି ଯେ, ମୁଁ ମଧ୍ୟ ଏହି କୁହୁକରେ ମାତିଅଛି । ଏ ଦ୍ୱନ୍ଦ୍ୱରୁ ଅପସୃତ ହୋଇ ଶାନ୍ତିରେ ନିଭୃତ ନିଳୟରେ ବସି ଧର୍ମଚର୍ଚ୍ଚା, ସାହିତ୍ୟ ଚର୍ଚ୍ଚା, ଜ୍ଞାନ ଚର୍ଚ୍ଚା ଆଦି କରିବାର ଛବି ବହୁକାଳରୁ ହୃଦୟରେ ଟଙ୍ଗା ହୋଇଅଛି ମାତ୍ର, କିନ୍ତୁ ସେ ଛବି ଖଣ୍ତକୁ ଚାହିଁ ତହିଁର ମାଧୁର୍ଯ୍ୟ ଉପଲବ୍‌ଧି କରିବାକୁ ବେଳ ହେଉ ନାହିଁ । ଏ ପନ୍ଦର ବର୍ଷ ହେଲା କେବଳ ମହଲତ ନେଇ ଆସୁଅଛି ଓ ବର୍ତ୍ତମାନ ଦେଖିପାରୁ ଅଛି ଯେ, ଏପରି ବାରମ୍ବାର ମହଲତ ନେଉଥିବା ଯୋଗୁଁ ମତେ ଯେତେ ମୁଲତବି ଖର୍ଚ୍ଚା ଅଣ୍ଟାରୁ ଗଣିବାକୁ ପଡ଼ିଲାଣି, ସେତକ ଶେଷକୁ ମକଦ୍ଦମା ଖରଚାରୁ ଢେର ବଳି ପଡ଼ିବ । ଏ ମୁଲତବି ଖରଚା ଅପବ୍ୟୟ ପାଇଁ ଦାୟୀ ମୋ ଅବୁଝା ମନ । ବିଚାରୁଅଛି, ବ୍ୟବସାୟରେ ଲକ୍ଷପତି ହେବି, ଖେତାବ ପାଇବି, ତକମା ପାଇବି, ଛପା କାଗଜରେ ଧନ୍ୟ ଧନ୍ୟ ପଦ ପାଇବି, କୋଠାବାଡ଼ି, ନଅର, ଉଆସ, ଜମିଦାରି ରାଜଗି କରିବି, ଶାଲ ଦୋଶାଲ ଘୋଡ଼ି ହେବି, ଯୋଡ଼ିଗାଡ଼ି ଓ ମଟର ହଙ୍କାଇବି, ଦେଉଳ ତୋଳାଇବି, ପୋଖରୀ ଖୋଳାଇବି ଇତ୍ୟାଦି ଯେତେଗୁଡ଼ିଏ ଆଦର୍ଶ ମନରେ ଥାପି ବ୍ୟବସାୟରେ ପଶିଗଲି, ସେଗୁଡ଼ାକ ଏକଦମ ତ୍ୟାଗ କରି ନିପଟ ମଫସଲରେ ଆପଣା କୁଡ଼ିଆରେ ବସି, ମୋଟ ଖାଇ ରୋଟ ପିନ୍ଧି ଏ କର୍ମମୟ ଜୀବନଟାକୁ କଳଙ୍କିତ (ruted) କରିଦେବି ଓ ମୋ ନାମଟା ଜାତୀୟ ପାଞ୍ଜିରୁ ପୋଛା ହୋଇଯିବ, ଏ କଥା ଏ ଦେହ ସହିବ ନାହିଁ; ମୋ ଅନୁପସ୍ଥିତିରେ ମୋ କାରଖାନା କିଏ ସମ୍ଭାଳିବ ? ମୋର ବିନା ରୋଜଗାର, ବିନା ସାହାଯ୍ୟ, ବିନା ତଦାରଖ, ବିନା ପ୍ରଭୁତ୍ୱ, ବିନା କରାମତ୍‌ ଜାଦେରିରେ ମୋ ଘର, ମୋ ସଂସାର, ମୋ ପରିବାର, ମୋ ବାଲବଚା ଦଣ୍ତେ ଚଳିପାରିବେ ନାହିଁ-। ହାଇରେ ବିଧାତା ! ନିର୍ବାଧ ମନୁଷ୍ୟ ସବୁବେଳେ ବିଚାରୁଛି ଓ ଗଣାପୋଛା କରୁଛି ଯେ–

 

ଇଦମଦ୍ୟମୟା ଲବ୍‌ଧମିମଂ ପ୍ରାପ୍‌ସ୍ୟେ ମନୋରଥଂ

ଇଦମସ୍ତୀଦମପି ମେ ଭବିଷ୍ୟତି ପୁନର୍ଦ୍ଧନଂ ।

ଅସୌ ମୟା ହତଃ ଶତ୍ରୁର୍ହନିଷ୍ୟେ ଚାପରାନପି ।

ଈଶ୍ୱରୋଽହମହଂ ଭୋଗୀ ସିଦ୍ଧୋଽହଂ ବଳବାନ ସୁଖୀ ।

ଆଢ଼୍ୟୋ ଭିଜନବାନସ୍ମି କୋଽନ୍ୟୋଽସ୍ତି ସଦୃଶୋମୟା ।

 

(ଭଗବତ୍‌ ଗୀତା ୧୬ ଅଧ୍ୟାୟ)

 

(ଆଜି ମୁଁ ପାଇଲି ଏହା, କାଲି ମୁଁ ପାଇବି ତାହା,

ମନୋରଥ ମୋର ଯାହା, ହୋଇବ ପୂର୍ଣ୍ଣ ।

ଆଜି ଅଛି ଏତେ ଧନ, କାଲି ହେବ ପୁଣି ଧନ

ଧନର ଉପରେ ଧନ ପାଇବି ପୁଣ ।

ଆଜି ଏ ଶତ୍ରୁ ବଧିଲି, ଆଉ ବଧିବି ମୁଁ କାଲି,

ଶତ୍ରୁ ମୁଖେ ଦେଇ କାଳି ହେବି ମୁଁ ଜୟୀ ।

Unknown

ମୁଁ ଈଶ୍ୱର, ମୁହିଁ ଭୋଗୀ, ସିଦ୍ଧ ସୁଖୀ, ବଳୀ, ଯୋଗୀ,

ମୋହଠାରୁ ବଳି ସୁଖୀ ସଂସାରେ ନାହିଁ ।

ଧନ ଜନ ଲକ୍ଷ୍ମୀ ମୋତେ ବେଢ଼ି ଅଛନ୍ତି ନିରତେ

ପୂଜା କରନ୍ତି ସମସ୍ତେ ମୋ ପାଦ ଚାହିଁ ।

ମୋ ପରି ବଳୁଆ କେହି ସାରା ସଂସାରରେ ନାହିଁ,

ଏହା ଭାବି ଦିବା ନିଶି ବିଚରେଁ ମୁହିଁ ।)

 

କିନ୍ତୁ ମନୁଷ୍ୟ ! ବିଚାରି ପାରୁନାହିଁ ଯେ, ଏ ସବୁ କେଳା କୁହୁକ ବୁଢ଼ିଆଣୀ ଜାଲ ଭଳିଆ କେଉଁଆଡ଼େ ମିଳାଇ ଯିବ । ସେତେବେଳେ ତତେ ଜଗିବାକୁ, ତତେ ସେବା କରିବାକୁ ତୋ ସଙ୍ଗରେ କେହି ଗୋଡ଼ାଇ ଯିବେ ନାହିଁ । ସେତେବେଳେ ତୋର ଧର୍ମ (ଅର୍ଥାତ୍‌ ସନ୍ତୋଷ-ଶାନ୍ତି ପରିବୃତ ବିବେକ) ଏକା ତୋର ସାଥୀ ହେବ । ଏକଥା ମନୁଷ୍ୟ ଯେବେ ଭାବୁଥାନ୍ତା, ତେବେ ପୃଥିବୀରୁ ୧୫ ପଣ ପାପ, ଅତ୍ୟାଚାର, ଜୁଲମ, ଅନାଚାର, ଅବିଚାର କେଉଁଆଡ଼େ ଲିଭିଯାନ୍ତା । ଆଉ ସଂସାର ଯାହାକୁ ଭାଗ୍ୟବିପର୍ଯ୍ୟୟ ବୋଲି ଭାବୁଅଛି, ପ୍ରକୃତରେ ସେହି ଅବସ୍ଥା ପରିବର୍ତ୍ତନ ଦ୍ୱାରା ପ୍ରକୃତ ମନୁଷ୍ୟତା ଫୁଟି ଉଠନ୍ତା । ଏ ସଂସାରଟା ଧୂଳି ଖେଳ ବୋଲି ଯେଉଁମାନେ କହି ଯାଇ ଅଛନ୍ତି, ସେମାନେ ନିତାନ୍ତ ଗମାର ନ ଥିଲେ ବା ଅନଭିଜ୍ଞ ନ ଥିଲେ । ‘ଧୂଳିର ଏ ମର କଳେବର ।’ ଧୂଳିରେ ଘର କରିବାକୁ ହେବ, ଧୂଳିରେ ଟଙ୍କା କମାଇବାକୁ ହେବ, ଧୂଳିରେ ପୁଅ ମାଇପ କରିବାକୁ ହେବ, ଧୂଳିରେ ବଡ଼ ଲୋକ ହେବାକୁ ହେବ, ଶେଷରେ ଏ ସମସ୍ତ ଧୂଳିରେ ମିଶିଯିବ ଓ ତୋର ଦେହ ମଧ୍ୟ ଧୂଳିରେ ମିଶିଯିବ । ‘‘ଯୁଗକୁ ଯୁଗ ଏହିମତେ, ପରମାନନ୍ଦ ଏ ଜଗତେ ।’’ ଏ ସଂସାରରେ କର୍ମରୂପ ଆବର୍ତ୍ତରେ ମୁଁ ଏପରି ବେଗରେ ଘାଉଁରି ଖାଉଛି ଯେ, ମୁଁ ଭାବୁଛି, ମୋ ସଂସାରର ଭାର କେନ୍ଦ୍ର-ବିନ୍ଦୁଟି ମୋର ମସ୍ତିଷ୍କ ମଧ୍ୟରେ ଅବସ୍ଥିତ । କିନ୍ତୁ ମୁଁ ଥରେ ଭାବି ପାରୁନାହିଁ ଯେ, ମୁଁ ମଲା ବାସି ଦିନ ମୋ ପାଇଁ କେଉଁ କଥା, କେଉଁ କାରଖାନା ଅଟକି ଯିବ ନାହିଁ, କେଉଁ କାମ ଅଚଳ ହୋଇ ପଡ଼ି ରହିବ ନାହିଁ । କିନ୍ତୁ ସମସ୍ତେ ଯେବେ ଏପରି ଭାବି କର୍ମମୟ ଜୀବନରୁ ଓ କର୍ମକ୍ଷେତ୍ରରୁ ଅପସୃତ ହେବେ, ତେବେ ଏ ସଂସାରର ଲୀଳା ଚଳିବ କିପରି ? ମୋହ ନିଶା, ମାୟା ବନ୍ଧନ ତୁଟିଗଲେ ସଂସାର ଶଗଡ଼ର ଅଣକିଳି ହୁଗୁଳି ଗଲେ ଦୁନିଆଟା ଚଳିବ କିପରି ? ଏଥିପାଇଁ ଧର୍ମଶାସ୍ତ୍ର ଓ ମହାଜନ ଚରିତ ଓ ସତ୍‌ସଙ୍ଗରୁ ଆମ୍ଭମାନଙ୍କୁ ଉପଦେଶ ଗ୍ରହଣ କରିବାକୁ ହୁଏ । ଭଗବାନ ଗୀତାରେ କହିଅଛନ୍ତି, ‘‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।’’ ମନୁଷ୍ୟର କର୍ମରେ ଅଧିକାର ଅଛି, କିନ୍ତୁ ଫଳରେ ଅଧିକାର ନାହିଁ । ମନୁଷ୍ୟ ଯେତେବେଳେ ଆପଣାର ହେୟତା ଉପଲବ୍‌ଧି କରି ଆପଣାକୁ ବିଶ୍ୱ ବ୍ରହ୍ମାଣ୍ତ ରୂପ କଳର ଗୋଟିଏ କ୍ଷୁଦ୍ରାଦପି କ୍ଷୁଦ୍ର ଅଂଶବିଶେଷ ବୋଲି ବିଚାର କରି, ଫଳ ପ୍ରତି ଆସକ୍ତି ପରିତ୍ୟାଗ କରି କର୍ତ୍ତବ୍ୟାନୁରୋଧରେ କର୍ମକ୍ଷେତ୍ରରେ ପ୍ରବେଶ କରେ, ସେତେବେଳେ ଏକା ମନୁଷ୍ୟ ସୃଷ୍ଟିକର୍ତ୍ତାଙ୍କ ଉଦ୍ଦେଶ୍ୟ ଉପଲବ୍‌ଧି କରିବାକୁ ସମୟ ହୁଏ । ଲୋକେ କହନ୍ତି, ‘ସମସ୍ତେ ଯୋଗୀ ହେଲେ ଭିକ ଦେବ କିଏ ?’ ସମସ୍ତେ ସଂସାରବିରାଗୀ ହେଲେ ସଂସାର ଅତଯାତ ହେବ କିପରି ? ଦେଶବାସୀଯାକ ସମସ୍ତେ ବଇଷମ ହେଲେ ଲୋକସଂଖ୍ୟା ବଢ଼ିବ କାହୁଁ ? ଏଥିପାଇଁ ସଂସାରରେ ରହି ସଂସାର ଧର୍ମ ପାଳନ କରି ସଙ୍ଗେ ସଙ୍ଗେ ବୈରାଗୀ ହେବା ନିମନ୍ତେ ଭଗବାନ ଅର୍ଜ୍ଜୁନଙ୍କୁ ଉପଦେଶ ଦେଇଅଛନ୍ତି– ଜନକ ଆଦି ସମ୍ରାଟମାନେ ଗୃହସ୍ଥ ଧର୍ମରେ ବ୍ୟାପୃତ ଥାଇ ମଧ୍ୟ ଋଷି ଥିଲେ । ସଂସାରରେ ଥାଇ ସଂସାରରେ ଲିପ୍ତ ନ ହେବା ସହଜ କଥା ନୁହେଁ । ଏହା ଶିକ୍ଷା କରିବାକୁ, ଏହା ସିଦ୍ଧ କରିବାକୁ କଠିନ ସାଧନା ଆବଶ୍ୟକ । ସଂସାରରେ ଜଣେ ହେବା, ଅଥଚ ସଂସାରର ବନ୍ଧନରେ ପଡ଼ିବା ନାହିଁ, ଏ ସାଧନା ପାଇଁ ମନ ଆବଶ୍ୟକ, ପ୍ରେମ ଆବଶ୍ୟକ, ବିଶ୍ୱଜନନୀ ମୈତ୍ରୀ ଆବଶ୍ୟକ, ଭକ୍ତି ଆବଶ୍ୟକ ଓ ଉପଯୁକ୍ତ ଗୁରୁ ଆବଶ୍ୟକ । ଏ ସଂସାରର ଜଞ୍ଜାଳ ମଧ୍ୟରେ ଏହା ସମସ୍ତଙ୍କ ଭାଗ୍ୟରେ ଘଟେ ନାହିଁ, ମୋ ଭାଗ୍ୟରେ ଘଟୁ ନାହିଁ , ଏହା କିଛି ବିଚିତ୍ର ନୁହେଁ । କିନ୍ତୁ ଏହା ଘଟି ପାରିଲେ ମନୁଷ୍ୟର କ୍ଷୁଦ୍ର ଜୀବନ ସାର୍ଥକ ହୁଅନ୍ତା । ଦେଖାଯାଉ, ଭଗବାନଙ୍କ ବରାଦ କେତେଦୂର, ଆମ ଦଉଡ଼ କେତେଦୂର-। ଏଥିପାଇଁ ପ୍ରଥମେ କହୁଥିଲି– Man proposes, God disposes.

 

(୨୨ଶ ଭାଗ । ୧୩୨୬ । ୧୦ମ ସଂଖ୍ୟା)

 

ଆମ ଘରର ହାଲଚାଲ ପ୍ରସଙ୍ଗରେ ଗତଥର ମୁଁ କହିଥିଲି ଯେ, ଏଣିକି ପାଗ ପଟକା ଦିହରୁ କାଢ଼ି ମଫସଲରେ ଖଣ୍ତେ ରୋଟା ପିନ୍ଧି: ମୁଠାଏ ମୋଟା ଖାଇ ପଡ଼ି ରହିବା ପାଇଁ ମନଟା ଭାରି ଉଚ୍ଛନ୍ନ ହେଉଅଛି; କିନ୍ତୁ ‘‘ଘଟନା ଚକ୍ର’’ରେ ସେ କଥା ବର୍ତ୍ତମାନ ହୋଇପାରୁ ନାହିଁ । କେବେ ଯେ ଯାହା ହେବ, ତାହା ସେହି ବିଶ୍ୱନିୟନ୍ତା ନୃସିଂହନାଥଙ୍କୁ ଜଣା । ବର୍ତ୍ତମାନ ସଭ୍ୟତାର ପ୍ରଭାବରେ ଲୋକେ ଗ୍ରାମ ପଲ୍ଲୀ ଛାଡ଼ି ସହର ଆଡ଼କୁ ଧାଉଡ଼ି ଲଗାଇ ଆସୁଥିଲେ । ଧନୀ ଓ ବଡ଼ଲୋକମାନେ ମଫସଲରେ ଏକାଟିଆ ହୋଇ ପଡ଼ି ରହିବାଠାରୁ ସହରରେ ଆସି ସହରର ମଉଜ ମଜଲିସ୍‌ ଓ ନାଟ ତାମସାରେ ଯୋଗ ଦେଇ ନିଜର ସମୟ ଓ ପଇସାକୁ ବ୍ୟୟ କରିବା ଅଧିକତର ଆନନ୍ଦମୟ ବୋଲି ବାଧ୍ୟ କରୁଥିଲେ । ଶିକ୍ଷିତ ଲୋକମାନେ ମଫସଲରେ ରାମ ସେଠୀ, ଶାମ ସାମଲଙ୍କ ସହବାସକୁ ତୁଚ୍ଛ ମଣି, ଗ୍ରାମରେ ଥାଇ ଆପଣା ବୁଦ୍ଧି ବିଦ୍ୟାରେ କଳଙ୍କି (rust) ଲଗାଇବା ଅପେକ୍ଷା ସହରକୁ ଆସି ସହରର କାର୍ଯ୍ୟାଳୟ, ବିଦ୍ୟାଳୟ, ବିଚରାଳୟ, ସଭାଳୟମାନଙ୍କରେ ଆପଣାର ବୁଦ୍ଧି ବିଦ୍ୟାକୁ ଶାଣ ଦେଇ ନେବା ଅଧିକତର ସୁଖମୟ ମଣୁଥିଲେ-। ଅଶିକ୍ଷିତ ଲୋକମାନେ ମଧ୍ୟ ଗ୍ରାମରେ ପଡ଼ିରହି ଦିନଯାକ ମୁଣ୍ତ ପାଣି ଗୋଡ଼ରେ ମାରି ଚାଷଧନ୍ଦା ଓ ମୂଲ ଲାଗି ଧାନ ଛ ସେର ବା ପଇସା ଦି ଅଣା କମଉ କମଉ ଆପଣା ବଳ ବୟସଟା ଅକାରଣ ଗମେଇ ଦେବା ଅପେକ୍ଷା ସହରକୁ ଆସି ହାକିମ ହୁକୁମା ଓ ବଡ଼ ଲୋକଙ୍କ ପାଖରେ ଦରମାଖିଆ ଚାକିରି କରି, ଗୋଦାମ ଓ କଳକାରଖାନାରେ, ଅଫିମ ମହକୁମାମାନଙ୍କରେ ପେଟପୁରା ଚାକିରି କରି ପଇସା କମେଇବା ଅଧିକତର ଆନନ୍ଦମୟ ବୋଧ କରୁଥିଲେ । ବାକି ରହିଗଲେ ମଫସଲରେ କେବଳ ଲୁଚାଏ ନିଷ୍କର୍ମା, ନିର୍ବଳୁଆ ଓ ନିର୍ବୁଦ୍ଧିଆ । ସେମାନଙ୍କ ଦେହି ଶାଗ ସିଝିବ ନାହିଁ । ଫଳତଃ ସେହିମାନଙ୍କ ହାତରେ ଗ୍ରାମର କୃଷି, ଗ୍ରାମର ସ୍ୱାସ୍ଥ୍ୟ ରହିଲା । ଏଥିପାଇଁ ଗ୍ରାମକୁ ସ୍ୱାସ୍ଥ୍ୟକର ରଖିବା ଓ କୃଷିର ଉନ୍ନତି କରିବା ଏ ଦୁଇକଥା ଅସମ୍ଭବ ହେଲା । ମନୁଷ୍ୟ ଯେଡ଼େ ଇଚ୍ଛା ତେଡ଼େ ବଡ଼ ହେଉ, ଯେଡ଼େ କରାମତ୍‌ଦାର ହେଉ, ଯେଡ଼େ ପଢ଼ୁଆ ବା ଧନୀ ହେଉ, ଈଶ୍ୱର ତା ଦେହର ମଝିରେ ଗୋଟାଏ ଲମ୍ୱ ଓସାରିଆ ଗହୀର ରଖି ଅଛନ୍ତି, ସେଇଟାକୁ କଞ୍ଚା ସଢ଼ା, ଅସିଝା, ଦରସିଝା ତିଅଣ ଦେଇ ଦିନକେ ଦୁଇଥର ଠାରୁ ଚାରିଥର ଭରତି କରିବାକୁ ହେବ । ସେଥିର ଉପାଦାନ ବିଦ୍ୟାଳୟ, କାର୍ଯ୍ୟାଳୟ, ବିଚାରାଳୟ, ସଭାଳୟ, କାରଖାନାଳୟରେ ମିଳିବ ନାହିଁ-। ତାହା ଜନ୍ମାଇବ ମଫସଲର କୃଷିକ୍ଷେତ୍ର । ମା ବସୁଧା ଶସ୍ୟପ୍ରସୂ ନ ହେଲେ ରାଜା ପ୍ରଜା, ଧନୀ ଦରିଦ୍ର, ବିଦ୍ୱାନ, ମୂର୍ଖ, ଗୁରୁ-ଶିଷ୍ୟ, ଓକିଲ ମକ୍‌କେଲ, ଡାକ୍ତର ମଳୁ, ସୁଖୀ ଦୁଃଖୀ, ସାହେବ ଖାନସମା, ସଭାପତି ସମ୍ପାଦକ, ହାକିମ ଆସାମୀ, ହିନ୍ଦୁ ମୁସଲମାନ, ଗୃହୀ ବୈରାଗୀ ସମସ୍ତେ ଉପାସରେ ଶୁଖିବେ ଓ ମରିବେ । ଏମାନଙ୍କୁ ପୋଷିବା ଭଳି ଶସ୍ୟ ‘‘ନିବାରବୀଜ ଜାତ ବିନା କର୍ଷଣେ’’ ହେବ ନାହିଁ ।

 

ପୃଥିବୀ ଶସ୍ୟପ୍ରସୁ ହେବା ନିମନ୍ତେ କୃଷି ଆବଶ୍ୟକ । କୃଷି ନିମନ୍ତେ ଭଲ ଜମି, ଭଲ ବିହନ, ଭଲ ବଳଦ, ଭଲରୂପେ କର୍ଷଣ, କୃଷିର ଉତ୍କୃଷ୍ଟ ପ୍ରକ୍ରିୟା ଜଳସେଚନ ଆଦି ଦରକାର । କିନ୍ତୁ ଏହା କରିବ କିଏ ? କୃଷିକ୍ଷେତ୍ରମାନ ସହରରୁ ବହୁ ଦୂରରେ ଅର୍ଥାତ୍‌ ନିପଟ ମଫସଲରେ । ମନୁଷ୍ୟ ସହରରେ ରହି ମଫସଲରେ କୃଷିକାର୍ଯ୍ୟ କରିବା ଅସମ୍ଭବ । ଯେଉଁମାନେ ମଫସଲ ଛାଡ଼ି ସହରକୁ ବାସ କରିବାକୁ ଆସିବେ, ସେମାନଙ୍କ ଦେହି ଜମି ତରତୁଦ ଆବାଦ କାର୍ଯ୍ୟ ସାଧନ ହେବା ଅସମ୍ଭବ-। ଅତଏବ ଫଳତଃ ଯେଉଁ ଲୁଚାକ ମଫସଲରେ ପଡ଼ି ରହିବେ, ସେହିମାନେ କୃଷିରେ ଲାଗିବେ-। କିନ୍ତୁ ମଫସଲବାସୀଙ୍କ ମଧ୍ୟରୁ ଯାହାଙ୍କର ବୁଦ୍ଧି ଅଛି, ବଳ ଅଛି, ବୟସ ଅଛି, କଳ ଅଛି ସେମାନେ ମଫସଲ ଛାଡ଼ି ସହରରେ ରହିଲେ । ଯେତେକ ନିକର୍ମା, ଅକ୍ଷମ, ନିର୍ବୁଦ୍ଧିଆ, ନିର୍ବଳୁଆ ଓ ଯେଉଁମାନଙ୍କର ମଫସଲରେ ମୋଟ ଖାଇ ରୋଟ ପିନ୍ଧି ପହି ରହିବା ଛଡ଼ା ଗତ୍ୟନ୍ତର ନାହିଁ, ସେହିମାନେ ହେଲେ ଆମ ଦେଶରେ କୃଷିର କର୍ତ୍ତା, ହର୍ତ୍ତା ବିଧାତା । କୃଷିରୁ ଉତ୍ପନ୍ନ ଦ୍ରବ୍ୟରେ ସଂସାର ଆତଯାତ ହେଉଅଛି ଓ ହେବ । ଯାହା ଉପରେ ଦୁନିଆ ନିର୍ଭର କରୁଅଛି, ତହିଁର ଚାବି ରହିଲା ମୂର୍ଖ ଓ ନିର୍ବୁଦ୍ଧିଆ ଗରିବଙ୍କଠାରେ । ଏଥିରେ ଅବଶ୍ୟମ୍ଭାବୀ ଫଳ ଏହିତା ହେଉଅଛି ଯେ, ଆମ ଦେଶର ଲୋକସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଅନୁପାତ ଅନୁସାରେ କୃଷିର ଉନ୍ନତି ହେଉ ନାହିଁ-। ଯେଉଁ ଭୂମି ଆଗେ ୪ ଜଣ ଲୋକଙ୍କ ପେଟ ପୂର୍ଣ୍ଣ କରୁଥିଲା, ବର୍ତ୍ତମାନ ସେ ଭୂମି ୪୦ ଜଣ ଲୋକଙ୍କ ପେଟ ପୂରିବା ପାଇଁ ଶସ୍ୟ ଉତ୍ପାଦନ କଲେ ସମସ୍ତଙ୍କ ପେଟ ପୂରନ୍ତା– କିନ୍ତୁ ସେଥିରୁ ସାବକ ୪ ଜଣଙ୍କ ପେଟ ପୂରିବା ଭଳି ଶସ୍ୟ ଉତ୍ପନ୍ନ ହେବା ଲାଗି ଯେଉଁ ବୁଦ୍ଧି, ଉଦ୍ୟମ ଓ ପରିଶ୍ରମ ଦରକାର, ତାହା ହେଉ ନାହିଁ । ଆମ ଦେଶରେ ‘ଚଷା’ ଠାରୁ ବଳି ତୁଚ୍ଛ ଗାଳି ନାହିଁ ! ଏଥିର ଶେଷଫଳ ଏହିତା ହେଉଅଛି ଓ ହେବ ଯେ, ଆମର ଧନ ଜନ ଗୋପଲକ୍ଷ୍ମୀରେ ସୀମା ରହିବ ନାହିଁ; କିନ୍ତୁ ପେଟର ଦାନା ପାଇଁ ଅନ୍ୟାନ୍ୟ ଶସ୍ୟ-ପ୍ରସୂ ଦେଶମାନଙ୍କ ଉପରେ ନିର୍ଭର କରିବାକୁ ହେବ । ଦେଶରେ ସମୃଦ୍ଧିଶାଳୀ ନଗରମାନଙ୍କର ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ବିଭବଶାଳୀ ଜନପଦମାନଙ୍କର ସଂଖ୍ୟା କମିବ । ସଭ୍ୟତାର ବୃଦ୍ଧି ସଙ୍ଗେ ଦେଶରେ ରେଳ, ଜାହାଜ, ଅଗ୍ନିବୋଟ, ହାଓଆ ଗାଡ଼ି, ଶୂନ ଗାଡ଼ିର ବୃଦ୍ଧି ହେଲା ଓ ଆମ ଦେଶରେ ଶସ୍ୟ ନ ହେଲେ ମଧ୍ୟ ଆମ ହାତରେ ପଇସା ଥିଲେ ଅନ୍ୟ ଦେଶରୁ ଶସ୍ୟ ଆମଦାନି କରି ଆମ ପେଟ ପୋଷି ପାରିବା । ଆମ୍ଭେମାନେ ଏହି ‘ଗେଣ୍ଟ’ରେ ବସିଥାଉଁ; କିନ୍ତୁ କୌଣସି କାରଣରୁ ସଭ୍ୟତାର ଏ ସବୁ ସୁବିଧା ଓ କଳ ଦିନକ ପାଇଁ ସୁଦ୍ଧା ବିଗିଡ଼ିଗଲେ ତହିଁଆର ଦିନ ଆମ୍ଭମାନଙ୍କୁ ଉପବାସରେ ମରିବାକୁ ହେବ । ଆଧୁନିକ ସଭ୍ୟତାର କରାମତ୍‌ ମୁଁ ଯେମିତି ଦେଖୁଅଛି, ମୋ ମନରେ ସେତିକି ଏହି ଧାରଣା ଦୃଢ଼ତର ହେଉଅଛି । ଦେଶର ନୈସର୍ଗିକ ବିଭବ ଉପରେ ନିର୍ଭର ନକରି କୃତ୍ରିମ ବିଭବ ଉପରେ ନିର୍ଭର କଲେ ତହିଁର ଅବଶ୍ୟମ୍ଭାବୀ ଫଳ ହଟହଟା ଓ ଉପବାସ ।

 

ପାଶ୍ଚାତ୍ୟ ସଭ୍ୟତା ଯେତେ ଆମ ଦେଶକୁ ଆକ୍ରମଣ କରୁଅଛି, ଦେଶରେ ନଗର ସୃଷ୍ଟି, ଜନପଦର ବିନାଶ, କୃଷିର ଅବନତି, ପରମୁଖାପେକ୍ଷିତାର ବୃଦ୍ଧି ପରିଲକ୍ଷିତ ହେଉଅଛି ଓ କର୍ମାନୁସାରେ ଜାତି ବିଭାଗର ଲୋପ ସଙ୍ଗେ ସଙ୍ଗେ ଧନାନୁସାରେ ଜାତି ବିଭାଗର ସୃଷ୍ଟି ହେଉଅଛି-। ମରହଟିଆ ପୁରୁଣା କାଳର କଥା ଛାଡ଼ି ଦିଅନ୍ତୁ । ମୁଁ ଜଗତ ୪୦ ବର୍ଷ ମଧ୍ୟରେ ଯାହା ଦେଖୁଅଛି, ସେଥିରୁ ମୋର ଧାରଣା ହେଇଅଛି ଯେ, ଆମ୍ଭମାନଙ୍କ ଦେଶରେ ‘ଅଢ଼େଇ ଦିନିଆ’ ବିଭବ ବଢ଼ିଅଛି, କିନ୍ତୁ ନୈସର୍ଗିକ ବିଭବ କମୁଅଛି । ମୁଁ ନିଜେ ପିଲାଦିନେ (ଅର୍ଥାତ୍‌ ୩୦ ବର୍ଷ ତଳେ) ଏପରି ଗୃହସ୍ଥ ଦେଖିଅଛି, ଯେଉଁମାନେ କେବଳ ଲୁଣ ଗୃହସ୍ଥର ଦୈନନ୍ଦିନ ବ୍ୟବହାରପଯୋଗୀ ଅନ୍ୟାନ୍ୟ କୌଣସି ବସ୍ତୁମାନଙ୍କ ପାଇଁ ପର ଉପରେ ନିର୍ଭର କରୁ ନ ଥିଲେ । ବସୁମାତାଙ୍କ ପ୍ରସାଦରୁ ସେମାନଙ୍କର ନିଜ ନିଜର ଭୂମିର ଉତ୍ପାଦାନରୁ ଭାତ, ଡାଲି, ତିଅଣ, ମାଛ, ଜାଳିବା ତେଲ, ପିନ୍ଧିବା ଲୁଗା, ଶୋଇବା ବିଞ୍ଚଣା ସବୁ ହେଉଥିଲା । ମୋ ପିଲାଦିନେ ଏପରି ଗୃହସ୍ଥ ଦେଶରେ ପଣ ପଣ ମିଳୁଥିଲେ । କିନ୍ତୁ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରୁ ଫି କଥାରେ ଦାଣ୍ତକୁ ବଜାରକୁ ନ ବାହାରିଲେ ଓ ଅନ୍ୟ ଉପରେ ନିର୍ଭର ନ କଲେ, ନ ଚଳେ । ଏବେ ଏପରି ଗୃହସ୍ଥ ‘‘ଔଷଧ ପାଇଁ ଆଖିରେ ପକାଇବାକୁ’’ ଖୋଜିଲେ ମଧ୍ୟ ମିଳିବା କଷ୍ଟକର । ଏହାକୁ ହିଁ ପାଶ୍ଚାତ୍ୟ ସଭ୍ୟତାର ଅଭିଧାନରେ କହନ୍ତି, ‘Division of labour’ ବା ‘କର୍ମ-ବିଭାଗ’-! ଆଧୁନିକ ସଭ୍ୟତାର କଳ ଠିକ୍‌ମତେ ଚଳୁଥିବା ପର୍ଯ୍ୟନ୍ତ ସବୁ କଥା ବେଧଡ଼କ । ଆମ ଦେଶରେ ଖାଦ୍ୟର ଅଭାବ ହେଲା, ଜାହାକରେ ରେଙ୍ଗୁନରୁ ଖୁଦ ଅଣାଇ ନେବା; ମୋ ଦେଶରେ ବସ୍ତ୍ରାଭାବ ହେଲା, ଆଚ୍ଛା, ବିଲାତୀ ଓ ମାର୍କିନ ଲୁଗା ଆଣି ଆମର କାମ ଚଳାଇ ନେବା; ଜାଳିବା ତେଲର ଅଭାବ ହେଲା, ବିଦେଶରୁ ବିଲୋରି ଲମ୍ପ, ବିଜୁଳି ବତୀ, ଗେସ୍‌ବତୀ, କେରୋସିନ, ପେଟ୍ରୋଲ ତେଲ ଆଣି ଘରଦ୍ୱାର ହାଲୋରମୟ କରିଦେବା; ଶଗଡ଼ ଗାଡ଼ି ଟାଣିବାପାଇଁ ଭଲ ବଳଦର ଅଭାବ ହେଲା, ବିଦେଶରୁ ବଗି, ଟମଟମ୍‌, ଫିଟନ, ମଟର ଶୂନଗାଡ଼ି ଓ ହାଓଆ ଗାଡ଼ି ଆଣି ମନ ଓରମାନ ମେଣ୍ଟାଇ ନେବା; ଖାଇବାକୁ ଶାକସବଜି ଓ ପରିବାପତ୍ର ଅଭାବ ହେଲା, ବିଦେଶରୁ ପାର୍ଶଲ ଦ୍ୱାରା ନାନାଦି ରକମର ଦେବଭୋଗ୍ୟ ବସ୍ତୁ (ଯଥା– ରୁଟି, ବିସ୍କୁଟ, କେକ, ବୈଜ୍ଞାନିକ ଉପାୟରେ ବହୁ ଦୂରରୁ ଆନୀତ ଅଥଚ ସୁରକ୍ଷିତ ଓ ତଟକା ଫଳମୂଳ, ମାଛ ମାଂସ) ସରବରାହ କରି କର୍ଣ୍ଣ ଓ ଜିହ୍ୱାର ବିବାଦ ମେଣ୍ଟାଇ ଦେବା । ଦୁଧର ଅଭାବ ହେଲା, ବିଦେଶରୁ Condensed milk (ବସା-ଦୁଧ) କିଣି କାମ ଚଳାଇଦେବା । ଏହିପରି ଦେଖାଯାଉଅଛି ଯେ, ଗୋଡ଼ର ଜୋତାଠାରୁ ଆରମ୍ଭ କରି ମୁଣ୍ତର ଛତା ପର୍ଯ୍ୟନ୍ତ, ଶୋଇବା ବସିବା ଆସନଠାରୁ ଲଗାଏତ ଝାଡ଼ା ଫେରିବା ବାସନ ପର୍ଯ୍ୟନ୍ତ, ଘରେ ଜାଳିବା ଦୀପଠାରୁ ବିବାହ ଉତ୍ସବରେ ଆବଶ୍ୟକ ଦିହୁଡ଼ି ଆଲୋକମାଳା ପର୍ଯ୍ୟନ୍ତ, ରାତି ପିନ୍ଧା ପଖାଳକରାଠାରୁ ଦରବାରର ଲାଖି ପୋଷାକ ପର୍ଯ୍ୟନ୍ତ ଆମର ଦୈନନ୍ଦିନ ବ୍ୟବରୋପଯୋଗୀ ପ୍ରାୟ ସମସ୍ତ ପଦାର୍ଥ ପାଇଁ ଆମକୁ ଆଉ ଚିନ୍ତା କରିବାକୁ ହେଉ ନାହିଁ-। ଦରକାର ହେବା ମାତ୍ରକେ ଦୂର ବିଦେଶରୁ ଆମ ପାଇଁ ବେପାରି ମହାଜନମାନେ ଆଉଲ୍‌ ଆଉଲ୍‌ ଦେବଭୋଗ୍ୟ ବସ୍ତୁମାନ ସରବରାହ କରି ଆଣି ଗଞ୍ଜ ମାରି ରଖି ଦେଇଅଛନ୍ତି । କେବଳ ଆମେ ଅଜ୍‌ ପଇସା ଗୁଡ଼ିଏ କମାଇ ପାରିଲେ ଯଥେଷ୍ଟ ହେବ । ଆଗେ ପୁରାଣ ଆଦିରେ ଶୁଣାଅଛି ଯେ, ପ୍ରବଳ ପରାକ୍ରାନ୍ତ ବୀରମାନଙ୍କୁ ଦେବତା ଓ ଦିକ୍‌ପାଳମାନେ ଖଟୁଥିଲେ; ବାୟୁ ଦେବତା ପଙ୍ଖା କରୁଥିଲେ, ଅଗ୍ନି ଦେବତା ନିଆଁ ଯୋଗାଉଥିଲେ, ବରୁଣ ରତ୍ନ ଭେଟି ଦେଉଥିଲେ, ଇନ୍ଦ୍ର ପାଣି ଯୋଗାଉଥିଲେ ଓ ବିଜୁଳି ବତି ଯୋଗାଉଥିଲେ, ବିଶ୍ୱକର୍ମା ନଅର ଉଆସ ତୋଳି ଦେଉଥିଲେ, ଅଶ୍ୱିନୀ କୁମାରମାନେ ଔଷଧ ଯୋଗାଣ କରାଉଥିଲେ; ଏବେ ଦେଖାଗଲା ଯେ, ପାଶ୍ଚାତ୍ୟ ବିଜ୍ଞାନ, ପାଶ୍ଚାତ୍ୟ ସଭ୍ୟତା ବଳରୁ ଫି ଘରେ ଘରେ ଦେବତାମାନେ ଆମର ସେବାରେ ଲାଗି ଅଛନ୍ତି, ଅଗ୍ନିଦେବତା ଆମ ପାଇଁ ରେଳ ଜାହଜ ଚଳାଇ ଅଛନ୍ତି, ଇନ୍ଦ୍ର ବିଜୁଳିବତି ଯୋଗାଉ ଅଛନ୍ତି, ପବନ ଦେବତା କଳପଙ୍ଖା ଚଳାଉ ଅଛନ୍ତି ଇତ୍ୟାଦି, ଇତ୍ୟାଦି, କିନ୍ତୁ ମୁଁ ଭାବେ, ଏଗୁଡ଼ାକ ଦ୍ୱାରା ଆମେ ଉନ୍ନତ କରୁଅଛୁ, ନା ଅବନତି ଲଭୁଅଛୁ ? ପାଶ୍ଚାତ୍ୟ ବିଜ୍ଞାନ ଦ୍ୱାରା ଅଦୃଷ୍ଟ ପୂର୍ବ, ଅଶ୍ରୁତ ପୂର୍ବ, ଅନାସ୍ୱାଦିତ ପୂର୍ବ, ଅନାଘ୍ରାତ ପୂର୍ବ, ଅସ୍ପୃଷ୍ଟ ପୂର୍ବ ଜିନିଷ ଓ ଘଟନାମାନ ପ୍ରତ୍ୟକ୍ଷୀଭୂତ ହେଉଅଛି; କିନ୍ତୁ ବିଜ୍ଞାନ ଦିଓଟି କଥା ବଦଳାଇ ପାରି ନାହିଁ-

 

୧–ଲୋକୋତ୍ପାଦନର ସର୍ବପ୍ରଧାନ ଉପକରଣ (ସ୍ତ୍ରୀ)

 

୨–ଖାଦ୍ୟୋତ୍ପାଦନର ସର୍ବପ୍ରଧାନ ଉପକରଣ (ଭୂମି) ।

 

ପୁଲାଙ୍ଗ ମାଲପା ଓ ମାଟି ଦୀପରେ ଆମ ଘର ଉଜାଲା ହେଉଥିଲା, ଏବେ ତହିଁ ପରିବର୍ତ୍ତରେ ବିଜୁଳିବତିରେ ବେଶ କାମ ଚଳୁଅଛି; ଆଗେ ଆମ ଦେଶର ତନ୍ତୀ ବାପୁଡ଼ା ଆମ ପାଇଁ ପିନ୍ଧା ଦୋସଡ଼ା, ଜାମାରୁ ଯୋଡ଼ ଏକପଟା ଦୋପଟା କରୁଥିଲା, ଏବେ ସେଥିପାଇଁ କଳ ହୋଇ ଆମର ବସ୍ତ୍ରାଭାବକୁ ଶତଗୁଣ ଦୂର କଲାଣି; କିନ୍ତୁ ଲୋକୋତ୍ପାଦନ ଓ ଶସ୍ୟୋତ୍ପାଦନ ପାଇଁ ବିଧାତା ସୃଷ୍ଟି ଆଦ୍ୟରୁ ଯେଉଁ ଉପକରଣ ଦିଓଟି ସୃଷ୍ଟି କରିଥିଲେ, ପାଶ୍ଚାତ୍ୟ ସଭ୍ୟତା ବିଜ୍ଞାନ ତହିଁ ବଦଳରେ ଅନ୍ୟ କିଛି Substitute (ପଦାର୍ଥାନ୍ତର) ଆବିଷ୍କାର କରି ପାରିନାହିଁ । ନିକଟ ଭବିଷ୍ୟତରେ ଯେ ପାରିବ, ଏହା ମୁଁ କଳ୍ପନା କରି ପାରୁନାହିଁ । ଏପରି ସ୍ଥଳରେ ଏ ସୃଷ୍ଟିର ଯୋଡ଼ିଏ ବିଶିଷ୍ଟ ଅଭାବ ପୂରଣ କରିବା ପାଇଁ ଅଗତ୍ୟା ଆମ୍ଭମାନଙ୍କୁ ମାନ୍ଧାତାଙ୍କ ଅମଳର ସେହି ପୁରୁଣାକାଳିଆ ପଦାର୍ଥ ଦିଓଟି ଉପରେ ନିର୍ଭର କରିବାକୁ ହେବ । ବିଜ୍ଞାନ ବଳରେ ସଂସାରରେ ସବୁ ଅଭାବ ପୂର୍ଣ୍ଣ ହେଉଅଛି ଓ ହେବ; କିନ୍ତୁ ଏ ଦିଓଟି ଅଭାବ ପୂରଣ ପାଇଁ ଯାହା ଥିଲା, ତାହାହିଁ ଅଛି ଓ ରହିବ । ଲୋକସଂଖ୍ୟା ବୃଦ୍ଧି ପ୍ରସଙ୍ଗ ମୋର ବର୍ତ୍ତମାନ ଆଲୋଚ୍ୟ ବିଷୟ ନୁହେଁ । ଅତଏବ ସେ ସମ୍ୱନ୍ଧରେ ଏଠାରେ ପଦେ ଅଧେ ଅବତାରଣା କରିବା ଅସ୍ୱାଭାବିକ ହେବ ବୋଲି ସେ ପ୍ରସଙ୍ଗର ଇସାରା ମାତ୍ର କଥା ପ୍ରସଙ୍ଗରେ କହିଲି । ବର୍ତ୍ତମାନ କୃଷି ସମ୍ୱନ୍ଧରେ ବିଚାର କରାଯାଉ । ମନୁଷ୍ୟ ବଞ୍ଚି ରହିବାପାଇଁ ଖାଦ୍ୟ ଏକାନ୍ତ ଆବଶ୍ୟକ । ସେ ଖାଦ୍ୟ ପ୍ରତ୍ୟକ୍ଷଭାବରେ ହେଉ ବା ପରୋକ୍ଷଭାବରେ ହେଉ ବସୁମାତା (ଭୂମି) ଆମ୍ଭମାନଙ୍କୁ ଯୋଗାନ୍ତି । ନିରାମିଷଭୋଜିମାନେ ଯାହା ଖାନ୍ତି, ତାହା ଭୂମିରୁ ଉତ୍ପନ୍ନ, ଆମିଷାଶୀମାନେ ଯେଉଁ ଜୀବଜନ୍ତୁଙ୍କ ଦ୍ୱାରା ଆପଣାର କ୍ଷୁନ୍ନି ବୃତ୍ତି କରନ୍ତି, ସେ ଜୀବଜନ୍ତୁମାନଙ୍କ ଆହାର ଭୂମିରୁ ଉତ୍ପନ୍ନ ବା ସଂଗୃହୀତ, ଅତଏବ ଶସ୍ୟହିଁ ମନୁଷ୍ୟ ବଞ୍ଚି ରହିବାର ସର୍ବପ୍ରଧାନ ଓ ସର୍ବପ୍ରଥମ ଆଶ୍ରୟ । ତାହା ଭୂମିରୁ ହିଁ ଉତ୍ପନ୍ନ ହେବ । ଭୂମିରୁ ଶସ୍ୟ ଉତ୍ପନ୍ନ ହେଲେ ମଧ୍ୟ ତାହା ବିନା ପରିଶ୍ରମ, ବିନା କୃଷିରେ ହେବ ନାହିଁ–ଯାହା ଇଚ୍ଛା ତାହା କରି ଗୁଡ଼ିଏ ପରିଶ୍ରମ କଲେ ହେବ ନାହିଁ । ଦିନକୁ କ୍ଷେତ୍ରମାନ ପୂର୍ବ ଅପେକ୍ଷା ବେଶୀ ଫଳ ଉତ୍ପନ୍ନ ନ କଲେ ବଢ଼ୁଥିବା ଲୋକସଂଖ୍ୟା ପାଇଁ ଯଥେଷ୍ଟ ଖାଦ୍ୟ ମିଳିବ ନାହିଁ । ଏଥିପାଇଁ ଫସଲର ଉନ୍ନତିକଳ୍ପେ ଉନ୍ନତତର କୃଷିପ୍ରଣାଳୀମାନ (ଯଥା– ଉତ୍କୃଷ୍ଟ ବୀଜ ସଂଗ୍ରହ ଓ ସଂରକ୍ଷଣ, ଲାଭପ୍ରଦ ଫସଲ ପ୍ରବର୍ତ୍ତନ, ଗଭୀର ଚାଷ, ଜଳସେଚନ, ଭୂମିରେ ବଳପ୍ରଦ ସାର ପ୍ରଦାନ ଆଦି) ଅବଲମ୍ବନ କରିବାକୁ ହେବ । ଏହା କରିବ କିଏ ? ଯେଉଁମାନଙ୍କର ବୁଦ୍ଧି ଅଛି, ବିଦ୍ୟା ଅଛି, ଧନ ଅଛି, ଜ୍ଞାନ ଅଛି, ସେମାନେ ଗ୍ରାମ ଛାଡ଼ି ସହରକୁ ଛୁ ! ସମସ୍ତେ ଯୋଗୀ ହେଲେ ଭିକ ଦେବ କିଏ ? ଫଳତଃ ନିର୍ବୁଦ୍ଧିଆ, ମୂର୍ଖ, ନିର୍ଦ୍ଧନ, ଅଜ୍ଞାନୀ ଲୋକଯାକଙ୍କ ଉପରେ କୃଷି କରିବାର ଭାର ପଡ଼ିଅଛି । ସେଥିରେ ଅନିବାର୍ଯ୍ୟ ଫଳ ଏହିତା ହେଉଅଛି ଯେ, ଆମ ଦେଶରେ କୃଷିର ଉନ୍ନତି ହେଉନାହିଁ ଓ ଦିନକୁ ଦିନ କୃଷକ ଶ୍ରେଣୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ଉଠୁଅଛି– ସେମାନଙ୍କ କ୍ଷେତର ଆୟରୁ ଲାଭ ହେବା କଥା ଦୂରେ ଥାଉ, ସେମାନଙ୍କ ନିଜର ପେଟ ପୋଷି ହେବା ଅସମ୍ଭବ ହୋଇ ପଡ଼ୁଅଛି ଓ ସେମାନେ ଦାରିଦ୍ର୍ୟ ଓ ଋଣରେ ଅହରହଃ ପ୍ରପୀଡ଼ିତ । ଯେଉଁମାନଙ୍କର ପାଞ୍ଚ ବାଟୀ ଦଶ ବାଟୀ ଚାଷ ଅଛି, ସେମାନେ ମଧ୍ୟ ମୂର୍ଖ ହଳିଆ ମୂଲିଆଙ୍କ ଉପରେ କୃଷିର ଭାର ଛାଡ଼ି ଦେଇ ସହରରେ ରହିଅଛନ୍ତି । ତାଙ୍କୁ ଯେତିକି ମିଳିଲା ସେତିକିରେ ‘ଯଥା ଲାଭ’ । ଏପରି ସ୍ଥଳରେ ତାଙ୍କର ମଧ୍ୟ ବ୍ୟୟକୁ ଚାହିଁ କୃଷିରୁ ଆୟ ହେଉ ନାହିଁ । କୃଷକ ଉପରେ ଓ କୃଷିର ମଙ୍ଗଳ ଉପରେ ଦେଶର ଅନ୍ନସଂସ୍ଥାନ ନିର୍ଭର କରୁଅଛି– କୃଷକ ଟାଣୁଆ ନ ହେବା ପର୍ଯ୍ୟନ୍ତ ଓ କୃଷି ଗୋଟାଏ ଲାଭଜନକ ଅବଲମ୍ବନ ନ ହେବା ପର୍ଯ୍ୟନ୍ତ ଦେଶ ପ୍ରକୃତ ପ୍ରସ୍ତାବରେ ସୁସ୍ଥ ହେବ ନାହିଁ । ବିଶେଷତଃ, ଭାରତବର୍ଷ କୃଷିପ୍ରଧାନ ଦେଶ । ଶତକରା ୯୦ ଜଣ କୃଷି ଉପରେ ନିର୍ଭର କରନ୍ତି । ଏପରି ସ୍ଥଳରେ କୃଷିର ଉନ୍ନତି କରିବାର ଉପାୟମାନ ଅବଲମ୍ବିତ ନ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଦେଶକୁ ଦାରିଦ୍ର୍ୟ ଘୋଟି ରହିଥିବ । ଯେତେବେଳେ ଦେଶର ବିଦ୍ୱାନ, ଧନୀ ଓ ଜ୍ଞାନୀ ଲୋକମାନେ କୃଷି ଆଡ଼କୁ ଆଖି ଦେବେ ଓ କୃଷିର ଉନ୍ନତି କରିବେ, ସେତେବେଳେ କୃଷି ଗୋଟିଏ ଲାଭଜନକ ଅବଲମ୍ବନ ହୋଇ ଉଠିବ; ମଧ୍ୟବିତ୍ତ ଓ ଗରିବ କୃଷକମାନେ ସେହି ପ୍ରଣାଳୀ ଅବଲମ୍ବନ କରି ସ୍ୱଚ୍ଛନ୍ଦରେ ଜୀବିକା ନିର୍ବାହ କରିପାରିବେ । ଏହାକୁ ଗଭର୍ଣ୍ଣମେଣ୍ଟ କୃଷିର ଅତ୍ୟାବଶ୍ୟକତା ଉପଲବ୍‌ଧି କରି ସ୍ଥାନେ ସ୍ଥାନେ ଆଦର୍ଶ କୃଷିକ୍ଷେତ୍ରମାନ ସ୍ଥାପନ କରି ସେଥିରେ ଉନ୍ନତ ଓ ଲାଭଜନକ କୃଷି ପ୍ରକ୍ରିୟାମାନ ପରୀକ୍ଷା ଓ ପ୍ରବର୍ତ୍ତନ କରି ସାଧାରଣ କୃଷକକୁ ସେହି ବାଟ ଦେଖାଇବା ପାଇଁ ଚେଷ୍ଟା କରୁଅଛନ୍ତି । କିନ୍ତୁ ଯେତେବେଳ ଯାଏ ଦେଶର ଶିକ୍ଷିତ, ପଦସ୍ଥ ଓ ବିଭବଶାଳୀ ଲୋକମାନେ ସେ ଆଡ଼କୁ ମନ ଦେଇ ନାହାନ୍ତି, ସେତେବେଳ ପର୍ଯ୍ୟନ୍ତ ସାଧାରଣ କୃଷକ ଆଦର୍ଶ କୃଷିକ୍ଷେତ୍ରର ମାହାତ୍ମ୍ୟ ଉପଲବ୍‌ଧି କରି ଆଦର୍ଶ କୃଷିକ୍ଷେତ୍ରର ଉଦାହରଣରୁ ପ୍ରାପ୍ତ ଶିକ୍ଷାକୁ କାର୍ଯ୍ୟରେ ପରିଣତ କରି ପାରିବ ନାହିଁ । ବର୍ତ୍ତମାନ ଦେଖାଯାଏ ଯେ, ଭଦ୍ରଲୋକ ଚା ଧନ୍ଦାରେ ଓ ବିଲବାଡ଼ିରେ ଲାଗିବାର ଦେଖାଗଲେ ତାଙ୍କୁ ଲୋକେ କହନ୍ତି, ‘‘ଆପଣ ଏଡ଼େ ଲୋକ ହୋଇ ଏ ଛୋଟ କାମରେ ଲାଗୁଛ ।’’ କିନ୍ତୁ ଯେତେବେଳେ କୃଷି କାମରେ ଲାଗିବା ଆଉ ଛୋଟ-କାମ, ହେୟ କାର୍ଯ୍ୟରେ ସୁମାରି ହେବ ନାହିଁ, ସେତେବେଳେ ଯାଇ କୃଷିର ଉନ୍ନତି ହେବ । ଇଂଲଣ୍ତ, ଜର୍ମାନି, ଆମେରିକାରେ ବଡ଼ ବଡ଼ ଲୋକମାନେ କୃଷିକୁ ଗୋଟିଏ ଲାଭଜନକ ବ୍ୟବସାୟରେ ପରିଣତ କରିଅଛନ୍ତି । କିନ୍ତୁ ଆମ ଦେଶରେ ସେଇଟା ସବୁଠାରୁ ନିଉଁଛୁଣା ଜୀବିକା ହୋଇଅଛି । କୃଷକର ବର୍ତ୍ତମାନ ପରିଲକ୍ଷିତ ଶୋଚନୀୟ ଅବସ୍ଥା ଆମ ଦେଶର ଗୋଟିଏ ପ୍ରହେଳିକାମୟ ସମସ୍ୟା ହୋଇ ଉଠିଅଛି । ସେ ସମସ୍ୟାର ସାଧନା ନ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ପରମୁଖାପେକ୍ଷୀ ହୋଇ ରହିବାକୁ ହେବ । ସାଧାରଣ କୃଷକର ଯଥେଷ୍ଟ ଭୂମି ନାହିଁ, ଯଥେଷ୍ଟ ମୂଳଧନ ନାହିଁ, ଯଥେଷ୍ଟ ବୁଦ୍ଧି ନାହିଁ, ଯଥେଷ୍ଟ ବିଦ୍ୟା ନାହିଁ । ଏଗୁଡ଼ିକ ପୂରଣ କରିବା ନିମନ୍ତେ କେତେଗୁଡ଼ିଏ ଅନୁଷ୍ଠାନ ଦରକାର । ଗଭର୍ଣ୍ଣମେଣ୍ଟ ସେ ଆଡ଼କୁ ଦୃଷ୍ଟି ପକାଇଛନ୍ତି ସତ୍ୟ, ଦେଶରେ ପ୍ରାଥମିକ ଶିକ୍ଷା ବିସ୍ତାର, ଆଦର୍ଶ କୃଷିକ୍ଷେତ୍ର ସ୍ଥାପନ, ସମବାୟ ଋଣ ସମିତି ସ୍ଥାପନ, ଜମିଦାର ଓ ମହାଜନଙ୍କ ଦାଉରୁ କୃଷକଙ୍କୁ ରକ୍ଷା କରିବା ପାଇଁ ବ୍ୟବସ୍ଥା ପ୍ରବର୍ତ୍ତନ ଏହିପରି କେତେଗୁଡ଼ିଏ ଅନୁଷ୍ଠାନର ସୂଚନା ହୋଇଅଛି ମାତ୍ର । କିନ୍ତୁ ଏସବୁ ସିଦ୍ଧ ହେବା ନିମନ୍ତେ ଦେଶର ମୁଖିଆମାନେ ଅଣ୍ଟା ନ ଭିଡ଼ିଲେ ଓ ନିଜେ ଉଦାହରଣ ଓ ଉଦ୍ୟମ ଦ୍ୱାରା ବାଟ ନ ଦେଖାଇଲେ କୃଷକମାନେ ‘‘ଆଜି ଯେ ତିମିରେ, କାଲି ସେ ତିମିରେ ।’’ ଏଥିପାଇଁ ମୁଁ କହୁଥିଲି ଯେ ସମସ୍ତେ ଗ୍ରାମ ଛାଡ଼ି, ଦେଶ ଛାଡ଼ି କେବଳ ଚାକିରି ଓ ରୋଜଗାର ଉପରେ ନିର୍ଭର କଲେ ହେବ ନାହିଁ, ନିଜ ଦେଶରେ, ନିଜ ଗ୍ରାମରେ ରହି କୃଷକମାନଙ୍କୁ ହେୟ, ଅପଦାର୍ଥ ବୋଲି ଜ୍ଞାନ ନ କରି, କୃଷିକୁ ଜୀବିକାନିର୍ବାହର ଗୋଟିଏ ନଗଣ୍ୟ ଉପାୟ ବୋଲି ମନେ ନ କରି, ଯେଉଁମାନଙ୍କର ଭୂମି ଅଛି, ଶକ୍ତି ଅଛି, ବିଦ୍ୟା ଅଛି, ବୁଦ୍ଧି ଅଛି, ଧନ ଅଛି, ସେମାନେ କୃଷିର ଓ କୃଷକର ଉନ୍ନତି ପ୍ରତି ମନ ଦିଅନ୍ତୁ । ଏଥି ନିମନ୍ତେ କିଛି ସ୍ୱାର୍ଥତ୍ୟାଗ କରିବାକୁ ହେବ ନାହିଁ । ବିଦ୍ୱାନ୍‌ମାନେ କୃଷି ଆଡ଼କୁ ମନ ଦେଲେ କୃଷିର ଉନ୍ନତି ଉପାୟ ଅବଲମ୍ବନ ଦ୍ୱାରା କୃଷିର ଲଭ୍ୟ ତାଙ୍କ ପ୍ରତି ମଧ୍ୟ ଆୟଜନକ ଓ ଲାଭଜନକ ହେବ ବୋଲି ମୋର ଧାରଣା । ସଙ୍ଗେ ସଙ୍ଗେ ତାଙ୍କ ପ୍ରବର୍ତ୍ତିତ ଉପାୟମାନ ସାଧାରଣ କୃଷକ ଅବଲମ୍ବନ କରି, ତାଙ୍କ ଉଦାହରଣକୁ ଅନୁକରଣ କରି ସାଧାରଣ କୃଷକର ଅବସ୍ଥା ମଧ୍ୟ ପରିବର୍ତ୍ତିତ ହେବ । ଏତଦ୍ଦ୍ୱାରା ଦେଶର ବୈଷୟିକ ଉନ୍ନତି ଅବଶ୍ୟମ୍ଭାବୀ । ଏଥିପାଇଁ ମୋର ଧାରଣା ହୋଇଅଛି ଯେ, ବର୍ତ୍ତମାନ ପଲ୍ଲୀରୁ ସହର ଆଡ଼କୁ ଯେଉଁ ସ୍ରୋତ ଉଜାଣି ବହୁଅଛି, ତାହା ଫେରାଇ ପଲ୍ଲୀର କରାମତି ଜାହେର କରିବା ପ୍ରତି ପ୍ରତ୍ୟେକ ଶିକ୍ଷିତ ଓ ପଦସ୍ଥ ବ୍ୟକ୍ତିଙ୍କର ଦୃଷ୍ଟି ପଡ଼ିବା ଅତ୍ୟନ୍ତ ଆବଶ୍ୟକ ହୋଇ ଉଠିଅଛି । ପଲ୍ଲୀ ଆମ୍ଭମାନଙ୍କ ଅବସର ବାସର (holiday) ସମୟର କ୍ରୀଡ଼ାଭୂମି (Recreation ground) ନ ହୋଇ ଆଠକାଳି-ବାରମାସି କାର୍ଯ୍ୟକ୍ଷେତ୍ର ରୂପେ ପରିବର୍ତ୍ତିତ ହେଉ । ପଲ୍ଲୀ ଗ୍ରାମରେ ଶିକ୍ଷିତମାନଙ୍କ ପାଇଁ ଯଥେଷ୍ଟ କାର୍ଯ୍ୟକ୍ଷେତ୍ର ଉନ୍ମୁକ୍ତ ରହିଅଛି । ଦେଖାଯାଉଛି ଯେ, ଅନ୍ୟାନ୍ୟ କ୍ଷେତ୍ରରେ ଆଗକରି ବିଦେଶୀମାନେ ଆସି ଆମ ଦେଶରେ ଲାଭଜନକ ଉପାୟ ଓ ବ୍ୟବସାୟମାନ ଅବଲମ୍ବନ କରି ଆମ ଦେଶରୁ ସରଲବଣୀତକ ଛାଣି ନେଲା ପରେ ଆମ ଦିହରେ ଚେତା ପଶୁଅଛି ଓ ଆମେ ସେ ଉପାୟ ଧରିଅଛୁଁ; କିନ୍ତୁ ଆମେ କର୍ମକ୍ଷେତ୍ରରେ ଉପସ୍ଥିତ ହେଲା ବେଳକୁ, ଉକ୍ତ ଲାଭଜନକ ବ୍ୟବସାୟରେ ପଶିଲା ବେଳକୁ ‘ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି’, ଏ କ୍ଷେତ୍ରରେ ମଧ୍ୟ ଯେତିକି କରିବା ପାଇଁ ବାକି ଅଛି ସେତକ ଶେଷକୁ ଯେପରି ଆମ ହାତରୁ ନ ଖସେ । ନଚେତ୍‌ ଆମେ ‘ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ-।’ ଆମ ଦେଶର ବାଣିଜ୍ୟ ଆମ ହାତରୁ ଯାଇଅଛି, ଲାଭଜନକ ବ୍ୟବସାୟ ଯାଇଅଛି, ଜମିଦାରୀ ଯାଇଅଛି, ଚାକିରି ଯାଇଅଛି, ଅଛି କେବଳ ବାକି ସେତିକି– ଭିଟାମାଟି । ସେତକ ଚାଲିଗଲେ ଆମେ ଚିରକାଳ କଙ୍ଗାଳ ହୋଇ ପଡ଼ିଥିବା । ଆମରି ଧନରେ ଅନ୍ୟ ଲୋକମାନେ ବିଭବ କରିବେ-। ଆମେ ବଲବଲ କରି ଅନାଇଥିବା । ଏତିକି ଥାଉ ।

 

(୨୨ଶ ଭାଗ । ୧୩୨୬ । ୧୧ଶ ସଂଖ୍ୟା)

 

ବର୍ତ୍ତମାନ ସମଗ୍ର ଜଗତରେ ଭବିଷ୍ୟତରେ ଅବିଚ୍ଛିନ୍ନ ଶାନ୍ତି ବିରାଜମାନ କରିବ ବୋଲି ମିତ୍ର ଶକ୍ତିଯାକ ଫ୍ରାନ୍‌ସ ରାଜଧାନୀ ପାରୀ ନଗରୀରେ ଶାନ୍ତି-ସମ୍ମିଳନୀର (Peace Conference) ବଇଠକ ଆରମ୍ଭ କରିଅଛନ୍ତି– ସେଥିରେ ଆମେରିକା ଯୁକ୍ତରାଜ୍ୟର ପ୍ରେସିଡ଼େଣ୍ଟ ଉଇଲସନ୍‌ ପ୍ରଥମ ଆହୁତି ଦେଇ ଶାନ୍ତି ଦେବୀଙ୍କୁ ଆବାହନ କରିଅଛନ୍ତି । ତାଙ୍କ ବକ୍ତୃତାରେ ଯେଉଁ ସାର୍ବଜନୀନ ମୈତ୍ରୀବ୍ରତ ଉଦ୍‌ଘୋଷିତ ହୋଇଅଛି, ତାହା ଜଗତର ପ୍ରତ୍ୟେକ ସଭ୍ୟଜାତିର ଅବଲମ୍ବନୀୟ । ସମଗ୍ର ଜଗତର ଶକ୍ତିମାନଙ୍କୁ ଅନୁମୋଦିତ ଆନ୍ତର୍ଜାତୀୟ ବିଧାନ ମାନଙ୍କ ଦ୍ୱାରା ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଯେଉଁ League of Nations (ଆନ୍ତର୍ଜାତୀୟ ସଂଘ) ପ୍ରତିଷ୍ଠା ହେବାର ପ୍ରସ୍ତାବ ଚାଲିଅଛି, ସେହି ପ୍ରସ୍ତାବକୁ ଶାନ୍ତି ସମ୍ମିଳନୀରେ ଉପସ୍ଥାପିତ କରିବା ଉପଲକ୍ଷରେ ପ୍ରେସିଡ଼େଣ୍ଟ ଉଇଲସନ୍‌ ଯେଉଁ ଉଦାର ନୀତିମାନଙ୍କର ସାମାନ୍ୟ କଥନମାନ ଘୋଷଣା କରିଅଛନ୍ତି, ତାହା କାର୍ଯ୍ୟରେ ପରିଣତ ହୋଇ ପାରିଲେ ଜଗତରେ ଅଚିରେ ଚିରଶାନ୍ତି ବିରାଜିତ ହେବ, ଏଥିରେ ସନ୍ଦେହ ନାହିଁ । ପ୍ରତି ଦେଶର ଓ ପ୍ରତ୍ୟେକ ଜାତିର ଶାସନପ୍ରଣାଳୀ ତତ୍ତତ୍‌ ଜାତିର ବ୍ୟକ୍ତିମାନଙ୍କଠାରେ ଶାସନଭାର ନ୍ୟସ୍ତ । ସେମାନେ ଶାସିତମଣ୍ତଳୀର ପରିଚାରକ ସ୍ୱରୂପ ଆପଣାକୁ ବିବେଚନା କରିବେ, ଦୁର୍ବଳ ଓ କ୍ଷୁଦ୍ର ଜାତିମାନ ପ୍ରବଳ ଓ ପରାକ୍ରାନ୍ତ ଜାତିମାନଙ୍କ ଦ୍ୱାରା ନିଷ୍ପିଷ୍ଟ ଓ ଲୁପ୍ତ ହେବେ ନାହିଁ । ଏହି ଆନ୍ତର୍ଜାତୀୟ ସଂଘ ଯେଉଁ ବିଧିମାନ ପ୍ରଣୟନ କରିବେ, ତାହା ସମସ୍ତ ଜାତି ପାଳନ କରିବାକୁ ବାଧ୍ୟ ହେବେ, ତାହା ପାଳିତ ନ ହେଲେ ଲଙ୍ଘନକାରୀ ପ୍ରତି ଦଣ୍ତ ହେବାର ଉପାୟ, କ୍ଷମତା ଓ ଉପକରଣ ସେହି ସଂଘଠାରେ ଅର୍ପିତ ହେବ; ଉକ୍ତ ସଂଘରେ ବିଭିନ୍ନ ଜାତିର (Nations) ପ୍ରତିନିଧିମାନେ ସଭ୍ୟଶ୍ରେଣୀଭୁକ୍ତ ହେବେ; ଆନ୍ତର୍ଜାତୀୟ (International) ବିବାଦମାନ ଏହି ସଂଘ (League) ମୀମାଂସା କରିବେ ଓ ସଂଘଙ୍କର ଫଏସଲକୁ ସମଗ୍ର ଜଗତ୍‌ ନତମସ୍ତକରେ ଗ୍ରହଣ କରିବେ । ଏ ସାମାନ୍ୟକଥନ ଓ ପ୍ରସ୍ତାବମାନ କେବେ କାର୍ଯ୍ୟରେ ପରିଣତ ହେବ, ତାହା ସେହି ବିଶ୍ୱନିୟନ୍ତା ଭଗବାନଙ୍କୁ ଜଣା; କିନ୍ତୁ ଏଗୁଡ଼ିକ କାର୍ଯ୍ୟରେ ପରିଣତ ହେଲେ ସମଗ୍ର ଜଗତ୍‌ ଶାନ୍ତ ହେବ, ପ୍ରବଳ ପରାକ୍ରାନ୍ତ ଜାତିର ପରରାଜ୍ୟାଧିକାର ଆକାଂକ୍ଷା ଆଗରେ ଦୁର୍ବଳ ଜାତି ଆପଣାକୁ ବଳି ଦେବ ନାହିଁ । ଭଗବାନ୍‌ ଏ ଦିନ ଆଣିଲେ ପୃଥିବୀରୁ ଯୁଦ୍ଧରୂପ ‘କାଳ’ ଚିରକାଳ ପାଇଁ ବିଦାୟ ଗ୍ରହଣ କରିବ ।

 

ବିଗତ ଯୁଦ୍ଧରେ ଭାରତବର୍ଷ ଇଂରାଜ-ସାମ୍ରାଜ୍ୟ ପ୍ରତି ଐକାନ୍ତିକ ମମତା ଦେଖାଇ ଯୁଦ୍ଧକ୍ଷେତ୍ରର ଧନ-ଜନ-ମନ-ପ୍ରାଣ ଢାଳି ଦେବାକୁ କୁଣ୍ଠିତ ହୋଇ ନାହିଁ । ଏଥି ସ୍ୱାର୍ଥତ୍ୟାଗର ଫଳସ୍ୱରୂପ ଭାରତବର୍ଷ ଆଜି ସଭ୍ୟ ଜାତିମାନଙ୍କ ସଙ୍ଗେ ଗୋଟିଏ ଆସନ ପାଇ ପାରିଅଛି । ଆଜିପର୍ଯ୍ୟନ୍ତ ପାଶ୍ଚାତ୍ୟ ସଭ୍ୟଜଗତରେ ଯେତେଗୁଡ଼ିଏ Peace Conference (ଶାନ୍ତି ସମ୍ମିଳନୀ) ର ବୈଠକମାନ ହୋଇଥିଲା । ଭାରତ ବିଜିତଜାତିରୂପେ ପରିଗଣିତ ହୋଇ ସେଥିରେ ପ୍ରବେଶାଧିକାର ପାଇ ନ ଥିଲା । କିନ୍ତୁ ଆଜି ଉଦାର ବ୍ରିଟିଶ ଜାତି ଭାରତକୁ ସ୍ୱାୟତ୍ତ ଶାସନ ଦେବା ଲାଗି ପ୍ରତିଶ୍ରୁତ ହୋଇ ଅଛନ୍ତି ଓ ଭାରତବାସୀଙ୍କୁ ରାଜକୀୟ ସମାନ ଅଧିକାର ପ୍ରଦାନ କରିବାକୁ କୁଣ୍ଠିତ ହେଉ ନାହାନ୍ତି, Peace Conference (ଶାନ୍ତି ସମ୍ମିଳନୀ)ରେ ଭାରତୀୟ ପ୍ରତିନିଧିମାନଙ୍କୁ ଆଜି ଯେଉଁ ଆସନ ମିଳିଲା, ଭାରତବାସୀ ତଦ୍‌ଯୋଗ୍ୟ ବୋଲି ସଭ୍ୟଜଗତକୁ ଦେଖାଇ ପାରିଲେ ଭାରତର ଦୁର୍ଦ୍ଦଶା ରହିବ ନାହିଁ । ବ୍ରିଟିଶ ଜାତିର ଏହି ଉଦାରନୀତି ଆଜି ତାକୁ ସମଗ୍ର ସଭ୍ୟଜଗତରେ ପୂଜ୍ୟ ଓ ସମ୍ମାନାର୍ହ କରିଅଛି । ଜନୈକ ଭାରତୀୟଙ୍କୁ ‘Lord’ (ଲର୍ଡ଼) ଉପାଧି ଦେଇ ଇଂଲଣ୍ତରେ ପ୍ରତିଷ୍ଠିତ ଭାରତ-ଶାସକ-ସମିତିର (India Council) ସହକାରୀ ସମ୍ପାଦକ (Under Secretary of State for India) ରୂପେ ବରଣ କରି ଉଦାର ଇଂରାଜୀ ଜାତି ସମଗ୍ର ଜଗତକୁ ଦେଖାଇ ଦେଇ ଅଛନ୍ତି ଯେ, ଭାରତବର୍ଷକୁ ଉଚ୍ଚ ଆସନ ଦେବାର ପ୍ରସ୍ତାବ କେବଳ ମାତ୍ର ‘‘ପୋଥି ପାଠ’’ ନୁହେଁ । ଯେଉଁ Lord ଉପାଧି ବ୍ରିଟିଶମାନଙ୍କର ଏକଚାଟିଆ ଥିଲା, ଯେଉଁ House of Lordsରେ ବ୍ରିଟିଶ ଜାତୀୟ କୁଳୀନ ବ୍ୟକ୍ତିମାନଙ୍କର ପ୍ରବେଶାଧିକାର ଥିଲା,, ସେଥିରେ ଆଜି ବ୍ରିଟିଶ ଜାତି ଜଣେ ଭାରତୀୟଙ୍କୁ ସ୍ୱେଚ୍ଛାରେ ବରଣ କରିଅଛନ୍ତି ଓ ସମାନ ଅଧିକାର ପ୍ରଦାନ କରି ଅଛନ୍ତି । ଭାରତ ପକ୍ଷରେ ଏହାଠାରୁ ବଳି ଗୌରବର ବିଷୟ କଣ ହୋଇପାରେ ? ସମ୍ରାଟ୍‌ ପଞ୍ଚମଜର୍ଜ ପାର୍ଲିଆମେଣ୍ଟ ମହାସଭା ଉଦ୍‌ଘାଟନ କରିବା ଉପଲକ୍ଷରେ ଯେଉଁ ଅବତାରଣା କରି ବକ୍ତୃତା କରିଅଛନ୍ତି, ସେଥିରେ ଭାରତ ପ୍ରତି ଯେଉଁ ସ୍ନେହ ଓ ଆଶାର ବାଣୀ ଶୁଣାଇଅଛନ୍ତି, ତାହା ଶୁଣି କେଉଁ ଭାରତବାସୀର ହୃଦୟ ଆନନ୍ଦ ଓ ଆଶାରେ ନାଚି ଉଠିନାହିଁ ? ବିଲାତର ଷ୍ଟେଟ ସେକ୍ରେଟାରୀ ଓ ଭାରତର ବଡ଼ଲାଟ୍‌ ଭାରତର ଶାସନ-ସଂସ୍କାର ସମ୍ବନ୍ଧରେ ଯେଉଁ ପ୍ରସ୍ତାବମାନ (India Reforms Scheme) ଖସଡ଼ା କରିଅଛନ୍ତି, ସେ ସମ୍ବନ୍ଧରେ ବର୍ତ୍ତମାନ ପାର୍ଲିଆମେଣ୍ଟ ନିଯୁକ୍ତି କମିଟିମାନ ସରଜମିନ ତଦନ୍ତ ଓ ଅନୁସନ୍ଧାନ କରୁଅଛନ୍ତି ଓ ସେମାନେ ରିପୋର୍ଟ କରିବା ମାତ୍ରକେ ତାଙ୍କ ରିପୋର୍ଟ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହୋଇ ଶୀଘ୍ର ଭାରତୀୟ ଶାସନ-ସଂସ୍କାର ବିଧିମାନ ପାର୍ଲିଆମାଣ୍ଟର ଚଳିତ୍ ବୈଠକରେ ପାଶ୍‌ କରିବେ ବୋଲି ସମ୍ରାଟ ଘୋଷଣା କରିଅଛନ୍ତି ।

 

ଏ ସବୁ ଆଶାର ଚିହ୍ନ ମଧ୍ୟରେ ଖଣ୍ତେ ଖଣ୍ତେ କଳାମେଘ ଉଇଁବାର ଦେଖାଯାଉଛି । ଭଗବାନ୍‌ କରନ୍ତୁ, ସେ ମେଘଖଣ୍ତମାନ ଫସର ଫାଟିଯାଉ ଓ ସମଗ୍ର ସଭ୍ୟ ଜଗତରେ ଅବିଚ୍ଛିନ୍ନ ଶାନ୍ତି ପ୍ରତିଷ୍ଠିତ ହେଉ । ଏହିସବୁ ଖଣ୍ତ-ବାଦଲ ମଧ୍ୟରେ ଆୟର୍ଲଣ୍ତର ବିଦ୍ରୋହ, ଚିନ-ଜାପାନ ବିବାଦ, ଆଫ୍ରିକା ଯୁକ୍ତ ରାଜ୍ୟରେ କେତେଜଣ ଉଦ୍ଦାମ ବ୍ୟକ୍ତିଙ୍କର ବ୍ରିଟିଶ ସାମ୍ରାଜ୍ୟରୁ ସମ୍ପର୍କ ଛିନ୍ନ କରିବାର କଳ୍ପନା, ଭାରତର ରାଜଦ୍ରୋହ ଆଇନକୁ (Sedition Law) ଚିରସ୍ଥାୟୀ-ରୂପେ ବିଧିବଦ୍ଧ କରିବାର ପ୍ରୟୋଜନୀୟତା, ଜର୍ମାନ ସେନାପତି ହିଣ୍ତେନବର୍ଗଙ୍କ ଦ୍ୱାରା ବହୁ ଲକ୍ଷ ସେନା ସଂଗ୍ରହର ସମ୍ବାଦ ଉଲ୍ଲେଖଯୋଗ୍ୟ ଅଟେ । ବର୍ତ୍ତମାନ ମିତ୍ରଶକ୍ତିମାନଙ୍କ ମଧ୍ୟରେ ଯେଉଁ ବିଜ୍ଞ ପଣ୍ତିତମାନେ ଅଛନ୍ତି, ସେମାନେ League of Nations ର ମୂଳଭିତ୍ତି ପ୍ରତିଷ୍ଠା କରିବାକୁ ଦୃଢ଼ସଂକଳ୍ପ ହୋଇଅଛନ୍ତି । ସେହି ମୂଳଦୁଆଟି ଠିକଣା ହୋଇଗଲେ ପୃଥିବୀର ସମସ୍ତ ରାକ୍ଷସୀ ଶକ୍ତି, ସମସ୍ତ ଜିଗୀଷା, ଜିଙ୍ଘାସା, ରାଜ୍ୟ-ଲିପ୍‌ସା, ପରରାଜ୍ୟ ଅଧିକାର କରିବାର ଦୁରାକାଂକ୍ଷା ସମୂଳରେ ଉତ୍ପାଟିତ ହେବ ।

 

ସଭ୍ୟଜଗତର ଏହି ହାଲଚାଲ ସଙ୍ଗେ ଆମ ଘରର ହାଲଚାଲ ଦୃଢ଼ଭାବରେ ସମ୍ବନ୍ଧ । ଇଉରୋପ ଖଣ୍ତରେ ମହାସାଗର ହୋଇଥିଲେ ମଧ୍ୟ ତହିଁର ଫଳ ଆମ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିଅଛି, ସେହିପରି ବର୍ତ୍ତମାନ ଯେଉଁ ଆନ୍ତର୍ଜାତୀୟ ସଂଘ ପ୍ରତିଷ୍ଠିତ ହେବାର ସୂତ୍ରପାତ ହେଉଅଛି, ତହିଁର ଅମୃତମୟ ଫଳ ଓ ଉପକାର ଆମେ ସମସ୍ତେ ଘରେ ଘରେ ପାଇବା ।

 

ଆମ୍ଭେମାନେ ବର୍ତ୍ତମାନ ଦେଖିପାରିଥାଉଁ ଯେ, ସବୁ କାର୍ଯ୍ୟରେ ଭଗବାନଙ୍କର ଗୂଢ଼ ବିଶ୍ୱଜନୀନ ଉଦ୍ଦେଶ୍ୟ ନିହିତ ଅଛି– ପାଶ୍ଚାତ୍ୟ ସଭ୍ୟ ଜାତିମାନେ ଆପଣାକୁ ଜ୍ଞାନୀ, ସଭ୍ୟ, ଶିକ୍ଷିତ, ବିଜ୍ଞାନୀ ବୋଲି ଗର୍ବରେ ସ୍ଫୀତ ହେଉଥିଲେ ଓ ଅନ୍ୟ ଜାତିମାନଙ୍କୁ ବର୍ବର, ଅଜ୍ଞ ଓ ଅନ୍ଧ ବୋଲି ଆସ୍ଫାଳନା କରୁଥିଲେ । ଆଜି ଜର୍ମାନୀର ରାକ୍ଷସୀ ମାୟାରୁ ଯେଉଁ ଯୁଦ୍ଧ-ବହ୍ନି ସମଗ୍ର ପୃଥିବୀରେ ଯୁଗପତ୍‌ ଜଳି ଉଠିଲା, ସେଥିରୁ ଦେଖାଗଲା ଯେ, ପାଶ୍ଚାତ୍ୟ ସଭ୍ୟତାର ଆବରଣ ମଧ୍ୟରେ ନିଷ୍ଠୁରତା, ବର୍ବରତା, ଲୋଭ, ଅବିଚାର ପୂର୍ଣ୍ଣମାତ୍ରାରେ ରହିଅଛି । ଏହା ଉପଲବ୍‌ଧି କରି ପାଶ୍ଚାତ୍ୟ ଜାତିମାନେ ନିଜ ନିଜ ଘର ସାଫି କରିବାକୁ ଚେଷ୍ଟା କରୁଅଛନ୍ତି । ଆଜି ସମଗ୍ର ଜଗତରେ ଯେଉଁ ଶାନ୍ତି-ହୋମର ଆୟୋଜନ ଲାଗିଅଛି, ତାହା ଏହି ନର-ପିଶାଚ-ଯୁଦ୍ଧର ଗୋଟିଏ ଅମୃତମୟ ଫଳ ଅଟେ ଓ ଏହା କାର୍ଯ୍ୟରେ ପରିଣତ ହେଲେ ଆଜି ମହାଯୁଦ୍ଧରେ ଯେଉଁ ଲକ୍ଷ ଲକ୍ଷ ମହାଜୀବ ବଳି ପାଇ ଅଛନ୍ତି, ସେହି ଯାଗର ସୁଫଳ ସମଗ୍ର ଜଗତ୍‌ ଅଚିରେ ଭୋଗ କରିବ । ଆଧୁନିକ ସଭ୍ୟତା ଓ ବୈଷୟିକ ଉନ୍ନତି ଆମ୍ଭମାନଙ୍କୁ ଓ ବିଶେଷତଃ ଭାରତବାସୀଙ୍କୁ ପର-ମୁଖାପେକ୍ଷୀ ହେବାକୁ ଶିଖାଉଥିଲା– ଆମ୍ଭେମାନେ ଆମ୍ଭମାନଙ୍କ ଅଭାବପୂରଣ କରିବାକୁ ଶିଖୁଥିଲୁଁ– ଏହି ସମୟରେ ଏ ମହାଯୁଦ୍ଧ ପୃଥିବୀକୁ ଘୋଟି ଯିବାରୁ ବିଦେଶରୁ ମାଲମାନ ଆସିବା ଅସମ୍ଭବ ହୋଇ ଉଠିଲା ଓ ପୂର୍ବେ ଆମ୍ଭେମାନେ ବିଦେଶରୁ ଯେଉଁ ଯେଉଁ ଛାପଚିକିଣିଆ ସୌଖୀନ ଓ ପ୍ରୟୋଜନୀୟ ଦ୍ରବ୍ୟମାନ ପାଉଥିଲୁଁ, ତାହାର ଆମଦାନି ଏକପ୍ରକାର ବନ୍ଦ ହୋଇଗଲା । ସମସ୍ତ ଜିନିଷ ମହର୍ଗ ହେଲା ଓ ସମସ୍ତ ଅଭାବ ଅସୁବିଧା ଅନୁଭବ କଲେ । ବିଦେଶରୁ ଆନୀତ ପଦାର୍ଥମାନଙ୍କ ଦ୍ୱାରା ଏ ଅଭାବମାନ ଦେଶୀୟ ଦ୍ରବ୍ୟମାନଙ୍କ ଦ୍ୱାରା ଦୂର କରିବା ନିମନ୍ତେ ସମସ୍ତେ ଜାଗ୍ରତ ହୋଇଅଛନ୍ତି– ଦେଶରେ କୃଷି ପ୍ରତି, ଶିଳ୍ପ ପ୍ରତି, ଦେଶୀୟ ବ୍ୟବସାୟ ପ୍ରତି, ଦେଶୀୟ ପ୍ରଚ୍ଛନ୍ନ ଶକ୍ତିମାନଙ୍କର ସଦ୍‌ବ୍ୟବହାର ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ପଡ଼ିଅଛି । ଏଥିର ଫଳରେ ଆମ ଦେଶରେ ଅନେକଗୁଡ଼ିଏ ଲୁପ୍ତ ସମ୍ପଦର ପୁନରୁଦ୍ଧାର ହେବ, ଲୁପ୍ତ ବ୍ୟବସାୟମାନ ପୁନରୁଜ୍ଜୀବିତ ହେବ । ଲୁଗାର ଅଭାବ ଦୂର ହେବା ପାଇଁ ଦେଶରେ କପାଚାଷ ବଢ଼ିବ, ଦେଶର ମ୍ରିୟମାଣ ତନ୍ତୀମାନେ ପୁନର୍ବାର ଜୀଇଁ ଉଠିବେ, ତୈଳର ଅଭାବ ପୂରଣ ହେବାପାଇଁ ସୋରିଷ, ଜଡ଼ା ଆଦି ଫସଲ ଆବାଦ ହେବ । ଘରର ଅଭାବମାନ ଘରେ ଘରେ ପୂରଣ ହେବ । ଦେଶୀୟ ଶିଳ୍ପର ଉନ୍ନତି ହେବ, ଦେଶରେ ଯୌଥକାରବାରମାନ ଉଦ୍‌ଘାଟିତ ହେବ; ଏହିପରି ଦେଶର ଅନେକଗୁଡ଼ିଏ ପ୍ରଚ୍ଛନ୍ନ ଓ ଲୁପ୍ତ ପ୍ରାୟ ବିଭବର ସଦ୍‌ବ୍ୟବହାର କରିବାକୁ ଆମ୍ଭେମାନେ ଶିଖିବୁ । ସରକାର ମଧ୍ୟ ଏ ବିଷୟରେ ଭାରତବାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ ଦୃଢ଼ପରିକର ହୋଇଅଛନ୍ତି । ଏଥିଲାଗି ସ୍ଥାନେ ସ୍ଥାନେ ଶିଳ୍ପାଗାର, ବାଣିଜ୍ୟାଗାର, କଳକାରଖାନା, କୃଷିଖାନା ପ୍ରତିଷ୍ଠା କରିବା ବିଷୟରେ ଗଭର୍ଣ୍ଣମେଣ୍ଟ ବିଶେଷ ଉଦ୍ୟମ କରୁଅଛନ୍ତି । ଏସବୁ ଦେଖି ମନେ ହେଉଅଛି, ଏ ମହାଯୁଦ୍ଧରେ କ୍ଷତିପୂରଣସ୍ୱରୂପ ଭାରତର ଶ୍ରୀବୃଦ୍ଧି ସଙ୍ଗେ ସଙ୍ଗେ ଆମ ଘରର ମଧ୍ୟ ଶ୍ରୀବୃଦ୍ଧି ହେବ । ଏଥିପାଇଁ ବିଶ୍ୱନିୟନ୍ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଶୁଭ-ପରିଣାମ ପ୍ରଚ୍ଛନ୍ନ ଭାବରେ ନିହିତ ଥିବାର ଦେଖାଯାଏ ।

 

(୨୩ଶ ଭାଗ । ୧୩୨୬ । ୧ମ ସଂଖ୍ୟା)

 

ମାନବ ଜାତିର ଜଣେ ଗୁରୁ କହି ଅଛନ୍ତି, ‘Man, know theyself’ ଅର୍ଥାତ୍‌ ‘‘ଆହେ ମନୁଷ୍ୟ ! ଆପଣଙ୍କୁ ଚିହ୍ନ !’’ ଆପଣ ଭିତରେ ଯେଉଁ ପାଞ୍ଚ ମନ ପଚିଶ ପ୍ରକୃତି ଅଛି, ଆପଣାର ମନ ଓ ଶରୀର କ୍ଷେତ୍ରରେ ବିବେକଜ୍ଞାନ ସଙ୍ଗେ ହରଘଡ଼ି ଷଡ଼ରିପୁମାନଙ୍କର ଯେଉଁ ବିଷମ ବିବାହ ଲାଗିଅଛି, ସେ ସମସ୍ତ ଆଗ ଥୟ କରି ଜାଣିଲେ ପଛେ ଆପଣାକୁ ମନୁଷ୍ୟ ମଧ୍ୟରେ ସୁମାରି କରିବ । କାରଣ ଏସବୁ ନ ଠଉରାଇ, ଆପଣର ‘ଜୁ’ ନ କଳି ସରଜମିନକୁ ଗସ୍ତ କରିବାକୁ ବାହାରିଲେ ଅନର୍ଥ ଛଡ଼ା ଇଷ୍ଟ ନାହିଁ । ସଂସାରରେ ଚଳିବାକୁ ହେଲେ ପ୍ରଥମେ ଆପଣା ମନ ଚିହ୍ନିବା ଦରକାର । ସେତକ ଠିକଣା କରି ସାରିଲେ ପର ମନ ଚିହ୍ନିବାକୁ ହେବ । ମୁଁ ନିଜେ ଫଳତଃ ଅନୁଭବ କରିଅଛି ଯେ, ମୁଁ ଯେତେଥର ଆପଣା ମନକୁ ନ ଚିହ୍ନି ପରର କାର୍ଯ୍ୟକଳାପ ସମାଲୋଚନା ବା ବିଚାର କରିବାକୁ ଯାଇଅଛି, ସେତେଥର କେବଳ ଅନର୍ଥରେ ପଡ଼ିଅଛି । ପରର କାର୍ଯ୍ୟକଳାପ ଉପରେ ଯେଉଁ ବ୍ୟକ୍ତି ବିଚାର କରି ଆସନ ଗ୍ରହଣ କରେ, ତାହାର ପ୍ରଥମ ଚିନ୍ତା ଏହି ହେବା ଉଚିତ– ‘‘ଅମୁକ ଲୋକ ଯେଉଁ ଘଟଣାଚକ୍ରରେ ପଡ଼ି ସେ କାର୍ଯ୍ୟ କରିଅଛି, ମୁଁ ନିଜେ ସେହିପରି ଘଟଣାଚକ୍ରରେ ପଡ଼ିଥିଲେ କିପରି କାର୍ଯ୍ୟ କରିଥାନ୍ତି ?’’ ଯେବେ ଦେଖି ପାରିବ ଯେ, ମୁଁ ଏବମ୍ଭୁତ ଘଟଣାଚକ୍ରରେ ପଡ଼ିଥିଲେ ଏ ବ୍ୟକ୍ତି ଅପେକ୍ଷା ଉଚ୍ଚତର ବା ନିର୍ଦ୍ଦୋଷତାର କାର୍ଯ୍ୟ କରିଥାନ୍ତି, ତେବେ ଏ ବ୍ୟକ୍ତି ଦଣ୍ତାର୍ହ; ଯେବେ ମୁଁ ଘଟଣାଚକ୍ରରେ ପଡ଼ିଥିଲେ ଏ ବ୍ୟକ୍ତି ଅପେକ୍ଷା ନୀଚତର ବା ଅଧିକ ଦୋଷଜନକ କାର୍ଯ୍ୟ କରିଥାନ୍ତି, ତେବେ ଏ ବ୍ୟକ୍ତି କ୍ଷମାର୍ହ କିମ୍ବା ଅନ୍ତତଃ କରୁଣାର୍ହ । ଏଥିପାଇଁ ବିଚାରକର ଆସନ, ସମାଲୋଚକର ଆସନ ସାଧାରଣତଃ ଉଚ୍ଚତର କଳ୍ପିତ ହୋଇଥାଏ । କ୍ରୋଧହୀନତା, ଦ୍ୱେଷହୀନତା, ଧୈର୍ଯ୍ୟଶୀଳତା ଏ ସବୁ ବିଚାରକର ଗୋଟିଏ ଗୋଟିଏ ପ୍ରଧାନ ଗୁଣ । ଏ ଗୁଣମାନ ନ ଥିଲେ ବିଚାର ବା ସମାଲୋଚନା ସମୀଚୀନ ହୋଇପାରେ ନାହିଁ । ବିଚାରକ ବା ସମାଲୋଚକ ଆସନ ଗ୍ରହଣ କଲା ପୂର୍ବରୁ ମନୁଷ୍ୟକୁ ‘ରାତି ପିନ୍ଧା’ ପୋଷାକ, ପଖାଳକରା ଲୁଗା ପାଲଟି ପକାଇବାକୁ ହେବ, ବିଚାରକଙ୍କ ପୋଷାକ ପିନ୍ଧିବାକୁ ହେବ । ଯାହାର କାର୍ଯ୍ୟକଳାପ ଉପରେ ମୁଁ ରାୟ ବା ଦଣ୍ତାଜ୍ଞା ଦେବାକୁ ଯାଉଅଛି, ତା ସଙ୍ଗେ ମୋର ବ୍ୟକ୍ତିଗତ ବୈର, ମନୋମାଳିନ୍ୟ, ମତଭେଦ, ନାନା ବିଷୟରେ ବିବାଦ ଥାଇପାରେ; କିନ୍ତୁ ବିଚାରକର ପବିତ୍ର ଆସନରେ ମୁଁ ଗୋଡ଼ ଦେଲାକ୍ଷଣି ମୋଠାରେ ଗୋଟିଏ କଠୋର କର୍ତ୍ତବ୍ୟ ଲଦି ହୋଇଯାଏ, ଏଥିପାଇଁ ଅଦାଲତରେ ବିଚାରାସନରେ ବସିବା ସମୟରେ ବିଚାରପତିଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ପୋଷାକ (gown)ର ବ୍ୟବସ୍ଥା ହୋଇଥିବାର ଦେଖାଯାଏ । ବିଚାରକ-ପଦବୀର ଗାମ୍ଭୀର୍ଯ୍ୟ ବିଚାରକ ଓ ଜନସାଧାରଣ ବିଶେଷଭାବରେ ଉପଲବ୍‌ଧି କରିବେ, ଏହି ଉଦ୍ଦେଶ୍ୟରେ ବିଚାରାସନରେ ସ୍ୱତନ୍ତ୍ର ପୋଷାକ ପିନ୍ଧିବାର ବ୍ୟବସ୍ଥା ହୋଇଅଛି । କିନ୍ତୁ ସରକାର ସିନା ପୋଷାକର ବ୍ୟବସ୍ଥା କରିଦେଇ ବସିଅଛନ୍ତି, ବିଚାରକଙ୍କ ମନର ଅଳିଆ ସଫା କରିବା କ୍ଷମତା ସରକାରଙ୍କର ନାହିଁ । କାରଣ ସଂସାରରେ ଦେଖାଯାଉଅଛି ଯେ, ବହୁଶଃ ଅବିଚାର ଦ୍ୱାରା ବିଚାରାସନମାନ କଳୁଷିତ ହେଉଅଛି, ବିଚାରକଙ୍କ ହାତରେ ନ୍ୟସ୍ତ ଥିବା କ୍ଷମତାର ଅପବ୍ୟବହାର ହେଉଅଛି, ବିଚାରାଳୟରେ ଅନେକ ବିଭ୍ରାଟ, ବ୍ୟଭିଚାର ଘଟୁଅଛି । ଏସବୁ କ୍ଷମତାର ଅପଚୟ ଅନିବାର୍ଯ୍ୟ । ବିଚାରକଙ୍କ ଉଚ୍ଚ ସ୍ଥାନକୁ ଯୋଗ୍ୟ ହେବାପାଇଁ କଠୋର ସାଧନା, କଠୋର ସଂଯମ ଆବଶ୍ୟକ । ଆପଣାର ବ୍ୟକ୍ତିଗତ ଖେୟାଲ, ବ୍ୟକ୍ତିଗତ ବିଦ୍ୱେଷ, ବ୍ୟକ୍ତିଗତ ମତ ଏଗୁଡ଼ିକ ହୃଦୟରୁ ପୋଛି ନ ପକାଇଲେ ବିଚାରକ ପ୍ରତି ମୁହୂର୍ତ୍ତରେ ବାଟ ହୁଡ଼ିବା ଅବଶ୍ୟମ୍ଭାବୀ ହୋଇଉଠେ-। ମନୁଷ୍ୟ ପକ୍ଷରେ ବ୍ୟକ୍ତିଗତ ସ୍ୱାର୍ଥକୁ ସାର୍ବଲୌକିକ ସ୍ୱାର୍ଥ ଆଗରେ ବଳି ଦେବା ଯେଉଁପରି କଷ୍ଟସାଧ୍ୟ, ସାଧାରଣଙ୍କ ମତ ଆଗରେ ବ୍ୟକ୍ତିଗତ ଜୀବନକୁ ବିସର୍ଜନ କରିବା ଯେଉଁପରି କୃଚ୍ଛ୍ରସାଧ୍ୟ, ବିଚାରକଙ୍କ ପକ୍ଷରେ ବ୍ୟକ୍ତିଗତ ଦ୍ୱେଷ, କ୍ରୋଧ ଆଦି ତ୍ୟାଗ କରି ବିବେକ ଓ କର୍ତ୍ତବ୍ୟଜ୍ଞାନ ଦ୍ୱାରା ଆପଣା ବିଚାରକୁ ନିୟନ୍ତ୍ରିତ କରିବା ମଧ୍ୟ ସେହିପରି କଷ୍ଟସାଧ୍ୟ । ଏଥିରେ କେତେ ଜଣ କୃତକାର୍ଯ୍ୟ ହେଉଅଛନ୍ତି, ତାହା ଦେଖିବାକୁ ଗଲେ ଓ ସେଗୁଡ଼ିକ ତନ୍ନ ତନ୍ନ କରି ସମାଲୋଚନା କରିବାକୁ ଗଲେ ଜଣ ଜଣକର ବିଷୟ ଘେନି ଗୋଟିଏ ଗୋଟିଏ ‘ମହାଭାରତ ଗ୍ରନ୍ଥ’ ହୋଇଯିବ । ତା ପରେ ମଧ୍ୟ ଦେଖାଯାଏ ଯେ, ଘଟଣା ବେଳେ ପକ୍ଷମାନେ ଯେଉଁ ଘଟଣା-ଚକ୍ର ଆବର୍ତ୍ତରେ ପଡ଼ି ଆପଣାର ବିବେକଜ୍ଞାନ ରୂପ ଭାରକେନ୍ଦ୍ରକୁ ଥୟ କରି ନ ପାରି ବାଟ ହୁଡ଼ିଯାନ୍ତି, ବିଚାରକ ବିଚାରକାମଡ଼ାରେ ବିଜୁଳିବତି ଓ ଫଙ୍ଖା ତଳେ ଗଦିଲଗା ଚୌକିରେ ବସି ହାଓଆ ଖାଉ ଖାଉ ପକ୍ଷମାନଙ୍କର ଘଟଣାକାଳୀନ ଅବସ୍ଥା ଠଉରାଇ ନେବା ସହଜ କଥା ନୁହେଁ । ଏହି ସବୁ ଥୟ କରି ଛୁଞ୍ଚି ମାଛି ପରଖ କରି, ନିକିତି ତୁଳ ରାୟ ଦେବା ପ୍ରକୃତ ବିଚାରକର କାର୍ଯ୍ୟ । ସମାଲୋଚକ ପକ୍ଷରେ ମଧ୍ୟ ଉପରୋକ୍ତ ମନ୍ତବ୍ୟମାନ ପ୍ରୟୋଜ୍ୟ ଅଟେ ।

 

ସାଧାରଣତଃ ଦେଖାଯାଏ ଯେ, ସମାଲୋଚକ ‘ପରପୁଅ’ ସମ୍ବନ୍ଧରେ ଯେଉଁପରି ସମାଲୋଚନା କରିଅଛନ୍ତି, ସେହି ଆଦର୍ଶ ଘେନି ସେ ଆପଣାର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିପାରନ୍ତି ନାହିଁ– ଏଥିଲାଗି ଲୋକେ କହିଥାନ୍ତି– ‘‘ବତେଇ ଦିଏ ପରକୁ, ବୁଦ୍ଧି ନ ଆସେ ଘରକୁ-।’’ ‘‘ରାଜନ୍‍ ! ସର୍ଷପ ମାତ୍ରାଣି ପରଚ୍ଛିଦ୍ରାଣି ପଶ୍ୟସି । ଆତ୍ମନୋ ବିଲ୍ୱରୁପାଣି ପଶ୍ୟନ୍ନପି ନ ପଶ୍ୟସି-।’’ ‘‘ଗୋଦରି ଲୋ ! ଆପଣା ଗୋଡ଼କୁ ଚାହିଁ’’ ଇତ୍ୟାଦି । ସାଧାରଣତଃ ଦେଖାଯାଏ ଯେ, ଅଳ୍ପ ବହୁତ ସମସ୍ତେ ପରର କାର୍ଯ୍ୟକଳାପକୁ ସମାଲୋଚନା କରିଥାନ୍ତି ଓ ଅଧିକାଂଶ ସମାଲୋଚକ ପର ଉପରେ ଅଳିଆଗଦା ଲଦିଦେଇ ମନ ସୁଖ ଭୋଗ କରନ୍ତି; କିନ୍ତୁ ଆମ୍ଭେମାନେ ସମାଲୋଚକର କଠୋର ଓ ପବିତ୍ର କର୍ତ୍ତବ୍ୟ ଉପଲବ୍‌ଧି କରୁଥିଲେ, ଆପଣା ଆପଣା ଅନୁଭବରୁ ମନୁଷ୍ୟ ଦୁର୍ବଳତା ଓ ଘଟଣାଚକ୍ର ଉପରେ ମନୁଷ୍ୟର ଅନଧିକାର ହୃଦୟଙ୍ଗମ କରୁଥିଲେ, ପୃଥିବୀରେ ତୀବ୍ର ସମାଲୋଚନା, କଠୋର କଟାକ୍ଷପାତର ମାତ୍ରା ଅନେକ ପରିମାଣରେ କମୁଥାନ୍ତା-। ଆହୁରି ମଧ୍ୟ ଦେଖାଯାଏ ଯେ, ଅନେକ ସମାଲୋଚନାର ଅପ୍ରିୟତାର ମୂଳ ଅନୁସନ୍ଧାନ କଲେ ତହିଁରେ ବ୍ୟକ୍ତିଗତ ପୂର୍ବେବୈର, କାର୍ଯ୍ୟକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା, ସମାଲୋଚିତ ବ୍ୟକ୍ତିଙ୍କ ଶତ୍ରୁପକ୍ଷୀୟ ବ୍ୟକ୍ତିଙ୍କର ଗୁପ୍ତ ପ୍ରେରଣା ଧରା ପଡ଼ିଯାଏ । କିନ୍ତୁ ଜନସାଧାରଣ ସେ କଥା ବୁଝନ୍ତି ନାହିଁ-। ଅଧିକାଂଶ ସମୟରେ ସମାଲୋଚକ ଯେଉଁ କୁହୁଡ଼ି ଓ ଜାଲ ମେଲି ଦେଇଥାନ୍ତି, ସେଥିରେ ସାଧାରଣ ଅନ୍ଧାରକଣା ହୋଇଯାନ୍ତି ଓ ସମସ୍ତ ତଥ୍ୟ ଅନୁସନ୍ଧାନ ନ କରି ଜନସାଧାରଣ ମଧ୍ୟ ସମାଲୋଚକଙ୍କ ଢୁଆ ଧରି ହଡ଼ା ଠେଙ୍ଗୁରେ କୁଆ ହାଣିଲା ଭଳିଆ ରକ୍ତବୁହା କରି ପକାନ୍ତି-। ମୁଁ ମଧ୍ୟ ଏ ଦୋଷରୁ ବହିର୍ଭୁତ ନୁହେଁ । ମୁଁ ନିଜେ ମଧ୍ୟ ଏହିପରି କେତେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଠେଙ୍ଗୁରେ ଥଣ୍ଟ ବସାଇଅଛି । ତତ୍‌କାଳୀନ ଘଟଣାଚକ୍ରରେ, ଘଟଣାଚକ୍ରର ଉତ୍ତେଜନାରେ, ରକ୍ତର ଉଷ୍ଣତାରେ, ବ୍ୟକ୍ତିଗତ ଭାବର ଆବେଗରେ ମୁଁ ମୋର ପବିତ୍ର କର୍ତ୍ତବ୍ୟ ଭୁଲିଯାଇ କେତେ ଲୋକଙ୍କୁ ‘କୁଆ ବୁଆ’ କରିଅଛି । ବର୍ତ୍ତମାନ ମୁଁ ମୋର ହେୟତା, ଅଯୋଗ୍ୟତା, ଅପଦାର୍ଥତା, ଅକିଞ୍ଚନତ୍ୱ କେତେକ ପରିମାଣରେ ଉପଲବ୍‌ଧି କରିପାରିଅଛି । ତଥାପି ବେଳେ ବେଳେ ଏ ଅବୁଝା ମନ ‘ଲଗାମ’ ମାନୁନାହିଁ, ଅଙ୍କୁଶକୁ ଡରୁନାହିଁ କାହିଁକି ? ଯେଉଁ ସ୍ଥାନରେ ବସିବାକୁ ମୋର ଅଧିକାର ନାହିଁ, ମୋର ଶକ୍ତି ନାହିଁ, ମୋର ଯୋଗ୍ୟତା ନାହିଁ, ମୋର ପବିତ୍ରତା ନାହିଁ, ସେ ସ୍ଥାନ ପାଇବା ନିମନ୍ତେ ମୁଁ ବେଳେ ବେଳେ ପ୍ରଣୋଦିତ ହେଉଛି କିଆଁ ? ମୁଁ ବସ୍ତୁତଃ ଯାହା ନୁହେଁ, ଜନସାଧାରଣଙ୍କ ଆଖିରେ ତାହା ଅପେକ୍ଷା ଗୋଟିଏ ଉଚ୍ଚତର ଚିତ୍ର ପ୍ରତିପାଦିତ କରିବାକୁ ମୁଁ ଏତେ ଉତ୍କଣ୍ଠିତା କିଆଁ ? ମୋର ଯେତେଗୁଡ଼ିଏ ସାଧାରଣ ସୁଲଭ ଦୋଷ ଓ ମଇଳା ଅଛି, ସେଗୁଡ଼ିକ ରଙ୍ଗିନ୍‌ ଛିଟପରଦା ତଳେ ଲୁଚାଇବାକୁ ମୋର ଏତେ ଉଦ୍‌ବେଗ କାହିଁକି ? ‘ପରୋପଦେଶେ ପାଣ୍ତିତ୍ୟଂ’ ପ୍ରକାଶ କରିବାକୁ ମୁଁ ସର୍ବଦା ମୁସ୍ତେଜ ହେଉଅଛି କିଆଁ ? ମୁଁ ପ୍ରକୃତରେ ଯାହା, ତାହା ଯଦି କେହି ଦାଣ୍ତରେ ଫିଟାଇ କହି ଦେଉଅଛି, ସେଥିପାଇଁ ମୁଁ ତାହା ଉପରେ ବିରକ୍ତ ହୁଏ କିଆଁ ? ମୁଁ ଯେଉଁ ପ୍ରଣାଳୀରେ ପରର କାର୍ଯ୍ୟ ସମାଲୋଚନା କରିଥାଏଁ, ସେଂହି ପ୍ରଣାଳୀରେ, ସେହି ଅନୁପାତରେ ମୋ କାର୍ଯ୍ୟକଳାପ କେହି ସମାଲୋଚନା କଲେ ମୁଁ ନିଆଁ ଖପରା ହୋଇଯାଏ– କାହିଁକି ? ଏହା ମନୁଷ୍ୟ ପ୍ରକୃତିର ଦୁର୍ବଳତା ଛଡ଼ା ଆଉ କିଛି ନୁହେଁ । ମୁଁ ଯେଉଁ କଥା ଲାଗି ପରକୁ ଧିକ୍‌କାର କରେ, ଦଣ୍ତ ଦିଏଁ, ଖୁଣୁଥାଏଁ, ମୋଠାରେ ସେହି ସେହି ଦୁର୍ଗୁଣମାନ ପୂର୍ଣ୍ଣମାତ୍ରାରେ ରହିଅଛି, ଅଥଚ ତାହା ସଂଶୋଧନ କରିବାକୁ ମୋର ଆନ୍ତରିକ ଇଚ୍ଛା; କିନ୍ତୁ ପରପୁଅ ସେ କଥା କଲା ମାତ୍ରକେ ମୁଁ ତାହା ବିଚ୍‌ ବଜାରରେ ନାଗରା ଦେଇ ଜାହେର କରିଦିଏଁ । ଏହା ମନୁଷ୍ୟପ୍ରକୃତିର ଦୁର୍ବଳତା । ଏ ଦୁର୍ବଳତା ଏଡ଼ି, ଏ ବୀଚତାର ଉପରକୁ ଉଠିପାରିଲେ ମନୁଷ୍ୟ ଦେବତ୍ୱ ଆଡ଼କୁ ଅଗ୍ରସର ହୁଏ ନଚେତ୍‌ ‘‘ଯେତେ ମାଠୁଥିବ ମାଠ, ମୁଁ ସେହି ଦରପୋଡ଼ା କାଠ ।’’ ଏଥିପାଇଁ କବି ଗାଇଲେ :–

 

 

‘‘ଚିହ୍ନିବାକୁ ଶିଖିନାହିଁ ପର ମନ,

 

ସେ କି କେବେ ପ୍ରଭୁପଣକୁ ଭାଜନ ?’’

 

 

ମୁଁ କହୁଛି:–

ଚିହ୍ନିବାକୁ ଶିଖିନାହିଁ ନିଜ ମନ ।

 

ସେ କି କେବେ ନରପଣକୁ ଭାଜନ ।

 

ସେତିକି ଥାଉ ।

 

(୨୩ଶ ଭାଗ । ୧୩୨୬ । ୩।୪ ସଂଖ୍ୟା)

 

ପାଠକମାନେ ଅବଶ୍ୟ ଅବଗତ ଅଛନ୍ତି ଯେ, ମୁଁ ବର୍ତ୍ତମାନ ପୂରା ସଂସାର, ଆପଣାର ପୁଅ ବୋହୂ, ଝିଅ ଜୋଇଁ, ସ୍ତ୍ରୀ ପରିବାରୀ, ଘର ଦୁଆର ଦୁଃଖ ଧନ୍ଦା, ଜମିବାଡ଼ି, ଫନ୍ଦି ଫିକର, ଚାଷ ବାସ, ଜମିଦାର ମହାଜନି, ଦେଣା ପାଉଣା, ଗାଈ ଗୋରୁ ବର୍ତ୍ତମାନ ମୁଁ ଏସବୁ ଘେନି ଦିନରାତି ବ୍ୟସ୍ତ । ଏଥିଯୋଗୁଁ ଏଗୁଡ଼ିକ ସମ୍ଭାଳି ଦୁଇ ମୁଣ୍ତ (ଆୟବ୍ୟୟ) ମିଳାଇ ଏ ସଂସାରରେ ଦଦରା ଡଙ୍ଗା ଚଳାଇବା ପାଇଁ ଓକିଲାତି ବ୍ୟବସାୟର ବାନା ଧରିବାକୁ ପଡ଼ିଅଛି । ପୂର୍ବର ଦେଶସେବା, ପୂର୍ବର ବକ୍ତୃତା, ପୂର୍ବପରି ସମ୍ବାଦପତ୍ରରେ ସ୍ୱନାମୀ, ବେନାମୀ ଓ ଅନାମୀ ପ୍ରବନ୍ଧ ଲେଖା ମୋର ଆଉ ନାହିଁ । ତା ପରେ ବିଶେଷତଃ ‘ଦେଶ ସେବକ’ ହେବାଲାଗି ଯେତେଗୁଡ଼ିଏ ଗୁଣ ଓ କରାମତ ଦରକାର, ସେ ସବୁ ମୋର ତିଳେମାତ୍ର ନାହିଁ । (ଉତ୍କଳ ସାହିତ୍ୟ ୨୩ ଭାଗ ୧୩୨୬ ୨ୟ ସଂଖ୍ୟାରେ ଦେଶସେବକ ଆପଣାର ଗୁଣାବଳୀର ଯେଉଁ ନିର୍ଘଣ୍ଟ ଗାଇ ଯାଇଅଛନ୍ତି ସେଥିରୁ ପାଠକମାନେ ଦେଶସେବାର ପ୍ରୟୋଜନୀୟ ଜାୟଜାତ ଓ ଅବାଏବସ୍ତର ତାଲିକା ଦେଖି ପାରିବେ)-। ଏଥିଲାଗି ସାଧାରଣ ସଭା ସମିତି, କମେଟି ସମାଜ, ପଞ୍ଚାୟତ ଭଲଲୋକି, ବୋର୍ଡ଼ କାଉନସିଲ, ଖବର କାଗଜ ପତ୍ରିକା, ସ୍କୁଲ କଲେଜ, ହାକିମ ହୁକୁମାଏ ସବୁରୁ ମୁଁ ଏବେ ଦୂରରେ ରହିଅଛି । ଏ ଅବସ୍ଥାଟା ଏକ ପ୍ରକାର ବିକାରଗ୍ରସ୍ତ ଅବସ୍ଥା । ତେବେ ନିତାନ୍ତ ପିଲାଦିନର ଅଭ୍ୟାସ ଓ ଖୋଇ ଏକଦମ ଛାଡ଼ି ହେଉ ନାହିଁ ବୋଲି ବେଳେ ବେଳେ ଅଭ୍ୟାସ ଦୋଷରୁ କେତେବେଳେ କେଉଁଠି ମୋ ମୁଣ୍ତଟା ଦେଖାଇ ଦଉଅଛି । ମୁଁ ଏକୁଟିଆ କାହିଁକି ? ମୋ ଭଳି କେତେଗୁଡ଼ିଏ ସୁପୁତ୍ର ଏ ମାତୃଭୂମିର ପୁତ୍ରତା ବଢ଼ାଉ ଅଛନ୍ତି ।

 

ଦିନେ ମୋର ଜଣେ ପରମ ବନ୍ଧୁ ମତେ ଭେଟିବାକୁ ଆସି ଭାରି ଦୁଃଖ ଓ ଅଭିମାନରେ କହିଲେ, ‘‘ଆପଣଙ୍କଠାରୁ ଦେଶଟା ଅନେକ ଉଚ୍ଚ ଆଶା କରିଥିଲା । ସେ ଆଶାଟା ପାଣିଫୋଟକା ପରି କେଉଁଆଡ଼େ ଉଭେଇଗଲା ।’’ ପୂର୍ବେ ଏହିପରି କୈଫିୟତ୍‌ କେତେ ଥର ମତେ ତଲବ ହୋଇଥିଲା, କିନ୍ତୁ ସେଥିରେ ସରଳତା ଓ ଆନ୍ତରିକତା ନ ଥିବାରୁ ମୁଁ କଥାଟାକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲି, କିନ୍ତୁ ଏଥର ଯେଉଁ ବନ୍ଧୁ ମତେ କୈଫିୟତ୍‌ ତଲବ କଲେ, ସେ ବହୁ କାଳର ସୁହୃତ୍‍, ତାଙ୍କର ଉକ୍ତି ଆନ୍ତରିକ ଥିବାର ଦେଖି ମୁଁ ନିରୁତ୍ତର ହୋଇ ରହିପାରିଲି ନାହିଁ । ମୁଁ ତାଙ୍କୁ ନିମ୍ନଲିଖିତ ଭାବରେ ଉତ୍ତର ଦେଲି, ‘‘ଭାଇ ! ଜାଣୁଛି ଯେ, ମୋର ପ୍ରକୃତି ସ୍ୱାର୍ଥ-ଲିପ୍‌ସାରେ ପୁର୍ଣ୍ଣ । ବୁଝୁଛି ଯେ, ମୋର ତିଳେ ମାତ୍ର ସ୍ୱାର୍ଥତ୍ୟାଗ ନାହିଁ କି ହେବ ନାହିଁ । ବୁଝୁଛି ଯେ, ଦେଶର ଦୋହି ଦେଇ କେତେଗୁଡ଼ିଏ ଲୋକଙ୍କୁ ଓଲୁ ବନାଇ ନିଜର ମନୋବାଞ୍ଛା ହାସଲ କରିବାକୁ ବସିଲେ ଦେଶରେ ଘରେ ଘରେ, କାଗଜେ କାଗଜେ ମୋ ନାମ ବିଞ୍ଚି ହୋଇଯାନ୍ତା । ଦେଖୁଛି ଯେ, ମୋରି ଭଳି କେତେଗୁଡ଼ିଏ ପ୍ରକୃତ ଶକ୍ତି ଓ ବିବେକହୀନ ବ୍ୟକ୍ତି ମୁଖ, ସ୍ୱର, ଲେଖା ଓ ବକ୍ତୃତାର ଚମକରେ ଶତ ଶତ ଲୋକଙ୍କୁ ଓଲୁ ବନାଇ ‘ଦେଶସେବକ’ ବାନା ଉଡ଼ାଇ ଜେ ଜେ-କାର ପାଉ ଅଛନ୍ତି ଓ ‘ସାଧାରଣ କାର୍ଯ୍ୟ ବ୍ରତ’, ‘ଦେଶସେବା ଭେକ’ ଓ ‘ମୈତ୍ରୀ ପତାକା’ ଧରି ସେହି ଭେକ ଭିତରେ ଆପଣାର ପେଟ ପୋଷିବା ଲାଗି ଥାଳ-ଖଣ୍ତିମାନ ଲୁଚାଇ ରଖି ଦେଶତମାମ ଲୋକଙ୍କୁ ଚାହିଁ ଜଳକା ବନାଉଅଛନ୍ତି । ମୁଁ ମଧ୍ୟ ଦିନେ ସେହି ପନ୍ଥାରେ ପଥିକ ହୋଇଥିଲି । କିନ୍ତୁ ନିଜେ ଅନୁଭବ ଦ୍ୱାରା ବୁଝିଲି ଯେ, ଆମ ଦେଶରେ ଦେଶସେବାର ଅର୍ଥ ‘ନାମବଡ଼ା ଦର୍ଶନ ଥୋଡ଼ା’ । ଦେଶସେବକ ଲିଷ୍ଟରେ ନାମ ଉଠାଇବାକୁ ହେଲେ ଶକ୍ତି, ବିବେକ, ସ୍ୱାର୍ଥତ୍ୟାଗ, ଉଦ୍ୟମ ଏ ସବୁ ଉଣ୍ତି ଜଣେ ଜଣେ ପେଁଚ-ବାଜ ଓସ୍ତାତଙ୍କ ପାଦରେ ତେଲ ମାଲିସ କରିପାରିଲେ ଓ ସେ ସମୟରେ ନାକ ଟାଉଁ ଟାଉଁ କରି ନ ପାରିଲେ ଦିନା କେତେ ଉମେଦବାରି ପରେ ନାମଟା ଦେଶରେ ମାର୍କାମରା ହୋଇ ବାହାରି ପଡ଼ିବ । ମୁଁ ପ୍ରକୃତରେ ଦେଶର ଓ ସମାଜର ଉପକାର କରୁଅଛି କି ନାହିଁ, ଏ କଥା କମ୍‌ ଲୋକ ବୁଝିବେ, କିନ୍ତୁ ଓସ୍ତାତଙ୍କ ଗଳାବାଜି ଓ କଲମ ମୁନରୁ ଓ ଓସ୍ତାତଙ୍କ ପ୍ରାସାଦରୁ ସମ୍ୱାଦପତ୍ରମାନଙ୍କରେ ଯେଉଁ କିଳିକିଳା ରାବ ବାହାରିବ, ଦେଶ ଲୋକେ ସେଥିରେ ଡୁହାଧରି ମତେ ଧନ୍ୟ ଧନ୍ୟ କରିବେ । ମୋର ମଧ୍ୟ ଦିନେ ଏହି ଧନ୍ୟ ଧନ୍ୟ ପଦ ପାଇଁ ପାଟିରୁ ଲାଳ ବୋହୁଥିଲା କିନ୍ତୁ ବୟସ ବୃଦ୍ଧି ଓ ଶକ୍ତି ହ୍ରାସ ହେବା ସଙ୍ଗେ ସଙ୍ଗେ ସେ ଲାଳସା କମିଗଲାଣି ଓ ଦେଶର ଏ ସବୁ ବାହାଦୁରିଠାରୁ ମୁଁ ଯେତିକି ଦୂରରେ ରହି ପାରୁଅଛି, ମୁଁ ଆପଣାକୁ ସେତିକି ନିଶ୍ଚିନ୍ତ ବୋଲି ମନେ କରୁଅଛି । ପ୍ରକୃତରେ ଦେଖିବାକୁ ଗଲେ ଗୋଖଲେ, ଗାନ୍ଧି, ରାଣାଡ଼େ, ମାଲବ୍ୟ, ସୁରେନ୍ଦ୍ରନାଥ, ଲାଜପତ ଇତ୍ୟାଦିଙ୍କ ଭଳି ଆମ ଦେଶରେ ଜଣେ କେହି ନାହିଁ କିନ୍ତୁ ଆମ ଦେଶରେ ନୀଚ ସ୍ତାବକତା ଓ କପଟତା ଏତେ ବଢ଼ିଅଛି ଯେ, ଆମରି ଦେଶରେ, ଆମରି ଜିଲ୍ଲାରେ, ଆମରି ଗ୍ରାମରେ ପଣେ ପଣେ କ୍ଷଣଜନ୍ମା ଓ କ୍ଷୀଣକର୍ମା ଗାନ୍ଧି, ଗୋଖେଲ ଆବିର୍ଭୁତ ହୋଇଥିବାର ଆମେ କୁହାଟ ମାରୁଅଛୁଁ । ଯେଉଁ ଦେଶର ହାଲଚାଲ ଏବମ୍ୱିଧ ବିଶେଷଣ ବିଶିଷ୍ଟ, ସେ ଦେଶରେ ଦେଶସେବକଙ୍କର ଆସନ କେଡ଼େ ଉଚ୍ଚ ଓ ଚିରସ୍ଥାୟୀ, ତାହା ସହଜରେ ଅନୁମେୟ । ଦେଖୁଛି ଯେ ଆମ ଦେଶରେ କପା କର୍ପୂର ଏକ ମୂଲ୍ୟ ହୋଇଅଛି । ଆମ ଦେଶରେ ପଦସ୍ଥ ବ୍ୟକ୍ତିମାନେ ବକ୍ତୃତାଭଙ୍ଗି ଓ ମୁଖବିକୃତି ହାସଲ କରିପାରିଲେ ତେଣିକି ତାଙ୍କ କଥା ସଙ୍ଗେ କାମର ଜମିନ୍‌ ଆସମାନ ତଫାତ୍‌ ଥାଉ ପଛକେ ସେ କଥା କେହି ବୁଝିବେ ନାହିଁ । ଆମ ଦେଶର ବଡ଼ଲୋକ ଲୁଚାକ ଯେଉଁ ସିଡ଼ିଦ୍ୱାରା ଉଚ୍ଚସ୍ଥାନକୁ ଚଢ଼ୁଅଛନ୍ତି, ସେ ଥାନ ମାଡ଼ିଲାକ୍ଷଣି ଏକାନାତକେ ସେ ସିଡ଼ିକୁ କଂସ-କଚଡ଼ାରେ ଖଣ୍ତ ଖଣ୍ତ କରି ତହିଁର ସତ୍ତା ଲୋପ କରିଦେଉ ଅଛନ୍ତି । ଆମ ଦେଶଟା ଯାକ ବର୍ତ୍ତମାନ ଚାହିଁଜଳକା । ଯେ ଚାହିଁଜଳକା, ଚେଇଁ ଶୁଆ, କାନ ଥାଇ ବହିରା, ତୁଣ୍ତ ଥାଇ ଜଡ଼ା ହେବାକୁ ନାରାଜ ହେଲା, ତା ପାଇଁ ଧର୍ମଘଟ ଯେଉଁ ଦେଶର କର୍ମବୀରମାନଙ୍କ ଜୀବନର ଦୈନନ୍ଦିନ କର୍ତ୍ତବ୍ୟ, ସେ ଦେଶରେ ‘ଜଣେ’ ବୋଲି ସୁମାରି ହେବା ସୁଖରୁ ଦୂରରେ ରହିଲେ ମଧ୍ୟ ଗୋଟାଏ ସୁଖ ଅଛି । ଆମର କଥା ସଙ୍ଗେ କାର୍ଯ୍ୟର ସାମଞ୍ଜସ୍ୟ ନାହିଁ । Promise ସଙ୍ଗେ Performanceର ସମତା ନାହିଁ । ଉମେଦବାରି ବେଳର ଅନୁସରଣିଆ ଅବସ୍ଥା ସଙ୍ଗେ କାମ ହାସଲ ହେଲା ପରେ ଗଉଁଦାର ଅବସ୍ଥାର ସମ୍ପର୍କ ନାହିଁ, ଗଣ୍ତି ସଙ୍ଗେ ମୁଣ୍ତର ସମ୍ବନ୍ଧ ନାହିଁ, ପୋଥିବାଇଗଣ ସଙ୍ଗେ ବାଡ଼ିବାଇଗଣର ଇଲାକା ନାହିଁ । ଏ ଅବସ୍ଥା ପାଇଁ ମୁଁ ଅବଶ୍ୟ କସମତ୍‌ ଅନୁସାରେ ଦୋଷୀ, କିନ୍ତୁ ମୋଠାରୁ ଅନେକ ମାର୍କାମରା ବଡ଼ମୁଣ୍ତିଆ ଏହି କୁହୁଡ଼ିପହଁରାରେ ବ୍ୟସ୍ତ-। ଆମେ ଧାରାବାହିକତା, ନିୟମାଧୀନତା, ଦୃଢ଼ ନୀତି, ନୈତିକ ବଳର ପାଖ ଛୁଇଁ ନାହୁଁ । ଏ ଅବସ୍ଥାରେ ଆମ ଦେଶରେ ସ୍ତାବକତା, ନୀଚ ସ୍ୱାର୍ଥ, ପରଶ୍ରୀ-କାତରତା, ଗଳାଢ଼କ୍‌କାବାଜି ଓ କପଟତା ପୂର୍ଣ୍ଣମାତ୍ରାରେ ବିରାଜିତ । ଏସବୁ ଦିନାକେତେ ଦେଖି, ଶୁଣି, ଦିହରେ ଆଜମାଇ ମୁଁ ସ୍ଥିର କରିଅଛି ଯେ, ଏ କ୍ଷେତ୍ରରେ ‘ମୌନ’ ହିଁ ବିବେକାନୁମୋଦିତ ପନ୍ଥା ।’’

 

ବନ୍ଧୁ ଏ କଥାଗୁଡ଼ିକ ଏକଚିତ୍ତ ହୋଇ ଶୁଣିଗଲେ, ଶେଷକୁ କହିଲେ, ‘‘ଯେପରି ସାହିତ୍ୟ କ୍ଷେତ୍ରରେ ‘Critics are cut down Poets’ ସେହିପରି ରାଜନୀତି କ୍ଷେତ୍ରରେ ‘Critics are cut down Deplomats’ ଅର୍ଥାତ୍‌ ଆପଣ କସରତ କରି ନ ଜାଣି କଚଡ଼ା ଖାଇ ବର୍ତ୍ତମାନ ନିନ୍ଦୁକ ଓ ବୈରାଗୀ ବନି ଅଛନ୍ତି । ଏ କଥାଟା ମିଛ ବୋଲି ଉଡ଼ାଇ ଦେବାର ମୋର ‘ଜୁ’ ନାହିଁ, କାରଣ ମୁଁ ମଧ୍ୟ ଦିନେ ଚାହିଁ-ଜଳକା ବନିଥିଲି ଓ ଦେଶବାସୀଙ୍କୁ ଚାହିଁ-ଜଳକା ବନାଇବାକୁ ଚେଷ୍ଟା କରିଥିଲି । କିନ୍ତୁ ଦେଶରେ ମୋଠାରୁ ବଳି ଗୁଣିଆ ବାହାରି ମୋ କରାମତ୍‌ ଜାହେର କରି ବସିଲେ ଓ ମୋତେ ଗୋଠଖଣ୍ତିଆ କରି ନିଆଁପାଣି ଅଟକ କରିଦେଲେ । ମୋର ପ୍ରକୃତରେ କୌଣସି ଅସାଧାରଣ ଗୁଣ, ପ୍ରତିଭା, ପ୍ରଭା, କର୍ତ୍ତବ୍ୟନିଷ୍ଠା, ସ୍ୱାର୍ଥପରତା, ବିଶ୍ୱଜନୀନତା ନଥିଲା, କି ନାହିଁ । ଏସବୁ ନ ଥାଇ ସୁଦ୍ଧା ମୁଁ ଓଲୁଙ୍କ ଆଖିରେ ଧୂଳି ପକାଇ ଫୋକଟରେ କିଛି ନାମ ଓ କଉଡ଼ି ମାରି ନେବାକୁ ବସିଥିଲି । ଯେଉଁମାନେ ମୋଠାରୁ ବଳିଯାଇ ମୋ ଗୁଣି-ବିଦ୍ୟାକୁ କାଟୁକଲେ, ସେମାନଙ୍କ ଉପରେ ମୋର ଗୋଟିଏ ଯେ ବେଜାୟ ରାଗ ହେବ, ଏଥିରେ ବିଚିତ୍ରତା କଣ ? ଏହାହିଁ ମନୁଷ୍ୟ ପ୍ରକୃତି । ଆମ ଦେଶରେ ଠାକୁରାଣୀଙ୍କ ନିକଟରେ ବଳି ନ ଦେଲେ ମନସ୍କାମନା ପୂର୍ଣ୍ଣ ଓ ଇଷ୍ଟସିଦ୍ଧି ହୁଏ ନାହିଁ । କୌଣସି କଥା ହାସଲ କରିବାକୁ ହେଲେ ବିରାଡ଼ିଟିଏ ହେଉ, କୁକୁଡ଼ାଟିଏ ହେଉ, ଛେଳି, ମେଣ୍ଢା, ପୋଡ଼ୁହ (ଅଣ୍ତିରା ମଇଁଷି) ଏମନ୍ତ କି କିଛି ନ ମିଳିଲେ ଆପଣା ଦିହରୁ ରକ୍ତ ଟୋପାଏ ବଳି ଦେବା ଦରକାର । ତାହା ନ ହୋଇ ପାରିଲେ କାକୁଡ଼ିଟିଏ କିମ୍ୱା ପାଣିକଖାରୁଟିଏ କାଟି ଠାକୁରାଣୀଙ୍କୁ ସନ୍ତୁଷ୍ଟ ଓ ବରପ୍ରଦା କରିବାକୁ ହୁଏ । ମନୁଷ୍ୟଙ୍କୁ ବଳି ଦେବା ଓ ମେରିଆ ଦେବା ଆମ ଦେଶରେ ଅଳ୍ପଦିନ ତଳର କଥା । ଏପରି ସ୍ଥଳରେ ମୋ ଭଳି ଗୋଟାକେତେ ମେଣ୍ଢାମୁଣ୍ଢିଆଙ୍କୁ ମା ଠାକୁରାଣୀଙ୍କ ବେଦି ଉପରେ ବଳି ଦେଇ ତଦ୍ଦ୍ୱାରା ଯେବେ କେତେ ଲୋକଙ୍କର ବା ଦେଶବାସୀଙ୍କର ଆଖି ଫିଟେ ଓ ଚିଆଁ ପହଡ଼ ଭାଙ୍ଗେ, ତାହାହେଲେ ମଧ୍ୟ ଦେଶର, ତଥା ସମାଜର ମଙ୍ଗଳ । ଆଉ ମୋର ମଧ୍ୟ ଜୀବନ ସାର୍ଥକ ।

 

ଏତଦ୍ଦ୍ୱାରା ବଳି ପାଇବା ଜୀବର ମଧ୍ୟ ପାରତ୍ରିକ ମୁକ୍ତିଲାଭ ହୁଏ ବୋଲି ଶାସ୍ତ୍ର ଡାକୁଅଛି– ଯେ ଠାକୁରାଣୀଙ୍କ ଆଗରେ ବଳି ପାଏ, ସେ ଇହଜନ୍ମରୁ ଖଲାସ ଓ ପରଜନ୍ମ ପାଇଁ ମଧ୍ୟ ନିଶ୍ଚିନ୍ତ । ମୁଁ ନିଜେ ଅନୁଭବ କରୁଅଛି ଯେ, ବଳି ପାଇବା ଦ୍ୱାରା ମୋର ଇହାମୁତ୍ର ଉଭୟତଃ ଲାଭ । ମୋ ଭଳି ହୀନଜନ୍ମା ଓ ହୀନକର୍ମା ଲୋକ ଯେ କେବେହେଲେ ଦେଶର ତିଳେମାତ୍ର ଉପକାର କରି ପାରିଥାନ୍ତା, ଏହା ଭାବିବା ବାତୁଳତା– ମୋ ଭଳି ଅଧର୍ମୀ ଓ ଅକର୍ମା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରର ହତା-ଫାଟକରୁ ବାହାରେ ରଖିବାଦ୍ୱାରା ଦେଶକୁ ଅନେକ ଅତ୍ୟାଚାରରୁ ରକ୍ଷା କରାଯାଇଅଛି ଓ ସଙ୍ଗେ ସଙ୍ଗେ ମୋର ନିଜର ମଧ୍ୟ ଉପକାର ହୋଇଅଛି । କାରଣ ଦେଶସେବାରୁ ବାସନ୍ଦ ହୋଇ ଘର ସେବା କରିବାକୁ ମତେ ଫୁରୁସତ୍‌ ମିଳିଅଛି । ଏଥିପାଇଁ କହୁଥିଲି ଯେ, ‘‘ଅବଧାନ, ମୁଁ ବର୍ତ୍ତମାନ ପୂରା ସଂସାରୀ ।’’

 

(୨୩ଶ ଭାଗ । ୨୩୨୬ । ୭ମ ସଂଖ୍ୟା)

 

ବିଜ୍ଞାନ ସଭ୍ୟ ଯୁଗରେ ସଭ୍ୟ ଜଗତରେ ଅନେକ ପ୍ରକାର ବାଜିଗିରି ଓ କସରତ ଦେଖାଇଲାଣି ଓ ଦେଖାଇବ । ମନୁଷ୍ୟ ଘୋର ଜଙ୍ଗଲରୁ ବନ୍ୟ ପଶୁକୁ ଧରିଆଣି ତାକୁ ପୁରୁଷାନୁକ୍ରମେ ପୋଷି, ପାଳି ତାର ପ୍ରକୃତିକୁ ବଦଳାଇ ଦେଉଅଛି, ଜଙ୍ଗଲରୁ କଣ୍ଟାଗଛ ଆଣି ବୈଜ୍ଞାନିକ ପ୍ରକ୍ରିୟା ବଳରେ ତା ଦେହରୁ କଲମ ଉତ୍ତାରି ନେଉଅଛି; ନାଲି ଫୁଲ ଫୁଟିବା ଗଛରେ ଧଳା ଫୁଲ ଫୁଟାଇ ଦେଉଅଛି, ମାଂସାହାରୀ ଜନ୍ତୁକୁ ଫଳାହାରୀ କରି ଦେଉଅଛି; ଜଡ଼ ପଦାର୍ଥକୁ ତୋଜୋମୟ ସଜୀବ ପଦାର୍ଥରେ ପରିଣତ କରୁଅଛି ।

 

କିନ୍ତୁ ମୁଁ ଭାବୁଅଛି, ମନୁଷ୍ୟ ପ୍ରକୃତି ତ ଆଜି ପର୍ଯ୍ୟନ୍ତ ଯେଉଁପରି ଥିଲା ସେହିପରି ରହିଅଛି । ସେହି ମାନ୍ଧାତାଙ୍କ ଅମଳର ଆଦିମ ଇଭାଙ୍କ (Adam and Eve) ପ୍ରକୃତି ତ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସେହିତା ରହିଅଛି । କେତେ ନୈତିକ, ବୈଜ୍ଞାନିକ, ଆଧ୍ୟାତ୍ମିକ ଉପାୟ ଅବଲମ୍ବିତ ହେଲାଣି ଓ ହେବ । କିନ୍ତୁ ମନୁଷ୍ୟର ସେହି ଆଦିମ ସ୍ୱଭାବ ଲୋଭ, ମୋହ, ପରସ୍ପଲିପ୍‌ସା, ହିଂସା ଇତ୍ୟାଦି ଇତ୍ୟାଦି-ଅଚଳ, ଅଟଳ ରହିଅଛି । ସଂସାରରେ ଓ ବିଶେଷତଃ ସଭ୍ୟଜଗତରେ କେତେ କେତେ କବି, ଭାବୁକ, ଲେଖକ, ବକ୍ତା, ବୈଜ୍ଞାନିକ, ଜ୍ଞାନୀ, ମୁନିମାନେ ଆବହମାନକାଳରୁ ମନୁଷ୍ୟ ପ୍ରକୃତିକୁ ସୁଧାରିବାକୁ କେତେ କେତେ ପୁସ୍ତକ ଲେଖିଲେ ଓ ଉପଦେଶ ଦେଲେ ଓ ଭଜନ ଗାଇଲେ, ତଥାପି ମନୁଷ୍ୟ ପ୍ରକୃତି ‘ଆଜି ଯେ ତିମିରେ– କାଲି ସେ ତିମିରେ’ ରହିଅଛି । ଅନ୍ୟ କଥା ଦୂରେ ଥାଉ, ଯେ ନିଜେ ନିଖାଦ ସ୍ୱରରେ ସ୍ୱର ଚଢ଼ାଇ ‘‘ଧାର୍ମିକ ହୁଅ, ଭକ୍ତ ହୁଅ, ରିପୁ ଦମନ କର, ପରଧନ ପରଦାର ଆଡ଼କୁ ଚାହଁନାହିଁ ଆଦି ଉପଦେଶମାନ କଥା ଛଳରେ, ଚୁଆ, ଢଗ, ଢମାଳି, ନାଟକ, ଉପନ୍ୟାସ, ସ୍ତବ, କବଚ, ବକ୍ତୃତା ଛଳରେ ଦେଉଅଛନ୍ତି । ସେମାନେ ଆପଣା ଭେକ ପାଲଟି ପକାଇବା ମାତ୍ରକେ ତହିଁର ବିପରୀତ ଆଚରଣ କରୁଅଛନ୍ତି । ଏ ସବୁ ଦେଖି ମନରେ ହୁଏ ଯେ, ସବୁକଥା ବଦଳୁଅଛି ଓ ବଦଳିବ; କିନ୍ତୁ ମନୁଷ୍ୟର ସେହି ଆଦିମ ପଶୁବୃତ୍ତି ବଦଳୁ ନାହିଁ କି ବଦଳିବ ନାହିଁ । ଏସବୁ ଆପଣା ଆପଣା ଅନୁଭବ କଥା । ମନୁଷ୍ୟ ପ୍ରତି ମୁହୂର୍ତ୍ତରେ ଯେଉଁ ଗୋଲକଧନ୍ଦାରେ ପଶେ, ସେ ଗୋଲକଧନ୍ଦାରୁ ଉଧୁରିବାର, ସେ ସମସ୍ୟା ସାଧନ କରିବାର ଉପାୟ ନାହିଁ । ସଭ୍ୟତା ବୋଲ, ଶିକ୍ଷା ବୋଲ, ଉପଦେଶ ବୋଲ, କୋରଡ଼ା, ବେଡ଼ି, ହରିକାଠ, ଜେଲଖାନା ଏସବୁ କେବଳ ପଶୁ ପ୍ରକୃତିକୁ ମାଡ଼ଦ୍ୱାରା ଜବତ କରିବାର, ପୋଷାକଦ୍ୱାରା ଘୋଡ଼ାଇବାର ଓ ମାଡ଼ ଭୟ ଦେଖାଇ ନିବର୍ତ୍ତାଇବାର ଉପାୟାନ୍ତର ମାତ୍ର । ଗରିବ, ଅଶିକ୍ଷିତ, ମୂର୍ଖ, ମୂଢ଼ ଲୋକ ଆଦିମ ପ୍ରକୃତିକୁ ଘୋଡ଼ାଇ ରଖି ନ ପାରି ଦାଣ୍ତରେ ଚିହ୍ନା ପଡ଼ିଯାଏ; କିନ୍ତୁ ସଭ୍ୟ, ଶିକ୍ଷିତ, ପଣ୍ତିତ, ଜ୍ଞାନୀ ଏହି ପ୍ରକୃତିକୁ ସଭ୍ୟତା ଓ ଶିକ୍ଷାଦ୍ୱାରା ଲୁଚାଇ ରଖନ୍ତି, କେହି କ୍ୱଚିତ୍‌ କୋଟିକେ ଗୋଟିଏ ଏହାକୁ ସଂଯତ କରନ୍ତି ମାତ୍ର । କିନ୍ତୁ ମନୁଷ୍ୟ ମଧ୍ୟରେ ରାଜତ୍ୱ କରୁଥିବା ପଶୁର ପଘା କି ଲଗା କିଛିନାହିଁ– ସେ ଗୁଆଁର ପଶୁ କିଛି ବାରଣ ଶୁଣିବା ଜନ୍ତୁ ନୁହେଁ । ‘‘ତାକୁ ଯେତେ ମାଠୁଥିବୁ ମାଠ, ସେ ସେହି ଦରପୋଡ଼ା କାଠ’’ ଥିଲା ଅଛି ଓ ଥିବ । ସଭ୍ୟଜଗତରେ ଏ ଯେଉଁ ମହାପ୍ରଳୟ ଏ ମହାଯୁଦ୍ଧର ଅଭିନୟ ହୋଇଗଲା, ଏଥିରେ ସେହି ପଶୁର କିଳିକିଳା, ଦାନ୍ତରଗଡ଼ା, ମୁଖବିଦ୍ୟାଦାନ, କାମୁଡ଼ାଭିଣା ନାତମରା ଛଡ଼ା ଆଉ କିଛି ଦେଖା ଗଲା ନାହିଁ । ପୁନର୍ବାର ସେ ପଶୁକୁ ଶାଙ୍କୋଳିରୁ ମୁକୁଳାଇ ଦେଲାକ୍ଷଣି ସେ ତାହାର ଖୋଇ ପୁନର୍ବାର ପୂର୍ବପରି ସଭ୍ୟଜଗତକୁ ଦେଖାଇବ ।

 

ଜର୍ମାନୀ ପାଶବ ବଳରେ ସମସ୍ତ ଜଗତକୁ ଜବତ କରିବାକୁ ବସିଥିଲା, ମିତ୍ରଶକ୍ତିଙ୍କୁ ୪।୫ ବର୍ଷ ଗରାଏ ଲେଖାଁଏ ପାଣି ପିଆଇ ଦେଲା ଓ ଭଗବାନଙ୍କ ମରଜିରୁ ମିତ୍ରଶକ୍ତିମାନେ ଆପଣା ଆପଣା ବୁଦ୍ଧି, ବଳ କୌଶଳକୁ କେନ୍ଦ୍ରୀଭୂତ କରି ଏକମନ, ଏକମୁନ, ଏକ ଚଇତନ ହୋଇ ଜର୍ମାନୀକୁ କାଞ୍ଜିହାଉସରେ ଠେଲାଠେଲି କରି ପୂରାଇ ଅଛନ୍ତି; କିନ୍ତୁ ଏ କଥା ନିଶ୍ଚିତ ଯେ, ସେ ବନ୍ଧା ହୋଇଥିବା ପଘା ଟିକିଏ ହୁଗୁଳା ହେଲା ମାତ୍ରକେ ସେ ଫେର ଆପଣା ବିକ୍ରମ ଦେଖାଇ ତାହାର ନାତୁଆ ଖୋଇକୁ ଜାହେର କରିବ । ଏଥିପାଇଁ ମିତ୍ରଶକ୍ତିମାନେ ବହୁ ଆଲୋଚନା ଓ ଚିନ୍ତା ପରେ ସନ୍ଧିର ସର୍ତ୍ତମାନଙ୍କୁ ଖୁବ୍‌ କଷାକଷି କରିଅଛନ୍ତି । ଏଥିପାଇଁ କେହି କେହି ମିତ୍ରଶକ୍ତିଙ୍କ ଉପରେ ଭାରି ନାରାଜ, କିନ୍ତୁ ବୃଦ୍ଧ ଚାଣକ୍ୟ କହିଅଛନ୍ତି, ‘‘ନ ବିଶ୍ୱସେତ୍‌ ଅବିଶ୍ୱସ୍ତଂ’’ ଅର୍ଥାତ୍‌ ଅବିଶ୍ୱାସୀ ଲୋକଙ୍କୁ ବିଶ୍ୱାସ କରିବ ନାହିଁ । ଜର୍ମାନ ଜାତି ଓ ଜର୍ମାନ ଯୋଦ୍ଧା ଯୁଦ୍ଧର ଉଦ୍‌ଯୋକ୍ତାମାନେ ସଭ୍ୟତା ଓ ଦୟା ମାୟାକୁ ଭୁଲିଯାଇ ଯେଉଁ ଆଦିମ ପାଶବବୃତ୍ତିକୁ ଚରିତାର୍ଥ କରି ଲକ୍ଷ ଲକ୍ଷ ନିରୀହ ପ୍ରାଣୀଙ୍କର ପ୍ରାଣନାଶ କରାଇ ଅଛନ୍ତି, ଲକ୍ଷ ଲକ୍ଷଙ୍କୁ ନିରନ୍ନ, ନିରାଶ୍ରୟ ଓ ନିରବଲମ୍ବନ କରାଇଅଛନ୍ତି, ସେହି ଜାତିଙ୍କ ହସ୍ତରେ କୌଣସି କ୍ଷମତା ପ୍ରତ୍ୟର୍ପିତ ହେଲେ ସେମାନେ ପୁନର୍ବାର ଦିନେ ସଭ୍ୟ ଜଗତକୁ କିଲିବିଲି କରିବେ, ଏଥିରେ ଆଉ ସନ୍ଦେହ ନାହିଁ । ଏ କଥାର ସତ୍ୟତାକୁ ଇତିହାସ ବଜ୍ରନିର୍ଘୋଷରେ ଘୋଷଣା କରୁଅଛି । ମିତ୍ର ଶକ୍ତିର ନେତାମାନେ ଏହାହିଁ ଉପଲବ୍‌ଧି କରି ସନ୍ଧିର ସର୍ତ୍ତମାନଙ୍କୁ ଭାରି କଷାକଷି କରିଅଛନ୍ତି ଓ ଜର୍ମାନ ସମ୍ରାଟଙ୍କର ଆନ୍ତର୍ଜାତୀୟ ଧର୍ମାଧିକରଣରେ ବିଚାର ହେବାର ସର୍ତ୍ତ ଲିପିବଦ୍ଧ କରିଅଛନ୍ତି । ଏହି ବିଚାରର ଫଳ ପୃଥିବୀରେ ଅନ୍ୟାନ୍ୟ ଆତତାୟୀ-ଶକ୍ତିକୁ ଭବିଷ୍ୟତ ପ୍ରତି ଶିକ୍ଷାରୂପେ ନିୟନ୍ତ୍ରିତ କରିବ ଓ ଭବିଷ୍ୟତରେ କୌଣସି ସର୍ବଗ୍ରସିଷ୍ଣୁ ସମ୍ରାଟ ଆନ୍ତର୍ଜାତୀୟ ବିଧାନମାନ ଲଂଘନ କରିବାକୁ ଦ୍ୱିଧା କରିବେ । ଯେବେ ଏତେ ବହୁବର୍ଷବ୍ୟାପୀ ରକ୍ତପାତ, ନରହତ୍ୟା, ସ୍ତ୍ରୀ ବାଳକହତ୍ୟା, ଦେଶନାଶ, ଦୁର୍ଭିକ୍ଷ, ବିପ୍ଳବ, ଧନ ଓ କ୍ଷମତାକ୍ଷୟ ପରେ ସଭ୍ୟଜଗତ୍‌ କିଛି ଶିକ୍ଷା ଲାଭ ନ କରିବ, ତାହାହେଲେ ଏହା ସବୁ ପଣ୍ତ ହେବ । ଯଦି ଏ ମହା କୁରୁକ୍ଷେତ୍ର ପରେ ଜଗତରେ ଓ ଆପାତତଃ ସଭ୍ୟଜଗତରେ ଶାନ୍ତିର ଭିତ୍ତି ସ୍ଥାପିତ୍ତ ହୋଇ ନ ପାରିବ, ତବେ ବୁଝିବାକୁ ହେବ ଯେ, ସଭ୍ୟଜଗତର ଉନ୍ନତିର ଆଶା ଦୁରାଶା ମାତ୍ର ।

 

(୨୩ଶ ଭାଗ । ୧୩୨୭ । ୭। ୮ମ ସଂଖ୍ୟା)

 

‘‘କିମାଶ୍ଚର୍ଯ୍ୟମତଃ ପରଂ ।’’ ‘‘ତତଃ କିଂ ତତଃ କିଂ ତତଃ କିଂ ତତଃ କିଂ ।’’ ଏ ଦୁନିଆ କେବଳ ଅଜବ୍‌ ତାମସାର ଲୀଳାଭୂମି । ଏଥିରେ ନିତି ନିତି ଆଶ୍ଚର୍ଯ୍ୟ ଘଟଣାମାନ ଅଭିନୀତ ହେଉଅଛି । କବି, ଋଷି, ଦାର୍ଶନିକ, ପଣ୍ତିତ, ବୈଜ୍ଞାନିକ, ଜ୍ଞାନୀ, ଏହିପରି କେତେ କେତେ ମହାବଳୀ ଗଲେଣି, ଏ ସଂସାରର ଘଟଣା-ବୈଚିତ୍ର୍ୟ ଦେଖି ଓ ଅନୁଭବ କରି ଶେଷକୁ ସମସ୍ତେ ଏକମୁଖରେ ବୋବାଳି ପକାଇଅଛନ୍ତି, ‘‘କିମାଶ୍ଚର୍ଯ୍ୟ ମତଃ ପରଂ ।’’ ‘‘କିସ ପୁଣି ଦେଖା ନ ଯାଏ ଯେବେ ଥାଇ ଜୀବରେ ।’’ ‘‘Oh ! Wonder of wonders is this universe !’’ ଏଥିମଧ୍ୟରେ ପୁଣି ବିଶେଷ ଆଶ୍ଚର୍ଯ୍ୟର କଥା– ‘ମନୁଷ୍ୟର ପ୍ରକୃତି’ । ମନୁଷ୍ୟ ଜାଣୁଅଛି ଯେ, ଜରବେଳେ ପାଣି ପିଇଲେ ସନ୍ନିପାତ କଫ ଧରିବ, ତେବେ ସୁଦ୍ଧା ଯେଡ଼େ ଜ୍ଞାନୀ ହେଉ ପଛକେ ତା ଦିହରେ ଖଇ ଫୁଟିଲା ବେଳେ ତା ଆଗରେ ତାଟିଆଏ ପାଣି ରଖିଦିଅ, ଦେଖିବା ଦେଖି ଜର ବାଉଳାର କରାମତ ବେଶି, ନା ସ୍ୱାସ୍ଥ୍ୟରକ୍ଷା ନିୟମାଭିଜ୍ଞତାର ତେଜ ବେଶି ? ମହାପାପ, ପ୍ରଲୋଭନ ମଧ୍ୟରେ ସିଦ୍ଧ ପୁରୁଷଙ୍କୁ ଅବଳୀକା– ଗତି ଓ ଅବାଧ ପ୍ରବେଶ ଅଧିକାର ଦିଅ, ଦେଖିବା ଦେଖି କେତେ ଜଣ ସେଥିରୁ ବାହାରିଲା ବେଳେ ତାଙ୍କ ଦିହ ମୁଣ୍ତରେ ଫୋଟକା, ଘୋଷଡ଼ା ଦାଗ, କାଦୁଅ ବୋଳା ଚିହ୍ନ ଓ ଦ୍ୱାରିକା ଛାପା ମରା ହୋଇ ନ ଥିବ ? ମନୁଷ୍ୟ ଏ ସବୁ ଘଟଣା ଯେତିକି ଦେଖେ ଓ ଏ ମାୟା କୁହୁକର ଦାଉକୁ ଅଙ୍ଗେ ନିଭାଇ ଅନୁଭବ କରେ, ମନୁଷ୍ୟ-ପ୍ରକୃତିର ବୈଚିତ୍ର୍ୟ ସେତିକି ଉପଲବ୍‌ଧି କରୁ କରୁ ସ୍ତମ୍ଭୀଭୂତ ହୁଏ । ଏ ସଂସାରର ଅଳିଆ ଅସନଟିଆ ମଇଳାବଣରେ ପଣ୍ତିତେ ଆପଣେ ପଟାକେତେ ଘୋଷରା ଘୋଷରି ପାଇ ସାରି ଶାନ୍ତିଲାଭାର୍ଥ ଶ୍ରୀକ୍ଷେତ୍ରକୁ ଯାଇ ଚକାଡ଼ୋଳାଙ୍କୁ ଦର୍ଶନ କଲାବେଳେ ‘ଶିବା ପଥର ଜଗା କାଠ’ ଭକ୍ତିର ମୂଳମନ୍ତ୍ର ଖୋଜି ସିଦ୍ଧାନ୍ତ କଲେ ଯେ– ‘‘ସ୍ମାରଂ ସ୍ମାରଂ ସ୍ୱଗୃହଚରିତଂ ଦାରୁଭୂତୋ ମୂରାରିଃ’’ ଅର୍ଥାତ୍‌ ଖୋଦ୍‌ ବଳିଆରଭୁଜ ମହାପ୍ରଭୁ ଆପଣା ଘରର ହାଲଚାଲ ଦେଖି ଦେଖି କାଠ ପାଲଟି ଗଲେ ପରା ! କାଠମୁହାଁ ବନିଗଲେ ପରା !

 

ଏହି ଜଗତକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଏକ ବହିର୍ଜଗତ୍‌ ଅର୍ଥାତ୍‌ ସ୍ଥାବର ଜଙ୍ଗମ ସୃଷ୍ଟି (macrocosm) ଓ ଅନ୍ୟଟି ଅନ୍ତର୍ଜଗତ୍‌ (microcosm) । ବହିର୍ଜଗତରେ ସୃଷ୍ଟିକର୍ତ୍ତା ଯେଉଁ ଓସ୍ତାତି ହାତ ଦେଖାଇ ଆସୁଅଛନ୍ତି, ତାହା ଦେଖି ସୃଷ୍ଟି ଆଦ୍ୟରୁ ଅବଧି ମନୁଷ୍ୟ ଚକିତ ଓ ସ୍ତବ୍‌ଧ ହୋଇ ଆସିଅଛି; କିନ୍ତୁ ଅନ୍ତର୍ଜଗତ୍‌ ତହିଁରୁ ବଳି ବିଚିତ୍ର ଓ ପ୍ରହେଳିକାମୟ । ବହିର୍ଜଗତରେ ବିଜ୍ଞାନ, ସ୍ୱାସ୍ଥ୍ୟରକ୍ଷା, ଗଣିତ, ଭୂଗୋଳ ଆଦି ଏକପ୍ରକାର ଅଟେ । କିନ୍ତୁ ଅନ୍ତର୍ଜଗତର ସମସ୍ୟାମାନ ଜଟିଳ, ସମସ୍ୟାପୂର୍ତ୍ତି ଆହୁରି ଜଟିଳ, ସମସ୍ୟା ସିଦ୍ଧି ତହୁଁ ବଳି ଜଟିଳ-ଚରାଚର ସୃଷ୍ଟିରେ ଯାହା ଅସମ୍ଭବ, ଅନ୍ତର୍ଜଗତରେ ତାହା ପ୍ରତିନିୟତ ଘଟୁଅଛି । ଏହି ଅନ୍ତର୍ଜଗତଟା ଆଉ କିଛି ନୁହେଁ, ମନୁଷ୍ୟର ପ୍ରକୃତି (Human Nature) । ପାଠ ଡାକୁଅଛି ଯେ, ମନୁଷ୍ୟ ପାଞ୍ଚ ମନ ପଚିଶ ପ୍ରକୃତି ନେଇ ଆତଯାତ ହେଉଅଛି । ଏ ପାଞ୍ଚ ମନ ପଚିଶ ପ୍ରକୃତି ମଧ୍ୟରେ ସବୁବେଳେ ନମ୍ବରି, ସରାସରି, ଫଉଜଦାରୀ, ଜନାକାରୀ, ଜଳଡ଼ୁବି, ଜମାଏତବସ୍ତ, ଓସ୍ତାତି ପେଞ୍ଚ ଚାଲିଅଛି । ତୁମେ ବହିର୍ଜଗତରେ ଶୋଉଛ, ବସୁଛ, ଖେଳୁଛ, ଖାଉଛ, ଘର କରୁଛ, ନିମିତ୍ତ କରୁଛ, କଚିରି କରୁଛ, ମକଦମା ବୁଝୁଛ, ରାଜ୍ୟ ଚଳାଉଛ, ସଭା କରୁଛ, ସମ୍ବାଦପତ୍ର ସମ୍ପାଦନ କରୁଛ, ଏସବୁ ବହିର୍ଜଗତର ନିୟମ ଅନୁସାରେ ଠିକଣାମତେ ଚାଲିଅଛି ଓ ଲାଗିଅଛି, ଟିକିଏ ଉଁ ଚୁଁ ହେବାର ଜୁ ନାହିଁ । କିନ୍ତୁ ତେଣେ ଅନ୍ତର୍ଜଗତରେ ଏ ପାଞ୍ଚ ମନ ଓ ପଚିଶ ପ୍ରକୃତି ବହିର୍ଜଗତର ଅବସ୍ଥା ପ୍ରତି ଭ୍ରୂକ୍ଷେପ ନ କରି ତାଙ୍କ ପ୍ରଥମ ଏତଲାଇ (First information), ଫଉଜଦାରୀ ଦରଖାସ୍ତ (Petition of Comlpaint), କଲମିଇଜାହାର (Oral statement), ହଲପାନ–ଇଜାହାର (Statement of oath), ନିୟମସୁକୃତ (aphidavlt) ଆଦି ତଦବିରରେ ଲାଗିଅଛି । ସେଠାରେ ‘‘ସାହୁକୁ ଖାତକ ଗଞ୍ଜି ମାରୁଅଛି ବାଡ଼ ଭାଙ୍ଗି ପାଳାଉଛି ବେଉସା ।’’ ‘‘ପିମ୍ପୁଡ଼ିବାପୁଡ଼ା ବିଭା ହୋଇଗଲା, ଗଗନେ ଉଡ଼ିଲା ଧୂଳି, ବିଲର କଙ୍କଡ଼ା ମୃଦଙ୍ଗ ଧଇଲେ ବେଙ୍ଗ ଦେଲେ ହୁଳହୁଳି ।’’ ସେଠାରେ ଅଜପା ଜପା, ଅମପା ମପା, ଅଟପା ଟପା, ଅକଥା କଥା. ଅଖିଆ ଖିଆ, ଅଦିଆ ଦିଆ, ଅଦେଖା ଦେଖା, ଅଶୁଣା ଶୁଣା, ଅଛୁଆଁ ଛୁଆଁ ଲାଗିଅଛି-। ଭକ୍ତ ଓ ପ୍ରହେଳିକାମୟ ଲୀଳା ଦେଖି ବିହ୍ୱଳ ଓ ସ୍ତବ୍‌ଧ ହୋଇ ହୁଲର ପକାଇ ଖଞ୍ଜଣି ଟିପି ଡକା ଛାଡ଼ୁଅଛି– ‘‘ବାଇମନରେ ! ତୁ କି ହୋଇଲୁ ବାଇ । ଯେତେ ବୁଝାଇଲେ ବୁଝିଲୁ ନାହିଁ-। ବାଇମନରେ (ଇତ୍ୟାଦି) ।’’ ବାହାରେ ଦେଖିଲା ବେଳକୁ ଏତେ ଆଇନ, କାନୁନ, ବିଧି, ଉପବିଧି, ନିଷେଧ, ପ୍ରତିଶୋଧ, ପ୍ରତିଲିପି, ପାଣ୍ତୁଲିପି, ପିଙ୍ଗଳକୋଡ଼, କାର୍ଯ୍ୟବିଧି ଆଇନ, ପ୍ରମାଣ, ଆଇନ, ମିତାକ୍ଷରା, ଦାୟଭାଗ, ବ୍ୟବସ୍ଥା, ସନନ୍ଦ, ଛାଡ଼ଚିଠି, ସିହା, ଚାଲାଣ, ଆମଦାନି, ରପ୍ତାନି, ଆୟ ବ୍ୟୟ, ବଜେଟ ଗଜେଟ, ବାଇ-ଲ (bye-law), ସାଜସଜ୍ଜା, ଅଳଙ୍କାର ଜହୁରାତ, ଆବରଣ ବିବରଣ, ମାଲି ମାମଲା, ଦେବାନି ଫଉଜଦାରୀ, ହାକିମି ହୁକୁମତି, ନିତ୍ୟନୈମିତ୍ତିକ କାର୍ଯ୍ୟ ଚାଲିଅଛି– କିନ୍ତୁ ଅଣ୍ଟାରୁ କଞ୍ଚି କାଢ଼ି କୋଲପ ଫିଟାଇ ଘର ଭିତରକୁ ଚାହିଁଦେଲା ବେଳକୁ ସେଠାରେ ଆଇନ, କାନୁନ୍‌, ବିଧି, ଉପବିଧି ଆଦି ସବୁ ନଦାରଦ । ହାକିମ ମିସଲରେ ବସି ପାଞ୍ଚ ଆଇନ ମୁତାବକ ପରପୁଅକୁ ମାସେ ଘଣାରେ, ମାସେ କତା ବାଡ଼ିଆରେ, ମାସେ ତେଲ ପେଡ଼ିବାରେ ମାସେ ଢିଙ୍କିକୁଟାରେ ଲାଗିବାର ବରାଦ ଦେଇସାରି ମିସଲରୁ ଓହ୍ଲାଇ ଘରେ ପହଞ୍ଚି ଦେଖିଲାବେଳକୁ ଘରପୁଅ ଜଙ୍ଘରେ ପୋଖରିପାଣି ବସି ମଇଳା କରି ସାରିଲାଣି । ଏଥିକି ଚାରା କାହାର ?

 

‘ପୋଥି ବାଇଗଣ’ ପୋଥିଏ ପୋଥିଏ ରହିଲା, ‘ବାଡ଼ି ବାଇଗଣ’ ବାଡ଼ିରେ ଫଳି ଘରେ ପନିପରିବା ମଧ୍ୟରେ ସୁମାରି ହୋଇ ତଦ୍ଦ୍ୱାରା ଆମ ଗୁଜରାଣ ମେଣ୍ଟୁ ଅଛି– ଆମେ ଦେଖୁଥାଇଁ ଯେ, ଆମର ଦାଣ୍ତ ପାଇଁ ଗୋଟିଏ ନିଷାପ, ଆପଣା ଘର ପାଇଁ ଆଉ ଗୋଟିଏ ଅଲଗା ମନଗଢ଼ା ନିଷାପ । ଦାଣ୍ତ ମାମଲତରେ ଯେଉଁ ନ୍ୟାୟ ଖଟାଇ ଆମେ ଗାଦିରେ ବସି ଯେଉଁପରି ଡିଗ୍ରୀ ଡିସ୍‌ମିସ୍‌ ହୁକୁମ ଶୁଣାଇ ଦେଉଅଛୁ, ଆମରି ଘର ମାମଲତ ବେଳକୁ ସେ ନ୍ୟାୟ ସବୁ କେଉଁଆଡ଼େ ଫସର ଫାଟି ଯାଉଅଛି । ପରକୁ ବୁଦ୍ଧି ଦେଲା ବେଳକୁ ଆମେ ବୃହସ୍ପତିଙ୍କ ବଡ଼ବାପା ବନିଥାଉଁ, କିନ୍ତୁ ଆପଣ ଉପରେ ପଡ଼ିଲା ବେଳକୁ ଆମେ ବକ୍‌କା ଓ ଓଲୁ ବନିଯାଉଁ । ଏହିଠାରୁ ବଳି ସଂସାରରେ ଆଶ୍ଚର୍ଯ୍ୟକର ଆଉ କଣ ଅଛି ? ମୁହଁରେ ସମସ୍ତେ କହୁଥାଇଁ, ପାଠରେ ସମସ୍ତେ ପଢ଼ୁଥାଉଁ, ଗୁରୁ କାନରେ ସମସ୍ତେ ଶୁଣୁଥାଇଁ ଯେ, ଏ ସଂସାରରେ ବଡ଼ତି ଅଢ଼େଇଦିନିଆ ପାଣି ଫୋଟକା, ଅର୍ଥ ଅନର୍ଥର ମୂଳ, ଧନ ଜନ ଦ୍ୱାରା ସୁତ ଆଦି ସବୁ ମିଥ୍ୟା, ‘ମହୀମଣ୍ତଳେ ଜନ୍ମ ହୋଇ, ଦେବତା ହୋଇଲେ ମରଇ’, ପରଦ୍ରବ୍ୟ ଲୋଷ୍ଟ୍ରବତ୍‌, ପରଦାରା ମାତୃବତ୍‌, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଆମ ମଧ୍ୟରୁ କେତେ ଜଣ ଏ ସବୁ ସତ୍ୟକୁ, ଏସବୁ ଉପଦେଶକୁ, ଏ ସବୁ ଗୁରୁବଚନକୁ ପ୍ରତିପାଳନ କରିଥାଉଁ ? ପରପୁଅ ଆମ ଘରେ ମୂଲ ଲାଗି ଯେବେ ସେ ନିଶ୍ୱାସ ମାରିବା ପାଇଁ, ତା କପାଳରୁ ଶ୍ରମଝାଳ ପୋଛିବା ପାଇଁ, ତା ଅଣ୍ଟା ସଳଖିବା ପାଇଁ, କିମ୍ୱା ଦମ୍‌ ମାରିବା ପାଇଁ, ଖରା ବରଷା ପାଳିବା ପାଇଁ, ଆଣ୍ଠୁପିଠି ସଳଖ କରିବା ପାଇଁ ଦାଣ୍ତେ ଠିଆ ହେଲା, ତେବେ ଆମ କାମରେ ଖଇଚା ହେଲା ବୋଲି ଆମେ ତା ଉପରେ ଗେଧ ମାଙ୍କଡ଼ ଭଳିଆ ଖିଙ୍କାରି ହୋଇ ଉଠୁଁ ଓ ସନ୍ଧ୍ୟା ବେଳକୁ ତାହାର ପଡ଼ିକାଟ କରିଦେଉଁ । ଏ ତ କଥା । ଏଥିରେ ଆମକୁ କେହି କାଇଲ କରିପାରିବେ ନାହିଁ । ମୁଁ ହବ୍‌ କଉଡ଼ି ଗଣିଦେବି କଉଡ଼ିର ଉପଯୁକ୍ତ କାମ ମୁଁ ନ ପାଇଲେ ମୂଲ କାଟିଦେବି, ଏ ତ ଧରାବନ୍ଧା କଥା, ନ୍ୟାୟାନୁମୋଦିତ ପନ୍ଥା, କିନ୍ତୁ ପରପୁଅ ବେଳକୁ ଏହି ଯେଉଁ ଆଇନ ଜାରି କଲି, ମୁଁ ପର ଘରେ ମୂଲ ଲାଗିଲା ବେଳକୁ ମୋର ଏ ହିସାବ ଓ ନ୍ୟାୟ ଠିକ୍‌ ରହେ କି ? ସେତେବେଳକୁ ଆଉ ଗୋଟିଏ କଣ୍ଟା (Standard) ବାହାରି ପଡ଼େ ! ଏହି ବିଚିତ୍ର କାଣ୍ତର କୈଫିୟତ (explanation) ଖୋଜୁ ଖୋଜୁ ମନୁଷ୍ୟ ଗୋଲକଧନ୍ଦାରେ ଧନ୍ଦି ହୋଇଯାଏ । ଏହି ‘‘ସମିମିରା’’ ସମସ୍ୟାର ଉତ୍ତର (Solution) ଦରାଣ୍ତୁ ଦରାଣ୍ତୁ ମନୁଷ୍ୟର ଦାନ୍ତ ପଡ଼ିଯାଏ, ଆଖି ଜଳକା ହୋଇଯାଏ, ପାଟି ଖନି ମାରିଯାଏ, ବାଳ ପାଚିଯାଏ, ଗୋଡ଼ ଥର ଥର ହୋଇଯାଏ, ଦିହ ହାତ କୋଲ ମାରିଯାଏ, ଅଙ୍ଗପ୍ରତ୍ୟଙ୍ଗ ଗୋଦରା ହୋଇଯାଏ, ତଥାପି ଏ ସମସ୍ୟାର ସନ୍ତୋଷଜନକ ସାଧନା ହୋଇପାରେ ନାହିଁ । ଏହାକୁ ହିଁ ସାଧନା କରି କୃତକାର୍ଯ୍ୟ ହେବାପାଇଁ ସତ୍ୟ-ତ୍ରେତା-ଦ୍ୱାପର-କଳି ଏପରି ତେପନ ଗଣ୍ତା ଯୁଗରେ ଚତୁର୍ମୁଖ, ଶତମୁଖ, ସହସ୍ରମୁଖ, କୋଟି ମୁଖ ଏପରି କେତେ କେତେ ବ୍ରହ୍ମା ଥକି ଗଲେଣି, ବ୍ରହ୍ମାଙ୍କ ପରମାୟୁରୁ ପ୍ରଥମ ପରାର୍ଦ୍ଧ ଭୋଗ ସରି ଦ୍ୱିତୀୟ ପରାର୍ଦ୍ଧ ଭୋଗ ହେବାକୁ ଲାଗିଲାଣି, ତଥାପି ବହିର୍ଜଗତ ଓ ଅନ୍ତର୍ଜଗତର ଏହି ବୈଷମ୍ୟର ସମତା କେହି କରି ପାରିଲା ନାହିଁ; ବ୍ରହ୍ମାଙ୍କ ଦ୍ୱିତୀୟ ପରାର୍ଦ୍ଧ ଶେଷ ବେଳକୁ ମଧ୍ୟ ଏ ସମସ୍ୟା ଏହିପରି ଅସିଦ୍ଧ ଅପୂର୍ଣ୍ଣ ରହିଥିବ । ଏହା ମନୁଷ୍ୟ ଯେତିକି ବେଶି ଭାବେ, ସେତିକି ବେଶି ବେଶି କୁହୁଡ଼ି ମାଡ଼ି ଆସେ, ଆଖିରେ ପରଳ ମାଡ଼ିଯାଏ ।

 

ପରଦେଶେ ପାଣ୍ତିତ୍ୟ– ପର ଘର ପାଇଁ ବୁଦ୍ଧି ଅଳ୍ପ ବହୁତ ସମସ୍ତଙ୍କ ଜିଭ ଅଗରେ ଥୁଆ; କିନ୍ତୁ ଆପଣା ଘରର ସରଜମିନ୍‌ ତଦାରଖ ବେଳକୁ ଯେଉଁ ସିଦ୍ଧି ଓ କୃତିତ୍ୱ ଦରକାର ତାହା ଆମ ଭିତରେ କେତେ ଜଣଙ୍କର ଅଛି ? ଏପରି ମଧ୍ୟ ହୋଇପାରେ ଯେ, ବ୍ୟକ୍ତିଗତ ଭାବରେ ଦେଖିବାକୁ ଗଲେ ମୁଁ ଷୋଳପଣ ସ୍ୱାର୍ଥପର, ନୀଚପ୍ରକୃତିକ, ବକଧାର୍ମିକ (hypocrite) ଇତ୍ୟାଦି ବହୁବିଧ ବିଶେଷଣବିଶିଷ୍ଟ; ମୁଁ ଦୁନିଆର ନିଷାପ ସଙ୍ଗେ ମୋର ଘର ସାହାବୀ (କୋଦିଣ୍ତା) ନିଷାପର ସାମଞ୍ଜସ୍ୟ ଘଟାଇବାକୁ ଅକ୍ଷମ ହେଲି । ମୋ ଭଳିଆ ଊଣେଇଶ ଗଣ୍ତା ଅକାମିକା ଲୋକଙ୍କ ଦ୍ୱାରା ଦୁନିଆର ଯାଏ କେତେ ଆସେ କେତେ ? କିନ୍ତୁ ମୋର ଏ ଦୁନିଆର ହାଟରେ ସାଇ ପଡ଼ିଶା, ବନ୍ଧୁ ବାନ୍ଧବ, ପ୍ରିୟାପ୍ରୀତି, ଭାଇ କୁଟୁମ୍ବ, ସରଦାର ବରଦାର, ସାହୁ ଖାତକ, ଜମିଦାର ରଇତ, ଜୋଇଁ ଭଣଜା, ବାପ ଅଜା, ହାକିମ ହୁକୁମା, ଜମାଦାର ତହସିଲଦାର, ପାତ୍ରାମନ୍ତ୍ରୀ, ଚାକର ନଉକର, ମୂଲିଆ କୋଠିଆ, ମାଷ୍ଟର ପଣ୍ତିତ, ସାଙ୍ଗ ସୁଖ, ପୁଅ ନାତି, ଭାବଦୋସ୍ତି, ଚିହ୍ନା ପରିଚୟ, ଗାଉଁଲୀ ସହରୀ, ମୁନି ଋଷି, ଗୁରୁ ଚେଲା, ବାବାଜୀ ବୈଷ୍ଣବ, ରାମାଉତି କାମାଉତି, ଓକିଲ ମହକିଲ, ଓସ୍ତାତ୍‌ ସାଗିରତ୍‌, ଦରବାରୀ ମାମଲତକାର, ଦେଶୀ ବିଦେଶୀ ଇତ୍ୟାଦିଙ୍କ ସଙ୍ଗେ ନାନା କ୍ଷେତ୍ରରେ, ନାନା ସ୍ଥାନରେ, ନାନା ଅବସ୍ଥାରେ, ନାନା ଘଟଣାଚକ୍ରରେ, ନାନା ଉପଲକ୍ଷରେ, ନାନା ପ୍ରସଙ୍ଗରେ, ନାନା ଛଳରେ, ନାନା ରଙ୍ଗରେ ଦେଖା ସାକ୍ଷାତ, ଭାବଲାଭ, ରଜଘସ, ଝିଙ୍କାଓଟରା, ଧକମ୍‌ଧକା, ପାର ଉତ୍ତାର, ଫେର ଫରିଆଦି, ଲେଖାପଢ଼ି, କଥମ କଥା, ରାଗା ରଗି, ଦୁଃଖ ସୁଖ, ଛଳ ପରିହାସ, ଆଳାପ ପରିଚୟ, କୁହା ବୋଲା, ଠାର ଠୁର ଆଦି ହୋଇଅଛି; କିନ୍ତୁ ଏଥିଭିତରୁ ଜଣେ କାହାକୁ ମନ ମୁତାବକ ପାଇଲି ନାହିଁ, ଯେ ବହିର୍ଜଗତ୍‌ ଓ ଅନ୍ତର୍ଜଗତର ସମତା ବିଧାନ କରିବାକୁ ସମର୍ଥ ହୋଇଅଛନ୍ତି, ଯାହାଙ୍କ ରାଜ୍ୟରେ ବାହାର ପାଇଁ ଯେଉଁ ଆଇନ, ଭିତର ପାଇଁ ସେହି ଆଇନ, ପର ପାଇଁ ଯେଉଁ ନିଷାପ, ଘର ପାଇଁ ସେହି ନିଷାପ । ମୁଁ ଅନେକ ‘ଢୁଆ’ ଓ ‘ହୋ’ ଦେଖିଲି ଓ ଶୁଣିଲି, କହିଲି ଓ ଲେଖିଲି, ଶିଖିଲି ଓ ସାଧିଲି– ଦେଶସେବା, ସାର୍ବଜନୀନ ମୈତ୍ରୀବ୍ରତ, ବିଶ୍ୱପ୍ରେମ, ମାତୃପୂଜା, ମାତୃଭୂମି ଉଦ୍ଧାର, ସମାଜ ସଂସ୍କାର, ପରଦୁଃଖକାତରତା, ଆନ୍ତରିକ ସ୍ନେହୋଚ୍ଛ୍ୱାସ, ବିଶ୍ୱଜନୀନ ଅଭେଦଭାବ, ନିଃସ୍ୱାର୍ଥ ଦାନ, ଲୋକଶିକ୍ଷା, ବ୍ରତ, ଦେଶହିତୈଷିତା, ଏ ସବୁ ଶିରୋନାମା କେବଳ ପୋଥିଗତ, ମୁଖଗତ, କାଗଜ କଲମ ଗତ ‘ଘତ’ ବା ‘ବୋଲି’ ରେ ପରିଣତ ହେଉଅଛି । ବାହାର ଢଙ୍ଗ ଓ ଭଡ଼ଙ୍ଗ ସଙ୍ଗେ ଭିତରର ମାଲ ଓ କାମର ଜମିନ୍‌ ଆସମାନ୍‌ ଫରକ ପଡ଼ୁଅଛି । ବହୁଦୂରରୁ ବଢ଼ିଆ ନାମ ଶୁଣି ଓ ବାନା ଉଡ଼ିବାର ଦେଖି ହୃଦୟର ଭିକ୍ତିକୁମ୍ଭ ପୂର୍ଣ୍ଣ କରି ହାତରେ ଧରି ମୂର୍ଦ୍ଧନା ଅଭିଷେକ କରିବାକୁ ସରଜମିନରେ ଗଡ଼ୁ ପିଢ଼ା ଘେନି ଗମ୍ଭୀର ଭିତରେ ପହଞ୍ଚି ଦେଖିଲା ବେଳକୁ ଆସ୍ଥାନ ଓ ଶକ୍ତି ଦିହଯାକ ଖାଲି ଲାଙ୍ଗୁଡ଼ା ପୋକ ଲୁଚାଏ ସାଲୁ ବାଲୁ ହେଉଅଛନ୍ତି ଓ ବଦବୋଇ ଉଠୁଅଛି । ସବୁଠାରେ ଦେଖିଲି ‘ନାମ ବଡ଼ା ଦରଶନ ଥୋଡ଼ା’, ‘ମାରେ ସିପାହୀ ନାମ ସରଦାରକା’ ହେଉଅଛି । ଯେ ବାହାରକୁ ଛାପଚିକଣ କେବଳ ମହଣବୋଳା ବନ ହଳଦୀ ମଖା, ଆରିସିସଜଡ଼ା, କଲିସାଉଁଳା, ସୁନ୍ଥାକଟା, ପାନିଆମରା, ଟୋପିଦିଆ ମୁଖ-ଶିଂଘାର ମାତ୍ର । ନିରେଖି କରି ପାଖରେ ଉଖୁରେଇଲା ବେଳକୁ ଦିହ ଫାଟ, କାଠବରୁଣ ଓ ଧଳା ଛଉ ଓ ଟାଆଁସା ରୁମ ଗୁଡ଼ାଏ । ସବୁ ଦେଖି ଆଖି ଜଳକା ହୋଇଅଛି ଓ ହେଉଅଛି । ଏସବୁ ଦେଖି ଭକ୍ତକବି ବିହ୍ୱଳ ସ୍ୱରରେ ଚିତ୍କାର କରିଅଛନ୍ତି– ‘‘କୋଟିଏ ମନୁଷ୍ୟ ମାଗୋ ! ଧରିଅଛୁ କୋଳେ, ଗୋଟିଏ ମନୁଷ୍ୟ କିନ୍ତୁ ନ ଦେଖିଲେ ଡୋଳେ ।’’ ଏହି ‘କୋଟିକ’ ମଧ୍ୟରେ ମୁଁ ଜଣେ ଓ ଏହି ‘ଗୋଟିକ’ ମୁଁ ନୁହେଁ, ମୁଁ ଏତିକିମାତ୍ର ଦୃଢ଼ ରୂପେ ଉପଲବ୍‌ଧି କରୁଅଛି ମାତ୍ର । ଏସବୁ ଦେଖି ସ୍ୱତଃ କେତେଗୁଡ଼ିଏ ପ୍ରଶ୍ନ ମନରେ ଉଦୟ ହୋଇ ତହିଁର ଉତ୍ତର ନ ମିଳି ସେଗୁଡ଼ିକ ମନକୁ ଉଭେଇ ଯାଉଅଛି ।

 

ଶିକାରବେଳେ କୁକୁରକୁ ପୋଖରୀ ମାଡ଼େ କାହିଁକି ? କାର୍ଯ୍ୟକ୍ଷେତ୍ରରେ ମନୁଷ୍ୟ ବିବେକ ହରାଏ କାହିଁକି ? ଆପଣାରା ଦୋଷ ଦୁର୍ଗୁଣ ଗୁଡ଼ାକ ଆପଣା ଆଖିକୁ ଛୋଟ ଦିଶେ କାହିଁକି ? ମନୁଷ୍ୟ ସଂସାରରେ ଠେକି କରି ସୁଦ୍ଧା ଶିଖେ ନାହିଁ କାହିଁକି ? ପ୍ରତିଦିନ ହଜାର ହଜାର ଲୋକ ଯମ ମନ୍ଦିରକୁ ଯାତ୍ରା କରିବାର ଦେଖି ଅବଶିଷ୍ଟ ଲୋକେ ଚିରାୟୁ କାମନା କରନ୍ତି କିଆଁ ? ମୁଁ ବତେଇଦିଏ ପରକୁ, ବୁଦ୍ଧି ନ ଆସେ ଘରକୁ କିଆଁ ? ଆପଣା ସୁନା ତ ଭେଣ୍ତି, ପର ସଙ୍ଗେ କିଆଁ ବାଳ ଧରାଧରି ? ମନୁଷ୍ୟ ଆପଣାର କର୍ତ୍ତବ୍ୟ ଓ ଦାୟିତ୍ୱ ସବୁବେଳେ ହେଜି ନ ପାରେ କିଆଁ ? ମନୁଷ୍ୟ ଜାଣି ଶୁଣି ପାପାଚାର, ଅନ୍ୟାୟାଚାର, ଅତ୍ୟାଚାର, ଅନାଚାର, ଅବିଚାର, ଅତିଚାର, ଅପଚାର, କଦାଚାର ଗ୍ରହାଚାରରେ ପଡ଼େ କିଆଁ ? ପର ଆଖିରେ ଧୂଳି ପକାଇ ଆପଣାର ନୀଚ ସ୍ୱାର୍ଥପରତାକୁ ଘୋଡ଼ାଇ ରଖି ଦାଣ୍ତ ଲୋକଙ୍କଠାରୁ ‘ବାହାବା’ ଓ ବାହାଦୁରି ପାଇବାକୁ ମନୁଷ୍ୟର ମନ ଦଉଡ଼େ କାହିଁକି ? ଜାଣିଶୁଣି ଲୋକ କାଦୁଅରେ ପଶେ କିଆଁ ? ଏସବୁ ପ୍ରଶ୍ନର ଉତ୍ତର ନାହିଁ । ମାନବୀୟ ପ୍ରକୃତି ଅତି ଦୁର୍ବଳ, ମନୁଷ୍ୟ ପ୍ରକୃତି କୁହେଳିକାମୟ, ମନୁଷ୍ୟ ପ୍ରକୃତି ନିରଙ୍କୁଶ, ମନୁଷ୍ୟ ପ୍ରକୃତି ଲଗାମକୁ ମାନିବା ଜନ୍ତୁ ନୁହେଁ । ସେ ନିୟମ ମାନେ ନାହିଁ, ବନ୍ଧ ମାନେ ନାହିଁ, ଆଗପଛ ହେଜେ ନାହିଁ । ଭଲମନ୍ଦକୁ ପରେଇ (ପସନ୍ଦ) କରେ ନାହିଁ । ଏ ଦୃଷ୍ଟିରେ ଦେଖିବାକୁ ଗଲେ ନଗ୍ନ ଆଦିମନିବାସୀ ଓ ସୁସଭ୍ୟ ପାଶ୍ଚାତ୍ୟ ମଧ୍ୟରେ ପ୍ରଭେଦ ଅତି କମ– ନାହିଁ ବୋଇଲେ ଚଳେ । ଏହି ମତ୍ତ ମତଙ୍ଗଜକୁ ଯଥାକଥା ସାଧ୍ୟାୟତ୍ତ କରି ସୁସଂଯତ କରି ସଂସାରର ମଙ୍ଗଳରେ, ସମାଜର ମଙ୍ଗଳରେ, ଦେଶର ମଙ୍ଗଳରେ, ପରିବାରର ମଙ୍ଗଳରେ ଲଗାଇବା ହିଁ ସର୍ବଧର୍ମର ଓ ସର୍ବଶାସ୍ତ୍ରର ଉଦ୍ଦେଶ୍ୟ । ଏହି ସୃଷ୍ଟି ଛଡ଼ା, ପ୍ରକୃତି ଛଡ଼ା, ନିୟମ ଛଡ଼ା, ନିଷାପ ଛଡ଼ା, ଦୁନିଆ ଛଡ଼ା, ଜନ୍ତୁକୁ ଅବାଟରୁ ଫେରାଇ ବାଟକୁ ଆଣିବାକୁ, ଅବାଗରୁ ଆଣି ବାଗରେ ପୂରାଇବାକୁ, ଅକଳରୁ କଳ କରିବାକୁ ମୁନି, ମୌନୀ, ଜ୍ଞାନୀ, ଦାନୀ, ମାନୀ ସମସ୍ତେ ଯୁଗ ଯୁଗାନ୍ତରବ୍ୟାପୀ ମାଳ ମାଳ ଆଦେଶ ଉପଦେଶ ଦେଇ ଯାଇଅଛନ୍ତି ଓ ଯାଉଅଛନ୍ତି । ସେଗୁଡ଼ିକ ପଢ଼ି ଶୁଣି ଜାଣି ଗଣି ସୁଦ୍ଧା ମନୁଷ୍ୟମନ ସବୁବେଳେ ବାୟା ଓ ଅବୁଝା ଓ ଅଜଟ ହେଉଅଛି, ‘‘ମତେ ଯେତେ ମାଠୁଥିବୁ ମାଠ, ମୁଁ ସେହି ଦରପୋଡ଼ା କାଠ’’ ରହିଅଛି । ଏ ବାଇମନକୁ ଯେ ବୁଝାଇବାକୁ ଯେତିକି ଚେଷ୍ଟା କରିପାରେ, ସେ ସେତିକି ପରିମାଣରେ ମନୁଷ୍ୟ, ସେ ଭକ୍ତ, ସେ ଈଶ୍ୱରାନୁଗୃହୀତ, ସେ ଭାଗ୍ୟବାନ୍‌, ସେ ପ୍ରାତଃସ୍ମରଣୀୟ । ନଚେତ୍‌ ଆଉ ସମସ୍ତେ ମୋହରି ଭଳିଆ କୁହୁଡ଼ିପହଁରା ତନ୍ତୀ ଓ ତୁଳାଭିଣା । ମାତ୍ର ମୁଁ ମାନୁଅଛି, ସେମାନେ ମୁହଁରେ ମାନୁ ନାହାନ୍ତି, ପ୍ରଭେଦ ଏତିକି ।

 

(୨୩ଶ ଭାଗ । ପୌଷ ୧୩୨୭ । ୯ମ ସଂଖ୍ୟା)

 

ଲୋକେ କହନ୍ତି:– ‘ଦୁଃଖ କହିବି କି ସୁଖ କହିବି ? ଯାହା ଅଙ୍ଗେ ନିଭେଇଛି ତାହା କହିବି ।’ ମନୁଷ୍ୟ ଯେତେ କଥା ଅଙ୍ଗେ ନିଭାଏ, ଅର୍ଥାତ୍‌ ଅନୁଭବକୁ ଆଣେ, ସେଗୁଡ଼ିକ ବର୍ଣ୍ଣନା କରୁଥିଲେ ଫି ଜଣକେ ଗୋଟିଏ ଲେଖାଏଁ ପୋଥି ହେଉଥାନ୍ତା ଓ ଉକ୍ତ ଅନୁଭବ ମାନଙ୍କରେ ଯାହା ଶିକ୍ଷଣୀୟ କଥା ଥାଏ, ମନୁଷ୍ୟ ଯେବେ ସବୁବେଳେ ସେହି କଥାକୁ ଚେତି କାର୍ଯ୍ୟରେ ସାବଧାନ ହେଉଥାନ୍ତା, ତେବେ ସଂସାରରେ ମନୁଷ୍ୟର ଜୀବନ ଅନେକ ପରିମାଣରେ ସୁଖମୟ, ଶାନ୍ତିମୟ ହେଉଥାନ୍ତା । ଫଳତଃ ଏହି କଥା ହୁଏ ଯେ, ମନୁଷ୍ୟ ବଡ଼ ଦୁର୍ବଳ ଜୀବ, ସବୁବେଳେ ସବୁକଥା ହେଜି କାମ କରିପାରେ ନାହିଁ, ମନୁଷ୍ୟର ମନ ସବୁବେଳେ ଏକ ନ ଥାଏ । ଘଡ଼ି ଘଡ଼ିକେ ଘଟଣାଚକ୍ରରେ ପଡ଼ି ମନୁଷ୍ୟର ମନ ବହୁରୂପୀ ଏଣ୍ତୁଅ ଭଳି ହରରଙ୍ଗି ହେଉଥାଏ । ଏ ଘଡ଼ିକ ମୋ ମନ ଓ ମିଜାଜ ଭଲ ଅଛି, ସଂସାର ମତେ ଭଲ ଲାଗୁଅଛି, ହଲିଲା ପାଣିକୁ ଗୋଡ଼ ବଢ଼ାଇବାକୁ ମୋର ଇଚ୍ଛା ହେଉନାହିଁ, ପରର ଉପକାର କରିବି, ଗରିବର ଦୁଃଖ ଲାଘବ କରିବି, ନିରନ୍ନକୁ ଅନ୍ନ ଦେବି, ନିରାଶ୍ରୟକୁ ଆଶ୍ରୟ ଦେବି, ବସ୍ତ୍ରହୀନକୁ ବସ୍ତ୍ର ଦେବି, ନିର୍ବଳକୁ ବଳ ଦେବି, ନିର୍ଧନକୁ ଧନ ଦେବି ବୋଲି ମନରେ ବିଚାରୁଅଛି । ଫେର ଆରଘଡ଼ିକି ଦେଖିଲା ବେଳକୁ ମୁଁ ବିବାକ୍‌ ବେଚିହ୍ନଟ୍‌ ବଦଳି ଗଲିଣି– ସେ ଘଡ଼ିକ ମୋ ମନ ଖରାପ, ମିଜାଜ କଡ଼ା ହେଉଅଛି, ଚାଲିଲା ଶଗଡ଼ରେ ହାତ ପୂରାଇବାକୁ ମୋ ମନ ଖୁଜୁ ବୁଜୁ ହେଉଅଛି, ପରର ଅନିଷ୍ଟ କରିବି, ଗରିବ ବିଚାରିର ଦୁଃଖର ବୋଝ ଉପରେ ବୋଝ ଦେଇ ତାକୁ ଡହଳ ବିକଳ କରିବି, ଯାହାକୁ ଦି ଓଳିରେ ମୁଠାଏ ଦାନା ପେଟପୂରା ମିଳୁ ନାହିଁ, ତା ଆଗର ତା ପଖାଳ କଂସାଟି ଅଜାୟ ଜବରଦସ୍ତ ଉଠାଇ ଆଣିବି, ଯାହାର କେହି ଆଶ୍ରୟ ନାହିଁ, ତା ପତ୍ରକୁଡ଼ିଆ ଖଣ୍ତ ଭାଙ୍ଗି ଭସ୍ମସାତ୍‌ କରିଦେବି । ଯାହାର ଚିରାକନା ପଟା ଦ୍ୱାରା ଗୁଜୁରାନ୍‌ ମେଣ୍ଟୁଅଛି, ତା କନ୍ଥା ଦରବା ଖଣ୍ତକରେ ମୁନ୍ଦାଏ ପାଣି ଢାଳି ଦେବି, ଯାହାର କେହି ବଳନାହିଁ, ତାରି ଉପରେ ଜମାଏତ ବସ୍ତରେ ଜୁଲମ କରିବି, ଯାହାର ଧନ ନାହିଁ, ତାହାର ରକ୍ତ ଶୋଷଣ କରିବି ବୋଲି ମୁଁ ବଦ୍ଧପରିକର ହେଉଅଛି । ଏ ସବୁ ହରରଙ୍ଗି କାରଖାନାକୁ ମନୁଷ୍ୟ ଯେତେ ଦେଖୁଅଛି, ସେତିକି ବେଶୀ ଅଜ୍ଞାନ, ସେତିକି ବେଶୀ ଅନ୍ଧ ଓ ବାଉଳା ହୋଇ ଯାଉଅଛି । ବେଳେ ବେଳେ ମୁଁ ମନେ ମନେ ବିଚାରେ ଯେ, ସମୟ ସମୟରେ ମନୁଷ୍ୟ ମନରେ ଯେତେଗୁଡ଼ିଏ ସତ୍‌ସଂକଳ୍ପର ଉଦୟ ହୁଏ, ସେଗୁଡ଼ିକ ଯେବେ ମନୁଷ୍ୟ କାର୍ଯ୍ୟରେ ପରିଣତ କରି ପାରୁଥାନ୍ତା, ତେବେ ଏ ସଂସାରଟା କେଡ଼େ ମଧୁମୟ ହେଉ ନ ଥାନ୍ତା ? ମୁଁ ଦେଖିଅଛି ଯେ, ଆପଣା ହାତରେ ପଇସା ନଥିଲା ବେଳେ ଓ ଆପଣାର ଶକ୍ତି ନ ଥିଲା ବେଳେ ପରର ଦୁଃଖ; ଅଭାବ, ଦେଖି ମୋ ମନେ ମନେ ମୁଁ କହିହୁଏଁ– ‘‘ଆହା ! ଏ ପ୍ରାଣୀଟି କେଡ଼େ କଷ୍ଟ ପାଉଅଛି, ମୋ ହାତରେ ପଇସା ବା ଶକ୍ତି ଥାନ୍ତା କି, ମୁଁ ଏହାର ଏ କଷ୍ଟକୁ ଲାଘବ କରି ଦିଅନ୍ତି ।’’ କିନ୍ତୁ ଫଳତଃ ଦେଖିଅଛି, ହାତକୁ ପଇସା ବା ଶକ୍ତି ଆସିବା ମାତ୍ରକେ ମୁଁ ଚାହିଁ ଜଳକା ହୋଇଯାଏ, ସେତେବେଳେ ପରର ଦୁଃଖ, ପରର ଅଭାବ ମୋ ଆଖିରେ ପଡ଼େ ନାହିଁ । ମନ ଥିଲା ବେଳେ ଧନ ନାହିଁ, ଧନ ଥିଲାବେଳେ ମନ ନାହିଁ । ‘ଅମୁକ ଲୋକ ତାହା ଶକ୍ତିର ଅପବ୍ୟବହାର କରୁଅଛି, କ୍ଷମତା ଓ ସୁବିଧାର ଅପବ୍ୟବହାର କରୁଅଛି । ମୋ ହାତକୁ ଏତିକି ଶକ୍ତି, ଧନ ବା କ୍ଷମତା ଆସନ୍ତା କି, ମୁଁ ଦୁନିଆଟାକୁ ସୁଖରେ ବୁଡ଼ାଇ ଦିଅନ୍ତି; ଅମୁକ ଲୋକ ଏ ଗୃହର, ଏ ଅଞ୍ଚଳର, ଏ ରାଜ୍ୟର କର୍ତ୍ତା ହୋଇ କିଛି କାମ କରୁ ନାହିଁ, ମୋଠାରେ ଏ କର୍ତ୍ତୃତ୍ୱ ଥାନ୍ତା କି ମୁଁ ଘଡ଼ିକେ ଏ ସ୍ଥାନକୁ ରାମରାଜ୍ୟ ବନାଇ ଦିଅନ୍ତି ।’’ ଅନେକ ସମୟରେ ମୋ ମନରେ ଏହିପରି ଭାବର ଉଦୟ ହୁଏ; କିନ୍ତୁ ମୁଁ ଅନୁଭବ କରିଅଛି, ପରର ଉପକାର କରିବା ଭଳି ଶକ୍ତି, ଧନ, କ୍ଷମତା ଓ କର୍ତ୍ତୃତ୍ୱ ମାତେ ପ୍ରାପ୍ତ ହେଲା ବେଳକୁ ଏ ସବୁ ତତ୍‌ସଂକଳ୍ପ କେଉଁଆଡ଼େ ପାଣି ଫୋଟକା ଭଳି ଉଭେଇ ଯାଉଅଛି ? ଏ ସବୁ କି ପ୍ରକାର ପ୍ରହେଳିକା ? ଗୋଟାଏ ପାଖର ଚିତ୍ର ଦେଖିଲେଇଁ ଏହିତା । ଆର ପାଖର ଚିତ୍ର ମଧ୍ୟ ତହୁଁ ବଳି । ବେଳେ ବେଳେ ମନୁଷ୍ୟ ମନରେ ଯେଉଁ ଆସୁରିକ ଭାବର ଉଦ୍ରେକ ହୁଏ ‘ପରର ସର୍ବନାଶ କରି ମୋ ଘର କରିବି, ପରର ଧନ ବୁହାଇ ଆଣି ମୋ ଲୁହା ସିନ୍ଧୁକରେ ରଖିବି, ପର ଉପରେ ଜୁଲମ କରି ଏ ଦୁନିଆକୁ ମୋ ମୁଠା ତଳେ ରଖିବି, ଅମୁକ ନାମରେ ମାମଲା ମକଦ୍ଦମା କରି ତାର ନାନାସ୍ଥାନ ଉଠାଇ ଦେବି, ତା ଡିହରେ ବିଲୁଆ ଡିଆଁଇ ଦେବି, ତା ଦୁଆର ମୁହଁରେ କଣ୍ଟା ଛଟାଇ ଦେବି, ତାକୁ ବେଇଜ୍ଜତ୍‌ କରାଇବି, ଯେନ ତେନ ଉପାୟରେ ମୁଁ ବଡ଼ଲୋକ, ନାମଜାଦା, ଧନୀ ହେବି, ଏ ସଂସାରଟାକୁ ଉଜଡ଼ାମସ୍ତ କରିବି,’ ଇତ୍ୟାଦି ଯେଉଁ ରାକ୍ଷସୀ କଳ୍ପନାସବୁ ବେଳେ ବେଳେ ମନରେ ଉଇଁ ଉଠେ, ସେଗୁଡ଼ାକ ଯେବେ କାର୍ଯ୍ୟରେ ପରିଣତ ହେଉଥାନ୍ତା, ତେବେ ଏ ଦୁନିଆଟା କେଡ଼େ ବିଷମୟ ହେଉ ନ ଥାନ୍ତା ? ମନୁଷ୍ୟକୁ ଏ ସବୁ ନ କରାଇଦିଏ କିଏ ? କେଉଁ ଶକ୍ତି କରାମତରେ ପୃଥିବୀରେ ପାପର ଭାରା ବଢ଼େ ନାହିଁ ? ଏସବୁ ଭାବିଲେ ମନୁଷ୍ୟ ଆପଣାର ଅକିଞ୍ଚନତ୍ୱ ଉପଲବ୍‌ଧି କରେ । ଏ ସମ୍ୱନ୍ଧରେ ଗୋଟିଏ କାହାଣୀ ଶୁଣିଥିଲି । ଜଣେ ମନୁଷ୍ୟ ଜୀବିତ କାଳରେ ମନଚିନ୍ତା ନେଇ ବ୍ୟସ୍ତ ଥାଏ । ‘ଅମୁକର ଅନିଷ୍ଟ କରିବି, ଅମୁକକୁ ଚିତା କାଟିବି, ଅମୁକର ଘର ଭାଙ୍ଗିବି’ ଦିନରାତି ଏହିପରି ଅନିଷ୍ଟ ଚିନ୍ତାରେ କାଳ କାଟୁଥାଏ । ତାହାର ମୃତ୍ୟୁ ହେଲାରୁ ଯମଦୂତମାନେ ଆସି ତା ‘ସାହା’କୁ ବାନ୍ଧି ନେଲେ । ବାନ୍ଧି ନେଇଯିବା ସମୟରେ ସେ ବାଟରେ ଭାବିଲା ଯେ, ମତେ ମୋର ସାଂସାରିକ ଦୁଶ୍ଚିନ୍ତା ନିମନ୍ତେ ଯମରାଜା ଅବଶ୍ୟ ଦଣ୍ତ ଦେବେ । ସେଥିପାଇଁ, ଦୂତମାନେ ମତେ ନେଇଯାଉ ଅଛନ୍ତି । ସଞ୍ଜୀବନୀପୁରୀକୁ ଗଲାବେଳେ ବାଟରେ ଦେଖିଲା ଯେ, ପୋଖରୀ, କେଉଁଠାରେ ଦେଉଳ ସଦାବ୍ରତ ଏହିପରି କରୁଅଛନ୍ତି । ଏହା ଦେଖି ବାଟଯାକ ଡାକି ହାକି ଯମଦୂତମାନଙ୍କୁ ଶୁଣାଇ ଶୁଣାଇ କହି କହିକା ଗଲା :– ‘ମୁଁ ଅମୂକ ସ୍ଥାନରେ ଅନ୍ନଛତ୍ର ଦେଇଥାନ୍ତି, ଅମୂକ ସ୍ଥାନରେ ଜଳଛତ୍ର, ସଦାବର୍ତ୍ତ ଦେଇଥାନ୍ତି, ଅମୁକ ସ୍ଥାନରେ ପୋଖରୀ ଖୋଳାଇଥାନ୍ତି, ଅମୁକ ସ୍ଥାନରେ ଦେଉଳ ତୋଳାଇଥାନ୍ତି, ତୁମ୍ଭେମାନେ ମତେ ଆଉ କିଛିଦିନ ଛାଡ଼ିଯାଅ, ମୁଁ ଏସବୁ ମନସ୍କାମନାତକ ପୂରଣ କରିସାରେଁ, ତା ପରେ ତୁମ୍ଭେମାନେ ମତେ ନେବ ।’ କାଳ ବିକାଳ ଆଦି ଯମଦୂତମାନେ କହିଲେ, ‘ଆମେ ହୁକୁମ ବରଦାର୍‌, ଆମେ ତତେ ନେବାକୁ ଆସିଅଛୁଁ, ଛାଡ଼ି ଦେଇ ନ ପାରୁଁ । ଏହିପରି କଥାବାର୍ତ୍ତା ହେଉଁ ହେଉଁ ସେମାନେ ଯାଇ ଯମରାଜାଙ୍କ ଛାମୁରେ ପହଞ୍ଚିଗଲେ । ସେଥିରୁ ଚିତ୍ରଗୁପ୍ତଙ୍କ ଡାକରା ହେଲା, ସେ ଆସି ପାଞ୍ଜି ଲେଉଟାଇ ଆସାମୀର ଇହଲୋକର ସୀହା, ଉଆରିଜା, ଜନାଜାତି, ହିସାବ ମେଲି ଦେଲେ, ଆସାମୀ ମହାପାପୀ, ଘୋର ଅପରାଧୀ, ଏ କେବଳ ପରର ଅନିଷ୍ଟ ଚିନ୍ତାରେ କାଳଯାପନ କରିଅଛି; ଦଫା–୫୫୩; ସଜା–ସିମିଳି ଗଛରେ ଘୋଷରା ଓ ନାକ କାନରେ ତେନ୍ତୁଳିଆ ବିଛା ଛାଡ଼ିବା, ଇତ୍ୟାଦି ଇତ୍ୟାଦି ।’ ଆସାମୀ ଏହା ଶୁଣି ଚିତ୍କାର କରି କହିଲା, ’ଧର୍ମାବତାର ! ଛାମୁକରଣେ ମୋ ବଦନାମି କଥା ଗୁଡ଼ାକ ପାଞ୍ଜିରେ ଗୁଞ୍ଜିଦେଇ ଅଛନ୍ତି, ଭଲ କଥା ଗୁଡ଼ାକ ବିବାକ ଛାଡ଼ିଦେଇ ଅଛନ୍ତି । ମୁଁ ଯେତେ ଯେତେ ମନ୍ଦ କଥା ପାଞ୍ଚିଥିଲି, ସେ କଥା ଗୁଡ଼ିକ ଗାରେଇ ପକାଇ ଅଛନ୍ତି; କିନ୍ତୁ ମୁଁ ଯେତେ ଭଲ କଥା କରିବାକୁ ପାଞ୍ଚିଥିଲି, ସେ କଥା ଗୁଡ଼ିକ ଲେଖିବାକୁ ତାଙ୍କ ମନକୁ ପାଇଲା ନାହିଁ; ମୁଁ କେତେ କେତେ ଭଲ କଥା କରିବାକୁ ବସିଥିଲି, କିନ୍ତୁ ସେ କାମ ନ ସରୁଣୁ ମତେ ଛାମୁଙ୍କ ଦୂତମାନେ ଉଆରଣ୍ଟରେ ଘେନି ଅଇଲେ, ମୋର ସଫେଇ ସାକ୍ଷୀ ଖୋଦ୍‌ଛାମୁଙ୍କ ପିଆଦାମାନେ ।’ ସେଥିରୁ ପିଆଦାମାନଙ୍କୁ ତଲବ ହେବାରୁ ସେମାନେ ବାଟରେ ଯାହା ଯାହା ଶୁଣିଥିଲେ, ତାହା ସବୁ ହୁବ୍‌ହୁ ବାଚନି କରିଗଲେ । ଆସାମୀର ସଫେଇ ସଫଳ ହୋଇଗଲା, ଆସାମୀ ସନ୍ଦେହରେ ଖଲାସ ହେଲା ! ତେଣୁ ଫେରିଆସି ଦିନାକେତେ ଫେରେ ଘର ଦୁଆର କରି କେତେଗୁଡ଼ିଏ ଭଲ କାମ କଲା ।

 

ଯାହାହେଉ, ମୁଁ କହୁଥିଲି ଯେ, ଏକ ଦିଗରେ ମନୁଷ୍ୟ ଯେତେ ସାଧୁ ସଂକଳ୍ପ ମନରେ କରେ, ସେଗୁଡ଼ିକ କାର୍ଯ୍ୟରେ ପରିଣତ ହେଉଥିଲେ, ସଂସାର ଯେପରି ପ୍ରେମମୟ, ଆନନ୍ଦମୟ ହେଉଥାନ୍ତା, ଅନ୍ୟ ଦିଗରେ ମନୁଷ୍ୟ ଯେତେଗୁଡ଼ିଏ ପାପଚିନ୍ତା କରେ, ସେଗୁଡ଼ିକ କାର୍ଯ୍ୟରେ ପରିଣତ ହେଉଥିଲେ ଏ ସଂସାରଟା ତତୋଧିକଽଧିକ କଷ୍ଟମୟ, କନ୍ଦଳମୟ ହୋଇ ଉଠୁଥାନ୍ତା । ଏ ସବୁର ଫଳକୁ ଏ ସଂସାରରେ ହରଣ ପରଣ କରେ କିଏ ? ଏଥିରେ ନିୟାମକ, ଶାସ୍ତା, ଅନୁମନ୍ତା, କେଉଁ ଶକ୍ତି ?

 

କଥାରେ ଅଛି– ‘ଜାଣି ଘୋଡ଼ାର ଶିଙ୍ଘ ନାହିଁ, ଶିଙ୍ଘ ଥିଲେ ଘୋଡ଼ା (ଏ ସଂସାର) ରଖନ୍ତା ନାହିଁ ।’ ଘୋଡ଼ାକୁ ଶିଙ୍ଘ ନ ଦେଇଛି କେଉଁ କର୍ତ୍ତା ? ଏ ସବୁ ମନୁଷ୍ୟ ଯେତିକି ଭାବେ, ସେତିକି ସେତିକି ଜାଲଜାଲୁଆ କୁହୁଡ଼ି ମଧ୍ୟରେ ଜଳକା ହୋଇଯାଏ ଓ ଶେଷରେ ଚିତ୍କାର କରି ଉଠେ– ‘‘କିମାଶ୍ଚର୍ଯ୍ୟ ମତଃ ପରଂ ।’’ କବିମାନେ, ଭାବୁକମାନେ କହିଅଛନ୍ତି, ‘ଦୁନିଆ ଦୋ ରଙ୍ଗ’, ଅର୍ଥାତ୍‌ ଏ ଦୁନିଆରେ ସବୁ ପଦାର୍ଥର ଦୁଇଟା ପାଖ ଅଛି, ସବୁ ଜିନିଷକୁ ଦେଖିବାପାଇଁ ଦୁଇଟା ମଞ୍ଚ (Stand point) ଅଛି । ସେହି ଜିନିଷଟାକୁ ଏକ ଦିଗରୁ ଦେଖିଲେ ତାହା ଉଜ୍ଜ୍ୱଳ ଦିଶେ, ଅନ୍ୟ ଦିଗରୁ ଦେଖିଲେ ତା ଅନ୍ଧକାରମୟ ଦିଶେ ।

 

ମତେ ଜଣେ ଲୋକ ବୃଥାରେ ଚଟକଣାଟିଏ ବଜାଇଲା । ଏକ ଦୃଷ୍ଟିରେ ଚାହିଁବାକୁ ଗଲେ ମୋର ‘ଉଧାର ମାଣକ ପାଞ୍ଚ ପାଆ’ କରିବା ଉଚିତ– ‘ସେ ମତେ ଚଟକଣାଟିଏ ମାରି ଦେଇ ବର୍ତ୍ତିଯିବ କିଆଁ ? ମୋ କଉଡ଼ି କଣ କାଣି ? ସେ ମାତେ ଚଟକଣାଟିଏ ମାଇଲା– ସେ ମରଦ ପୁଅ, ମୁଁ କଣ ମାଇପିଲା ? ମୁଁ ତାକୁ ତହିଁ ପ୍ରତି ଓଝେ ଚାପୁଡ଼ାଟିଏ ନ ବଜାଇଲେ ମୋର ମନୁଷ୍ୟପଣିଆ ରହିବ ନାହିଁ, ମୋ କରାମତ ଜାହେର ହେବ ନାହିଁ, ସଂସାରରେ ଲୋକେ ମତେ ହସିବେ; ଅତଏବ ମୁଁ ତା ଗାଲରେ ଉତ୍ତମ ବାଇଶ ପଳିଆ ପାଞ୍ଚ ଆଙ୍ଗୁଠିଆ ଚାପୁଡ଼ାଟିଏ ବସାଇ ଦେବା ଏକାନ୍ତ ଦରକାର । ତାର ବଳ ଅଛି, ମୁଁ କଣ ନିର୍ବଳୁଆ’ ଏପରି ଲୋକକୁ ଶିକ୍ଷା ଦେବା ଦରକାର ।’ ଏକ ଦୃଷ୍ଟିରେ ଏ ଏକ ପ୍ରକାର ‘ଶିକ୍ଷା’ ।

 

ଏହି ବିଷୟଟାକୁ ଅନ୍ୟ ଦୃଷ୍ଟିରେ ଦେଖିବାକୁ ଗଲେ ଦେଖିପାରିବା ଯେ, ‘ସେ ମତେ ଚଟକଣାଟିଏ ମାରିବା ଦ୍ୱାରା ତାର ଅମନୁଷ୍ୟତା ପ୍ରକାଶ ପାଇଲା, ମୋର କଣ ଗଲା ? ସେ ମତେ ମାରିବା ଦ୍ୱାରା ତାର ଯେଉଁ ମନୁଷ୍ୟତା ହେଲା, ଏହାହିଁ ଚଟକଣା ମାରିବା ବ୍ୟକ୍ତି ପ୍ରତି ଯଥେଷ୍ଟ ସଜା । ସେ ଅମନୁଷ୍ୟ ହେଲା ବୋଲି ମୋ ମନୁଷ୍ୟପଣିଆ ମୁଁ ହରାଇ ବସିବି କିଆଁ ? ତାକୁ ଓଲଟି କରି ମୁଁ ଚଟକଣାଟିଏ ମାରିଦେଲେ ମୁଁ ଖାଇଥିବା ଚଟକଣା ତ ଆଉ ଫେରି ଆସିବ ନାହିଁ, କିମ୍ୱା ମୋ ଗାଲପାଟି ଦରଜ ତ କମିଯିବ ନାହିଁ ? ସେ ଯେବେ ଚଟକଣାଟିଏ ମାରି ଦେଇ ତା ମନର ଓରମାନା ମେଣ୍ଟିଗଲା, ତା ଚିତ୍ତ ଥଣ୍ତା ହୋଇଗଲା, ହେଉ; ମତେ ଚଟକଣାଟିଏ ମାରି ଯେବେ ସୁଖ ପାଇଲା, ପାଉ; ସେ ସୁଖକୁ ତାକୁ ବଞ୍ଚିତ କରିବାକୁ ମୁଁ କିଏ ? ମୁଁ ତାକୁ ମାଇଲେ ତା ମନରେ ରାଗ ବଢ଼ିବ; ସଂସାରରେ ଗୋଟିଏ ଦୁଷ୍ଟ ଜୀବ ଥିଲା, ମୁଁ ଆଉ ସେ ସଂଖ୍ୟା ବଢ଼ାଇବି କାହିଁକି ? ବରଞ୍ଚ ମୁଁ ଯେବେ ତା ଚଟକଣାଟି ସହିଯିବି, ତେବେ ସେ ଉତ୍ତମ ଶିକ୍ଷା ପାଇବ, ତା ମନରେ ଦିନେ ଅନୁତାପ-ବହ୍ନି ଜଳି ଉଠିବ; ଏପରି ସ୍ଥଳରେ ଚଟକଣା ମାରିବା ବ୍ୟକ୍ତିକୁ ଚଟକଣାଟିଏ ମାରିବା କଥା ଦୂରେ ଥାଉ, ତାକୁ ମୋର ଆର ଗାଲଟି ଦେଖାଇ ଦେବା ଉଚିତ; ସେ ମତେ ଆଉ ଗୋଟି, ଚଟକଣା ମାରି ତାର ମୋ ଉପରେ ଥିବା ଅବଶିଷ୍ଟ ରାଗତକ ସେ ଶାନ୍ତି କରୁ, ମତେ ଗୋଟିଏ ଚଟକଣା ମାରିବା ଦ୍ୱାରା ଦିନେ ତା ମନରେ ଅନୁତାପର ଉଦୟ ହେବ, ଦିଓଟି ମାରିବା ଦ୍ୱାରା ସେ ଅନୁତାପର ମାତ୍ରା ନିଶ୍ଚେ ଦ୍ୱିଗୁଣ ବଢ଼ିବ ।’ ଏହି ଦୃଷ୍ଟିରେ ମହାତ୍ମା ଈଶା, ମହାତ୍ମା ବୁଦ୍ଧ ଆଦି ମହାପୁରୁଷମାନେ ଉପଦେଶ ଦେଇ ଯାଇ ଅଛନ୍ତି ଯେ, ତୁମଙ୍କୁ ଗୋଇଠାଟିଏ ମାରିବ, ତା ଶ୍ରୀପଦକୁ କେଡ଼େଘାଏଁ ବାଧିଥିବ, ତା ପାଆ ତଳକୁ ତୁମେ ଆଉଁସି ଦେବା ଉଚିତ ।

 

ଫଳତଃ ଦେଖିଲେଇଁ ଯେ, ମାଡ଼କୁ ମାଡ଼ ଖାଇଲି, ତା ସଙ୍ଗେ ସଙ୍ଗେ ଏତକ ଓପରି ଲାଭ ।

 

ଏଥିପାଇଁ ସବୁ କଥାରେ ଦେଖୁଥାଇଁ ଯେ, ସାଂସାରିକ ଦୃଷ୍ଟିରେ ଯାହା ଏକରକମ ସୂକ୍ଷ୍ମ ଦୃଷ୍ଟିରେ ତାହା ଅନ୍ୟ ରକମ ଦେଖାଯାଏ । ବୈଷୟିକ ଦୃଷ୍ଟିରେ ଧନ, ଜନ, ଐଶ୍ୱର୍ଯ୍ୟ, ଅଧିକାର, କ୍ଷମତା ଯେପରି ଆଦରଣୀୟ ଓ ସ୍ପୃହଣୀୟ ବସ୍ତୁ, ଅଧ୍ୟାତ୍ମିକ ଦୃଷ୍ଟିରେ ଏଗୁଡ଼ିକ ସେହିପରି ହେୟ ଓ ବର୍ଜନୀୟ । ତୁମ ଧନକୁ ହେୟ ବୋଲି ମନେ କରୁଅଛ, ମୁଁ ତାକୁ ଅତି ଆଦରଣୀୟ ବୋଲି ପୂଜା କରୁଅଛି । ବ୍ୟକ୍ତି ବିଶେଷ ସେହି ବସ୍ତୁକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଅଛନ୍ତି । ସଂସାରୀ ଆଖିରେ ସୁନା ‘ମହୁଡ଼’ଟା ଯେପରି ମୂଲ୍ୟବାନ୍‌, ବୈରାଗୀ ଆଖିରେ ସେ ତାହା ନୁହେଁ । ଯେପରି ମନୁଷ୍ୟ ମନୁଷ୍ୟ ମଧ୍ୟରେ ଏ ସମ୍ୱନ୍ଧରେ ଦୃଷ୍ଟି ପୃଥକ୍‌ ସେହିପରି ଜାତି ଜାତି, ଦେଶ ଦେଶ ମଧ୍ୟରେ ମଧ୍ୟ ଏହିତା । କେଉଁ ଜାତି ଆଧ୍ୟାତ୍ମିକ ଉନ୍ନତିକୁ ପ୍ରଥମ ସ୍ଥାନ ଦିଅନ୍ତି, କେଉଁ ଜାତି ବୈଷୟିକ ଉନ୍ନତିକୁ ପ୍ରଥମ ସ୍ଥାନ ଦିଅନ୍ତି । ଏପରି ପ୍ରଭେଦ ଘଟିବା ସ୍ୱାଭାବିକ ଓ ଅନିବାର୍ଯ୍ୟ । ଏହା ବିଚିତ୍ର ନୁହେଁ, କିନ୍ତୁ ମୋହରି ମନରେ ଆଜି ଏକ ବସ୍ତୁ ସମ୍ବନ୍ଧରେ ଯେଉଁ ଭାବର ଉଦୟ ହେଉଅଛି, କାଲିସ ସେହି ବସ୍ତୁ ସମ୍ବନ୍ଧରେ ବିପରୀତ ଭାବରେ ଉଦୟ ହେଉଅଛି କିଆଁ ? ଦିନେ କାହିଁକି ସଂସାରଟା ମତେ ଛାପଚିକଣିଆ, ମସୃଣ, ମନୋହର ଦେଖାଯାଉଅଛି, ଫେର ଆରଦିନ ସେହି ‘ମୁଁ’ ଅଛି, ସେହି ଘର ଦୁଆର ଅଛି, ଏ ସଂସାରଟା ପାଣ୍ତୁର ପାଉଁସିଆ, ଆବାଖାବା ଓ ଦୃଷ୍ଟିକଟୁ କଷୁ ଦେଖାଯାଉଅଛି କିଆଁ ? ଆଜି କେହି ମତେ ଚଟକଣାଟିଏ ମାଇଲେ ତାକୁ ଆର ଗାଲଟିଏ ଦେଖାଇ ଦେବାକୁ ମନ ହେଉଅଛି, କିନ୍ତୁ କାଲି ସେହି ମନୁଷ୍ୟ ମତେ ଚଟକଣାଟିଏ ତାକୁ ମୁଁ ବିଧାଟିଏ ମାରିବାକୁ ମୁସ୍ତେଜ ହେଉଅଛି କିଆଁ ? ଗତକାଲି ମୋ ଆଗରେ କୁଢ଼ କୁଢ଼ ଅସରଫ ଗଦା ହୋଇଗଲା; କିନ୍ତୁ ଆଜି ପରର ବଟୁଆରେ ପଇସା ଦି’ ଅଣା ଦେଖି ମୁଁ ଲାଭ ସମ୍ବରଣ କରି ନ ପାରି ତାହା ଚୋରି କଲି କିଆଁ ? ଏହା ପ୍ରହେଳିକା ନୁହେଁ କଣ ? ଫଳତଃ ମନୁଷ୍ୟ ଭିନ୍ନ ଭିନ୍ନ ବିଷମ ବିପରୀତ ମାନସିକ ବୃତ୍ତିମାନଙ୍କର କ୍ରୀଡ଼ା ଭୂମି ଅଟେ । ଏହି ଅବୋଧ୍ୟ ମାନବ-ପ୍ରକୃତି ଇହସୃଷ୍ଟିର ପ୍ରଧାନ ଉପକରଣ; ଏହା କ୍ଷଣ କ୍ଷଣକେ ବଦଳୁଅଛି; କେତେବେଳେ ମନୁଷ୍ୟକୁ ନେଇ ସ୍ୱର୍ଗରେ, କୋଇଲି-ବୈକୁଣ୍ଠରେ ଦୋଳି ପହଞ୍ଚାଇ ଦେଉଅଛି, ଫେର ଆର ଘଡ଼ିକି ସେହି ମନୁଷ୍ୟକୁ ପଛବୁହା କରି ବାନ୍ଧି ହାବୁକା ମାରି ମାରି ନରକରେ, କୁମ୍ଭୀପାକରେ, ସିମିଳି ଗଛରେ ପିଚା ଘଷାଇ ଦେଉଅଛି । ଏଥିପାଇଁ ‘ବେଙ୍ଗ କହେ, ବେଙ୍ଗୁଲୀ ଲୋ ! ମହୀ କ୍ଷଣ କ୍ଷଣକେ ଆନ ।’ ଆଜି ଥାଉ ।

 

(୨୪ଶ ଭାଗ । ୧୩୨୮ । ୫।୬ ସଂଖ୍ୟା)

 

ସାହିତ୍ୟର ପାଠକମାନଙ୍କୁ ଆଗରୁ ଜଣାଅଛି ଯେ, ବର୍ତ୍ତମାନ ମୁଁ ପୂର୍ବପରି ଅମାୟିକ ସାଧାସିଧା ମଣିଷ ନୁହେଁ; ବର୍ତ୍ତମାନ ଥୋଡ଼ା ଦିନ ହେଲା ମୁଁ ପୂରା ସଂସାରୀ ବନି ଅଛି; (ଗାଁରେ) ଅର୍ଥାତ୍‌ (ଗେର୍ଦ୍ଦ ଓଡ଼ିଶା ଜିଲେ କଟକ, ପ୍ରଗନେ କେଦିଣ୍ତା) ଖଣ୍ତେ କୁଡ଼ିଆ କରି କିଛି ଚଳିବା ମାଫିକ ଚାଷବାସ କରି ସପରିବାର ନିପଟ ମଫସଲରେ ମୁଁ ବର୍ତ୍ତମାନ ଜଣେ ବାସିନ୍ଦା । ପୈତୃକ ଘରରେ ମୋର ଯାହା ଭ୍ରାତୃକ ହିଂସା ପଡ଼ିଲା, ସେଥିରେ ମୋର ଚଳାଚଳ ହେବାକୁ ନିଅଣ୍ଟ ମୁଁ ଆସି ଆମ ଗାଁର ପଶ୍ଚିମ ପାଖ ଗାଁ ମୁଣ୍ତରେ (ମୁଁ ଗ୍ରାମର ଯେଉଁ ମୁଣ୍ତରେ ନୂଆ ଘର କରିଅଛି ତାକୁ ସମସ୍ତେ ଖଣ୍ତିଆ ମୁଣ୍ତ ବୋଲି ଡାକନ୍ତି) ଖଣ୍ତେ ଘର କରି ବାସ କରୁଅଛି । ମୋର ଚରା ଭୂଇଁ ହେଲା ବିଚ୍‌ ବଜାର ସହରର କଚେରୀରେ, ମୋର ଗୋଠ ହେଲା ନିପଟ ମଫସଲ ପଡ଼ା ଗାଁ ପଥର କୁଡ଼ିଆରେ, ଅତଏବ ‘ଗତାଗତ’ ହୋଇ ପେଶାଦାର କର୍ମ ଓ ଗୃହସ୍ଥ ଧର୍ମ ମତେ ସମ୍ଭାଳିବାକୁ ପଡ଼ୁଅଛି । ଏ ଦୋନାବୁଡ଼ିଆ ରୀତିରେ ଯାହା ଫଳ ଡାକୁଛି ମୋର ମଧ୍ୟ ସେହିତା ଫଳ ଘଟୁଅଛି– ଏଥି ଯୋଗୁଁ ମୋର ବେଶୀ ସମୟ ହଲ-ଟହଲରେ ଯାଉଅଛି ଓ ଉଭୟତ୍ର ମୁଁ ‘ଏକଘରିକିଆ’ ହୋଇ ଚଳୁଅଛି । ପରିବାର ପରିଜନ, ଜ୍ଞାତି କୁଟୁମ୍ବ, ବନ୍ଧୁ ପ୍ରତିବେଶୀ ଏମାନେ ସମସ୍ତେ ଜାଣନ୍ତି ଯେ, ମୁଁ ଉଡ଼ିଗଲା ଚଢ଼େଇ, ସେମାନଙ୍କର ଲୋଡ଼ା ପଡ଼ିଲା ବେଳେ ମୁଁ ଘରେ ନ ଥିବି; ଭକ୍ଷଭୋଜି, ମଡ଼ାସାଙ୍ଘିଆ, ନିମିତ୍ତ ପର୍ବ-କାମରେ ମୁଁ ସେମାନଙ୍କ ସଙ୍ଗେ ନିୟମିତ ରୂପେ ଯୋଗ ଦେଇ ପାରିବି ନାହିଁ, ଏଥିପାଇଁ ସମାଜରେ ମତେ ଏକଘରିକିଆ କରିଅଛନ୍ତି । ସେମାନେ କହନ୍ତି, ମୋ ଭଳିଆ ଗାଉଁଲି ଭାଇ ଭଳିଆ ସମୟରେ କଡ଼ାକର ଉପକାରର ଆଶା ନାହିଁ । ଏଣେ କାର୍ଯ୍ୟକ୍ଷେତ୍ରରେ ସମବ୍ୟବସାୟୀମାନଙ୍କ ମହଲରେ ମଧ୍ୟ ମୋର ଆଦର ନଦାରଦ । କାରଣ ସେମାନେ ସମସ୍ତେ ଜାଣନ୍ତି ଯେ, ମୁଁ ‘ଗୋଠ ଖଣ୍ତିଆ’, ଅର୍ଥାତ୍‌ କେବଳ କଚେରୀ ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ମୋର ଯୋଗ ନଦାରଦ । କଚେରୀରୁ ଓ ବ୍ୟବସାୟ କର୍ମରୁ ଅବସର ପାଇବା ମାତ୍ରକେ ମୁଁ ଘରକୁ ଦଉଡ଼ିବାରେ ଲାଗିଥାଏ । ମୋର ମା ପେଶା ପ୍ରତି ଭକ୍ତି ନାହିଁ, ସ୍ନେହ ନାହିଁ, ଆକର୍ଷଣ ନାହିଁ, କେବଳ ପୋଷା ନ କଲେ ପେଟ ପୋଷା ନ ହେବ ବୋଲି ଯେନ ତେନ ପ୍ରକାରଣେ ଦୁଇ ପଇସା ରୋଜଗାର କରି ବାଏଁ ବାଏଁ ଅର୍ଜନଯାକ ବାନ୍ଧିବୁନ୍ଧି ଗାଁକୁ ନେଇ ପଳାଇବି, ସେଥିରୁ କାଣି କଉଡ଼ିଏ ସହରରେ କିମ୍ୱା କୌଣସି ଦେଶହିତକର ଅନୁଷ୍ଠାନରେ ଖରଚ କରିବି ନାହିଁ, ସହରର କୌଣସି ସଭାସମିତିରେ ଯୋଗ ନ ଦେଇ ହରଘଡ଼ି ଗାଁକୁ ଦଉଡ଼ିଥିବି, ଏସବୁ କାରଣରୁ ପେଶାଦାର ଭାଇମାନେ ମଧ୍ୟ ମତେ ‘ଏକ-ଚଉକିଆ’ କରିଥାନ୍ତି । ବୁଝିଲାବେଳକୁ ମୁଁ ନା ଗୃହସ୍ଥ, ନା ବ୍ୟବସାୟୀ– ଦୁଇ କଥାରୁ କେଉଁ ଆଡ଼କୁ ନୁହେଁ । ସବୁବେଳେ ଘରେ ରହି ନ ପାରିବା ଯୋଗୁଁ ଘର ପ୍ରତି ଦୃଷ୍ଟି ରଖିପାରେ ନାହିଁ– ଘରତକ ବେମରାମତ, ଘର ଦୁଆରେ ଅଳିଆ ଓ ଅରମା, ଅଳିଆ ଅରମା ଯୋଗୁଁ ଉଇ, ମଶା, ମୂଷା, ଲମ୍ବଜନ୍ତୁ, ସମ୍ୱାଳୁଆ, ତେଲୁଣୀ ପୋକ, ଗଉଡ଼ୁଣୀ ପୋକ, ସାଧବ ଘର ବୋହୂ, କଙ୍କଡ଼ା ବିଛା, ଚୁଚୁନ୍ଦ୍ରା, ଅସରପା, ବୁଢ଼ିଆଣୀ ସମସ୍ତଙ୍କର ମୋ କୁଡ଼ିଆ ଉପରେ ଅଧିକାର ଓ ରାଜତ୍ୱ; ଗୃହକର୍ତ୍ତାଙ୍କ ତତ୍ତ୍ୱାବଧାନର ଅଭାବରୁ ମୋ ହଳିଆ, ମୂଲିଆ, କୋଠିଆଣୀ କାମରେ ଢିଲମ୍‌ଢିଲା କରନ୍ତି, ମୋ ବିଲ ବାଡ଼ିତକ ଅବଛା ଓ ଅବେଉଷଣିଆ ହୁଏ, ମୋ ଧାନତକ ଅଣ ଉଡ଼ା ଓ ଆଣ ପାଛୁଡ଼ା ରହେ । ମୋ ଦାଣ୍ତ ଘର ଖଣ୍ତି ଅଛୁଁଆ ରହେ, ମୋ ବଳଦ ତକ ଅମଣିଆ, ଏ ସବୁ ମୋର ଅମଣିଆ ପଣିଆର ଫଳ । ଏଣେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦେଖିଲା ବେଳକୁ ଓକିଲଙ୍କର ଘନ ଘନ ଅନୁପସ୍ଥିତି ଯୋଗୁଁ ମୋ ମହକିଲଯାକ ଥରେ ହାତରୁ ଛୁଟିଲେ ଅଣ ବାହୁଡ଼ା, ମୋ ସିରସ୍ତାରେ ବସ୍ତାନି ଅଫିଟା ମୋ ଓକିଲ-ମୋହରିର ଅକାମିକା ଓ ଅଖିଆ ଅପିଆ, ମୋର ରୋଜଗାର, ଯୋଗ୍ୟତା ଓ କରାମତ ମଧ୍ୟ ତଥୈବଚ । ଅଥଚ ଏ ଦୁଇ କଥାରେ ମୁଁ ଏପରି ଅଖଞ୍ଜିଆ ରୂପରେ ଛନ୍ଦଣି ମନ୍ଦଣି ହୋଇଅଛି ଯେ, ଗୋଟିକର ଖସି ଗୋଟିଏ ଇଲାକାରେ ମନ ମୁନ ଚଇତନ ଲଗାଇବାର ବର୍ତ୍ତମାନ ବଳ ନାହିଁ, ବୟସ ନାହିଁ, କି ଇଚ୍ଛା ମଧ୍ୟ ନାହିଁ ।

 

ଏତେଗୁଡ଼ିଏ ମୋର ଆତ୍ମକାହାଣୀ ସାଧାରଣରେ ପ୍ରକାଶ କରିବାର ଉଦ୍ଦେଶ୍ୟ କଣ ? ଏହି କଥା ଆପଣମାନେ ଭାବୁଥିବେ । ଏ କଥା ସବୁ ଆସ୍ଫାଳନ କରିବାର ମୋର ଉଦ୍ଦେଶ୍ୟ ଏହିକି, ଯେତେ ଲୋକ ଦୋନାବୁଡ଼ିଆ ହୁଅନ୍ତି, ସେମାନେ ମୋର ଅବସ୍ଥା ଭୋଗ କରନ୍ତି । ତାଙ୍କର ଏ କୂଳ ସେ କୂଳ ଦୁଇକୂଳ ନଷ୍ଟ ହୁଏ । ଏଥିପାଇଁ ପାଠ ଅଛି– ‘A jack of all trades is master of none.’ ସବ୍‌ଜାନ୍‌ତା ମନୁଷ୍ୟ କେଉଁ ବିଷୟରେ ଟାଣୁଆ ନୁହେଁ । ସବୁଥିରେ ଦୋଷ ଗୁଣର ମାତ୍ରା ପୂର୍ଣ୍ଣ ରହିଅଛି । ଗୃହସ୍ଥ ହୋଇ ମଫସଲରେ ବାସ କରିବାରେ ସୁବିଧା ଯେତେ, ଅସୁବିଧା ମଧ୍ୟ ତେତେ । କୌଣସି ପେଶାରେ ପଶି ପେଶା ଅନୁରୋଧରେ ସହରରେ ବାସ କରିବାରେ ମଧ୍ୟ ଅନେକ ସୁବିଧା ଓ ଅନେକ ଅସୁବିଧା ଅଛି । କିନ୍ତୁ ଯେ ଉଭୟତ୍ର ହାତ ଦେବାକୁ ବସେ, ତା କପାଳରେ ଉଭୟ ଅବସ୍ଥାର ଅସୁବିଧା ଗୁଡ଼ିଏ ବେଶୀ ପରିମାଣରେ ଘଟିଥାଏ-। ମୋ ଭାଗ୍ୟରେ ମଧ୍ୟ ତାହା ଘଟିଅଛି ଓ ଘଟୁଅଛି ।

 

ଆଜି ମଫସଲର କେତେଗୁଡ଼ିଏ ଅସୁବିଧାର ଉଲ୍ଲେଖ କରିବି । ଆମ ଦେଶରେ କଣ, ଅନ୍ୟ ଦେଶରେ କଣ ଦେଖୁଥାଇଁ ଯେ, ଆଧୁନିକ ସଭ୍ୟତା ମଫସଲର ଘରମାନ ଭାଙ୍ଗି ସହରମାନ କୋଠାମୟ କରିବାରେ ବ୍ୟସ୍ତ । କାର୍ଯ୍ୟ ଉପଲକ୍ଷରେ ମଫସଲରୁ ଲୋକମାନେ ଚାଲି ଆସି ସହରରେ ରୁଣ୍ତ ହୁଅନ୍ତି । ମଫସଲର ବାସିନ୍ଦା ସଂଖ୍ୟା କମେ ଓ ସହରରେ ଲୋକସଂଖ୍ୟା ବଢ଼େ । ଦୋକାନଦାରି, ସରକାରୀ ଚାକିରି, ଓକିଲାତି, ବେପାର, କଳକାରଖାନାରେ ଚାକିରି ବା ମଜୁରିଦାରୀ, ସରକାରୀ ଓ ବେସରକାରୀ ଅଫିସରେ କାର୍ଯ୍ୟ, ମ୍ୟୁନିସିପାଲିଟିର କାର୍ଯ୍ୟ, ସହରର ସ୍କୁଲ କଲେଜରେ ଶିକ୍ଷା ଓ ଶିକ୍ଷକତ୍ଃ, ସହରରେ ବୃଦ୍ଧି ପାଉଥିବା ଲୋକସଂଖ୍ୟାକୁ ଚାହିଁ କୋଠାବାଡ଼ି, ଖାଦ୍ୟସାମଗ୍ରୀ ଯୋଗାଡ଼, ସହରର ନର୍ଦ୍ଦମା, ପାଇଖାନା ଓ ରାସ୍ତା ଆଦି ପରିଷ୍କାର କରିବା ଓ ରଖିବା ଆଦି କାର୍ଯ୍ୟ, ସହରର ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା, ଔଷଧାଳୟ, ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ଭୋଜନାଗାର, ନାଟ୍ୟାଗାର ଅଧିକାଂଶ ମଫସଲିଆଙ୍କ ହାତରେ ଚଳେ । ଏସବୁ କାର୍ଯ୍ୟ ଯୋଗୁଁ ମଫସଲରୁ ଲୋକେ ଉଠି ଆସି ପ୍ରଥମେ ସହରରେ ବସାକରି ରହନ୍ତି, ଦିନାକେତେ ବାଦ୍‌ ସପରିବାର ବସାକରି ରହନ୍ତି, ଶେଷକୁ ସହରର ସ୍ଥାୟୀ ଅଧିବାସୀ ହୋଇ ବଂଶାନୁଗତ ସହରର ପକ୍‌କା-ବାସିନ୍ଦା (Permanent resident) ପାଲଟିଯାନ୍ତି । ଏହା ଆଧୁନିକ ସଭ୍ୟତାର ଗୋଟିଏ ପ୍ରଧାନ କାରଣ । କାଲି ଯେଉଁ ସ୍ଥାନ ପଡ଼ିଆ ମରୁଭୂମି ଥିଲା, ଆଜି ତାହା ସମୃଦ୍ଧିଶାଳୀ ମହାନଗରୀରେ ପରିଣତ ହୋଇଅଛି; କେତେ ବର୍ଷ ତଳେ ଯେଉଁ ଗ୍ରାମ ଲୋକପୂର୍ଣ୍ଣ ଓ କୋଳାହଳମଧୁର ହୋଇ ମୁଖରିତ ହେଉଥିଲା, ଆଜି ସେ ଗାଁରେ ଅଧିକାଂଶ ମେଲାଡ଼ିହ ଓ କେତେକ ଡିହରେ ବିଲୁଆ ଡେଉଁ ଅଛନ୍ତି କେତେ ଦୁଆରେ କଣ୍ଟା ଛଟା ହୋଇଅଛି, ଗ୍ରାମରେ କେବଳ ଗୁଡ଼ିଏ ନିକମା ମନୁଷ୍ୟ, ଲଙ୍ଗଳା ପିଲା ଓ ରାଣ୍ତ ମାଇପେ ଆତଯାତ ହେଉଅଛନ୍ତି । ଆଗ କାଳର ଗ୍ରାମର ଭାଗବତ ଟୁଙ୍ଗୀ, ଆଖଡ଼ାଘର, ଜାଗାଘର, ସନ୍ଧ୍ୟାବେଳେ ଗ୍ରାମରେ ପାଞ୍ଚଜଣଙ୍କ ବୈଠକି, ଗ୍ରାମଦେବତାଙ୍କ ନିକଟରେ ପୁରାଣପାଠ, ଉତ୍ସବ ଆନନ୍ଦ, ଏସବୁ ଆଉ ନାହିଁ । ଯେଉଁମାନେ ଏଥିରେ ସବୁ ଯୋଗ ଦେଉଥିଲେ, ସେମାନେ ଆଜି ଯାଇ ଦେଶ ବିଦେଶର କର୍ମକ୍ଷେତ୍ରରେ ସହରରେ ବାସ କରୁଅଛନ୍ତି ! ସଭ୍ୟତାର ଏସବୁ ଶୁଭ ଲକ୍ଷଣ, କି ଅଲକ୍ଷଣ, ତାହା ଭଗବାନ ଜାଣନ୍ତି । ମୁଁ ନିଜେ ମୋ ପିଲାଦିନେ ଏପରି ଘରକରଣା-ପରିବାର ସ୍ୱଚକ୍ଷୁରେ ମଫସଲରେ ଦେଖିଅଛି ଯେ, ଲୁଣ ଛଡ଼ା ଗୃହ-ବାସ୍ତୁର ସୀମା ମଧ୍ୟରେ ଗୃହସ୍ଥର ଦୈନିକ ଓ ସାମୟିକ ପ୍ରୟୋଜନୀୟ ଅନ୍ୟ ସମସ୍ତ ପଦାର୍ଥର (ଲୁଗାପଟା, ଜାଳିବା ଓ ଲଗାଇବା ତେଲ, ଦୈନିକ ଖାଦ୍ୟ ଓ ପିଷ୍ଟକାଦି, ବସିବା ଶୋଇବାର ଆସନ ଆଦି) ଉପକରଣମାନ (କପା, ସୋରିଷ, ରାଶି, ଗବ, ଧାନ, ମୁଗ, ବିରି, କୋଳଥ, ପୋଖରୀରୁ ମାଛ, ନଡ଼ିଆ, ଆଖୁ, ଗୁଆ, ନାସପାତ୍ର, ପନିପରିବା ଆଦି) ଫଳୁଥିଲା ଓ ମିଳୁଥିଲା । ଅଧିକାଂଶ ଗ୍ରାମରେ ବଢ଼େଇ, କମାର, କୁମ୍ଭାର, କେଉଟ, ତନ୍ତୀ, ତୁଳାଭିଣା, ଗୁଡ଼ିଆ, ତେଲି, ଗଉଡ଼, ଭଣ୍ତାରି ମିଳୁଥିଲେ-। ଗ୍ରାମର ଦୈନନ୍ଦିନ ଅଭାବ ମୋଚନ ନିମନ୍ତେ ଗ୍ରାମ ସୀମାରୁ ପଦାକୁ ଗୋଡ଼ ବଢ଼ାଇବାକୁ ପଡ଼ୁ ନ ଥିଲା । କିନ୍ତୁ ଆଧୁନିକ ସଭ୍ୟତା ଆମ୍ଭମାନଙ୍କର ଅଭାବ ଅସୁବିଧା ଓ ଅଭ୍ୟାସକୁ ଏତେ ମାତ୍ରାରେ ବଢ଼ାଇ ଦେଲାଣି ଯେ, ଫି କଥାରେ ଦାଣ୍ତକୁ ନ ବାହାରିଲେ, ପର-ମୁଖାପେକ୍ଷୀ ନ ହେଲେ ନ ଚଳେ-। କ୍ଷେତରେ ଫଳୁଥିବା କପାକୁ ଭିଣାଇ ଓଜନ କରି ତନ୍ତିବାପୁଡ଼ାକୁ ଦେଲେ ତନ୍ତିବାପୁଡ଼ା ତାର କରମୂଳ ନେଇ ପିନ୍ଦାପାଛୁଡ଼ା, ମାଠ ଚାଦର ଦରି ଦସିଆ ଆଣି ଦାଣ୍ତ ଦୁଆର ମୁହଁରେ ଦେଇ ଯାଉଥିଲା । ବାଡ଼ିରେ ହେଉଥିବା ଗବ, ପୁଲାଙ୍ଗ, ସୋରିଷ ରାଶି ନେଇ ତେଲିପୁଅ ତାର ପାରିଶ୍ରମିକ ପାଇ ଗୃହସ୍ଥକୁ ତେଲ ଆଣି ଦେଇ ଯାଉଥିଲା, ବାଡ଼ିବଗାଏତରୁ ଜାଳେଣି କାଠ ଚଳୁଥିଲା, ବାଡ଼ିରୁ ବାଉଁଶ, ବଗାଏତରୁ ଜାମୁ ପୁଲାଙ୍ଗ ଗଛ, ଅନାବାଦି ଜଙ୍ଗଲରୁ ବେତ ଆଣି ବିଲରୁ ନଡ଼ା, ବାଡ଼ିଆଡ଼ୁ ମାଟି ଆଣି ଗାଁ ବଢ଼େଇ ଗାଁ ମୂଲିଆଙ୍କ ଦ୍ୱାରା ବାସଗୃହ ତିଆରି ହେଉଥିଲା; କିନ୍ତୁ ଏଣିକି ମଫସଲରୁ ଏ ସବୁ ଲୋକ ପାଇଲା ଓ ପାଇବ । ଗ୍ରାମରେ କୌଣସି ବିବାଦ ଉପସ୍ଥିତ ହେଲେ, କୌଣସି ଅଡ଼ୁଆ ଲାଗିଲେ ଗ୍ରାମ ମହାଜନେ ବସି ଦିଅଁଙ୍କ ଚକଡ଼ାରେ ସେ ସବୁ ଅଡ଼ୁଆକୁ ମୀମାଂସା କରି ଦେଉଥିଲେ ଓ ଗ୍ରାମର ଅବସ୍ଥାପନ୍ନ ବ୍ୟକ୍ତିମାନଙ୍କ ସାହାଯ୍ୟ, ବଦାନ୍ୟତା ଓ ସ୍ୱଚ୍ଛଳତା ଦ୍ୱାରା ଗ୍ରାମର ଦୁରବସ୍ଥାପନ୍ନ ପରିବାର ଓ ଗରିବ ଗୁରୁବାମାନେ ଚଳି ଯାଉଥିଲେ । ଜମିଦାରମାନେ ରୟତମାନଙ୍କର ଫଳତଃ ‘ମା-ବାପ’ ଥିଲେ; ତାଙ୍କ ଘର ସବୁବେଳେ ପ୍ରଜାମାନଙ୍କ ପାଇଁ ଅବାରିତ ଦ୍ୱାର ଥିଲା, ସେ ଯେପରି ଗରିବଠାରୁ ତଣ୍ତିକରି ଜୋରିମାନା ଓ ବେଠି ନେଉଥିଲେ, ଅସମୟ ପଡ଼ିଲେ ନଅଙ୍କରେ ଛତ୍ର ଦେଇ ଗରିବଙ୍କୁ ବଞ୍ଚାଉଥିଲେ, ଖାଇବାକୁ ନ ଥିଲେ ପରିବାରକୁ ପୋଷୁଥିଲେ, ପୁଣ୍ୟ ପର୍ବରେ ପିଠା ବାଣ୍ଟୁଥିଲେ, ବାଧକି ପଡ଼ିଥିଲେ ଔଷଧ ପଥ୍ୟର ବ୍ୟବସ୍ଥା କରି ଦେଉଥିଲେ, ନିରୁପାୟ ପିତୃମାତୃଶୂନ୍ୟ ପିଲାମାନଙ୍କୁ ଭରଣପୋଷଣ କରୁଥିଲେ । ଏବେ ରାଜା ପ୍ରଜାଙ୍କର ଅନେକ ସ୍ଥଳରେ ବିନା ପରିଚୟ ସୁଦ୍ଧା ନଦାରଦ-। ଏବେ ଜମିଦାର ପ୍ରଜାଠାରୁ ଖଜଣା ଗଣ୍ତାକ ନେଇ ମାଲଗୁଜାର ପଏଠ କରିଦେଇ ମାଲିକାନା– ଲଫାତକ ନେଇ ଆପଣା ଅୟସରେ ଖରଚ କରୁ ଅଛନ୍ତି ଓ ଜମିଦାର ପ୍ରଜାକୁ ପାଟି ଫିଟାଇଲେ ସେ ଯାଇଁ ଖଣ୍ତେ ଦରଖାସ୍ତ ଧରି କଚେରିରେ ହାଜର । ଆଧୁନିକ ସଭ୍ୟତା ଏ ଯେଉଁ ଗତି ହେଉଅଛି, ସେଇଟା ଭଲ ଆଡ଼କୁ କି ମନ୍ଦ ଆଡ଼କୁ, ତାହା ଭଗବାନ ଜାଣନ୍ତି । ତା ପରେ ଆଧୁନିକ ସଭ୍ୟତା ଲୋକଙ୍କୁ ଶିଖାଇ ଅଛି– Division of labour ବା କାର୍ଯ୍ୟ ବିଭାଗ । ଏଥିର ଅର୍ଥ ଏହିକି, ସମସ୍ତେ ସବୁ କାର୍ଯ୍ୟ ନ କରି ଜଣେ ଜଣେ ଲୋକ ଏକ ଜାତିର କାମ କରିବେ । ଉଦାହରଣ ସ୍ୱରୂପ– ଯେ ସୂତା କାଟିବ, ସେ ଲୁଗା ବୁଣିବ ନାହିଁ; ଯେ ଲୁଗା ବୁଣିବ, ସେ ଦାଣ୍ତରେ ଲୁଗା ବିକିବ ନାହିଁ । ଏଥିର ସୁବିଧା ଏହିକି, ଜଣେ ମନୁଷ୍ୟ ଗୋଟିଏ କାମରେ ଦିନରାତି ମନ ଦେଲେ ସେ ବିଭାଗରେ ସେ ପାରଙ୍ଗମ ଓ ବିଚକ୍ଷଣ ଓ ଅନୁଭବୀ ହେବ ଓ ଫଳତଃ ସେ କାର୍ଯ୍ୟ ଅପେକ୍ଷାକୃତ କୌଶଳ ଓ କୃତିତ୍ୱ ଦ୍ୱାରା ସମ୍ପନ୍ନ ହେବ; ଏପରି ଗୋଟିଏ ଗୋଟିଏ କାର୍ଯ୍ୟରେ ଯେଉଁମାନେ କୃତିତ୍ୱ ଲାଭ କରନ୍ତି; ସେମାନଙ୍କୁ Specialist ବା ଓସ୍ତାତ ବୋଲାଯାଏ । କିନ୍ତୁ ଏଥିରେ ମଧ୍ୟ ଅସୁବିଧାର ମାତ୍ରା କମ୍‌ ନୁହେଁ । ଏ Specialities (ଓସ୍ତାତ୍‌) ତାଙ୍କ ଆଦରିଥିବା କର୍ମ ଛଡ଼ା ଅନ୍ୟ କର୍ମମାନ ଅନଭ୍ୟାସ ଯୋଗୁଁ ବିବାକ ପାଶୋରି ପକାନ୍ତି । ଫଳତଃ କୌଣସି ଅନୁଷ୍ଠାନ ସାଙ୍ଗୋପାଙ୍ଗ କଲା ବେଳକୁ ଓସ୍ତାତ୍ ପଣେ ଖଣ୍ତେ ଲୋଡ଼ା ହୁଅନ୍ତା । ଏଥିର ପରମୁଖାପେକ୍ଷିତା ଅତ୍ୟଧିକ ବଢ଼ିଯାଏ ।

 

ତାପରେ ଆଉ ଗୋଟିଏ କଥା– ପୂର୍ବେ ଭାରତରେ ଯେଉଁ ଜାତି-ବିଭାଗ ହୋଇଥିଲା, ତାହା ଗୁଣ କର୍ମ ବିଭାଗ ଅନୁସାରେ ହୋଇଥିଲା– ଯେ ଯେଉଁ ବଂଶରେ ଜନ୍ମ ଗ୍ରହଣ କରୁଥିଲା, ସେ ବ୍ୟକ୍ତି ଆଜନ୍ମ ସେହି ବଂଶାନୁଗତ କାର୍ଯ୍ୟ କରୁଥିଲା ଓ ଫଳତଃ ବଂଶାନୁଗତ ଅନୁଧାବନ, ଅନୁଚିନ୍ତା ଓ ଅନୁଭବ ଦ୍ୱାରା କାର୍ଯ୍ୟ ରୀତି ଉନ୍ନତି ଲାଭ କରୁଥିଲା ଓ ସେ ବ୍ୟବସାୟର ଉନ୍ନତିର ଗୁପ୍ତ ରହସ୍ୟମାନ (Trade secret) ସେହି ବଂଶରେ ଲୋକମାନେ ଉତ୍ତମ ରୂପେ ସାଧ୍ୟାୟତ୍ତ କରି ପାରୁଥିଲେ । ଆଧୁନିକ ସଭ୍ୟତା ଏ ଜାତି ବିଭାଗକୁ ସମୂଳ ଉତ୍ପାଟନ କରିଦେଇ ‘ବାର ଜାତି ତେର ଗୋଲା’ଙ୍କୁ ଏକ ନୂଆ ପ୍ରକାର ଘାଣ୍ଟ ତିଅଣ କରିଦେଲା । ବର୍ତ୍ତମାନ କୌଣସି କାର୍ଯ୍ୟକ୍ଷେତ୍ରକୁ ଯାଅ (କଚେରି, କଳକାରଖାନା, ରେଳ, ବିଚାରାସନ, ବାରିକ ମିସ୍ତ୍ରୀ) ଦେଖିବ, ସେଥିରେ ବ୍ରହ୍ମାଣ୍ତ ବୈଷ୍ଣବ, ତେଲି ତାମିଲି, ତନ୍ତୀ ତୁଳାଭିଣା, କରଣ ଖଣ୍ତାଏତ, କେଉଟ ଗୁଡ଼ିଆ, ବାଉରି କଣ୍ତରା, ଗଉଡ଼ ଭଣ୍ତାରି, ବଢ଼େଇ କମାର ସମସ୍ତଙ୍କର ଅବାଧ ଗତି ଓ ପ୍ରବେଶ । ତେଲି ତା ଘଣାକୁ ଭୁଲି ସାରିଲାଣି, ତନ୍ତୀ ତା ତନ୍ତକୁ ପାଶୋରି ଦେଲାଣି, ଗଉଡ଼ ତା ଗାଈକୁ ଦୁହିଁ ପାରୁ ନାହିଁ ଇତ୍ୟାଦି ଇତ୍ୟାଦି । ସମସ୍ତେ ଏହି ‘ଚାହିକିଚିତା’ରେ ଲାଗି ଘର ଛାଡ଼ି, ଗାଁ ଛାଡ଼ି, ଆପଣା ସହଜ କର୍ମ ଓ ବଂଶଗତ ଏବଂ ଜାତିଗତ ବ୍ୟବସାୟ ଛାଡ଼ି ଧନ ଅର୍ଜିବା ପାଇଁ ସହରରେ ରୁଣ୍ତ ହୋଇ ଏ ଅଢ଼େଇ ଦିନିଆ ହରିଲୁଟରେ, ଏ ମେଣ୍ଢା ଲଢ଼େଇରେ ଲାଗିଅଛନ୍ତି । ଆଧୁନିକ ସଭ୍ୟତା ଏ ଲକ୍ଷଣଟା ସୁଲକ୍ଷଣ କି କୁଲକ୍ଷଣ, ତାହା ସେହି ଭଗବାନଙ୍କୁ ଗୋଚର । କିନ୍ତୁ ମତେ ଏ ସବୁ ଅଡ଼ୁଆ ଅଡ଼ୁଆ ଲାଗୁଅଛି ।

 

ଗତ ୫ ବର୍ଷର ମହାସମର ଜନିତ ଓ ସମରାନ୍ତ ଅନୁଭବରୁ ମୁଁ ଏତିକି ଅନୁଭବ କରିପାରି ଅଛି ଯେ, ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଅଚିରସ୍ଥାୟୀ ଓ ଟିକିଏ ସାମାନ୍ୟ ଦୈବୀ ଘଟଣା ବା ଅନିୟମ ବା କୋଡ଼ମାଡ଼ ହେଲା ମାତ୍ରକେ ଏ ସଭ୍ୟତାର ସ୍ୱର୍ଣ୍ଣମୟୀ ଲଙ୍କାରେ ଏକାଘଡ଼ିକେ କଳାକନା ବୁଲିଯିବ । ବର୍ତ୍ତମାନ ଦେଖାଗଲା ଯେ, ପାଶ୍ଚାତ୍ୟ-ସଭ୍ୟତାଭିମାନୀ ଜାତିମାନେ ମନୁଷ୍ୟର ଆଦିମ ବନ୍ୟ ସ୍ୱଭାବ, ବର୍ବର ପ୍ରକୃତି, ପରଧନ ଲିପ୍‌ସା, ଲୋଭ କାମୁକତା ପରଶ୍ରୀକାତରତା ଆଦି କିଛି କିଛି ଛାଡ଼ି ନାହାନ୍ତି; କେବଳ ଏସବୁକୁ ଗୋଟାଏ କାଚ ଢାଙ୍କୁଣୀରେ ଘୋଡ଼ାଇ ପକାଇ ଅଢ଼େଇ ଦିନ ସକାଶେ ଚାପି ରଖିଅଛନ୍ତି ମାତ୍ର । ଖଣ୍ତିଏ ଟେକା ବାଜିବା ମାତ୍ରକେ ସେ କାଚ ଘୋଡ଼ଣୀଟି ଶତଧା ଭାଙ୍ଗି ଯାଉଅଛି ଓ ସେହି ଆବରଣ ଭିତରୁ ହିଂସ୍ର, ଘାତୁକ, ଭୀଷଣ, ଜୀବମାନେ ବାହାରି ଜଗତକୁ ରକ୍ତାକ୍ତ ଓ ବ୍ୟତିବ୍ୟସ୍ତ କରି ପକାଉ ଅଛନ୍ତି, ଏ ସଭ୍ୟତା ମତେ ‘କଳଘଣ୍ଟା’ର ଆଦର ଶିଖାଇଲା, କଳଘଣ୍ଟା (clock, watch) ନ ହେଲେ ଏବେ ମୋର ଦଣ୍ତେ ଚଳିବ ନାହିଁ । କିନ୍ତୁ ଘଣ୍ଟା କିପରି ହେବ, ଦମ୍‌ ଦିଆଯିବ ଓ ମରାମତ୍‌ ହେବ, ସତକ ମୁଁ ଶିଖି ପାରିଲି ନାହିଁ । ଯେଉଁ ସଭ୍ୟତା ମତେ ଅଭାବଗ୍ରସ୍ତ, ପରମୁଖାପେକ୍ଷୀ ଓ ସର୍ବଦା ଶାନ୍ତି ବିରହିତ କରାଇଲା, ଅଥଚ ଏ ଅଭାବମାନ ପୂରଣ କରିବାକୁ ମତେ ଉପଯୁକ୍ତ ବା କୃତୀ କରାଇ ନ ପାରିଲା, ସେପରି ସଭ୍ୟତା ପ୍ରତି ମୋର ଆନ୍ତରିକ ଭକ୍ତି ନାହିଁ । ମଫସଲରେ ଚାଷ ବାସ କରି ଚିରଦିନ ମୁଠିଏ ଖାଇ ଖଣ୍ତିଏ ପିନ୍ଧି ସୁସ୍ଥ ଶରୀରରେ କାଳ କାଟିବା ଭଲ, କି ସହରକୁ ଆସି ଅଢ଼େଇ ଦିନ ବ୍ୟବସାୟରେ ମାତି କ୍ରୋଡ଼ପତି ହୋଇ କାକସ୍ନାନ, ଗଧ ଭୋଜନ, କୁକୁର ଧାଉଡ଼ି କରି ଦେହକୁ ବ୍ୟାଧି ଓ ଚିନ୍ତାର ମନ୍ଦିର କରି କାଲି ଦେବାଳିଆ ଉଠି ‘ଭିକ୍ଷାଂ ଦେହି’ କରିବା ଶ୍ରେୟସ୍କର ତାହା ଚିନ୍ତା କରିବା ସମସ୍ତଙ୍କର ଉଚିତ ।

 

ଆଧୁନିକ ସଭ୍ୟତାର ଭକ୍ତମାନଙ୍କର କ୍ରମଶଃ ତହିଁରୁ ଭକ୍ତି କମି ଯାଉଅଛି । ଏ ଯେଉଁ ହଟ୍ଟଗୋଳ, ସଭାସମିତି କାଗଜ କଲମରେ ଲେଖା ଲେଖି, ଆନ୍ଦୋଳନ, ଆସ୍ଫାଳନ, ଆଲୋଡ଼ନ, ସଂସାର ଯାକ ଲାଗିଅଛି, ଏଥିର ଫଳରେ ଯେବେ ମନୁଷ୍ୟ ଶାନ୍ତି ଭୋଗ ନ କଲା, ସୁଖ ଭୋଗ ନ କଲା, ମୁଠାଏ ପେଟପୁରା କରି ଖାଇବାକୁ ଓ ଖଣ୍ତେ ପିଠି ଘୋଡ଼ାଇ ପିନ୍ଧିବାକୁ ଓ ଘଡ଼ିଏ ନିଶ୍ଚିନ୍ତ ହୋଇ ବସିବାକୁ ନ ପାଇଲା, ଯେବେ ଦିନକୁ ଦିନ ଅଭାବ ଅସୁବିଧା ବଢ଼ିଲା, ତେବେ ଏପରି ସଭ୍ୟତାକୁ ମୋର ଦୂରରୂ ଜୁହାର । ବର୍ତ୍ତମାନ ଅଧିକାଂଶ ଜାଗାରେ ମୁଁ ଦେଖୁଅଛି ଯେ, ସମସ୍ତେ ହାତ ସାଫିଆନା ଦେଖାଇବାରେ ବ୍ୟସ୍ତ; ଥାଟ ସଜାଡ଼ିବାରେ ବ୍ୟସ୍ତ, କାଗଜ କଲମ ଦୋରସ୍ତ ରଖିବାରେ ବ୍ୟସ୍ତ, ଭିତରେ ଯାହା ଇଚ୍ଛା ତାହା ଥାଉ, ଯେବେ ଶିଶିଟି ଛିଟ କନାରେ ଗୁଡ଼ିଆ ହୋଇ ଚକଚକିଆ ଘୋଡ଼ଣୀ ଭିତରେ ରହି ଦୋକାନରେ ସଜାଇ ରଖାଯିବ, ତେବେ ଲୋକେ ସେହି ଛାପଚିକଣିଆ ଚେହେରା ଦେଖି ସେ ଶିଶିଟି ନେବେ । ଭିତରେ ବାସନା କେରାସିନ ତେଲ ଥାଉ ପଛକେ ଚିନ୍ତା ନାହିଁ । ଏହି ସବୁ ବାହାରର ଲୋକଭୁଲାଣିଆ ଢଙ୍ଗର ଯେଉଁ ସଭ୍ୟତାର ଛାଞ୍ଚ ଗଢ଼ା ହେଉଅଛି, ତାହାର କରାମତ ବେଶି ନୁହେଁ । ମୋର ବିଶ୍ୱାସ ଯେ, ବର୍ତ୍ତମାନ ସଭ୍ୟତା ବାହାରର ଚାକଚକ୍ୟ ଆଡ଼କୁ, କପଟାଚାରିତା ଆଡ଼କୁ, ପରମୁଖାପେକ୍ଷିତା ଆଡ଼କୁ ଗତି କରୁଅଛି । ଏ ସ୍ରୋତ ବନ୍ଦ ନ ହେବା ଯାକେ ସଭ୍ୟ ଜଗତର ରକ୍ଷା ନାହିଁ । ଆମେ ସମସ୍ତେ ସହି ସୁଅରେ ଭାସୁଥାଇଁ । ଏ ଅବସ୍ଥାର ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଆମର ଥଳ କୂଳ କିଛି ଠିକଣା ନାହିଁ, କି ନ ହେବ । ଆଜି ଥାଉ ।

Image